Unknown

 

 

 

 

 

 

 

 

 

 

 

ରାମମୋହନ ରାୟ

ଜଗଦୀଶ ଚନ୍ଦ୍ର ରଥ

 

ପ୍ରସ୍ତାବନା

 

ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ଭାଷାରେ ବିଶ୍ଵବିଦ୍ୟାଳୟ ସ୍ତରୀୟ ପାଠ୍ୟପୁସ୍ତକମାନ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ସାଧାରଣ ପାଠକ ପାଠିକାମାନଙ୍କ ନିମନ୍ତେ ମଧ୍ୟ କେତେକ ଉପାଦେୟ ଗ୍ରନ୍ଥର ପ୍ରସ୍ତୁତ ଦାୟିତ୍ଵ ଗ୍ରହଣ କରିଛନ୍ତି । ‘‘ରାମମୋହନ ରାୟ’’ ପୁସ୍ତକଟି ରାଜାରାମମୋହନଙ୍କ ସମ୍ପର୍କରେ ସାଧାରଣ ଧାରଣା ଦେବା ନିମନ୍ତେ ରଚନା କରାଯାଇଛି । ଦୈନିକ ସମ୍ବାଦପତ୍ର, ‘ସ୍ଵରାଜ୍ୟ’ର ଭାରପ୍ରାପ୍ତ ସଂପାଦକ ଶ୍ରୀ ଜଗଦୀଶଚନ୍ଦ୍ର ରଥ ଏହାର ରଚୟିତା ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ମନ୍‌ମଥନାଥ ଦାସ ଏହାର ସମୀକ୍ଷକ । ଏ ଅବକାଶରେ ସଂସ୍ଥା ପକ୍ଷରୁ ଉଭୟଙ୍କୁ ଆମେ ଧନ୍ୟବାଦ ଜ୍ଞାପନ କରୁଅଛୁ ।

 

‘ରାମମୋହନ ରାୟ’ ପୁସ୍ତକଟି ସାଧାରଣ ଜିଜ୍ଞାସୁ ଛାତ୍ରଛାତ୍ରୀ ତଥା ଶିକ୍ଷକ ମହଲରେ ଆଦୃତ ହେବ ବୋଲି ଆମର ଆଶା ।

 

ଭୁବନେଶ୍ୱର

ଶ୍ରୀନବାସ ସାହୁ

୭-୬-୭୪

ନିର୍ଦ୍ଦେଶକ

Image

 

ଭୂମିକା

 

ଗୋଟିଏ ଦୈନିକ ସମ୍ବାଦପତ୍ରର ଭାରପ୍ରାପ୍ତ ସମ୍ପାଦକ ରୂପେ ଜଟିଳ ଦାୟିତ୍ଵ ତୁଲାଉଥିବାବେଳେ ‘ରାଜା ରାମମୋହନ ରାୟ’ଙ୍କ ସମ୍ପର୍କରେ ପୁସ୍ତକ ରଚନା କରିବା ଲାଗି ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥା ମୋତେ ଅନୁରୋଧ କଲେ । ଏହି ଅନୁରୋଧକୁ ମୁଁ ସାଦରେ ଗ୍ରହଣ କରିନେଇଥିଲି । ଐତିହାସିକ ତଥ୍ୟ ସମ୍ବଳିତ ପୁସ୍ତକ ରଚନା କରିବା ଲାଗି ମୁଁ ମୋର ଛାତ୍ର ଜୀବନରୁ ପ୍ରୟାସୀ ଥିଲି । ଛାତ୍ର ଜୀବନ ପରେ କଲିକତାସ୍ଥ ‘ଇନଷ୍ଟିଚ୍ୟୁଟ ଅଫ୍‍ ହିଷ୍ଟୋରିକାଲ ଷ୍ଟଡ଼ିଜ୍‍’ ଦ୍ଵାରା ସ୍ଵାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଗବେଷଣା କରିବା ପାଇଁ ମନୋନୀତ ହୋଇ ଦୀର୍ଘ ୪ ବର୍ଷ କାଳ ଗବେଷଣା କରିଥିଲି । ଏହି ଅବସରରେ ମୋ ଦ୍ଵାରା ସଂକଳିତ ବହୁ ଜୀବନୀ ଇତିହାସ ‘ଜାତୀୟତାବାଦ ଜୀବନୀ ଅଭିଧାନ’ (Dictionary of Nationalist Biographies) ରେ ପ୍ରକାଶିତ ହୋଇଛି ।

 

କର୍ମବହୁଳ ଓ ଝଡ଼ଝଞ୍ଜାମୟ ଜୀବନ ମଧ୍ୟରେ ଯେତିକି ସମୟ ପାଇଛି ତାହାର ବିନିଯୋଗ କରି ସ୍ଵଳ୍ପ ସମୟ ମଧ୍ୟରେ ପୁସ୍ତକଟି ରଚନା କରିଛି । ସମୟର ବିନିଯୋଗ ଯଥାର୍ଥ ହୋଇଛି କି ନାହିଁ ତାହାର ବିଚାର ପାଠକ ପାଠିକାମାନେ କରିବେ ।

 

ପୁସ୍ତକଟି ଲେଖିବା ପାଇଁ ସୁଯୋଗ ଦେଇଥିବାରୁ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥାର ନିର୍ଦ୍ଦେଶକ ଡକ୍ଟର ଶ୍ରୀନିବାସ ସାହୁଙ୍କ ନିକଟରେ ମୁଁ କୃତଜ୍ଞ । ପାଣ୍ଡୁଲିପି ପ୍ରସ୍ତୁତ କରିବାରେ ମୋତେ ସାହାଯ୍ୟ କରିଛନ୍ତ ଶ୍ରୀ ଚିତ୍ତରଞ୍ଜନ ସାହୁ ବି. ଏ. (ଅନର୍ସ), ଶ୍ରୀ ନରେନ୍ଦ୍ର ପ୍ରସାଦ ଖିଲାର ଓ ମୋର ସହଧର୍ମିଣୀ ଶ୍ରୀମତୀ ଶାନ୍ତିପ୍ରିୟା ରଥ । ଏମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି ।

 

ରାଜା ରାମମୋହନଙ୍କ ବିଶାଳ ବ୍ୟକ୍ତିତ୍ଵ, ବହୁମୁଖୀ ପ୍ରତିଭା ଓ ସଂସ୍କାରବାଦୀ କାର୍ଯ୍ୟକଳାପର ଟିକିନିଖି ବିବରଣୀ ଏ କ୍ଷୁଦ୍ର ପୁସ୍ତକରେ ସନ୍ନିବେଶିତ ହେବା ସମ୍ଭବ ହୋଇ ପାରିନାହିଁ । ତାଙ୍କ ସମ୍ପର୍କରେ ଯେତିକି ତଥ୍ୟ ମୋର ହସ୍ତଗତ ହୋଇଛି ତାହାକୁ ଯଥା ସମ୍ଭବ ସଂକ୍ଷେପ କରି ଏହି ପୁସ୍ତକଟିର କଳେବର ମଣ୍ଡନ କରିଛି । ଆଦୃତ ହେଲେ ପରିଶ୍ରମ ସାର୍ଥକ ହେଲା ବୋଲି ଭାବିବି ।

 

ଶ୍ରୀ ଜଗଦୀଶ ଚନ୍ଦ୍ର ରଥ

ଭାରପ୍ରାପ୍ତ ସମ୍ପାଦକ,

ସ୍ଵରାଜ୍ୟ, ଭୁବନେଶ୍ଵର

Image

 

ସୂଚୀପତ୍ର

 

ପ୍ରଥମ ପରିଚ୍ଛେଦ

-

ଅନ୍ଧକାରାଚ୍ଛନ୍ନ ସମାଜରେ ପ୍ରଗତିର ବାର୍ତ୍ତାବହ

ଦ୍ଵିତୀୟ ପରିଚ୍ଛେଦ

-

ଜନ୍ମ, ଶିକ୍ଷା ଓ ସଂଗ୍ରାମର ଅୟମାରମ୍ଭ

 

 

ସନ୍ନ୍ୟାସୀଙ୍କ ସହ ତିବ୍ବତ ଯାତ୍ରା

ତୃତୀୟ ପରିଚ୍ଛେଦ

-

ରାମମୋହନ ଓ ଖ୍ରୀଷ୍ଟଧର୍ମ

ଚତୁର୍ଥ ପରିଚ୍ଛେଦ

-

ବ୍ରାହ୍ମସଭା ଓ ଧର୍ମ ସଂସ୍କାର

 

 

ବେଦାନ୍ତ ବ୍ୟାଖ୍ୟା

 

 

ବ୍ରାହ୍ମସଭା ଓ ଧର୍ମସଭା

 

 

ରାମମୋହନ ଓ ରାମତନୁ

 

 

ରାମମୋହନଙ୍କ ଆଦର୍ଶ

 

 

କ୍ରିୟା ଓ ପ୍ରତିକ୍ରିୟା ମଧ୍ୟରେ ବ୍ରାହ୍ମ ସମାଜରେ ଉତ୍‍ଥାନ ଓ ପତନ

ପଞ୍ଚମ ପରିଚ୍ଛେଦ

-

ସାମାଜିକ ସଂସ୍କାର

 

 

ସତୀଦାହ ସଂପର୍କୀୟ ଲୋମହର୍ଷଣକାରୀ ତଥ୍ୟାବଳୀ

ଷଷ୍ଠ ପରିଚ୍ଛେଦ

-

ସମ୍ବାଦପତ୍ରର ସ୍ଵାଧୀନତା ରକ୍ଷକ ରାମମୋହନ

ସପ୍ତମ ପରିଚ୍ଛେଦ

-

ଆଧୁନିକ ଶିକ୍ଷାର ପ୍ରବର୍ତ୍ତକ ରାମମୋହନ

 

 

ବଂଗଳା ଗଦ୍ୟ ସାହିତ୍ୟର ସ୍ରଷ୍ଟା

ଅଷ୍ଟମ ପରିଚ୍ଛେଦ

-

ନୂତନ ଭାରତର ସ୍ଵପ୍ନ

 

 

ଶୋଷଣ ବିରୁଦ୍ଧରେ ଅଭିଯାନ

 

 

ରାଜନୀତିକ ଓ ଆଇନଗତ ଦୂରଦୃଷ୍ଟି

ନବମ ପରିଚ୍ଛେଦ

-

ୟୁରୋପ ଭ୍ରମଣ ଓ ଜୀବନାବସାନ

 

 

ଫାନ୍‌ସ ବୈଦେଶିକ ମନ୍ତ୍ରୀଙ୍କୁ ରାମମୋହନଙ୍କ ପତ୍ର

ଦଶମ ପରିଚ୍ଛେଦ

-

ମହାନ ଭାରତୀୟଙ୍କ ଜୀବନର କେତେକ କାହାଣୀ

ଏକାଦଶ ପରିଚ୍ଛେଦ

-

ନୂତନ ଯୁଗର ସ୍ରଷ୍ଟାଙ୍କ କାର୍ଯ୍ୟାବଳୀର ସମୀକ୍ଷା

 

 

ରାମମୋହନଙ୍କୁ ସମାଲୋଚନା

Image

 

ପ୍ରଥମ ପରିଚ୍ଛେଦ

ଅନ୍ଧକାରାଚ୍ଛନ୍ନ ସମାଜରେ ପ୍ରଗତିର ବାର୍ତ୍ତାବହ

 

ଅଷ୍ଟାଦଶ ଶତାବ୍ଦୀର ପରିସମାପ୍ତି ପୂର୍ବରୁ ବିଶ୍ଵରେ ଦୁଇଟି ଲୋମହର୍ଷଣକାରୀ ଓ ଯୁଗାନ୍ତକାରୀ ଘଟଣାର ସ୍ରୋତ ପ୍ରବାହିତ ହୋଇ ସାରିଥିଲା । ପ୍ରଥମଟି ହେଉଛି ଆମେରିକାର ସ୍ଵାଧୀନତା ଆନ୍ଦୋଳନ (American Revolution) ୧୭୭୫ରୁ ୧୭୮୩ ଏବଂ ଦ୍ଵିତୀୟଟି ଫରାସୀ ବିପ୍ଳବ (French Revolution) ୧୭୮୯ରୁ ୧୭୯୫ । ଏହି ଘଟଣା ଦୁଇଟିର ପ୍ରଭାବ ଥିଲା ସୁଦୂର ପ୍ରସାରୀ । ସ୍ଵେଚ୍ଛାଚାରୀ ରାଜ ଶାସନ ଉପରେ ଏହି ଦୁଇଟି ଆନ୍ଦୋଳନ ପ୍ରଚଣ୍ଡ ଆଘାତ ଦେଇ ସମଗ୍ର ମାନବ ସମାଜରେ ପରବର୍ତ୍ତୀ ଇତିହାହାକୁ ବଦଳାଇ ଦେଲା । ଆକୁମାରୀ ହିମାଳୟ ବିଶାଳ ଭାରତବର୍ଷ ସେତେବେଳେ ମହାପ୍ରତାପୀ ଇଂରେଜ ସରକାରଙ୍କ ଶାସନାଧୀନ ଥିଲେ ମଧ୍ୟ ନିଷ୍ପେଷିତ ଓ ସ୍ଵାଧୀନତା ଲିପ୍‍ସୁ ଏହାର ଅଗଣିତ ଅଧିବାସୀ ବିଶ୍ଵର ଉକ୍ତ ମହାସ୍ରୋତରେ ନିଜ ନିଜକୁ ମିଶାଇ ଦେଇଥିଲେ । ଫଳରେ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ନାନାବିଧ ବିକାଶ ପଥରେ ଭାରତ ଆଗେଇ ଚାଲିଲା । ଏ ବିକାଶ ଥିଲା ସମାଜିକ, ଧର୍ମର, କଳାର, ସଙ୍ଗୀତର, ଶିକ୍ଷାର, ସଂସ୍କୃତିର ଓ ସର୍ବୋପରି ଜାତୀୟତାର । ସାଧାରଣଭାବେ କହିବାକୁ ଗଲେ ମଧ୍ୟ ଯୁଗର ଅବସାନ ଓ ଆଧୁନିକ ଯୁଗର ଉତ୍‍ଥାନର ଏହାଥିଲା ଏକ ସନ୍ଧି ସମୟ । ଏହି ସମୟରେହିଁ ଉପରୋକ୍ତ ଆନ୍ଦୋଳନ ସମ୍ଭୂତ ବିପ୍ଳବଧର୍ମୀ ଚିନ୍ତାଧାରା ଓ ତହିଁରେ ନିହିତ ଥିବା ନୂତନ ଉପାଦାନ ଭାରତରେ ଏକ ଜାଗରଣ ବୀଜ ବପନ କରିଗଲା ।

 

ଉଦ୍‌ଭ୍ରାନ୍ତ ମାନବକୁ ଦିଗ୍‌ଦର୍ଶନ ଦେବାଲାଗି ମହାତ୍ମାମାନଙ୍କର ଆବିର୍ଭାବ ହୋଇଥାଏ । ଭାରତରେ ବୁଦ୍ଧ, ଅଶୋକ, ଶଙ୍କର, ରାମାନୁଜ, ରାମକୃଷ୍ଣ ଓ ଗାନ୍ଧୀଙ୍କ ଭଳି ରାମମୋହନ ରାୟଙ୍କର ଏକ ଘଡ଼ିସନ୍ଧି ସମୟରେ ଆବିର୍ଭାବ ହୋଇଥିଲା । ମୋହନ ଦାସ କରମଚାନ୍ଦ ଗାନ୍ଧୀ ପଶ୍ଚିମ ଭାରତର କାଠିଆବାଡ଼ ଠାରେ ଜନ୍ମଗ୍ରହଣ କରିବାର ପ୍ରାୟ ଏକ ଶତାବ୍ଦୀ ପୂର୍ବେ ରାମମୋହନ ରାୟ ପୂର୍ବ ଭାରତର ରାଧାନଗର ଠାରେ ଜନ୍ମଗ୍ରହଣ କରିଥିଲେ । ଗାନ୍ଧୀ ଓ ରାମମୋହନ ଉଭୟ ଥିଲେ ସତ୍ୟ, ନ୍ୟାୟ, ତ୍ୟାଗ ଓ ମୁକ୍ତିର ଚରମ ପୃଷ୍ଠପୋଷକ, ମୂର୍ତ୍ତିମନ୍ତ ପ୍ରତୀକ ଓ ଧର୍ମର ସଂସ୍କାରକ । ପତନୋନ୍ମୁଖୀ ଭାରତୀୟ ସଂସ୍କୃତି ଓ ଧର୍ମର ପୁନରୁତ୍‌ଥାନ ଲାଗି ଉଭୟ ନିଜ ନିଜ ମାର୍ଗରେ ନିସ୍ଵାର୍ଥପର ଭାବେ କାର୍ଯ୍ୟ କରି ଯାଇଛନ୍ତି ।

 

ମଧ୍ୟଯୁଗରେ ଭାରତ ମୋଗଲମାନଙ୍କ ଶାସନାଧୀନରେ ରହି ଆସିଥିଲା । ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧ ବେଳକୁ ମୋଗଲ ଶାସନର ଦୀପ୍ତି କ୍ରମେ ମଉଳି ଯାଇ ଦେଖାଦେଲା ବିଦେଶୀ ଶାସନର ଝଲକ । ଗୋଟାକପରେ ଗୋଟାଏ ବିଦେଶୀ ଶାସନ । ଏ ଶାସନ କଳର ଚକ ତଳେ ଭାରତୀୟମାନେ ପେଷି ହୋଇଗଲେ; ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହୋଇ ସେମାନଙ୍କୁ ଉତ୍କଟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଲା । ଅଜ୍ଞତାର ତମିସ୍ରା ଓ ବିଦେଶୀ ଶାସନର କଠୋରତା ଲୋକଙ୍କ ସୃଜନାତ୍ମକ ଶକ୍ତି ଓ ଜୀବନ ଯାପନର ସ୍ଵାଧୀନତାକୁ ପଙ୍ଗୁ କରିଦେଲ । ଦେଶର ଗୋଟିଏ ଅଂଶରେ ବସବାସ କରୁଥିବା ଲୋକେ ଅନ୍ୟ ଅଂଶରେ ଘଟୁଥିବା ଘଟଣାବଳୀ ପ୍ରତି ଅବହିତ ହେବା ଅସମ୍ଭବ ଥିଲା । ବିଦେଶୀ ଶକ୍ତିର ପୁଞ୍ଜିଭୂତ କ୍ଷମତା ଓ ବିତ୍ତର ପ୍ରାଣକେନ୍ଦ୍ର ରୂପେ ଭାରତର କଲିକତା, ବମ୍ବେ ଏବଂ ମାନ୍ଦ୍ରାଜ ନାମକ ତିନୋଟି ନୂତନ ନଗରୀ ମୁଣ୍ଡ ଟେକିଲା ।

 

ବିତ୍ତ ପ୍ରାଚୁର୍ଯ୍ୟରେ ପ୍ରଲୁବ୍‌ଧ ହୋଇ ଭାରତ ଭୂମିରେ ନିଜ ନିଜର ସ୍ଥିତି ସ୍ଥାପନ ନିମନ୍ତେ ଇଂରେଜ, ଫରାସୀ ଓ ଓଲନ୍ଦାଜ ବଣିକ ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଲା । ଏତିକିବେଳେ ମୋଗଲ ନବାବମାନଙ୍କୁ ସେମାନଙ୍କ ପ୍ରତିପକ୍ଷ ବିରୁଦ୍ଧରେ ଅସ୍ତ୍ରୋତ୍ତୋଳନରେ ସାହାଯ୍ୟ କରି ଭାରତର ବିସ୍ତୃତ ଅଞ୍ଚଳ ଅଧିକାର କରିବାର ଅଭିପ୍‌ସା ଏହି ବଣିକମାନଙ୍କ ମନରେ ଜାଗ୍ରତ ହେଲା ଏବଂ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକ୍ଷଣି ସେମାନେ ସ୍ଵଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରିବାରେ ଲାଗିଲେ-। ସାହସୀକୁ ଭାଗ୍ୟଦେବା ଅନୁକୂଳ ହୋଇଥାନ୍ତି । କୂଟନୀତି ଯୁକ୍ତ ବୀରତ୍ଵ ପ୍ରଦର୍ଶନ କରି ଇଂରେଜମାନେ ଅବଶେଷରେ ବିଜୟର ବୈଜୟନ୍ତୀ ଉଡ଼ାଇଲେ ।

 

ସପ୍ତଦଶ ଶତାବ୍ଦୀରୁ ଭାରତରେ ବାଣିଜ୍ୟ କାରବାର ଚଳାଇଥିବା ଇଷ୍ଟଇଣ୍ଡିଆ କମ୍ପାନୀ କ୍ରମଶଃ ଦୃଢ଼ରୁ ଦୃଢ଼ତର ହେଲା । ଅଷ୍ଟାଦଶ ଶତାବ୍ଦୀର ଶେଷାର୍ଦ୍ଧରେ ରବର୍ଟ କାଇବ ନାମକ ଜଣେ ବିଚକ୍ଷଣ ଓ ଅସାଧାରଣ ପ୍ରତ୍ୟୁତ୍ପନ୍ନମତୀ ସମ୍ପନ୍ନ ବ୍ୟକ୍ତିଙ୍କ ନେତୃତ୍ଵରେ ଇଂରେଜ ଶକ୍ତି ଅନ୍ୟାନ୍ୟ ବିଦେଶୀ ଶକ୍ତିକୁ ବିଚଳିତ କରି ପକାଇଲା । ଏଇଠି ହେଲା ଭାରତରେ ବ୍ରିଟିଶ ରାଜ ପ୍ରତିଷ୍ଠାର ଅୟମାରମ୍ଭ । ରବର୍ଟ କ୍ଳାଇବ ଯେକି ଭାରତ ଆସିଥିଲେ ଜଣେ ବଣିକ ଭାବରେ, ପରବର୍ତ୍ତୀ ସମୟରେ ସେ ହେଲେ ଜଣେ ବିଚକ୍ଷଣ ସୈନିକ ଓ ତତ୍ପରେ କୁଶଳୀ ରାଷ୍ଟ୍ରନୀତିଜ୍ଞ । ସେ ଥିଲେ ଭାରତରେ ବ୍ରିଟିଶ ସାମ୍ରାଜ୍ୟର ପ୍ରତିଷ୍ଠାତା । ସୁବର୍ଣ୍ଣ ଲାଭର ଲାଳସା ତାଙ୍କୁ ଏପରି ପାଗଳ କରି ପକାଇଥିଲା ଯେ, ବଙ୍ଗଳାର ରାଜକୋଷ ତାଙ୍କର ଅଙ୍ଗୁଳି ନିର୍ଦ୍ଦେଶରେ ହିଁ ଦଳେ ଅର୍ଥଗୃଧ୍ନୁ ଇଂରେଜଙ୍କ ଦ୍ଵାରା ଲୁଣ୍ଠିତ ହୋଇଗଲା । କ୍ଳାଇବଙ୍କ ଦ୍ଵାରା ବଙ୍ଗଳାରେ ଦ୍ଵୈତ ଶାସନ ପ୍ରତିଷ୍ଠା କରାଗଲା ଯଦ୍ଦ୍ୱାରାକି ବଙ୍ଗଳାର ତତ୍କାଳୀନ ନବାବ ତାଙ୍କ ହାତରେ ଏକ କ୍ରୀଡ଼ା ପୁତ୍ତଳିକା ହୋଇ ରହିଲେ । ଜନସାଧାlରଣଙ୍କର ଦୁଃଖ ଦୁର୍ଦ୍ଦଶା କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଲା ।

 

କ୍ଳାଇବ ଭାରତରୁ ବିଦାୟ ନେଲେ ୧୭୬୭ ମସିହାରେ । ୧୭୬୭ ରୁ ୧୭୭୨ ମସିହା ମଧ୍ୟରେ ଅର୍ଥାତ କ୍ଳାଇବଙ୍କ ବିଦାୟ ଓ ୱ୍ୟାରେନ୍‍ ହେଷ୍ଟିଙ୍ଗସ ବଙ୍ଗଳାର ଗଭର୍ଣ୍ଣରରୂପେ ନିଯୁକ୍ତି ହେବା ମଧ୍ୟରେ ଭେରେଇଷ୍ଟ ଓ କାର୍ଟିଅର ନାମକ ଦୁଇଜଣ ଇଂରେଜ ଶାସକ ବଙ୍ଗଳାର ଶାସନଭାର ଗ୍ରହଣ କଲେ । ସେମାନଙ୍କର ଦୁର୍ବଳ ଶାସନ ସାଙ୍ଗକୁ ପ୍ରତିଷ୍ଠିତ ଦ୍ଵୈତ ଶାସନର ତ୍ରୁଟି ବିଚ୍ୟୁତି ବଙ୍ଗ ଜନସାଧାରଣଙ୍କର ଦୁଃଖ ଦୁର୍ଦ୍ଦଶାକୁ ଅତିମାତ୍ରାରେ ବଢ଼ାଇଦେଲା । ଶାସନର ସମସ୍ତ ଦାୟିତ୍ଵ ସେମାନେ ତତ୍କାଳୀନ ବଙ୍ଗ ନବାବଙ୍କ ଉପରେ ନ୍ୟସ୍ତକରି ଆଶ୍ଵସ୍ତ ରହିଲେ । କିନ୍ତୁ ଏଣେ ବଙ୍ଗ ନବାବ ଲୋକଙ୍କ ଦୁଃଖ ଦୂର କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ । ଇଂରେଜ ଶାସକ ଓ ବଙ୍ଗର ନବାବ ଉଭୟଙ୍କର ଦାୟିତ୍ଵହୀନ କାର୍ଯ୍ୟଯୋଗୁଁ ପରସ୍ଥିତି ଏପରି ଶୋଚନୀୟ ହୋଇ ପଡ଼ିଲା ଯେ କୃଷିଜୀବୀମାନେ ସେମାନଙ୍କ କୃଷିକ୍ଷେତ୍ର ପରିତ୍ୟାଗ କରି ରାସ୍ତାଘାଟରେ ବୁଲି ଚୋରି ଡକାୟତି କରିବାକୁ ପଶ୍ଚାତପଦ ହେଲେ ନାହିଁ । ମାତ୍ର କମ୍ପାନୀର କର୍ମଚାରୀମାନେ ଘରୋଇ ବ୍ୟବସାୟ ଚଳାଇ ବିପୁଳ ଅର୍ଥ ଉପାର୍ଜନ କରିବାରେ ଲାଗିଲେ । ଲୁଣ, ଗୁଆ ଓ ଅନ୍ୟାନ୍ୟ କେତେକ ଦ୍ରବ୍ୟରେ ସେମାନେ ଏକଚାଟିଆ ବାଣିଜ୍ୟ ଚଳାଇଲେ ।

 

ଏପରି ଏକ କଷ୍ଟଦାୟକ ପରିସ୍ଥିତିରେ ୧୭୭୦ ମସିହାରେ ଭାରତରେ ଏକ ଭୟାବହ ଦୁର୍ଭିକ୍ଷ ଦେଖାଦେଲା । ଏହି ଦୁର୍ଭିକ୍ଷ-ରାକ୍ଷସର କବଳରେ ପଡ଼ି ବଙ୍ଗର ଏକ ତୃତୀୟାଂଶ ଲୋକଙ୍କ ଜୀବନ ଦୀପ ଲିଭିଗଲା । ବିହାରରେ ଏହାର ଭୟାବହତା ଥିଲା ସର୍ବାଧିକ । ସେଠାରେ ରାସ୍ତାଘାଟରେ ଅନାହାର କ୍କିଷ୍ଟ ଲୋକେ ପୋକ ମାଛି ପରି ମରି ପଡ଼ିଲେ । ଦେଶର ବହୁସ୍ଥାନରେ ଲୋକେ ସେମାନଙ୍କ ପୁତ୍ରକନ୍ୟା ବିକ୍ରୟ କଲେ । ସମୟ ଆସିଲା ଯେତେବେଳେ କି ସେମାନଙ୍କୁ କ୍ରୟ କରିବା ଲାଗି ଗ୍ରାହକଙ୍କର ଅଭାବ ପରିଲକ୍ଷିତ ହେଲା । ହତଭାଗା ବୁଭୁକ୍ଷମାନେ ଗଛର ପତ୍ର ଓ ପଡ଼ିଆର ଘାସ ଖାଇ କ୍ଷୁଧା ନିବାରଣ କଲେ । ଶେଷରେ ସେତକ ମଧ୍ୟ ଦୁର୍ଲଭ ହେବାରୁ ମଣି ଜଠର ଜ୍ଵାଳାରେ ମଣିଷର ଶବ ଖାଇବାକୁ ବାଧ୍ୟ ହେଲେ ବୋଲି ବ୍ରିଟିଶ ସରକାର ଘୋଷଣା କଲେ-। ମାତ୍ର ଦୁର୍ଭିକ୍ଷର ନିରାକରଣ ଲାଗି ପଦକ୍ଷେପ ନିଆଗଲ ନାହିଁ । ବରଂ କମ୍ପାନୀର କର୍ମଚାରୀମାନେ ପରସ୍ଥିତିରୁ ଫାଇଦା ଉଠାଇବା ପାଇଁ ଅଧିକ ତତ୍ପର ହୋଇ ଉଠିଥିଲେ-। ଇଂରେଜ ବ୍ୟବସାୟୀମାନେ ଅତ୍ୟାବଶ୍ୟକୀୟ ଦ୍ରବ୍ୟଗୁଡ଼ିକୁ ଅତ୍ୟନ୍ତ ଚଢ଼ାଦରରେ ବିକ୍ରୟ କରି ଦରିଦ୍ର ଲୋକଙ୍କୁ ଶୋଷଣ କରିବାରେ ଲାଗିଲେ । ଇଂରେଜ ସରକାର ହୃଦୟହୀନ ଅତ୍ୟାଚାରୀର ରୂପ ପରିଗ୍ରହକରି ଦାରୁଣ ଦୁର୍ଦ୍ଦଶାଗ୍ରସ୍ଥ ଲୋକଙ୍କଠାରୁ ଭୂରାଜସ୍ଵ ଆଦାୟ କଲେ । ଯଦି କୌଣସି ମୃତବ୍ୟକ୍ତି ଉପରେ ଭୂରାଜସ୍ୱ ବାକିଥିବାର ସରକାର ଜାଣୁଥିଲେ ତେବେ ସେ ପରିମାଣ ଅନ୍ୟମାନଙ୍କ ଉପରେ ଧାର୍ଯ୍ୟ କରାଯାଇ ଆଦାୟ ହେଉଥିଲା । ଏହାହିଁ ଥିଲା ସେତେବେଳର ଅବର୍ଣ୍ଣନୀୟ ଦୁଃଖର କାହାଣୀ । ୧୭୭୨ ମସିହା ପର୍ଯ୍ୟନ୍ତ ଏହି ପରିସ୍ଥିତି ଲାଗି ରହିଲା-। ଠିକ୍‌ ସେହି ବର୍ଷ ୱ୍ୟାରେନ୍‌ ହେଷ୍ଟିଙ୍ଗସ ବଙ୍ଗଳାର ଗଭର୍ଣ୍ଣର ନିଯୁକ୍ତ ହେଲେ । ରାମୋହନଙ୍କର ଆବିର୍ଭାବ ଘଟିଥିଲା ସେହି ବର୍ଷ । ଅନ୍ୟ କେତେକଙ୍କ ମତରେ ରାମମୋହନଙ୍କ ଆବିର୍ଭାବ କାଳ ୧୭୭୪ ସାଲ ।

 

ରାମମୋହନ ରାୟଙ୍କ ଜନ୍ମ ଓ ତିରୋଧାନ ମଧ୍ୟରେ ସମୟର ବ୍ୟବଧାନ ଥିଲା ଛଅଟି ଦଶନ୍ଧି । ଏହି ସମୟ ମଧ୍ୟରେ ଭାରତରେ ବ୍ରିଟିଶ ଶାସନ କ୍ଷେତ୍ରରେ ମୁଖ୍ୟ କର୍ଣ୍ଣଧାର ରୂପେ ଅବତୀର୍ଣ୍ଣ ହୋଇଥିଲେ ୱ୍ୟାରେନ ହେଷ୍ଟିଙ୍ଗସ, ଜନ ମାକ ଫରସନ, ଲର୍ଡ କର୍ଣ୍ଣୱ୍ୟାଲିସ, ସାର୍‌ଜନ୍‌ସୋର, ଲର୍ଡ ୱେଲସଲି, ସାର୍‌ଜର୍ଜ ବାର୍ଲେ, ଲର୍ଡ ମିଣ୍ଟୋ, ଲର୍ଡ ହେଷ୍ଟିଙ୍ଗସ, ଜନ୍‌ ଆଡାମସ, ଲର୍ଡ ଆମହର୍ଷ୍ଟ ଏବଂ ଉଇଲିଅମ ବେଣ୍ଟିକ ।

 

ଭାରତର ଇତିହାସରେ ଶାନ୍ତି ଓ ପ୍ରଗତିର ବାର୍ତ୍ତାବହଙ୍କ ମଧ୍ୟରେ ରାମମୋହନଙ୍କର ବର୍ଣ୍ଣାଢ୍ୟ ବ୍ୟକ୍ତିତ୍ଵ ସ୍ଵତନ୍ତ୍ର ସ୍ଥାନ ମଣ୍ଡନ କରିଛି । ଯେଉଁଠାରୁକି ମାନବୀୟ ଅଭିବ୍ୟକ୍ତି ସମଗ୍ର ବିଶ୍ୱରେ ପ୍ରସାରିତ ହେଉଛି । ବିଶ୍ୱର ବିଶାଳଯଶା ବ୍ୟକ୍ତି–ଟାଗୋର ଓ ବିବେକାନନ୍ଦ ରାମମୋହନଙ୍କ ଆଦର୍ଶ ଦୃଷ୍ଟିଭଙ୍ଗୀ ନିକଟରେ ଋଣୀ ହୋଇଛନ୍ତି । ବିଶ୍ଵକବି ରବୀନ୍ଦ୍ର ନାଥ ଠାକୁର ସ୍ଵୀକାର କରନ୍ତି ଯେ ସେ ରାମମୋହନଙ୍କ ଠାରୁ ତାଙ୍କ ଜୀବନର ମୌଳିକ ଆଦର୍ଶ ଗ୍ରହଣ କରିଥିଲେ । ସେ କହନ୍ତି, 'Ram Mohan belongs to the lineage of India's great seers who age after age had appeared in the arena of our history with the message of the Iternal Man ଅର୍ଥାତ—ଚିରନ୍ତନ ମାନବର ବାର୍ତ୍ତା ବହନକରି ଆମର ଐତିହାସିକ ଜଗତର ଯୁଗେ ଯୁଗେ ଆବିର୍ଭୂତ ହୋଇଥିବା ଭାରତର ମହାନ ଶାନ୍ତିଦୂତ ମଧ୍ୟରୁ ରାମମୋହନ ଏକତମ ।

 

ବିବେକାନନ୍ଦ ରାମମୋହନଙ୍କର ବାର୍ତ୍ତାର ତିନୋଟି ଗୁରୁତ୍ଵପୂର୍ଣ୍ଣ ଦିଗପ୍ରତି ମାନବ ସମାଜର ଦୃଷ୍ଟି ଆକର୍ଷଣ କରିଛନ୍ତି (କ) ବେଦାନ୍ତ ସଂପର୍କରେ ରାମମୋହନଙ୍କ ବାଖ୍ୟା (ଖ) ଦେଶ ପ୍ରେମ ସଂପର୍କରେ ପ୍ରଚାର ଏବଂ (ଗ) ରାମମୋହନଙ୍କର ଯେଉଁ ପ୍ରେମ ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ସମାନ ଭାବରେ ଉଦ୍‍ବୁଦ୍ଧ କରୁଥିଲା । ବିବେକାନନ୍ଦ ଏହି ତିନୋଟି ବିଷୟ ମଧ୍ୟରେ ରାମମୋହନଙ୍କର ମହାନତା ପ୍ରମାଣ କରିଛନ୍ତି । ବିଶ୍ୱ ଦରବାରରେ ରାମମୋହନ ନିଜ ଜୀବନକୁ ବିପନ୍ନ କରି ଭାରତର ଗୌରବ ରଖି ଯାଇଛନ୍ତି । ଭାରତୀୟ ଇତିହାସରେ ନବଯୁଗରେ ରାମମୋହନ ଥିଲେ ପ୍ରଭୃତି ତାରା ସ୍ଵରୂପ ।

 

ରାମୋହନ ଥିଲେ ଆଧୁନିକ ଭାରତର ଜନ୍ମଲାଗି ମାନସିକ ବାତାବରଣର ସ୍ରଷ୍ଟା । ଭାରତୀୟ ଜୀବନର ଚିନ୍ତାଧାରା ଉପରେ ମଧ୍ୟଯୁଗୀୟ ସ୍ପର୍ଶ ଅନୁଭୂତ ହେଉଥିବା ବେଳେ ଏହାର ବିଲୋପ ଲାଗି ସେ ବହୁ ଚିନ୍ତାକରି ଶେଷରେ ସ୍ଥିର କଲେ ଯେ, ଭରତର ଶିକ୍ଷା ଓ ସାଂସ୍କୃତିକ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସବୁଠାରୁ ବଡ଼କାର୍ଯ୍ୟ । ଏହା କାର୍ଯ୍ୟ ସମ୍ପାଦନ ପାଇଁ ଯାହା ଆବଶ୍ୟକ ସେ ସବୁ ରାମମୋହନଙ୍କର ଥିଲା । ତାଙ୍କର ବିଜ୍ଞତା, ପାଣ୍ଡିତ୍ୟ ଯଥାର୍ଥ ମାନବବାଦ ଉପରେ ପ୍ରତିଷ୍ଠିତ ଦୃଷ୍ଟିଭଙ୍ଗୀ, ସାର୍ବଜନୀନ ଚିନ୍ତାଧାରା—ଏସବୁ ଏକତ୍ରମିଶି ରାମମୋହନ ସବୁଦୃଷ୍ଟିରୁ ଗୋଟିଏ ଶକ୍ତିଶାଳୀ ବ୍ୟକ୍ତି ରୂପେ ଗଢ଼ିଥିଲେ ଏବଂ ଏପରି ଶକ୍ତି ସଂପନ୍ନ ବ୍ୟକ୍ତିଙ୍କ ପକ୍ଷରେ ଭାରତୀୟ ଜୀବନରେ ମଧ୍ୟଯୁଗୀୟ ସ୍ପର୍ଶକୁ ଦୂରକରି ଆଧୁନିକତାର ସ୍ପର୍ଶ ଦେବାପାଇଁ ଅସମ୍ଭବ ହୋଇନଥିଲା । ପାଶ୍ଚାତ୍ୟ ଜଗତରେ ମାଟିନ ଲୁଥର୍‍ ତାଙ୍କର ଅବିସ୍ମରଣୀୟ କାର୍ଯ୍ୟ କଳାପ ଯୋଗୁଁ ଯେପରି ଖ୍ରୀଷ୍ଟିଆନମାନଙ୍କ ଦ୍ଵାରା ଯେପରି ପୂଜା ପାଇଛନ୍ତି, ସେହିପରି ରାମମୋହନ, ହିନ୍ଦୁମାନଙ୍କ ଦ୍ଵାରା ପୂଜନୀୟ ।

 

ରାମମୋହନ ତାଙ୍କର ଅପ୍ରାପ୍ତ ବୟସରେ ମଧ୍ୟ ପିତୁଳାପୂଜାର ଯଥାର୍ଥ୍ୟ ସଂପର୍କରେ ପ୍ରଶ୍ନ କରୁଥିଲେ । ଭଲ ଓ ମନ୍ଦ ମିଶ୍ରିତ ସମାଜରୁ ମନ୍ଦଗୁଡ଼ିକୁ ଦୂରକୁ ଠେଲି ଦେବା ପାଇଁ ସତେ ଯେପରି ସେ ଭଗବାନଙ୍କ ଦ୍ଵାରା ପ୍ରେରିତ ହୋଇଥିଲେ । ତାଙ୍କର କିଜ୍ଞାସୁ ମନ ସତ୍ୟର ଅନ୍ୱେଷଣ ଲାଗି ସର୍ବଦା ପ୍ରସ୍ତୁତ ହୋଇ ରହିଥିଲା । ଏକ ଅଜ୍ଞାତ ସ୍ଥାନରେ ଜନ୍ମଗ୍ରହଣ କରିଥିବା ଜଣେ ଭାରତୀୟ ବିଭିନ୍ନ ଭାଷାରେ ଲିଖିତ ବିଶ୍ଵର ମୌଳିକ ଧର୍ମଗ୍ରନ୍ଥଗୁଡ଼ିକୁ ଖୁବ୍‍ ଅଳ୍ପକାଳ ମଧ୍ୟରେ ଅଧ୍ୟୟନକରି ତାହାର ବୈଶିଷ୍ଟ୍ୟ ଉପଲବ୍‍ଧ କରିବାରେ ବୋଧହୁଏ ସମଗ୍ର ବିଶ୍ୱରେ ରାମମୋହନ ପ୍ରଥମ ଓ ଶେଷ ବ୍ୟକ୍ତି ।

 

ଭାରତରେ ଏକ ଇଶ୍ଵରଙ୍କ ପୂଜାଲାଗି ଗୋଟିଏ ଉପାସନା ମନ୍ଦିର ନିର୍ମାଣ ସମ୍ପର୍କରେ ସେ ପରିକଳ୍ପନା କରିଥିଲେ । ଏହା ଦ୍ଵାରା ରାମମୋହନ ଭାରତରେ ସାମ୍ପ୍ରଦାୟିକ ସଂହତି ପ୍ରତିଷ୍ଠାଲାଗି ଏକ ଦାର୍ଶନିକ ଭିତ୍ତିଭୂମି ଯୋଗାଇ ଦେବାକୁ ଉଦ୍ୟମ କରିଥିଲେ । ଜୀବନ ପ୍ରତି ରାମମୋହନଙ୍କର ମୌଳିକ ଆଭିମୁଖ୍ୟ ଥିଲା ମାନବବାଦ (Humanism) । ସେ କହୁଥିଲେ ଯେ ସାମାଜିକ ପ୍ରଥା ଓ ଧର୍ମାନୁଷ୍ଠାନ ମାନବର ବିକାଶ ଲାଗି ଏକ ପରୀକ୍ଷାଭଳି । ଏହି ପରୀକ୍ଷାରେ ଯଦି ମାନବ ସମାଜର ବିକାଶ ସାଧିତ ହୋଇ ନ ପାରେ, ତେବେ ତାହାକୁ ବାଦ୍‍ ଦେବାକୁ ହିଁ ପଡ଼ିବ । ସେ ସମୟରେ ସମାଜରେ ପ୍ରଚଳିତ ପ୍ରଥା ବିପକ୍ଷରେ ପାଟି ଫିଟାଇବା ଅପରାଧ ରୂପେ ଗଣ୍ୟ ହୋଇଥିଲେ ମଧ୍ୟ ରାମମୋହନ ଘୋଷଣା କଲେ, ‘‘ହିନ୍ଦୁଙ୍କର ପିତୁଳାପୂଜା ମାନବ ସମାଜ ପ୍ରତି କ୍ଷତିକାରକ । ସମାଜକୁ ଏହା ଧ୍ଵଂସ ମୁଖକୁ ଟାଣି ନେଉଛି । ସେଥିପାଇଁ ମୁଁ ଏହା ଉପରେ ବାରମ୍ବାର ଆକ୍ଷେପ କରୁଛି । ମୋ ଦେଶବାସୀଙ୍କ ହୃଦୟରେ ବିକାଶର ବୀଜ ବପନ କରିବା ଲାଗି ଏବଂ ତ୍ରୁଟି ବିଚ୍ୟୁତିର ଗର୍ତ୍ତରୁ ସେମାନଙ୍କୁ ଉଦ୍ଧାର କରିବା ଲାଗି ମୁଁ ଉଦ୍ୟମ କରୁଛି ।’’

 

ମାଟିନ ଲୁଥରଙ୍କର ମାନବବାଦୀ ଆଭିମୁଖ୍ୟ ପ୍ରକଟିତ ହୋଇଥିଲା ସେତିକିବେଳେ ଯେତେବେଳେ ସେ ଲେଖିଥିଲେ “ଭଗବାନ ଏପରି ଏକ ଧର୍ମ ସଂସ୍ଥାପନ କରନ୍ତୁ ଯାହାକି ମନୁଷ୍ୟ ଓ ମନୁଷ୍ୟ ମଧ୍ୟରେ ଥିବା ଘୃଣା ଓ ଦ୍ଵେଷ ଦୂରକରି ମାନବ ସମାଜରେ ଏକତା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ସହାୟକ ହେଉ ।’’

 

ରାମମୋହନ କହୁଥଲେ, ‘‘ଧର୍ମ ନୁହେଁ ଅଖଣ୍ଡ ପୁଣ୍ୟର ପୁଞ୍ଜୀଭୂତ ସମଷ୍ଟି, ଯାହାକି ବ୍ୟକ୍ତିକୁ କେବଳ ମୁକ୍ତି ଦେଉଥିବ । ଧର୍ମ ହେଉଛି ଏକ ଶକ୍ତି ଯେଉଁ ଶକ୍ତି ସାମାଜିକ ବିକାଶ ସାଧନ କ୍ଷେତ୍ରରେ ଓ ମାନବର ଚିନ୍ତାଧାରାରେ ସ୍ଵାଧୀନତାର ଆଲୋକ ବିଞ୍ଚି ଦେବାରେ ସାହାଯ୍ୟ କରେ ।’’ ଯେକୌଣସି ବିଷୟର ସପକ୍ଷରେ ଓ ବିପକ୍ଷରେ ଯୁକ୍ତି ପରିବେଷଣ କରି ରାମମୋହନ ଯାହାକିଛି ସିଦ୍ଧାନ୍ତ ଗ୍ରହଣ କରୁଥିଲେ । ଧର୍ମରେ ସାର୍ବଜନୀନତା ପ୍ରବେଶ କରାଇ ମାନବର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସେ ଏହା କରୁଥିଲେ । ସେ ଲେଖିଥିଲେ, ‘‘କେବଳ ଧର୍ମ ନୁହେଁ, ନିରପେକ୍ଷ ସାଧାରଣ ଜ୍ଞାନ ଏବଂ ବୈଜ୍ଞାନିକ ଗବେଷଣାର ନିର୍ଭୁଲ ସିଦ୍ଧାନ୍ତ ଆମକୁ ଜାଣିବାକୁ ଦିଏ ଯେ ସମଗ୍ର ମାନବ ସମାଜ ହେଉଛି ଗୋଟିଏ ପରିବାର । ‘‘Not religion only, but unbiased common sense as well as the accurate deductions of scientific reason lead to the conclusion that all mankind are one great family’’. ତେଣୁ ସମଗ୍ର ବିଶ୍ଵରେ ଗୋଟିଏ ସରକାର ପ୍ରତିଷ୍ଠା କରିବା ପାଇଁ କଳ୍ପନା କରିବାରେ ରାମମୋହନ ଥିଲେ ବିଶ୍ୱର ପ୍ରଥମ ବ୍ୟକ୍ତି ।

 

ସ୍ଵାଧୀନତା ଓ ଗଣତନ୍ତ୍ର ପ୍ରତି ରାମମୋହନଙ୍କର ଅମାପ ସହାନୁଭୂତି ଥିଲା । ତତ୍‍କାଳୀନ ବିଶ୍ଵରେ ଯେଉଁସବୁ ସ୍ଵାଧୀନତା ଆନ୍ଦୋଳନ ହୋଇଥିଲା ରାମମୋହନକୁ ତାକୁ ଆନ୍ତରିକତାର ସହ ସ୍ଵାଗତ ଜଣାଇଥିଲେ । ସେ ନିଜେ ପ୍ରାଚ୍ୟ ଶିକ୍ଷାରେ ଶିକ୍ଷିତ ହୋଇ ପ୍ରାଚ୍ୟ ସଂସ୍କୃତିରେ ବଢ଼ିଥିଲେ । ମାତ୍ର ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରବର୍ତ୍ତନ ଲାଗି ସେ ଜିଦ୍‌ ଧରିଥିଲେ । ଗଣିତ ଶାସ୍ତ୍ର, ଦର୍ଶନ ଶାସ୍ତ୍ର, ରସାୟନ ଶାସ୍ତ୍ର, ଶରୀର ତତ୍ତ୍ଵ ଓ ଅନ୍ୟାନ୍ୟ ଉପଯୋଗୀ ବିଜ୍ଞାନର ଅଧ୍ୟୟନ ଉପରେ ସେ ବିଶେଷ ଗୁରୁତ୍ଵ ଆରୋପ କରିଥିଲେ । ବ୍ରିଟିଶ ଶାସନ ଫଳରେ ଭାରତ ବହୁଳ ପରିମାଣରେ ଉପକୃତ ହେବ ବୋଲି ତାଙ୍କର ଯେଉଁ ଧାରଣାଥିଲା ତାହାକୁ ସେ ଲୁପ୍ତ ନ ରଖି ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ । ରାମମୋହନ ଥିଲେ ଏସିଆର ପ୍ରଥମ ବ୍ୟକ୍ତି, ଯାହାଙ୍କ ହୃଦୟ ଓ ମନ ପାଶ୍ଚାତ୍ୟ ଚିନ୍ତାଧାରାର ଆଲୋକରେ ଆଲୋକିତ ହୋଇଥିଲା । ସେ ଥିଲେ ଏକ ଉତୁଙ୍ଗ ଶିଖରୀ ପରି ଯାହାକୁ ୟୁରୋପର ଜ୍ଞାନଦୀପ୍ତ ଆଲୋକ ରଶ୍ମି ପ୍ରଥମେ ଆସି ସ୍ପର୍ଶ କରିଥିଲା ।

 

ଆଜି ରାମମୋହନଙ୍କର ବିଷୟରେ ଆଲୋଚନା ବେଳେ ବିଭିନ୍ନ ଲୋକଙ୍କ ମନରେ ତାଙ୍କର ଭିନ୍ନ ଭିନ୍ନ ଛବି ଅଙ୍କିତ ହୋଇଥାଏ । କେତେକ କହନ୍ତି ସେ ଥିଲେ ଜଣେ ଧର୍ମ ସଂସ୍କାରକ, କେତେକଙ୍କର ମତରେ ସେ ଥିଲେ ଜଣେ ସଂଗ୍ରାମଶୀଳ ବ୍ୟକ୍ତି, ଆଉ କେତେକ ପ୍ରକାଶ କରନ୍ତି, ସେ ଥିଲେ ମୁଖ୍ୟତଃ ଜଣେ ସମାଜ ସଂସ୍କାରକ । କିନ୍ତୁ ଇତିହାସ କହେ ଯେ ଭାରତର ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାମ୍ବିଧାନିକ ବିକାଶ ଲାଗିପଥ ପରିଷ୍କାର କରିବାରେ ରାମମୋହନ ଥିଲେ ଭାରତର ଅଗ୍ରଗଣ୍ୟ ବ୍ୟକ୍ତି । ଆଧୁନିକ ଭାରତ ଇତିହାସର ଲେଖକ ମଣ୍ଡଳୀ ମଧ୍ୟରେ ଜଣେ ଦକ୍ଷ ଲେଖକ ଡକ୍‌ଟର ପରସିଭଲ ସ୍ପିଅର (Rd. Percival Spear) କହନ୍ତି, ହିନ୍ଦୁ ଦର୍ଶନ ଓ ଚିନ୍ତାଧାରା ମଧ୍ୟରେ ଭାରତୀୟ ଗଣତନ୍ତ୍ର ଓ ସାମାଜିକ ସଂସ୍କାର ଲାଗି ରାମମୋହନ ଏକ ଭିତ୍ତିଭୂମି ପ୍ରଦାନ କରିଥିଲେ । ଯେଉଁ ମୂଳଦୂଆ ଉପରେ ମହାତ୍ମା ଗାନ୍ଧୀ ପରିବର୍ତ୍ତୀକାଳରେ ଏକ ବିଶାଳ ସୌଧ ନିର୍ମାଣ କରିଥିଲେ, ସେ ମୂଳଦୁଆର ନିର୍ମାତା ଥିଲେ ରାମମୋହନ । ତାଙ୍କର ପ୍ରତ୍ୟେକଟି କାର୍ଯ୍ୟ ତାଙ୍କୁ ବିଶ୍ଵ ଇତିହାସ ପୃଷ୍ଠାରେ ଅମର ରଖିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଯାଇଛି-। ତେବେ ତାଙ୍କର କାର୍ଯ୍ୟାବଳୀ ମଧ୍ୟରୁ କୌଣସି ଗୋଟିଏ କାର୍ଯ୍ୟକୁ ବାଦଦେଲେ ଏକ ସୁନ୍ଦର ବୃକ୍ଷର ଶାଖାଛେଦନ କଲାଭଳି ହେବ ।

 

ରାମମୋହନଙ୍କର କେତେକ କଳ୍ପନା ତାଙ୍କର ଜୀବଦ୍ଦଶା ମଧ୍ୟରେ କାର୍ଯ୍ୟକାରୀ ହୋଇଥିଲା ଏବଂ କେତେକେ ତାଙ୍କ ପରେ ଫଳପ୍ରଦ ହେଲା । ବହୁବର୍ଷ ପୂର୍ବେ ରେଭରେଣ୍ଡ ସି. ଏଫ୍‌. ଏଣ୍ଡ୍ରିଉଜ (C. F. Andrews) ଲଣ୍ଡନ ଠାରେ ଭାରତୀୟ ଛାତ୍ର ସଂଘ ସଭାରେ ଉଦ୍‌ବୋଧନ ଦେଇ କହିଲେ, ‘‘ମୋହନ ତାଙ୍କ ନିଜ ସମୟଠାରୁ ବହୁ ଆଗରେ ଥିଲେ ଏବଂ ତାଙ୍କର ମହାନ ଚିନ୍ତାଧାରାଗୁଡ଼ିକ ଆଧୁନିକ ବିଶ୍ଵ ଏବଂ ଭାରତ ଇତିହାସରେ ସମ୍ପୂର୍ଣ୍ଣ ରୂପରେଖ ନେଇପାରେ ନାହିଁ । ଏପର୍ଯ୍ୟନ୍ତ ତାଙ୍କର କେତେକ ଭାବଧାରାକୁ କାର୍ଯ୍ୟରେ ପରିଣତ କରାଯାଇପାରି ନାହିଁ । ତାହାର କାରଣ ହେଉଛି ଯେ, ତାଙ୍କର ସମସ୍ତ ପରିକଳ୍ପନା ବହୁ ଅଗ୍ରଗାମୀ ଥିଲା ।’’

 

ରାମମୋହନ ରାୟଙ୍କ ସମୟରେ ବଙ୍ଗଦେଶର ଅବସ୍ଥା ଯାହା, ସମଗ୍ର ଭାରତର ଅବସ୍ଥା ଠିକ ତାହାହିଁ ଥିଲା । ସେ ସମୟର ସାମାଜିକ ପରିସ୍ଥିତି ଅତ୍ୟନ୍ତ ଭୟାବହ ଥିଲା । ରାମମୋହନ ଯେତେବେଳେ ୧୬ ବର୍ଷ ବୟସରେ ପଦାର୍ପଣ କଲେ ଠିକ୍‍ ସେହି ସମୟଠାରୁହିଁ ସେ ସାମାଜିକ ବିକାଶ ସାଧନ ତଥା ଭାରତବାସୀଙ୍କର ସର୍ବାଙ୍ଗୀନ କଲ୍ୟାଣ ଲାଗି ଅଭିଯାନ ଆରମ୍ଭ କଲେ । ତତ୍‍କାଳୀନ ତିମିରାଛନ୍ନ ଭାରତବର୍ଷରେ କାୟା ବିସ୍ତାର କରି ରହିଥିବା ନାନାବିଧ କୁସଂସ୍କାରର ଦୂରୀକରଣ ନିମନ୍ତେ, ସେ ପ୍ରତିଜ୍ଞାବଦ୍ଧ ହୋଇ ସଂଗ୍ରାମ ଚଳାଇଥିଲେ । ପୁରାତନ କାଳରେ ଭାରତରେ ଆଧ୍ୟାତ୍ମିକ ବିକାଶ ଓ ଜ୍ଞାନର ପରିପ୍ରକାଶ ସମଗ୍ର ବିଶ୍ୱରେ ଶୀର୍ଷସ୍ଥାନ ଅଧିକାର କରିଥିଲା । ଭାରତର ଉଦାର ଚିନ୍ତାଧାରା ମଧ୍ୟ ଆଦର୍ଶ ସ୍ଥାନୀୟ ଥିଲା ଓ ପ୍ରଶସ୍ତ ଦୃଷ୍ଟିଭଙ୍ଗୀ ଯୋଗୁଁ ଭାରତବାସୀଙ୍କ ମଧ୍ୟରେ ଭାତୃତ୍ଵ ମନୋଭାବ ପୂର୍ଣ୍ଣ ମାତ୍ରାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସମୟାନୁକ୍ରମେ ଏ ସମସ୍ତ ଚିନ୍ତାଧାରା କ୍ରମଶଃ ଲୋପ ପାଇଲା । ବିଶେଷ କରି ମୁସଲମାନ ରାଜତ୍ଵ ସମୟରେ ସ୍ଵାଧୀନ ଚିନ୍ତାଧାର ସଙ୍କୁଚିତ ହେବା ଯୋଗୁଁ ଏହି ମଳିନତା ଅଧିକରୁ ଅଧିକ ହେବାକୁ ଲାଗିଲା । ଇଂରେଜମାନଙ୍କ ଆଗମନ ସମୟରେ ମନେହେଲା, ଭାରତ ସତେ ଯେପରି ତାର ପୂର୍ବର ଗୌରବ ହରାଇ ବସିଛି । ଧର୍ମ ଓ ଜ୍ଞାନ ଗାରିମାରେ ଯେଉଁ ଭାରତବର୍ଷ ସମଗ୍ର ବିଶ୍ୱରେ ଦିନେ ଶୀର୍ଷ ସ୍ଥାନୀୟ ଥିଲା, ତାହା ନାନା କୁ-ସଂସ୍କାର ଦ୍ଵାରା କବଳିତ ହୋଇ ପଡ଼ିଲା ଓ ତାର ଜ୍ଞାନର ପରିସର ମଧ୍ୟ ସୀମିତ ହୋଇଗଲା । କୁସଂସ୍କାର ଜନିତ ବ୍ୟାଧି ସମାଜରୁ ଏପରି ଉତ୍କଟଭାବେ ଗ୍ରାସ କରିବସିଲା ଯେ, ନାରୀମାନେ ଦେବତା ପ୍ରୀତ୍ୟର୍ଥେ ନିଜ ପୁତ୍ରମାନଙ୍କୁ ଗଙ୍ଗାସାଗରରେ ନିକ୍ଷେପ କରିବା ମଧ୍ୟ ପାଶ୍ଚାତପଦ ହେଲେ ନାହିଁ । ମୃତ ସ୍ଵାମୀର ଚିତାଗ୍ନିରେ ଝାସ ଦେଇ ବିଧବା ସ୍ତ୍ରୀ ମୃତ୍ୟୁ ବରଣ କରିବା ଏକ ପ୍ରତିଷ୍ଠିତ ପ୍ରଥାରେ ପରିଣତ ହେଲା-। ସେତେବେଳେ ଯେଉଁ ସତୀଦାହ ପ୍ରଥା ପ୍ରଚଳିତ ଥିଲା ସେ ସଂପର୍କୀୟ ବିବରଣୀ ପାଠକଲେ ଭାରତର ସାମାଜିକ ଅବସ୍ଥା କେତେ ନିମ୍ନଗାମୀ ହୋଇଥିଲା ତାହା ଜାଣିବାକୁ ମିଳେ ।

 

ଠିକ୍‍ ସେହି ସମୟରେ ରାମମୋହନଙ୍କ ଭଳି ଜଣେ ସଂସ୍କାରକ ଯଦି ଜନ୍ମଲାଭ କରି ନଥାନ୍ତେ ତେବେ ଏହି ଭୟାବହ ପରିସ୍ଥିତିରୁ ମୁକ୍ତ ହେବା ଲାଗି ଭାରତକୁ ଆଉ କେତେବର୍ଷ ଲାଗିଥାନ୍ତା ତାହା କଳ୍ପନା କରାଯାଇ ନ ପାରେ ।

Image

 

Unknown

ଦ୍ଵିତୀୟ ପରିଚ୍ଛେଦ

ଜନ୍ମ ଶିକ୍ଷା ଓ ସଂଗ୍ରାମର ଅୟମାରମ୍ଭ

 

ରାମମୋହନଙ୍କର ଜନ୍ମ ହୋଇଥିଲା ତତ୍‍କାଳୀନ ବଙ୍ଗ ଦେଶର ରାଧାନଗର ଅନ୍ତର୍ଗତ ଗୋଟିଏ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ । ତାଙ୍କର ଜନ୍ମ ସମୟ ସମ୍ପର୍କରେ ମତାନୈକ୍ୟ ରହିଛି । କେତେକ ଐତିହାସିକ ତଥା ଜୀବନୀ ଲେଖକଙ୍କ ମତରେ ରାମମୋହନ ଜନ୍ମ ତାରିଖ ହେଉଛି ୧୭୭୨ ମସିହା ମେ ମାସ ୨୨ ତାରିଖ । ଆଉ କେତେକଙ୍କ ମତରେ ତାଙ୍କର ଜନ୍ମ ହୋଇଥିଲା ୧୭୭୪ ମସିହାରେ । ରାମମୋହନଙ୍କ ପିତାଙ୍କ ନାମ ଶ୍ରୀ ରମାକାନ୍ତ ରାୟ ଓ ମାତାଙ୍କ ନାମ ଶ୍ରୀମତୀ ତାରିଣୀ ଦେବୀ । ତାଙ୍କର ପିତାମହ ଶ୍ରୀ ବ୍ରଜବିନୋଦ ରାୟ ଓ ପ୍ରପିତାମହ ଶ୍ରୀ କୃଷ୍ଣଚନ୍ଦ୍ର ବାନାର୍ଜୀ ଯଥାକ୍ରମେ ତଦାନୀନ୍ତନ ବଙ୍ଗର ନବାବ ସିରାଜଉଦ୍ଦୌଲା ଓ ତାଙ୍କର ପୂର୍ବବର୍ତ୍ତୀ ନବାବଙ୍କ ଅଧୀନରେ ରାଜକାର୍ଯ୍ୟରେ ନିଯୁକ୍ତ ଥିଲେ । କୃଷ୍ଣଚନ୍ଦ୍ର ବାନାର୍ଜୀ ତାଙ୍କର ଚାକିରି କାଳ ମଧ୍ୟରେ କୃତିତ୍ଵପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ‘ରାୟ’ ଉପାଧି ପ୍ରାପ୍ତ ହୋଇଥିଲେ । ଏହି ଉପାଧି କାଳକ୍ରମେ (ବୋଧହୁଏ ଅପଭ୍ରଂଶ ହୋଇ) ‘ରାୟ’ ରେ ପରିଣତ ହେଲା ଏବଂ ତାଙ୍କର ବଂଶଧରମାନେ ସେମାନଙ୍କ ନାମପରେ ବାନାର୍ଜୀ ପରିବର୍ତ୍ତେ ‘ରାୟ’ ବ୍ୟବହାର କଲେ । ରାମମୋହନଙ୍କ ଜନ୍ମ ପୂର୍ବରୁ ତାଙ୍କର ପିତା ରମାକାନ୍ତ ରାୟ ସିରାଜଉଦ୍ଦୌଲାଙ୍କ ଅଧୀନରେ ଥିବା ଚାକିରିରୁ ଅବ୍ୟାହତି ନେଇଥିଲେ । ରାମମୋହନଙ୍କ ଜନ୍ମ ସମୟରେ ସେ ବର୍ଦ୍ଧମାନ ରାଜାଙ୍କ ଇଷ୍ଟେଟ ବୁଝାସୁଝା କରିବା ସଙ୍ଗେ ସଙ୍ଗେ ରାଧାନଗର ସ୍ଥିତି ନିଜ ବାସଭବନରେ ଅବସ୍ଥାନ କରି ନିଜ ପୈତୃକ ସମ୍ପତିର ତତ୍ତ୍ଵ ନେଉଥିଲେ ।

 

ରାମମୋହନଙ୍କ ମାତା ଶ୍ରୀମତି ତାରିଣୀ ଦୈବୀ ଜଣେ ଅସାଧାରଣ ବ୍ୟକ୍ତିତ୍ଵ ସମ୍ପନ୍ନା ମହିଳା ଥିଲେ । ସେ ଥିଲେ ଶ୍ରୀରାମପୁର (ସେରାମପୁର) ର ଗୋଟିଏ ପୁରୋହିତ ବଂଶ ସମ୍ଭୁତା । ତାଙ୍କର ପିତାମାତା ‘କାଳୀ’ଙ୍କୁ ଆରାଧନା କରୁଥିଲେ । ତାରିଣୀ ଦେବୀଙ୍କର ବାଲ୍ୟଜୀବନ ଏହାଦ୍ଵାରା ବହୁମାତ୍ରାରେ ପ୍ରଭାବିତ ହୋଇଥିଲା ଏବଂ ବସ୍ତୁତଃ ପରବର୍ତ୍ତୀ ଜୀବନରେ ସେ ଥିଲେ ଜଣେ ନିଷ୍ଠାପର ଓ ଆଧ୍ୟାତ୍ମିକ ବାଦିନୀ ମହିଳା । ତାରିଣୀ ଦେବୀଙ୍କର କଠୋର ପୂଜା ଓ ଉପାସନା ଦ୍ଵାରା ତାଙ୍କର ସନ୍ତାନ ସନ୍ତତିମାନେ ମଧ୍ୟ ବହୁଳାଂଶରେ ପ୍ରଭାବିତ ହୋଇଥିଲେ । ବିଶେଷ କରି ରାମମୋହନ ଭାଗବତ ପୁରାଣର କେତେକ ନିର୍ଦ୍ଦିଷ୍ଟ ଅଂଶ ଆବୃତ୍ତି ନ କରି ଜଳ ସ୍ପର୍ଶ ମଧ୍ୟ କରୁନଥିଲେ ।

 

ରକ୍ଷଣଶୀଳ ହିନ୍ଦୁ ପରିବାରରେ ଲାଳିତ ପାଳିତ ହେବା ଅବସରରେ ରାମମୋହନ ଅତ୍ୟନ୍ତ ବିଚକ୍ଷଣାର ସହିତ ପ୍ରାୟ ପ୍ରତ୍ୟେକ ଧର୍ମ ଗ୍ରନ୍ଥ ସମ୍ପର୍କରେ ସାଧାରଣଭାବେ ଜାଣିପାରିଥିଲେ । ସେ ବେଦ ପାଠଶାଳାରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ବିବାହ ଉତ୍ସବ ଅନୁଷ୍ଠିତ ହେଲା । ସେତେବେଳକୁ ତାଙ୍କର ବୟସ ମାତ୍ର ଆଠ ବର୍ଷ । ରୋଗ, ଦାରିଦ୍ର୍ୟ, ଅନାଟନ, ଦୁର୍ଭିକ୍ଷ ଓ ସର୍ବୋପରି ଅନଶ୍ଚିତତା ଥିଲା ତତ୍‍କାଳୀନ ସାମାଜିକ ଚିତ୍ର । ତାହା ସତ୍ତ୍ଵେ ବାଲ୍ୟ ବିବାହ ସେତେବେଳେ ଅଧିକାଂଶ ହିନ୍ଦୁ ପରିବାରରେ ସାମାଜିକ ପରମେଶ୍ଵର ଏକ ବଳିଷ୍ଠ ଅଙ୍ଗରୂପେ ଅବିହିତ ହେଉଥିଲା । ବିଶେଷ କରି ବ୍ରାହ୍ମଣ ପରିବାରରେ ଏହା ଥିଲା ଅପରିହାର୍ଯ୍ୟ । ରାମମୋହନଙ୍କ ବିବାହ ଏକ ବର୍ଷ ପୂର୍ଣ୍ଣ ହେବା ପୂର୍ବରୁ ତାଙ୍କ ବାଲ୍ୟ ପତ୍ନୀଙ୍କର ବିୟୋଗ ହେଲା । ତାହାର ଅଳ୍ପ କିଛି ଦିନପରେ ପିତୃବ୍ୟମାନେ ରାମମୋହନଙ୍କର ଦ୍ଵିତୀୟ ବିବାହ ଲାଗି ଆୟୋଜନ କଲେ ଏବଂ ଖୁବ୍‍ ସମ୍ଭବ ୧୭୯୯ ମସିହାରେ ରାମମୋହନର ଦ୍ଵିତୀୟ ବାର ପରିଗ୍ରହ ଉତ୍ସବ ଅନୁଷ୍ଠିତ ହେଲା । ପବିତ୍ର ବିବାହ ତଥା ଦାମ୍ପତ୍ୟ ଜୀବନକୁ ଏପରିଭାବେ ପିଲାଖେଳ ଭଳି ବିବେଚିତ ହେଉଥିବା ଦେଖି ରାମମୋହନର ଭବାନ୍ତର ଉଦ୍ରେକ ହୋଇଥିଲା । ତେଣୁ ତାଙ୍କର ଦ୍ଵିତୀୟ ବିବାହର ଅବ୍ୟବହିତ ପରେ ପରେ ସେ ଏକ ପତ୍ନୀ ପରିଗ୍ରହ ସପକ୍ଷରେ ଦୃଢ଼ ସ୍ଵର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ନାରୀର ଅଧିକାର ସାବ୍ୟସ୍ତ କରିବା ପାଇଁ ସଂକଳ୍ପ କଲେ ।

 

ରାମମୋହନଙ୍କ ପିତା ରମାକାନ୍ତ (କେହି କେହି ରାମକାନ୍ତ ବୋଲି ମଧ୍ୟ କହନ୍ତି) ଜଣେ ସୁଶିକ୍ଷିତ ଏବଂ ବିଦ୍ୟୋତ୍ସାହୀ ବ୍ୟକ୍ତି ଥିଲେ । ପୁତ୍ରଙ୍କୁ ସୁଶିକ୍ଷା ଦେବା ନିମନ୍ତେ ସେ ଅତ୍ୟଧିକ ଯତ୍ନଶୀଳ ଥିଲେ ଏବଂ ତତ୍କାଳୀନ ସମାଜରେ ପ୍ରଚଳିତ ଶିକ୍ଷାଦାନ ପ୍ରଣାଳୀ ଅନୁଯାୟୀ ରାମମୋହନଙ୍କୁ ଗ୍ରାମ୍ୟ ଚାଟଶାଳୀର ଅବଧାନଙ୍କ ଦ୍ଵାରା ବିଦ୍ୟାଶିକ୍ଷା କରାଇ ଥିଲେ । ସେତେବେଳେ ପାର୍ସିଭାଷା ରାଜଭାଷା ରୂପେ ବିବେଚିତ ହେଉଥିଲା ଏବଂ ହାକିମ ହୁକୁମା ମଧ୍ୟ ପାର୍ସି ଭାଷାରେ କଥୋପକଥନ କରୁଥିଲେ । ତତ୍‍କାଳୀନ ବିଦ୍ୟାଶିକ୍ଷା ରୀତି ଅନୁଯାୟୀ ପାର୍ସି ଭାଷା ଅଧ୍ୟୟନ କରୁଥିବା ବ୍ୟକ୍ତିକୁ ଆରବୀୟ ଭାଷା ମଧ୍ୟ ଶିକ୍ଷା ଲାଭ କରିବାକୁ ହେଉଥିଲା ଏ ଉଭୟ ଭାଷାରେ ଯେ ଯେତେ ପାଣ୍ଡିତ୍ୟ ଅର୍ଜନ କରିପାରୁଥିଲା, ସେ ସମାଜରୁ ସେତିକି ଆଦର ଓ ସମ୍ମାନ ଲାଭ କରୁଥିଲା । ସେତେବେଳେ ଭାରତୀୟମାନେ ଗ୍ରାମ୍ୟ ଚାଟଶାଳୀର ଅବଧାନମାନଙ୍କ ଠାରୁ ନିଜ ମାତୃଭାଷା ଶିକ୍ଷା କରୁଥିଲେ ଏବଂ ଏହାପରେ ଉଚ୍ଚ ଶିକ୍ଷା ପାଇଁ ପାର୍ସି ଓ ଆରବୀୟ ଭାଷାଭିଜ୍ଞ ଶିକ୍ଷକମାନଙ୍କର ନିକଟକୁ ଯାଉଥିଲେ । ରମାକାନ୍ତଙ୍କର ପୁତ୍ର ରାମମୋହନଙ୍କର ଭବିଷ୍ୟତ ଉନ୍ନତି ନିମନ୍ତେ ତାଙ୍କୁ ପାର୍ସି ଓ ଆରବୀୟ ଭାଷାରେ ଶିକ୍ଷା ଦେବାର ବ୍ୟବସ୍ଥା କରିଥିଲେ-। ରାମମୋହନଙ୍କୁ ୯ ବର୍ଷ ବୟସ ବେଳେ ସେ ଉତ୍ତମ ଭାବରେ ପାର୍ସି ଭାଷା ଲେଖି ପଢ଼ି ଜାଣିଥିଲେ । ଆରବୀୟ ଭାଷା ଶିକ୍ଷା ନିମନ୍ତେ ପିତା ରମାକାନ୍ତ ତାଙ୍କୁ ପାଟନା ପଠାଇଥିଲେ ଓ ସେଠାରେ ସେ ୩ ବର୍ଷ ବ୍ୟାପୀ ଅଧ୍ୟୟନ କରି ଏହି ଭାଷାରେ ଉଚ୍ଚ ଶିକ୍ଷା ତଥା ବ୍ୟୁତ୍ପତ୍ତି ଲାଭ କରିଥିଲେ । ପାଟଣାରେ ଅବସ୍ଥାନ କରୁଥିବା ସମୟରେ ଏବଂ ତାହା ପରେ ମଧ୍ୟ ରାମମୋହନ ଏହି ଭାଷାରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ରାଷ୍ଟ୍ରର ଗଣିତ, ଦର୍ଶନ, ଇତିହାସ ପ୍ରଭୃତି ଅଧ୍ୟୟନ କରିଥିଲେ-। ୟୁକ୍ଲିଡଙ୍କର ଜ୍ୟାମିତି ଓ ଏରିଷ୍ଟୋଟଲଙ୍କର ନ୍ୟାୟଶାସ୍ତ୍ର ସେ ଆରବୀୟ ଭାଷାରେ ଅଧ୍ୟୟନ କରିଥିଲେ-। ଏହି ପୁସ୍ତକମାନଙ୍କର ଅଧ୍ୟୟନ ଓ ଅନୁଶୀଳନ ଦ୍ଵାରା ତାଙ୍କର ଅସାଧାରଣ ଚିନ୍ତାଶକ୍ତି ଜନ୍ମିଥିଲା । ସେ ପାଟନାରେ ଅବସ୍ଥାନ କରୁଥିବା ସମୟରେ ଆରବୀୟ ଭାଷାରେ ଲିଖିତ ମୁସଲମାନମାନଙ୍କର ମୁଖ୍ୟ ଧର୍ମ ଗ୍ରନ୍ଥ କୋରାନକୁ ମଧ୍ୟ ଉତ୍ତମ ରୂପେ ଅଧ୍ୟୟନ କରିଥିଲେ । କୋରାନ ଓ ମୁସଲମାନ ଦର୍ଶନ ଶାସ୍ତ୍ରରେ ଅସାଧାରଣ ପାରଦର୍ଶିତା ଲାଭ କରିଥିବା ମୌଲବୀମାନଙ୍କ ସହିତ ରାମମୋହନ ବହୁ ଜଟିଳ ବିଷୟରେ ଆଲୋଚନା କରି ନିଜକୁ ଅଧିକରୁ ଅଧିକ ମାର୍ଜିତ କରିବା ସଙ୍ଗେ ସଙ୍ଗେ ନିଜର ତର୍କ ନୈପୁଣ୍ୟ ଓ ପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ।

 

ରମାକାନ୍ତ ପୁତ୍ର ରାମମୋହନଙ୍କର ଏପରି ବିଦ୍ୟାନୁରାଗ, ଅଧ୍ୟୟନସାୟ ଓ ବିତ୍‍ବତ୍ତାରେ ପ୍ରୀତ ହୋଇ ତାଙ୍କୁ ସଂସ୍କୃତ ଶିକ୍ଷା ଦେବା ନିମନ୍ତେ କାଶୀଧାମକୁ ପଠାଇଥିଲେ । ସେତେବେଳକୁ ପାର୍ସି ଓ ଆରବୀୟ ଭାଷା ସହିତ ବଙ୍ଗଳା ଭାଷାରେ ମଧ୍ୟ ରାମମୋହନଙ୍କର ପାଣ୍ଡିତ୍ୟ ଥିଲା । କେତେକଙ୍କ ମତରେ ରାମମୋହନଙ୍କର ଏକନିଷ୍ଠ ଚରିତ୍ରବତ୍ତା, ଧର୍ମ ମନୋଭାବ ପ୍ରତି ଆକୃଷ୍ଟ ହୋଇ ତାଙ୍କର ମାତା କାଶୀଧାମ ବା ବନାରସ ଯିବା ପାଇଁ ତାଙ୍କୁ ପ୍ରବର୍ତ୍ତାଇ ଥିଲେ । ତାଙ୍କର ଧାରଣା ଥିଲା ଯେ, ପବିତ୍ର କାଶୀଧାମରେ ତାଙ୍କର ପୁତ୍ର ସଂସ୍କୃତ ଭାଷା ଅଧ୍ୟୟନ କରି ଜଣେ ବିରାଟ ପଣ୍ଡିତ ହୋଇପାରିବ ।

 

ସେ ଯାହା ହେଉ ରାମମୋହନ ବନାରସରେ ୪ ବର୍ଷ କାଳ ଅବସ୍ଥାନ କରି ସଂସ୍କୃତରେ ଶିକ୍ଷାଲାଭ କରିଥିଲେ । ଏହି ସମୟରେ ବହୁ ହିନ୍ଦୁଧର୍ମ ଗ୍ରନ୍ଥ ଅଧ୍ୟୟନ ଅନୁଶୀଳନ ଓ ବିଶ୍ଳେଷଣ କରିବାର ସୁବିଧା ଓ ସୁଯୋଗ ତାଙ୍କ ଭାଗ୍ୟରେ ଜୁଟିଥିଲା । ସଂସ୍କୃତ ଭାଷାରେ ରାମାୟଣ, ମହାଭାରତ, ବେଦ, ଉପନିଷଦ, ସଂହିତା ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ଅଧ୍ୟୟନ କରିବା ପରେ ପରେ ବିଖ୍ୟାତ ପଣ୍ଡିତମାନଙ୍କ ସାହାଯ୍ୟରେ ସେଗୁଡ଼ିକୁ ବିଶ୍ଳେଷଣ କରୁଥିଲେ । ବନାରସର ବେଦ ବିଦ୍ୟାଳୟ (Vedic Academy)ରେ ଅଧ୍ୟୟନ କରୁଥିବା ସମୟରେ ହିନ୍ଦୁ ଧର୍ମର ମୂଳତତ୍ତ୍ଵରେ ବୈଶିଷ୍ଟ୍ୟ ଉପଲବ୍‌ଧି କରିବା ପାଇଁ କଠୋର ସାଧନା କରିଥିଲେ । ଏକେଶ୍ଵର ବାଦ ବା ଏକ ବ୍ରହ୍ମର ସତ୍ୟତା ନିରୂପଣ ଲାଗି ସେ ଅବିଶ୍ରାନ୍ତ ଉଦ୍ୟମ କରିଥିଲେ । ତତ୍କାଳୀନ ସମାଜରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ଦ୍ଵାରା ପ୍ରଚଳିତ ଭିନ୍ନ ଭିନ୍ନ ଉତ୍ସବ ଓ ଉପାସନା ତାଙ୍କର ଅନୁସନ୍ଧିତ୍ସୁ ମନରେ ଗଭୀର ରେଖାପାତ କରିଥିଲେ । ସବୁ ଧର୍ମର ସମ୍ମିଶ୍ରଣରେ ଗୋଟିଏ ମୂଳତତ୍ତ୍ଵ ପାଇବା ପାଇଁ ସେ ବରାବର ଉଦ୍ୟମ କରିଥିଲେ । ଏହିପରି ଭାବେ ୪ ବର୍ଷ ସମୟ ବନାରସରେ କଟାଇ ସେ ସ୍ଵଗୃହକୁ ଫେରିଥିଲେ । ସେତେବେଳକୁ ତାଙ୍କର ବୟସ ଥିଲା ୧୬ ବର୍ଷ ।

 

ରାମମୋହନ ଘରକୁ ଫେରିଲା ପରେ ତାଙ୍କର ପିତା ରମାକାନ୍ତ ପୁତ୍ର ସଂସ୍କାର ପ୍ରୟାସୀ ହେଉଥିବା ଓ ପ୍ରଚଳିତ ରକ୍ଷଣଶୀଳ ପରମ୍ପରା ଠାରୁ ଦୂରେଇ ଯାଉଥିବା ଲକ୍ଷ୍ୟକରି ଅତ୍ୟନ୍ତ ବିବ୍ରତ ଓ ବ୍ୟଥିତ ହୋଇ ପଡ଼ିଥିଲେ । ରମାକାନ୍ତ ନିଜେ ଶିକ୍ଷିତ ଅଥଚ ପ୍ରାଚୀନ ପନ୍ଥୀ ଥିବାରୁ ପୁତ୍ରଙ୍କର ଏପରି ସଂସ୍କାରମୂଳକ ମନୋବୃତ୍ତିକୁ ସେ ବରଦାସ୍ତ କରି ପାରିନଥିଲେ । ଫଳରେ ପିତା ଓ ପୁତ୍ରଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଜନ୍ମିଥିଲା । ରାମମୋହନ ସେତେବେଳକୁ ପିତୁଳା ପୂଜା ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରି ସାରିଥିଲେ ।

 

ରାମମୋହନ ମୁସଲମାନ ଧର୍ମଗ୍ରନ୍ଥ କୋରାନ ଓ ବହୁ ଧର୍ମ ଗ୍ରନ୍ଥ ପାଠ କରିବା ପରେ ତାଙ୍କ ମନରେ ଧର୍ମ ଜିଜ୍ଞାସା ପ୍ରବଳ ହୋଇ ଉଠିଥିଲା ଏବଂ ବହୁ ଶାସ୍ତ୍ର ଅଧ୍ୟୟନ ଫଳରେ ଏକେଶ୍ୱର ବା ଏକମାତ୍ର ପରମେଶ୍ୱରଙ୍କ ଉପାସ ନାହିଁ ସମସ୍ତ ଧର୍ମ ଗ୍ରନ୍ଥରେ ଓ ସବୁ ଶାସ୍ତ୍ରରେ ପ୍ରତିପନ୍ନ ହୋଇଛି ବୋଲି ସେ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ବନାରସରୁ ଫେରିବା ପରେ ସ୍ଵଗୃହରେ ପିତା ଓ ପୁତ୍ରଙ୍କ ମଧ୍ୟରେ ଧର୍ମ ପ୍ରସଙ୍ଗର ଆଲୋଚନା ହେଲା; କିନ୍ତୁ ପିତା ରମାକାନ୍ତ ପୁତ୍ର ରାମମୋହନଙ୍କ ଉଦାର ଧର୍ମ ମତର ପରିଚୟ ପାଇ ବହୁ ସମୟରେ କ୍ଷୁବ୍‌ଧ ହେଉଥିଲେ ମଧ୍ୟ, ରାମମୋହନଙ୍କର ଏଥିପ୍ରତି ତିଳେ ମାତ୍ର ଭ୍ରୂକ୍ଷେପ ନ ଥିଲା ଓ ପିତାଙ୍କ ନିକଟରେ ସେ ନିଜର ନିର୍ଭୀକ ମତାମତ ବ୍ୟକ୍ତ କରିବାର କେବେ ହେଲେ କ୍ଷାନ୍ତ ହୋଇ ନ ଥିଲେ ।

 

ରାମମୋହନ ‘ତୁଲମାଉୟାହିଦ୍ଦିନ୍‌’ ନାମକ ଖଣ୍ଡିଏ ପୁସ୍ତକ ପାର୍ସି ଭାଷାରେ ପ୍ରକାଶ କରିଥିଲେ । ଏହାର ଭୂମିକା ଆରବୀୟ ଭାଷାରେ ଲିଖିତ ହୋଇଥିଲା । ତତ୍‍କାଳୀନ ଢାକା ସରକାରୀ ମଦ୍ରାସାର ଜନୈକ ତତ୍ତ୍ଵାବଧାରକ ମୌଲବୀ ଏହି ପୁସ୍ତକକୁ ଇଂରେଜୀ ଭାଷାରେ ଅନୁବାଦ କରିଥିଲେ । ଏହି ପୁସ୍ତକ ଲୋକଲୋଚନକୁ ଆସିବା ପରେ ଏହାର ମର୍ମ ପ୍ରଚଳିତ ଧର୍ମ ମତର ବିରୋଧୀ ବୋଲି ବହୁ ବ୍ୟକ୍ତି ମତ ପ୍ରକାଶ କଲେ ଏବଂ ନିଜ ପିତା ରମାକାନ୍ତଙ୍କର ମଧ୍ୟ ଠିକ୍‌ ଏହି ମତ ଥିଲା । ଏଥିଯୋଗୁଁ ପିତା ଓ ମାତା ଉଭୟଙ୍କୁ ପୁତ୍ରର ଏହି ନୂତନ ଧର୍ମଗତ ଆଦୌ ପ୍ରୀତିକର ହେଲା ନାହିଁ ଏବଂ ଏହି କାରଣ ଉପରେ ଭିତ୍ତିକରି ପିତା ଓ ମାତା ନିଜ ପୁତ୍ରକୁ ଗୃହରୁ ବହିଷ୍କାର କଲେ । ବହିଷ୍କୃତ ହେବା ପରେ ଯୁବକ ରାମମୋହନ ତାଙ୍କର ଜ୍ଞାତି ବର୍ଗଙ୍କ ସହାନୁଭୂତି ମଧ୍ୟ ହରାଇଥିଲେ ।

 

ସନ୍ୟାସୀଙ୍କ ସହ ତିବ୍ବତ ଯାତ୍ରା

 

କଥିତ ଅଛି ପିତା ଓ ମାତାଙ୍କ ଦ୍ଵାରା ଏପରି ଅପ୍ରତ୍ୟାଶିତ ଭାବେ ଗୃହରୁ ବହିଷ୍କୃତ ହେବା ପରେ ଯୁବକ ରାମମୋହନ ଅକସ୍ମାତ୍‌ ଜଣେ ସନ୍ୟାସୀଙ୍କ ସଂସ୍ପର୍ଶରେ ଆସିଲେ । ତାଙ୍କ ସହିତ ସେ ବହୁକଷ୍ଟରେ ହିମାଳୟ ଅତିକ୍ରମ କରି ତିବ୍ବତରେ ପହଞ୍ଚିଥିଲେ । ସେତେବେଳେ ଭାରତରୁ ତିବ୍ବତ ଯିବାକୁ ହେଲେ ଭୀଷଣ ତୁଷାରପାତ ଓ ଅତ୍ୟନ୍ତ ବିପଦ ସଙ୍କୁଳ ପଥରେ ଯାତ୍ରା କରିବାକୁ ହେଉଥିଲା । କ୍ଵଚିତ୍‌ ବ୍ୟକ୍ତିଙ୍କର ଏପରି ଦୁଃସାହାସିକ କାର୍ଯ୍ୟ ଲାଗି ମାନସିକ ଓ ଶାରୀରିକ ଶକ୍ତିଥିଲା । ଏହି ଦୁର୍ବିହ କାର୍ଯ୍ୟ ଯୁବକ ରାମମୋହନ ଅତ୍ୟନ୍ତ ସଫଳତାର ସହିତ ସମ୍ପନ୍ନ କରିଥିଲେ । ସେ ନିଃଶ୍ଵ ହୋଇ ମଧ୍ୟ ସାହାସର ସହିତ ସନ୍ୟାସୀଙ୍କ ସାଙ୍ଗରେ ପଦଯାତ୍ରା କରି ତିବ୍ବତରେ ପହଞ୍ଚିଲେ । ସେଠାରେ ସେ ଦେଖିବାକୁ ପାଇଲେ ଯେ, ବୌଦ୍ଧ ମଠମାନଙ୍କରେ ବୌଦ୍ଧଧର୍ମ ସମ୍ବଳିତ ବହୁ ଅମୂଲ୍ୟ ପୁସ୍ତକ ଗଚ୍ଛିତ ହୋଇ ରହିଛି । ରାମମୋହନ କେତୋଟି ପ୍ରସିଦ୍ଧ ମଠରେ ଅବସ୍ଥାନ କରି ବୌଦ୍ଧଧର୍ମ ଅନୁଶୀଳନ କରି ବସିଲେ । ବହୁ ବୌଦ୍ଧ ପଣ୍ଡିତଙ୍କ ସହ ଶାସ୍ତ୍ର ଆଲୋଚନା କରିବା ଅବସରରେ ସେ ନିଜ ଜ୍ଞାନର ପରିସର ବୃଦ୍ଧି କରିବା ସଙ୍ଗେ ସଙ୍ଗେ କେତେକ ସ୍ଥାନରେ ସେମାନଙ୍କ ସହ ତର୍କ କରି ସେମାନଙ୍କର କେତେକ ନିର୍ଦ୍ଦିଷ୍ଟ ଧର୍ମାନୁଷ୍ଠାନ ନ୍ୟାୟ ଉପରେ ପ୍ରତିଷ୍ଠିତ ନୁହେଁ ବୋଲି ନିର୍ଭୟରେ ଓ ଖୋଲାଖୋଲି ଭାବରେ ମତବ୍ୟକ୍ତ କଲେ । ଏଥିରେ କେତେକ ଧର୍ମାନ୍ଧ ବୌଦ୍ଧ ଭିକ୍ଷୁ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କଲେ । ଏହି ସମୟରେ ତିବ୍ବତର କେତେକ ନାରୀ ତାଙ୍କୁ ଆଶ୍ରୟ ଦେଇନଥିଲେ ରାମମୋହନଙ୍କର ଜୀବନର ଇତିହାସ ଅନ୍ୟ ରୂପରେଖ ନେଇଥାନ୍ତା । ଏହି ନାରୀମାନଙ୍କ ସାହାଯ୍ୟରେ ରାମମୋହନ ଗୋପନରେ ତିବ୍ବତ ତ୍ୟାଗ କରି ଭାରତକୁ ଫେରି ଆସିପାରିଥିଲେ । ରାମମୋହନ ଭାରତକୁ ଫେରିବା ପରେ ନାରୀଜାତିର ଏହି ଉପକାର ଭୁଲି ନ ଥିଲେ । ଭାରତରେ ସେ ନାରୀ ଜାତିର ବିକାଶ ପାଇଁ କାର୍ଯ୍ୟ କରିଥିଲେ । କେତେକଙ୍କ ମତରେ ଭାରତରୁ ହିମାଳୟ ଦେଇ ତିବ୍ବତ ଯାତ୍ରା ସେତେବେଳେ ଏତେ ଦୁସାଧ୍ୟ ଥିଲା ଯେ, ରାମମୋହନ ରାୟ ତାଙ୍କ ଜୀବନ କାଳ ମଧ୍ୟରେ ଯଦି ଆଉ କୌଣସି କାର୍ଯ୍ୟ କରିନଥାନ୍ତେ, ତେବେ ମଧ୍ୟ ଏହି ଗୋଟିଏ କାର୍ଯ୍ୟ ପାଇଁ ତାଙ୍କର ନାମ ଇତିହାସରେ ଜଣେ ଅସାଧାରଣ ବ୍ୟକ୍ତିଭାବେ ଲିପିବଦ୍ଧ ହୋଇ ରହିଥାନ୍ତା ।

 

ଆଉ ଗୋଟିଏ ସୂତ୍ରରୁ ଜଣାଯାଏ, ରାମମୋହନ ତିବ୍ବତରେ ପହଞ୍ଚିବା ପରେ ଶୁଣିବାକୁ ପାଇଲେ ଯେ ଦଳାଇ ଲାମା, ଲାମାମାନଙ୍କ ମଧ୍ୟରେ ଈଶ୍ଵର ରୂପେ ବିବେଚିତ । ସେ ଏହି ଧାରଣାକୁ ତତ୍‌କ୍ଷଣାତ ପ୍ରତ୍ୟାଖ୍ୟାନ କରିବାରୁ ତାହା ତତ୍‌କାଳୀନ ଦଳାଇ ଲାମାଙ୍କର କର୍ଣ୍ଣଗୋଚର ହୋଇଥିଲା ଏବଂ ଦଳାଇଲାମା ଏପରି ଏକ ଯୁବକଙ୍କୁ ତୁରନ୍ତ ତିବ୍ବତରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

ପୁତ୍ରର ଗୃହତ୍ୟାଗ ଦିନଠାରୁ ମାତା ଓ ପିତା ଉଭୟ ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଥିଲେ ଏବଂ ସର୍ବଦା ଚିନ୍ତା କରୁଥିଲେ ଯେ, କୌଣସି ସ୍ଥାନରେ ରାମମୋହନ ଯଦି ସେମାନଙ୍କର ଦୃଷ୍ଟି ଗୋଚର ହୁଅନ୍ତେ, ତେବେ ତାଙ୍କୁ ସେ ବୁଝା ଶୁଝା କରି ଭାରତକୁ ଫେରାଇ ନିଅନ୍ତେ । ଏହି ଅବସରରେ ରାମମୋହନ ତିବ୍ବତରୁ ପ୍ରତ୍ୟାବର୍ତ୍ତନ କରି ଭାରତର ବିଭିନ୍ନ ସ୍ଥାନ ପରିଭ୍ରମଣ କରିସାରି ଅକସ୍ମାତ୍‌ ଦିନେ ନିଜ ଗୃହରେ ପହଞ୍ଚିଲେ । ପୁତ୍ରକୁ ଦେଖି ପିତା ଓ ମାତା ଆନନ୍ଦରେ ଅଧୀର ହୋଇ ପଡ଼ିଲେ ଏବଂ ମନେ କଲେ ସତେ ଯେପରି ସେମାନେ ଏକ ନୂତନ ଜୀବନ ଲାଭ କରିଛନ୍ତି । ତାଙ୍କର କେତେକ ଜୀବନୀ ଲେଖକଙ୍କ ମତରେ ଯୁବକ ରାମମୋହନ ତିବ୍ବତରୁ ଫେରି ସ୍ଵଗୃହ ପ୍ରତ୍ୟାବର୍ତ୍ତନ ନିମନ୍ତେ ଇଚ୍ଛା ପ୍ରକାଶ କରୁ ନଥିଲେ । ତିବ୍ବତରୁ ଫେରିବା ପରେ ସେ ଦେଶର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରି ବିଭିନ୍ନ ସ୍ଥାନରେ ନିଜର ଧର୍ମମତ ଏକେଶ୍ୱରବାଦର ପ୍ରଚାର ଓ ଅନୁଶୀଳନ କାର୍ଯ୍ୟରେ ବ୍ୟାପୃତ ଥିଲେ । ଏହି ସମୟରେ ତାଙ୍କ ପିତା, ପୁତ୍ର ବିଚ୍ଛେଦ ଜନିତ ବେଦନା ସହ୍ୟ କରିନପାରି ପୁତ୍ରର ଅନୁସନ୍ଧାନ ଲାଗି ବିଭିନ୍ନ ଆଡ଼କୁ ଲୋକ ପ୍ରେରଣ କରିଥିଲେ । ପିତାଙ୍କର ପ୍ରେରିତ ଜଣେ ଲୋକ ସ୍ଵଗୃହ ମୋହନଙ୍କୁ ଗୋଟିଏ ସ୍ଥାନରେ ସାକ୍ଷାତ କରି ସମସ୍ତ ବୃତ୍ତାନ୍ତ କହିବା ପରେ ସ୍ଵଗୃହ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାମମୋହନ ସମ୍ମତ୍ତି ପ୍ରଦାନ କରିଥିଲେ । ଗୃହକୁ ଫେରିବା ପରେ ପିତା ଓ ମାତା ତାଙ୍କର ବହୁ ଆଦର ଯତ୍ନ କରିଥିଲେ । ପିତା ଓ ପୁତ୍ର ମଧ୍ୟରେ ଯେଉଁ ମନୋମାଳିନ୍ୟ ଥିଲା, ତାହା ଆଉ ରହିଲା ନାହିଁ କିନ୍ତୁ ପିତା ରମାକାନ୍ତ ପୁତ୍ରର ଭିନ୍ନ ମନୋଭାବ ଦେଖି ସଂସାର ବନ୍ଧନରେ ଆବଦ୍ଧ ନ ରଖିଲେ ପୁତ୍ର ବିପଥଗାମୀ ହେବାର ଆଶଙ୍କା ପ୍ରକାଶ କରିଥିଲେ । ଏହି ଆଶଙ୍କାର ବଶବର୍ତ୍ତୀ ହୋଇ ରାମମୋହନଙ୍କ ପିତା ରାମମୋହନଙ୍କୁ ବିବାହ କରାଇ ଦେଲେ । ବିବାହ ଉତ୍ସବ ପ୍ରଚଳିତ ରକ୍ଷଣଶୀଳ ପରମ୍ପରା ଉପରେ ଭିତ୍ତିକରି ସମାହିତ ହେଲା । ଅଳ୍ପକାଳ ମଧ୍ୟରେ ରାମମୋହନଙ୍କ ପତ୍ନୀଙ୍କର ବିୟୋଗ ହୋଇଥିଲା । ପିତାଙ୍କ ଆଦେଶ କ୍ରମେ ସେ ପୁନର୍ବାର ମଧ୍ୟ ବିବାହ କରିଥିଲେ । ପ୍ରଥମ ବିବାହ ପରେ ସେ ଆଉ ଦୁଇଥର ବିବାହ କରିଥିଲେ ବୋଲି ଜଣାଯାଏ । ସେତେବେଳେ ସମ୍ଭ୍ରାନ୍ତ ପରିବାରରେ ବହୁବିବାହ ଅନ୍ୟାୟ କାର୍ଯ୍ୟ ରୂପେ ବିବେଚିତ ହେଉନଥିଲା ।

 

ପିତା ପୁତ୍ରଙ୍କ ମଧ୍ୟରେ ପୁଣି ଥରେ ମତାନ୍ତର

 

ତିବ୍ବତରୁ ଫେରି ପିତାଙ୍କ ନିର୍ଦ୍ଦେଶରେ ରାମମୋହନ ବିବାହ କରିବା ପରେ ଅଳ୍ପ କିଛି ଦିନ ମାତ୍ର ଓ ସୁଖଶାନ୍ତିରେ ଦାମ୍ପତ୍ୟ ଜୀବନ ଯାପନ କରିଥିଲେ । କିନ୍ତୁ ଗାର୍ହସ୍ଥ୍ୟ ସୁଖ ରାମମୋହନଙ୍କର ଲକ୍ଷ୍ୟ ନ ଥିଲା । ତେଣୁ ବିଭିନ୍ନ ପୁସ୍ତକ ଅଧ୍ୟୟନ ଏବଂ ଧର୍ମ-ସମ୍ପର୍କୀୟ ଆଲୋଚନାରେ ସେ ଲିପ୍ତ ରହିଲେ । ରାମମୋହନ ସେତେବେଳକୁ, ସଂସ୍କୃତ, ଆରବୀୟ ପାର୍ସି ଓ ବଙ୍ଗଳା ଭାଷା ଜାଣିଥିଲେ । ସେତିକି ବେଳେ ସେ ହବ୍ରୁ (Hebrew), ଗ୍ରୀକ, ଲାଟିନ ଓ ଇଂରେଜୀ ଭାଷା ଅଧ୍ୟୟନ ଆରମ୍ଭ କଲେ । ବିଭିନ୍ନ ଭଷାରେ ବହୁ ଧର୍ମ ପୁସ୍ତକ ଅଧ୍ୟୟନ କରିବା ପରେ ବ୍ରାହ୍ମଣ ପରିବାରରେ ସେତେବେଳେ ଯେଉଁ ପ୍ରାଚୀନ ପରମ୍ପରାର ଅନୁସୃତ ହେଉଥିଲା, ସେ ତାର ଘୋର ବିରୋଧ କରିବାକୁ ବସିଲେ । ବିଶେଷ କରି ପୁରୋହିତ ଶ୍ରେଣୀର ଲୋକଙ୍କ ସହିତ ତାଙ୍କର ବିବାଦ ହେଲା । ରାମମୋହନ ପିତୁଳା ପୂଜା ଓ ସତୀଦାହ ପ୍ରଥା ବିପକ୍ଷରେ ଦୃଢ଼ମତ ପ୍ରକାଶ କରୁଥିବାରୁ ସମାଜର ରକ୍ଷଣଶୀଳ ଲୋକଙ୍କ ସମାଲୋଚନାର ସେ ଶରବ୍ୟ ହୋଇପଡ଼ିଲେ-। ରାମମୋହନ ପିତୁଳା ପୂଜା ଓ ସତୀଦାହ ପ୍ରଥାର ଯେତିକି ବିରୋଧ କରୁଥିଲେ, ବ୍ରାହ୍ମଣ ପୁରୋହିତମାନେ ରାମମୋହନଙ୍କୁ ତାହା ଅପେକ୍ଷା ଅଧିକ, ଘୃଣା ଚକ୍ଷୁରେ ଦେଖି ତାଙ୍କୁ ସର୍ବ ସମକ୍ଷରେ ବିଭିନ୍ନ ପ୍ରଶ୍ନ କରି ଅପମାନିତ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ସଂସ୍କାରବାଦୀ ରାମମୋହନ ଏଥିରେ ଦବିଯିବାର ପାତ୍ର ନ ଥିଲେ । ସେ ସେମାନଙ୍କର ପ୍ରତ୍ୟେକ ଯୁକ୍ତିକୁ ଖୁବ୍‍ ଦୃଢ଼ତାର ସହଜ ଖଣ୍ଡନ କରିଥିଲେ । ଏହି ସମୟରେ ଏକଦା ରାମମୋହନଙ୍କ ଜ୍ୟେଷ୍ଠ ଭ୍ରାତା ଜଗମୋହନଙ୍କର ବିୟୋଗ ହେଲା । ତାଙ୍କର ବିୟୋଗ ପରେ ତାଙ୍କ ପତ୍ନୀ ସ୍ଵାମୀଙ୍କ ଚିତାଗ୍ନିରେ ଝାସ ଦେଇ ମୃତ୍ୟୁ ବରଣ କଲେ । ଏହି ଘଟଣା ରାମମୋହନଙ୍କ ଚିନ୍ତାଧାରାରେ ଏକ ସ୍ପନ୍ଦନ ଆଣିଥିଲା । ଏହି ହୃଦୟ ବିଦାରକ ପ୍ରଥାର ବିଲୋପ ସାଧନ ନିମନ୍ତେ ପରବର୍ତ୍ତୀ କାଳରେ ସେ କଠିନ ଉଦ୍ୟମ କରି ସଫଳ ହୋଇଥିଲେ ।

 

ରାମମୋହନ ଇଂରାଜୀ ଭାଷା ଶିକ୍ଷା କରି ସାରିବା ପରେ ୟୁରୋପୀୟମାନଙ୍କ ସହ ସଂପର୍କ ସ୍ଥାପନ କରିବାର ସୁଯୋଗ ପାଇଲେ । ୟୁରୋପୀୟମାନଙ୍କର ଆଇନ ଓ ସରକାର ପରିଚାଳନା ପଦ୍ଧତି ସମ୍ପର୍କରେ ସେ ଜ୍ଞାନଲାଭ କଲେ । ରାମମୋହନ ତାଙ୍କ ବାଲ୍ୟ ଜୀବନରୁ ଇଂରେଜମାନଙ୍କର ଘୋର ବିରୋଧୀ ଥିଲେ ମଧ୍ୟ ସେ ସେମାନଙ୍କର ନିକଟତମ ସମ୍ପର୍କରେ ଆସିବା ପରେ ଉପଲବ୍‌ଧ କଲେ ଯେ, ଇଂରେଜ ଜାତି ଅଧିକ ଧୀଶକ୍ତି ସମ୍ପନ୍ନ, ଆଚରଣରେ ସଂଯତ ଏବଂ ଅଧିକ ସୁଶୃଙ୍ଖଳ । ତେଣୁ ସେମାନଙ୍କ ପ୍ରତି ତାଙ୍କର ଯେଉଁ ଘୃଣା ଓ ବିଦ୍ଵେଷ ଭାବଥିଲା, ତାହାକୁ ସେ ପରିହାର କରି ସେମାନଙ୍କ ପ୍ରତି କ୍ରମଶଃ ଆକୃଷ୍ଟ ହେଲେ । ସେତିକିବେଳେ ସେ ଆଶା କରିଥିଲେ ଯେ ବ୍ରିଟିଶ ଶାସନ ଭାରତରେ ଏକ ବିଦେଶୀ ଶାସନ ହେଲେ ମଧ୍ୟ ଏହା ଭାରତୀୟମାନଙ୍କର ଉନ୍ନତି ବିଧାନ କରିପାରିବ । ଏହି ଚିନ୍ତାଧାରାର ବଶବର୍ତ୍ତୀ ହୋଇ ସେ ଭାରତୀୟ ସମାଜରେ ପ୍ରଚଳିତ ପରମ୍ପରା ସମ୍ଭୂତ ଅମଙ୍ଗଳଜନକ କାର୍ଯ୍ୟ ଉପରେ ବାରମ୍ବାର ଆକ୍ରମଣ ଚଳାଇଲେ । ରାମମୋହନ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପରେ ପିତା ରମାକାନ୍ତ ଭାବିଥିଲେ ଯେ ତାଙ୍କ ପୁତ୍ର ଜୀବନର ତିକ୍ତତା ଅନୁଭବ କରି ପାରମ୍ପରିକ ରକ୍ଷଣଶୀଳ ପ୍ରଥାର ଅନୁସରଣ କରିବେ । ମାତ୍ର ପୁତ୍ରର ଏଭଳି ମନୋଭାବ ଦେଖି ତାଙ୍କୁ ନିରାଶ ହେବାକୁ ହେଲା । ସଂସ୍କାରକ ଯୁବକ ରାମମୋହନ ସେତେବେଳକୁ ପିତୁଳା ପୂଜା ଓ ଅନ୍ୟାନ୍ୟ କେତେକ ସାମାଜିକ ପ୍ରଥା ବିରୁଦ୍ଧରେ ପ୍ରବଳ ଅଭିଯାନ ଆରମ୍ଭ କରିଥାଅନ୍ତି । ତତ୍କାଳୀନ ହିନ୍ଦୁ ସମାଜର ତଥାକଥିତ ନେତୃବୃନ୍ଦ ଏଥିରେ ଗଭୀର ମର୍ମାହତ ହୋଇ ନିଜ ଧର୍ମ ଓ ପରମ୍ପରା ବିପନ୍ନ ହେବାକୁ ଯାଉଛି ବୋଲି ଚିତ୍କାର କଲେ । ଏହା ସଙ୍ଗେ ସଙ୍ଗେ ଯୁବକ ରାମମୋହନଙ୍କୁ ଗୃହରୁ ପୁନର୍ବାର ବହିଷ୍କାର ନିମନ୍ତେ ଚକ୍ରାନ୍ତ ଚଳାଇଲେ । ରାମମୋହନଙ୍କ ପିତା ରମାକାନ୍ତ ପୁତ୍ରର ପରିମାର୍ଜିତ ଧର୍ମଜ୍ଞାନ ସ୍ଵମତର ଅନୁକୂଳ ହେଉନାହିଁ ବୋଲି ଆଲୋଚନା ପ୍ରସଙ୍ଗରେ ଜାଣିପାରି ପୁନର୍ବାର ପୁତ୍ର ଉପରେ ବିରକ୍ତି ପ୍ରକାଶ କଲେ ଏବଂ ତାଙ୍କୁ ଗୃହରୁ ବହିଷ୍କାର କଲେ ।

 

ଏଥର ରାମମୋହନ ସପରିବାର କାଶୀଧାମକୁ ଚାଲିଯାଇ ସେଠାରେ ସ୍ଥାୟୀ ଭାବରେ ରହିବାର ବ୍ୟବସ୍ଥା କଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ବର୍ଷରେ ରାମମୋହନଙ୍କର ଜୀବନରେ ଏହି ଦୁଃଖାବହ ଘଟଣା ଘଟିଥିଲା । ସେତେବେଳକୁ ତାଙ୍କର ଗୋଟିଏ ପୁତ୍ର ଜନ୍ମ ହୋଇଥିଲା ବୋଲି ଜଣାଯାଏ । କେତେକ କହନ୍ତି ଯେ, ରାମମୋହନ ଗୃହରୁ ବହିଷ୍କୃତ ହୋଇ କାଶୀଧାମରେ ଅବସ୍ଥାନ କରୁଥିବା ସମୟରେ ସେଠାରେ ତାଙ୍କର ଗୋଟିଏ ପୁତ୍ର ଜାତ ହୋଇଥିଲା । ସେ ଥିଲେ ତାଙ୍କର ପ୍ରଥମ ପୁତ୍ର ରାଧାପ୍ରସାଦ ।

 

ସଂସାର ଯାତ୍ରା ନିର୍ବାହ ଉଦ୍ଦେଶ୍ୟରେ ସେ ଚାକିରି କରି କିଛି ଅର୍ଥ ଉପାର୍ଜ୍ଜନ କରିଥିଲେ-। ରମାକାନ୍ତ ପରିସ୍ଥିତିର ଚାପରେ ପୁତ୍ରକୁ ଗୃହରୁ ବହିଷ୍କାର କରିଥିଲେ ମଧ୍ୟ ପିତା-ପୁତ୍ର ମମତା ବନ୍ଧନ ସଂପୂର୍ଣ୍ଣଭାବେ ଛିନ୍ନ ହୋଇ ନ ଥିଲା । କାଶୀଧାମରେ ରାମ ମୋହନଙ୍କୁ ତାଙ୍କର ପାରିବାରିକ ବ୍ୟୟ ନିର୍ବାହ ଉଦ୍ଦେଶ୍ୟରେ ରମାକାନ୍ତ ଆର୍ଥିକ ସାହାଯ୍ୟ ଦେଉଥିଲେ-। ପିତାଙ୍କର ରୁକ୍ଷ ବ୍ୟବହାରରେ ସେ ଅତ୍ୟନ୍ତ ବ୍ୟଥିତ ହୋଇଥିଲେ ମଧ୍ୟ ପିତାଙ୍କ ପ୍ରତି କେବେହେଲେ ଘୃଣାଭାବ-ପୋଷଣ କରି ନ ଥିଲେ ।

 

ଜଣେ ଜୀବନୀ ଲେଖକ ଲେଖିଛନ୍ତି ପୁନର୍ବାର ସେ ଯେତେବେଳେ ଗୃହରୁ ବହିଷ୍କୃତ ହେଲେ, ଚାକିରି ଅନ୍ୱେଷଣରେ ସେ ବିଭିନ୍ନ ଆଡ଼େ ଘୂରି ବୁଲିଲେ । ତାଙ୍କ ଉପରେ ସେତେବେଳେ ଗୋଟିଏ ପରିବାର ନିର୍ଭର କରୁଥିବାରୁ ସେମାନଙ୍କୁ ପ୍ରତିପୋଷଣ କରିବାଲାଗି ସେ ଦୁର୍ବିସହ ପରିସ୍ଥିତିର ସମ୍ମୁଖୀନ ହେଲେ । ଭାଗ୍ୟବଶତଃ ରଙ୍ଗପୁର କଲେକ୍ଟରରେ ଅଫିସରେ ସେ ଗୋଟିଏ କିରାଣୀ ଚାକିରି ପାଇଲେ ଏବଂ କେତେ ବର୍ଷ ପରେ ସେ ରାମଗଡ଼ ଓ ଭାଗଲପୁରରେ ମଧ୍ୟ ଚାକିରି କରିଥିଲେ । ରାମମୋହନ ଜଣେ ବିଚକ୍ଷଣ ଯୁବକ ଥିବାରୁ ଚାକିରି କାଳ ମଧ୍ୟରେ ତାଙ୍କର ବହୁ ପଦୋନ୍ନତି ହୋଇଥିଲା ଏବଂ କିରାନୀସ୍ତରରୁ ପଦୋନ୍ନତି ପାଇ ଶେଷରେ ସେ ଜଣେ ଦେବାନ ହୋଇ ପାରିଥିଲେ । ସେତେବେଳେ ଦେବାନ ଚାକିରି ଏକ ଉଚ୍ଚପାହ୍ୟା ଚାକିରି ରୂପେ ବିବେଚିତ ହେଉଥିଲା । ଦେବାନମାନେ ଜିଲ୍ଲାର ସର୍ବୋଚ୍ଚ କର୍ତ୍ତା ଥିଲେ । ରାମମୋହନ ଏହି ପଦବୀରେ ରହି ପ୍ରାୟ ୧୦ ବର୍ଷକାଳ ଅତିବାହିତ କରିଥିଲେ ।

 

ପରିବାର ପ୍ରତିପୋଷଣ ପାଇଁ ଅର୍ଥର ଆବଶ୍ୟକ ହେଉଥିବାରୁ ରାମମୋହନଙ୍କ ଭଳି ଜଣେ ସ୍ଵାଧୀନ ବ୍ୟକ୍ତି ଓ ସଂସ୍କାରକ ଚାକିରି କରିବା ପାଇଁ ଇଚ୍ଛା କରିଥିଲେ । ସେ ରଙ୍ଗପୁର କଲେକ୍ଟରରେ ଚାକିରି କରୁଥିଲା ବେଳେ ରଙ୍ଗପୁରର ଜିଲ୍ଲା ମାଜିଷ୍ଟ୍ରେଟ ଥିଲେ ଜନ ଡିଗ୍‌ବି ନାମକ ଜଣେ ବିଦ୍ୱାନ ଓ ବିଦ୍ୟୋତ୍ସାହୀ ବ୍ୟକ୍ତି । ରାମମୋହନ ତାଙ୍କ ଅଧୀନରେ କିରାଣୀ ଥିଲେ ମଧ୍ୟ ଡିଗ୍‌ବି ରାମମୋହନଙ୍କର ଅଗାଧ ପାଣ୍ଡିତ୍ୟ, ଉଦାର ଧର୍ମଭାବ ଓ ଗମ୍ଭୀର ପ୍ରକୃତି ଦେଖି ମୁଗ୍‌ଧ ହୋଇଥିଲେ ଏବଂ ତାଙ୍କୁ ଇଂରେଜୀ ଭାଷାରେ ଅଧିକ ଶିକ୍ଷିତ କରିବା ପାଇଁ ଉଦ୍ୟମ କରିଥିଲେ । ଡିଗ୍‌ବି ନିଜେ ରାମମୋହନଙ୍କୁ ଇଂରାଜୀ ଭାଷା ଶିକ୍ଷା ଦେଇଥିଲେ । ଧର୍ମ ଓ ଅନ୍ୟାନ୍ୟ ଶାସ୍ତ୍ରରେ ରାମମୋହନଙ୍କର ଅଗାଧ ପାଣ୍ଡିତ୍ୟ ଥିବାରୁ ଡିଗ୍‌ବି ତାଙ୍କ ସହିତ ବହୁ ସମୟ ଅଲୋଚନା କରି ଆନନ୍ଦଲାଭ କରୁଥିଲେ । ଡିଗ୍‍ବିଙ୍କ ଉତ୍ସାହ ଓ ପ୍ରେରଣାରେ ରାମମୋହନ ଇଂରାଜୀ ଭାଷା ଶିକ୍ଷାରେ ଗଭୀର ମନୋନିବେଶ କରି ଅତି ଅଳ୍ପକାଳ ମଧ୍ୟରେ ଇଂରାଜୀ ଭାଷାରେ ଯଥେଷ୍ଟ ପାଣ୍ଡିତ୍ୟ ଲାଭ କରି ପାରିଥିଲେ । ସାଧନା ଓ ଅଧ୍ୟବସାୟ ବଳରେ ସେ ଏହି ବିଦେଶୀ ଭାଷାରେ ପାରଦର୍ଶତା ଲାଭ କରିବା ସଙ୍ଗେ ସଙ୍ଗେ କେତେକ ଧର୍ମଗ୍ରନ୍ଥ ଇଂରାଜୀରେ ମଧ୍ୟ ଅନୁବାଦ କରିଥିଲେ । ଡିଗ୍‌ବି ଓ ରାମମୋହନଙ୍କ ମଧ୍ୟରେ ଚାକିରି ସ୍ତରରେ ବହୁ ପାର୍ଥକ୍ୟ ଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ତରରେ ପ୍ରଗାଢ଼ ବନ୍ଧୁତା ଥିଲା । ରାମମୋହନଙ୍କ ଗୁଣାବଳୀରେ ଡିଗ୍‍ବି ଏପରି ମୁଗ୍‌ଧ ହୋଇ ଯାଇଥିଲେ ଯେ, ବହୁ ଜଟିଳ ବିଷୟରେ ସେ ତାଙ୍କର ପରାମର୍ଶ ଲୋଡ଼ୁଥିଲେ । ଡିଗ୍‍ବି ତାଙ୍କ ଚାକିରିରୁ ଅବସର ଗ୍ରହଣ କରି ବିଲାତକୁ ଫେରି ଯିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ପତ୍ର ମାଧ୍ୟମରେ ଆଳାପ ଆଲୋଚନା ଚାଲିଥିଲା । ଡିଗ୍‍ବି ଭାରତ ଛାଡ଼ିଲା ବେଳେ ରାମମୋହନଙ୍କର କେତେକ ପାଣ୍ଡୁଲିପି ଇଂଲଣ୍ଡରେ ପ୍ରକାଶ କରିବା ପାଇଁ ସଙ୍ଗରେ ନେଇ ଯାଇଥିଲେ । ଡିଗ୍‍ବି ଅବସର ଗ୍ରହଣ କରିବା ପରେ ପରେ ରାମମୋହନ ରଙ୍ଗପୁରରେ ତାଙ୍କ ଚାକିରିରୁ ଅବ୍ୟାହିତ ନେଇ କଲିକତା ଫେରି ଆସିଲେ । ମତାନ୍ତରେ ରାମମୋହନ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରି ନିଜ ଗ୍ରାମକୁ ଫେରି ଯାଇଥିଲେ । ସେଠାରେ ମାତାଙ୍କଠାରୁ ଉତ୍ତମ ବ୍ୟବହାର ନ ପାଇବାରୁ ସେ ଗ୍ରାମ ତ୍ୟାଗ କରି ଅନ୍ୟତ୍ର ଗୃହ ନିର୍ମାଣ କରିବାକୁ ସ୍ଥିର କରିଥିଲେ । ଗ୍ରାମରେ ଥିବା ସମ୍ପତି ତାଙ୍କ ମାତାଙ୍କ ଅଧୀନରେ ଥିଲା । ରାମମୋହନଙ୍କୁ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ଦେବା ପାଇଁ ସେ ଅସମ୍ମତ ହେବାରୁ ରାମମୋହନ ରଘୁନାଥପୁର ନାମକ ଏକ କ୍ଷୁଦ୍ର ପଲ୍ଲିରେ ଏକ ଶ୍ମଶାନ ନିକଟରେ ଗୃହ ନିର୍ମାଣ କରି ସେଠାରେ ସପରିବାର ବାସ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାମମୋହନ କାଶୀରେ ଥିବା ସମୟରେ ତାଙ୍କ ପିତାଙ୍କର ସ୍ଵାସ୍ଥ୍ୟ ଭଙ୍ଗ ହୋଇଥିଲା । ତାଙ୍କୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରି ରାମମୋହନ ସପରିବାର ଗୃହକୁ ଫେରି ପିତାଙ୍କୁ ଦର୍ଶନ କରିଥିଲେ ଏବଂ ଏହାପରେ ପିତା ରମାକାନ୍ତଙ୍କର ପରଲୋକ ହୋଇଥିଲା । ଏହା ୧୮୦୩ ମସିହାର ଘଟଣା । ମୃତ୍ୟୁ ପୂର୍ବରୁ ପିତା ତାଙ୍କର ତିନି ପୁତ୍ରଙ୍କୁ ନିଜର ଉତ୍ତରାଧିକାରୀ ମନୋନୀତ କରି ଯାଇଥିଲେ ।

 

ତଦନୁଯାୟୀ ରାମମୋହନ ପୈତୃକ ସମ୍ପତିର ଏକ ତୃତୀୟାଂଶ ପାଇବାର ହକଦ୍ଦାର ଥିଲେ ମଧ୍ୟ ସେଥିରୁ ତାହାଙ୍କୁ ବଞ୍ଚିତ କରିବା ପାଇଁ ତାଙ୍କ ମାତା ଉଦ୍ୟମ କରିଥିଲେ । ତାଙ୍କ ମାତାଙ୍କର ଅଭିଯୋଗ ଥିଲା ଯେ, ରାମମୋହନ ପ୍ରଚଳିତ ହିନ୍ଦୁ ଧର୍ମ ଅନୁଯାୟୀ ଜୀବନଯାପନ କରୁନଥିବାରୁ ପୈତୃକ ସମ୍ପତ୍ତିରୁ ଭାଗପାଇବା ପାଇଁ ସେ ହକଦାର ନୁହନ୍ତି । ଏହି ଅଭିଯୋଗ ଉପରେ ଭିତ୍ତିକରି ରାମମୋହନଙ୍କ ମାତା ତାରିଣୀ ଦେବୀ ଅଦାଲତରେ ଏକ ମକଦ୍ଦମା ଦାଏର କରିଥିଲେ । ରାମମୋହନ ଅଦାଲତରେ ଉପସ୍ଥିତ ହୋଇ ମାତାଙ୍କ ଅଭିଯୋଗକୁ ଖଣ୍ଡନ କରିବା ଉଦ୍ଦେଶ୍ୟରେ କହିଥିଲେ ଯେ, ସେ କେବେ ହିନ୍ଦୁ ଧର୍ମ ବିରୁଦ୍ଧରେ କିଛି କହି ନାହାନ୍ତି କିମ୍ବା ଏହି ଧର୍ମକୁ ସେ ତ୍ୟାଗ କରିନାହାନ୍ତି । ହିନ୍ଦୁ ଧର୍ମର ଯାହା ସାର ବିଷୟ ତାହାହିଁ ସେ ଘୋଷଣା କରିଛନ୍ତି-। ଏହି ମକଦ୍ଦମାରେ ରାମମୋହନ ଜୟଲାଭ କରି ପୈତୃକ ସମ୍ପତ୍ତିରୁ ଭାଗ ପାଇବା ପାଇଁ ହକ୍‍ଦାର ହୋଇଥିଲେ ବୋଲି ଜଣାଯାଏ ।

Image

 

ତୃତୀୟ ପରିଚ୍ଛେଦ

ରାମମୋହନ ଓ ଖ୍ରୀଷ୍ଟ ଧର୍ମ

 

ରାମମୋହନ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଲାଗି ଖୁବ୍‍ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ବହୁ ୟୁରୋପୀୟ ଏବଂ ଖ୍ରୀଷ୍ଟଧର୍ମ-ପ୍ରଚାରକ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ଶ୍ରୀରାମପୁରଠାରେ ‘ବାପଟିଷ୍ଟ ମିଶନ’ ପକ୍ଷରୁ ଖ୍ରୀଷ୍ଟଧର୍ମ ପ୍ରଚାର ଦିଗରେ ପ୍ରବଳ ଅଭିଯାନ ଚାଲିଥିଲା । ଉଇଲିଅମ୍‌ କ୍ୟାରେ (William Carey) ମାର୍ସମେନ୍‌(Marshman) ଏବଂ ୱାର୍ଡ (Ward) ନାମକ ତିନଜଣ ଖ୍ରୀଷ୍ଟଧର୍ମ ଯାଜକ ମିଳିତ ଭାବେ ଏହି ମିଶନ ପକ୍ଷରୁ କାର୍ଯ୍ୟ କରୁଥାନ୍ତି । କ୍ୟାରେ ନଟିଙ୍ଗହାମର ଜଣେ ମୋଚି ଥିଲେ । ୧୭୯୪ ମସିହାରେ ସେ କଲିକତାରେ ପହଞ୍ଚିଥିଲେ । କୁହାଯାଏ, ସେ ଯୋତା ମରାମତି କଲାବେଳେ ଲାଟିନ, ଗ୍ରୀକ ଓ ହିବ୍ର୍ୟୁ ଭାଷା ଅଧ୍ୟୟନ କରିଥିଲେ । ବଙ୍ଗଳା ଓ ସଂସ୍କୃତରେ ଜ୍ଞାନଲାଭ ଲାଗି ସେ କଠିନ ପରିଶ୍ରମକରି ଶେଷରେ ସଫଳ ହୋଇଥିଲେ । ଶିକ୍ଷିତ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଖ୍ରୀଷ୍ଟଧର୍ମରର ସୂତ୍ର ପ୍ରଚାର କରିବାପାଇଁ ଖ୍ରୀଷ୍ଟଧର୍ମ ଗ୍ରନ୍ଥ ବାଇବେଲର କେତେକାଂଶ ସେ ବଙ୍ଗଳା ଓ ସଂସ୍କୃତ ଭାଷାରେ ମଧ୍ୟ ଅନୁବାଦ କରିଥିଲେ । ରାମମୋହନଙ୍କ ଲିଖିତ ଓ ଅନୂଦିତ ବିଭିନ୍ନ ଧର୍ମଗ୍ରନ୍ଥ ଏବଂ କ୍ୟାରେଙ୍କ ଦ୍ଵାରା ଅନୂଦିତ ଧର୍ମ ସୂତ୍ର ମିଳିତ ଭାବେ ବଙ୍ଗଳା ସାହିତ୍ୟ କ୍ଷେତ୍ରରେ ଏକ ଅଭ୍ୟୁଦୟ ଆଣିଥିଲା । ସେମାନଙ୍କ ମିଳିତ ଉଦ୍ୟମରେ ତତ୍କାଳୀନ ହିନ୍ଦୁମାନଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି ହୋଇଥିଲା । ଶ୍ରୀରାମପୁରରେ ଥିବା ଖ୍ରୀଷ୍ଟଧର୍ମ ଯାଜକମାନେ ହିନ୍ଦୁ ଦାର୍ଶନିକ ରାମମୋହନଙ୍କ ଅଗାଧ ପାଣ୍ଡିତ୍ୟରେ ମୁଗ୍‌ଧ ହୋଇ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ଉଇଲିୟମ ୟାଟେସ ନାମକ ଜଣେ ତରୁଣ ଖ୍ରୀଷ୍ଟଧର୍ମ ଯାଜକଙ୍କ ସହିତ ରାମମୋହନଙ୍କର ୧୮୧୫ ମସିହାରେ ସାକ୍ଷାତ ହୋଇଥିଲା । ୟାଟେସ୍‌ ତାଙ୍କ ଡାଇରୀରେ ଲେଖିଛନ୍ତି ‘‘୧୮୧୫ ମସିହା ଅକ୍‌ଟୋର ୨୫ ତାରିଖରେ ମୁଁ ଜଣେ ବିଜ୍ଞ ବ୍ରାହ୍ମଣଙ୍କୁ ଦର୍ଶନ କଲି । ସେ ଲାଟିନ, ଗ୍ରୀକ୍‌ ଓ ଗଣିତଶାସ୍ତ୍ର ବୁଝନ୍ତି । ଖୁବ୍‌ ପ୍ରାଞ୍ଜଳ ଭାବରେ ମଧ୍ୟ ସେ ଇଂରାଜୀ ଭାଷା କହି ପାରନ୍ତି ।’’ ଏହି ସାକ୍ଷାତର ଅଳ୍ପ କେତେ ସପ୍ତାହ ପରେ ରାମମୋହନ ଶ୍ରୀରାମପୁର ରାସ୍ତାରେ ଯାଇଥିଲେ । ଖ୍ରୀଷ୍ଟ ଧର୍ମ ଯାଜକ କ୍ୟାରେ ତାଙ୍କୁ ପାଛୋଟି ନେବା ସଙ୍ଗେ ସଙ୍ଗେ ତାଙ୍କର ଛାପାଖନା ଓ ଅନ୍ୟାନ୍ୟ କାର୍ଯ୍ୟ ବୁଲି ଦେଖାଇଥିଲେ । ସେଠାରେ ଖ୍ରୀଷ୍ଟଧର୍ମ ସମ୍ପର୍କୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ଉପାସନା ମଧ୍ୟ ହୋଇଥିଲା । ରାମମୋହନ ସେଥିରେ ଯୋଗଦେଇ ଉପାସନା ଶେଷରେ ଖ୍ରୀଷ୍ଟଧର୍ମ ଯାଜକକଙ୍କ ଠାରୁ ବିଦାୟ ନେଇ ପ୍ରତ୍ୟାବର୍ତ୍ତନ କରିଥିଲେ । ଶ୍ରୀରାମପୁରର ଖ୍ରୀଷ୍ଟଧର୍ମ ଯାଜକମାନେ ଆଶା ପୋଷଣ କରିଥିଲେ ଯେ, ରାମମୋହନ ବାଇବେଲ ଅଧ୍ୟୟନ କରୁଥିବାରୁ ଓ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଶଂସା କରୁଥିବାରୁ ସେ ଚର୍ଚ୍ଚରେ ଜଣେ ସଭ୍ୟ ହୋଇ ରହିବେ । ମାତ୍ର ରାମମୋହନ ଖ୍ରୀଷ୍ଟଧର୍ମାବଲମ୍ବୀ ହେବାପାଇଁ ଅସମ୍ମତି ପ୍ରକାଶ କରିବାରୁ ସେମାନଙ୍କୁ ନିରାଶ ହେବାକୁ ହୋଇଥିଲା । ନିକଟମ ବ୍ୟକ୍ତିଙ୍କୁ ଚର୍ଚ୍ଚର ସଭ୍ୟ ତାଲିକାଭୁକ୍ତ କରିବା ପାଇଁ ଧର୍ମଯାଜକ ମାନଙ୍କର ପ୍ରବଳ ଆଗ୍ରହକୁ ରାମମୋହନ ଆଦୌ ପସନ୍ଦ କରିନଥିଲେ । ଯୀଶୁଖ୍ରୀଷ୍ଟଙ୍କ ବାଣୀ ଓ ମହତ୍‌ ଉପଦେଶାବଳୀକୁ ରାମମୋହନ ଉଚ୍ଛ୍ଵସିତ ପ୍ରଶଂସା କରିଥିଲେ ସତ୍ୟ କିନ୍ତୁ ହିନ୍ଦୁମାନଙ୍କ ଉପରେ ବଳ ପ୍ରୟୋଗକରି, ସେମାନଙ୍କୁ ଧମକ ଚମକ ଦେଇ ଖ୍ରୀଷ୍ଟଧର୍ମାବଲମ୍ବୀ କରାଇବା ପାଇଁ ସେ ଉଦ୍ୟମ ହେଉଥିଲା ସେଥିରେ ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ।

 

ରାମମୋହନଙ୍କର କେତେକ ଲେଖା ସେତେବେଳେ ବ୍ରିଟିଶ ଦ୍ଵିପପୁଞ୍ଜ, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଆମେରିକାର ମିଶନାରୀ ପତ୍ରିକାରେ ପ୍ରକାଶ ପାଇଥିଲା । ଏହା ପାଠକରି ସେମାନେ ମତ ପ୍ରକାଶ କରିଥିଲେ ଯେ ରାମମୋହନ ଖୁବ୍‌ଶୀଘ୍ର ଜଣେ ଖ୍ରୀଷ୍ଟ ଧର୍ମାବଲମ୍ବୀ ହେବାର ସମ୍ଭାବନା ରହିଛି । ପାଶ୍ଚାତ୍ୟ ରାଷ୍ଟ୍ରରେ ଥିବା ଖ୍ରୀଷ୍ଟଧର୍ମର ପ୍ରଧାନ ପୃଷ୍ଠପୋଷକମାନେ ଭାବୁଥିଲେ ଯେ, ଖ୍ରୀଷ୍ଟଧର୍ମ ସମ୍ପର୍କରେ ରାମମୋହନଙ୍କର ଯେଉଁ ଜ୍ଞାନ ଥିଲା, ସେପରି ଜ୍ଞାନ ହୁଏତ ତତ୍‌କାଳୀନ ହିନ୍ଦୁ ସମାଜରେ ଅନ୍ୟ କାହାରି ନ ଥିଲା । ଏହା ବ୍ୟତୀତ ହେବ୍ର୍ୟୁ ଓ ଗ୍ରୀକ ଭାଷା ଅଧ୍ୟୟନ କରିଥିବାରୁ ଯୀଶୁଖ୍ରୀଷ୍ଟଙ୍କ ଉପଦେଶଗୁଡ଼ିକୁ ରାମମୋହନ ବିନା ଅନୁବାଦରେ ସ୍ପଷ୍ଟ ଭାବେ ବୁଝିପାରୁଥିଲେ । ତେଣୁ ସେ ଯଦି ଖ୍ରୀଷ୍ଟଧର୍ମ ଗ୍ରହଣ କରନ୍ତି, ତେବେ ଭାରତରେ ଏହି ଧର୍ମର ଭିତ୍ତି ଦୃଢ଼ ହୋଇ ପାରିବ ବୋଲି ସେମାନେ ମତପ୍ରକାଶ କରୁଥିଲେ । ଫ୍ରାନ୍‌ସ ଓ ଜର୍ମାନୀର ଲୋକେ ରାମମୋହନଙ୍କ ଲେଖା ଓ ମତାମତ ପାଠ କରିବା ପାଇଁ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରୁଥିଲେ ।

 

ରାମମୋହନଙ୍କ ସମ୍ମାନ କ୍ରମଶଃ ବଢ଼ି ବଢ଼ି ଚାଲିଲା ଏବଂ ସେଥିପ୍ରତି ଭାରତୀୟମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷିତ ହେଲା । ଏଣିକି ଭାରତୀୟମାନେ ତାଙ୍କୁ ଅଧିକ ଆଦର କରିବାକୁ ଲାଗିଲେ । ଫିଜ୍‌ କ୍ଲାରେନ୍‌ସ (Fitz Clarence) ନାମକ ଜଣେ ବିଦେଶୀ ପର୍ଯ୍ୟଟକ ରାମମୋହନଙ୍କ ସମ୍ପର୍କରେ ଲେଖିଥିଲେ, ‘‘ମୁଁ ଭାବୁଛି ବହୁ ବିଷୟରେ ସେ ଜଣେ ଅସାଧାରଣ ବ୍ୟକ୍ତିତ୍ଵ ସମ୍ପନ୍ନ ବ୍ୟକ୍ତି । କଲିକତାରେ ଇଂରେଜମାନଙ୍କ ସହ ତାଙ୍କର ସମ୍ପର୍କ ରହିଛି । ଯାହା ହେଲେ ମଧ୍ୟ ସେ ସେମାନଙ୍କର ଘରୋଇ ବ୍ୟାପାରଠାରୁ ବିଚ୍ଛିନ୍ନ ।’’ ପାଶ୍ଚାତ୍ୟ ରାଷ୍ଟ୍ରରେ ଯେତେବେଳେ ବହୁ ବ୍ୟକ୍ତି ରାମମୋହନଙ୍କର ଭୂରି ଭୂରି ପ୍ରଶଂସା କରିବାକୁ ଲାଗିଲେ, ୟୁରୋପ ପରିଦର୍ଶନରେ ଯିବା ପାଇଁ ରାମମୋହନ ଆଗ୍ରହ ପ୍ରକାଶ କଲେ । ମାତ୍ର ତାଙ୍କର ଏହି ଇଚ୍ଛା ଆଗାମୀ ବହୁବର୍ଷ ଧରି ଫଳବତୀ ହୋଇନଥିଲା । ଦେଶ ଓ ବିଦେଶରେ ତାଙ୍କର ସୁନାମ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ସେ ଘୋର ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ । ପାରିବାରିକ ବିବାଦ ଓ ମାଲ ମକଦ୍ଦମା ସମ୍ପର୍କରେ ପୂର୍ବରୁ ଯତ୍‌କିଞ୍ଚିତ୍‌ ଆଭାସ ଦିଆଯାଇଛି । ରାମମୋହନଙ୍କର ପୁତୁରା ରାମମୋହନଙ୍କ ବିରୁଦ୍ଧରେ ଏକ ମକଦ୍ଦମା ଦାଏର କରିଥିଲେ । ମାତ୍ର ପରେ ତାହାକୁ ସେ ପ୍ରତ୍ୟାହାରକରି ରାମମୋହନଙ୍କୁ କ୍ଷମାଭିକ୍ଷା କରିଥିଲେ ।

 

ଏକ ସମୟରେ ଶ୍ରୀରାମପୁର ଖ୍ରୀଷ୍ଟଧର୍ମ ପ୍ରଚାରକ ଓ ରାମମୋହନଙ୍କ ମଧ୍ୟରେ ପ୍ରବଳ ମତାନ୍ତର ସୃଷ୍ଟି ହୋଇଥିଲା । ଖ୍ରୀଷ୍ଟଧର୍ମ ସଂପର୍କରେ ରାମମୋହନଙ୍କର ଯେଉଁ ଜ୍ଞାନ ଥିଲା, ତାହା ତତ୍‌କାଳୀନ ବହୁ ଖ୍ରୀଷ୍ଟଧର୍ମ ଯାଜକଙ୍କ ତୁଳନାରେ ଅଧିକ । ବାଇବେଲରେ ଯୀଶୁଖ୍ରୀଷ୍ଟଙ୍କର ଯେଉଁ ଉପଦେଶଗୁଡ଼ିକ ରହିଛି କେବଳ ସେତିକି ଉଲ୍ଲେଖ କରି ରାମମୋହନ ସେତେବେଳେ ଗୋଟିଏ ପୁସ୍ତକ ଲେଖିଥିଲେ । ବାଇବେଲର ଅନ୍ୟାନ୍ୟ ବିଷୟକୁ ଏଥିରେ ସେ ଉଲ୍ଲେଖ କରି ନ ଥିବାରୁ ଶ୍ରୀରାମପୁରର ଧର୍ମଯାଜକମାନେ ରାମମୋହନଙ୍କର ଏହି ମନୋବୃତ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ । ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କୁ ବିଭ୍ରାନ୍ତ କରିବା ଲାଗି ରାମମୋହନ ଉଦ୍ୟମ କରୁଛନ୍ତି ବୋଲି ସେମାନେ ପ୍ରଚାର କଲେ । ଏ ସଂପର୍କରେ ରାମମୋହନ ତାଙ୍କର ମତାମତ ପ୍ରକାଶ କରିବା ପରେ ଇଂଲଣ୍ଡ ଓ ଆମେରିକାର ବହୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ରାମମୋହନଙ୍କୁ ସମର୍ଥନ କରିଥିଲେ । ମାତ୍ର ଶ୍ରୀରାମପୁରର ଖ୍ରୀଷ୍ଟିଆନମାନେ ଏଥିରେ ସନ୍ତୁଷ୍ଟ ନ ହୋଇ ହିନ୍ଦୁଶାସ୍ତ୍ର ଉପରେ ପ୍ରବଳ ଆକ୍ରମଣ ଆରମ୍ଭ କରିଦେଇଥିଲେ ଏବଂ ସେମାନଙ୍କ ଦ୍ଵାରା ପରିଚାଳିତ ତତ୍‌କାଳୀନ ବଙ୍ଗଳା ଖବରକାଗଜ ‘ସମାଚାର ଦର୍ପଣ’ (Mirror of News) ଏବଂ ‘ଭାରତବନ୍ଧୁ’ (Friend of India) ରେ ହିନ୍ଦୁମାନଙ୍କୁ ନାନାଭାବରେ ଗାଳିଗୁଲଜ କରିଥିଲେ । ସେମାନଙ୍କୁ ଯଥାର୍ଥ ଉତ୍ତର ଦେବାଲାଗି ରାମମୋହନ ‘ବ୍ରାହ୍ମନିକାଲ ମାଗାଜିନ୍‌’ ‘Brahmanical Magazine’ ନାମକ ଗୋଟିଏ ପତ୍ରିକା ପ୍ରକାଶ କଲେ । ହିନ୍ଦୁ ଧର୍ମର ପ୍ରକୃତ ଉଦ୍ଦେଶ୍ୟ କଣ ତାହା ବିଶ୍ଳେଷଣ କରିବାକୁ ଯାଇ ସେଥିରେ ସେ ଲେଖିଥିଲେ—ସମସ୍ତ ପ୍ରାଣୀ ଏକ ଈଶ୍ଵର ଦ୍ଵାରା ନିୟନ୍ତ୍ରିତ ଏବଂ ସେହି ଏକ ସର୍ବଶକ୍ତିମାନ ସମସ୍ତଙ୍କ ସ୍ରଷ୍ଟା । ଯେ କୌଣସି ପଦ୍ଧତିରେ ପିତୁଳା ପୂଜାକୁ ଆମେ ପ୍ରତ୍ୟାଖ୍ୟାନ କରିବା ଉଚିତ । ପରସ୍ପର ପ୍ରତି ଦୟାଭାବ ପୋଷଣ କରିବା ହେଉଛି ଈଶ୍ୱରଙ୍କୁ ଉପାସନା କରିବାର ଉଦ୍ଦେଶ୍ୟ ।

 

In conformity with the precepts of our ancient religion, continued in the Holy Vedanta, though disregarded by the generality of moderns, we look up to the one Being as the animating and regulating principle of the whole Collective body and as the origin of all individual souls, which in a manner somewhat similar and govern their particular bodies, and we reject idolatry in every form and whatever veil of Sophistry it may be practised either in adoration of an artificial, a material or an imaginary object. The Divine homage, which we offer, consists solely in the practice of Daya or benevolence towards each other, and not in fanciful faith or in certain motions of the feet, legs, arms, head, tongue or other bodily organs, in a pulpit or before a temple.’’

 

ହିନ୍ଦୁ ଦର୍ଶନ ଓ ଧର୍ମ ଉପରେ ମିଶନାରୀମାନେ ଯେତେ ଆକ୍ରମଣ କଲେ ମଧ୍ୟ ରାମମୋହନ ତାହାକୁ ଖୁବ୍‍ ଦକ୍ଷତାର ସହିତ ପ୍ରତିହତ କରି ହିନ୍ଦୁ ଦର୍ଶନର ମହାନତାକୁ ପ୍ରତିଷ୍ଠିତ କରିଥିଲେ । ମିଶନାରୀମାନଙ୍କ ଯୁକ୍ତି ଯେ ଅଯଥାର୍ଥ ଏହା ସେ ସର୍ବ ସମକ୍ଷରେ ପ୍ରମାଣିତ କରାଇ ଦେଇଥିଲେ । ସମୟ ଆସିଲା ଯେତେବେଳେ ଏହି ମିଶନାରୀମାନେ ରାମମୋହନଙ୍କ ଅକାଟ୍ୟ ଓ ପାଣ୍ଡିତ୍ୟପୂର୍ଣ୍ଣ ଯୁକ୍ତି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ ଏବଂ ପରୋକ୍ଷଭାବେ ସେମାନଙ୍କ ପରାସ୍ତ ହେବା ବିଷୟ ସ୍ୱୀକାର କରିଥିଲେ । ସେତେବେଳେ ଗୋଟିଏ ଶ୍ରେଣୀର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଭଗବାନଙ୍କୁ ତିନି ରୂପରେ ଉପାସନା କରୁଥିଲେ । ଯଥା-ଈଶ୍ଵର ପିତା, ଈଶ୍ଵର ପୁତ୍ର, ଏବଂ ଈଶ୍ଵର ପବିତ୍ର ଅଶରୀରି । ରାମମୋହନ ଏହି ପଦ୍ଧତିକୁ ଘୋର ସମାଲୋଚନା କରୁଥିଲେ । ଏହି ପଦ୍ଧତିରେ ଉପାସନା କରୁଥିବା ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କୁ ‘ଟ୍ରିନିଟେରିଆନ’ ବୋଲି କୁହାଯାଉଥିଲା । ‘ୟୁନିଟେରିଆନ’ ସମ୍ପ୍ରଦାୟର ଖ୍ରୀଷ୍ଟିଆନମାନଙ୍କ ଚର୍ଚ୍ଚକୁ ରାମମୋହନ ସମୟ ସମୟରେ ଯାଉଥିବାରୁ ‘ଟ୍ରିନିଟେରିଆନ’ ଖ୍ରୀଷ୍ଟିଆନମାନେ ଏହାର କାରଣ ସମ୍ପର୍କରେ ରାମମୋହନଙ୍କୁ ନାନା ପ୍ରଶ୍ନ କରି ନିଜ ଆଡ଼କୁ ଟାଣିନେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ରାମମୋହନ ସହଜରେ କୁଆଡ଼େ ଢଳିବାର ବ୍ୟକ୍ତି ନଥିଲେ; ସେ ଖୋଲା ଖୋଲି ଭାବେ ଏହି ଟ୍ରିନିଟେରିଆନ ଖ୍ରୀଷ୍ଟିଆନମାନଙ୍କୁ ଜବାବ ଦେଲେ ଏବଂ କହିଲେ ‘‘ମୁଁ ଯେଉଁ ଚର୍ଚ୍ଚକୁ ଅନେକ ସମୟରେ ଯାଏ, ସେଠାରେ ଏକେଶ୍ୱରବାଦର ଉପାସନା ହୋଇଥାଏ; ଯାହାରକି ମୁଁ ଜଣେ ପରମପୃଷ୍ଠପୋଷକ ଏବଂ ଏହି ପଦ୍ଧତିରେ ଉପାସନା ଖ୍ରୀଷ୍ଟଧର୍ମ ଗ୍ରନ୍ଥ ଓ ହିନ୍ଦୁ ଧର୍ମ ଗ୍ରନ୍ଥ ଦ୍ୱାରା ଅନୁମୋଦିତ; ଏହି ଉତ୍ତର ପାଇବା ପରେ ଟ୍ରିନିଟେରିଆନ ଖ୍ରୀଷ୍ଟିଆନମାନେ ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରି ନଥିଲେ । କେବଳ ସେତିକି ନୁହେଁ ରାମମୋହନଙ୍କ ଯୁକ୍ତିର ସାରବତ୍ତା ଉପଲବ୍‌ଧି କରି ଟ୍ରିନଟେରିଆନମାନଙ୍କ ମଧ୍ୟରୁ କେତେକ ୟୁନିଟେରିଆନ ଦଳରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ରେଭରେଣ୍ଡ ଉଇଲିଅମ୍‌ ଆଡାମଙ୍କ ନାମ ଏଠାରେ ଉଲ୍ଲେଖନୀୟ । ଉଇଲିଅମ ଆଡାମ ଖ୍ରୀଷ୍ଟଧର୍ମର ପ୍ରଚାର ଲାଗି ଭାରତକୁ ଆସିଥିଲେ । ଟ୍ରିନିଟେରିଆନ ସଂପ୍ରଦାୟର ସେ ଜଣେ ମୁଖ୍ୟ କର୍ଣ୍ଣଧାର ଥିଲେ । ରାମମୋହନଙ୍କ ଯୁକ୍ତି ଓ ତାଙ୍କ ମନରେ ପରିବର୍ତ୍ତନ ଆଣିଲା ଏବଂ ସେ ହୃଦୟଙ୍ଗମ କଲେ ଯେ ଟ୍ରିନିଟେରିଆନ ସଂପ୍ରଦାୟ ଯେଉଁ ଉପାସନା ପଦ୍ଧତିର ଅନୁସରଣ କରୁଛନ୍ତି ତାହା ବାଇବେଲର ସନ୍ନିବେଶିତ ଉପଦେଶାବଳୀର ପରିପନ୍ଥୀ । ଏହି ଧାରଣାର ବଶବର୍ତ୍ତୀ ହୋଇ ଓ ମୁଖ୍ୟତଃ ରାମମୋହନଙ୍କଦ୍ଵାରା ପ୍ରଭାବିତ ହୋଇ ସେ ଉକ୍ତ ସଂପ୍ରଦାୟକୁ ତ୍ୟାଗ କରିଥିଲେ ।

 

ଇତ୍ୟବସରରେ ଉଇଲିଅମ ଆଡାମ ଟ୍ରିନିଟେରିଆନ ସମ୍ପ୍ରଦାୟର ଚକ୍ଷୁଃଶୂଳ ହୋଇ ଉଠିଲେ ଏବଂ ତାଙ୍କୁ ବିପତ୍ତି ମଧ୍ୟରେ ଗତି କରିବାକୁ ପଡ଼ିଲା । ରାମମୋହନଙ୍କ ଭାବଧାରାରେ ସେ ଅନୁପ୍ରାଣିତ ହୋଇଥିବାରୁ, ରାମମୋହନ ଏବଂ ସେ ଉଭୟ ନାନା ପ୍ରତିବନ୍ଧକର ସମ୍ମୁଖୀନ ହେଲେ । ଆଡ଼ାମ ଥିଲେ ଜଣେ ବିଜ୍ଞ ଓ ପଣ୍ଡିତ ବ୍ୟକ୍ତି । ଭାରତୀୟ ଭାଷା, ଆଚରଣ ପ୍ରଭୃତି ସହିତ ସେ ଓତପ୍ରୋତ ଭାବେ ଜଡ଼ିତ ଥିବାରୁ ରାମମୋହନଙ୍କ ସହିତ ସମସ୍ତ କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ଆଗେଇ ଆସିଲେ । ଏ ଦିଗରେ ଯେତେ ପ୍ରକାର ଦୁର୍ଦ୍ଦଶା ସୃଷ୍ଟି ହେଲା, ବିନା ଦ୍ଵିଧାରେ ସେ ତାହାକୁ ସହ୍ୟ କରି ନେଲେ । ଏହି ସମୟରେ ଦେଖାଗଲା, ଉଇଲିଅମ ଆଡାମ ବଙ୍ଗଦେଶରେ ଏକମାତ୍ର ଆମେରିକୀୟ ୟୁନିଟେରିଆନ ଧର୍ମଯାଜକ । ତଥାପି ସୁଦ୍ଧା ସେ ଧୈର୍ଯ୍ୟ ନ ହରାଇ ଧର୍ମ ପ୍ରଚାର କାର୍ଯ୍ୟ ଅବ୍ୟାହତ ରଖିଥିଲେ ଏବଂ ଭାରତର ମଙ୍ଗଳ ନିମନ୍ତେ କାର୍ଯ୍ୟ କରୁଥିଲେ ।

 

ଟିଟ୍‌ଲର ବିବାଦ

 

ଆର. ଟିଟ୍‌ଲର (R. Tytler) ନାମକ ଜଣେ ଇଂରେଜ ବ୍ୟକ୍ତି ‘ଟ୍ରିନିଟେରିଆନ’ ସଂପ୍ରଦାୟର ସଭ୍ୟ ଥିଲେ । ଇଷ୍ଟଇଣ୍ଡିଆ କମ୍ପାନୀ ଅଧୀନରେ ସେ ଜଣେ ଡାକ୍ତର ଥିଲେ । ସେ ଡାକ୍ତରୀ ବିଦ୍ୟାକୁ ନିଜର ଜୀବିକା ରୂପେ ଗ୍ରହଣ କରିଥିଲେ ମଧ୍ୟ ରୋଗୀଙ୍କୁ ଆରୋଗ୍ୟ କରିବା ଦିଗରେ ସେ ସେତେ ଯତ୍ନବାନ ନଥିଲେ । ଧର୍ମ ଏବଂ ‘ଟ୍ରିନିଟେରିଆନ’ ସଂପ୍ରଦାୟର ମହାନତା ପ୍ରତିପାଦନ ଦିଗରେ ସେ ବଡ଼ ବ୍ୟସ୍ତ ଥିଲେ । ରାମମୋହନ ଏକେଶ୍ୱରବାଦ ପ୍ରଚାର କରି ‘ୟୁନିଟେରିଆନ’ ଖ୍ରୀଷ୍ଟିଆନ ସଂପ୍ରଦାୟର ସମର୍ଥନ କରୁଥିବାରୁ ଟିଟ୍‌ଲର ସେ ଦିଗରେ ରାମମୋହନଙ୍କର ଜଣେ ପ୍ରବଳ ଶତ୍ରୁ ରୂପେ ଠିଆ ହେଲେ । ରାମମୋହନ ଖ୍ରୀଷ୍ଟିଆନମାନଙ୍କର ଘୋର ଶତ୍ରୁ ବୋଲି ସେ ପ୍ରଚାର କରି ବୁଲିଲେ । ହିନ୍ଦୁ ଧର୍ମ ପ୍ରତି ଆକ୍ଷେପୋକ୍ତି ପ୍ରକାଶ କରି ଅତି ଅଶ୍ଳିଳ ଭାଷାରେ ମଧ୍ୟ ଗାଳିଗୁଲଜ କଲେ । ତାହା ସହିତ ରାମମୋହନଙ୍କୁ ମଧ୍ୟ ଅତି ଅଭଦ୍ରୋଚିତ ଭାଷାରେ ଗାଳି ଦେଲେ । ଏହି ଗାଳି ସହିତ ସମଗ୍ର ହିନ୍ଦୁଜାତି ପ୍ରତି ତାଙ୍କର ଆକ୍ଷେପୋକ୍ତି ମିଶ୍ରିତ ଥିଲା । ରାମମୋହନଙ୍କ ପରି ଜଣେ ମହାନ ହିନ୍ଦୁ ଏଥିରେ କ୍ଷୁବ୍‍ଧ ହୋଇ ସର୍ବ ଧର୍ମର ସମାନତା ବିଷୟ ଉଲ୍ଲେଖ କରି ଡଃ ଟିଟ୍‌ଲରଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଥିଲେ ।*

 

*‘‘You ought to know that our religious faith and yours are founded on the same sacred basis, viz the Manifestation of God in flesh without any restriction to a dark or fair complexion, large or small stature, long or short hair. You cannot surely be ignorant that the Divine Ram was the reputed son of Dasarath, of the offspring of Bhoggeerath of the tribe of Raghoo, as Jesus was the reputed son of Joseph of the House of David, of the tribe of Jadah, Ram was the king of Raghoos and of Foreigners while in like manner Jesus was the King of the Jews of Gentiles. Both are stated in the respective sacred books handed down to us, to have performed very wonderful miracles and ascended up to Heaven, Both were tempted by the Devil while on earth and both have been worshipped by millions up to the present day. Since God can be born of the tribe of Judah, how I ask it is impossible that he should be born of the tribe of Raghoo or of any other nation or race of man ? And as the human form and feelings of Ram afford sceptics no argument against his omnipresent and divine nature, it must be evident to you that this deluded sect of Unitarians can lay no stress on the human form and feelings of Jesus Christ as disproving his divinity’’.

 

ମାତ୍ର ଡାକ୍ତର ଟିଟ୍‌ଲର ଏହି ପନ୍ଦର ତାତ୍ପର୍ଯ୍ୟ ନ ବୁଝି ବିବାଦକୁ ବୃଦ୍ଧି କରିବାକୁ ଲାଗିଲେ । ‘ବେଙ୍ଗଲ ହୁରକାରୁ’ ନାମକ ଏକ ପତ୍ରିକାରେ ସେ ଲେଖିଲେ ହିନ୍ଦୁମାନଙ୍କର ପିତ୍ତୁଳା ପୂଜା ଓ ଏକେଶ୍ୱରବାଦ ଉଭୟ ସମାନ ଏବଂ ଉଭୟ ଅମଙ୍ଗଳ ଜନକ । ପତ୍ରିକାର ସମ୍ପାଦକ ଡଃ ଟିଟ୍‌ଲରଙ୍କ ସପକ୍ଷରେ ମତ ପ୍ରକାଶ କରି ଲେଖିଥିଲେ । * ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରାମଦାସ ନାମକ ଏକ ଛଦ୍ମ ନାମରେ ରାମମୋହନ ସେତେବେଳେ ଡ: ଟିଟ୍‌ଲରଙ୍କ ମତ ବିରୁଦ୍ଧରେ ପତ୍ରପତ୍ରିକାରେ ଲେଖା ପ୍ରକାଶ କରୁଥିଲେ ।

 

ରାମମୋହନ ଏହା ପାଠକରି ସମ୍ପାଦକଙ୍କୁ ପତ୍ରସ୍ତମ୍ବରେ ଏକ ଲେଖା ପ୍ରକାଶ କରିବା ପାଇଁ ପଠାଇଲେ । ଏହି ଲେଖା ନିମ୍ନରେ ଉଦ୍ଧୃତ ହେଲା । *

 

*We would put to Ram Dass that there is in our opinion a wide difference between the belief which maintains God to have appeared in the Flesh and that of the Hindu who believes the appearance of the omnipotent Being in the shape of Thakoor, which, if we are not mistaken, is composed of stone, metal or wood’’.

 

*Can you find a single Hindoo in the whole of India who imagines that the divine Ram, the son of Dasarath by Kaushilya, his mother, according to the flesh, was composed either of wood stone or metal ?

 

If you can find even one, there may be some excuse for your mistake in supposing what is so wide of the fact. You may of course find numerous consecrated image of statues formed of wood, and other materials, placed there for the pious purpose of attracting the attention of devotees to that Divine incarnation, although many good Hindoos do not consider such representation as necessary and worship Ram directly without the intervention of any sensible object. But can you suppose for a moment that a model or picture of any person, whether divine or human, can identify that being with such representation or convert the original existence into the same materials? If this were the case, then the number of men so unfortunate as to have statues or portraits of themselves made, must lose their real essence–their original elements necessarily degenerating into stone or print and canvas.

 

But it is indisputable that neither the images of the Holy Jesus in Roman Catholic Churches nor the representations of Divine Ram in the Hindoo temples are identified with either of those sacred persons”.

 

ଏହା ପଢ଼ିବା ପରେ ଡଃ ଟିଟ୍‌ଲର ଆଉ କିଛି କହିବା ପାଇଁ ସାହସ କରିନଥିଲେ କିମ୍ବା ଏହାକୁ ଅସ୍ଵୀକାର କରିବା ପାଇଁ ସମର୍ଥ ହୋଇ ପାରିନଥିଲେ । କେବଳ ସାଧାରଣ ଭାବେ ସେତେବେଳେ ମନ୍ତବ୍ୟ ପ୍ରକାଶ କରିଥିଲେ ।*

 

*We never intended to intimate that any sensible Hindoo could for a moment suppose that God was personally present in an image of brass, stone or metal, but we have no hesitation in asserting that such an opinion does prevail, not only among the Hindoos, but amongst the ignorant of all classes whose religious faith prescribes by the worship of images as the medium of access to the Deity.

 

ସେ ସ୍ୱୀକାର କଲେ ଯେ ହିନ୍ଦୁମାନଙ୍କ ଧର୍ମୀୟ ଉପାସନା ସମ୍ପର୍କରେ ଆଲୋଚନା କରିବା ପାଇଁ ତାଙ୍କର ସାମର୍ଥ୍ୟ ନାହିଁ । ଏହାପରେ ରାମମୋହନ ହିନ୍ଦୁଧର୍ମ ବିରୁଦ୍ଧରେ ଡଃ ଟିଟ୍‌ଲରଙ୍କ ଦ୍ଵାରା ଅଣାଯାଇଥିବା ଅଭିଯୋଗ ଗୁଡ଼ିକୁ ପ୍ରମାଣିତ କରିବା ପାଇଁ ଆହ୍ଵାନ କଲେ । ଡଃ ଟିଟ୍‌ଲର ଏଥିରେ ଜଣେ ବିବେକୀ ଲୋକଭଳି ବ୍ୟବହାର କରିବା ପରିବର୍ତ୍ତେ ପୁଣି ରାମମୋହନ ଓ ଏକେଶ୍ୱରବାଦର ସମର୍ଥକଙ୍କ ଉପରେ ଗାଳି ବର୍ଷଣ କରିବାକୁ ଲାଗିଲେ । ଏଥିରୁ ସାଧାରଣ ଲୋକେ ଅନୁମାନ କଲେ ଡଃ ଟିଟ୍‌ଲରଙ୍କ ଯୁକ୍ତି ଅତ୍ୟନ୍ତ ଦୁର୍ବଳ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଗାଳି ଗୁଲଜ କରିବା ବ୍ୟତୀତ ତାଙ୍କର ଅନ୍ୟ କୌଣସି ପନ୍ଥା ନ ଥିଲା ।

 

ରାମମୋହନ ଏହି ଖ୍ରୀଷ୍ଟିଆନ ମିଶନାରୀଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଉଥିଲା ବେଳେ ଜଣେ ରକ୍ଷଣଶୀଳ ହିନ୍ଦୁ ନିଜକୁ ଧର୍ମର ସଂସ୍ଥାପକ ବୋଲି ପ୍ରଚାର କରି ରାମମୋହନଙ୍କ ବିରୁଦ୍ଧରେ ଠିଆ ହେଲେ । ସେ ରାମମୋହନଙ୍କୁ ଚାରୋଟି ପ୍ରଶ୍ନ ପଚାରି ଚାରୋଟି ଅଭିଯୋଗ ଉପସ୍ଥାପନ କଲେ । ରାମମୋହନ ମଧ୍ୟ ଏହି ଚାରୋଟି ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ଚାରୋଟି ପ୍ରଶ୍ନ ହେଉଛି (୧) ସଂସ୍କାରକ ରାମମୋହନ ଓ ତାଙ୍କର ସମର୍ଥକମାନେ କ’ଣ ହିନ୍ଦୁଧର୍ମ ପରିସର ବାହାରେ ଅଛନ୍ତି । (୨) ଯେଉଁମାନେ ପ୍ରଚଳିତ ପରମ୍ପରାର ଅବମାନନା କରି ଈଶ୍ଵରଙ୍କ ସମ୍ପର୍କରେ ଜ୍ଞାନଲାଭ କରିଛନ୍ତି ବୋଲି ଅଜ୍ଞାନଭାବେ ଦାବୀ କରି ବିତସ୍ପୃହତାର ସହ ଯଜ୍ଞୋପବିତ ଗ୍ରହଣ କରିଛନ୍ତି, ସେମାନଙ୍କର ଧର୍ମ କ’ଣ ବାଘ ଓ ବିରାଡ଼ିର ଧର୍ମ ଭଳି ନୁହେଁ ? (୩) କେଉଁ ଧର୍ମ ବ୍ରାହ୍ମଣ ଦ୍ଵାରା ଜୀବବଧକୁ ଅନୁମୋଦନ କରେ ? ବଧ୍ୟଜୀବର ଭାଗ୍ୟ ସମ୍ପର୍କରେ ଜ୍ଞାନ ମାଧ୍ୟମରେ ଅନ୍ୱେଷଣ କରନ୍ତି ସେହିମାନେ ଯେଉଁମାନେକି ପ୍ରତିଦିନ ଛେଳି ମାଂସ ଖାଆନ୍ତି । (୪) ଜଣେ ନିର୍ଦ୍ଦିଷ୍ଟ ବିଶିଷ୍ଟ ବ୍ୟକ୍ତି (ରାମମୋହନଙ୍କୁ ଆକ୍ଷେପ କରି) ଧର୍ମ ଏବଂ ଲୋକମତକୁ ପରିହାର କରି ମଦ୍ୟପାନ କରିବା ସଙ୍ଗେ ସଙ୍ଗେ ନୀଚ ଲୋକମାନଙ୍କ ସହିତ ହାତ ମିଳାଇଛି ଏବଂ ତାହା ସମ୍ପର୍କରେ କ’ଣ କରାଯାଇପାରେ ?

 

ପ୍ରଥମ ପ୍ରଶ୍ନର ଉତ୍ତରରେ ରାମମୋହନ କହିଥିଲେ, ପ୍ରଶ୍ନକର୍ତ୍ତା ହିନ୍ଦୁଧର୍ମ ଅନୁମୋଦିତ କୌଣସି ବ୍ୟବସ୍ଥାକୁ ମଧ୍ୟ ଅନୁସରଣ କରନ୍ତି ନାହିଁ ବୋଲି ମୁଁ କହିପାରେ । କାରଣ—ସେ, ତାଙ୍କ ପିତା କିମ୍ବା ପିତାମହ ମୁସଲମାନମାନଙ୍କ ଦ୍ଵାରା ପ୍ରସ୍ତୁତ ହେଉଥିବା ଦାନ୍ତଘଶା ପାଉଡର ଓ ଅଙ୍ଗରାଗର ବ୍ୟବହାର କରିନାହାନ୍ତି କି ? ମୁସଲମାନ ଶିକ୍ଷକଙ୍କ ଅଧୀନରେ ଅଧ୍ୟୟନ କରିନାହାନ୍ତି କି ? ରାମମୋହନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ପୂର୍ବରୁ ଏ ସମସ୍ତ ବିଷୟ ବିଚାରକୁ ନିଆଯିବା ଉଚିତ ।

 

ଦ୍ଵିତୀୟ ପ୍ରଶ୍ନର ଉତ୍ତରରେ ରାମମୋହନ କହିଥିଲେ—ପ୍ରଶ୍ନକର୍ତ୍ତା ମାଛ ଖାଉ ନଥିବା ବୈଷ୍ଣବମାନଙ୍କର ପରମ୍ପରା ଅନୁସରଣ କରିନ୍ତି କି ? ଏପରିକି ନିଜ ସଂପ୍ରଦାୟର ଲୋକେ ଯେଉଁ ପରମ୍ପରା ମାନିଚଳନ୍ତି, ସେ ସବୁର ସେ ଅନୁସରଣ କରନ୍ତି କି ? ଯଦି ସେସବୁ ନକରନ୍ତି ତେବେ ସେ ପ୍ରାୟଶ୍ଚିତ କରିଛନ୍ତି କି ? ଏଠାରେ ରାମମୋହନ ପ୍ରଶ୍ନର ଉତ୍ତର ଦେବା ଛଳରେ କହିଥିଲେ ଯେ, ଦଳେ ଲୋକ ଅଛନ୍ତି, ଯେଉଁମାନେ କି ଧର୍ମାନୁମୋଦିତ ପନ୍ଥା ମାନି ଚଳନ୍ତି ବୋଲି ବାହାରେ ଦେଖାନ୍ତି, ମାତ୍ର ଘରେ ମାଛ ଖାଇ ଅନ୍ୟମାନଙ୍କୁ ଗାଳି ଗୁଲଜ କରନ୍ତି ।

 

ତୃତୀୟ ପ୍ରଶ୍ନର ଉତ୍ତର ଦେଇ ରାମମୋହନ କହିଥିଲେ ଯେ ଶାସ୍ତ୍ର ଅନୁଯାୟୀ ଦେବତାଙ୍କୁ ଅର୍ପଣ କରାଯାଉଥିବା ମାଂସ ଖାଇବାରେ କୌଣସି ଦୋଷ ନାହିଁ । ଏହା ଖାଇଲେ ଯଦି ନର୍କକୁ ଯିବାକୁ ହେବ, ତେବେ ପ୍ରଶ୍ନ କର୍ତ୍ତା ମାଛ ଖାଉଛନ୍ତି କିପରି ?

 

ଚତୁର୍ଥ ପ୍ରଶ୍ନର ଉତ୍ତର ଦେଇ ରାମମୋହନ ଯୁକ୍ତିଛଳରେ କହିଥିଲେ, ପବିତ୍ର ମଦ୍ୟମାନ କରିବା ଶାସ୍ତ୍ରନୁମୋଦିତ । ପ୍ରାୟ ଦୁଇଶହ ପୃଷ୍ଠା ବ୍ୟାପୀ ଲେଖା ଯାଇଥିବା ଏହି ଉତ୍ତର ଗୁଡ଼ିକରେ ବହୁ ଧର୍ମାନୁମୋଦିତ ତଥ୍ୟ ସନ୍ନିବେଶିତ ହୋଇଥିଲା । ରାମମୋହନ ଏହି ଉତ୍ତର ଦେବାପରେ ଉଭୟଙ୍କ ମଧ୍ୟରେ ଆଉ କୌଣସି ବାଦାନୁବାଦ ହୋଇନଥିଲା ।

 

୧୮୨୪ ମସିହାରେ ଆମେରିକାରେ ଜଣେ ଖ୍ରୀଷ୍ଟିଆନ ଭାରତୀୟମାନେ ଖ୍ରୀଷ୍ଟଧର୍ମ ଅବଲମ୍ବନ କରିବା ସମ୍ପର୍କରେ ରାମମୋହନଙ୍କ ମତାମତ ଜାଣିବାକୁ ଚାହୁଁଥିଲେ । ରାମମୋହନ ଏ ସମ୍ପର୍କରେ ତାଙ୍କର ମତାମତ ଦେବାକୁ ଯାଇ କହିଥିଲେ ଯେ, “ଯେଉଁ ଜାତି ଈଶ୍ଵରରେ ବିଶ୍ୱାସ କରେ, ଉପାସନା ଲାଗି ଯେ କୌଣସି—ପନ୍ଥା ଅବଲମ୍ବନ କରିବା ଶାସ୍ତ୍ର ସମ୍ମତ ତଥାପି ମୁଁ ଭାବୁଛି ଯେ, ଖ୍ରୀଷ୍ଟଧର୍ମର ଯଥାର୍ଥ ମର୍ମ ସମ୍ପର୍କରେ ଲୋକଙ୍କର ହୃଦବୋଧ କରାଯାଇ ପାରିଲେ ଏହି ଧର୍ମ ଉନ୍ନତି ପଥରେ ଆଗେଇ ଯିବାର ସମ୍ଭାବନା ରହିଛି’’ ।

Image

 

ଚତୁର୍ଥ ପରିଚ୍ଛେଦ

ବ୍ରାହ୍ମସଭା ଓ ଧର୍ମ ସଂସ୍କାର

 

ରାମମୋହନ ରଘୁନାଥପୁରଠାରେ ଯେଉଁ ଗୃହ ନିର୍ମାଣ କରିଥିଲେ, ସେଠାରେ ସେ ଅଧିକକାଳ ରହିନଥିଲେ । ୧୮୧୪ ମସିହା ବେଳକୁ ସେ କଲିକତା ଆସି ସେଠାରେ ବସବାସ କରିବା ପାଇଁ ଇଚ୍ଛା ପ୍ରକାଶ କଲେ । ସେତେବେଳକୁ ରାମମୋହନଙ୍କ ପାଖରେ ଯଥେଷ୍ଟ ଅର୍ଥଥିଲା-। ଯେଉଁ ଲକ୍ଷ୍ୟ ନେଇ ସେ ଆଗେଇ ଯାଉଥିଲେ, ଏହି ଅର୍ଥ ସାହାଯ୍ୟରେ ସେ ତାହା ପୂରଣ କରି ପାରିବେ ବୋଲି ତାଙ୍କର ଆତ୍ମବିଶ୍ଵାସ ଜନ୍ମିଥିଲା । ତେଣୁ କଲିକତାରେ ପହଞ୍ଚି ସେ ‘ଅପରସର୍କୁଲାର ରୋଡ଼୍‍’ରେ ଗୋଟିଏ ସୁନ୍ଦର ଅଟ୍ଟାଳିକା କ୍ରୟ କଲେ । ରଙ୍ଗପୁରରେ ଚାକିରି କରୁଥିବା ସମୟରେ ସେ ଗୋଟିଏ ଜମିଦାରୀ କ୍ରୟକରି ଥିଲେ । ଏହା ଜମିଦାରୀରୁ ବାର୍ଷିକ ଆୟଥିଲା, ୧୦,୦୦୦ ଟଙ୍କା । କଲିକତାରେ ତାଙ୍କର ବହୁବ୍ୟକ୍ତି ପରିଚିତ ଥିଲେ-। ବହୁ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ତାଙ୍କୁ ଆଦର ଓ ସମ୍ମାନ କରୁଥିଲେ । ବହୁ ଉଚ୍ଚପଦସ୍ଥ ବ୍ୟକ୍ତି ମଧ୍ୟ ସେତେବେଳେ ଜାଣିଥିଲେ ରାମମୋହନ ଉଦାର ଧର୍ମଭାବ ପୋଷଣ କରିଥିବାରୁ ଗୃହରୁ ସେ ବିତାଡ଼ିତ ହୋଇଛନ୍ତି ।

 

ଏହି ସମୟରେ କଲିକତାଠାରେ ତାଙ୍କର ବହୁବନ୍ଧୁ, ଶୁଭକାଂକ୍ଷୀ ଏବଂ ଉଦାର ଧର୍ମଭାବର ପୃଷ୍ଠପୋଷକ ତାଙ୍କୁ ସାକ୍ଷାତକର ଧର୍ମ, ଉପାସନା ସଂସ୍କାର ପ୍ରଭୃତି ବିଷୟରେ ତାଙ୍କ ସହ ଆଲୋଚନା କରୁଥିଲେ । ଏହା ଦେଖି ରକ୍ଷଣଶୀଳ ହିନ୍ଦୁମାନେ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କ ସହିତ ଶତ୍ରୁତାଚରଣ କରିବାପାଇଁ ଆଗଭର ହୋଇ ବାହାରିଲେ । ସେତେବେଳେ କଲିକତାରେ ବସବାସ କରୁଥିବା ଜୈନଗୋଷ୍ଠୀର କେତେକ ମାରୁଆଡ଼ି ବ୍ୟବସାୟୀ ରାମମୋହନଙ୍କୁ ସଂପୂର୍ଣ୍ଣ ସମର୍ଥନ କରୁଥାନ୍ତି । ଖ୍ରୀଷ୍ଟୀୟ ସଂପ୍ରଦାୟର ଲୋକେ ସେତେବେଳେ ଭାବିଥିଲେ ଯେ, ରାମମୋହନଙ୍କ ଉପରେ ଖ୍ରୀଷ୍ଟଧର୍ମର ପ୍ରଭାବ ଯଥେଷ୍ଟ ପଡ଼ିଛି । କେତେକ ଖ୍ରୀଷ୍ଟଧର୍ମାବଲମ୍ବୀ ରାମମୋହନଙ୍କୁ ସାକ୍ଷାତକରି ସେ ଖ୍ରୀଷ୍ଟଧର୍ମ ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦେଲେ । କିନ୍ତୁ ରାମମୋହନ ସେଥିପ୍ରତି ଆଦୌ କର୍ଣ୍ଣପାତ କରିନଥିଲେ । ଖ୍ରୀଷ୍ଟ ଧର୍ମ ସଂପର୍କରେ ରାମମୋହନଙ୍କର ମତାମତ କ’ଣ ଥିଲା, ତାହା ପୂର୍ବବର୍ତ୍ତୀ ପୃଷ୍ଠାରେ ଆଲୋଚନା କରାଯାଇଛି ।

 

ରାମମୋହନ କଲିକତା ଆସିଲାବେଳକୁ ଇଂରାଜୀ ଭାଷାରେ ସେ ଦକ୍ଷତାଲାଭ କରିସାରିଥିଲେ ଏବଂ ବିଭିନ୍ନ ଭାଷାରେ ବହୁ ପୁସ୍ତକ ଓ ଦର୍ଶନଶାସ୍ତ୍ର ମଧ୍ୟ ଅଧ୍ୟୟନ କରିସାରିଥିଲେ-। ସେତେବେଳେ କଲିକତା ପରିଭ୍ରମଣରେ ଆସିଥିବା ଜଣେ ଇଂରେଜ ପର୍ଯ୍ୟଟକ ‘କଲିକତା ଜର୍ଣ୍ଣାଲ’ରେ ଲେଖିଲେ ‘‘I was introduced to Ram Mohan in 1818 and was surprised at the unparalleled accuracy of his language, never before having heard any foreigner of Asiatic birth speak so well, and esteeming his fine choice towards as worthy the imitation of even English men...... I was delighted and surprised at his perfection in this tongue.’’ ଅର୍ଥାତ୍‌–‘‘୧୮୧୮ ମସିହାରେ ରାମମୋହନଙ୍କ ସହ ମୋର ପରିଚୟ ହୋଇଥିଲା ଏବଂ ତାଙ୍କ ଅତୁଳନୀୟ ଭାଷାଜ୍ଞାନରେ ମୁଁ ବିସ୍ମିତ ହୋଇଥିଲି । ଏହା ପୂର୍ବରୁ ଏସିଆରେ ଜନ୍ମଗ୍ରହଣ କରିଥିବା କୌଣସି ବିଦେଶୀ ଲୋକେ ସୁନ୍ଦର ଶବ୍ଦାବଳୀ ମନୋନୀତକରି ଇଂରେଜ ଲୋକଙ୍କ ଅନୁକରଣରେ କହିବା ମୁଁ ଶୁଣି ନ ଥିଲି-। ତାଙ୍କୁ ନିର୍ଭୁଲ ଭାଷାଜ୍ଞାନରେ ମୁଁ ଆନନ୍ଦିତ ଓ ବିସ୍ମିତ ହେଲି ।” ରାମମୋହନ ଯେଉଁ ଇଂରାଜୀ କହୁଥିଲେ ଓ ଲେଖୁଥିଲେ, ତାହା ଖୁବ୍‌ ଉଚ୍ଚକୋଟୀର ଥିଲା । ବିଖ୍ୟାତ ଇଂରେଜ ଦାର୍ଶନିକ ଜେରେମି ବେନ୍ଥାମ୍‌ ରାମମୋହନଙ୍କ ପାଖକୁ ଲେଖିଥିବା ଏକ ପତ୍ରରେ ରାମମୋହନଙ୍କ ଲିଖିତ ପୁସ୍ତକରେ ସନ୍ନିବେଶିତ ଶୈଳୀର ଉଚ୍ଚପ୍ରଶଂସା କରିଥିଲେ । ରାମମୋହନ କଲିକତାରେ ବାସ କରୁଥିବା ସମୟରେ ତାହା ପ୍ରାଚ୍ୟଭୂଖଣ୍ଡସ୍ଥିତ ଏକ ବିଶାଳ ସାମ୍ରାଜ୍ୟର ପୀଠସ୍ଥଳ ଥିଲା । ମଧ୍ୟବିତ୍ତ ପରିବାରର ବଙ୍ଗାଳୀମାନେ ସେତେବେଳରୁ ପାଶ୍ଚାତ୍ୟ ପ୍ରଭାବରେ ପ୍ରଭାବିତ ହୋଇସାରିଥିଲେ-। ଏହି ସମୟରେ ବିଶ୍ୱରେ ପ୍ରାୟ ସର୍ବତ୍ର ପରିବର୍ତ୍ତନର ଏକସ୍ରୋତ ପ୍ରବାହିତ ହେଉଥିଲା । ଅଧିକାଂଶ ଲୋକେ ନୂତନ ଆଲୋକର ଅନ୍ୱେଷଣରେ ଲାଗିଥିଲେ । ରକ୍ଷଣଶୀଳ ହିନ୍ଦୁସମାଜ ସେତେବେଳେ ଏକ ଅନ୍ଧକାରମୟ ସାମାଜିକ ଚିତ୍ର ଲୋକଙ୍କ ଆଗରେ ଉପସ୍ଥାପନ କରୁଥିଲା । ଏପରି ଏକ ସମୟରେ ସଂସ୍କାର ପ୍ରୟାସୀ ରାମମୋହନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଲା । ଉଦାର ମତବାଦୀ ବଙ୍ଗାଳୀମାନେ ନୂତନ ଭାରତର ଚିତ୍ରପଟ ମନମଧ୍ୟରେ ଅଙ୍କନ କରି ସମାଜରେ ଏକ ନୂତନ ଆଲୋକର ବର୍ତ୍ତିକା ଜାଳିଦେବାପାଇଁ ଜଣେ ସୁଯୋଗ୍ୟ ନେତାଙ୍କର ଅନୁସନ୍ଧାନ କରୁଥିଲେ-। ରାମମୋହନ ସେତେବେଳେ ସେମାନଙ୍କର ଏହି ସୁଯୋଗ୍ୟ ନେତାରୂପେ ମୁଣ୍ଡ ଟେକି ଉଠିଲେ-। ସେ ଯେଉଁ ଘରେ ବାସ କରୁଥିଲେ, ତାହା ଥିଲା ଏକ ଆଧୁନିକ ଭବନ ଏବଂ ପାଶ୍ଚାତ୍ୟ ଢାଞ୍ଚାରେ ନିର୍ମିତ । ଏହି ଘରେ ୧୮୧୫ ମସିହାରେ ଆତ୍ମୀୟସଭା କରିଥିଲା । ଏ ସଭାରେ ତତ୍କାଳୀନ ବଙ୍ଗଳାର ବହୁ ପ୍ରଭାବଶାଳୀ ବ୍ୟକ୍ତି ଯୋଗ ଦେଉଥିଲେ । ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ପିତାମହ ଶ୍ରୀ ଦ୍ଵାରକାନାଥ ଟାଗୋର ରାମମୋହନଙ୍କର ଜଣେ ପ୍ରଧାନ ସମର୍ଥକ ଓ ପୃଷ୍ଠପୋଷକ ଥିଲେ । ହିନ୍ଦୁ ସମାଜରୁ ଅଜ୍ଞତା ଓ କୁସଂସ୍କାର ଦୂରକରି ସାମାଜିକ ଜୀବନକୁ ନିର୍ମଳ ଓ ଉଜ୍ଜ୍ଵଳ କରିବା ରାମମୋହନଙ୍କର ଲକ୍ଷ୍ୟଥିଲା । ଚାକିରି ଓ ପରିବାର ପ୍ରତିପୋଷଣରେ ଗୁରୁଭାର ବହନ କରୁଥିବା ପର୍ଯ୍ୟନ୍ତ ସେ ଏ ଦିଗରେ ବିଶେଷ ଅଗ୍ରଗତି କରିପାରୁନଥିଲେ । ଚାକିରିରୁ ଅବସର ନେବା ପରେ ଏବଂ ଆର୍ଥିକ ସ୍ଵଚ୍ଛଳତା ସହ କଲିକତାରେ ସ୍ଥାୟୀଭାବେ ଅବସ୍ଥାନ କରିବା ପରେ ତାଙ୍କୁ ଏ ଦିଗରେ କ୍ଷିପ୍ରଗତିରେ ଅଗ୍ରସର ହେବା ପାଇଁ ଯଥେଷ୍ଟ ସୁବିଧା ସୁଯୋଗ ମିଳିଲା-। ଏହି ଅବସରରେ ସେ ନିଜର ପରିକଳ୍ପନାକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବାପାଇଁ ଉଦ୍ୟମ ଆରମ୍ଭ କଲେ ।

 

ଧର୍ମତତ୍ତ୍ଵ ଆଲୋଚନା ଉଦ୍ଦେଶ୍ୟରେ ‘ଆତ୍ମୀୟସଭା’ ନାମକ ଏକ ସଂସ୍ଥା ପ୍ରତିଷ୍ଠା କରାଗଲା । ପ୍ରତି ସପ୍ତାହରେ ଏହି ସଭାର ଅଧିବେଶନ ଅନୁଷ୍ଠିତ ହୋଇ ବିଭିନ୍ନଧର୍ମର ତତ୍ତ୍ଵ ଓ ସାର୍‌ବତ୍ତା ସଂପର୍କରେ ଆଲୋଚନା ହେଲା । ରାମମୋହନ ଏହାର ପ୍ରତିଅଧିବେଶନରେ ଯୋଗ ଦେଉଥିଲେ । ଆଲୋଚନା ଲାଗି ବିଷୟ ମନୋନୟନ କରିବା ସଙ୍ଗେ ସଙ୍ଗେ ତର୍କ ବିତର୍କ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ସେ ଜଡ଼ିତ ହେଉଥିଲେ । ଏହି ସଭା ମାଧ୍ୟମରେ ଆତ୍ମୀୟସଭାର ସଭ୍ୟମାନଙ୍କ ମଧ୍ୟରେ ଭାତୃତ୍ଵ ଓ ଘନିଷ୍ଠତା ବୃଦ୍ଧି ପାଉଥିଲା । ଏହା ମୁଖ୍ୟତଃ ହିନ୍ଦୁମାନଙ୍କର ସଭା ହୋଇଥିଲେ ମଧ୍ୟ ଏହାର ଅଧିବେଶନରେ ବିଦେଶୀମାନେ ଯୋଗଦେଉଥିଲେ ଏବଂ ସେମାନଙ୍କୁ ସ୍ଵାଗତ କରାଯାଉଥିଲା । ସାମାଜିକ ବିକାଶ କ୍ଷେତ୍ରରେ ଆଗେଇ ଯିବାପାଇଁ ଡାଭିଡ୍‌ ହେୟାର ନାମକ ଜଣେ ଇଂରେଜ ବ୍ୟବସାୟୀ ରାମମୋହନଙ୍କର ଦୃଢ଼ ସମର୍ଥକ ଥିଲେ । ଏହି ସଭାରେ ମନ୍ତ୍ରଉଚ୍ଚାରଣକୁ ସଭ୍ୟମାନେ ଧୀରସ୍ଥିର ଭାବରେ ଶ୍ରବଣ କରୁଥିଲେ ଏବଂ ଏକଶ୍ଵରବାଦ ଏହାର ମୂଲଭିତ୍ତି ଥିଲା । ରାମମୋହନ ଏବଂ ତାଙ୍କ ବନ୍ଧୁଙ୍କ ଦ୍ଵାରା ଲିଖିତ ‘ଉପାସନା’ ସଙ୍ଗୀତ ଏହି ସଭାରେ ଗାନ କରାଯାଉଥିଲା

 

ଦେଶର ଲୋକଙ୍କ ମଧ୍ୟରେ ଶିକ୍ଷାରେ ଅଭାବ ଦୂରକରି ସୁଶିକ୍ଷାର ପ୍ରଚଳନ ସତୀଦାହ ପ୍ରଥା ଲୋପ କରିବା, ସ୍ଵାମୀ ସମ୍ପତ୍ତି ଉପରେ ବିଧବା ମହିଳାମାନେ ଅଧିକାର ପାଇବା ପ୍ରଭୃତି ବିଷୟ ଏହ ସଭାରେ ଆଲୋଚିତ ହେଉଥିଲା । ସେତେବେଳେ ହିନ୍ଦୁ ସମାଜରେ ଅଜ୍ଞତା ଓ କୁସଂସ୍କାର ବ୍ୟାପକହୋଇ ଜନସାଧାରଣଙ୍କୁ ଅନ୍ଧକାର ମଧ୍ୟକୁ ନିକ୍ଷେପ କରିଥିବାବେଳେ, ଏସବୁର ଅବସାନ ଘଟାଇ ଲୋକଙ୍କୁ ହିନ୍ଦୁ ଧର୍ମର ପ୍ରକୃତ ମର୍ମ ବୁଝାଇବା ଏବଂ ସମାଜରେ ପ୍ରକୃତ ଧର୍ମ ପ୍ରଚାର କରିବାଲାଗି ସଭାରେ ଆଲୋଚନା ହେଉଥିଲା । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସମାଜ ମଧ୍ୟରେ ଘନିଷ୍ଠ ସମ୍ପର୍କ ପ୍ରତିଷ୍ଠାକରି ଭାବର ଆଦାନ ପ୍ରଦାନ ବୃଦ୍ଧି କରିବା ସଂପର୍କରେ ମଧ୍ୟ ଆଲୋଚନା ହେଉଥିଲା । ପ୍ରାଚ୍ୟ ସମାଜରେ ଯାହାକିଛି ପ୍ରଥା ଥିଲା, ତାହାସବୁ ମନ୍ଦ ଓ ପାଶ୍ଚାତ୍ୟ ସମାଜରେ ଯାହାକିଛି ଥିଲା, ତାହା ସବୁ ଭଲ ଏହି ଧାରଣା ଉଭୟ ସମାଜରୁ ଲୋପ କରିବା ପାଇଁ ରାମମୋହନ ଏହି ସଭାମାଧ୍ୟମରେ ଉଦ୍ୟମ କରିଥିଲେ । ପାଶ୍ଚାତ୍ୟ ସମାଜର ଉତ୍ତମ ଗୁଣଗୁଡ଼ିକୁ ଗ୍ରହଣକରି ବିକାଶ ପଥରେ ଅଗ୍ରସର ହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଉଥିଲେ ଏବଂ ଏ ସଂପର୍କରେ ଆତ୍ମୀୟସଭାରେ ଆଲୋଚନା ହେଉଥିଲା । ବ୍ରିଟିଶ ଶାସକମାନେ ଲୋକଙ୍କୁ ଉପଯୁକ୍ତ ଶିକ୍ଷା ଓ ରାଜନୈତିକ କ୍ଷେତ୍ରରେ ଅଧିକାର ଦେବାକୁ ପ୍ରୟାସୀ ନ ଥିଲେ । ବହୁ ଇଂରେଜ କର୍ମଚାରୀ ଭାରତବାସୀଙ୍କୁ ପଶୁଭଳି ବିବେଚନାକରି ସେମାନଙ୍କୁ ଘୃଣା କରୁଥିଲେ । ଏଥିରେ ଭାରତବାସୀଙ୍କ ଆତ୍ମମର୍ଯ୍ୟାଦା ଉପରେ ଆଞ୍ଚ ଆସିଥିଲା ଏବଂ ତତ୍କାଳୀନ ଭାରତର ବୁଦ୍ଧିଜୀବୀ ଗୋଷ୍ଠୀ ଇଂରେଜମାନଙ୍କ ଏହି ଆଚରଣରେ ଅତ୍ୟନ୍ତ ମର୍ମାହତ ହୋଇଥିଲେ । ସେତେବେଳେ ରାମମୋହନଙ୍କର ଯୁକ୍ତିଥିଲା ଯେ, ଭାରତୀୟମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ରାଜନୈତିକ ଅଧିକାର ଦିଆନଯିବା ପର୍ଯ୍ୟନ୍ତ ଦେଶର କୌଣସି ଉଲ୍ଲେଖଯୋଗ୍ୟ ବିକାଶ ସାଧିତ ହୋଇ ପାରିବ ନାହିଁ । ଭାରତୀୟମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିବା ଇଂରେଜ ଶାସକଙ୍କ ପକ୍ଷେ ଅବାଞ୍ଛନୀୟ, ବରଂ ସେମାନଙ୍କର ନ୍ୟାଯ୍ୟ ଅଧିକାରକୁ ସ୍ଵୀକାର କରିବା ଦ୍ଵାରାହିଁ ଇଂରେଜମାନଙ୍କର ଗୌରବ ବୃଦ୍ଧି ହେବ । ଏ ସମସ୍ତ ବିଷୟ ଯେପରି କାର୍ଯ୍ୟରେ ପରିଣତ ହେବ, ସେଥିପାଇଁ ସେ କାୟ, ମନ ଓ ବାକ୍ୟରେ କାର୍ଯ୍ୟ କରୁଥିଲେ । ସେ ଏଥିରେ ତାଙ୍କର ପ୍ରାୟ ସମସ୍ତ ଶକ୍ତି ବିନିଯୋଗ କରୁଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ବ୍ରହ୍ମ-ସୂତ୍ର

 

ହିନ୍ଦୁମାନଙ୍କର ବେଦ ଓ ଉପନିଷଦ ପ୍ରତି ରାମମୋହନଙ୍କର ସମ୍ମାନ ଓ ଶ୍ରଦ୍ଧା ଥିଲା । ହିନ୍ଦୁମାନଙ୍କର ଜ୍ଞାନ ଓ ଧର୍ମର ଭଣ୍ଡାର ସ୍ଵରୂପ ଏହି ଗ୍ରନ୍ଥ ଅଧ୍ୟୟନ କରିବାରେ ରାମମୋହନ ବହୁ ସମୟ ଅତିବାହିତ କରୁଥିଲେ । ସେ କହୁଥିଲେ ଯେ, ଏହି ଗ୍ରନ୍ଥଗୁଡ଼ିକରେ ଜ୍ଞାନର ଯେଉଁ ଅମୂଲ୍ୟସମ୍ପଦ ରହିଛି, ତାହା ପାଶ୍ଚାତ୍ୟ ଜନସାଧାରଣ ଜାଣିବା ଦ୍ଵାରା ସେମାନଙ୍କୁ ଜ୍ଞାନବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଧର୍ମଭାବ ମଧ୍ୟ ବୃଦ୍ଧି ପାଇବ । ଏହି ବିଷୟ ଦୃଷ୍ଟିରେ ରଖି ସେ କେତେକ ହିନ୍ଦୁ ଧର୍ମ ଗ୍ରନ୍ଥକୁ ଇଂରାଜୀରେ ଅନୁବାଦ କରିଥିଲେ ଓ ତାହାର ପ୍ରଚାର ମଧ୍ୟ କରିଥିଲେ । ଖ୍ରୀଷ୍ଟଧର୍ମର ଧର୍ମଗ୍ରନ୍ଥ ବାଇବେଲ ପ୍ରଥମେ ହେବ୍ର୍ୟୁ (Hebrew) ଭାଷାରେ ଲିଖିତ ହୋଇଥିଲା । ଏ ଭାଷାରେ ଏହି ଗ୍ରନ୍ଥଟିକୁ ଅଧ୍ୟୟନକରି ତାହାର ତାତ୍ପର୍ଯ୍ୟ ଦୃଦୟଙ୍ଗମ କରିବାଲାଗି ସେ ହେବ୍ର୍ୟୁ ଭାଷା ଅଧ୍ୟୟନ କଲେ ।

 

ରାମମୋହନଙ୍କର ଏପରି ଅସାଧାରଣ ଶକ୍ତି ଥିଲା ଯେ ୬ ମାସ ମଧ୍ୟରେ ହେବ୍ର୍ୟୁ ଭାଷାରେ ଲିଖିତ ଏହି ଗ୍ରନ୍ଥ ପାଠକରି ତାହାର ମର୍ମ ମଧ୍ୟ ଉପଲବ୍‍ଧ କରିପାରିବାକୁ ସେ ସମର୍ଥ ହୋଇ ପାରିଥିଲେ । ପୂର୍ବରୁ ସଂସ୍କୃତରେ ପାଣ୍ଡିତ୍ୟ ଲାଭକରି ରାମମୋହନ ହିନ୍ଦୁଧର୍ମର ଗ୍ରନ୍ଥଗୁଡ଼ିକୁ ଅଧ୍ୟୟନ ଓ ଅନୁଶୀଳନ କରିସାରିଥିଲେ । ଆରବୀୟ ଭାଷା ଶିକ୍ଷାକରି ମୁସଲମାନମାନଙ୍କର ଧର୍ମଗ୍ରନ୍ଥ କୋରାନ ମଧ୍ୟ ଅଧ୍ୟୟନ ଓ ପର୍ଯ୍ୟାଲୋଚନା କରିଥିଲେ ।

 

ଏହି ତିନି ଧର୍ମଗ୍ରନ୍ଥରୁ ଅଧ୍ୟୟନକରି ଏବଂ ପଣ୍ଡିତ ଓ ଧର୍ମଗୁରୁମାନଙ୍କ ସହ ସେ ସଂପର୍କରେ ଆଲୋଚନା କରି ରାମମୋହନ ସେତେବେଳକୁ ଏ ଗୁଡ଼ିକର ସାରମର୍ମ ସଂପର୍କରେ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହୋଇ ଦୃଢ଼ଭାବେ ମତବ୍ୟକ୍ତ କରିଥିଲେ, ଏକେଶ୍ୱରବାଦ ବା ଗୋଟିଏ ଈଶ୍ଵରଙ୍କୁ ଉପାସନା କରିବାହିଁ ସବୁ ଧର୍ମଗ୍ରନ୍ଥର ମୂଳତତ୍ତ୍ଵ ଏବଂ ବସ୍ତୁତଃ ଏହି ବିଷୟ ସମସ୍ତ ଧର୍ମ ଗ୍ରନ୍ଥରେ ପ୍ରତିପାଦିତ ହୋଇଛି ।

 

ଦିନେ ମାନ୍ଦ୍ରାଜର ଜଣେ ବିଖ୍ୟାତ ବେଦ ପଣ୍ଡିତ ଓ ରାମମୋହନଙ୍କ ମଧ୍ୟରେ ଏ ସଂପର୍କରେ ପ୍ରବଳ ଯୁକ୍ତି ହୋଇଥିଲା । ଏହି ବେଦ ପଣ୍ଡିତଙ୍କର ନାମ ଶ୍ରୀସୁବ୍ରମଣ୍ୟମ୍‌ଶାସ୍ତ୍ରୀ । ବିଶେଷକରି ପିତୁଳାପୂଜା ଉପରେ ଯୁକ୍ତି ପ୍ରବଳରୁ ପ୍ରବଳତର ହେଲା । ଯୁକ୍ତି ସମୟରେ କଲିକତାର ବଶିଷ୍ଟ ନାଗରିକମାନେ ଉପସ୍ଥିତ ଥିଲେ । ରାମମୋହନଙ୍କ ଅକାଟ୍ୟଯୁକ୍ତି, ପାଣ୍ଡିତ୍ୟ ଏବଂ ବାଗ୍ମିତା ଆଗରେ ବେଦ ପଣ୍ଡିତ ଶାସ୍ତ୍ରୀକୁ ଅବଶେଷରେ ମୁଁଣ୍ଡ ନୁଆଁଇବାକୁ ହେଲା ।

 

ୟୁନିଟେରିଆନ୍‌ (ଏକେଶ୍ଵରରେ ବିଶ୍ୱାସୀ) ଧର୍ମାବଲମ୍ବୀମାନେ ଏକେଶ୍ୱର ବା ପରମେଶ୍ଵରଙ୍କୁ ଉପାସନା କରୁଥିଲେ । ସେମାନଙ୍କର ମତ ଥିଲା ଯେ, ମାନବ ସମାଜର ପରିତ୍ରାଣକାରୀ ହେଉଛନ୍ତି, ସେହି ଏକ ପରମେଶ୍ଵର । ସେତେବେଳେ ଭାରତରେ ଥିବା ୟୁନିଟେରିଆନ୍‌ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କର ଉପାସନାଳୟ ନ ଥିଲା । ରାମମୋହନ ସେ ଦିଗରେ ଉଦ୍ୟମକରି ‘ହରକରା’ ନାମକ ଇଂରେଜୀ ସମ୍ବାଦପତ୍ର ଅଫିସ ଗୃହରେ ସେମାନଙ୍କ ପାଇଁ ଏକ ଉପାସନାଳୟ ପ୍ରତିଷ୍ଠା କରିଥିଲେ ।

 

ଏଥିରେ ତତ୍କାଳୀନ ବିଖ୍ୟାତ ଶିକ୍ଷାବିତ୍‍ ଆଡାମ୍‌ ଅଗ୍ରଣୀ ଥିଲେ ବୋଲି କୁହାଯାଏ । ଏ ଯେଉଁ ଉପାସନାଳୟଟି ପ୍ରତିଷ୍ଠିତ ହେଲା, ସେଥିରେ ଏକ ନୂତନ ଉପାସନା ପଦ୍ଧତିର ଅନୁସୃତ ହୋଇଥିବାରୁ ବହୁଲୋକ ତାହା ଦେଖିବା ପାଇଁ ଆଗ୍ରହ ପ୍ରକାଶ କରି ସେହି ଗୃହରେ ସମବେତ ହେଉଥିଲେ । ନିଜେ ରାମମୋହନ ତାଙ୍କର ପୁତ୍ର ଓ ବନ୍ଧୁମାନଙ୍କ ସହିତ ଏହି ଉପାସନାଳୟକୁ ଯାଉଥିଲେ ।

 

ଦିନେ ସେଠାର ସଭାକାର୍ଯ୍ୟ ସମାପ୍ତ ହେବାପରେ ତାରାଚାନ୍ଦ ଚକ୍ରବର୍ତ୍ତୀ ନାମକ ଜଣେ ବ୍ୟକ୍ତି ଓ ରାମମୋହନଙ୍କ ମଧ୍ୟରେ ଘୋର ବାଦାନୁବାଦ ଚାଲିଲା । ଏହାର ବିଷୟବସ୍ତୁ ଥିଲା ଯେ, ହିନ୍ଦୁମାନେ ଏହି ୟୁନିଟେରିଆନମାନଙ୍କ ଉପାସନାଳୟକୁ ଯିବେ କାହିଁକି ? ସେମାନେ କ’ଣ ଏକେଶ୍ୱରବାଦ ଉପାସନା ନିମନ୍ତେ ଗୋଟିଏ ସ୍ଵତନ୍ତ୍ର ଉପାସନାଳୟ କରି ପାରିବେ ନାହିଁ ? ରାମମୋହନ ଏହି ମତକୁ ସମର୍ଥନକରି ହିନ୍ଦୁମାନଙ୍କ ପାଇଁ ଗୋଟିଏ ସ୍ଵତନ୍ତ୍ର ଉପାସନାଳୟ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିଜ ବାସଭବନରେ ଗୋଟିଏ ସଭା ଆହ୍ଵାନ କରିଥିଲେ ।

 

କଲିକତାର ଚିତ୍‌ପୁର ରୋଡ଼୍‍ଠାରେ ଶ୍ରୀ କମଳକୃଷ୍ଣ ବସୁଙ୍କ ଗୃହରେ ଏହି ଉପାସନାଳୟ ହେବ ବୋଲି ନିଷ୍ପତ୍ତି ନିଆଗଲା । ୧୮୨୮ ମସିହା ଅଗଷ୍ଟ ୨୦ ତାରିଖ ଦିନ ରାମମୋହନ ତାଙ୍କର କେତେକ ବନ୍ଧୁଙ୍କୁ ନେଇ ଏକେଶ୍ୱରବାଦ ବା ବ୍ରହ୍ମୋପାସନା ଆରମ୍ଭ କଲେ । ଏହି ସଭାପତି ଶନିବାର ଦିନ ଅନୁଷ୍ଠିତ ହେଉଥିଲା । ଦୁଇଜଣ ତେଲଗୁ ବେଦଜ୍ଞ ପଣ୍ଡିତ ସଭାରେ ବେଦପାଠ କରୁଥିଲେ । ଉଚ୍ଛବାନନ୍ଦ ବିଦ୍ୟାବାଗୀଶ ନାମକ ଜଣେ ପଣ୍ଡିତ ଉପନିଷଦ ପାଠ କରୁଥିଲେ ଏବଂ ରାମଚନ୍ଦ୍ର ବିଦ୍ୟାବାଗୀଶ ନାମକ ଆଉ ଜଣେ ପଣ୍ଡିତ ଶ୍ଳୋକର ବ୍ୟାଖ୍ୟା କରୁଥିଲେ । ସଭା ଶେଷରେ ବାଦ୍ୟ ସହକାରେ ସଂସ୍କୃତ ଓ ବଙ୍ଗଳା ଭାଷାରେ ଲିଖିତ ସଙ୍ଗୀତ ଗାନ କରାଯାଉଥିଲା । ଏହି ଉପାସନା ସଭାର ଖ୍ୟାତି ଏତେଦୂର ପ୍ରସାରିତ ହେଲା ଯେ, ଲୋକେ କ୍ରମଶଃ ଏଥିପ୍ରତି ଆଗ୍ରହ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବହୁ ସଂଖ୍ୟାରେ ଏଥିରେ ଯୋଗ ଦେଲେ-। ହିନ୍ଦୁ ଧର୍ମଗ୍ରନ୍ଥ, ଉପନିଷଦ ଓ ବେଦ ଉପରେ ପଣ୍ଡିତମାନଙ୍କ ପାଣ୍ଡିତ୍ୟପୂର୍ଣ୍ଣ ବ୍ୟାଖ୍ୟା ଶ୍ରବଣ କରି ଶ୍ରୋତାମାନେ ଚମତ୍କୃତ ହେଉଥିଲେ ।

 

ଶ୍ରୋତାମାନଙ୍କର ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଲା ଓ ସେ ଘରେ ବସିବାପାଇଁ ସ୍ଥାନର ଅଭାବ ହେଲା । ତେଣୁ ରାମମୋହନ ଏ ସମସ୍ୟାର ସମାଧାନ ଲାଗି କଲିକତା ସହରର ଯୋଡ଼ାଶାଙ୍କୋଠାରେ ଖଣ୍ଡିଏ ଜମିକିଣି ତାହା ଉପରେ ଗୋଟିଏ କୋଠା ନିର୍ମାଣ କରିଥିଲେ । ୧୮୨୯ ଜାନୁୟାରୀ ୨୩ ତାରିଖ ଦିନ ଏହି କୋଠାଟି ବ୍ରାହ୍ମ-ସମାଜର ମନ୍ଦିରରୂପେ ପ୍ରତିଷ୍ଠିତ ହେଲା । ରାମମୋହନ ବ୍ରାହ୍ମ-ଧର୍ମକୁ ଉଦାରଭିତ୍ତିରେ ପ୍ରତିଷ୍ଠିତ କରିବାପାଇଁ ସର୍ବଦା ଉଦ୍ୟମ କରୁଥିଲେ । ବିଭିନ୍ନ ଧର୍ମଶାସ୍ତ୍ର ଅଧ୍ୟୟନ ଓ ଅନୁଶୀଳନ କରିବାଦ୍ଵାରା ସେ ସ୍ପଷ୍ଟଭାବେ ହୃଦୟଙ୍ଗମ କରିପାରିଥିଲେ ଯେ, ଈଶ୍ଵର ଏକ ଏବଂ ସବୁ ଧର୍ମଶାସ୍ତ୍ରରେ ଭଗବାନଙ୍କର ସତ୍ତାକୁ ସ୍ୱୀକାର କରାଯାଇଛି । ଈଶ୍ଵରଙ୍କ ସୃଷ୍ଟିରେ ସବୁ ଜୀବ ସମାନ । ତେଣୁ ସମଗ୍ର ମାନବ ସମାଜକୁ ଭଗବାନଙ୍କର ସନ୍ତାନ ସନ୍ତତି ବୋଲି ମନେକରି ସମସ୍ତଙ୍କୁ ସମାନଭାବରେ ସ୍ନେହ ଓ ଶ୍ରଦ୍ଧା କରିବା ଆମର କର୍ତ୍ତବ୍ୟ ।

 

ସବୁ ଧର୍ମଶାସ୍ତ୍ରରେ ମାନବ ଜାତିର ବିକାଶପନ୍ଥା ପ୍ରଦର୍ଶିତ ହୋଇଛିବୋଲି ସେ କହିଥିଲେ । ରାମମୋହନ ସବୁ ଧର୍ମଶାସ୍ତ୍ରଗୁଡ଼ିକୁ ସମାନ ଦୃଷ୍ଟିରେ ଦେଖିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ସେ ସମଭାବରେ ଆଦର ଯତ୍ନ କରୁଥିଲେ । ତାଙ୍କୁ ମୁସଲମାନମାନେ ମୁସଲମାନ ବୋଲି ଭାବିବା ଓ ଖ୍ରୀଷ୍ଟିଆନମାନେ ଖ୍ରୀଷ୍ଟିଆନ ବୋଲି ଭାବିବା ହେଉଛି, ତାଙ୍କ ଉଦାର ମନୋଭାବର ନିଦର୍ଶନ ।

 

ରାମମୋହନ ଇଂରାଜୀ ଭାଷାରେ ବେଦାନ୍ତ ବ୍ୟାଖ୍ୟା କରିଥିଲେ । ସାମବେଦର ଗୋଟିଏ ଅଧ୍ୟାୟ ଏବଂ ଯଜୁର୍ବେଦର ଗୋଟିଏ ଅଧ୍ୟାୟ ସେ ଇଂରାଜୀ ଭାଷାରେ ଲେଖି ତାହାର ବ୍ୟାଖ୍ୟା କରିବା ସଙ୍ଗେ ସଙ୍ଗେ ବିନା ମୂଲ୍ୟରେ ଉକ୍ତ ପୁସ୍ତକଗୁଡ଼ିକୁ ଲୋକଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ଏହା କରିବାରେ ସେ କଠିନଶ୍ରମ ଓ ବ୍ୟକ୍ତିଗତ ତ୍ୟାଗ ସ୍ଵୀକାର କରିଥିଲେ । ରାମମୋହନ ଏହି ପୁସ୍ତକର ମୁଖବନ୍ଧରେ ଲେଖିଲେ ‘‘ପ୍ରକୃତ ଈଶ୍ଵର ବା ଏକେଶ୍ୱରଙ୍କୁ ଉପାସନା କରିବା ନିମନ୍ତେ ମୁଁ ପିତୁଳାପୂଜା ପରିତ୍ୟାଗ କରିଛି । ଧର୍ମପୁସ୍ତକ ଗୁଡ଼ିକର ପ୍ରକୃତ ଅର୍ଥ, ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଦେଶବାସୀଙ୍କୁ ଏକ ସ୍ପଷ୍ଟ ଧାରଣାଦେବା ସଙ୍ଗେ ସଙ୍ଗେ ଏ ସଂପର୍କରେ ସେମାନଙ୍କର ହୃଦ୍‌ବୋଧ କରାଇବା ନିମିତ୍ତ ମୋର ସକଳ ଉଦ୍ୟମ ଉଦ୍ଦିଷ୍ଟ । ଯେଉଁମାନେ ଈଶ୍ଵରରେ ବିଶ୍ୱାସ କରନ୍ତି, ଅଜ୍ଞାନର ଅନ୍ଧକାର ମଧ୍ୟରେ ସେମାନଙ୍କୁ ବୁଡ଼ାଇ ରଖିବା ଆମର ଉଚିତ ନୁହେଁ । ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ମଧ୍ୟ ଜାଣିବା ଉଚିତ ଯେ, ଭାରତୀୟ ସମାଜରେ ଅନ୍ଧବିଶ୍ଵାସ ସମ୍ଭୂତ ଯେଉଁ ପ୍ରଥାସବୁ ପ୍ରଚଳିତ ହୁଏ, ଧର୍ମଗ୍ରନ୍ଥରେ ତାର କୌଣସି ଭିତ୍ତିନାହିଁ । ତେଣୁ ପାଶ୍ଚାତ୍ୟ ସମାଜ ଏ ସମ୍ପର୍କରେ ନ ଜାଣିବା ପର୍ଯ୍ୟନ୍ତ ହିନ୍ଦୁଦର୍ଶନ ଏବଂ ତାର ସାର୍ବଜନୀନ ପ୍ରୟୋଗ ସଂପର୍କରେ ପ୍ରଚାର କରିବା ସମ୍ଭବ ହେବ ନାହିଁ । ଯେଉଁ ଇଂରେଜ ଲୋକେ ତାଙ୍କ ପୁସ୍ତକକୁ ଅଧ୍ୟୟନ କରୁଥିଲେ ବା ଯେଉଁମାନେ ତାଙ୍କର ପୃଷ୍ଠପୋଷକ ଥିଲେ, ରାମମୋହନ ସେମାନଙ୍କୁ କହୁଥିଲେ ଯେ, ତାଙ୍କର ସମସ୍ତ ଉଦ୍ୟମ ଗୋଟିଏ ଉଦ୍ଦେଶ୍ୟ ପ୍ରଣୋଦିତ । ତାହା ହେଉଛି ମନୁଷ୍ୟକୁ ଇହଲୋକ ଓ ପରଲୋକରେ ସୁଖୀକରିବା । ଏହି ଉଦ୍ଦେଶ୍ୟପ୍ରତି ଦୃଷ୍ଟି ନିବଦ୍ଧକରି ଏକାଗ୍ରତା ସହକାରେ ଆଗେଇ ଚାଲିଥିବାବେଳେ ରାମମୋହନ ବହୁବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି । ମାତ୍ର ଅବଶେଷରେ ବିଜୟ ନିଶ୍ଚିତ ବୋଲି ତାଙ୍କର ଧାରଣାଥିବାରୁ ସେ କେବେହେଲେ ହତୋତ୍ସାହ ହୋଇ ନାହାନ୍ତି ।

 

ରାମମୋହନ କହୁଥିଲେ, ‘‘ଲୋକେ ମୋତେ ଯାହା କୁହନ୍ତୁନା କାହିଁକି, ମୁଁ ଜାଣିଛି ଯେ ମୋର କାର୍ଯ୍ୟ ଓ ଉଦ୍ଦେଶ୍ୟ ଈଶ୍ଵରଙ୍କ ଦ୍ୱାରା ଗ୍ରହଣୀୟ । ଈଶ୍ଵର ଅତ୍ୟନ୍ତ ଗୋପନୀୟଭାବରେ ସମସ୍ତ ବିଷୟ ଦେଖିପାରୁଛନ୍ତି ଏବଂ ଏଥିରୁ ମୋତେ ଯଥେଷ୍ଟ ସାନ୍ତ୍ୱନା ମିଳୁଛି । ମୁଁ ଏଲୋକଙ୍କ କଥାରେ ମହତ୍‍କାର୍ଯ୍ୟରୁ ବଞ୍ଚିତ ହେବା ଉଚିତ୍‍ ନୁହେଁ’’ । ରାମମୋହନ କୌଣସିଲୋକଙ୍କୁ କିଛି ବିଷୟ ବୁଝାଉଥିବା ବେଳେ ଯଦି ସେ ସନ୍ଦେହ ଆରୋପକରୁଥିଲେ, ତେବେ ବିଭିନ୍ନ ଉପାୟରେ ତାଙ୍କର ସଂପୂର୍ଣ୍ଣ ହୃଦ୍‌ବୋଧ କରାଇବାରେ ସେ ସଫଳ ହେଉଥିଲେ ।

 

ବେଦାନ୍ତ ବ୍ୟାଖ୍ୟା

 

ରାମମୋହନଙ୍କ ଉପରେ ମନ୍ତବ୍ୟ ପ୍ରକାଶ କରି ଅଧ୍ୟାପକ ସିଲଭେନ ଲେଭି (Professor Sylvain Levi) କହିଛନ୍ତି, ରାମମୋହନ ତାଙ୍କର ଇଚ୍ଛା ଶକ୍ତି ବଳରେ ଆଦର୍ଶବାଦକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସ୍ଵତନ୍ତ୍ର ଭାବେ ବିଜ୍ଞତା ପ୍ରଦର୍ଶନ କରିଛନ୍ତି । ଆଦର୍ଶବାଦକୁ ବାସ୍ତବ ରୂପରେଖ ଦେବାପାଇଁ ତାଙ୍କର ପ୍ରଥମ ବଡ଼ ପଦକ୍ଷେପ ହେଉଛି ୧୮୧୫ ମସିହାରେ କଲିକତାରେ ଆତ୍ମୀୟ ସଭା ପ୍ରତିଷ୍ଠା । ସାମାଜିକ କୁସଂସ୍କାର ଓ ଧର୍ମ ସଂପର୍କୀୟ ମୌଳିକ ବିଷୟ ଗୁଡ଼ିକର ଆଲୋଚନା ଲାଗି ଏହା ଏକ ପ୍ରକୃଷ୍ଟ କ୍ଷେତ୍ରଥିଲା । ଦ୍ଵାରକାନାଥ ଟାଗୋର, ବୃନ୍ଦାବନ ମିତ୍ର, ବ୍ରଜମୋହନ ମଜୁମଦାର, ନିଲରତନ ହାଲଦାର, ଗୋପୀ ମୋହନ ଟାଗୋର ଏବଂ ନନ୍ଦକିଶୋର ବୋଷ ଏମାନେ ଆତ୍ମୀୟ ସଭାର ପ୍ରଧାନ ପୃଷ୍ଠପୋଷକ ଥିଲେ । ଏହି ସଭାରେ ବେଦର ବ୍ୟାଖ୍ୟା କରିଯିବା ସଂଗେ ସଂଗେ ଆଲୋଚନା ମାଧ୍ୟମରେ ତାହାର ଅନୁଶୀଳନ କରାଯାଉଥିଲା । ଏହି ସଭାର ଦ୍ଵାରା ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ଲାଗି ଉନ୍ମୁକ୍ତ ଥିବାରୁ ବିଭିନ୍ନ ଧର୍ମଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଏଠାରେ ଦେଖିବାକୁ ମିଳୁଥିଲା । ସେମାନଙ୍କ ମଧ୍ୟରୁ କେତେକ ଧର୍ମ ଓ ସାମାଜିକ ବ୍ୟାପାରରେ ବହୁ ଗୁରୁତର ପ୍ରଶ୍ନ ଉତ୍‍ଥାପନ କରୁଥିଲେ ଏବଂ ରାମମୋହନଙ୍କୁ ପ୍ରାୟ ସମସ୍ତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେବାକୁ ପଡ଼ୁଥିଲା-। ଏହି ପ୍ରଶ୍ନୋତ୍ତର ଓ ଆଲୋଚନା ମାଧ୍ୟମରେ ରାମମୋହନ ତାଙ୍କ ଆଦର୍ଶବାଦୀ ଚିନ୍ତାଧାରାର ପ୍ରଚାର ନିମନ୍ତେ ନୂତନ ସୁଯୋଗ ଲାଭ କରିଥିଲେ ।

 

ଉତ୍ସବାନନ୍ଦ ବିଦ୍ୟାବାଗୀଶ ନାମକ ଜଣେ ବେଦାନ୍ତ ପଣ୍ଡିତ ରାମମୋହନଙ୍କ ନିକଟକୁ ସଂସ୍କୃତ ଭାଷାରେ ଅନେକ ପତ୍ର ଲେଖି ବେଦାନ୍ତ ସଂପର୍କୀୟ ବହୁ ଜଟିଳ ବିଷୟରେ ସ୍ପଷ୍ଟୀକରଣ ଚାହିଁଥିଲେ । ରାମମୋହନ ଉତ୍ସବାନନ୍ଦଙ୍କ ପ୍ରଶ୍ନଗୁଡ଼ିକର ଯେଉଁ ଉତ୍ତର ଦେଇଥିଲେ ତାହା ୪ଟା ପୁସ୍ତିକା ଆକାରରେ ପ୍ରକାଶିତ ହୋଇଥିଲା ଓ ଶ୍ରୀରାମପୁର କଲେଜ ଲାଇବ୍ରେରୀରେ ସଂରକ୍ଷିତ ହୋଇଥିଲା । ବ୍ରାହ୍ମସଭାରେ ଉତ୍ସବାନନ୍ଦ ବିଦ୍ୟାବାଗୀଶଙ୍କ ଯୋଗଦାନରୁ ଜଣାଯାଏ ଯେ, ବିଖ୍ୟାତ ବେଦ ପଣ୍ଡିତ ବିଦ୍ୟାବାଗୀଶଙ୍କୁ ରାମମୋହନ ଏକେଶ୍ୱରବାଦୀରେ ପରିଣତ କରିଥିଲେ । ୧୮୧୬ ମସିହାରେ ରାମମୋହନ ଓ ବିଦ୍ୟାବାଗୀଶଙ୍କ ମଧ୍ୟରେ ପତ୍ର ଜରିଆରେ ଏହି ଯେଉଁ ଆଲୋଚନା ହେଲା ତାହାର ପରିସମାପ୍ତି ଘଟିଥିଲା ରକ୍ଷଣଶୀଳ ହିନ୍ଦୁ ପଣ୍ଡିତମାନଙ୍କର ପରାଜୟରେ । ଏହାପରେ ୧୮୧୭, ୧୮୧୮ ଓ ୮୧୨୦ ମସିହାରେ ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଖ୍ୟାତ ବେଦାନ୍ତ ଶାସ୍ତ୍ରବିତ୍‍ଙ୍କ ସହ ରାମମୋହନଙ୍କର ଯେଉଁ ତର୍କ ହୋଇଥିଲା, ସେଥିରେ ସେମାନେ ସମସ୍ତେ ପରାଜୟ ସ୍ଵୀକାର କରିଥିଲେ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରକୃତ ସତ୍ୟର ଅନୁସନ୍ଧାନ କରିବା ପାଇଁ ଏହି ପଣ୍ଡିତମାନଙ୍କର ଇଚ୍ଛା ନଥିଲ । । ହେଲେ ବେଦାନ୍ତ ଶାସ୍ତ୍ରର ଦ୍ଵାହି ଦେଇ ପ୍ରଚଳିତ ପରମ୍ପରାର ରକ୍ଷା କରିବା ଉଦ୍ଦେଶ୍ୟରେ ସେମାନେ ରାମମୋହନଙ୍କ ସହ ଯୁକ୍ତି ତର୍କ କରିବାକୁ ପ୍ରତୃତ୍ତ ହେଉଥିଲେ । ଉଦାହରଣସ୍ୱରୂପ, ୧୮୨୦ ମସିହାରେ ସୁବ୍ରମନ୍ୟମ ଶାସ୍ତ୍ରୀଙ୍କ ସହିତ ରାମମୋହନଙ୍କ ତର୍କ ହେବା ସମୟରେ ଶାସ୍ତ୍ରୀ କହିଥିଲେ, ‘‘ବେଦାନ୍ତ ଶାସ୍ତ୍ରରେ ଏକେଶ୍ୱରବାଦ ସଂପର୍କରେ କିଛି ଉଲ୍ଲେଖ ନାହିଁ ଓ କେବଳ ପିତ୍ତୁଳା ପୂଜା ଏହି ଶାସ୍ତ୍ର ଦ୍ଵାରା ଅନୁମୋଦିତ । କିନ୍ତୁ ରାମମୋହନ ବଙ୍ଗଦେଶ ବ୍ରାହ୍ମଣଙ୍କର ଶାସ୍ତ୍ର ସଂପର୍କୀୟ ଅଜ୍ଞତାର ସୁଯୋଗ ନେଇ ଏକଶ୍ଵରବାଦ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଶାସ୍ତ୍ରର ଭୁଲ ବ୍ୟାଖ୍ୟା କରୁଛନ୍ତି ।’’ କଲିକତାର ବଡ଼ବଜାରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ ଗୋଟିଏ ଦିନଧରି ଯୁକ୍ତି ହେବା ପରେ ରାମମୋହନ ଯେତେବେଳେ ପ୍ରମାଣ କରିଦେଲେ ଯେ, ଏକେଶ୍ୱରବାଦ ବେଦାନ୍ତ ସମ୍ମତ, ସେତେବେଳେ ରକ୍ଷଣଶୀଳ ହିନ୍ଦୁ ସମାଜରେ ଏକ ଚମକ ସୃଷ୍ଟି ହୋଇଥିଲା । ୧୮୨୫ ଓ ୧୮୨୦ ମସିହା ମଧ୍ୟରେ ରାମମୋହନଙ୍କ ବଳିଷ୍ଠ ଲେଖନୀରୁ ବଙ୍ଗଳା ଭାଷାରେ ୧୪ଟି ବଡ଼ ପୁସ୍ତକ ଓ ଇଂରାଜୀ ଭାଷାରେ ୧୦ଟି ପୁସ୍ତକ ଆତ୍ମପ୍ରକାଶ କରିଥିଲେ । ୧୮୧୫ ମସିହାରେ ରାମମୋହନ ବେଦାନ୍ତ ଶାସ୍ତ୍ରକୁ ବଙ୍ଗଳା ଭାଷାରେ ଅନୁବାଦ କରି ପ୍ରକାଶ କରିଥିଲେ । ବେଦାନ୍ତ ଶାସ୍ତ୍ର ଅନୁଯାୟୀ ଏକେଶ୍ୱର ଉପାସନା ବିଷୟ ପୁସ୍ତକର ପ୍ରଥମ ପୃଷ୍ଠାରେ ଉଲ୍ଲେଖ କରାଯାଇଥିଲା ।*

 

*‘‘The Bengalee Translation of the Vedanta or the resolution of all the Vedas, the most celebrated and revered of Brahminical Theology, establishing the unit of the Supreme Being and that He is the only object of worship together with a preface by the translator’’.

 

ସେ କାଳରେ ବ୍ରାହ୍ମଣ ପଣ୍ଡିତଙ୍କ ବ୍ୟତୀତ ଅନ୍ୟମାନଙ୍କୁ ବେଦାନ୍ତ ଶାସ୍ତ୍ର ଅଧ୍ୟୟନ ମନାଥିଲା । ଏହି ଶାସ୍ତ୍ର ପୁଣି ସଂସ୍କୃତ ଭାଷାରେ ଲିଖିତ ହୋଇଥିବାରୁ ଏହାକୁ ପାଠ କରିବା ପାଇଁ ଅଳ୍ପଲୋକ ସମର୍ଥ ହେଉଥିଲେ । ରାମମୋହନ ବେଦାନ୍ତକୁ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟାକର ବଙ୍ଗଳା ଭାଷାରେ ପ୍ରକାଶ କରିବା ପରେ ସାଧାରଣ ଲୋକେ ଏହା ପାଠକରି ଏ ସଂପର୍କରେ ଜ୍ଞାନ ଲାଭକଲେ ଓ ରକ୍ଷଣଶୀଳମାନଙ୍କର ପ୍ରଭାବ ହ୍ରାସ ପାଇଲା । ୧୮୧୬ ମସିହାରେ ରାମମୋହନ ବେଦାନ୍ତର ଏକ ସଂକ୍ଷିପ୍ତ ସଂସ୍କରଣ ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ପ୍ରକାଶ କରିଥିଲେ । ଏହାର ନାମ ‘ବେଦାନ୍ତ ସାର’ ।

 

ପ୍ରଚଳିତ କ୍ଷତିକାରକ ପ୍ରଥାକୁ ବଜାୟ ରଖିବା ଲାଗି ରକ୍ଷଣଶୀଳ ଗୋଷ୍ଠୀର ଚାଲବାଜି ଏହାଦ୍ଵାର ପଦାରେ ପଡ଼ିଯାଇଥିଲା । ରାମମୋହନ ଇଂରାଜୀ ଭାଷାରେ ଲେଖିଥିବା ପୁସ୍ତକରେ ମୁଖବନ୍ଧରେ ଲେଖିଥିଲେ ‘ବେଦାନ୍ତର ଏକ ସଂକ୍ଷିପ୍ତ ସଂସ୍କରଣ ଇଂରାଜୀ ଭାଷାରେ ଲେଖିବା ପାଇଁ ମୁଁ ଉଦ୍ୟମ କରୁଛି । ଏହାଦ୍ଵାରା ମୁଁ ମୋର ୟୁରୋପୀୟ ବନ୍ଧୁଙ୍କ ଆଗରେ ପ୍ରମାଣ ଉପସ୍ଥାପନ କରିବାକୁ ଚାହେଁ ଯେ, ହିନ୍ଦୁ ଧର୍ମକୁ ଯେଉଁ ଅନ୍ଧ ବିଶ୍ଵାସ ବିକଳାଙ୍ଗ କରୁଛି ତାହା ବେଦାନ୍ତର ପ୍ରକୃତ ମର୍ମ ନୁହେଁ । *

 

*‘‘The present is an endeavour to render an abridgement of the same (Vedanta) into English, by which I expect to prove my European friends that the superstitious practice which deform the Hindu religion have nothing to do with the pure spirit of its dictates’’.

 

ଆକାର ବିହୀନ ଏକେଶ୍ୱର ଉପାସନା ବେଦାନ୍ତ ସମ୍ମତ ବୋଲି ପ୍ରଚାର କରିବା ପରେ ରାମମୋହନଙ୍କ ଜ୍ଞାତବର୍ଗମାନେ ମଧ୍ୟ ରାମମୋହନଙ୍କୁ ତିରସ୍କାର କରି ତାଙ୍କ ମତକୁ ମିଥ୍ୟା ପ୍ରମାଣିତ କରିବା ଲାଗି ଉଦ୍ୟମ ଆରମ୍ଭ କଲେ । ଇଂରାଜୀ ଭାଷାରେ ଲିଖିତ ବେଦାନ୍ତ ସଂକ୍ଷିପ୍ତ ସଂସ୍କରଣରେ ରାମମୋହନ ଲେଖିଛନ୍ତି ‘‘ବିବେକାନୁମୋଦିତ ପନ୍ଥା ଅବଲମ୍ବନ କରିବାରୁ ମୁଁ ମୋର ବନ୍ଧୁବାନ୍ଧବଙ୍କ ଦ୍ଵାରା ତିରସ୍କୃତ ହୋଇଥିଲି ।*

 

*‘‘By taking the path which conscience and sincerity direct, I born a Brahmin, have exposed myself to the complainings and reproches even of some of my relations, whose prejudices are strong and whose temporal advantages depended upon the present system.’’

 

ବ୍ୟକ୍ତିଗତ କୁତ୍ସା ପ୍ରଚାର ସଙ୍ଗେ ସଙ୍ଗେ ରାମମୋହନଙ୍କୁ ପଦାନତ କରାଇବା ରକ୍ଷଣଶୀଳ ହିନ୍ଦୁମାନଙ୍କୁ ନାନା ଷଡ଼ଯନ୍ତ୍ର କରାଗଲା । ‘ମିସନାଲ ରେଜିଷ୍ଟର’ରେ ଉଲ୍ଲେଖ କରାଯାଇଛି ଯେ ରକ୍ଷଣଶୀଳ ହିନ୍ଦୁ ବ୍ରାହ୍ମଣମାନେ ରାମମୋହନଙ୍କୁ ହତ୍ୟା କରିବା ପାଇଁ ଦୁଇଥର ଉଦ୍ୟମ କରିଥିଲେ । ସେମାନଙ୍କର ଧାରଣା ଥିଲା ଯେ, ସାଧାରଣ ଲୋକଙ୍କ ନିକଟରେ ବେଦାନ୍ତବାର୍ତ୍ତା ପହଞ୍ଚାଇବାରେ ରାମମୋହନ ସଫଳ ହେଲେ ସମାଜରେ ରକ୍ଷଣଶୀଳ ବ୍ରାହ୍ମଣଙ୍କର ଗର୍ବ ଓ ଦମ୍ଭ ଆଉ ରହିବ ନାହିଁ । ଏହାର ଉତ୍ତରରେ ବିନମ୍ରତାର ସହିତ ରାମମୋହନ କହୁଥିଲେ ‘ହିନ୍ଦୁ ଧର୍ମ ଉପରେ ନୁହେଁ, କେବଳ ଅନ୍ଧ ବିଶ୍ଵାସ ଉପରେ ମୁଁ ଆକ୍ରମଣ କରିଛି ।’

 

ରାମମୋହନଙ୍କ ଦ୍ଵାରା ଲିଖିତ ଇଂରାଜୀ ବେଦାନ୍ତ ସାରର ପ୍ରଥମ ସଂସ୍କରଣକୁ ଭାରତରେ ଥିବା ୟୁରୋପୀୟ ଧର୍ମ ପ୍ରଚାରକମାନେ ୟୁରୋପ ଓ ଆମେରିକାକୁ ପଠାଇଥିଲେ । ଆଧୁନିକ ଯୁଗରେ ‘ବେଦାନ୍ତ ସାର’ ଏହି ଦୁଇଟି ମହାଦେଶରେ କାହିଁକି ସମଗ୍ର ପାଶ୍ଚାତ୍ୟ ଜଗତରେ ଭାରତର ପ୍ରଥମ ବାର୍ତ୍ତା ପହଞ୍ଚାଇ ଥିଲା ।

 

ଏମରସନ୍‌ (Emerson) ଓ ଥୋରୋ (Thoreau) ପ୍ରଭୃତି ଆମେରିକାର ବିଶିଷ୍ଟ ବ୍ୟକ୍ତିମାନେ ଏହାଦ୍ଵାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ଭାରତର ଆଧ୍ୟାତ୍ମିକ ଐତିହ୍ୟ ଯେ ବ୍ରହ୍ମବାଦ ଉପରେ ପ୍ରତିଷ୍ଠିତ–ଏହି ଧାରଣା ବେଦାନ୍ତ ସାର ସେମାନଙ୍କୁ ଦେଇଥିଲା । ୧୮୧୬ ମସିହା ସେପ୍ଟେମ୍ୱର ମାସରେ ଲଣ୍ଡନରୁ ପ୍ରକାଶିତ ‘ମିସନାରୀ ରେଜିଷ୍ଟର’ ବେଦାନ୍ତସାର ସଂପର୍କରେ ଏକ ସୁଦୀର୍ଘ ପ୍ରବନ୍ଧ ଲେଖି ରାମମୋହନଙ୍କ ଉପରେ ସୁମନ୍ତବ୍ୟମାନ ପ୍ରକାଶ କରିଥିଲେ । ତତ୍‌ପର ବର୍ଷ ଜନ୍‌ ଡିଗ୍‍ବିଙ୍କ ଦ୍ଵାରା ଲିଖିତ ମୁଖବନ୍ଧ ସହିତ ଇଂରାଜୀ ଭାଷାରେ ‘ବେଦାନ୍ତ ସାର’ର ଆଉ ଗୋଟିଏ ସଂସ୍କରଣ ଲଣ୍ଡନରୁ ପ୍ରକାଶ ପାଇଲା । ସେହିବର୍ଷ ମଧ୍ୟ ପୁସ୍ତକଟି ଜର୍ମାନ ଭାଷାରେ ଅନୂଦିତ ହୋଇ ଜେନାଠାରେ ପ୍ରକାଶିତ ହୋଇଥିଲା ।

 

ରାମମୋହନଙ୍କ ପୁସ୍ତକାବଳୀ ଫ୍ରାନସ ଉପରେ ମଧ୍ୟ ପ୍ରଭାବ ପକାଇଥିଲା । ଫ୍ରାନସର ବିଶିଫ ଆବେ ଗ୍ରିଗୋର (Abbe Gregorie) ରାମମୋହନଙ୍କ ସଂପର୍କରେ ଲେଖିଥିଲେ ରାମମୋହନ ପ୍ରତି ୬ ମାସରେ ଥରେ ତାଙ୍କର ଏକେଶ୍ୱର ଉପାସନା ପଦ୍ଧତି ସଂପର୍କରେ ବଙ୍ଗଳା ଓ ଇଂରାଜୀ ଭାଷାରେ କିଛି ନା କିଛି ପ୍ରକାଶ କରନ୍ତି । ଏହା ବିରୋଧରେ କଲିକତା ଓ ମାନ୍ଦ୍ରାଜରୁ ଯେଉଁ ପ୍ରଚାର ପତ୍ର ସବୁ ପ୍ରକାଶିତ ହୁଏ ତାହାର ଉତ୍ତର ଦେବାଲାଗି ସେ ସଦା ସର୍ବଦା ପ୍ରସ୍ତୁତ ଥାନ୍ତି–’’*

 

*‘‘Every six months he (Ram Mohan) publishes a little tract in Bengallee and English, developing his system of theism, and he is always ready to answer the pamphlets published at Calcutta and Madras in opposition to him. He takes pleasure in this controversy but although far from deficient in Philosophy or in knowledge he distinguishes himself more by his logical mode of reasoning than by his general view’’.

 

ସେତେବେଳେ ଛାପା ଅକ୍ଷରର ଶକ୍ତିଶାଳୀ ମାଧ୍ୟମରେ ଜନମତ ସଂଗଠନ କରିବା ଦିଗରେ ରାମମୋହନ ପ୍ରଥମ ପଦକ୍ଷେପ ଗ୍ରହଣ କରିଥିଲେ । ରକ୍ଷଣଶୀଳ ପଣ୍ଡିତଙ୍କ ସହିତ ଏହି ଛପା ଅକ୍ଷର ମାଧ୍ୟମରେ ତାଙ୍କର କେତେଦିନ ଧରି ସଂଗ୍ରାମ ଚାଲିଲା । ମାନ୍ଦ୍ରାଜ ସରକାରୀ ସ୍କୁଲର ଜଣେ ଶିକ୍ଷକ ଶ୍ରୀଶଙ୍କର ଶାସ୍ତ୍ରୀ ରାମମୋହନଙ୍କ ଉପରେ ବହୁ ପ୍ରବନ୍ଧ ଲେଖି ଆକ୍ରମଣ ଚଳାଇଥିଲେ । ୧୮୧୬ ମସିହାରେ ରାମମୋହନଙ୍କ ଦ୍ଵାରା ବଙ୍ଗଳା ଓ ଇଂରାଜୀ ଭାଷାରେ ଅନୁଦିତ କେନୋପନିସଦ ଓ ଇଷୋପନିଷଦ ପ୍ରକାଶିତ ହୋଇଥିଲା । ୧୮୧୭ ମସିହାରେ କଥୋପନିଷଦ ଓ ମଣ୍ଡୁକୋପନିଷଦର ବଙ୍ଗଳା ଅନୁବାଦ ପ୍ରକାଶ ପାଇଲା । ଦୁଇବର୍ଷ ପରେ ଏହ ଦୁଇଟି ଉପନିଷଦର ଇଂରାଜୀ ଅନୁବାଦକରି ରାମମୋହନ ପ୍ରକାଶ କରିଥିଲେ । ରାମମୋହନଙ୍କ ଉଦ୍ୟମର ପ୍ରଶଂସାକରି ୧୮୧୬ରେ ‘କାଲକାଟା ଗେଜେଟ’ରେ ଏକ ପ୍ରବନ୍ଧ ପ୍ରକାଶ ପାଇଥିଲା । ସେଥିରେ ରାମମୋହନଙ୍କୁ ଜଣେ ଧର୍ମୀୟ ଆବିଷ୍କାରକ ଓ ସଂସ୍କାରକ ରୂପେ ବର୍ଣ୍ଣନା କରାଯାଇଥିଲା । ଡିସେମ୍ବର ମାସରେ ଶଙ୍କର ଶାସ୍ତ୍ରୀଙ୍କ ସ୍ଵାକ୍ଷରରେ ‘ମାଡ୍ରାସ କେରିଅର’ରେ ପ୍ରକାଶ ପାଇଲା ‘‘ରାମମୋହନ ଧର୍ମୀୟ ଆବିଷ୍କାରକ ବା ସଂସ୍କାରକର କୃତିତ୍ଵ ନେବାକୁ ହକଦାର ନୁହନ୍ତି । ଆକାର ବିହୀନ ଏକେଶ୍ୱର ଉପାସନା ବେଦରେ ଉଲ୍ଲେଖଥିବାରୁ ରାମମୋହନ ଆବିଷ୍କାରକ ହେଲେ କିପରି ? ତାହାଛଡ଼ା ଏକେଶ୍ୱର ଉପାସନା ବେଦ ସମ୍ମତ ହେଲେ ମଧ୍ୟ ପିତୁଳାପୂଜାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରାଯାଇ ପାରିବ ନାହିଁ । ଯେପରି ରାଜାଙ୍କ ଦର୍ଶନ ଲାଗି ତାଙ୍କ ଅଧଃସ୍ତନ କର୍ମଚାରୀଙ୍କ ସାନିଧ୍ୟ ଲାଭ କରିବାକୁ ହୋଇଥାଏ ସେହିପରି ପିତୁଳାପୂଜା ଆକାର ବିହିନ ଈଶ୍ୱରଙ୍କ ଉପାସନା ଲାଗି ବିଭିନ୍ନ ପର୍ଯ୍ୟାୟ ।’’ ଈଶ୍ଵର ଉପାସନା ସହିତ ରାଜା ଓ ମନ୍ତ୍ରୀଙ୍କୁ କେବେ ତୁଳନା କରାଯାଇ ପାରେ ବୋଲି ଇଂରାଜୀ ଭାଷାରେ ରାମମୋହନ ଏକ କଡ଼ା ଉତ୍ତର ଦେବା ପରେ ଶଙ୍କର ଶାସ୍ତ୍ରୀ ତାହା ଉପରେ ଆଉ କିଛି ଲେଖି ନାହାନ୍ତି ।

 

୧୮୧୭ ମସିହାରେ ରାମମୋହନଙ୍କୁ ଲୋକଚକ୍ଷୁରେ ନ୍ୟୂନ ପ୍ରତିପାଦନ କରିବା ଲାଗି ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଥିଲା । ଏଲିସ ନାମକ ‘ମାନ୍ଦ୍ରାଜ ଲିଟୋରାରି ସୋସାଇଟି’ର ଜଣେ ସଭ୍ୟ ୧୮୧୭ ଅଗଷ୍ଟ ମାସରେ କଲିକତା ‘ଏସିଆଟିକ ସୋସାଇଟିର’ ଏକ ସଭାରେ ଏକ ପ୍ରବନ୍ଧ ଉପସ୍ଥାପନ କରି ଅଭିଯୋଗ କଲେ ଯେ, ରାମମୋହନ ଧର୍ମ ସଂସ୍କାର କ୍ଷେତ୍ରରେ ଯେଉଁ ଚିନ୍ତାଧାରା ପୋଷଣ କରିଛନ୍ତି ତାହା ତାଙ୍କର ନିଜସ୍ଵ ନୁହେଁ । ତାହା ହେଉଛି ୧୬୨୦ ମସିହାରେ ମଦୁରାଇଠାରେ ଏକ ମିସନ ପ୍ରତିଷ୍ଠା କରିଥିବା ରବର୍ଟସ ଡିନୋବିଲିବସ୍‍ ନାମକ ଜଣେ ଧର୍ମପ୍ରଚାରଙ୍କ ଚିନ୍ତାଧାରା । ଉକ୍ତ ଧର୍ମ ପ୍ରଚାରକ ବେଦ ସଂପର୍କରେ ଲେଖି ହିନ୍ଦୁମାନଙ୍କର ଉପାସନା ପଦ୍ଧତିର ନିନ୍ଦା କରିଥିଲେ ଓ ବେଦରେ ଉଲ୍ଲେଖ ଥିବା ନୀତିଗୁଡ଼ିକୁ ମଧ୍ୟ ସେ ଅଗ୍ରାହ୍ୟ କରିଥିଲେ । ଏଲସିଙ୍କର ଏହି ପ୍ରବନ୍ଧ ଉପରେ ରାମମୋହନ କୌଣସି ମତାମତ ଦେବା ପୂର୍ବରୁ ‘କାଲକାଟା ମନ୍ଥଲି ଜର୍ଣ୍ଣାଲ’ ନିଜ ପକ୍ଷରୁ ତାହାର ଉତ୍ତର ଦେଇ ଲେଖିଲେ ‘‘ଡିନୋବିଲିବସ ବେଦ ଓ ହିନ୍ଦୁ ଶାସ୍ତ୍ରର ତୀବ୍ର ନିନ୍ଦାକରି ତାହାକୁ ପ୍ରତ୍ୟାଖ୍ୟାନ କରିଥିଲାବେଳେ ରାମମୋହନ, ହିନ୍ଦୁଧର୍ମର ପ୍ରକୃତ ମର୍ମକୁ ପଙ୍ଗୁକରି ଦେଉଥିବା ଅନ୍ଧବିଶ୍ୱାସ ଉପରେ ଆକ୍ରମଣ କରିଛନ୍ତି । ବେଦର କୌଣସି ନୀତିକୁ ସେ ଅଗ୍ରାହ୍ୟ କରିନାହାନ୍ତି ।’’ ଏହା ଏଲିସିଙ୍କୁ ନିରବ କରିଦେବା ପାଇଁ ଯଥେଷ୍ଟ ହୋଇଥିଲା-

 

ଏହି ଘଟଣାର କିଛିଦିନ ପରେ ପିତୁଳା ପୂଜକଙ୍କ ପକ୍ଷରୁ ମୃତ୍ୟୁଞ୍ଜୟ ତର୍କ ଲଙ୍କାର ନାମକ ଜଣେ ପଣ୍ଡିତ ରାମମୋହନଙ୍କ ବିରୁଦ୍ଧରେ ଲଢ଼େଇ କରିବାକୁ ବାହାରିଲେ । ସେ ଥିଲେ ଫୋର୍ଟ ଉଇଲିଅମ କଲେଜର ହେଡ଼୍ ପଣ୍ଡିତ ଓ ତାଙ୍କର ବିଦ୍‌ବତ୍ତା ସଂପର୍କରେ କାହାରି ସନ୍ଦେହ ନ ଥିଲା । ୧୮୧୭ ମସିହାରେ ରାମମୋହନଙ୍କର ‘ବେଦାନ୍ତସାର’କୁ ଖଣ୍ଡନକରି ସେ ‘ବେଦାନ୍ତ ଚନ୍ଦ୍ରିକା’ ନାମକ ଏକ ପୁସ୍ତକ ଲେଖିଲେ । ଏହି ପୁସ୍ତକର ଦୁଇଟି ସଂସ୍କରଣ ହୋଇଥିଲା । ଗୋଟିଏ ବଙ୍ଗଳା ଭାଷାରେ ଓ ଅନ୍ୟଟି ଇଂରାଜୀ ଭାଷାରେ । ତର୍କାଳଙ୍କାର ତାଙ୍କର ଏହି ପୁସ୍ତକରେ ଯୁକ୍ତିଦେବା ପରିବର୍ତ୍ତେ ରାମମୋହନଙ୍କ ବିରୁଦ୍ଧରେ ଅଶ୍ଳିଳ ଭାଷା ପରିବେଷଣ କରିଥିଲେ । କିନ୍ତୁ ରାମମୋହନ ଏହାର ଉତ୍ତରରେ ଶାସ୍ତ୍ରର ବିଭିନ୍ନ ପଂକ୍ତି ଉଦ୍ଧାରକରି ତର୍କାଳଙ୍କାରଙ୍କ ଯୁକ୍ତି ଖଣ୍ଡନ କରିବା ସଙ୍ଗେ ସଙ୍ଗେ ଏକେଶ୍ୱର ଉପାସନାର ଯଥାର୍ଥ୍ୟ ପ୍ରମାଣିତ କରିଥିଲେ ।

 

ଏହାପରେ ବହୁବ୍ୟକ୍ତି ରାମମୋହନଙ୍କ ଉପରେ ବ୍ୟକ୍ତିଗତ ଆକ୍ଷେପ କରି ତାଙ୍କ ମତକୁ ଖଣ୍ଡନ କରିବା ପାଇଁ ଉଦ୍ୟମକରି ବିଫଳ ହୋଇଛନ୍ତି । ରାମମୋହନ ଯେଉଁ ଚିନ୍ତାଧାରାର ପ୍ରବର୍ତ୍ତନ କରୁଥିଲେ ତାହା ଉପରେ ବରାବର ସେ ଦେଶବାସୀଙ୍କ ମତ ଲୋଡ଼ୁଥିଲେ ଓ ସେମାନଙ୍କର ସମର୍ଥନ ଲାଭ କରୁଥିଲେ ।

 

ବ୍ରାହ୍ମସଭା ଓ ଧର୍ମସଭା

 

ରାମମୋହନ ଯେଉଁ ବ୍ରାହ୍ମସଭା ପ୍ରତିଷ୍ଠା କରିଥିଲେ ତାହାର ଆଦର୍ଶ ଉଦାରବାଦ ଭିତ୍ତିକ ହୋଇଥିବାରୁ ରକ୍ଷଣଶୀଳ ହିନ୍ଦୁମାନଙ୍କ ଦ୍ୱାରା ଧର୍ମସଭା ନାମକ ଏକ ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା । ଧର୍ମସଭାର ସଭ୍ୟମାନେ ବ୍ରାହ୍ମସଭାକୁ ଧ୍ୱଂସ କରିବା ପାଇଁ ସର୍ବଦା ଉଦ୍ୟମ କରୁଥିଲେ । ଏହି ଧର୍ମସଭାର ପ୍ରଧାନ ନେତାଥିଲେ ରାଧାକାନ୍ତ ଦେବ । ରାଧାକାନ୍ତ ଦେବ ଜଣେ ଧନୀ ଓ ବିଜ୍ଞବ୍ୟକ୍ତି ଥିଲେ । ‘ଶବ୍ଦ କଳ୍ପ ଦ୍ରୁମ’ ନାମକ ଏକ ସଂସ୍କୃତ ଅଭିଧାନ ତାଙ୍କ ଦ୍ଵାରା ସଂକଳିତ ହୋଇଛି । ତାଙ୍କର ଦୃଷ୍ଟିଭଙ୍ଗି ସମ୍ପୂର୍ଣ୍ଣ ରକ୍ଷଣଶୀଳ ଥିଲା । ପାଶ୍ଚାତ୍ୟ ଭାବଧାରା କିମ୍ବା ଉଦାରବାଦର ନାମ ଶ୍ରବଣ ମାତ୍ରେ ତାଙ୍କ ଦେହରେ କମ୍ପନ ସୃଷ୍ଟି ହେଉଥିଲା । ରାମମୋହନ ତାଙ୍କର ଉଦାରବାଦୀ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବା ଲାଗି ପ୍ରବଳ ସଂଗ୍ରାମ ଚଳାଇଥିଲା ବେଳେ ରାଧାକାନ୍ତ ଦେବ ଥିଲେ ତାଙ୍କର ଜଣେ ପରମ ଶତ୍ରୁ । ଭାରତରୁ ସତୀଦାହ ପ୍ରଥା ଲୋପ ହେବା ପୂର୍ବରୁ କଲିକତାଠାରେ ଅନୁଷ୍ଠିତ ଏକ ସଭାରେ ରାଧାକାନ୍ତ ଦେବ କହିଥିଲେ ‘‘ଭାରତରେ ବ୍ରିଟିସ ସରକାର ରକ୍ଷଣଶୀଳ ହିନ୍ଦୁ ପ୍ରଥାର ସୁରକ୍ଷା କରିଥିବାରୁ ମୁଁ ଲର୍ଡ଼ ହେଷ୍ଟିଙ୍ଗସ୍‌ଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି । ଲର୍ଡ ହେଷ୍ଟିଙ୍ଗସ୍‌ଙ୍କ ସମୟରେ କଲିକତାଠାରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା ।

 

ରାଧାକାନ୍ତ ଦେବଙ୍କ ନେତୃତ୍ଵରେ କଲିକତାଠାରେ ଧର୍ମସଭାର ବୈଠକ ଅନୁଷ୍ଠିତ ହେଉଥିଲା । ଯେଉଁଦିନ ଏହି ସଭା ଅନୁଷ୍ଠିତ ହେଉଥିଲା ସେ ଦିନ ସଭାଗୃହ ଓ ତାହାର ଆଖ ପାଖରେ ମଧ୍ୟ ବହୁ ସଂଖ୍ୟକ ଲୋକ ଜମା ହୋଇଯାଉଥିଲେ । ବ୍ରାହ୍ମସଭାକୁ ଧ୍ଵଂସ କରିବା ଓ ରାମମୋହନଙ୍କୁ ହତ୍ୟାକରିବା ପାଇଁ ଏହି ଧର୍ମ ସଭାର ସଭ୍ୟମାନେ ରାସ୍ତାର ସ୍ଥାନେ ସ୍ଥାନେ ରୁଣ୍ଡହୋଇ ଧମକ ଦେଉଥିଲେ । ଧର୍ମ ସଭାର ସଭ୍ୟମାନେ ଶୁଭ୍ରବସ୍ତ୍ର ପରିଧାନ କରି ଉତ୍ତମ ମିଷ୍ଠାନ୍ନ ଭୋଜନ ପୂର୍ବକ ସଭାରେ ଯୋଗ ଦେଉଥିଲେ । ଲୋକଙ୍କ ଅଜ୍ଞତାର ସୁଯୋଗ ନେଇ ଧର୍ମସଭାର ସଭ୍ୟମାନେ ବ୍ରାହ୍ମସଭା ବିରୁଦ୍ଧରେ ଅସ୍ଥାୟୀ ଭାବେ ଜନମତ ସୃଷ୍ଟି କରିବାରେ କେତେକାଂଶରେ ଅବଶ୍ୟ ସଫଳ ହୋଇଥିଲେ । ନାରୀମାନେ ସ୍ଵାଧୀନତା ପାଇବେ ଓ ବିଧବାମାନେ ବଞ୍ଚି ରହିବେ—ଏ ସମସ୍ତ ବିଷୟ ସେମାନଙ୍କୁ ବିସ୍ମିତ କରୁଥିଲା । ଶେଷରେ ସ୍ଥିର ହୋଇଥିଲା ଯେ ସତୀଦାହ ପ୍ରଥାର ଉଚ୍ଛେଦ ପ୍ରଭୃତି ଚିନ୍ତା ବିରୁଦ୍ଧରେ ଧର୍ମସଭା କାର୍ଯ୍ୟ କରିବ ଓ ବ୍ରାହ୍ମସଭାକୁ ଧ୍ଵଂସ କରିବା ପାଇଁ ସବୁମନ୍ତେ ଉଦ୍ୟମ କରିବ । ଏଣେ ରାଧାକାନ୍ତ ଦେବ ମଧ୍ୟ ବିପୁଳ ଶକ୍ତି ଓ ଅର୍ଥବ୍ୟୟକରି ରାମମୋହନଙ୍କୁ ବିରୋଧ କରିବା ପାଇଁ ଧର୍ମସଭାର ସଭ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତାଙ୍କର ସମସ୍ତ ଶକ୍ତି ରାମମୋହନ ବିରାଟ ବ୍ୟକ୍ତିତ୍ଵ ଆଗରେ ହାର ମାନିବାକୁ ବାଧ୍ୟ ହୋଇଥିଲା । ରାଧାକାନ୍ତ ଦେବ ବହୁ ଅର୍ଥ ଖର୍ଚ୍ଚ କରି ମଧ୍ୟ ଲର୍ଡବେଣ୍ଟିକ୍‌ଙ୍କୁ ନିଜ ସପକ୍ଷରେ ରଖିପାରିଲେ ନାହିଁ । ‘କିଙ୍ଗ-ଇନ୍‌-କାଉନସିଲରେ’ ତାଙ୍କର ଆବେଦନ ବିଫଳ ହୋଇଥିଲା । ଧର୍ମସଭା ସତୀଦାହ ପ୍ରଥାକୁ ରକ୍ଷା କରିବାରେ କୃତକାର୍ଯ୍ୟ ନହେବାରୁ ଲୋକ ଚକ୍ଷୁରେ ଏହାର ମର୍ଯ୍ୟାଦା କ୍ରମଶଃ ହ୍ରାସ ପାଇଲା ।

 

ଉନବିଂଶ ଶତାବ୍ଦୀରେ ବଙ୍ଗଦେଶରେ ଯେଉଁ ନୂତନ ଜାଗରଣର ସ୍ରୋତ ପ୍ରବାହିତ ହେଉଥିଲା ତାହାର ମର୍ମ ଉପଲବ୍‍ଧି କରିବାକୁ ରାଧାକାନ୍ତ ଦେବଙ୍କର ଯଥେଷ୍ଟ ସାଧାରଣ ଜ୍ଞାନ ନଥିବାରୁ ସେ ତାଙ୍କର ସଂକୀର୍ଣ୍ଣ ଦୃଷ୍ଟି ଭଙ୍ଗୀକୁ ଲୋକଙ୍କ ଆଗରେ ଉପସ୍ଥାପନ କରିବାକୁ ବାହାରିଥିଲେ । ବଙ୍ଗ ଦେଶରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ ବିରୁଦ୍ଧରେ ବହୁକାଳ ବ୍ୟାପୀ ସେ ସଂଗ୍ରାମ କଲେ । ମାତ୍ର ବଙ୍ଗଦେଶର ଯୁବକମାନେ ତାଙ୍କର ନେତୃତ୍ଵକୁ ଗ୍ରହଣ କରିବା ଲାଗି ଆଦୌ ପ୍ରସ୍ତତ ନଥିଲେ । ଊନବିଂଶ ଶତାବ୍ଦୀରେ ବଙ୍ଗ ଦେଶ ଜାଗରଣ ସଂପର୍କରେ ବ୍ରାହ୍ମ ସମାଜ ବିବରଣୀ ଆମକୁ ଯଥେଷ୍ଟ ତଥ୍ୟ ଯୋଗାଇଥାଏ । ମାର୍ଗ ନିର୍ଦ୍ଦେଶକ ଭାବର ରାମମୋହନଙ୍କ କାର୍ଯ୍ୟକଳାପ ଇତିହାସର ଏକ ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ ।

 

ରାମମୋହନ ଓ ରାମତନୁ

 

ସଂସ୍କାରକ ରାମମୋହନଙ୍କୁ, ତାଙ୍କର ସମସାମୟିକଙ୍କ ମଧ୍ୟରେ ଯେଉଁମାନେ ସାହାଯ୍ୟ କରିଥିଲେ, ସେମାନଙ୍କର ନାମ ଓ କାର୍ଯ୍ୟକଳାପ ସଂପର୍କରେ ଅନ୍ୟତ୍ର ଯତ୍‍ କିଞ୍ଚିତ ଉଲ୍ଲେଖ କରାଯାଇଛି । କିନ୍ତୁ ରାମତନୁ ଲାହିଡ଼ି ନାମଙ୍କ ଆଉ ଜଣେ ବ୍ୟକ୍ତି ଯେକି, ରାମମୋହନଙ୍କ ଦ୍ଵାରା ପ୍ରବର୍ତ୍ତିତ ସଂସ୍କାର ମୂଳକ ପଦକ୍ଷେପକୁ ଦୃଢ଼ ସମର୍ଥନକରି ଅଶେଷ ତ୍ୟାଗ ସ୍ଵୀକାର କରିଥିଲେ, ତାଙ୍କ ସଂପର୍କରେ ଏଠାରେ କିଞ୍ଚିତ ଉଲ୍ଲେଖ ଆବଶ୍ୟକ ।

 

ରାମତନୁ ୧୮୧୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଦେବେନ୍ଦ୍ର ନାଥ ଟାଗୋର ଅପେକ୍ଷା ସେ ଥିଲେ ବୟସରେ ବଡ଼ । କଲିକତା ହିନ୍ଦୁ କଲେଜରେ ସେ ଅଧ୍ୟୟନକରି ସାରିବା ପରେ ସମାଜ ସେବା ଲାଗି ବ୍ରତୀ ହୋଇଥିଲେ । ହିନ୍ଦୁ କଲେଜରେ ଡି. ରୋଜାରିଓଙ୍କ ଦ୍ଵାରା ମୁଖ୍ୟତଃ ସେ ପ୍ରଭାବିତ ହୋଇଥିଲେ । ନୈତିକତା ଓ ବିବେକ ଦୃଷ୍ଟିରୁ ରାମତନୁ ତାଙ୍କର ସହକର୍ମୀଙ୍କ ତୁଳନାରେ ଯଥେଷ୍ଟ ଊର୍ଦ୍ଧ୍ଵରେ ଥିଲେ । ସେତେବେଳେ ଗୋ ମାଂସ ଭକ୍ଷଣ କରିବା ସମାଜରେ ଏକ ଅପରାଧମୂଳକ କାର୍ଯ୍ୟରୂପେ ବିବେଚିତ ହେଉଥିଲା । ଯେଉଁମାନେ ଯୁବକମାନଙ୍କୁ ଗୋମାଂସ ଭକ୍ଷଣରୁ ନିବୃତ୍ତ ହେବାଲାଗି ପରାମର୍ଶ ଦେଉଥିଲେ, ସେମାନେ ରାମତନୁଙ୍କର କ୍ରମେ ଚକ୍ଷୁଶୀଳ ହେଉଥିଲେ । ଜଣାଯାଏ ଯେ, ରାମତନୁ ଏକଦା ତାଙ୍କର କେତେକ ସମର୍ଥକଙ୍କ ସହିତ ହାତରେ ଗୋମାଂସ ଧରି କଲିକତା ରାସ୍ତାରେ ଏକ ଶୋଭାଯାତ୍ରା ବାହାର କରିଥିଲେ । ଏହି ଶୋଭାଯାତ୍ରାରେ ଯାଉଥିବାବେଳେ ଗୋମାଂସ ନେଇ ଖାଇବା ପାଇଁ ଲୋକଙ୍କୁ ଆହ୍ଵାନ କରିଥିଲେ-। ବ୍ରାହ୍ମ ସମାଜର ସଭ୍ୟ ଯେଉଁ ଯଜ୍ଞୋପବିତ ଗ୍ରହଣ କରୁଥିଲେ, ରାମତନୁ ତାହାର ଘୋର ନିନ୍ଦା କରୁଥିଲେ ।

 

ରାମତନୁ ସେହିଭଳି ଭାବେ ସଂସ୍କାର କ୍ଷେତ୍ରରେ ଚରମପନ୍ଥୀ ପଦକ୍ଷେପ ଗ୍ରହଣକରି ଚାଲିଥିବାବେଳେ ଇଂରେଜ କର୍ମଚାରୀମାନେ ତାଙ୍କର ଦୃଷ୍ଟିଭଙ୍ଗୀକୁ ସମର୍ଥନ କରିବା ସଂଗେ ସଂଗେ ତାଙ୍କୁ ଖୋଲାଖୋଲି ଭାବେ ଯଥେଷ୍ଟ ସମ୍ମାନ ଦେଉଥିଲେ ମଧ୍ୟ, ନିଜ ଦେଶବାସୀଙ୍କ ମଧ୍ୟରୁ ରକ୍ଷଣଶୀଳ ଗୋଷ୍ଠୀଙ୍କ ଚକ୍ଷୁରେ ସେ ଥିଲେ ଏକ ଅପରାଧୀ ଓ ବିଧର୍ମୀ । କିନ୍ତୁ ରାମତନୁଙ୍କ ହୃଦୟ ଏପରି ଦୃଢ଼ ଥିଲା ଯେ, ଶତ୍ରୁ ମିତ୍ର କାହାରି ଦ୍ଵାରା ସେ ବିବ୍ରତ ନ ହୋଇ ନିଜ ବିବେକ ଦ୍ଵାରା ପରିଚାଳିତ ହୋଇ ଆଗେଇ ଚାଲିଲେ । ପରବର୍ତ୍ତୀ କାଳରେ ସେ ନୂତନ ବ୍ରାହ୍ମ ସମାଜ ଦ୍ଵାରା ପ୍ରଭାବିତ ଓ ଆକର୍ଷିତ ହୋଇ କେଶବଚନ୍ଦ୍ର ସେନଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଭାବେ କାର୍ଯ୍ୟ କରିଥିଲେ । କଥିତ ଅଛି ଯେ, ରାମତନୁ ତାଙ୍କର କ୍ଷୁଦ୍ର ବଗିଚାରେ ଗୋଟିଏ ପ୍ରସ୍ପୁଟିତ ଗୋଲାପ ପୁଷ୍ପ ଦର୍ଶନ କରି ଆତ୍ମହରା ହୋଇ ପଡ଼ିଥିଲେ । ଈଶ୍ଵରଙ୍କ ଉପାସନାର୍ଥେ ଏକଦା ଗୋଟିଏ ସ୍ତୋତ୍ର ଆବୃତ୍ତି କରୁଥିବା ବେଳେ ତାଙ୍କର ସମଗ୍ର ମୁଖମଣ୍ଡଳ ଏକ ଐଶ୍ଵରିକ ଆଲୋକ ରଶ୍ମିଦ୍ୱାରା ଆଚ୍ଛାଦିତ ହୋଇଥିଲା । ତାଙ୍କର ଜଣେ ବନ୍ଧୁଙ୍କ ବିବରଣୀରୁ ଜଣାଯାଏ ଯେ, ଦିନେ ପ୍ରଭାତରୁ ରାମତନୁ ତାଙ୍କର ବନ୍ଧୁଙ୍କ ପ୍ରକୋଷ୍ଠକୁ ଅଚାନକ ଭାବରେ ପ୍ରବେଶକରି ଶଯ୍ୟାରୁ ତାଙ୍କ ଟାଣି ଆଣିଥିଲେ ଏବଂ ତାଙ୍କୁ ସାଙ୍ଗରେ ନେଇ ଉଦୀୟମାନ ସୂର୍ଯ୍ୟ ଓ ପ୍ରଭାତକାଳୀନ ସୁନ୍ଦର ବୃକ୍ଷଲତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଇଂରାଜୀ କବି ୱ୍ୟାର୍ଡ଼ୱ୍ୟାର୍ଥଙ୍କର ଏକ କବିତା ଆବୃତ୍ତି କରିଥିଲେ । ଦେବେନ୍ଦ୍ର ନାଥ ଟାଗୋର ସେତେବେଳେ ସତୃଷ୍ଣ ନୟନରେ ରାମତନୁଙ୍କ ଆଡ଼କୁ ଚାହିଁ ରହିଥାଅନ୍ତି-। ରାମତନୁଙ୍କ କବିତା ଆବୃତ୍ତି ପରେ ଦେବେନ୍ଦ୍ର ନାଥ ସେ ସ୍ଥାନରୁ ଚାଲିଯିବା ପୂର୍ବରୁ ରାମତନୁଙ୍କ ଉଦ୍ଦେଶ୍ୟରେ କହିଲେ, ‘ବର୍ତ୍ତମାନ ଈଶ୍ଵରଙ୍କ ଦ୍ଵାର ତୁମ ପାଇଁ ଉନ୍ମୁକ୍ତ । ସେ ଗୌରବମୟ ସ୍ଥାନକୁ ନେବାପାଇଁ ଈଶ୍ଵର ତାଙ୍କର ହସ୍ତ ପ୍ରସାରଣକରି ତୁମକୁ ଅପେକ୍ଷାକରି ରହିଛନ୍ତି ।’

 

ଭାରତର ଧର୍ମ ଆନ୍ଦୋଳନ କ୍ଷେତ୍ରରେ ଏହି ରାମତନୁ ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବୋଲି କହିଲେ ଅତ୍ୟୁକ୍ତ ହେବ ନାହିଁ । ବ୍ରାହ୍ମ ସମାଜ ମାଧ୍ୟମରେ ବଙ୍ଗ ପ୍ରଦେଶରେ ଯେଉଁ କେତେକ ଯୁବକଙ୍କ ଦ୍ଵାରା ଊନବିଂଶ ଶତାବ୍ଦୀରେ ଧର୍ମ ଆନ୍ଦୋଳନ ଚାଲିଲା ତାହା କ୍ରମଶଃ ସମଗ୍ର ଦେଶରେ ବ୍ୟାପିଗଲା । ପ୍ରତି ଗଳି କନ୍ଦିରେ ଏହି ଧର୍ମ ଆନ୍ଦୋଳନନର ବାର୍ତ୍ତା ପହଞ୍ଚାଇବା ଲାଗି ବ୍ୟବସ୍ଥା ହୋଇଥିଲା । ୧୮୭୬ ମସିହା ଜାନୁୟାରୀ ମାସରେ ‘ଇଣ୍ଡିଆନ ମିରର’ ସମ୍ବାଦ ପତ୍ରରେ ପ୍ରକାଶିତ ଏକ ପ୍ରବନ୍ଧରୁ ଆମେ ଜାଣିବାକୁ ପାଉଁ ଯେ, ଭାରତରେ ସେତେବେଳେ ମୋଟ ୫୪ଟି ସମାଜ ପ୍ରତିଷ୍ଠିତ ହୋଇଥିଲା । ସେଗୁଡ଼ିକ ମଧ୍ୟରୁ ୫୦ଟି ବଙ୍ଗ ପ୍ରଦେଶରେ, ୨ଟି ଉତ୍ତର ପଶ୍ଚିମ ପ୍ରଦେଶରେ, ଗୋଟିଏ ପଞ୍ଜାବରେ ଏବଂ ଆଉ ଗୋଟିଏ ମାନ୍ଦ୍ରାଜରେ । ବ୍ରାହ୍ମମାନଙ୍କ ଦ୍ଵାରା ଦେଶରେ ବହୁ ସଂଖ୍ୟକ ବାଳକ ଓ ବାଳିକା ବିଦ୍ୟାଳୟ ପରିଚାଳିତ ହେଉଥିଲା । ବ୍ରାହ୍ମଧର୍ମର ପ୍ରଚାର ଲାଗି ବଙ୍ଗଳା, ଇଂରାଜୀ, ଉର୍ଦ୍ଦୁ ଓ ତେଲଗୁ ଭାଷାରେ ୩୭ଟି ପତ୍ରିକା ମଧ୍ୟ ପ୍ରକାଶ ପାଉଥିଲା । ତେଣୁ ବ୍ରାହ୍ମ ସମାଜ ଜରିଆରେ ଯେଉଁ ଆନ୍ଦୋଳନ ଚାଲିଥିଲା, ତାହାଥିଲା ଏକ ଦେଶବ୍ୟାପୀ ଆନ୍ଦୋଳନ ।

 

ରାମମୋହନଙ୍କ ଆଦର୍ଶ

 

ଜାତୀୟ ଜୀବନକୁ ଉନ୍ନତ କରିବା ସଙ୍ଗେ ସଭ୍ୟତାର ବିକାଶ ଲାଗି ସମୟୋପଯୋଗୀ ପନ୍ଥା ଅବଲମ୍ବନ କରିବା ପାଇଁ ରାମମୋହନ ଉଦ୍ୟମ କରୁଥିଲେ । ନାନାବିଧ ପ୍ରତିବନ୍ଧକର ସମୁଖୀନ ହୋଇ ସମାଜରେ ସେ ଯେତେ ପ୍ରକାର ସମାଜ ସଂସ୍କାର ଆଣିଥିଲେ ସେ ସବୁର ଆଦର୍ଶ ସମୟ ଅଭାବରୁ ସୁପ୍ରତିଷ୍ଠିତ ହୋଇ ପାରିଲା ନାହିଁ । କାରଣ ଭାରତର ଦୁର୍ଭାଗ୍ୟ ଯେ, ସେ ଇଂଲଣ୍ଡରୁ ଆଉ ଫେରି ନାହାନ୍ତି ।

 

ଇଂଲଣ୍ଡ ଯିବା ପୂର୍ବରୁ ଭାରତରେ ସେ ଯେଉଁ ବ୍ରାହ୍ମସଭା ପ୍ରତିଷ୍ଠା କରିଯାଇଥିଲେ, ତାଙ୍କ ଦେହାନ୍ତ ପରେ ରାମଚନ୍ଦ୍ର ବିଦ୍ୟାବାଗୀଶ ଓ ଆଉ କେତେକ ବ୍ୟକ୍ତି ଅନୁଷ୍ଠାନର କର୍ଣ୍ଣଧାର ଭଳି କାର୍ଯ୍ୟ କରୁଥିଲେ ମଧ୍ୟ ତାହା କେବଳ ଏକ କ୍ଷୀଣାଲୋକ ବିତରଣ କରୁଥିଲେ । ରାମମୋହନଙ୍କ ଜୀବିତାବସ୍ଥାରେ ଯେଉଁମାନେ ରାମମୋହନଙ୍କୁ ଆଗରେ ରଖି ବହୁ କଠିନ କାର୍ଯ୍ୟ ସଂପାଦନ ପାଇଁ ଅଣ୍ଟା ଭିଡ଼ି ବାହାରୁଥିଲେ, ରାମମୋହନଙ୍କ ଦେହାନ୍ତ ପରେ ସେମାନଙ୍କର ତତ୍ପରତା ହ୍ରାସ ପାଇଲା-। ତେବେ ସ୍ଵାମୀ ବିବେକାନନ୍ଦଙ୍କ ଭଳି କେତେକ ବ୍ୟକ୍ତି ଦାବୀ କରିଛନ୍ତି ଯେ, ରାଜାରାମମୋହନ ରାୟଙ୍କ ଉଦାରତା ଓ ଦୂରଦୃଷ୍ଟିତା ଦ୍ଵାରା ଅନୁପ୍ରାଣିତ ହୋଇ ସେମାନେ ସଂସାରର ଜଟିଳ ପଥରେ ଅଗ୍ରସର ହୋଇଥିଲେ ଏବଂ ଏତିକିବେଳେ ସେମାନଙ୍କର ଅବଲମ୍ବନ ଥିଲା ରାମମୋହନଙ୍କ ଆଦର୍ଶ ।

 

ହିନ୍ଦୁ ଧର୍ମରେ ସଂସ୍କାର ଆଣିବାଲାଗି ରାମମୋହନ ଯେଉଁ ଭିତ୍ତିଭୂମି ଉପରେ କାର୍ଯ୍ୟ କରୁଥିଲେ ତାହା ହେଉଛି ଶଂକରଙ୍କର ଅଦ୍ଵୈତବାଦ । ରାମମୋହନ ଉପନିଷଦ ତନ୍ତ୍ର ଓ ବେଦକୁ ପୃଥକ ପୃଥକ ଭାବେ ବ୍ୟାଖ୍ୟା କରିଥିଲେ, ଏହି ବ୍ୟାଖ୍ୟା ଦ୍ୱାରା ସେ ଏହି ଶାସ୍ତ୍ରଗୁଡ଼ିକ ସଂପର୍କରେ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ, ସେ ଗୁଡ଼ିକୁ ତାଙ୍କର ଅନୁଗାମୀ ଯଥାର୍ଥ ଭାବେ ସଂରକ୍ଷଣ କରିପାରି ନାହାନ୍ତି । ଅବଶ୍ୟ କେତେକ ମହଲରେ କୁହାଯାଏ ଯେ, ହିନ୍ଦୁ ଧର୍ମ ସଂପର୍କରେ ରାଜାରାମମୋହନ ରାୟ ଅନୁଶୀଳନ କରି ଯେଉଁବାର୍ତ୍ତା ଶୁଣାଇଲେ, ତାହା ସମସ୍ତ ଦିଗରୁ ଅଭ୍ରାନ୍ତ ବୋଲି କୁହାଯିବା ଠିକ୍‍ ହେବ ନାହିଁ । କିନ୍ତୁ ହିନ୍ଦୁ ଧର୍ମର ପ୍ରକୃତ ମର୍ମ ସଂପର୍କରେ ରାମମୋହନଙ୍କ ମତାମତ ଖୁବ୍‍ ବଳିଷ୍ଠ ଯୁକ୍ତି ଉପରେ ପ୍ରତିଷ୍ଠିତ ଥିଲା । ଏହି ମତାମତକୁ ତାଙ୍କ ଜୀବଦ୍ଦଶାରେ ବିଶିଷ୍ଠ ପଣ୍ଡିତମାନେ ମଧ୍ୟ ଖଣ୍ଡନ କରିପାରି ନାହାନ୍ତି । ବରଂ ବହୁ ତର୍କ ପରେ କେତେକ ଏହାକୁ ପ୍ରକାରାନ୍ତରେ ସ୍ୱୀକାର କରିଛନ୍ତି ।

 

ରାମମୋହନଙ୍କ ରଚିତ ଗ୍ରନ୍ଥାବଳୀର ପ୍ରାୟ ଏକ ତୃତୀୟାଂଶ ଆଜି ବିଲୁପ୍ତ । ଯେତିକି ରହିଛି ସେଥିରୁ ଜଣାଯାଏ ଯେ, ରାମମୋହନ ସମାଜ ସଂସ୍କାର ଓ ଧର୍ମର ସଂସ୍କାର ଲାଗି ଯେତେଗୁଡ଼ିଏ କାର୍ଯ୍ୟ କରିଯାଇଥିଲେ, ତାହା ଭାରତରେ ବିଭିନ୍ନ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଏକତା ପ୍ରତିଷ୍ଠାଲାଗି ଉଦ୍ଦିଷ୍ଟ ଥିଲା । ତତ୍‍କାଳୀନ ବଂଗ ପ୍ରଦେଶର ଶାକ୍ତ ଓ ବୈଷ୍ଣବ ସଂପ୍ରଦାୟର ଲୋକେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ଧର୍ମର ଏକ ବିକୃତ ଚିତ୍ର ଲୋକଙ୍କ ଆଗରେ ଉପସ୍ଥାପନ କରୁଥିଲେ । ଦେଶର ସାଧାରଣ ବୋଲି ଲୋକେ ଧର୍ମ କହିଲେ କେତୋଟି ପ୍ରଥା ଓ କେତୋଟି ନିୟମର ବିଚାରହୀନ ଅନୁସରଣ ବୁଝୁଥିଲେ । ଏହା ସାଙ୍ଗକୁ କ୍ଷୁଦ୍ର ସଂପ୍ରଦାୟଗୁଡ଼ିକ ମଧ୍ୟରେ ପାରସ୍ପରିକ ବିଦ୍ଵେଷ ଲାଗି ରହି ସମାଜକୁ ବିପର୍ଯ୍ୟସ୍ତ କରିଥିଲା ।

 

ରାମମୋହନ ଏତିକିବେଳେ ଚିନ୍ତା କରିଥିଲେ ଯେ ଧର୍ମର ଯେଉଁ ସ୍ରୋତ ପ୍ରବାହିତ ହେଉଛି ତାହା ମୂଳରେ ରହିଛି ବେଦାନ୍ତ । ତେଣୁ ରାମମୋହନଙ୍କର ମତଥିଲା । ବେଦାନ୍ତର ଯଥାଯଥ ବ୍ୟାଖ୍ୟା ବିନା ଏହ ବହୁଧା ବିଭକ୍ତ ସଂପ୍ରଦାୟଗୁଡ଼ିକୁ ଐକ୍ୟମୂଳକ ଦାର୍ଶନିକ ଭିତ୍ତିଉପରେ ଦଣ୍ଡାୟମାନ କରିବା ସମ୍ଭବ ହେବ ନାହିଁ । ଏହି ଧାରଣାର ବଶବର୍ତ୍ତୀ ହୋଇ ରାମମୋହନ ବେଦାନ୍ତର ବ୍ୟାଖ୍ୟା କଲେ । କିନ୍ତୁ କେତେକଙ୍କ ମତରେ ରାମମୋହନ ଏହା ସଂଗେ ସଂଗେ ପ୍ରତ୍ୟେକ ସମ୍ପ୍ରଦାୟର ଇତିହାସ, ସାହିତ୍ୟ, ଦର୍ଶନ, ମନ୍ତ୍ର, ସାଧନା ପ୍ରଭୃତି ବିଷୟ ତନ୍ନ ତନ୍ନ କରି ବିଶ୍ଳେଷଣକରି ସେଗୁଡ଼ିକର ନିରପେକ୍ଷ ବିଚାର କରିବା ଉଚିତ ହୋଇଥାଆନ୍ତା, ଯାହାକି ସେ କରିନାହାନ୍ତି । ବୈଷ୍ଣବ ଆଦର୍ଶକୁ ଅଶ୍ଳୀଳ ବୋଲି ମନେକରି ସେ ଉପେକ୍ଷା କରିଥିଲେ । ନିଜେ ତନ୍ତ୍ରଶାସ୍ତ୍ର ପ୍ରତି ବିଶେଷ ଅନୁରକ୍ତ ହୋଇଥିଲେ ମଧ୍ୟ, ତାନ୍ତ୍ରିକ ସାଧକଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ମଧ୍ୟ, ତନ୍ତ୍ରସାଧନ ଦ୍ଵାରା ଶକ୍ତି ଗ୍ରହଣ ଓ ଶୈବ ବିବାହକୁ ମଧ୍ୟ, ତନ୍ତ୍ରରେ ନିହିତ ମାତୃତ୍ଵଭାବକୁ ସେ ଗ୍ରହଣ କରିନଥିଲେ । କେତେକ କହନ୍ତି ଯେ, ରାମମୋହନ ହିନ୍ଦୁଜାତିର ପୁନରୁଥ୍‍ଥାନ ଲାଗି ହିନ୍ଦୁ ଧର୍ମ ନୀତି ତୁଳନାରେ ଖ୍ରୀଷ୍ଟିଆନ ଧର୍ମନୀତିରୁ ଉତ୍କୃଷ୍ଟ ବୋଲି ବିବେଚନା କରୁଥିଲେ । କିନ୍ତୁ ତାଙ୍କ ଦ୍ଵାରା ଲିଖିତ ପୁସ୍ତକାବଳୀ ଗୁଡ଼ିକରୁ ସୂଚନା ମିଳେ ଯେ, ସେ ପୃଥିବୀର ପ୍ରାୟ ସମସ୍ତ ମୁଖ୍ୟ ଧର୍ମ ଶାସ୍ତ୍ର ପାଠକରି ସେଗୁଡ଼ିକର ସାରମର୍ମର ଏକତ୍ଵ କେବଳ ପ୍ରତିପାଦନ କରିଥିଲେ । କୌଣସି ଧର୍ମର ଉତ୍କୃଷ୍ଟତା ବା ନିକୃଷ୍ଟତା ସଂପର୍କରେ ସେ କେଉଁଠାରେ କିଛି କହିଥିବା ଜଣାଯାଏ ନାହିଁ ।

 

ରାମମୋହନ ବେଦାନ୍ତ ବ୍ୟାଖ୍ୟା ମାଧ୍ୟମରେ ବେଦାନ୍ତୋକ୍ତ ନିରାକାର ନିର୍ଗୁଣ ବ୍ରହ୍ମ ଉପାସନା ପଦ୍ଧତିର ପ୍ରଚାରକରି ହିନ୍ଦୁ ମାନଙ୍କ ମଧ୍ୟରୁ ସାମ୍ପ୍ରଦାୟିକ ବିରୋଧ ଏଡ଼ାଇବା ନିମନ୍ତେ ଉଦ୍ୟମ କରିଥିଲେ । ଜାତିଭେଦ, ବାଲ୍ୟବିବାହ, ବହୁ ବିବାହ, ମୂର୍ତ୍ତି ପୂଜା, ମାଂସ ଆହାର ଲାଗି ଅନିଚ୍ଛା, ବିଦେଶ ଗମନ ଲାଗି ଅନିଛା ପ୍ରଭୃତି ଜାତୀୟ ଅବନତିର କାରଣ ବୋଲି ମତ ପ୍ରକାଶ କରି ଏଗୁଡ଼ିକର ବିଲୋପ ଲାଗି ସେ ନାନା ଉପାୟରେ ଚେଷ୍ଟିତ ଥିଲେ । ସେହିପରି ଶିକ୍ଷାକ୍ଷେତ୍ରରେ ସଂସ୍କାର ଲାଗି ସେ ଯେଉଁ ଉଦ୍ୟମ କରିଥିଲେ ତାହାର ଉଦ୍ଦେଶ୍ୟ ଥିଲା ଯେ, ଇଂରାଜୀ ଶିକ୍ଷା ମାଧ୍ୟମରେ ଦେଶରେ ସ୍ୱାଧୀନ ଚିନ୍ତା ଓ ବିଚାର ବୃଦ୍ଧିର ଉନ୍ମେଷ କରାଇବା । ଯଦିଓ ସଂସ୍କୃତଶାସ୍ତ୍ର ଗୁଡ଼ିକରେ ପଦାର୍ଥ ବିଦ୍ୟା, ରସାୟନ ଶାସ୍ତ୍ର, ଶରୀର ବିଜ୍ଞାନ ପ୍ରଭୃତି ବିଦ୍ୟାର ଆଭାସ ମିଳିଥାଏ, କଠିନ ସଂସ୍କୃତ ଶାସ୍ତ୍ର ପାଠକରି ସାଧାରଣ ଲୋକଙ୍କ ମଧ୍ୟରେ ଏହାର ପ୍ରସାର ଘଟାଇବା ସହଜସାଧ୍ୟ ନୁହେଁ । ତେଣୁ ଗଣିତ, ପଦାର୍ଥ ବିଜ୍ଞାନ, ଶରୀର ବିଜ୍ଞାନ ପ୍ରଭୃତି ବିଦ୍ୟା ସାଧାରଣ ଲୋକଙ୍କ ସ୍ତରରେ ଇଂରାଜୀ ଶିକ୍ଷା ମାଧ୍ୟମରେ ପ୍ରସାର ଘଟାଇବା ସହଜସାଧ୍ୟ ବୋଲି ମନେକରି ସେ ଏଥିପାଇଁ ଉଦ୍ୟମ କରିଥିଲେ ।

 

ରାମମୋହନଙ୍କର ବହୁମୁଖୀ ପ୍ରତିଭା ତଥା ସଂସ୍କାରକ ଦୃଷ୍ଟିଭଙ୍ଗୀ ଜାତୀୟ ଜୀବନର ପ୍ରାୟ ପ୍ରତ୍ୟେକ ଦିଗକୁ ପ୍ରଭାବିତ କରିଥିଲା । ଜାତୀୟ ବୋଧ ଓ ଧର୍ମାନୁରାଗ ମାଧ୍ୟମରେ ଦେଶକୁ ଜାଗ୍ରତ କରାଇବା ଦିଗରେ ରାମମୋହନଙ୍କ ଉଦ୍ୟମ ଥିଲା, ଭାରତରେ ସର୍ବପ୍ରଥମ ।

 

କ୍ରିୟା ଓ ପ୍ରତିକ୍ରିୟା ମଧ୍ୟରେ ବ୍ରାହ୍ମସମାଜର ଉତ୍‌ଥାନ ଓ ପତନ

 

ବ୍ରିଟିଶ ଶାସନବେଳେ ସଭ୍ୟତାର ସଂଘାତରେ ରକ୍ଷଣଶୀଳତାକୁ ବରଦାସ୍ତ କରିବା ପାଇଁ ଯୁବମଣ୍ଡଳୀ ପସନ୍ଦ କଲେ ନାହିଁ । ଫଳରେ ଏପରି ଏକ ପରିସ୍ଥିତି ସୃଷ୍ଟି ହେଲା ଯେ, ଏକ ପକ୍ଷେ ରକ୍ଷଣଶୀଳତା ଓ ଅନ୍ୟ ପକ୍ଷେ ଆଧୁନିକତାର ସ୍ପର୍ଶ ସମାଜ ଉପରେ ଅନୁଭୂତ ହୋଇ ଦୁଇଟି ପରସ୍ପର ବିରୋଧୀ ଶକ୍ତି ମଧ୍ୟରେ ଏକ ପ୍ରକାର ସଂଘର୍ଷ ଦେଖାଦେଇଥିଲା ।

 

ମୁସଲମାନ ଶାସନ ସମୟରେ ରକ୍ଷଣଶୀଳତାର ସଂରକ୍ଷଣ ଲାଗି ହିନ୍ଦୁଜାତି ଯେଉଁ କୌଶଳ ଅବଲମ୍ବନ କରିଥିଲା ଇଂରେଜ ଶାସନ ସମୟରେ ତାହା ଆଦୌ କାମ ଦେଲା ନାହିଁ । ସେତେବେଳେ ରକ୍ଷଣଶୀଳ ହିନ୍ଦୁଗୋଷ୍ଠୀ ହୁଏତ ଆଉ କିଛି କୌଶଳ ଅବଲମ୍ବନ କରି ସମାଜରେ ରକ୍ଷଣଶୀଳତା ପ୍ରତିଷ୍ଠିତ କରିପାରିଥାନ୍ତେ । କିନ୍ତୁ ଶତାବ୍ଦୀ ସଂଚିତ କୁସଂସ୍କାର ଭାରାରେ ସେମାନେ ଅପାରଗ ଓ ପଙ୍ଗୁହୋଇ ପଡ଼ିଥିଲେ ।

 

ସେତିକିବେଳେ ପାଶ୍ଚାତ୍ୟ ଆଦର୍ଶ ସହିତ ପ୍ରାଚ୍ୟ ପରମ୍ପରାର ସଂଘର୍ଷ ହୋଇ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେଲା ତାହାର ଶିକାର ହୋଇ ପଡ଼ିଲେ ଏହି ରକ୍ଷଣଶୀଳ ଗୋଷ୍ଠୀ । କିନ୍ତୁ ଏହାଦ୍ଵାରା ସାମାଜିକ ଜୀବନରେ ବିଦେଶୀ ଅନୁକରଣ ପ୍ରଭାବର ଏକ ଚାଞ୍ଚଲ୍ୟ ସୃଷ୍ଟି ହେଲା । କଲିକତା ନଗରୀ ଥିଲା । ପାଶ୍ଚାତ୍ୟ ଶିକ୍ଷାର ପ୍ରାଣ କେନ୍ଦ୍ର ।

 

ଭାରତରେ ଇଂରେଜ ରାଜତ୍ଵ ପ୍ରତିଷ୍ଠିତ ହେବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟିଆନ ଧର୍ମଯାଜକମାନେ ଦଳଦଳ ହୋଇ ଭାରତରେ ପ୍ରବେଶ କଲେ । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଭାରତରେ ଖ୍ରୀଷ୍ଟଧର୍ମର ପ୍ରଚାର କରିବା । କିନ୍ତୁ ସେମାନେ ଧର୍ମ ପ୍ରଚାର କରିବା ସମୟରେ ହିନ୍ଦୁମାନଙ୍କ ଉପରେ ଧର୍ମ ନାମରେ ବଳପ୍ରୟୋଗ କଲେ । କୁସଂସ୍କାରଗ୍ରସ୍ଥ ହିନ୍ଦୁ ସମାଜ ଏସବୁ ଦେଖୁଥିଲା । ଖ୍ରୀଷ୍ଟିଆନ ଧର୍ମଯାଜକଙ୍କ ମୁଖରୁ ମଧ୍ୟ ଏହି ସମାଜ ଶୁଶୁଥିଲା ଯେ, ହିନ୍ଦୁମାନଙ୍କର ଧର୍ମ, ଆଚାର, ବ୍ୟବହାର ସବୁକିଛି କୁରୁଚିସମ୍ପନ୍ନ । କିନ୍ତୁ ଏହାର ଜବାବ ଦେବାପାଇଁ ଏ ସମାଜର ଶକ୍ତି ନ ଥିଲା ।

 

ଜଣାଯାଏ, ଜଣେ ଇଂରେଜ ମହିଳା ମିଶନାରୀ ହିନ୍ଦୁ ଧର୍ମକୁ ନିନ୍ଦାକରି ତିରସ୍କାର କରିବା ପାଇଁ କୌଣସି ଭାଷା ନ ପାଇ ଶେଷରେ ସେ ଏ ବିଷୟରେ ଗବେଷଣା କଲେ ଏବଂ ଗବେଷଣା ପରେ ତାଙ୍କର ସିଦ୍ଧାନ୍ତ ଘୋଷଣା କଲେ, ‘ହିନ୍ଦୁ ଧର୍ମ ଓ ଘନୀଭୂତ ଅପବିତ୍ରତା ଏକା ଜିନିଷ’ I (Cristalised in morality and Hinduism are same thing.) ଖ୍ରୀଷ୍ଟ ଧର୍ମଯାଜକମାନେ କହୁଥିଲେ ଯେ, ହିନ୍ଦୁଧର୍ମରେ ଯେଉଁ ପୈଶାଚକତାପୂର୍ଣ୍ଣ ଉପାଦାନ ରହିଛି ତାହାର ଫଳ ସ୍ଵରୂପ ହିନ୍ଦୁମାନେ ଇହଲୋକରେ ସୁଖଭୋଗରୁ ବଞ୍ଚିତ ହୋଇ ପରଲୋକରେ ନର୍କକୁ ଯିବେ ।

 

ହିନ୍ଦୁ ଧର୍ମ ସଂପର୍କରେ ଯଥେଷ୍ଟ ଜ୍ଞାନଲାଭ କରି ସାରିବା ପରେ ଯେ, ସେମାନେ ଏହା କହୁଥିଲେ ତାହା ନୁହେଁ । ହିନ୍ଦୁ ସମାଜରେ ଅନୁସୃତ କୁସଂସ୍କାରଜନିତ ପ୍ରଥା ହିନ୍ଦୁଧର୍ମର ଏକ ଅଙ୍ଗ ବୋଲି ବିବେଚନା କରି ସେମାନେ ଏହା କରୁଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ହିନ୍ଦୁ ସମାଜର ବିଭିନ୍ନ ସଂପ୍ରଦାୟ ଏହାକୁ ନିରବରେ ସହ୍ୟକରି ନେଉଥିଲେ । ଧନିକ ଗୋଷ୍ଠୀ ଆମୋଦ ପ୍ରମୋଦରେ ବିଭୋର ଥିଲାବେଳେ ବ୍ରାହ୍ମଣ ପଣ୍ଡିତମାନେ ଦେଶାଚାର, ଲୋକାଚାର ପ୍ରଭୃତିର ଦ୍ଵାହି ଦେଇ ଆଦର୍ଶମୟ ଜୀବନ ଯାପନକରି ନିଶ୍ଚିନ୍ତ ରହୁଥିଲେ । ଖ୍ରୀଷ୍ଟିଆନ ମିଶନାରୀମାନଙ୍କ କଥାର ପ୍ରତିବାଦ କରିବାର କ୍ଷମତା କାହାର ନ ଥିଲା । ଏ ସମୟରେ ସଭ୍ୟତାର ଆଲୋକ ନେଇ ଆବିର୍ଭୂତ ହେଲେ ରାଜା ରାମମୋହନ ।

 

ଉନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ରାମମୋହନଙ୍କ ଚିନ୍ତାଧାରା ସମାଜର ଜଡ଼ତା ଉପରେ ବାରମ୍ବାର ଆଘାତ କଲା । ମାର୍ସମେନ (Marshman) ପ୍ରଗତି ଶ୍ରୀରାମପୁରର ମିଶନାରୀମାନେ ବେଦାନ୍ତ ଉପରେ ଆକ୍ରମଣ କଲେ ଏବଂ ବଂଗାଳୀମାନଙ୍କୁ ଖ୍ରୀଷ୍ଟିଆନ କରିବାପାଇଁ ଯତ୍ପରୋନାସ୍ତି ଚେଷ୍ଟାକଲେ । କିନ୍ତୁ ତାହା ରାମମୋହନଙ୍କ ଅକାଟ୍ୟ ଯୁକ୍ତି ଓ ଶକ୍ତିଶାଳୀ ବ୍ୟକ୍ତିତ୍ଵ ଆଗରେ ପଣ୍ଡ ହୋଇଗଲା । ଏକ ଅଧଃପତିତ ଜାତିର ଧର୍ମ ଓ ସମାଜକୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ସମସ୍ତ ପ୍ରକାର ପ୍ରତିକୂଳ ଶକ୍ତି ବିରୁଦ୍ଧରେ ଏକାକୀ ସଂଗ୍ରାମକରି ରାମମୋହନ ଯେଉଁ ଅସାଧ୍ୟ ସାଧନ କରିଗଲେ ଏବେ ମଧ୍ୟ ସେ ସଂପର୍କରେ ଚିନ୍ତାକଲେ ଆଶ୍ଚର୍ଯ୍ୟ ଲାଗେ ।

 

ସଂଘର୍ଷରେ ରାମମୋହନଙ୍କର ପ୍ରତିଦ୍ଵନ୍ଦୀ ଥିଲେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଉଭୟ । ଏକ ପକ୍ଷରେ ଶତାବ୍ଦୀ ସଞ୍ଚିତ କୁସଂସ୍କାର ଓ ତାହାର ରକ୍ଷଣଶୀଳ ଗୋଷ୍ଠୀ, ଅନ୍ୟ ପକ୍ଷରେ ଖ୍ରୀଷ୍ଟିଆନ ଧର୍ମାନ୍ଧତା ପ୍ରସ୍ତୁତ ହିନ୍ଦୁଧର୍ମ ଓ ହିନ୍ଦୁ ଦର୍ଶନର ଭ୍ରାନ୍ତ ବ୍ୟାଖ୍ୟା ରାମମୋହନଙ୍କ ଆଗରେ ପ୍ରବଳ ପରାକ୍ରମୀ ଶତ୍ରୁରୂପେ ଉଭା ହେଉଥିଲେ । ଏହି ଉଭୟଙ୍କ ବିରୁଦ୍ଧରେ ରାମମୋହନଙ୍କୁ ଯୁଗପତ୍‌ ଲଢ଼େଇ କରିବାକୁ ପଡ଼ିଥିଲା । ରାଧାକାନ୍ତ ଦେବ ପ୍ରଭୃତି ଧନିକ ଗୋଷ୍ଠୀ ରାମମୋହନଙ୍କୁ ବାଧାଦେଲେ ସତ୍ୟ, କିନ୍ତୁ ତାଙ୍କୁ ତାଙ୍କ ପଥରୁ ବିଚ୍ୟୁତ କରିପାରିଲେ ନାହିଁ ।

 

ଉଇଲିଅମ୍‌ ବେଣ୍ଟିକ ରାମମୋହନଙ୍କର ପରାମର୍ଶ ଅନୁଯାୟୀ ଗଙ୍ଗାସାଗରରେ ସନ୍ତାନ ବିସର୍ଜନ ପ୍ରଥା ବନ୍ଦକଲେ । ବିଧବାମାନଙ୍କୁ ସତୀଦାହ ପ୍ରଥା କବଳରୁ ରକ୍ଷା କରିଥିଲେ । ଆହୁରି ଯେତେ ଯାହା ସଂସ୍କାରମୂଳକ ପଦକ୍ଷେପ ରାମମୋହନଙ୍କ ପରାମର୍ଶ କ୍ରମେ ଗ୍ରହଣ କରାଗଲା, ସେଗୁଡ଼ିକ ଦ୍ୱାରା ହିନ୍ଦୁଧର୍ମ ନଷ୍ଟ ହୋଇଗଲା ବୋଲି ରକ୍ଷଣଶୀଳ ସମାଜ ଆନ୍ଦୋଳନ ଚଳାଇଲେ । କିନ୍ତୁ ଅକୃତକାର୍ଯ୍ୟ ହୋଇ ଛାଏଁ ଛାଏଁ ସେମାନଙ୍କର ପ୍ରଭାବ ସମାଜରୁ ଅପସରି ଗଲା । ଏହା ସାଙ୍ଗକୁ ରାମମୋହନଙ୍କ ପ୍ରଚେଷ୍ଟାରେ ଭାରତରେ ଯେ ପାଶ୍ଚାତ୍ୟ ଶିକ୍ଷାର ପ୍ରବର୍ତ୍ତନ ହେଲା ତାହା ପ୍ରାଚୀନ ପନ୍ଥୀମାନଙ୍କୁ ଆଘାତ ଦେଇ ତତ୍‍କାଳୀନ ଭାରତୀୟ ଯୁବକମାନଙ୍କୁ ଆଧୁନିକ ଭାବଧାରାରେ ଅନୁପ୍ରାଣିତ କରିଥିଲେ ମଧ୍ୟ ଏକ ସମୟରେ କେତେକ ଯୁବକ ସ୍ଵେଚ୍ଛାଚାରୀ ଓ ଉତ୍ସୃଙ୍ଖଳା ହୋଇ ପଡ଼ିବାରୁ ତାହାର ନିରାକରଣ ଲାଗି ରାମମୋହନଙ୍କୁ ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ହୋଇଥିଲା ।

 

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ତତ୍‍କାଳୀନ ହିନ୍ଦୁ କଲେଜର ଛାତ୍ରବୃନ୍ଦ ପାଶ୍ଚାତ୍ୟ ଶିକ୍ଷା, ଦୀକ୍ଷା ଯୋଗୁଁ ସୁରାପାନ, ପ୍ରକାଶ୍ୟରେ ମୁସଲମାନ ଦୋକାନରୁ ମାଂସାଦ କ୍ରୟକରି ଭକ୍ଷଣ ପ୍ରଭୃତି କାର୍ଯ୍ୟ କରିବାକୁ ଲାଗିଲେ । ସେମାନଙ୍କର ଆଚାର ବ୍ୟବହାର କାଳକ୍ରମେ ଅତ୍ୟନ୍ତ ଅସହ୍ୟ ହୋଇ ପଡ଼ିଲା । ଏହିଠାରେ ରାମମୋହନ ଏହାର କାରଣ ସଂପର୍କରେ ଗଭୀର ଚିନ୍ତାକରି ସ୍ଥିର କଲେ ଯେ କୌଣସି ପଦ୍ଧତିରେ ଶିକ୍ଷା ଦିଆଗଲେ ମଧ୍ୟ ତାହା ଯଦି ଧର୍ମାନୁଗତ ନ ହୁଏ, ତେବେ ଉଚ୍ଛୃଙ୍ଖଳତା ପ୍ରକାଶ ଏକ ସ୍ଵାଭାବିକ ଘଟଣା ହେବ । ସେତେବେଳେ ହିନ୍ଦୁ କଲେଜରେ ଧର୍ମ ଶିକ୍ଷା ଦିଆଯାଉନଥିଲା । ଏହାଦ୍ୱାରା ଗ୍ରନ୍ଥମାନଙ୍କର ନୈତିକ ମେରୁଦଣ୍ଡ ଭାଙ୍ଗି ପଡ଼ୁଥିବାର ଲକ୍ଷ୍ୟକରି ଶିକ୍ଷାକୁ ଧର୍ମାନୁଗତ କରିବାପାଇଁ ସେ ଚେଷ୍ଟା କଲେ ଏବଂ ତାହାହିଁ ହେଲା । ତତ୍‌କାଳୀନ ହିନ୍ଦୁ କଲେଜ ଛାତ୍ରମାନଙ୍କର ପୈଶାଚିକ ବ୍ୟବହାର ଦର୍ଶନକରି ରାମମୋହନ ଭାବିଲେ ଯେଉଁ ପାଶ୍ଚାତ୍ୟ ଶିକ୍ଷାକୁ ଏତେ ଆଦରକରି ଭାରତକୁ ବିକାଶ ପଥରେ ଆଗେଇ ନେବାପାଇଁ ସେ ପ୍ରବର୍ତ୍ତନ କଲେ ତାହାର ପରିଣାମ ବିଷମୟ ହେବା ଏକ ଦୁଃଖାବହ ଘଟଣା । ଏଥିରେ ସେ ବ୍ୟଥିତ ହୋଇ ପଡ଼ିଥିଲେ । ତାଙ୍କର ଜଣେ ଜୀବନୀ ଲେଖକ ଲେଖିଛନ୍ତି *

 

*In his younger years his mind had been deeply struck with the evils of believing too much, and against that he directed all his energies, but in his later days he began to feel, that there was as much, if not greater, danger in the tendency to believe too little. He often deplored the existence of a party which had sprung up in Calcutta composed principally of young men, some of them possessing talent, who had avowed themselves sceptics in the widest sense of the term. He described it as a party composed of East Indians, partly of the Hindu youths who, from education, had learnt to reject their own faith without substituting any other, these, he thought, more debased than the most bigoted Hinda and their principles, the bane of all morality.’

 

କଲିକତାରେ ବିଶେଷତଃ ଯୁବକମାନଙ୍କ ଦ୍ଵାରା ଗଠିତ ଗୋଟିଏ ଦଳ ବିଷୟରେ ସେ କ୍ଷୋଭର ସହିତ ଉଲ୍ଲେଖ କରୁଥିଲେ । ଏହି ଯୁବକମାନଙ୍କ ମଧ୍ୟରୁ କେହି କେହି ମଧ୍ୟ ବୁଦ୍ଧିମାନ ଥିଲେ ଏବଂ ସର୍ବୋତଭାବରେ ସନ୍ଦେହବାଦୀ ହୋଇ ଉଠିଲେ । ସେ କହୁଥିଲେ ଏହି ହିନ୍ଦୁ ଓ ଫିରିଙ୍ଗୀ ଯୁବକମାନଙ୍କ ଦ୍ଵାରା ଗଠିତ ହୋଇଛି । ସେମାନେ ଅଭିନବ ଶିକ୍ଷା ପ୍ରଣାଳୀ ପ୍ରଭାବରେ ନିଜ ଧର୍ମମତ ବର୍ଜନ କରୁଥିଲେ, କିନ୍ତୁ ଅନ୍ୟ କୌଣସି ଧର୍ମ ଗ୍ରହଣ କରୁନଥିଲେ । ଏହି ଭଳି କୌଣସି ଧର୍ମ ପ୍ରତି ଆସ୍ଥାହୀନତା ଜଣେ କୁସଂସ୍କାରାଚ୍ଛନ୍ନ ହିନ୍ଦୁର ଅବସ୍ଥା ଠାରୁ ମଧ୍ୟ ଅଧିକତର ଶୋଚନୀୟ ଏବଂ ସେମାନଙ୍କ ମତବାଦ ସର୍ବବିଧ ନୈତିକ ଉନ୍ନତିର ପରିପନ୍ଥୀ ?

 

ମହର୍ଷି ଦେବେନ୍ଦ୍ର ନାଥ

 

ଧର୍ମ ଓ ସମାଜ ସଂସ୍କାର କାର୍ଯ୍ୟରେ ରାମମୋହନଙ୍କର ସମସ୍ତ ଉଦ୍ୟମ ଆତ୍ମା ଓ ପରମାତ୍ମା ମଧ୍ୟରେ ଥିବା ଅଭେଦ ସଂପର୍କ ଉପରେ ପ୍ରତିଷ୍ଠିତ ଥିଲା । ଭାରତର ସନାତନ ଧର୍ମ, ସାଧନା ଓ ସଭ୍ୟତା ନାନାତ୍ରୁଟି ବିଚ୍ୟୁତି ମଧ୍ୟରେ କଦାକାର ରୂପ ଧାରଣ କରିଛି ବୋଲି ମତ ପ୍ରକାଶକରି ସେଗୁଡ଼ିକର ପ୍ରକୃତ ମର୍ମ ଉପଲବ୍‍ଧ କରିସାରିବା ପରେ ତତ୍‍କାଳୀନ ସମାଜରେ ପ୍ରଚଳିତ କ୍ରିୟାକାଣ୍ଡ ବିରୁଦ୍ଧରେ ସେ ପ୍ରତିବାଦ କରିଥିଲେ । ରାମମୋହନ କୌଣସି ନୂତନଧର୍ମ ବା ସମ୍ପ୍ରଦାୟ ପ୍ରତିଷ୍ଠା କରିନଥିଲେ । କେତେକଙ୍କ ମତରେ ଯେ ବ୍ରାହ୍ମଧର୍ମ ରାମମୋହନଙ୍କ ନାମରେ ଆଜି ଭାରତରେ ପ୍ରଚଳିତ ତାହାର ପ୍ରତିଷ୍ଠାତା ହେଉଛନ୍ତି ମହର୍ଷି ଦେବନ୍ଦ୍ର ନାଥ, ରାମମୋହନ ନୁହନ୍ତି । ବ୍ରାହ୍ମ ସମାଜର ଅନ୍ୟତମ ପ୍ରଚାରକ ବିପିନଚନ୍ଦ୍ର ପାଲ ରାମମୋହନ ଓ ଦେବେନ୍ଦ୍ର ନାଥଙ୍କ ଆଦର୍ଶ ସଂପର୍କରେ ଆଲୋଚନା କରି କହିଛନ୍ତି ‘ରାଜା ରାମମୋହନ ଏକାନ୍ତ ଭାବରେ ଶାସ୍ତ୍ରୀୟ ପ୍ରମାଣ ବର୍ଜନ କରିନଥିଲେ । ମହର୍ଷି ଦେବେନ୍ଦ୍ର ନାଥ ବେଦକୁ ପ୍ରାମଣ୍ୟ ମର୍ଯ୍ୟାଦା ଭ୍ରଷ୍ଟକରି ଶୁଦ୍ଧ ବ୍ୟକ୍ତିଗତ ବିଚାରବୁଦ୍ଧି ଉପରେ ହିଁ ଏକାନ୍ତ ଭାବରେ ସତ୍ୟାସତ୍ୟ ଓ ଧର୍ମାଧର୍ମ ମୀମାଂସାର ଭାର ଅର୍ପଣ କରିଥିଲେ । ଧର୍ମ ସାଧନ ଲାଗି ଗୁରୁଙ୍କ ବିଶେଷ ସ୍ଥାନ ଅଛି ବୋଲି ରାଜା କେବେ ହେଲେ ଅସ୍ଵୀକାର କରିନାହାନ୍ତି । ମହର୍ଷି ଦେବେନ୍ଦ୍ର ନାଥ ଯେପରି ଶାସ୍ତ୍ର, ସେହିପରି ଗୁରୁଙ୍କୁ ବର୍ଜନକରି ପ୍ରତ୍ୟକ୍ଷ ଆତ୍ମଶକ୍ତି ଓ ଅପ୍ରତ୍ୟକ୍ଷ ବ୍ରହ୍ମକୃପା ଉପରେ ସାଧନାରେ ଯଥାଯୋଗ୍ୟ ସିଦ୍ଧିଲାଭର ସମ୍ଭାବନାକୁ ପ୍ରତିଷ୍ଠିତ କରିଥିଲେ । ତତ୍ତ୍ଵାଙ୍ଗ, ସାଧନାଙ୍ଗ ଓ ଧର୍ମର କୌଣସି ଅଙ୍ଗରେ ରାଜା ରାମମୋହନ ସ୍ୱଦେଶର ସନାତନ ସାଧନା ସଙ୍ଗେ ସଙ୍ଗେ ନିଜ ଧର୍ମ ସଂସ୍କାରର ପ୍ରାଣଗତ ଯୋଗ ନଷ୍ଟ କରିନାହାନ୍ତି । ରାଜା ବେବାନ୍ତ ଉପରେ ନିଜତତ୍ତ୍ୱ ସିଦ୍ଧାନ୍ତ ପ୍ରତିଷ୍ଠା କରିଥିଲେ । ମହର୍ଷି ଏକ ପ୍ରକାର ସ୍ୱଦେଶିକତାର ଏକାନ୍ତ ଅନୁରାଗୀ ହୋଇ ମଧ୍ୟ ପ୍ରକୃତ ପକ୍ଷରେ ଏହି ଯୋଗ ରକ୍ଷା କରିନାହାନ୍ତି, କରିବାକୁ ଚେଷ୍ଟା ମଧ୍ୟ କରିନାହନ୍ତି । ରାଜା ବେଦାନ୍ତ ଉପରେ ନିଜତତ୍ତ୍ଵ ସିଦ୍ଧାନ୍ତ ପ୍ରତିଷ୍ଠା କରିଥିଲେ । ମହର୍ଷି ଏକ ପ୍ରକାର ସ୍ଵଦେଶିକତାର ଏକାନ୍ତ ଅନୁରାଗୀ ହୋଇ ମଧ୍ୟ ପ୍ରକୃତ ପକ୍ଷରେ ଏହି ଯୋଗ ରକ୍ଷା କରିନାହାନ୍ତି, କରିବାକୁ ଚେଷ୍ଟା ମଧ୍ୟ କରିନାହାନ୍ତି । ରାଜା ବେଦାନ୍ତ ଉପରେ ନିଜ ତତ୍ତ୍ଵ ସିଦ୍ଧାନ୍ତ ପ୍ରତିଷ୍ଠା କରିଥିଲେ । ମହର୍ଷି ପ୍ରକୃତ ପକ୍ଷରେ ଅଷ୍ଟାଦଶ ଶତାବ୍ଦୀର ୟୁରୋପୀୟ ଯୁକ୍ତିବାଦ ଉପରେହିଁ ତାଙ୍କ ବ୍ରାହ୍ମଧର୍ମକୁ ଗଢ଼ିଥିଲେ, ରାଜା ବେଦାନ୍ତ ପ୍ରତିପାଦ୍ୟ ଧର୍ମକୁହିଁ ବ୍ରାହ୍ମଧର୍ମ ବୋଲି ପ୍ରଚାର କରିଥିଲେ । ମହର୍ଷି ତାଙ୍କ ନିଜ ଆତ୍ମ ପ୍ରତ୍ୟୟ ବା ସ୍ଵାନୁଭୂତି ପ୍ରାତିପାଦ୍ୟ ଧର୍ମକୁ ବ୍ରାହ୍ମଧର୍ମ ରୂପେ ପ୍ରତିଷ୍ଠା କରିଥିଲେ ।

 

‘ମହର୍ଷିଙ୍କ ବ୍ରାହ୍ମଧର୍ମ ଗ୍ରନ୍ଥରେ କେବଳ ଉପନିଷଦର ଉପଦେଶ ଉଦ୍ଧୃତ ଓ ବ୍ୟାଖ୍ୟା ହୋଇଛି ସତ୍ୟ କିନ୍ତୁ ଏହିସବୁ ଉଦ୍ଧୃତ ଉପଦେଶର ପ୍ରାମାଣ୍ୟ-ମର୍ଯ୍ୟାଦା ଶ୍ରୁତି ପ୍ରତିଷ୍ଠିତ ନୁହେଁ, ମହର୍ଷିଙ୍କ ନିଜ ସ୍ଵାନୁଭୂତି ପ୍ରତିଷ୍ଠିତ ମାତ୍ରା । ଉପନିଷଦର ଯେଉଁ ଶ୍ରୁତିଗୁଡ଼ିକ ମହର୍ଷିଙ୍କୁ ସତ୍ୟ ବୋଲି ଜଣାଯାଇଛି, ସେ ସେହିଗୁଡ଼ିକୁ ବାଛି ନିଜ ବ୍ରାହ୍ମଧର୍ମ ଗ୍ରନ୍ଥରେ ନିବଦ୍ଧ କରିଛନ୍ତି—ଋଷିମାନେ କାହାକୁ ସତ୍ୟବୋଲି ଦେଖିଥିଲେ ବା ଜାଣିଥିଲେ, ସେ ତାହାର ସନ୍ଧାନ କରିନାହାନ୍ତି । କେଉଁ ଶ୍ରୁତିର ଉତ୍ତରାର୍ଦ୍ଧ, କାହାର ବା ଅପରାର୍ଦ୍ଧ ଯାହାର ଯେତିକି ତାଙ୍କ ନିଜର ମନୋନୀତ ହୋଇଛି, ସେତିକି କାଟ୍‍ଛାଣ୍ଟ କରି ନିଜ ବ୍ରାହ୍ମଧର୍ମ ଗ୍ରନ୍ଥରେ ଯୋଡ଼ି ଦେଇଛନ୍ତି । ଅତଏବ ମହର୍ଷି ବ୍ରାହ୍ମଧର୍ମ ଗ୍ରନ୍ଥରେ ଅନେକ ଶ୍ରୁତି ଉଦ୍ଧୃତ ହୋଇଥିଲେ ମଧ୍ୟ ଏ ଗ୍ରନ୍ଥ ତାଙ୍କ ନିଜସ୍ଵ ମତାମତ ତାଙ୍କ ନିଜର, ପ୍ରାଚୀନ ଋଷିମାନଙ୍କର ନୁହେଁ । ସଂସ୍କୃତ ଶ୍ଳୋକ ଉଦ୍ଧାର ନ କରି କେବଳ ବଙ୍ଗଳା ଭାଷାରେ ଏହି ମତାମତଗୁଡ଼ିକୁ ଲିପିବଦ୍ଧ କଲେ ବା ତାର ଯେତେ ମର୍ଯ୍ୟାଦା ଥାଆନ୍ତା, ଉପନିଷଦରୁ ଉଦ୍ଧୃତ ହେବା ଦ୍ଵାରା ଏହା ତଦ୍‌ପେକ୍ଷା ବେଶି ମର୍ଯ୍ୟାଦା ଲାଭ କରି ନାହିଁ ।’’ (ପଣ୍ଡିତ ଶିବନାଥ ଶାସ୍ତ୍ରୀ ଓ ବ୍ରାହ୍ମ ସମାଜରୁ ଉଦ୍ଧୃତ)

 

ହିନ୍ଦୁ କଲେଜ ଛାତ୍ରମାନଙ୍କ ମଧ୍ୟରେ ଯେଉଁ ନାସ୍ତିକତା ଦେଖା ଦେଇଥିଲା ଆଲେକ୍‌ଜାଣ୍ଡର ଡଫ୍‌ନାମକ ଜଣେ ପାଦ୍ରିଙ୍କ ଚେଷ୍ଟା ଯୋଗୁଁ ଏହି ନାପ୍ତିକତା କ୍ରମଶଃ ହ୍ରାସ ପାଇଲା-। ଏତିକିବେଳେ ପାଦ୍ରି ଡଫ୍‌ଆଶା କରିଥିଲେ ଯେ, ଶିକ୍ଷିତ ବଙ୍ଗାଳୀମାନଙ୍କୁ ସେ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ କରିବା ଏଣିକି ସହଜ ହେବ । କିନ୍ତୁ ତାଙ୍କର ଏହି ଆଶା ପୂରଣ ହୋଇ ପାରିଲା ନାହିଁ-। ତାଙ୍କ ଉଦ୍ୟମର ପଥରେ ଅନ୍ତରାୟ ସ୍ଵରୂପ ଦଣ୍ଡାୟମାନ ହେଲା ବ୍ରାହ୍ମଧର୍ମ ।

 

ଏହି ବ୍ରାହ୍ମଧର୍ମ ‘ଯୀଶୁଙ୍କ ସ୍ଵର୍ଗରାଜ୍ୟକୁ ଆଣିବାର’ ଦ୍ଵାର ରୁଦ୍ଧକରି ପକାଇଲା । ବେଦାନ୍ତକୁ ସମର୍ଥନକରି ମହର୍ଷି ଦେବେନ୍ଦ୍ରନାଥଙ୍କ ଦ୍ଵାରା ପ୍ରତିଷ୍ଠିତ ‘ତତ୍ତ୍ଵବୋଧିନୀ ପତ୍ରିକାରେ ପ୍ରବନ୍ଧମାନ ପ୍ରକାଶିତ ହେଲା । ବେଦାନ ଶାସ୍ତ୍ର ଉପରେ ଆଲେକଜାଣ୍ଡର ଡଫ୍‌(Alexandar Doff) ତାଙ୍କର ଦଳ ଦଳ ନେଇ ପ୍ରବଳ ଆକ୍ରମଣ କଲେ ସତ, କିନ୍ତୁ ପରିଣତି ତାଙ୍କର ପ୍ରତିକୂଳ ହେଲା । ପାଦ୍ରି ଡଫ୍‌ ହିନ୍ଦୁ ଧର୍ମ ଓ ସମାଜ ଉପରେ ଆକ୍ରମଣ କରୁଛନ୍ତି ଦେଖି କଲିକତା ନଗରୀର ଉତ୍ତେଜନାମୟ ପରିସ୍ଥିତି ହେବା ସଙ୍ଗେ ସଙ୍ଗେ ହିନ୍ଦୁ କଲେଜର ନେତୃବୃନ୍ଦ ଡଫ୍‌ଙ୍କର ବକ୍ତୃତା ଶୁଣିବା ପାଇଁ ଛାତ୍ରମାନଙ୍କୁ ନିଷେଧ କଲେ । ଫଳରେ ଡଫ୍‌ ଭଗ୍ନ ହୃଦୟରେ ସ୍ଵଦେଶକୁ ଫେରିଯିବା ପାଇଁ ବାଧ୍ୟ ହେଲେ ।

 

ମହର୍ଷି ଦେବେନ୍ଦ୍ରନାଥଙ୍କ ଅକ୍ଳାନ୍ତ ଚେଷ୍ଟା ଫଳରେ ବଙ୍ଗ ପ୍ରଦେଶର ବିଭିନ୍ନ ସ୍ଥାନରେ ବ୍ରାହ୍ମ ସମାଜ ପ୍ରତିଷ୍ଠିତ ହୋଇ ଏହାର କାର୍ଯ୍ୟ ବିସ୍ତୃତ ହୋଇଥିଲା । ଏହା ହେଉଛି ୧୮୨୫ ମସିହାର ଘଟଣା ।

 

ଈଶ୍ଵରଚନ୍ଦ୍ର ବିଦ୍ୟାସାଗର

 

ଏ ସମୟରେ ବଙ୍ଗ ପ୍ରଦେଶର ବିରସିଂହ ଗ୍ରାମରେ ଆଉ ଜଣେ ସମାଜ ସଂସ୍କାରକ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଜନ୍ମ ଗ୍ରହଣ କରିଥିଲେ । ଦରିଦ୍ର ଓ ଆର୍ତ୍ତ ଜନସାଧାରଣଙ୍କ ସେବାରେ ସେ ଆତ୍ମୋତ୍ସର୍ଗ କରିଥିଲେ । ସ୍ଵଦେଶର ସମାଜରେ ଦୁର୍ଗତି ଓ ଦୁର୍ନୀତି ଦର୍ଶନ କରି ସେ ମ୍ରିୟମାଣ ହେବା ସଙ୍ଗେ ସଙ୍ଗେ ରାମମୋହନଙ୍କ ଆଦର୍ଶକୁ ନିଜର ଅକଳଙ୍କ ହୃଦୟରେ ଧାରଣକରି ସମାଜରେ ସଂସ୍କାର ଆଣିବା ପାଇଁ ବାହାରିଲେ ।

 

ବିଦ୍ୟାସାଗର ଲେଖିଛନ୍ତି ‘ବିଧବା ବିବାହ ପ୍ରବର୍ତ୍ତନ ମୋ ଜୀବନର ସର୍ବପ୍ରଧାନ ସତ୍‌କର୍ମ । ଏ ଜନ୍ମରେ ଏହାଠାରୁ ଅଧିକ ଆଉ କୌଣସି ସତ୍‌କର୍ମ କରିପାରିବି, ତାହାର ସଂଭାବନା ନାହିଁ । ଏଥିଯୋଗୁଁ ମୁଁ ସର୍ବସ୍ଵାନ୍ତ ହୋଇଛି ଏବଂ ଆବଶ୍ୟକହେଲେ ପ୍ରାଣ ଦେବାକୁ ମଧ୍ୟ ପରାନ୍‌ଙୁଖ ନୁହେଁ ।’

 

ବିବିଧ ସଦ୍‌ଗୁଣ ମଣ୍ଡିତ ବିଦ୍ୟାସାଗର ନାରୀର ସତୀଧର୍ମ ଉପରେ ଗୁରୁତ୍ଵ ଆରୋପ କରିବା ସଂଗେ ସଂଗେ ନାରୀ ଜାତି ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଦଣ୍ଡାୟମାନ ହେଲେ । ରାମମୋହନ ଯେଉଁ ସମୟରେ ଏହିପରି ଭାବେ ଦଣ୍ଡାୟମାନ ହୋଇଥିଲେ ତାଙ୍କର ପ୍ରାଣନାଶ ନିମନ୍ତେ ଯେପରି ଆୟୋଜନ ହୋଇଥିଲା, ସେହିପରି ବିଦ୍ୟାସାଗରଙ୍କ ପ୍ରାଣନାଶ ଲାଗି ମଧ୍ୟ ଗୋପନ ଆୟୋଜନ ଚାଲିଲା । କିନ୍ତୁ ସଂସ୍କାରକ ଭାବରେ ରାମମୋହନଙ୍କର ଜଣେ ଉପଯୁକ୍ତ ଦାୟାଦ ବିଦ୍ୟାସାଗର ଏଥିରେ ତିଳେମାତ୍ର ବିଚଳିତ ବା କ୍ଷୁବ୍‌ଧ ନ ହୋଇ ବାଲ୍ୟ ବିଧବାର ଦୁଃଖ ମୋଚନ ବ୍ରତ ଗ୍ରହଣ କଲେ । ବିଧବା ବିବାହ ଶାସ୍ତ୍ର ସମ୍ମତ ବୋଲି ପ୍ରମାଣ କଲେ-। ଶେଷରେ ବିଧବା ବିବାହ ପ୍ରଣୟନ ଆଇନ କରାଗଲା ।

 

ରବୀନ୍ଦ୍ର ନାଥ ବିଦ୍ୟାସାଗରଙ୍କ ସମ୍ପର୍କରେ ଲେଖିଛନ୍ତି ‘‘ତାଙ୍କ ପରି ଲୋକେ ପାରମାର୍ଜିତତା-ଭ୍ରଷ୍ଟ ବଙ୍ଗ ପ୍ରଦେଶରେ ଜନ୍ମ ହୋଇଥିଲେ ବୋଲି ଚତୁର୍ଦ୍ଦିଗର ଜଡ଼ ପାଷାଣ ଖଣ୍ଡମାନଙ୍କର ମଧ୍ୟ ବାରମ୍ବାର ଘାତ ପ୍ରତିଘାତ ହୋଇଥିଲା । ବିଦ୍ୟାସାଗର ନିଜ କର୍ମ ସଙ୍କୁଳ ଜୀବନ ଯେପରିକି ଚିରଦିନ ବ୍ୟଥିତ ଓ କ୍ଷୁବ୍‌ଧ ଭାବରେ କଟାଇଥିଲେ । ସେ ଯେପରିକି ସୈନ୍ୟହୀନ ବିଦ୍ରୋହୀଙ୍କ ପରି ନିଜ ଚତୁଃପାର୍ଶ୍ଵକୁ ଅବଜ୍ଞା କରି ଜୀବନ ରଙ୍ଗ ଭୂମିର ପ୍ରାନ୍ତ ପର୍ଯ୍ୟନ୍ତ ଜୟଧ୍ଵଜା ନିଜ କାନ୍ଧ ଉପରେ ଏକାକୀ ବହନ କରିଥିଲେ । ସେ କାହାକୁ ଡାକିନ ଥିଲେ । ସେ କାହାଠାରୁ ସାହାଯ୍ୟ ପାଇ ନଥିଲେ, ଅଥଚ ସେ ପଦେ ପଦେ ବାଧାର ସମ୍ମୁଖୀନ ହୋଇଥିଲେ । x x x ସେ ଯେଉଁ ଶବ ସାଧନରେ ପ୍ରବୃତ୍ତ ଥିଲେ ତାହାର ଉତ୍ତର—ସାଧକ ସେ ନିଜେ ଥିଲେ ।’’

 

କେଶବଚନ୍ଦ୍ର

 

୧୮୫୯ ଖ୍ରୀଷ୍ଟାବ୍ଦରେ କେଶବ ଚନ୍ଦ୍ର ସେନ ବ୍ରାହ୍ମ ସମାଜରେ ଯୋଗ ଦେଇଥିଲେ । ବ୍ୟକ୍ତିଗତ ବିଚାର ବିବେଚନା ଓ ସ୍ୱାଧୀନତାର ପ୍ରତିଷ୍ଠା, ବ୍ୟକ୍ତିଗତ ରୁଚି ଓ ପ୍ରବୃତ୍ତିର ପ୍ରତିଷ୍ଠା ସମାଜ ସଂସ୍କାର ମଧ୍ୟରେ କେଶବ ଚନ୍ଦ୍ରଙ୍କ ଉଦ୍ୟମର ମୂଳସୂତ୍ର ଥିଲା । କେଶବଚନ୍ଦ୍ରଙ୍କର ଅସାଧାରଣ ବାକ୍‌ପଟୁତା ଥିବାରୁ ସେ ଚମତ୍କାର ବତ୍କୃତା ଦେଇ ତତ୍‌କାଳୀନ ସମାଜ ଉପରେ ପ୍ରଭାବ ବିସ୍ତାର କରିପାରିଥିଲେ ।

 

କେଶବଚନ୍ଦ୍ର ଓ ତାଙ୍କର ସହକର୍ମୀମାନେ ବ୍ରାହ୍ମ ସମାଜକୁ ପାଶ୍ଚାତ୍ୟ ଆଦର୍ଶରେ ଗଢ଼ିବାକୁ ଚେଷ୍ଟା କଲେ । ସ୍ତ୍ରୀ ସ୍ଵାଧୀନତା, ଉପବିତ୍‌ହୀନ ଆଚାର୍ଯ୍ୟମାନଙ୍କ ଦ୍ଵାରା ବ୍ରାହ୍ମ ସମାଜର ଉପାସନା, ଅସବର୍ଣ୍ଣ ବିବାହ ପ୍ରଭୃତି ନୂତନ ପନ୍ଥା ବ୍ରାହ୍ମ ସମାଜରେ ପ୍ରଚଳନ କରିବାକୁ ସେ ଉଦ୍ୟମ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ । ବାଗ୍ମୀ ପ୍ରବର କେଶବଚନ୍ଦ୍ରଙ୍କ ବକ୍ତୃତାରେ ଦିନେ କଲିକତା ନଗରୀ ମଧ୍ୟ କମ୍ପି ଉଠିଥିଲା । ଏଥିରେ ଉଦବୁଦ୍ଧ ହୋଇ ବହୁ ଯୁବକ ବ୍ରାହ୍ମ ସମାଜରେ ଯୋଗ ଦେଲେ । ସାମାଜିକ ବ୍ୟାପାରରେ କେଶବଚନ୍ଦ୍ରଙ୍କ ଏପରି ଚରମ ପନ୍ଥାକୁ ମହର୍ଷି ଦେବେନ୍ଦ୍ର ନାଥ ମଧ୍ୟ ସହ୍ୟ କରିପାରିଲେ ନାହିଁ । ଏକଦା ଉପବିତଧାରୀ ଆଚାର୍ଯ୍ୟମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ମହର୍ଷି ଦେବେନ୍ଦ୍ରନାଥ ଅସମ୍ମତ ହେବାରୁ କେଶବଚନ୍ଦ୍ର ତାଙ୍କଠାରୁ ଦୂରେଇ ଯାଇ ନିଜର ସ୍ୱତନ୍ତ୍ର ଦଳ ଗଢ଼ିଲେ । ୧୮୬୬ ମସିହାରେ ବ୍ରାହ୍ମ ସମାଜ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ମହର୍ଷିଙ୍କ ସମାଜର ନାମ ହେଲା—‘ଆଦି ସମାଜ’ ଏବଂ କେଶବ, ବିଜୟକୃଷ୍ଣ ପ୍ରଭୃତି ଯେଉଁ ନୂତନ ସମାଜ ଗଠନ କଲେ ତାହାର ନାମ ହେଲା ‘ଭାରତବର୍ଷୀୟ ବ୍ରାହ୍ମ ସମାଜ’-

 

କେଶବଚନ୍ଦ୍ର ବ୍ରାହ୍ମ ସମାଜରୁ ଜାତିଭେଦ ପ୍ରଥାର ଉଚ୍ଛେଦ କଲେ । ଅସବର୍ଣ୍ଣ ବିବାହ ପ୍ରଥା ପ୍ରବର୍ତ୍ତନ କରାଇ ଏହାକୁ ଆଇନ ସମ୍ମତ କରିବା ଉଦ୍ଦେଶ୍ୟରେ ଆନ୍ଦୋଳନ କଲେ । ୧୮୭୨ ଖ୍ରୀଷ୍ଟାବ୍ଦରେ ଅସବର୍ଣ୍ଣ ବିବାହ ଆଇନ ଦ୍ଵାରା ସ୍ଵୀକୃତ ହୋଇଥିଲା ।

 

ପାଶ୍ଚାତ୍ୟ ଢାଞ୍ଚାରେ ଗଠିତ ବ୍ରାହ୍ମ ସମାଜ ବିରୁଦ୍ଧରେ ରକ୍ଷଣଶୀଳ ସମାଜ ବିଭିନ୍ନ ସଭା ପ୍ରତିଷ୍ଠା କରି ହିନ୍ଦୁଧର୍ମର ସଂରକ୍ଷଣ ଲାଗି ଏହା କରାଯାଉଛି ବୋଲି ପ୍ରଚାର କଲେ । ହରି ସଭା, ଧର୍ମ ସଭା ପ୍ରଭୃତିର ନାମ ଏଠାରେ ଉଲ୍ଲେଖଯୋଗ୍ୟ । ଗୋଟିଏ ପକ୍ଷେ ପାଶ୍ଚାତ୍ୟ ରୁଚି ସମ୍ପନ୍ନ ବ୍ରାହ୍ମ ସମାଜରେ ସଭ୍ୟ ଏବଂ ଅନ୍ୟ ପକ୍ଷେ ଭାରତର ରକ୍ଷଣଶୀଳ ସମାଜର ସଭ୍ୟଙ୍କ ମଧ୍ୟରେ ଛପା ଅକ୍ଷର ମାଧ୍ୟମରେ ଯେଉଁ ବାଦ ପ୍ରତିବାଦ ସୃଷ୍ଟି ହେଲା ତାଦ୍ଵାରା ବଙ୍ଗ ପ୍ରଦେଶରେ ଅଶ୍ଳିଳ ଓ କୁରୁଚିପୂର୍ଣ୍ଣ ସାହିତ୍ୟର ସୃଷ୍ଟି ହେଲା ବୋଲି ଜଣାଯାଏ ।

 

ଶ୍ରୀରାମକୃଷ୍ଣ

 

ବଙ୍ଗ ପ୍ରଦେଶ ଓ କଲିକତା ସହର ଏହିପରି କ୍ରିୟା ପ୍ରତିକ୍ରିୟା ଦ୍ଵାରା ଆନ୍ଦୋଳିତ ହେଉଥିବା ବେଳେ ଲୋକଲୋଚନର ଅନ୍ତରାଳରେ ରହି ଥିଲେ ମଧ୍ୟ ଶ୍ରୀ ରାମକୃଷ୍ଣ ପରମହଂସ ଦେବଙ୍କ ପ୍ରଭାବ ବିସ୍ତାରିତ ହେଲା । କଲିକତା ସହରର ଉପକଣ୍ଠବର୍ତ୍ତୀ ଦକ୍ଷିଣେଶ୍ଵର ରାସମଣି ଦେବାଳୟ ଥିଲା ତାଙ୍କ ସାଧନାର କ୍ଷେତ୍ର । ବାଗ୍ମୀ, ସମାଜ ସଂସ୍କାରକ କେଶବଚନ୍ଦ୍ର ଦିନେ ଏହି ମହାପୁରୁଷଙ୍କର ଚରଣତଳେ ଉପସ୍ଥିତ ହୋଇଥିଲେ । ବ୍ରହ୍ମାନନ୍ଦ, କେଶବଚନ୍ଦ୍ର, ପ୍ରତାପଚନ୍ଦ୍ର ମଜୁମଦାର, ବିଜୟକୃଷ୍ଣ ଗୋସ୍ଵାମୀ ପ୍ରଭୃତି ବ୍ରାହ୍ମ ସମାଜର ରଥୀ ମହାରଥୀ ବୃନ୍ଦ ଏହି ମହାପୁରୁଷଙ୍କ ଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ । ତାଙ୍କ ସମ୍ମୁଖରେ କେଶବ ଚନ୍ଦ୍ରଙ୍କର ମୂର୍ତ୍ତିପୂଜା ବିରୋଧୀ ଦୃଢ଼ ହୃଦୟ ଅନାୟସରେ ତରଳି ଗଲା । ପ୍ରତାପଚନ୍ଦ୍ର ମଜୁମଦାର ‘Theistic Quaterly Review’ରେ ଲେଖିଲେ ମୋ ମନ ଏବେ ମଧ୍ୟ ଗୋଟିଏ ଉଜ୍ଜ୍ୱଳ ଜ୍ୟୋତିର୍ମୟ ରାଜ୍ୟରେ ବିଚରଣ କରୁଛି, ଯାହା ସେହି ରହସ୍ୟମୟ ପୁରୁଷ ଯେଉଁ ସ୍ଥାନକୁ ଯାଉଛନ୍ତି, ସେ ସ୍ଥାନରେ ତାଙ୍କ ଚତୁର୍ଦ୍ଦିଗରେ ବିକୀର୍ଣ୍ଣ କରନ୍ତି । ତାଙ୍କ ସହିତ ଦେଖା ହେବା ମାତ୍ରକେ ସେ ଅନିର୍ବଚନୀୟ ରହସ୍ୟପୂର୍ଣ୍ଣ ଭାବନିଚୟ ଦ୍ୱାରା ମୋ ହୃଦୟ ପୂର୍ଣ୍ଣ କରି ଦିଅନ୍ତି, ତାଙ୍କ ପ୍ରଭାବରୁ ମୋ ମନ ଏ ପର୍ଯ୍ୟନ୍ତ ମୁକ୍ତ ହୋଇପାରି ନାହିଁ ।

 

ତାଙ୍କ ଏବଂ ମୋ ମଧ୍ୟରେ କଅଣ ସାଦୃଶ୍ୟ ଅଛି ? ମୁଁ ୟୁରୋପୀୟ ଭାବାପନ୍ନ, ସଭ୍ୟ, ଆତ୍ମାଭିମାନୀ, ଅର୍ଦ୍ଧ ସନ୍ଦେହବାଦୀ ଓ ତଥାକଥିତ ଶିକ୍ଷିତ ଯୁକ୍ତିବାଦୀ ଏବଂ ସେ ଜଣେ ଦରିଦ୍ର, ବର୍ଣ୍ଣଜ୍ଞାନହୀନ, ଅମାର୍ଜିତ-ରୁଚି ବିଶିଷ୍ଟ ଅର୍ଦ୍ଧ ପୌତ୍ତଳିକ, ବନ୍ଧୁହୀନ ହିନ୍ଦୁ ଭକ୍ତ । ମୁଁ କାହିଁକି ତାଙ୍କ କଥା ଶୁଣିବା ଲାଗି ବହୁ ସମୟ ବସି ରହେ ? ମୁଁ ତ ଡିସରାଇଲ, ଫସେଟ୍‌ ଷ୍ଟେବଲୀ, ମ୍ୟାକମୁଲର ଏବଂ ପାଶ୍ଚାତ୍ୟ ଜଗତର ସବୁ ମନୀଷୀ ଓ ଧର୍ମ ପ୍ରଚାରକଙ୍କ ଉପଦେଶ ଶୁଣିଛି । ମୁଁ ତ ପୁଣି ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଏକାନ୍ତ ଭକ୍ତ ଓ ଅନୁଚର । ଉଦାର ହୃଦୟ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ବନ୍ଧୁ ଓ ସମର୍ଥକ, ଯୁକ୍ତିପନ୍ଥୀ ବ୍ରାହ୍ମ ସମାଜର ଅନୁଗତ ଭକ୍ତ ଓ କର୍ମୀ, କାହିଁକି ମୁଁ ତାଙ୍କ ବାଣୀ ଶୁଣିବା ମାତ୍ରକେ ମନ୍ତ୍ର ମୁଗ୍‌ଧ ହୋଇଯାଏ ? ଏବଂ ଏକା ମୁଁ ନୁହେଁ ମୋପରି ବହୁ ବ୍ୟକ୍ତି ଏପରି ହୋଇଥାନ୍ତି ।

 

‘କିନ୍ତୁ ଯେତେଦିନ ସେ ଆମ ପାଖରେ ଜୀବିତ ଅଛନ୍ତି, ସେତେଦିନ ଆମେ ଆନନ୍ଦରେ ତାଙ୍କ ଚରଣତଳେ ବସି ତାଙ୍କଠାରୁ ପବିତ୍ରତା, ବୈରାଗ୍ୟ, ସଂସାର ଅନାସକ୍ତି, ଆଧ୍ୟାତ୍ମିକତା ଏବଂ ଭଗବତ-ପ୍ରେମୋନ୍ମତ୍ତତା ସମ୍ଵନ୍ଧରେ ଉପଦେଶ ଶ୍ରବଣ କରିବୁ ।’

 

ରାମକୃଷ୍ଣ ପରମହଂସଙ୍କ ସଂସ୍ପର୍ଶରେ ଆସି କେଶବଚନ୍ଦ୍ର ସେନଙ୍କର ଧର୍ମୀୟ ଜୀବନରେ ଦେଖା ଦେଇଥିଲା ଏକ ବିରାଟ ପରିବର୍ତ୍ତନ । ଆଧୁନିକ ଶିକ୍ଷିତ ସମାଜରେ ଶ୍ରୀ ରାମକୃଷ୍ଣଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ସେ ପ୍ରବୃତ୍ତ ହେଲେ । ରାମକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସେ ତାଙ୍କରି ଅନୁଗାମୀ ଓ ଅନୁଗତମାନଙ୍କୁ ପରାମର୍ଶ ଦେଲେ । କେଶବଚନ୍ଦ୍ରଙ୍କ ହୃଦୟରେ ଯେଉଁ ବୈରାଗ୍ୟ ଜାତହେଲା, ତାହା ବାହ୍ମ ସମାଜରେ ମଧ୍ୟ ଏକ ପରିବର୍ତ୍ତନର ସ୍ରୋତ ବୁହାଇ ଦେଲା । ବ୍ରାହ୍ମ ସମାଜରେ ସଂଯମ ସାଧନା ପ୍ରବର୍ତ୍ତନ କରିବା ପାଇଁ କେଶବଚନ୍ଦ୍ର ପ୍ରୟାସୀ ହୋଇ ଉଠିଲେ । ନିଜେ ମଧ୍ୟ ନାନାପ୍ରକାର ଶାରୀରିକ କଠୋରତା ମଧ୍ୟ ଦେଇ ଗତି କରିବା ସଙ୍ଗେ ସଙ୍ଗେ ସ୍ଵହସ୍ତ ପାକଭୋଜନ କରିବା ପାଇଁ ପସନ୍ଦ କଲେ । ଏହାର କିଛିଦିନ ପରେ ଦେଖାଗଲା ଯେ ବ୍ରାହ୍ମ ସମାଜରେ ଏକପ୍ରକାର ଆଭ୍ୟନ୍ତରୀଣ ବିବାଦର ସୃଷ୍ଟି ହୋଇଛି । ପାଶ୍ଚାତ୍ୟ ଢାଞ୍ଚାରେ ଗଠିତ ବ୍ରାହ୍ମ ସମାଜର କେତେକ ସଭ୍ୟ ସାଧନ, ଭଜନ, ଯୋଗ, ଧ୍ୟାନ ପ୍ରଭୃତି କରିବାକୁ ସମ୍ମତ ହେଲେ ନାହିଁ । ୧୮୭୮ ଖ୍ରୀଷ୍ଟାବ୍ଦରେ ଦେଖାଗଲାଯେ କେଶବଚନ୍ଦ୍ର ନିଜେ ମଧ୍ୟ ନିଜର ଅପ୍ରାପ୍ତ ବୟସ୍କା କନ୍ୟାଙ୍କୁ କୁଚବିହାର ମହାରଜାଙ୍କ ସହ ବିବାହ ଦେଇ ବ୍ରାହ୍ମ ସମାଜର ସ୍ଵରଚିତ ନିୟମାବଳୀର ମର୍ଯ୍ୟାଦା ଲଙ୍ଘନ କଲେ । ଏଥିପାଇଁ ବ୍ରାହ୍ମ ସମାଜରେ ତୁମୂଳ ଆନ୍ଦୋଳନ ଦେଖା ଦେଇ ଏହା ଦୁଇ ଭାଗରେ ବିଭକ୍ତ ହୋଇଗଲା । କେଶବଚନ୍ଦ୍ରଙ୍କ କାର୍ଯ୍ୟକଳାପର ବିରୋଧୀ ସଭ୍ୟମାନେ ଶିବନାଥ, ବିଜୟକୃଷ୍ଣ ପ୍ରଭୃତିଙ୍କ ନେତୃତ୍ଵକୁ ଗ୍ରହଣ କରି ସାଧାରଣ ବ୍ରାହ୍ମ ସମାଜ ପ୍ରତିଷ୍ଠା କଲେ ।

 

ଏଣେ କେଶବଚନ୍ଦ୍ର ରାମକୃଷ୍ଣଙ୍କ ଉପଦେଶାବଳୀ ଶିରୋଧାର୍ଯ୍ୟ କରି ‘ନବବିଧାନ’ ନାମକ ଏକ ସ୍ଵତନ୍ତ୍ର ସମାଜ ସ୍ଥାପନ କଲେ । ଉଦାରଭାବ ଓ ସାର୍ବଜନୀନ ଧର୍ମ ନାମରେ ବ୍ରାହ୍ମ ସମାଜରେ ଏ ଯେଉଁ ବିଭେଦ ହେଲା ସେଥିଯୋଗୁ ବ୍ରାହ୍ମ ଧର୍ମର ପ୍ରଭାବ ହ୍ରାସ ପାଇଲା । ଏହି ଅବସରରେ ବ୍ରାହ୍ମ ସମାଜ ବିରୁଦ୍ଧରେ ସନାତନପନ୍ଥୀ ମାନଙ୍କର ଆନ୍ଦୋଳନ ମୁଣ୍ଡ ଟେକିଲା । ଶ୍ରୀକୃଷ୍ଣ ପ୍ରସନ୍ନ ସେନ ନାମକ ଜଣେ ବ୍ୟକ୍ତି ବିଭିନ୍ନ ସ୍ଥାନ ପରିଭ୍ରମଣ କରି ସନାତନ ଧର୍ମ ପ୍ରଚାର କରିବା ସଙ୍ଗେ ସଙ୍ଗେ ବ୍ରାହ୍ମ ଧର୍ମାବଲମ୍ବୀ ଆଧୁନିକ ଶିକ୍ଷିତ ବ୍ୟକ୍ତିମାନଙ୍କୁ ସନାତନ ଧର୍ମାବଲମ୍ବୀ କରିବାରେ ସଫଳ ହୋଇଥିବା ଦେଖି ବ୍ରାହ୍ମ ପ୍ରଚାରକ ଗଣଙ୍କର ଉତ୍ସାହ ଭଗ୍ନ ହୋଇଥିଲା । ଏହାପୂର୍ବରୁ କମଳକୃଷ୍ଣ ବାହାଦୁରଙ୍କ ଦ୍ଵାରା ପ୍ରତିଷ୍ଠିତ ସନାତନ ଧର୍ମର ସଭା ଏକ ନୂତନ ଶକ୍ତିର ସଂଚାର କରିଥିଲା । ଏଥିରେ ପ୍ରାଚୀନ ଶାସ୍ତ୍ର ବ୍ୟାଖା କରାଯିବା ସଙ୍ଗେ ସଙ୍ଗେ ହିନ୍ଦୁ ଧର୍ମର ଶ୍ରେଷ୍ଠତ୍ଵ ସମ୍ପର୍କରେ ଆଲୋଚନା କରାଯାଉ ଥିଲା । ଏହି ସମୟରେ ଦେଶର ଶିକ୍ଷିତ ସମାଜ ଉପରୁ ବ୍ରାହ୍ମ ସମାଜର ପ୍ରଭାବ ହ୍ରାସ ପାଇଲା ।

 

ରାମମୋହନ ରାୟଙ୍କର ଜୀବଦ୍ଦଶା ମଧ୍ୟରେ ଯେଉଁ ବ୍ରାହ୍ମଧର୍ମ ଶିକ୍ଷିତ ସଂପ୍ରଦାୟ ମଧ୍ୟରେ ଏକ ନୂତନ ଆଭିମୁଖ୍ୟ ପ୍ରତିଷ୍ଠା କରିଥିଲା, ରାମମୋହକଙ୍କ ପରବର୍ତ୍ତୀ କାଳରେ ଏ ଧର୍ମର ଆଲୋକଶିଖା କ୍ରମଶଃ ମଉଳି ଆସିଲା । ଶିଖା ମଉଳି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନିର୍ବାପିତ ହୋଇନାହିଁ ।

Image

 

Unknown

ପଞ୍ଚମ ପରିଚ୍ଛେଦ

ସାମାଜିକ ସଂସ୍କାର

 

ବିକାଶ ପଥରେ ଭାରତକୁ ଆଗେଇ ନେବା ଲାଗି ଧର୍ମ ସଂସ୍କାର ସଙ୍ଗେ ସଙ୍ଗେ ସାମାଜିକ ସଂସ୍କାରର ଅପରିହାର୍ଯ୍ୟତାକୁ ରାମମୋହନ ଅନୁଭବ କରିଥିଲେ । ୧୮୨୮ ମସିହାରେ ସେ ଲେଖିଥିଲେ ‘‘ହିନ୍ଦୁମାନେ ଧର୍ମାନୁସରଣ କରିବାରେ ଯେଉଁ ପଦ୍ଧତି ଅବଲମ୍ବନ କରୁଛନ୍ତି ତାହା ସେମାନଙ୍କ ରାଜନୀତିକ ସ୍ଵାର୍ଥ ସାଧନରେ ସହାୟକ ହେବ ନାହିଁ । ହିନ୍ଦୁମାନଙ୍କ ମଧ୍ୟରେ ବିଭିନ୍ନ ଗୋଷ୍ଠୀ ଓ ସଂପ୍ରଦାୟ ଥିବାରୁ ସେମାନେ ରାଜନୈତିକ ସଚେତନତାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସାମାଜିକ ସ୍ଵାଚ୍ଛନ୍ଦ୍ୟ ଓ ରାଜନୈତିକ ସୁବିଧା ଲାଗି ଧର୍ମାଚରଣପଦ୍ଧତିରେ ପରିବର୍ତ୍ତନ ଆବଶ୍ୟକ ।’’ ସାମାଜିକ ସଂସ୍କାର କ୍ଷେତ୍ରରେ ପ୍ରଥମ ପଦକ୍ଷେପ ସ୍ଵରୂପ ରାମମୋହନ ସତୀଦାହ ପ୍ରଥା ବିରୁଦ୍ଧରେ ଅଗ୍ରାଧିକାର ଭିତ୍ତିରେ ଆନ୍ଦୋଳନ ଆରମ୍ଭ କଲେ ।

 

ବହୁ ପ୍ରାଚୀନ କାଳରୁ ହିନ୍ଦୁ ସମାଜରେ ସତୀଦାହ ବା ସହମରଣ ପ୍ରଥାର ପ୍ରଚଳନ ଥିଲା-। ଆଲେକଜାଣ୍ଡାରଙ୍କ ଭାରତ ଆଗମନ ସମୟ ଅର୍ଥାତ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ପୂର୍ବରୁ ଏହି ସତୀଦାହ ପ୍ରଥା ପ୍ରଚଳିତ ଥିବାର ପ୍ରମାଣ ମିଳେ । ହିନ୍ଦୁ ରାଜାମାନଙ୍କ ଶାସନ ସମୟରେ ଏହି ପ୍ରଥାକୁ ନିଷିଦ୍ଧ କରାଯାଇ ନ ଥିଲା । ମୁସଲମାନ ରାଜତ୍ଵ ସମୟରେ କେତେକ ଶାସକ ଏହି ପ୍ରଥାକୁ ଲୋପ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ଅନ୍ୟ କେତେକ ମୁସଲମାନ ଶାସକ ହିନ୍ଦୁଧର୍ମ ଉପରେ ହସ୍ତକ୍ଷେପ କରିବା ଯଥାର୍ଥ ହେବ ନାହିଁ ବୋଲି ମନେକରି ଏହାର ବିଲୋପ ଦିଗରେ କଠୋର ବ୍ୟବସ୍ଥା ଗ୍ରହଣ କରିନଥିଲେ । ମୁସଲମାନ ଶାସନ ସମୟରେ ବିଧବାମାନେ ସତୀ ନ ହେବା ପାଇଁ କେତେକ ଶାସକ ପ୍ରବର୍ତ୍ତନା ଦେଉଥିଲେ । ଏହି ପ୍ରବର୍ତ୍ତନାର ବଶବର୍ତ୍ତୀ ହୋଇ ଯେଉଁ ବିଧବାମାନେ ସହ ମରଣରୁ ନିବୃତ ହେଉଥିଲେ, ସେମାନଙ୍କୁ ସମାଜରେ ଲାଞ୍ଛିତ ଏବଂ ଦଣ୍ଡିତ ହେବାକୁ ପଡ଼ୁଥିଲା । ନିର୍ଯ୍ୟାସିତା ବିଧବାମାନଙ୍କର ଭରଣ ପୋଷଣ ଭାର ଶେଷରେ ଶାସକମାନଙ୍କୁ ବହନ କରିବାକୁ ପଡ଼ୁଥିଲା । ବ୍ରିଟିଶ ଶାସନ ସମୟରେ ଶାସକମାନେ ଏହି ପ୍ରଥାକୁ ଘୃଣା କରିବା ସଙ୍ଗେ ସଙ୍ଗେ ଆଇନ ଦ୍ୱାରା ଏହାକୁ ଲୋପ କରିବା ପାଇଁ ଚିନ୍ତା କରୁଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ କଲେ ହିନ୍ଦୁଧର୍ମ ଉପରେ ହସ୍ତକ୍ଷେପ କରାଗଲା ବୋଲି କହି ହିନ୍ଦୁମାନେ କାଳେ ବିଦ୍ରୋହ କରିବେ ସେ ଭୟରେ ବ୍ରିଟିଶ ଶାସକମାନେ ନୀରବ ରହିଥିଲେ-। ରାମମୋହନଙ୍କ ଜନ୍ମ ସମୟରେ ସତୀଦାହ ବା ସହ ମରଣ ପ୍ରଥା ବନ୍ଦ କରିବା ପାଇଁ ଇଂଲଣ୍ଡରେ ଆନ୍ଦୋଳନ ହୋଇଥିଲା । କ୍ୟାପ୍‌ଟେନ ଟମିନ ଭାରତରେ ସତୀଦାହ ପ୍ରଥା ବନ୍ଦ କରିବା ପାଇଁ ଉଦ୍ୟମ କରିବାରୁ ବହୁ ସଂଖ୍ୟକ ହିନ୍ଦୁ ତାଙ୍କ ଉପରେ ଅତ୍ୟାଚାର କରିବାର ପରିକଳ୍ପନା କରିଥିଲେ-। ଗଭର୍ଣ୍ଣର ଜେନେରାଲ ୱେଲେସ୍‌ଲିଙ୍କ ନିକଟରେ ଜେ. ଆର ଏଲଫିନଷ୍ଟନ ନାମକ ଜଣେ ପ୍ରଭାବଶାଳୀ ଇଂରେଜ ବ୍ୟକ୍ତି ସହ ମରଣ ପ୍ରଥାକୁ ଆଇନ ଦ୍ଵାରା ବନ୍ଦ କରାଯିବା ପାଇଁ ଏକ ସ୍ମାରକ ପତ୍ର ଉପସ୍ଥାପନ କରିଥିଲେ । ଗଭର୍ଣ୍ଣର ଜେନେରାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ତତ୍‌କାଳୀନ କେତେକ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ସତୀଦାହ ପ୍ରଥା ସମ୍ପର୍କରେ ହିନ୍ଦୁ ପଣ୍ଡିତମାନଙ୍କ ଠାରୁ ମତାମତ ସଂଗ୍ରହ କରିଥିଲେ । ଜିଲ୍ଲାସ୍ତରରେ ଥିବା ବହୁ ଉଚ୍ଚ ପାହ୍ୟା ବ୍ରିଟିଶ କର୍ମଚାରୀ ଏହି ପ୍ରଥାର ବିଲୋପ ସାଧନ ଲାଗି ମତ ଦେଇଥିଲେ । ହିନ୍ଦୁ ମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ଏହାର ସପକ୍ଷରେ ମତପ୍ରକାଶ କରୁଥିବା ବେଳେ, ଅନ୍ୟ କେତେକ ଏହା ବିପକ୍ଷରେ ମତ ପ୍ରକାଶ କରୁଥିଲେ । ଏଥିରୁ ମୋଟାମୋଟି ଭାବେ ଜଣା ପଡ଼ିଲା, ଗର୍ଭବତୀ ମହିଳା, ଅଳ୍ପ ବୟସ୍କା ବାଳିକା ଓ ବହୁ ସନ୍ତାନ ସନ୍ତତିର ଜନନୀମାନଙ୍କୁ ଏହି ସହ ମରଣ ପ୍ରଥା କବଳରୁ ଆଇନ ବଳରେ ରକ୍ଷା କରାଯାଇ ପାରିବ ।

 

ସେତେବେଳେ ସାମାଜିକ ପ୍ରଥା ଏପରିଥିଲା ଯେ, ଇଚ୍ଛା ନ ଥିଲେ ମଧ୍ୟ ବିଧବାମାନେ ସହମରଣ ଅବଲମ୍ବନ କରିବା ପାଇଁ ବାଧ୍ୟ ହେଉଥିଲେ । ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଲା ଯେ ସ୍ଵାମୀଙ୍କ ଚିତାଗ୍ନିରେ ବିଧବାମାନେ ସ୍ଵେଚ୍ଛାକୃତଭାବରେ ସ୍ଵଶରୀର ଦଗ୍‌ଧ କରୁଥିଲେ ବୋଲି ଯେଉଁ ଧାରଣା ଥିଲା ତାହା ଅସତ୍ୟ ଉପରେ ପର୍ଯ୍ୟବସିତ । ଅନେକ କ୍ଷେତ୍ରରେ ସରକାରୀ ଅନୁସନ୍ଧାନରୁ ଜଣାଗଲା ଯେ ବିଧବାମାନଙ୍କ ଉପରେ ସେମାନଙ୍କର ସ୍ଵଜନ ଓ ଜ୍ଞାତିବର୍ଗ ବଳପ୍ରୟୋଗକରି ସେମାନଙ୍କୁ ସ୍ଵାମୀଙ୍କ ଚିତାଗ୍ନିରେ ନିକ୍ଷେପ କରୁଥିଲେ । ଗୋଟିଏ ପ୍ରତ୍ୟକ୍ଷଦର୍ଶୀ ବିବରଣୀରୁ ପ୍ରକାଶ ଯେ, ସେତେବେଳେ ଜଣେ ମହିଳାଙ୍କ ସ୍ଵାମୀ ପରଲୋକ ଗମନ କରିବା ପରେ ତାଙ୍କର ସ୍ତ୍ରୀ ସୁସଜ୍ଜିତା ହୋଇ ସ୍ୱାମୀଙ୍କର ଚିତାଗ୍ନିରେ ନିଜକୁ ନିକ୍ଷେପ କଲେ । କିନ୍ତୁ କିଛି ସମୟପରେ କଠୋର ଯନ୍ତ୍ରଣା ଅନୁଭବକରି ଚିତାଗ୍ନିରୁ ବାହାରକୁ ଚାଲିଆସିଲେ ସେହି ସମୟରେ ବିଧବାମାନଙ୍କ ଉପରେ ବଳପ୍ରୟୋଗ କରାଯାଇ ସେମାନଙ୍କୁ ଯେପରି ଚିତାଗ୍ନିରେ ନିକ୍ଷେପ କରା ନ ଯିବ, ତାହା ଦେଖିବାଲାଗି ଇଂରେଜ ମାଜିଷ୍ଟ୍ରେଟମାନେ ଘଟଣାସ୍ଥଳରେ ଉପସ୍ଥିତ ରହୁଥିଲେ । ଏହି ସ୍ଥଳରେ ମଧ୍ୟ ଜଣେ ମାଜିଷ୍ଟ୍ରେଟ ରହିଥିଲେ ଏବଂ ତାଙ୍କ ସହିତ ଜଣେ ପୋଲିସ କର୍ମଚାରୀ ଥିଲେ । ମାଜିଷ୍ଟ୍ରେଟ ପୋଲିସ କର୍ମଚାରୀଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଥିଲେ ଯେ ଉକ୍ତ ବିଧବା ଉପରେ ଯେପରି କୌଣସି ପ୍ରକାରେ ବଳପ୍ରୟୋଗ କରାନଯାଏ, ସେଥିପ୍ରତି ସେ ଦୃଷ୍ଟି ଦେବେ । କିନ୍ତୁ ଦେଖାଗଲା ଯେ, ଯନ୍ତ୍ରଣାରେ ଅସ୍ତବ୍ୟସ୍ତ ହୋଇ ଚିତାଗ୍ନି ପରିତ୍ୟାଗ କରିଥିବା ଏହି ନାରୀକୁ ଜ୍ଞାତିବର୍ଗଙ୍କ ବଳପ୍ରୟୋଗରୁ ରକ୍ଷାକରିବା ଦୂରେ ଥାଉ ପୋଲିସ୍‌ କର୍ମଚାରୀ ଜଣକ ସ୍ଵହସ୍ତସ୍ଥିତ ଖଡ଼୍‍ଗଦ୍ଵାରା ସତୀକୁ ଆଘାତ କରିବା ପାଇଁ ଉଦ୍ୟତ ହୋଇଥିଲେ । ସ୍ଵାମୀର ଚିତାଗ୍ନିରେ ପଡ଼ି ଅର୍ଦ୍ଧଦଗ୍‌ଧ ହୋଇଥିବା ଏହି ନାରୀ ପୋଲିସ କର୍ମଚାରୀଙ୍କ ଦ୍ଵାରା ଭୟଭୀତା ହୋଇ ପୁନର୍ବାର ଚିତାଗ୍ନିରେ ପ୍ରବେଶ କରିଥିଲେ । ଅଦୂରରୁ ମାଜିଷ୍ଟ୍ରେଟ ଏହି ଘଟଣା ଦେଖି ପୋଲିସ କର୍ମଚାରୀଙ୍କୁ ଘଟଣା ସ୍ଥଳରୁ ଅପସାରଣ କରି ନେଇଥିଲେ । ଠିକ୍‌ ଏହା ପରେ ପରେ ବିଧବା ଚିତାଗ୍ନିରୁ ଉଠିଆସି ନିକଟସ୍ଥ ଗଙ୍ଗାନଦୀକୁ ଡେଇଁ ପଡ଼ିଲେ । ଏହି ଅବସରରେ ବିଧବାଙ୍କ ଆତ୍ମୀୟମାନେ ପ୍ରବଳ ଚିତ୍କାରକରି ତାଙ୍କୁ ପୁନର୍ବାର ଅଗ୍ନିରେ ନିକ୍ଷେପ କରିବାକୁ ଧାଇଁ ଯାଇଥିଲେ । ବିଧବା ମଧ୍ୟ ସେମାନଙ୍କ ଦ୍ଵାରା ଭୟଭୀତା ହୋଇ ପୁଣିଥରେ ଅଗ୍ନିରେ ପ୍ରବେଶ କରିବାକୁ ସମ୍ମତି ପ୍ରକାଶ କଲେ-। କିନ୍ତୁ ଅଦୂରରେ ରହି ଏ ସମସ୍ତ ଘଟଣା ଲକ୍ଷ୍ୟ କରୁଥିବା ଇଂରେଜ ମାଜିଷ୍ଟ୍ରେଟ ହଠାତ ଏଥିରେ ହସ୍ତକ୍ଷେପ କରି ଅର୍ଦ୍ଧଦଗ୍‌ଧା ବିଧବାଙ୍କୁ ପାଲିଙ୍କିଯୋଗେ ହସପିଟାଲକୁ ପଠାଇଦେଲେ-। ଏହିପରି ବହୁଘଟଣା ସେତେବେଳେ ଦେଖିବାକୁ ମିଳୁଥିଲା । ଯେଉଁ ପୋଲିସ୍‌କର୍ମଚାରୀ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କଲେ, ବିଧବା ଉପରେ ବଳପ୍ରୟୋଗ କରିବାକୁ ଉଦ୍ୟତ ହୋଇଥିଲେ ସେ କେଉଁ ଦୃଷ୍ଟି କୋଣରୁ ତାହାକଲେ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କୌଣସିଠାରେ କିନ୍ତୁ ବର୍ଣ୍ଣନା କରାଯାଇନଥିଲେ ମଧ୍ୟ ଦୁଇଟି ବିଷୟ ଅନୁମାନ କରାଯାଇପାରେ । ଗୋଟିଏ ହେଉଛି ସେ ଏପରି କାର୍ଯ୍ୟ କରିବା ପାଇଁ ବିଧବାଙ୍କ ଜ୍ଞାତିବର୍ଗଙ୍କ ହାରା ଆର୍ଥିକ ସୁବିଧା ପାଇ ପାରିଥାନ୍ତି-। ଦ୍ଵିତୀୟଟି ହେଲା ଯେ ତାଙ୍କର ଦୃଷ୍ଟିଭଙ୍ଗୀ ହୁଏତ ସହମରଣ ପ୍ରଥା ସପକ୍ଷରେ ହୋଇ ପାରିଥାଏ-

 

ସେତେବେଳେ ରାମମୋହନ ରାୟଙ୍କ ନିଜ ପତ୍ରିକା ‘ସମ୍ବାଦ କୌମୁଦୀ’ ପ୍ରକାଶିତ ହେଉଥାଏ । ଏହି ପତ୍ରିକାରେ ରାମମୋହନ ସତୀଦାହ ସମ୍ପର୍କୀଙ୍କ ମର୍ମନ୍ତୁଦ ଘଟଣାବଳୀ ବର୍ଣ୍ଣନାକରି ଏହା ବିରୁଦ୍ଧରେ ଜନମତ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଆଇନ ବଳରେ ଏହାକୁ ନିଷିଦ୍ଧ କରିବା ପାଇଁ ସରକାରଙ୍କଠାରେ ଦାବୀ କରୁଥିଲେ । ସହମରଣ ବା ସତୀଦାହପ୍ରଥା ବିରୁଦ୍ଧରେ ରାମମୋହନ ଇଂରାଜୀ ଓ ବଙ୍ଗଳା ଭାଷାରେ କେତେକ ପୁସ୍ତିକା ପ୍ରକାଶକରି ତାହା ମାଧ୍ୟମରେ ପ୍ରଚାର କରୁଥିଲେ । ଏଥିରେ ସେ ସ୍ପଷ୍ଟ ମତପ୍ରକାଶ କରିଥିଲେ ଯେ, ସତୀଦାହକୁ ନିଷିଦ୍ଧ କରାଗଲେ ହିନ୍ଦୁଧର୍ମ ଉପରେ କୌଣସି ପ୍ରକାର ଆଞ୍ଚ ଆସିବ ନାହିଁ । ସେ କହୁଥିଲେ ଯେ ବେଦରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ । ରକ୍ଷଣଶୀଳ ବ୍ରାହ୍ମଣ ପଣ୍ଡିତମାନେ ରାମମୋହନଙ୍କର ଏହି ଯୁକ୍ତିକୁ ଖଣ୍ଡନ କରିବା ଉଦ୍ଦେଶ୍ୟରେ ସତୀଦାହ ସମ୍ପର୍କରେ ଋଷି ଅଙ୍ଗିରା ଓ ପରାଶର ପ୍ରଭୃତିଙ୍କ ବାକ୍ୟ ଉଦ୍ଧାର କରି ସହମରଣ ପ୍ରଥା ସପକ୍ଷରେ ପ୍ରଚାର କରିଥିଲେ । ବ୍ରାହ୍ମଣ ପଣ୍ଡିତମାନେ ଅଙ୍ଗିରାଙ୍କ ବାକ୍ୟ ଉଦ୍ଧାରକରି ଦର୍ଶାଇଥିଲେ ‘‘ଯେଉଁ ସ୍ତ୍ରୀ ତାହାର ସ୍ଵାମୀର ଚିତାନଳ ମଧ୍ୟରେ ପ୍ରବେଶ କରେ ସେ ଅରୁନ୍ଧତିଙ୍କ ସମକକ୍ଷା ହୋଇ ସ୍ଵର୍ଗରେ ଅତି ସୁଖମୟ ଜୀବନଯାପନ କରେ ।’’ ପରାଶରଙ୍କ ବାକ୍ୟ ଉଦ୍ଧାର କରି ସେମାନେ କହିଥିଲେ

 

‘‘ତିସ୍ରଃ କୋଟ୍ୟର୍ଦ୍ଧକୋଟୀ ଚଯାନି ରୋମାଣି ମାନବେ

ତାବତ୍କାଳଂ ବସେ ସ୍ଵର୍ଗେ ଉର୍ତ୍ତାରଂ ଯାନୁ ଗଚ୍ଛତି

ବ୍ୟାଳଗ୍ରାହୀ ଯଥା ବ୍ୟାଳଂ ବଳାବୁଦ୍ଧ ରତେ ବିଳାତ୍‌

ଏବଂ ମଦ୍ଧତ୍ୟ ଉର୍ତ୍ତାରଂ ତେନୈବ ସହମୋଦତେ ।’’

 

ଏହାର ଅର୍ଥ ହେଉଛି, ଯେଉଁ ସ୍ତ୍ରୀ ଲୋକ ନିଜର ପତି ସଙ୍ଗରେ ଏକତ୍ର ମୃତ୍ୟୁ ଲଭେ ସେ ମାନବ ଶରୀରରେ ଥିବା ସାର୍ଦ୍ଧ ତିନି କୋଟି ଅର୍ଥାତ୍‌ ତିନି କୋଟି ପାଞ୍ଚ ଲକ୍ଷ ଲୋମ ସଂଖ୍ୟା ଅନୁସାରେ ସେତିକି କାଳ ପର୍ଯ୍ୟନ୍ତ ସ୍ଵର୍ଗରେ ବାସକରେ । ଆହୁରି ମଧ୍ୟ ଯେଉଁ ସ୍ତ୍ରୀ ଲୋକ ନିଜର ସ୍ଵାମୀସହ ମୃତ୍ୟୁ ଲଭିଥାଏ, ତାହାର ଗତିବିଧି ଏପରି ଯେ ବ୍ୟାଳଗ୍ରାହୀ ଅର୍ଥାତ୍‌ ସାପୁଆକେଳା ଯେପରି ବଳ ପୂର୍ବକ ବିଳ ଅର୍ଥାତ ଗର୍ତ୍ତ ମଧ୍ୟରୁ ସର୍ପକୁ ହସ୍ତରେ ଧରି ଟାଣି ପଦାକୁ ବାହାର କରିଆଣେ, ସେହିପରି ସେ ସ୍ତ୍ରୀ ଲୋକ ନିଜର ସ୍ଵାମୀଙ୍କୁ ଉଦ୍ଧାର କରି ଚିରକାଳ ପର୍ଯ୍ୟନ୍ତ ସ୍ଵାମୀ ସଙ୍ଗରେ ଅତ୍ୟନ୍ତ ଆନନ୍ଦ ଉପଭୋଗ କରୁଥାଏ ।

 

ସଂସ୍କାରକ ରାମମୋହନ ଏ ସମସ୍ତ ଅବତାରଣାକୁ ବହୁ ଅକାଟ୍ୟ ଯୁକ୍ତି ବଳରେ ଖଣ୍ଡନ କରି ବଙ୍ଗ ପ୍ରଦେଶର ବିଶିଷ୍ଟ ସ୍ମୃତି ଲେଖକ ପଣ୍ଡିତ ରଘୁନନ୍ଦନଙ୍କ ସତୀଦାହ ବିପକ୍ଷରେ ବିଶ୍ଲେଷଣାତ୍ମକ ଲେଖାମାନ ଜନ ସମକ୍ଷରେ ଉପସ୍ଥାପନ କଲେ । ଏସବୁ ସେ ପ୍ରଥମେ ବଙ୍ଗଳା ଭାଷାରେ ଲେଖିଥିଲେ ଓ ପରେ ସେଗୁଡ଼ିକ ଇଂରାଜୀ ଭାଷାରେ ଅନୁବାଦ କରାଗଲା । ରାମମୋହନ ସେଥିରେ ଦର୍ଶାଇଥିଲେ ଯେ, ହିନ୍ଦୁଶାସ୍ତ୍ର ଅନୁଯାୟୀ ସ୍ଵାମୀର ମୃତ୍ୟୁପରେ ବିଧବା ସ୍ତ୍ରୀର ସାଧାରଣତଃ ଦୁଇଟି ପନ୍ଥା ରହିଛି । (କ) ସେ ସ୍ଵେଚ୍ଛାକୃତ ଭାବେ ମୃତ୍ୟୁ ବରଣ କରିପାରେ । (ଖ) ସେ ସନ୍ୟାସୀନୀ ବ୍ରତ ଅବଲମ୍ବନ କରିପାରେ । କିନ୍ତୁ ସ୍ୱାମୀର ଚିତାନଳରେ ନିଜକୁ ବାଧ୍ୟ ବାଧକତାସହ ଦଗ୍‌ଧୀଭୂତ କରି ପ୍ରାଣ ହରାଇବା ମାନବୀୟ ଚିନ୍ତାଧାରା ବିରୋଧୀ । ତେଣୁ ସେ ଦ୍ଵିତୀୟପନ୍ଥା ଅବଲମ୍ବନ କରିବାକୁ ଆପାତତଃ ବରଦାସ୍ତ କରାଯାଇପାରେ । ବଙ୍ଗ ଦେଶରେ ପ୍ରଚଳିତ ତତ୍‌କାଳୀନ ହିନ୍ଦୁ ଆଇନ ଅନୁଯାୟୀ ଯଦି ଜଣେ ସ୍ତ୍ରୀ ଲୋକଙ୍କ ସ୍ଵାମୀ ପୁତ୍ରବିହୀନ ହୋଇ ପ୍ରାଣ ହରାଇଥାଏ, ତେବେ ତାହାର ବିଧବା ସ୍ତ୍ରୀ ସ୍ଵାମୀର ସମ୍ପତ୍ତି ଉପଭୋଗ କରିବାକୁ ହକ୍‌ଦାର ଥିଲେ । ମାତ୍ର ସତୀଦାହ ପ୍ରଥା ପ୍ରଚଳନ ଦ୍ଵାରା ଏଥିରୁ ତାହାକୁ ବଞ୍ଚିତ କରାଯାଉଛି । ଖଳ ପ୍ରକୃତିର ଲୋକେ ବିଧବା ସ୍ତ୍ରୀର ସମ୍ପତ୍ତି ଭୋଗ କରିବା ପାଇଁ ସତୀଦାହ ସପକ୍ଷରେ ଦୃଢ଼ ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବିଧବା ସ୍ତ୍ରୀ ଉପରେ ବଳପ୍ରୟୋଗ ପୂର୍ବକ ତାହାକୁ ଚିତାନଳରେ ନିକ୍ଷେପ କରନ୍ତି । ଏହି ଖଳ ପ୍ରକୃତି ସମ୍ପନ୍ନ ଲୋକଙ୍କ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଲାଗି ଯେଉଁ ଅମାନୁଷି ସତୀଦାହ ପ୍ରଥାର ଅନୁସରଣ କରାଯାଉଛି, ତାହାର ବିଲୋପ ସାଧନ ସର୍ବାଦୌ ବାଞ୍ଛନୀୟ ।

 

ରକ୍ଷଣଶୀଳ ଓ କୁ-ପ୍ରବୃତ୍ତି ସମ୍ପନ୍ନ ଲୋକେ ଯେତେବେଳେ ଦେଖିଲେ ଯେ ସତୀଦାହ ସପକ୍ଷରେ ସେମାନଙ୍କର ଯୁକ୍ତି ଆଇନ ସିଦ୍ଧ ନ ହୋଇ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ୁଛି, ସେତେବେଳେ ସେମାନେ କହିବାକୁ ଲାଗିଲେ ଯେ ସତୀଦାହ ପ୍ରଥା ଆଇନ ଦ୍ଵାରା ସମର୍ଥିତ ନ ହେଲେ ମଧ୍ୟ ଏହା ଏକ ସାମାଜିକ ପରମ୍ପରା ଏବଂ ବହୁକାଳ ଧରି ଏହା ପ୍ରଚଳିତ ହୋଇ ଆସୁଥିବାରୁ ଏହାର ନିଷିଦ୍ଧ ଅସମ୍ଭବ ।

 

ଏହାକୁ ଖଣ୍ଡନ କରି ରାମମୋହନ ଯୁକ୍ତି କଲେ ଯେ, ଯେଉଁ ପରମ୍ପରା ବୈଦ ସମ୍ମତ ନୁହେଁ, ଆଇନ ସମ୍ମତ ନୁହେଁ ଏବଂ ସୁସ୍ଥ ଚିନ୍ତାଧାରାର ବିରୋଧୀ ତାହା ସମାଜରେ ଘୋର କ୍ଷତିକାରକ ଏବଂ ଅନାବଶ୍ୟକ । ତେଣୁ ଏହାର ବିଲୋପ ସାଧନ ଏକାନ୍ତ ଆବଶ୍ୟକ । ଯୁକ୍ତି ଆଗରେ ରକ୍ଷଣଶୀଳ ହିନ୍ଦୁମାନେ ପରାସ୍ତ ହୋଇ ମୁଣ୍ଡନୁଆଇଁବାକୁ ବାଧ୍ୟ ହେଲେ ।

 

୧୮୨୮ ଖ୍ରୀଷ୍ଟାବ୍ଦରେ ଲର୍ଡ ଉଇଲିଅମ୍‌ବେଣ୍ଟିକ ବଡଲାଟ୍‍ ହୋଇ ଆସିବା ପରେ ସତୀଦାହ ସମସ୍ୟା, ସମ୍ପର୍କରେ ଅନୁଧ୍ୟାନ କଲେ । ସେ ଥିଲେ ଜଣେ ସଂସ୍କାରକ ଏବଂ ଜଣେ ଶାସକ ହିସାବରେ ଲୋକଙ୍କର ବହୁବିଧ କଲ୍ୟାଣ ସାଧନ କରିବା ଥିଲା ତାଙ୍କର କାମ୍ୟ । ସତୀଦାହର ଅପକାରିତା ଏବଂ ଅନାବଶ୍ୟକତା ଉପଲବ୍‌ଧିକରି ଏହି ପ୍ରଥାର ବିଲୋପ ଲାଗି ସେ ଉଦ୍ୟମ କରୁଥିଲେ ମଧ୍ୟ ହିନ୍ଦୁ ଭାବଧାରା ଉପରେ ଆଞ୍ଚ ଆସିବା ଆଶଙ୍କାକରି ହଠାତ୍‌ କୌଣସି ଦୃଢ଼ ପଦକ୍ଷେପ ନ ନେଇ କେବଳ ବିଚାର ଆଲୋଚନା କରୁଥିଲେ । ଏହି ସମୟରେ ସତୀଦାହ ପ୍ରଥା ବିପକ୍ଷରେ ରାଜା ରାମମୋହନଙ୍କ ଭଳି ଜଣେ ବିଖ୍ୟାତ ଭାରତୀୟ ଓ ସଂସ୍କାରକଙ୍କ ଦୃଢ଼ଯୁକ୍ତି ସମ୍ବଳିତ ପୁସ୍ତକ ବେଣ୍ଟିକ୍‌ଙ୍କୁ ସେ ଦିଗରେ ବହୁ ସାହାଯ୍ୟ କରିଥିଲା । ରାମମୋହନ ଓ ବେଣ୍ଟିକଙ୍କ ମଧ୍ୟରେ ବହୁବାର ଆଲୋଚନା ହେଲା । ସେତେବେଳକୁ ସତୀଦାହ ପ୍ରଥାର ବିଲୋପ ଲାଗି ରାମମୋହନଙ୍କ ପ୍ରଚାର ବହୁମାତ୍ରାରେ ଫଳପ୍ରଦ ହୋଇ ସାରିଥାଏ । ସମାଜର ଅଧିକାଂଶ ଲୋକେ ରାମମୋହନଙ୍କ ପ୍ରଚାର ଫଳରେ ସତୀଦାହ ପ୍ରଥାର ବିରୋଧୀ ବୋଲି ଜାଣିପାରି ବେଣ୍ଟିକ୍‌ ତାଙ୍କର ବହୁ ଆକାଂକ୍ଷିତ କର୍ଯ୍ୟ କରିବା ଦିଗରେ ଅଗ୍ରସର ହେଲେ । ୧୮୨୯ ମସିହା ଡିସେମ୍ବର ୪ ତାରିଖରେ ସେ ଆଇନ ପ୍ରବର୍ତ୍ତନ କରି ସତୀଦାହ ନିବାରଣ କଲେ । ଏହି ଆଇନରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା ଯେ ସତୀଦାହ ପ୍ରଥା ବେଆଇନ ଘୋଷିତ ହେବାପରେ ଯେଉଁ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରିବେ, ସେ ବିଚାରାଳୟରେ ଦଣ୍ଡିତ ହେବେ ।

 

ରାମମୋହନ ତାଙ୍କର ଲକ୍ଷ୍ୟ ହାସଲ କରିବା ପରେ ଈଶ୍ଵରଙ୍କୁ ଧନ୍ୟବାଦ ଦେଇଥିଲେ ।

 

ସତୀଦାହ ପ୍ରଥା ବନ୍ଦ ହେବାରୁ ସମଗ୍ର ଦେଶରେ ଚହଳ ପଡ଼ିଗଲା । କେତେକ ପ୍ରାଚୀନପନ୍ଥୀ ଓ ରକ୍ଷଣଶୀଳ ହିନ୍ଦୁ ଏଥିରେ ମର୍ମାହତ ହୋଇ ରାମମୋହନଙ୍କ ଉପରେ କୋପଦୃଷ୍ଟି ପକାଇଲେ । ରାମମୋହନ ଏହି ସତୀଦାହ ପ୍ରଥା ବିରୋଧୀ ଆନ୍ଦୋଳନର ସୂତ୍ରଧର ଥିବାରୁ ସେମାନେ ତାଙ୍କ ପ୍ରତି ଶତ୍ରୁତାଚରଣ କରିବା ସଙ୍ଗେ ସଙ୍ଗେ ତାଙ୍କୁ ମାରିଦେବା ପାଇଁ ମଧ୍ୟ ଷଡ଼ଯନ୍ତ୍ର କଲେ । କିନ୍ତୁ ରାମମୋହନ ଅତ୍ୟନ୍ତ ସତର୍କତା ଓ ବିଚକ୍ଷଣତା ଅବଲମ୍ବନ କରି ଏହି ବିପଦରୁ ନିଜକୁ ମୁକ୍ତକରି ପାରିଥିଲେ ।

 

*‘‘Protecting arm has rescued our weaker sex from cruel murder under the cloak of religion and our character, as a people from the contempt and pity with which it had been regarded on account of this custom by all civilised nations on the face of the globe.’’

 

ବହୁବିବାହ ପ୍ରଥା

 

ତତ୍‌କାଳୀନ ସମାଜରେ ବହୁ ବିବାହ ପ୍ରଥା ପ୍ରଚଳିତ ଥିଲା । ରାମମୋହନ ଦେଖିଲେ ଯେ, ଏହା ଏକ ଅମଙ୍ଗଳକାରକ ପ୍ରଥା ଏବଂ ଏହି ପ୍ରଥାର ମଧ୍ୟ ବିଲୋପ ହେବା ଆବଶ୍ୟକ । ରାମମୋହନ ଏ ସଂପର୍କରେ ଏକ ଚମତ୍କାର ସନ୍ଦର୍ଭ ଲେଖି ଏହା ବିପକ୍ଷରେ ଜନମତ ସୃଷ୍ଟି କରିବାକୁ ଆରମ୍ଭ କଲେ । ମହିଳାମାନଙ୍କର ପୁରାତନ ଅଧିକାର (Ancient Rights of Female) ଶୀର୍ଷକ ଏକ ପ୍ରବନ୍ଧରେ ସେ ଲେଖିଥିଲେ ଜଣେ ହିନ୍ଦୁ ବହୁବିବାହ କରିବା ଦିଗରେ କୌଣସି ଆଇନ ଗତ ବାଧା ନାହିଁ । ମାତ୍ର ଗୋଟିଏ ସ୍ତ୍ରୀ ଜୀବଦ୍ଦଶାରେ ଥିବା ପର୍ଯ୍ୟନ୍ତ କେତେକ ଅପରିହାର୍ଯ୍ୟ କାରଣ ବିନା ଅନ୍ୟ ଏକ ବିବାହ କରିବା ଅବାଞ୍ଛନୀୟ । ଏହା ଶାସ୍ତ୍ର ସମ୍ମତ ହେଲେ ମଧ୍ୟ ସମାଜରେ ଏହାକୁ ପାଳନ କରାଯାଇନାହିଁ ।*

 

*‘‘This horrible polygamy among Brahmins is directly contrary to the law given by ancient authors, for Yagnavalkya authorises second marriage while the first wife is alive, only under eight circumstances, 1st The vice of drinking spirituous liquors, 2ndly Incurable sickness, 3rdly Deception, 4thly Barrenness, 5thly, Extravagance, 6thly The frequent use of offensive language, 7thly Producing only female off spring, and 8thly Manifestation, of hatred towards her husband.’’

 

ବ୍ରାହ୍ମଣମାନଙ୍କ ମଧ୍ୟରେ ଏହି ପ୍ରଥାର ପ୍ରଚଳନ ଏପରି ବ୍ୟାପକ ଥିଲା ଯେ, ଏହାର ନିରାକରଣଲାଗି ଯେତେ ଚେଷ୍ଟା କଲେ ମଧ୍ୟ ଅସମ୍ଭବ ବୋଲି ମନେକରି ରାମମୋହନ ଏହା ବିରୁଦ୍ଧରେ କେବଳ ତୀବ୍ର ମନ୍ତବ୍ୟମାନ ପ୍ରକାଶ କରୁଥିଲେ । ସମାଜରୁ ଏହି ପ୍ରଥାର ବିଲୋପ ଲାଗି ସମୟ ଆସିନଥିଲା ବୋଲି ଚିନ୍ତାକରି ଏ ଦିଗରେ ସେ ଅଧିକ ମୁଣ୍ଡ ଖେଳାଇ ନ ଥିଲେ । ତତ୍କକାଳୀନ ବିଶିଷ୍ଟ ରାଷ୍ଟନୀତିଜ୍ଞ ଓ ଆଇନଜ୍ଞ ଟମାସ୍‌ ବାବିଙ୍ଗ୍‌ଟନ ମେକଲେ (Thomas Babington Macaulay) ମଧ୍ୟ ଠିକ୍‌ ଏହିପରି ଚିନ୍ତା କରିଥିଲେ । ଆଇନ ବଳରେ ବହୁ ବିବାହ ପ୍ରଥାର ଲୋପ କରାଯିବା ଲାଗି ରାମମୋହନ ଓ ତାଙ୍କର ସମର୍ଥକମାନେ ମେକଲଙ୍କୁ ଯେତେବେଳେ ପରାମର୍ଶ ଦେଲେ, ମେକଲେ ମନ୍ତବ୍ୟ ଦେଇଥିଲେ ‘‘ଏହି ବିଷୟକୁ ସମୟ ଓ ଶିକ୍ଷା ଉପରେ ଛାଡ଼ି ଦିଆଯାଉ ।’’ ବସ୍ତୁତଃ ସମୟାନୁକ୍ରମେ ଆଜିକାଲି ହିନ୍ଦୁ ସମାଜରେ ବହୁ ବିବାହ ପ୍ରଥାର ପ୍ରଚଳନ କ୍ଵଚିତ ଦେଖାଯାଏ । ଏକ ବିବାହ ପ୍ରଥାହିଁ ଏକ ନିୟମରେ ପରିଣତ ହୋଇଯାଇଛି ।

 

ବିଧବାମାନଙ୍କ ସମ୍ପତ୍ତି ଅଧିକାର

 

ରାମମୋହନ ରାୟ ନାରୀ ଜାତିର କଲ୍ୟାଣ ନିମନ୍ତେ ଦୃଢ଼ ସଙ୍କଳ୍ପ ହୋଇଥିବା କଥା ପୂର୍ବରୁ ବର୍ଣ୍ଣିତ ହୋଇଛି । ସେ ସମୟରେ ସ୍ଵାମୀର ମୃତ୍ୟୁ ପରେ ବିଧବାପତ୍ନୀମାନେ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରୁନଥିଲେ । ହିନ୍ଦୁ ଧର୍ମଶାସ୍ତ୍ରମାନଙ୍କରେ ବିଧବା ପତ୍ନୀମାନଙ୍କର ସ୍ୱାମୀ ସମ୍ପତ୍ତି ଉପରେ ଅଧିକାର ସ୍ଵୀକୃତ ହୋଇଥିଲେ ମଧ୍ୟ ଆଇନ ବ୍ୟାଖ୍ୟାକାରୀ ଓ ଟିପ୍‌ପଣୀକାରମାନେ ଏହାର କଦର୍ଥକରି ଏହି ସମ୍ପତ୍ତି ଅଧିକାରରୁ ବିଧବାମାନଙ୍କୁ ବଞ୍ଚିତ କରୁଥିଲେ-। ଏହାର କୁପ୍ରଭାବ ସମାଜ ଉପରେ ଥିଲା ସୁଦୂର ପ୍ରସାରୀ । ସ୍ଵାମୀର ମୃତ୍ୟୁପରେ ବିଧବା ପତ୍ନୀକୁ ବହୁ ଆର୍ଥିକ ଓ ମାନସିକ ଦୁର୍ଗତି ଭୋଗ କରିବାକୁ ହେଉଥିଲା । ବିଧବାମାନକୁ ବରାବର ପରମୁଖାପେକ୍ଷୀ ହୋଇ ରହିବାକୁ ପଡ଼ୁଥିଲା । ସେତେବେଳେ ବଙ୍ଗ ଦେଶରେ ପ୍ରବର୍ତ୍ତିତ କୁଳୀନ ପ୍ରଥା ଏହି ଦୁର୍ଦ୍ଦଶାକୁ ବହୁ ଗୁଣରେ ବୃଦ୍ଧି କରିଥିଲା । ଜଣେ ଜଣେ କୁଳୀନ ବ୍ରାହ୍ମଣ ଶତାଧିକ କନ୍ୟା ବିବାହ କରୁଥିଲେ । କିନ୍ତୁ ଏହି କନ୍ୟାମାନେ ସମସ୍ତେ କେବେ ସ୍ଵାମୀ ଗୃହରେ ରହୁନଥିଲେ-। ପିତୃଗୃହହିଁ ସେମାନଙ୍କର ସ୍ଥାୟୀ ବାସସ୍ଥାନ ଥିଲା । ତେଣୁ ଜଣେ କୁଳୀନ ବ୍ରାହ୍ମଣର ମୃତ୍ୟୁ ହେଉଥିଲେ ତାଙ୍କର ଶତାଧିକ ପତ୍ନୀ ବିଧବା ହେଉଥିଲେ । ଏହା ଫଳରେ ବିଧବାଙ୍କ ସଂଖ୍ୟା ଅତ୍ୟନ୍ତ ଦୁଃଖଦାୟକଭାବେ ବୃଦ୍ଧି ପାଇ ସମାଜରେ ଶୋଚନୀୟ ପରିସ୍ଥିତି ସୃଷ୍ଟି କରୁଥିଲା ।

 

କେତେକ ବିଧବା ସ୍ତ୍ରୀ ଦୁର୍ଦ୍ଦଶାରୁ ରକ୍ଷା ପାଇବା ନିମନ୍ତେ ସହମରଣ ପ୍ରଥା ଅବଲମ୍ବନ କରୁଥିଲେ । ଏହାଛଡ଼ା ପାରମ୍ପରିକ ମର୍ଯ୍ୟାଦା ସତୀଦାହ ସହିତ ଜଡ଼ିତ ଥିବାରୁ ପରିବାରର ଏହି ମର୍ଯ୍ୟାଦା ବୃଦ୍ଧି କରିବା ନିମନ୍ତେ ମଧ୍ୟ କେତେକ ବିଧବା ଅଜ୍ଞତାର ଅନ୍ଧକାର ମଧ୍ୟରେ ଅତ୍ୟନ୍ତ ମର୍ମନ୍ତୁଦ ଦୃଶ୍ୟ ସୃଷ୍ଟି କରି ସ୍ଵାମୀର ଚିତାନଳରେ ନିଜକୁ ଦାହ କରୁଥିଲେ ।

 

ରାମମୋହନ ଏ ସମ୍ପର୍କରେ ଗଭୀରଭାବେ ଅନୁଧ୍ୟାନ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ, ସ୍ୱାମୀର ସମ୍ପତ୍ତିରେ ସ୍ତ୍ରୀର ସତ୍ତ୍ଵ ସାବ୍ୟସ୍ତ କରାଯାଇପାରିଲେ, ବହୁ ବିଧବା ସତୀ ହେବାରୁ ନିବୃତ ହେବେ । ଏହି ପରିକଳ୍ପନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ରାମମୋହନ ବିଧବାମାନଙ୍କର ସ୍ଵାମୀ ସମ୍ପତ୍ତି ଉପରେ ଅଧିକାର ଦାବୀକରି ଏହା ସପକ୍ଷରେ ଜନମତ ସୃଷ୍ଟି କରିଥିଲେ ଏବଂ ଏ ଦିଗରେ ତାଙ୍କର ସମସ୍ତ ଉଦ୍ୟମ ସଫଳ ହୋଇଥିଲା ।

 

ବାଲ୍ୟ ବିବାହର ବିରୋଧ

 

ରାମମୋହନ ଦେଖିଲେ ଯେ, ହିନ୍ଦୁ ସମାଜରେ ଉଚ୍ଚ ଶ୍ରେଣୀ ମଧ୍ୟରେ ବାଲ୍ୟବିବାହର ପ୍ରଚଳନ ଥିବାରୁ ବାଲ୍ୟ ବିଧବାମାନଙ୍କର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଇ ଚାଲିଛି । କେତେ ସ୍ଥାନରେ କନ୍ୟା ପିତା ଆର୍ଥିକ ପ୍ରଲୋଭନରେ ପଡ଼ି ନିଜର କନ୍ୟାମାନଙ୍କୁ ବିକ୍ରୟ କରି ଦେଉଥିଲେ-। ବିକ୍ରୟ ହେଉଥିବା ଏହି କନ୍ୟାମାନେ ଅତି ଅଳ୍ପ ବୟସରେ ବିବାହ କରୁଥିଲେ । କେହି କେହି ମଧ୍ୟ ସେମାନଙ୍କର କନ୍ୟାମାନଙ୍କୁ ଅର୍ଥ ଲୋଭର ବଶବର୍ତ୍ତୀ ହୋଇ ବୃଦ୍ଧମାନଙ୍କ ସହ ବିବାହ ଦେବା ପାଇଁ ପଶ୍ଚାତପଦ ହେଉନଥିଲେ । ରାମମୋହନ ଦେଖିଲେ ସମାଜରୁ ଏହି ଅଜ୍ଞାନତା ଓ ମୂଢ଼ତା ଦୂର ନହେଲେ ବାଲ୍ୟ ବିଧବାମାନଙ୍କର ସଂଖ୍ୟା ହ୍ରାସ ପାଇବା ଅସମ୍ଭବ । ବାଲ୍ୟବିଧବାମାନଙ୍କର ଦୁର୍ଦ୍ଦଶା ତଥା ମର୍ମାନ୍ତୁକ ପରିସ୍ଥିତି ସମାଜ ଉପରେ ଅତି ଜଘନ୍ୟ ପ୍ରଭାବ ବିସ୍ତାର କରି ଚାଲିଥିଲା-। ଏହି ବାଲ୍ୟ ବିବାହ ଓ କନ୍ୟା ବିକ୍ରୟ ବିରୁଦ୍ଧରେ ରାମମୋହନ ଜନମତ ଗଠନ କରିବା ସଙ୍ଗେ ସଙ୍ଗେ ଏହି ପ୍ରଥା ବିରୁଦ୍ଧରେ ଦୃଢ଼ସ୍ଵର ଉତ୍ତୋଳନ କରିଥିଲେ । ଏ ଦିଗରେ ସେ କେତେକାଂଶରେ ବିଜୟ ଲାଭ କରିଥିଲେ । ସେତେବେଳେ ସେ ଯେଉଁ ସ୍ୱର ଉଠାଇଥିଲେ, ତାହାର ଶବ୍ଦ ଏ ପର୍ଯ୍ୟନ୍ତ ମଧ୍ୟ ବାୟୁମଣ୍ଡଳରେ ଖେଳି ବୁଲୁଛି ।

 

ସତୀଦାହ ସମ୍ପର୍କୀୟ ଲୋମହର୍ଷଣକାରୀ ତଥ୍ୟାବଳୀ

 

ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତରେ ଯେଉଁ ସତୀଦାହ ପ୍ରଥା ପ୍ରଚଳିତ ଥିଲା, ତାହା ମୁଖ୍ୟତଃ ବଙ୍ଗ ପ୍ରଦେଶ, ରାଜପୁତାନା ଏବଂ ଦକ୍ଷିଣ ଭାରତର ବିଜୟନଗର ସାମ୍ରାଜ୍ୟରେ ବ୍ୟାପକ ଭାବେ ଦେଖାଯାଉଥିଲା । ପରିବାର ଓ ଜ୍ଞାତି ବର୍ଗଙ୍କ ପ୍ରବଳ ଚାପରେ ସହମରଣ ପ୍ରଥା ଅବଲମ୍ବନ କରୁଥିବା ବିଧବାମାନଙ୍କୁ ଭୁରି ଭୁରି ପ୍ରଶଂସା କରିବାରେ ସମାଜ ଶତଜିହ୍ଵ ହୋଇ ଉଠୁଥିଲା । ସ୍ଵାମୀଙ୍କ ଚିତାଗ୍ନିରେ ନିଜକୁ ଦାହ କରୁନଥିବା ବିଧବାମାନେ ନିମ୍ନଲିଖିତ ସାମାଜିକ କଟକଣା ମାନି ଚଳିବା ପାଇଁ ବାଧ୍ୟ ହେଉଥିଲେ । (୧) ବିଧବା ମାନେ ଦିନକୁ ମାତ୍ର ଗୋଟିଏ ଥର ଖାଇବେ । (୨) ବିଛଣାରେ ଶୟନ କରିବେ ନାହିଁ । (୩) ଉତ୍ତମ ବସ୍ତ୍ର ପରିଧାନ କରିବେ ନାହିଁ । (୪) ସାଂସାରିକ କାର୍ଯ୍ୟ ସହିତ କୌଣସି ସମ୍ପର୍କ ରଖିବେ ନାହିଁ । (୫) ମୁଣ୍ଡକୁ ପରିଷ୍କାର ଭାବେ କ୍ଷୌର କରି କେଶ ବିହୀନ କରିବେ ।

 

ବଂଶ ମର୍ଯ୍ୟାଦା ସହିତ ସତୀଦାହ ପ୍ରଥା ଜଡ଼ିତ ଥିବାରୁ କେତେକ ବିଧବା ସ୍ଵତଃସ୍ଫୁର୍ତ୍ତ ଓ ଭାବେ ସହମରଣ ପ୍ରଥା ଅବଲମ୍ବନ କରିବାର ଉଦାହରଣ ରହିଛି । କେବଳ ରାଜପୁତାନାରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଥିଲା । ଅନ୍ୟ ସମସ୍ତ ଅଞ୍ଚଳରେ ବିଧବା ମାନଙ୍କ ଉପରେ ବଳ ପ୍ରୟୋଗ କରାଯାଉଥିଲା । ତତ୍‌କାଳୀନ ଜଣେ ପୋଲିସ ସୁପରିନ୍‌ଟେଣ୍ଡେଣ୍ଟଙ୍କ ରିପୋର୍ଟରୁ ଜଣାଯାଏ ଯେ, ସ୍ଵାମୀର ଚିତାନଳରେ ନିଜ ଶରୀରକୁ ଦଗ୍‌ଧ କରିବା ପାଇଁ କେତେକ ପୂର୍ବରୁ ଘୋଷଣା କରିଥାନ୍ତି ଏବଂ ଘୋଷଣା ଅନୁସାରେ ଅକୁଣ୍ଠିତ ଚିତ୍ତରେ ଝାସ ଦିଅନ୍ତି । କିନ୍ତୁ ଏପରି ଉଦାହରଣ ବିରଳ । କେତେକ ବିଧବା ସହମରଣ ପ୍ରଥା ଅବଲମ୍ବନ କରିବାକୁ ପୂର୍ବରୁ ସମସ୍ତ ଦୃଢ଼ତା ପ୍ରକାଶ କରିଥିଲେ ମଧ୍ୟ ଠିକ୍‌ ସମୟରେ ସେମାନଙ୍କ ମନପରିବର୍ତ୍ତନ ହୋଇଥାଏ ଏବଂ ଚିତାନଳର ଲେଲିହାନ ଶିଖା ନିକଟରେ ସେମାନଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥାଏ । ଏହି ସମୟରେ ଶ୍ମଶାନଭୂମି ପରିତ୍ୟାଗ କରି ପଳାୟନ କରିବା ପାଇଁ ଯେଉଁମାନେ ଉଦ୍ୟମ କରନ୍ତି, ସେମାନଙ୍କ ଉପରେ ବ୍ରାହ୍ମଣ ପୁରୋହିତ ଓ ଜ୍ଞାତିବର୍ଗମାନେ ବଳପ୍ରୟୋଗ କରିଥାନ୍ତି । ଶ୍ମଶାନ ଭୂମିରେ ଯେଉଁମାନେ ଥାନ୍ତି, କେହି ହେଲେ ଏହି ଅସହାୟା ମହିଳାଙ୍କୁ ରକ୍ଷା କରନ୍ତି ନାହିଁ କିମ୍ବା ତାଙ୍କ ପ୍ରତି ତିଳେ ମାତ୍ର ଦରଦ ପ୍ରକାଶ କରନ୍ତି ନାହିଁ । ସମୟ ସମୟରେ ଦେଖାଯାଏ ଯେ, ବିଧବାର ସମଗ୍ର ଗ୍ରାମବାସୀ ଶ୍ମଶାନ ଭୂମିକୁ କ୍ଷିପ୍ର ଗତିରେ ଆସି ଅସହାୟାକୁ ଟାଣିନେଇ ଚିତାନଳରେ ନିକ୍ଷେପ କରନ୍ତି ।

 

ସତୀଦାହ ସମ୍ପର୍କରେ ଆବେ ଡୁବୋଇସ୍‌(Abbe Dubois) ନିମ୍ନଲିଖିତ ଭାବେ ଏକ ନିର୍ଦ୍ଦିଷ୍ଟ ଘଟଣାର ଉଲ୍ଲେଖ କରିଛନ୍ତି । ୧୭୯୪ ମସିହା ତାଞ୍ଜୁର ଜିଲ୍ଲାର ପୁଡୁପେଟା ଗ୍ରାମରେ ଜଣେ ଲୋକର ମୃତ୍ୟୁ ହେଲା, ଲୋକଟି ଥିଲା ବୈଶ୍ୟ ସଂପ୍ରଦାୟର । ପତ୍ନୀର ବୟସ ଥିଲା ୩୦ ବର୍ଷ । ପତ୍ନୀ ସ୍ଵାମୀର ଚିତାନଳରେ ନିଜକୁ ଦାନ କରିବା ପାଇଁ ଘୋଷଣା କରିଥିଲେ । ସ୍ଵାମୀର ଶବ ସହିତ ସେ ଶ୍ମଶାନକୁ ଗଲେ । ସତୀଦାହ ଦୃଶ୍ୟ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଯାଇ ଶ୍ମଶାନ ଭୂମିରେ ସେଦିନ ଉପସ୍ଥିତ ଥିଲେ । ଶବ ସହିତ ସେ ଏକ ସୁସଜ୍ଜିତ ପାଲିଙ୍କିରେ ବସି ଯାଉଥିଲା ବେଳେ ଦର୍ଶକମାନେ ତାଙ୍କର ଜୟ ଜୟ ଧ୍ୱନି କରି ଯାଉଥିଲେ । ଦର୍ଶକମାନଙ୍କ ମଧ୍ୟରୁ କେତକ ଭାବୁଥିଲେ ଯେ, ବିଧବା ଜଣକ ସତେ ଯେପରି ସ୍ଵର୍ଗରେ ଯାଇ ପହଞ୍ଚି ସାରିଲେଣି । ବିଧବାର ଏହି ସୌଭାଗ୍ୟ ଲାଗି କେତେକ ମଧ୍ୟ ତାହାପ୍ରତି ଈର୍ଷା ପରାୟଣ ହୋଇ ଉଠିଥିଲେ ।

 

ସ୍ଵାମୀର ଚିତାନଳ ଆଡ଼କୁ ଯାଉଥିଲା ବେଳେ ସେ ଐଶ୍ଵରିକ ଶକ୍ତି ଲାଭ କରିସାରିଛନ୍ତି ବୋଲି ଭାବି ତାଙ୍କଠାରୁ ଭବିଷ୍ୟତ ବାଣୀ ଶୁଣିବା ପାଇଁ ଦର୍ଶକମାନେ ଅତି ଆଗ୍ରହର ସହ ପ୍ରଶ୍ନ ପଚାରିଥିଲେ । ବିଧବା ଜଣଙ୍କୁ କହିଲେ ଯେ, ସେ ଭବିଷ୍ୟତରେ ଖୁବ୍‍ ଭାଗ୍ୟବାନ ହୋଇ ସୁଖ ଭୋଗ କରିବ । ଆଉ ଜଣଙ୍କୁ (ମହିଳା) କହିଲେ ଯେ, ବହୁ ସନ୍ତାନର ମାତା ହେବ ଏବଂ ଏହି ସନ୍ତାନମାନେ ଭବିଷ୍ୟତରେ ବହୁ ଉନ୍ନତି କରିବେ । ତୃତୀୟ ଜଣକ ପ୍ରଶ୍ନର ଉତ୍ତର ମିଳିଲାଯେ, ସେ ବହୁ ବର୍ଷ ବଞ୍ଚିବେ ଏବଂ ତାଙ୍କର ଜୀବନ ସୁଖମୟ ହେବ । ଚତୁର୍ଥ ପ୍ରଶ୍ନର ଉତ୍ତରରେ କୁହାଗଲା ଯେ, ପ୍ରଶ୍ନକର୍ତ୍ତା ଜୀବନରେ ବହୁ ସମ୍ମାନ ଓ ମର୍ଯ୍ୟାଦା ଲାଭ କରିବେ । ଏହିପରି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପରେ, ଚାଲିଥାଏ ଏବଂ ତାର ଉତ୍ତର ମଧ୍ୟ ଦିଆଯାଉଥାଏ ।

 

ବିଧବା ଜଣଙ୍କ ଶୋଭାଯାତ୍ରାରେ ଯାଉଥିବା ବେଳେ ତାଙ୍କର ମୁଖମଣ୍ଡଳ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଥିଲା । ସମୟ ସମୟରେ ସେ ସ୍ମିତହାସ୍ୟ କରୁଥିଲେ । କିନ୍ତୁ ଯେତେବେଳେ ଠିକ୍‍ ଚିତାନଳ ନିକଟରେ ଯାଇ ପହଞ୍ଚିଗଲେ ତାଙ୍କର ସମସ୍ତ ଦୃଢ଼ତା ଓ ଗାମ୍ଭୀର୍ଯ୍ୟ ଅଚାନକ ଭାବେ ଉଭେଇ ଗଲା-। ଏହା ପରିବର୍ତ୍ତେ ତାଙ୍କର ମୁଖମଣ୍ଡଳ ମଳିନ ହୋଇ ଉଠିଲା । ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଥରିବାକୁ ଲାଗିଲା । ସେଠାରେ ଉପସ୍ଥିତ ବ୍ରାହ୍ମଣ ପୁରୋହିତ ଓ ତାଙ୍କର ଜ୍ଞାତିବର୍ଗ ତାଙ୍କର ସାହସ ଯେପରି ଭଗ୍ନ ନହୁଏ ସେ ଦିଗରେ ସମସ୍ତ ଉଦ୍ୟମ କଲେ । କିନ୍ତୁ ବିଧବା ସେମାନଙ୍କ ବାକ୍ୟ ପ୍ରତି କର୍ଣ୍ଣପାତ ନକରି ନିରବ ରହିଲେ । ତାଙ୍କର ପାଦ ଚଳିଲା ନାହିଁ । ଚାଲିବା ପାଇଁ ଜ୍ଞାତି ବର୍ଗମାନେ ତାଙ୍କୁ ସାହାଯ୍ୟ କଲେ ମଧ୍ୟ ସେ ଚାଲି ପାରିଲେ ନାହିଁ । ଶେଷରେ ତାଙ୍କୁ ଟାଣି ଟାଣି ଚିତାନଳ ସନ୍ନିକଟବର୍ତ୍ତୀ ଏକ କ୍ଷୁଦ୍ର ପୁଷ୍କରିଣୀକୁ ଅଣାଗଲା । ସେ ପିନ୍ଧିଥିବା ମହାର୍ଘ୍ୟ ବସ୍ତ୍ର ଓ ସୁନାଗହଣା ସହିତ ତାଙ୍କୁ ସେହି ପୁଷ୍କରିଣୀରେ ବଳ ପ୍ରୟୋଗ ପୂର୍ବକ ଅବଗାହନ କରାଇଲେ । ସ୍ଵାମୀର ଚିତାନଳ ଚତୁପାର୍ଶ୍ଵରେ ବ୍ରାହ୍ମଣ ପୁରୋହିତମାନେ ଗୋଟିଏ ହସ୍ତରେ ଜାଜ୍ଵଲ୍ୟମାନ ମଶାଲ, ଅନ୍ୟ ହସ୍ତରେ ଘିଅ ମାଠିଆ ଧରି ଘେରି ରହିଥାନ୍ତି । ତାଙ୍କର ଜ୍ଞାତିବର୍ଗମାନେ ବ୍ରାହ୍ମଣ ପୁରୋହିତଙ୍କ ପଛକୁ ବର୍ଚ୍ଛା, ଖଡ୍‌ଗ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ଦଣ୍ଡାୟମାନ ହୋଇଥାନ୍ତି । ସେମାନେ ଏହି ଅସ୍ତ୍ରଶସ୍ତ୍ର ଧରି ଠିଆ ହେବାର ଉଦ୍ଦେଶ୍ୟ ହେଉଛି ଯେ, ବିଧବା ଭୟଭୀତ ହୋଇ ପଳାୟନ କଲାବେଳେ, ଯଦି କେହି ବ୍ୟକ୍ତି ତାଙ୍କ ପ୍ରତି ଦୟାର୍ଦ୍ର ଓ ସହାନୁଭୂତିଶୀଳ ହୁଅନ୍ତି, ତେବେ ତାଙ୍କ ଉପରେ ଏହି ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯିବ ।

 

ଚିତାନଳ ନିକଟରେ ଏହି ବିଧବାଙ୍କ ଠାରୁ ସମସ୍ତ ଅଳଙ୍କାରପତ୍ର ଛଡ଼ାଇ ନିଆଗଲା ଏବଂ ସେତେବେଳେ ତାଙ୍କର ଅବସ୍ଥା ମୃତବତ ଥିଲା । ପରମ୍ପରା ଅନୁଯାୟୀ ଚିତାନଳରେ ନିଜକୁ ନିକ୍ଷେପ କରିବା ପୂର୍ବରୁ ବିଧବାଙ୍କୁ ତିନିଥର ତାହାର ଚତୁଃପାର୍ଶ୍ଵରେ ବୁଲିବାକୁ ହୁଏ । ଏହି ବିଧବା ପ୍ରଥମଥର ବୁଲିଲେ, ଦ୍ଵିତୀୟ ଥର ବୁଲିବା ପରେ ସଂଜ୍ଞାହୀନ ହୋଇ ପଡ଼ିଲେ । ଏହି ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ତାଙ୍କର ସ୍ଵାମୀଙ୍କ ଚିତାଗ୍ନିରେ ନିକ୍ଷେପ କରାଗଲା । ସଙ୍ଗେ ସଙ୍ଗେ ବ୍ରାହ୍ମଣ ପୁରୋହିତମାନେ ଘିଅ ଢାଳିଲେ ଏବଂ ଖୁବ୍‍ ଅଳ୍ପ ସମୟ ମଧ୍ୟରେ ଚିତାଗ୍ନି ହୁ ହୁ ହୋଇ ଜଳି ଉଠିଲା ।

 

କାପେ୍‌ଟନ ସ୍ଳିମେନ ତାଙ୍କର ‘Rambles and Recollections’ ପୁସ୍ତକରେ ଆଉ ଏକ ରୋମାଞ୍ଚକର କାହାଣୀ ବର୍ଣ୍ଣନା କରିଛନ୍ତି । ଜଣେ ବିଧବା, ସ୍ଵାମୀର ଚିତାନଳରେ ନିଜକୁ ନିକ୍ଷେପ କରିବା ପୂର୍ବରୁ ସ୍ନାନ କରିସାରିବା ପରେ ପାନ ଖାଇବାକୁ ମାଗିଲେ ଏବଂ ତତ୍‌କ୍ଷଣାତ ତାଙ୍କୁ ଖଣ୍ଡେ ପାନ ଆଣି ଦିଆଗଲା ଯାହାକୁ କି ସେ ସେହିଠାରେ ଖାଇଲେ । ଏହା ପରେ ସେ ତାଙ୍କର ଜ୍ୟେଷ୍ଠ ପୁତ୍ର କାନ୍ଧରେ ଗୋଟିଏ ହସ୍ତ ଏବଂ ତାଙ୍କର ପୁତୁରା କାନ୍ଧରେ ଆଉ ଗୋଟିଏ ହସ୍ତରଖି ଚିତାନଳ ନିକଟକୁ ଚାଲିଲେ । ଅତି ସତେଜ ବଦନରେ ଯାଇ ଚିତାଗ୍ନି ମଧ୍ୟରେ ପ୍ରବେଶ କଲେ । ଠିକ୍‍ ଗଦିରେ ବସିବା ଭଳି ସେ ଚିତାର ମଧ୍ୟ ଭାଗରେ ଉପବିଷ୍ଟ ହେଲେ । ସେତେବେଳ ପର୍ଯ୍ୟନ୍ତ ତାଙ୍କର ମୁଖ ସତେଜ ଥାଏ । ଜଣାଯାଉଥାଏ, ସତେ ଯେପରି ସେ କୌଣସି ଯନ୍ତ୍ରଣା ଅନୁଭବ କରିପାରି ନାହାନ୍ତି । ଖୁବ୍‍ ଅଳ୍ପ ସମୟ ମଧ୍ୟରେ ତାଙ୍କର ଶରୀର ପାଉଁଶରେ ପରିଣତ ହୋଇଗଲା ।

Image

 

ଷଷ୍ଠ ପରିଚ୍ଛେଦ

ସମ୍ବାଦ ପତ୍ରର ସ୍ଵାଧୀନତାରକ୍ଷକ ରାମମୋହନ

 

୧୮୧୫ ମସିହାରେ ରାମମୋହନ ଯେତେବେଳେ କଲିକତା ଆସିଲେ, ସେତେବେଳେ ସାମ୍ବାଦିକତା ଏକ ଅତ୍ୟନ୍ତ କଠିନ ବ୍ୟାପାର ଥିଲା । ସାମ୍ବାଦିକତା ଉପରେ ଇଂରେଜ ସରକାର ଏତେ କଟକଣା ଜାରି କରିଥିଲେ ଯେ, କୌଣସି ଆତ୍ମସମ୍ମାନ ଜ୍ଞାନ ସମ୍ପନ୍ନ, ସୁଶିକ୍ଷିତ ଓ ଦକ୍ଷ ସାମ୍ବାଦିକ ଏହି କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରୁଥିଲେ । କିନ୍ତୁ ରାମମୋହନ ଅତିମାତ୍ରାରେ ସ୍ଵାଧୀନତା ପ୍ରିୟଥିବାରୁ ସେ ଏହି ସମସ୍ୟାର ସମାଧାନ ଲାଗି ଉଦ୍ୟମ କଲେ । ଯେଉଁଠାରେ ସେ ଅଯୌକ୍ତିକ ଏବଂ ଅନୌଚିତ କଠୋରତା ଦେଖୁଥିଲେ, ତାହାର ନିରାକରଣ ଲାଗି ତତ୍‌କ୍ଷଣାତ ଆଗଭର ହୋଇ ବାହାରିବା ତାଙ୍କର ପ୍ରକୃତିଗତ ଗୁଣଥିଲା । ସ୍ଵାଧୀନ ଚିନ୍ତାଧାରା ଉପରେ ଆଞ୍ଚ ଆଣିବା ଭଳି ଯେ କୌଣସି କଟକଣା ବିରୁଦ୍ଧରେ ସେ ବାଲ୍ୟକାଳରୁହିଁ ସଂଗ୍ରାମ ଚଳାଇ ଆସିଥିଲେ । ଦମନମୂଳକ ପନ୍ଥା, ମନୁଷ୍ୟର ସ୍ଵାଧୀନ ଚିନ୍ତାଧାରା ପ୍ରତି କ୍ଷତିକାରକ ବୋଲି ସେ ବରାବର ଅନୁଭବ କରୁଥିଲେ । ମତ ପ୍ରକାଶ କରିବା ସ୍ଵାଧୀନତା ମନୁଷ୍ୟର ମୌଳିକ ଓ ଅପରିହାର୍ଯ୍ୟ ଅଧିକାର ବୋଲି ସେ ମତ ପ୍ରକାଶ କରୁଥିଲେ ।

 

ସମ୍ବାଦପତ୍ର ଜନମତ ଜାଗ୍ରତ କରିବା ଦିଗରେ ଅତ୍ୟନ୍ତ ଶକ୍ତିଶାଳୀ ଅସ୍ତ୍ରବୋଲି ଜାଣିପାରି ଏହାର ସ୍ଵାଧୀନତା ଲାଗି ସେ ସଂଗ୍ରାମ ଚଳାଇଥିଲେ । ଏହି ସ୍ଵାଧୀନତା ପାଇଁ ହୋଇଥିବା ଦୀର୍ଘ ସଂଗ୍ରାମର ଇତିହାସ ଖୁବ୍‌ ଆଗ୍ରହର ସହିତ ସେ ପ୍ରଥମେ ଅଧ୍ୟୟନ କଲେ । ସଂବାଦପତ୍ର ସଂପାଦକମାନଙ୍କର ଏ ସଂପର୍କରେ ମତାମତ ସଂଗ୍ରହକରି ସେ ସ୍ଥିର କଲେ ଯେ, କୌଣସି ଉପାୟରେ ଏହି ସ୍ଵାଧୀନତା ହାସଲ କରିବାକୁ ପଡ଼ିବ ।

 

ଭାରତୀୟ ସମ୍ବାଦ ପତ୍ରର ପୃଷ୍ଠଭୂମି ଉପରେ ଆଲୋକପାତ କଲେ ଦେଖିବାକୁ ମିଳେ ଯେ, ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର ସମ୍ବାଦପତ୍ରର ସ୍ଵାଧୀନତାକୁ କ୍ଷୁଣ୍ଣ କରିବା ପାଇଁ ଏକ ପ୍ରକାର ପ୍ରତିଜ୍ଞାବଦ୍ଧ ହୋଇଥିଲେ । ରାମମୋହନ ବରାବର ଚିନ୍ତା ଉଦ୍ରେକକାରୀ ପ୍ରବନ୍ଧମାନ ଲେଖି ସମ୍ବାଦପତ୍ରମାନଙ୍କୁ ପଠାଉଥିଲେ । କ୍ରମଶଃ ସେ ଅନୁଭବ କଲେ ଯେ, ସମ୍ବାଦପତ୍ର ଶାସନକଳ ଶତ୍ରୁ ଭାବାପନ୍ନ ହୋଇ ପଡ଼ିଛନ୍ତି । ଇଷ୍ଟଇଣ୍ଡିଆ କମ୍ପାନୀ ସରକାରର ମନୋବୃତ୍ତି ଯାହାହେଲେ ମଧ୍ୟ ସମ୍ବାଦପତ୍ର ଓ ସାମ୍ବାଦିକମାନଙ୍କର ସ୍ଵାଧୀନତା ରକ୍ଷାପାଇଁ ସେ ଦୃଢ଼ପରିକର ହେଲେ । ଶିଳ୍ପ ବିପ୍ଳବ ପରେ (Industrial Revolution) ମଧ୍ୟବିତ ଶ୍ରେଣୀର ଲୋକଙ୍କ ମଧ୍ୟରେ ଗଣତାନ୍ତ୍ରିକ ଓ ସାମାଜିକ ସଚେତନା ସୃଷ୍ଟି ହୋଇଥିଲା । ପ୍ରତ୍ୟେକ କ୍ଷେତ୍ରରେ ସ୍ଵାଧୀନତା ଲାଗି ସେମାନେ ଉଦ୍ୟମ କରୁଥିଲେ । ମାତ୍ର ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର ନିର୍ବିଘ୍ନରେ ଶୋଷଣ ଚଳାଇ ଚାଲିଥିଲେ । ସେତେବେଳେ କମ୍ପାନୀ ସରକାର ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ ଭାରତରେ ଅଳ୍ପ କେତେକ ସମ୍ବାଦପତ୍ର ପ୍ରତିଷ୍ଠାନ ମୁଣ୍ଡ ଟେକିଥିଲା । କଲିକତାରେ ଥିବା ଇଂରେଜ କର୍ମଚାରୀଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ବହୁ କୌତୂହଳୋଦ୍ଦୀପକ ସମ୍ବାଦ ସବୁ ‘‘ହିକି ଗେଜେଟ୍‌’’ରେ ପ୍ରକାଶ କରାଯାଉଥିଲା ।

 

ଇଷ୍ଟଇଣ୍ଡିଆ କମ୍ପାନୀ ସରକାରଙ୍କର ଅତି ଉଚ୍ଚ ପାହ୍ୟା ଅଫିସର ମହଲ ତୀବ୍ର ସମାଲୋଚନାର ଶିକାର ହେଉଥିଲେ । ଏପରିକି ହେଷ୍ଟିଙ୍ଗସ୍‌ ଓ କ୍ଳାଇବ୍‍ ମଧ୍ୟ ଏଥିରୁ ବାଦ ଯାଇନଥିଲେ । ‘ହିକି ଗେଜେଟ’ରେ ହେଷ୍ଟିଙ୍ଗସ୍‌ଙ୍କୁ ବାରମ୍ବାର ସମାଲୋଚନା କରାଯାଉଥିଲା । ହେଷ୍ଟିଙ୍ଗସ୍‌ଙ୍କର ବ୍ୟକ୍ତିଗତ ଜୀବନ ଉପରେ ଆକ୍ଷେପ କରାଯାଇ ଏଥିରେ ଲେଖାମାନ ପ୍ରକାଶ ପାଉଥିଲା । ହିକି ଯେଉଁ ସମ୍ବାଦମାନ ପ୍ରକାଶ କରୁଥିଲେ ତାହା ପାଠକରି ଇଂରେଜମାନେ ଅତ୍ୟନ୍ତ ବିବ୍ରତ ହେଉଥିଲେ । ସମୟ ଆସିଲା ଯେତେବେଳେ କି ଇଂରେଜ ସରକାର ତାଙ୍କ ଉପରେ ଶାସ୍ତି ବିଧାନ କରିବାକୁ ନିଷ୍ପତ୍ତି କଲେ । ତାଙ୍କୁ ଗିରଫ କରାଗଲା ଏବଂ ସ୍ଥାନାନ୍ତରିତ ମଧ୍ୟ କରାଗଲା । ଦାରିଦ୍ର୍ୟରେ ନିପୀଡ଼ିତ ହୋଇ ଅବଶେଷରେ ତାଙ୍କର ଜୀବନାବସାନ ହେଲା । ତାଙ୍କର ମୃତ୍ୟୁ ହେଲେ ମଧ୍ୟ ସମାଲୋଚନାମୂଳକ ଲେଖା ପ୍ରକାଶ କରିବାରେ ସେ ଯେଉଁ ସାହସିକତା ପ୍ରଦର୍ଶନ କରିଯାଇଥିଲେ ତାହା ଏପର୍ଯ୍ୟନ୍ତ ମଧ୍ୟ ସାମ୍ବାଦିକମାନଙ୍କୁ ପ୍ରେରଣା ଦେଉଛି । ସମ୍ଵାଦପତ୍ର ଓ ସାମ୍ବାଦିକଙ୍କ ସ୍ଵାଧୀନତା ସଂପର୍କରେ ପ୍ରଥମେ ସଂଗ୍ରାମ ଚଳାଇଥିଲେ ହିକି । ସାମ୍ବାଦିକ ଜଗତରେ ସେ ଏକ ସ୍ପନ୍ଦନ ସୃଷ୍ଟି କରିଥିଲେ । ପ୍ରତାପୀ କମ୍ପାନୀ ସରକାର ସ୍ଵସ୍ଵାର୍ଥ ସାଧନ ଲାଗି ଭାରତରେ ଶୋଷଣ ଚଳାଇଥିଲାବେଳେ ଜଣେ ମାତ୍ର ବିଦେଶୀ ସାମ୍ବାଦିକ ନିଜ ଜୀବନକୁ ବିପନ୍ନକରି ତାହାର ସମାଲୋଚନା କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଅବଶ୍ୟ ହିକିଙ୍କର ଏହି ଲେଖା ଫଳରେ ସରକାରୀ କର୍ମଚାରୀମାନେ ସାମ୍ବାଦିକମାନଙ୍କୁ ଘୃଣା କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ପ୍ରତି ସନ୍ଦେହ ପ୍ରକାଶ କରୁଥିଲେ । ସମ୍ବାଦପତ୍ର ପ୍ରତିଷ୍ଠାନଗୁଡ଼ିକ ବରାବର ସରକାରଙ୍କ କଡ଼ା ଦୃଷ୍ଟିରେ ରହିଥିଲା ।

 

ଭାରତୀୟ ସମ୍ବାଦପତ୍ରର ମୁକାବିଲା କରିବା ପାଇଁ କମ୍ପାନୀ ସରକାରଙ୍କ ପକ୍ଷରୁ ସମ୍ବାଦପତ୍ର ପ୍ରକାଶ କରାଗଲା । ବ୍ରିଟିଶ ଏଜେନ୍‌ସି ହାଉସେସର ନାମ ଏଠାରେ ପ୍ରଣିଧାନଯୋଗ୍ୟ-। ବିତ୍ତଶାଳୀ ବ୍ରିଟିଶ ଶାସକ ବର୍ଗଙ୍କ ସ୍ଵାର୍ଥରକ୍ଷା କରିବା ଥିଲା ଏହାର କାର୍ଯ୍ୟ । ସମ୍ବାଦପତ୍ରର ଯେଉଁ ସଂପାଦକମାନେ ଇଂରେଜ ସରକାରଙ୍କର ରାଜନୈତିକ ଉଦ୍ଦେଶ୍ୟ ସାଧନ କରିପାରୁନଥିଲେ ସେମାନଙ୍କୁ କୌଣସିମତେ ବରଦାସ୍ତ କରାଯାଉନଥିଲା । ଆମେରିକାର ସ୍ଵାଧୀନତା ସଂଗ୍ରାମ, ଫରାସୀ ବିପ୍ଳବ ଓ ୟୁରୋପରେ ରାଜନୀତିକ ଝଡ଼ଝଞ୍ଜା ସେତେବେଳେ ବୁଦ୍ଧିଜୀବୀ ମହଲରେ ନୂତନ ଉନ୍ମାଦନା ସୃଷ୍ଟି କରିଥିଲା । ସ୍ଵାଧୀନତା, ଭ୍ରାତୃତ୍ଵର ବନ୍ଧନ ଏବଂ ସାମ୍ୟ ଚିନ୍ତାଧାରା ମଧ୍ୟବିତ୍ତ ଶ୍ରେଣୀର ଶିକ୍ଷିତ ଗୋଷ୍ଠୀଙ୍କ ଲାଗି ଏକ ଆଦର୍ଶରେ ପରିଣତ ହୋଇଥିଲା । ବିଦେଶରେ ଘଟୁଥିବା ଘଟଣାପ୍ରତି ଏମାନେ ତୀକ୍ଷ୍‌ଣ ଦୃଷ୍ଟି ରଖିଥିଲେ । ବିଦେଶୀ ସମ୍ବାଦ ପାଇବା ଦିଗରେ ସେମାନଙ୍କର ଚାହିଦାକୁ କେବଳ ସମ୍ବାଦପତ୍ର ପ୍ରତିଷ୍ଠାନହିଁ ପୂରଣକରି ପାରୁଥିଲା । କିନ୍ତୁ ସମ୍ବାଦପତ୍ର ଉପରେ ଅତ୍ୟଧିକ ମାତ୍ରାରେ ସରକାରୀ କଟକଣା ଜାରି କରାଯାଉଥିବାରୁ ଭାରତର ଶିକ୍ଷିତ ଗୋଷ୍ଠୀ ଏଥିପ୍ରତି ବିରକ୍ତି ପ୍ରକାଶ କରୁଥିଲେ । ଦେଶରେ ଉଦାରବାଦ ପ୍ରଚଳନ କରାଯାଉଛି ବୋଲି କମ୍ପାନୀ ସରକାର ଯେଉଁ ଛଳନାତ୍ମକ ବାକ୍ୟ ଶୁଣାଇ ଥିଲେ, ଶିକ୍ଷିତ ଗୋଷ୍ଠୀଙ୍କ ନିକଟରେ ତାହା ମୂଲ୍ୟହୀନ ଥିଲା । ସେତେବେଳେ ‘ଇଣ୍ଡିଆ ଗେଜେଟ’, ‘ବେଙ୍ଗଲ ଜର୍ଣ୍ଣାଲ’ ‘ଓରିଏଣ୍ଟାଲ ମେଗାଜିନ, ‘ଇଣ୍ଡିଆନ ଓ୍ୟାରଲ୍‌ଡ ପ୍ରଭୃତି ବହୁ ସମ୍ବାଦପତ୍ର ପ୍ରତିଷ୍ଠାନ ଗଢ଼ି ଉଠିଥିଲେ ମଧ୍ୟ ଫୋର୍ଟ ଉଇଲିଅମ କର୍ତ୍ତୃପକ୍ଷ ଏହାର ପ୍ରୋପାଇଟରମାନଙ୍କ ଉପରେ ବହୁ ଅତ୍ୟାଚାର ଚଳାଇଥିଲେ । ମାତ୍ର ଆଶ୍ଚର୍ଯ୍ୟର କଥାଯେ ଏହି ସମ୍ବାଦପତ୍ରର ପ୍ରୋପାଇଟରମାନଙ୍କ ସମସ୍ତ ପ୍ରତିବନ୍ଧକର ମୁକାବିଲାକରି କାଗଜ ପ୍ରକାଶ କରୁଥିଲେ । ୧୭୯୧ ଓ ୧୭୯୮ ମସିହା ମଧ୍ୟରେ ବହୁସମ୍ପାଦକଙ୍କୁ ସରକାର ଶାନ୍ତି ବିଧାନ କରିଥିଲେ । ଲଡୱେଲସିଲି ୧୭୯୯ ମସିହାରେ ନିମ୍ନଲିଖିତ ଆଇନ ପ୍ରଣୟନ କଲେ ।

 

୧ । ସମ୍ବାଦପତ୍ରର ପ୍ରତ୍ୟେକ ପ୍ରକାଶକ ତାଙ୍କର ନାମକୁ ସମ୍ବାଦପତ୍ର ତଳେ ଉଲ୍ଲେଖ କରିବେ ।

 

୨ । ପ୍ରତ୍ୟେକ ସଂପାଦକ ଓ ପ୍ରୋପ୍ରାଇଟର ସରକାରଙ୍କୁ ତାଙ୍କ ନାମ ଓ ବାସସ୍ଥାନ ଜଣାଇବେ ।

 

୩ । ରବିବାର ଦିନ କୌଣସି ସମ୍ବାଦପତ୍ର ପ୍ରକାଶିତ ହେବନାହିଁ ।

 

୪ । ସରକାରଙ୍କ ସେକ୍ରେଟାରୀ କିମ୍ବା ତାଙ୍କ ଦ୍ଵାରା ଭାରପ୍ରାପ୍ତ ଲୋକେ ତଦନ୍ତ ନକରିବା ପର୍ଯ୍ୟନ୍ତ କୌଣସି ସମ୍ବାଦପତ୍ର ପ୍ରକାଶିତ ହୋଇ ପାରିବ ନାହିଁ ।

 

୫ । ଉପରୋକ୍ତ ନିୟମ ଲଙ୍ଘନ କରିବା ବ୍ୟକ୍ତିଙ୍କୁ ତୁରନ୍ତ ୟୁରୋପକୁ ପଠାଇ ଦିଆଯିବ-

 

ରାମମୋହନଙ୍କର ଆତ୍ମମର୍ଯ୍ୟାଦାବୋଧ ଖୁବ୍‍ ବେଶିଥିଲା । ସମ୍ବାଦପତ୍ରର ସମ୍ପାଦକ ଓ ପ୍ରୋପ୍ରାଇଟରମାନେ ବ୍ରିଟିଶ ସରକାରଙ୍କ ଏହି ଅତ୍ୟାଚାରକୁ ମୁଣ୍ଡପାତି ସହି ନିଅନ୍ତୁ ତାହା ସେ ଆଦୌ ଚାହୁଁ ନଥିଲେ । ରାମମୋହନ ଅତିମାତ୍ରାରେ ସ୍ଵାଧୀନତା ପ୍ରିୟ ଥିବାରୁ କାର୍ଯ୍ୟ ଓ ଚିନ୍ତାଧାରାରେ ସ୍ଵାଧୀନତା ସୁଖମୟ ଜୀବନଯାପନ ପାଇଁ ଏକମାତ୍ର ପନ୍ଥାବୋଲି ସେ ବିବେଚନା କରୁଥିଲେ । ୧୮୨୩ ମସିହାରେ ତାଙ୍କର ଏହି ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବାର ଏକ ସୁଯୋଗ ଆସିଲା । ସେହିବର୍ଷ ଲର୍ଡ ହେଷ୍ଟିଙ୍ଗ୍‌ସ ଭାରତ ଛାଡ଼ିଲେ ଏବଂ ଲର୍ଡ ଆମ୍‌ହର୍ଷ୍ଟସ ଭାରତର ବଡଲାଟ୍‍ ରୂପେ ନିଯୁକ୍ତ ହେଲେ । ଲର୍ଡ ହେଷ୍ଟିଙ୍ଗ୍‌ସ୍‌ଭାରତ ଛାଡ଼ି ଚାଲିଯିବା ପରେ ଲର୍ଡ ଆମ୍‌ହର୍ଷ୍ଟସ ଠିକ୍‍ ସମୟରେ ଆସି ଭାରତରେ ପହଞ୍ଚିପାରି ନଥିବାରୁ ସୁପ୍ରିମ କାଉନସିଲର ପୁରୁଖା ସଭ୍ୟ ଆଡାମ ଏହି ମଧ୍ୟବର୍ତ୍ତୀ ସମୟରେ ଭାରତର ଗଭର୍ଣ୍ଣର ଜେନେରାଲ ଦାୟିତ୍ଵ ତୁଲାଇଥିଲେ । ମି: ଆଡାମ ଏହି ଅଳ୍ପ ସମୟ ମଧ୍ୟରେ ସମ୍ବାଦପତ୍ରର ସ୍ଵାଧୀନତା ଉପରେ ହସ୍ତକ୍ଷେପ କରି ତାଙ୍କର ଜନପ୍ରିୟତା ହରାଇ ବସିଲେ । ‘କାଲକାଟା କର୍ଣ୍ଣାଲ’ର ସମ୍ପାଦକ ମି: ସିଲବକିଙ୍ଗହାମ୍‌ଥରେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ତାଙ୍କ ପତ୍ରିକାରେ ଅତ୍ୟନ୍ତ କଟୁ ମନ୍ତବ୍ୟ ପ୍ରକାଶ କରିଥିଲେ । ଏଥିରେ ସରକାରୀ କର୍ତ୍ତୃପକ୍ଷ ଅତ୍ୟନ୍ତ ଉତ୍‌କ୍ଷିପ୍ତ ହୋଇ ପଡ଼ିଲେ ଏବଂ ଅସ୍ଥାୟୀ ଗଭର୍ଣ୍ଣର ଜେନେରାଲ ମି: ବକିଙ୍ଗହାମଙ୍କୁ ଭାରତ ଛାଡି ଚାଲିଯିବାକୁ ହେଲା ସତ ମାତ୍ର ଏହିଠାରେ ଘଟଣାର ପରିସମାପ୍ତି ଘଟି ନଥିଲା । ସରକାର ଉପରୋକ୍ତ ମନ୍ତବ୍ୟ ସଂପର୍କରେ ଗୁରୁତରଭାବେ ବିଚାର ଆଲୋଚନାକରି ମାର୍ଚ୍ଚ ୧୪ ତାରିଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିଷ୍ପତ୍ତି ନେଲେ । ଅସ୍ଥାୟୀ ଗଭର୍ଣ୍ଣର ଜେନେରାଲ ମି: ଆଡାମ ସମ୍ବାଦପତ୍ରର ସ୍ଵାଧୀନତା ଉପରେ କଟକଣା ଜାରିକରି ଏକ ଅର୍ଡିନାନ୍‌ସ କଲେ ।

 

ତତ୍‌କାଳୀନ ବ୍ରିଟିଶ ପାର୍ଲିଆମେଣ୍ଟର ଆଇନ ଅନୁଯାୟୀ ଭାରତର ଗଭର୍ଣ୍ଣର ଜେନେରାଲଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ସୁପ୍ରିମ କୋର୍ଟର ଅନୁମୋଦନ ଲୋଡ଼ା ହେଉଥିଲା । ଏହି ଅର୍ଡିନାନ୍‌ସ ବିରୁଦ୍ଧରେ ପ୍ରତିବାଦକରି ବାରିଷ୍ଟର ଫରଗ୍ୟୁସନ୍‌ ମି: ବକିଙ୍ଗହାମଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କଲେ । ଭାରତର ଛଅଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ଏକ ସ୍ମାରକ ପତ୍ର ମଧ୍ୟ ସୁପ୍ରିମକୋର୍ଟରେ ଉପସ୍ଥାପନ କରାଯାଇଥିଲା । ସ୍ମାରକ ପତ୍ରର ଲେଖକ ଥିଲେ ରାଜା ରାମମୋହନ ରାୟ, ଯେ କି ଏହି ସ୍ମାରକ ପତ୍ରରେ ଜଣେ ସ୍ଵାକ୍ଷରକାରୀ ଥିଲେ ।

 

ସୁପ୍ରିମକୋର୍ଟ ବିଚାରପତି ସାର୍‌ ଫ୍ରାନ୍‌ସିସ୍‌ ମେକନାଗ୍‌ଟନ୍‌ ବିଷୟଟିର ବିଚାରକରି ଗଭର୍ଣ୍ଣର ଜେନେରାଲଙ୍କ ଅର୍ଡିନାନ୍‌ସକୁ ଅନୁମୋଦନ କଲେ । ସ୍ମାରକପତ୍ରରେ ସ୍ଵାକ୍ଷର ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଯେତେବେଳେ ଦେଖିଲେ ଯେ, ସେମାନଙ୍କ ନିବେଦନ ନ୍ୟାୟ ଓ ଦୃଢ଼ଯୁକ୍ତି ଉପରେ ପ୍ରତିଷ୍ଠିତ ହେଲେ ମଧ୍ୟ ଏହାକୁ ଗ୍ରହଣ କରାଗଲା ନାହିଁ, ସେତେବେଳେ ସେମାନେ ଇଂଲଣ୍ଡର ତତ୍କାଳୀନ ରାଜା ଚତୁର୍ଥ ଜର୍ଜଙ୍କ ନିକଟକୁ ଏକ ଆବେଦନ ପ୍ରେରଣ କଲେ । ଏହି ଆବେଦନ ପତ୍ରର ଲେଖକ ଥିଲେ ମଧ୍ୟ ରାଜା ରାମମୋହନ ରାୟ । ଏ ସମସ୍ତ ବିଷୟରେ ସେ ଜଣେ ଦିଗ୍‌ଦର୍ଶକ ଭଳି କାର୍ଯ୍ୟ କରୁଥିଲେ । ଆବେଦନ ପତ୍ରଟି ସେତେବେଳେ ଏକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଦଲିଲ ରୂପେ ବିବେଚିତ ହେଉଥିଲା । ଏହାର ଶେଷଭାଗଟି ଏପରି ଭାବେ ଲିଖିତ ହୋଇଥିଲା ଯେ, ଯେ କେହି ଏହାକୁ ପଢ଼ିଲେ ଚମତ୍କୃତ ହେବେ । ନିମ୍ନରେ ଏହାର କେତେକ ଅଂଶ ଉଦ୍ଧାର କରାଗଲା ।*

 

*‘‘Your majesty’s faithful subjects, from the distance of almost half the globe, appeal to your Majesty’s heart by the sympathy which forms a paternal tie between you and the lowest of your subjects, not to overlook their condition; they appeal to you by the honour of the great nation which, under your Royal auspices, has obtained the glorious title of Liberation of Europe, not to permit the possibility of millions of your subjects being wanton trampled on and oppressed, they, lastly, appeal to your by the glory of your Crown, on which the eyes of the world are fixed, not to consign the natives of India to perpetual oppression and degradation.’’

 

ଏହି ଆବେଦନ ଫଳପ୍ରଦ ହୋଇ ନ ଥିଲେ ମଧ୍ୟ ଯେଉଁଥି ପାଇଁ ଏହା ଲେଖା ଯାଇଥିଲା, ତାହା ସମକ୍ଷରେ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ ହୋଇ ରହିଲା । ଲର୍ଡ ବେଣ୍ଟିକ ଭାରତର ଗଭର୍ଣ୍ଣର ଜେନେରାଲ ପଦରୁ ଅବସର ଗ୍ରହଣ କରିବା ପରେ ଲର୍ଡ ଅକଲେଣ୍ଡ ଗଭର୍ଣ୍ଣର ଜେନେରାଲ ଦାୟିତ୍ଵ ଗ୍ରହଣ ପୂର୍ବରୁ ସାର ଚାର୍ଲସ୍‌ ମେଟକାଫ ଭାରତର ଅଳ୍ପ କିଛିକାଳ ଗଭର୍ଣ୍ଣର ଜେନେରାଲ ପଦବୀରେ ଅସ୍ଥାୟୀଭାବେ ଅଧିଷ୍ଠିତ ହୋଇଥିଲେ । ଜଣେ ଅସ୍ଥାୟୀ ଗଭର୍ଣ୍ଣର ଜେନେରାଲ ୧୮୨୩ ମସିହାରେ ଯେଉଁ ସ୍ଵାଧୀନତା ଅପହରଣ କରିଥିଲେ, ୧୮୩୬ ମସିହାରେ ଆଉ ଜଣେ ଅସ୍ଥାୟୀ ଗଭର୍ଣ୍ଣର ଜେନେରାଲ ତାହାର ପୁନରୁଦ୍ଧାର କଲେ । ସାର ଚାର୍ଲସ ମେଟକାଫ ସମ୍ବାଦପତ୍ରଗୁଡ଼ିକୁ ସପୂର୍ଣ୍ଣ ସ୍ଵାଧୀନତା ମଞ୍ଜରୁ କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ପାଇଁ କଲିକତାବାସୀ ତାଙ୍କ ନାମରେ ଗୋଟିଏ ସାଧାରଣ ପାଠାଗାରକୁ ନାମିତ କରିଥିଲେ-। ଏହାର ନାମ ସେତେବେଳେ ଥିଲା ‘ମେଟ୍‌କାଫ୍‌’ ହଲ । ପରବର୍ତ୍ତୀ ସମୟରେ ଏହା ଇମ୍ପେରିଆଲ ଲାଇବ୍ରେରୀ ନାମରେ ନାମିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ନେସନାଲ ଲାଇବ୍ରେରୀ ନାମରେ ପରିଚିତ ।

 

ସୁରେନ୍ଦ୍ର ନାଥ ବୀନାର୍ଜୀ ରାମମୋହନଙ୍କ ସଂପର୍କରେ ଲେଖିଛନ୍ତି ‘‘He had worked tirelessly not only for increasing democratisation of the administration of India, but he also helped forge that indispensable instrument for the working of democracy-a powerful press.’’ ଏହାର ମୋଟାମୋଟି ଅର୍ଥ ହେଲା ଯେ ରାମମୋହନ ଶାସନର ଗଣତାନ୍ତ୍ରୀକରଣ ଲାଗି ଯେ ଅବିଶ୍ରାନ୍ତ ଉଦ୍ୟମ କରିଥିଲେ କେବଳ ସେତିକି ନୁହେଁ ଗଣତନ୍ତ୍ରର କାର୍ଯ୍ୟକାରିତା ଲାଗି ଅପରିହାର୍ଯ୍ୟ ବସ୍ତୁରୂପେ ବିବେଚିତ ଶକ୍ତିଶାଳୀ ସମ୍ବାଦପତ୍ରର ସୁରକ୍ଷା ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ ।

 

୧୮୨୧ ମସିହାରେ ରାମମୋହନ ନିଜେ ସାମ୍ବାଦିକତା କ୍ଷେତ୍ରରେ ପ୍ରବେଶ କରିଥିଲେ-। ସେ ପର୍ଯ୍ୟନ୍ତ ଯଦିଓ ସେ ବହୁ ପୁସ୍ତକ ଅନୁବାଦ କରିଥିଲେ ଓ ସମ୍ବାଦପତ୍ରରେ ପ୍ରବନ୍ଧମାନ ଲେଖିଥିଲେ । କିନ୍ତୁ ସାମ୍ବାଦିକତା କ୍ଷେତ୍ରରେ ସେ ଅବତୀର୍ଣ୍ଣ ହୋଇନଥିଲେ-। ସେହି ବର୍ଷ ରାମମୋହନ ତାଙ୍କର ରାଜନୀତିକ ଦର୍ଶନ ପ୍ରଚାର କରିବା ଉଦ୍ଦେଶ୍ୟରେ ବଙ୍ଗଳା ଭାଷାରେ ଗୋଟିଏ ସମ୍ବାଦପତ୍ର ପ୍ରତିଷ୍ଠା କଲେ । ସେତେବେଳେ ଆମେରିକା, ଇଂଲଣ୍ଡ ଓ ଆୟାରଲାଣ୍ଡର ବହୁ ସମ୍ପାଦକ ସେମାନଙ୍କ ସ୍ଵାଧୀନମତ ପ୍ରକାଶ ଯୋଗୁଁ ଦେଶାନ୍ତର ଦଣ୍ଡ ଭୋଗ କରିସାରିଥିଲେ-। ସରକାରୀ ବ୍ୟାପାର ସଂପର୍କରେ ଲୋକଙ୍କୁ ଅନ୍ଧକାର ମଧ୍ୟରେ ରଖିଲେ ସେମାନେ ଅସୁବିଧା ସୃଷ୍ଟି କରିବାକୁ ସମର୍ଥ ହୋଇ ପାରିବେ ନାହିଁ—ଏହାହିଁ ଥିଲା ସେତେବେଳେ ସରକାରୀ ନୀତି-। ଲୋକଙ୍କ ମଧ୍ୟରେ ଜ୍ଞାନର ପ୍ରସାର ଘଟାଇବାରୁ ସରକାର ଖୁବ୍‍ ଦୃଢ଼ଭାବରେ ବିରୋଧ କରୁଥିଲେ-। ଭାରତରେ ସେତେବେଳେ ଖୁବ୍‍ ଅଳ୍ପ ସଂଖ୍ୟକ ସମ୍ବାଦପତ୍ର ଇଂରାଜୀ ଭାଷାରେ ପ୍ରକାଶ ପାଉଥିଲା ଏବଂ ସେଗୁଡ଼ିକୁ କେବଳ ୟୁରୋପୀୟମାନେହିଁ ପରିଚାଳନା କରୁଥିଲେ । ଏହି ସମ୍ବାଦପତ୍ର ଗୁଡ଼ିକରୁ ଇଣ୍ଡିଆନ ଗେଜେଟ ଓ ବେଙ୍ଗଲ ଜର୍ଣ୍ଣାଲର ନାମ ପ୍ରଣିଧାନଯୋଗ୍ୟ । ଶ୍ରୀରାମପୁରର ଖ୍ରୀଷ୍ଟଧର୍ମ ପ୍ରଚାରକମାନେ ଯୁବକମାନଙ୍କ ପାଇଁ ବଙ୍ଗଳା ଭାଷାରେ ଗୋଟିଏ ମେଗାଜିନ୍‌ ପ୍ରକାଶ କରୁଥିଲେ ଏବଂ ତାର ନାମ ଥିଲା ‘ଦିଗ୍‌ଦର୍ଶନ’ । ରାମମୋହନଙ୍କର ଜଣେ ବନ୍ଧୁ ‘କଲିକତା ଜର୍ଣ୍ଣାଲ’ ନାମକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରୁଥିଲେ । ଭାରତୀୟ ଓ ୟୁରୋପୀୟ ଉଭୟଙ୍କ ମଧ୍ୟରେ ଏହାର ପାଠକ ଗୋଷ୍ଠୀଥିଲେ । ରାମମୋହନ ଏହି ଜର୍ଣ୍ଣାଲର ସମ୍ପାଦକଙ୍କଠାରୁ ସର୍ବଦା ସାହାଯ୍ୟ ଓ ସହାନୁଭୂତି ଲାଭ କରୁଥିଲେ ।

 

ରାମମୋହନ ନିଜେ ଯେତେବେଳେ ଗୋଟିଏ ସମ୍ବାଦପତ୍ର ପ୍ରକାଶ କଲେ ସେତେବେଳେ ବହୁ ବ୍ୟକ୍ତିଙ୍କ ଠାରୁ ତାଙ୍କୁ ସମର୍ଥନ ମିଳିଲା । ଉକ୍ତ ସମ୍ବାଦପତ୍ରର ନାମ ହେଲା ‘‘ସମ୍ଵାଦ କୌମୁଦୀ’’ । ଧର୍ମ, ନୈତିକତା ରାଜନୈତିକ ବ୍ୟାପାର ଉପରେ ଧ୍ୟାନ ଦେବା ଏହି ସମ୍ବାଦ ପତ୍ରର ପ୍ରାରମ୍ଭିକ ଉଦ୍ଦେଶ୍ୟ ଥିଲା । ଏହା ଆରମ୍ଭ ହେବା ପରେ ପରେ ଏହାର ଜଣେ ସହ-ସମ୍ପାଦକ ଉକ୍ତ ଅନୁଷ୍ଠାନ ପରିତ୍ୟାଗକରି ଗୋଟିଏ ପ୍ରତିଦ୍ଵନ୍ଦ୍ଵୀ ସାପ୍ତାହିକ ପତ୍ରିକା ପ୍ରକାଶ କଲେ । ତାହା ‘‘ସମାଚାର ଚନ୍ଦ୍ରିକା’’ ନାମରେ ଅଭିହିତ । ଏହା ରକ୍ଷଣଶୀଳ ବ୍ୟକ୍ତିମାନଙ୍କର ମୁଖପତ୍ର ରୂପେ କାର୍ଯ୍ୟ କରୁଥିଲା । ଦେଶର ସବୁ ଅଞ୍ଚଳର ଲୋକେ ଇଂରାଜୀ ଭାଷା ବୁଝିବା ପାଇଁ ସେତେବେଳେ ଅକ୍ଷମ ଥିଲେ । ଏଥିଯୋଗୁ ରାମମୋହନ ପର୍ସିଆନ ଭାଷାରେ ଆଉ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ । ସେତେବେଳେ ସେ ଲେଖିଥିଲେ, As the English language is not understood in all parts of India...I, the humblest of the human race, am desirous of publishing weekly giving news in the Persian Language, which is understood by all the respectable part of the native community.’’

 

‘ସମ୍ବାଦ କୌମୁଦୀ’ଟି ଜାତୀୟ, ଆନ୍ତର୍ଜାତୀୟ ଓ ଜରୁରୀ ସମ୍ବାଦ ସବୁ ପ୍ରକାଶ କରୁଥିଲା ଓ କଲିକତା ଜୀବନ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିଥିଲା । ସେତେବେଳେ ଚୀନ ଓ ରୁଷିଆ ମଧ୍ୟରେ ସମ୍ପର୍କ, ଆର୍ୟଲାଣ୍ଡ ସମସ୍ୟା, କୃଷକମାନଙ୍କ ଦୁର୍ଦ୍ଦଶା, ଗ୍ରୀସ୍‌ଉପରେ ତୁର୍କୀର ବିଜୟ ପ୍ରଭୃତି ଏହି ସମ୍ବାଦ ପତ୍ରରେ ପ୍ରକାଶ ପାଇଥିଲା । ରାମମୋହନଙ୍କ ସମ୍ପାଦକୀୟ ବା ଅଗ୍ରଲେଖା ସେତେବେଳେ ମଧ୍ୟରେ ବିଶେଷଭାବେ ଆଦୃତ ହେଉଥିଲା ।

 

ସମ୍ଵାଦପତ୍ରର ସ୍ଵାଧୀନତା ଉପରେ ବ୍ରିଟିଶ ସରକାର ହସ୍ତକ୍ଷେପ କରିବାରୁ ରାମମୋହନ ଓ ଦ୍ଵାରକାନାଥ ଟାଗୋର ଉଭୟ ତାହାର ଦୃଢ଼ ପ୍ରତିବାଦ କରିବା ସଙ୍ଗେ ସଙ୍ଗେ ଭାରତୀମାନଙ୍କୁ ଏହି ଅଧିକାରରୁ ବଞ୍ଚିତ କରାନଯାଉ ବୋଲି ଦାବୀକରି ସ୍ମାରକ ପତ୍ର ପଠାଇଥିଲେ-। ରାମମୋହନ ଇଂଲଣ୍ଡର ପ୍ରିଭି କାଉନସିଲକୁ ଯେଉଁ ଆବେଦନ କରିଥିଲେ ଏହାକୁ ବିଜ୍ଞ ମହଲ ‘‘The Areopagetica of Indian History’’ ବୋଲି କହୁଥିଲେ । ଅଲିଭର କ୍ରମଉଏଲଙ୍କ ଶାସନ ସମୟରେ ଇଂଲଣ୍ଡରେ ସମ୍ବାଦପତ୍ରର ସ୍ଵାଧୀନତା ଲାଗି ମିଲ୍‌ଟନ ଯେଉଁ ମର୍ମରେ ତାଙ୍କର ଦାବୀ ଉପସ୍ଥାପନ କରିଥିଲେ, ପ୍ରିଭି କାଉନସିଲକୁ ରାମମୋହନଙ୍କ ଆବେଦନ ଅନୁରୂପମତେ ହୋଇଥିଲା । ଏହି ଆବେଦନ ପତ୍ର ଦେଖି ବ୍ରିଟେନର ବିଖ୍ୟାତ ଆଇନଜୀବୀମାନେ ମନେ କରିଥିଲେ ଯେ, ଏହି ପତ୍ରକୁ ଲେଖିବାରେ ବ୍ରିଟେନର ବିଶିଷ୍ଟ ଆଇନଜ୍ଞମାନେ ତାଙ୍କୁ ସାହାଯ୍ୟ କରିଥିବେ । କିନ୍ତୁ ଏହା ରାମମୋହନଙ୍କ ସ୍ଵମସ୍ତିଷ୍କ ପ୍ରସ୍ତୂତ ଥିଲା ।

Image

 

ସପ୍ତମ ପରିଚ୍ଛେଦ

ଆଧୁନିକ ଶିକ୍ଷା ପ୍ରବର୍ତ୍ତକ ରାମମୋହନ

 

ଭାରତର ପାଶ୍ଚାତ୍ୟ ଶିକ୍ଷା ପ୍ରଚଳିତ ହେବ ବୋଲି ୧୮୩୫ ମସିହା ମାର୍ଚ୍ଚ ମାସରେ ତତ୍‌କାଳୀନ ବଡଲାଟ୍‍ ଲର୍ଡ ଉଇଲିୟମ ବେଣ୍ଟିକ୍‌ଆଇନସଭ୍ୟ ଲର୍ଡ ମାକଲେ (Lord Macaulay)ଙ୍କ ସହୟତାରେ ଯେଉଁ ନିଷ୍ପତ୍ତି ଗ୍ରହଣ କଲେ ସେ ନିଷ୍ପତ୍ତି ଥିଲା ପାଶ୍ଚାତ୍ୟ ଶିକ୍ଷା ପ୍ରେମୀ ରାମମୋହନଙ୍କ ଉଦ୍ୟମରେ ସାର୍ଥକତା । ଏହି ବିଜୟବାର୍ତ୍ତା ଶୁଣିବା ଲାଗି ସେ ସେତେବେଳେ ଇହଧାମରେ ନଥିଲେ । ୧୮୮୨ ମସିହାରେ ଲର୍ଡ଼ ରିପନଙ୍କ ଦ୍ଵାରା ନିଯୁକ୍ତ ଶିକ୍ଷା କମିଟି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଭାରତରେ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ମୂଳରେ ରାମମୋହନଙ୍କ ସାର୍ଥକ ଉଦ୍ୟମ ନିହିତ ଥିଲା ।

 

ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ କରାଇ ଦେଶରୁ ଅଜ୍ଞାନତା, ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ରାମମୋହନଙ୍କର ପରିକଳ୍ପନା ଥିଲା । ଶିକ୍ଷା ମାଧ୍ୟମରେ ୟୁରୋପରେ ଯେପରି ଏକ ଅଭ୍ୟୁଦୟ ଯୁଗର ସୃଷ୍ଟି ହୋଇଥିଲା ଭାରତରେ ସେହିପରି ବିଜ୍ଞାନ ଅଭିମୁଖୀ ଶିକ୍ଷା ଦ୍ଵାରା ଏକ ଜାଗରଣ ଆଣିବା ପାଇଁ ରାମମୋହନ ଇଚ୍ଛା କରିଥିଲେ । ରାମମୋହନଙ୍କ ପୂର୍ବରୁ ଭାରତରେ ଶିକ୍ଷାପଦ୍ଧତି ସମ୍ପର୍କରେ ଦୁଇଟି ମତବାଦ ଥିଲା । ଦେଶର ଦଳେ ବ୍ୟକ୍ତି କହୁଥିଲେ ଯେ, ଭାରତରେ ସଂସ୍କୃତ ଶିକ୍ଷାର ପ୍ରସାର ହେଲେ ଦେଶର ସର୍ବବିଧ ମଙ୍ଗଳ ସାଧିତ ହୋଇ ପାରିବ । ଆଉ ଗୋଟିଏ ଦଳ ଇଂରାଜୀ ମାଧ୍ୟମରେ ଶିକ୍ଷାର ପ୍ରସାର ପାଇଁ ପ୍ରବଳ ଦାବୀ ଉଠାଇଥିଲେ । ଏ ସମ୍ପର୍କରେ ଉଭୟ ଦଳ ମଧ୍ୟରେ ପ୍ରବଳ ବାଦାନୁବାଦ ମଧ୍ୟ ଲାଗି ରହିଥିଲା ।

 

ସେତେବେଳେ ଇଂରେଜ ସରକାର ଭାରତରେ ଶିକ୍ଷା ବିସ୍ତାର ସମ୍ପର୍କୀୟ ଦାବୀକୁ ହୃଦୟଙ୍ଗମ କରି ଶିକ୍ଷାର ପ୍ରସାର ନିମନ୍ତେ ଅଗ୍ରସର ହୋଇ ପ୍ରାୟ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଞ୍ଜୁର କରିଥିଲେ । ଏହି ଅର୍ଥ ସଂସ୍କୃତ ଶିକ୍ଷାର ପ୍ରସାର ନିମନ୍ତେ ବ୍ୟୟ କରାଯିବା ପାଇଁ କେତେକ ଉଚ୍ଚପଦସ୍ଥ କର୍ମଚାରୀ ମତ ପ୍ରକାଶ କରିଥିଲେ । କିନ୍ତୁ ରାମମୋହନ ରାୟ ଓ ତାଙ୍କ ମତାବଲମ୍ବୀମାନେ ଏହାର ଘୋର ବିରୋଧ କରି ଦେଶରେ ଇଂରେଜୀ ଶିକ୍ଷାର ପ୍ରବର୍ତ୍ତନ ଓ ପ୍ରସାର ଦିଗରେ ଏହି ଧନ ବ୍ୟୟ ହେବା ଲାଗି ସରକାରଙ୍କ ଠାରେ ଦୃଢ଼ ଦାବୀ ଉପସ୍ଥାପନ କଲେ-। ନିଜେ ରାମମୋହନ ସଂସ୍କୃତରେ ଅଗାଧ ପାଣ୍ଡିତ୍ୟ ଲଭ କରିଥିଲେ ମଧ୍ୟ ଦେଶର ଭବିଷ୍ୟତ ମଙ୍ଗଳ ନିମନ୍ତେ ସେ ଇଂରାଜୀ ଶିକ୍ଷାର ପକ୍ଷପାତୀ ଥିଲେ । ସଂସ୍କୃତ ଶିକ୍ଷାର ପ୍ରସାର ଲାଗି ଅର୍ଥବ୍ୟୟ ହେବା ସପକ୍ଷରେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ସୁପାରିସ ଅନୁଯାୟୀ ସରକାର ସମ୍ମତ ହୋଇଛନ୍ତି ବୋଲି ସୂଚନା ପାଇ ରାମମୋହନ ତତ୍‌କାଳୀନ ବଡଲାଟ୍‍ ଲର୍ଡ ଆମହର୍ଷ୍ଟଙ୍କ ନିକଟକୁ ଗୋଟିଏ ପତ୍ର ପ୍ରେରଣ କରିଥିଲେ । ସେଥିରେ ସେ ଯେଉଁ ଯୁକ୍ତି ପରିବେଷଣ କରିଥିଲେ ତାହାର ମର୍ମ ଉପଲବ୍‌ଧି କରି ସେ ରାମମୋହନଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଭାରତରେ ଇଂରାଜୀ ଶିକ୍ଷାର ପ୍ରସାର ନିମନ୍ତେ ସ୍ଥିର କରିଥିଲେ । ରାମମୋହନଙ୍କର ଏହି ପତ୍ର ଭାରତର ଶିକ୍ଷା କ୍ଷେତ୍ରରେ ଏକ ନବଯୁଗ ପ୍ରବର୍ତ୍ତନ କରିଥିଲା । ଭାରତରେ ଇଂରାଜୀ ଶିକ୍ଷାର ପ୍ରସାର ଦିଗରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ଐତିହାସିକ ପ୍ରମାଣପତ୍ର ରୂପେ ଆଦୃତ ହୋଇ ଆସୁଛି । ପତ୍ରଟି ଇଂରାଜୀ ଭାଷାରେ ଲିଖିତ ହୋଇଥିଲା ତାହାର ଓଡ଼ିଆ ଅନୁବାଦ ନିମ୍ନରେ ଉଦ୍ଧାର କରାଗଲା ।

 

‘‘ଏ ଦେଶରେ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଂସ୍ଥାପନ କରି ସରକାର ଉପଯୁକ୍ତ ପଣ୍ଡିତମାନଙ୍କ ଦ୍ଵାରା ସଂସ୍କୃତ ଶିକ୍ଷା ପ୍ରଦାନ କରିବା ପାଇଁ ମନସ୍ଥ କରିଛନ୍ତି କିନ୍ତୁ ଏହିପରି ବିଦ୍ୟାଳୟ ଏ ଦେଶରେ ନୂତନ ନୁହେଁ । ଲର୍ଡ ବେକନ୍‌ଙ୍କ ପୂର୍ବରୁ ଶିକ୍ଷାକ୍ଷେତ୍ରରେ ଇଂଲଣ୍ଡର ଅବସ୍ଥା ଯେଭଳି ଥିଲା ଭାରତର ବର୍ତ୍ତମାନ ଅବସ୍ଥାକୁ ତଦ୍ରୂପ ଭାବେ ବିବେଚନ କରିବାକୁ ହେବ । ଦୁଇ ସହସ୍ର ବର୍ଷ ପୂର୍ବରୁ ଯେଉଁ ଭାଷା ଏ ଦେଶରେ ପ୍ରଚଳିତ ହୋଇ ଆସୁଛି ସେହି ଭାଷାର ଅଧିକତର ଅନୁଶୀଳନରେ ଲୋକଙ୍କର ମନକୁ ପୁଣି ବ୍ୟାକରଣ ଓ ନ୍ୟାୟଶାସ୍ତ୍ରର ଜଟିଳ ପ୍ରଶ୍ନାଦିର ମୀମାଂସାରେ ଭାରାକ୍ରାନ୍ତ କରି ପଳାଇବା ଛଡ଼ା ଆଉ ଅଧିକ କିଛି ଫଳ ହେବ ନାହିଁ ।

 

ଏ ଦେଶର ଲୋକଙ୍କର କେବଳ ଉନ୍ନତି ସାଧନ ଯେତେବେଳେ ଇଂରେଜମାନଙ୍କର ପ୍ରଧାନ ଲକ୍ଷ୍ୟ, ସେତେବେଳେ ଗଣିତ, ପଦାର୍ଥ ବିଦ୍ୟା, ରସାୟନ, ଶରୀରବିଦ୍ୟା ଏବଂ ଅନ୍ୟାନ୍ୟ ହିତକର ଶିକ୍ଷା ଯେପରି ଦେଶବାସୀଙ୍କ ମଧ୍ୟରେ ପ୍ରଚଳିତ ହେବ ସେ ସମ୍ପର୍କରେ ସରକାର ମନଯୋଗୀ ହେବା ଉଚିତ । ଏ ଦେଶର ଶିକ୍ଷା ନିମିତ୍ତ ଯେଉଁ ଟଙ୍କା ପ୍ରଦତ୍ତ ହୋଇଛି ସେଥିରେ କେବଳ ଇଂଲଣ୍ଡର ଶିକ୍ଷା ପ୍ରାପ୍ତ ଇଉରୋପୀୟ ଶିକ୍ଷକ ନିଯୁକ୍ତି ଓ ବିଜ୍ଞାନ ଶିକ୍ଷାର ଆବଶ୍ୟକ ଯନ୍ତ୍ରାଦିର ବ୍ୟୟ ନିର୍ବାହ ହୋଇ ପାରିବ ।

 

ଏହି ଆବେଦନ ପତ୍ର ଆପଣଙ୍କ ସମୀପରେ ଉପସ୍ଥାପିତ କରି, ମୁଁ ମୋର ଦେଶବାସୀ ଓ ସୁସଭ୍ୟ ଶାସକଙ୍କ ପ୍ରତି ମୋର କର୍ତ୍ତବ୍ୟ ପାଳନ କଲି ବୋଲି ମନେ କରୁଛି । ଆପଣମାନେ ମଙ୍ଗଳ ଉଦ୍ଦେଶ୍ୟ ହୃଦୟରେ ଧାରଣ କରି ବହୁଦୂରରୁ ଭାରତର କଲ୍ୟାଣ ସାଧନ ପାଇଁ ଏଠାକୁ ଆଗମନ କରିଅଛନ୍ତି । ଏହି ବିଶ୍ୱାସରେ ମୁଁ ନିଃସଙ୍କୋଚରେ ମୋର ମନର ବାସନା ଆପଣଙ୍କଠାରେ ପ୍ରକାଶ କଲି ।’’

 

ଯେଉଁ କାଳରେ ଦେଶର ଅଧିକାଂଶ ବ୍ୟକ୍ତି ଶିକ୍ଷା ଓ ଶିକ୍ଷା ପ୍ରସାରର ଆବଶ୍ୟକତା ଉପଲବ୍‌ଧି କରିବାକୁ ଅସମର୍ଥ ଥିଲେ, ସେତେବେଳେ ବିଜ୍ଞାନ ଶିକ୍ଷା ପ୍ରସାରର ସପକ୍ଷରେ ଯୁକ୍ତି ପ୍ରଦର୍ଶନ କରି ରାଜା ରାମମୋହନ ରାୟ ଯେଉଁ ବିଚକ୍ଷଣତା ପ୍ରଦର୍ଶନ କଲେ, ତାହା ଭାରତର ଶିକ୍ଷା ଇତିହାସରେ ତାହାକୁ ଚିର ଭାସ୍କର କରି ରଖିଥିବ ।

 

ଭାରତରେ ସେ ସମୟରେ ଇଂରାଜୀ ଶିକ୍ଷାର ପ୍ରବର୍ତ୍ତକମାନଙ୍କ ମଧ୍ୟରେ ଡେଭିଡ୍‌ହେୟାର ଜଣେ ମୁଖ୍ୟ ବ୍ୟକ୍ତିଥିଲେ । କଲିକତା ଥିଲା ସେତେବେଳେ ଭାରତର ରାଜଧାନୀ-। ଓଡ଼ିଶା, ବିହାର, ଆସାମ, ବଙ୍ଗ ସେତେବେଳେ ବଙ୍ଗ ଦେଶର ଅନ୍ତର୍ଭୁକ୍ତ ଥିଲା ଓ ବଙ୍ଗ ଦେଶର ରାଜଧାନୀ ମଧ୍ୟ କଲିକତାରେ ଥିଲା । ଡେଭିଡ୍‌ ହେୟାର ଇଂରାଜୀ ଶିକ୍ଷାର ପ୍ରସାର ଦିଗରେ ରାମମୋହନଙ୍କ ଆଗ୍ରହର ସାତିସୟତା ଦେଖି ରାମମୋହନଙ୍କ ସହିତ ଏ ସମ୍ପର୍କରେ ବହୁବାର ଆଲୋଚନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏକଦା ରାମମୋହନ ଧର୍ମାଲୋଚନା ଉଦ୍ଦେଶ୍ୟରେ ଗୋଟିଏ ସଭାର ଆୟୋଜନ କରିଥିଲେ । ଏହି ସଭାରେ ଯୋଗ ଦେବାପାଇଁ ଡେଭିଡ୍‌ହେୟାରଙ୍କୁ ନିମନ୍ତ୍ରଣ କରାଯାଇ ନଥିଲେ ମଧ୍ୟ ସେ ଇଂରେଜ ଆଭିଜାତ୍ୟକୁ ଲଙ୍ଘନ କରି ବିନା ନିମନ୍ତ୍ରଣରେ ଆସି ଏ ସଭାରେ ଉପସ୍ଥିତ ହେଲେ । ରାମମୋହନଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ଡେଭିଡ୍‌ ହେୟାରଙ୍କର ଉଦ୍ଦେଶ୍ୟ ଥିଲା । ଉଭୟଙ୍କ ଲକ୍ଷ୍ୟ ଏକ ଥିବାରୁ ଏବଂ ଉଭୟ ବିଦ୍ୟୋତ୍ସାହୀ ବ୍ୟକ୍ତି ହୋଇଥିବାରୁ ଅଳ୍ପ ସମୟ ଆଲୋଚନା ମଧ୍ୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ଵର ସୂତ୍ରପାତ ହୋଇଥିଲା ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ କର୍ମ ପନ୍ଥାର ପ୍ରାରମ୍ଭିକ ଉଦ୍ୟମ ମଧ୍ୟ ଉଭୟଙ୍କ ପକ୍ଷରୁ ଏହିଠାରେ ହୋଇଥିଲା । ଉଭୟଙ୍କ ମଧ୍ୟରେ ବନ୍ଧୁତ୍ଵର ଏହି ଯେଉଁ ନିଗଢ୍‍ ପ୍ରତିଷ୍ଠିତ ହେଲା, ତାହା ଭାରତରେ ପାଶ୍ଚାତ୍ୟ ଶିକ୍ଷାର ବିସ୍ତାର ଦିଗରେ ବହୁ ସାହାଯ୍ୟ କରିଥିଲା-। କେତେକଙ୍କ ମତରେ ରାଜା ରାମମୋହନ ଓ ଡେଭିଡ୍‌ ହେୟାରଙ୍କ ମଧ୍ୟରେ ଯେଉଁ ସଂଯୋଗ ପ୍ରତିଷ୍ଠିତ ହେଲା, ତାହା ଥିଲା ‘‘ମଣିକାଞ୍ଚନର ସଂଯୋଗ’’ ଏବଂ ଏହି ମଣିକାଞ୍ଚନର ସଂଯୋଗ ଫଳରେ ବଙ୍ଗ ଦେଶରେ ପାଶ୍ଚାତ୍ୟ ଜ୍ଞାନାଲୋକ ବିକିର୍ଣ୍ଣ ହେବାର ପଥ ପରିଷ୍କୃତ ହୋଇଗଲା-। ଡେଭିଡ୍‌ ହେୟାରଙ୍କ ସହ ତତ୍କାଳୀନ ବିଚାରପତି ସାର ଏଚ୍‌. ଇଷ୍ଟହାଇଡ ମଧ୍ୟ ପୂର୍ଣ୍ଣ ସହଯୋଗ କଲେ । ଦିନେ ହାଇଡଙ୍କ ବାସଭବନରେ ପାଶ୍ଚାତ୍ୟଶିକ୍ଷାପ୍ରସାର ଉଦ୍ଦେଶ୍ୟ ସିଦ୍ଧି ଲାଗି ଏକ ପନ୍ଥା ଉଦଭାବନ କରିବା ଉଦ୍ଦେଶ୍ୟରେ ଗୋଟିଏ ସଭା ଆହୂତ ହୋଇଥିଲା । ଏଥିରେ କଲିକତାରେ ଗୋଟିଏ ଇଂରେଜୀ ସ୍କୁଲ ସ୍ଥାପିତ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ନିଷ୍ପତ୍ତିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଗୋଟିଏ କମିଟି ନିଯୁକ୍ତ କରାଗଲା ଏବଂ ରାଜା ରାମମୋହନ ରାୟ ରହିଲେ ଏହି କମିଟିର ଜଣେ ସଭ୍ୟ । ପ୍ରସ୍ତାବ ଅନୁଯାୟୀ ସ୍କୁଲ ପ୍ରତିଷ୍ଠିତ ହୋଇ ତାହାର ନାମ ରଖାଗଲା ‘ହିନ୍ଦୁ ସ୍କୁଲ’ ।

 

ପୂର୍ବରୁ କୁହାଯାଇଛି ଯେ, ରାମମୋହନଙ୍କ ପ୍ରତି ହିନ୍ଦୁ ସମାଜର ରକ୍ଷଣଶୀଳ ବ୍ୟକ୍ତିମାନଙ୍କର ଯେ, ସମର୍ଥନ ନଥିଲା କେବଳ ତାହା ନୁହେଁ, ସେମାନେ ରାମମୋହନଙ୍କ ପ୍ରତି ପଦେ ପଦେ ଶତ୍ରୁତା ଆଚରଣ କରୁଥିଲେ । ରାମମୋହନଙ୍କୁ ଅସୁବିଧାଜନକ ପରିସ୍ଥିତିର ପକାଇବା ପାଇଁ ସେମାନେ ବିନାକାରଣରେ ବହୁ କୁତ୍ସାରଟନା କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେଉନଥିଲେ । ରାମମୋହନ ଭାରତରେ ସଂସ୍କୃତ ଶିକ୍ଷା ପରିବର୍ତ୍ତେ ଇଂରାଜୀ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରୁଥିବାରୁ ସଂସ୍କୃତ ଶିକ୍ଷାର ସମର୍ଥକମାନେ ରାମମୋହନଙ୍କର ଘୋର ବିରୋଧ କରିଥିଲେ । ସେମାନେ ଭାବିଥିଲେ ଯେ, ରାମମୋହନଙ୍କର ପାଶ୍ଚାତ୍ୟ ଶିକ୍ଷା ପ୍ରୀତି ତାଙ୍କର ବିଧର୍ମୀ ମନୋଭାବର ପରିଚାୟକ । ରାମମୋହନ ହିନ୍ଦୁ ଧର୍ମ ତ୍ୟାଗ କରିଛନ୍ତି ବୋଲି ପ୍ରମାଣିତ କରିବା ପାଇଁ ସେମାନେ ବହୁ ଯୁକ୍ତି ପ୍ରଦର୍ଶନ କରି ପ୍ରଚାର କରିବାକୁ ଲାଗିଲେ ।

 

ରାମମୋହନ ଏ ସମ୍ପର୍କରେ ଅବଗତ ହେବା ପରେ ସ୍କୁଲ କମିଟିରେ ସଭ୍ୟ ରହିଲେ ରକ୍ଷଣଶୀଳ ବ୍ୟକ୍ତିମାନେ କାଳେ ଧର୍ମାନ୍ତର ଆଶା ଉତ୍‌ଥାପନ କରି ତାଙ୍କର ଉଦ୍ୟମକୁ ପଣ୍ଡ କରିବେ, ସେଥିପାଇଁ ସେ ଏହି କମିଟିରେ ରହିବା ପାଇଁ ଅସମ୍ମତି ପ୍ରକାଶ କରିଥିଲେ । କିନ୍ତୁ ଏହି ସ୍କୁଲ ପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ଥିଲା । ଏହି ସ୍କୁଲରେ ହିନ୍ଦୁ ବାଳକ ବାଳିକାମାନେ ବହୁ ସଂଖ୍ୟାରେ ଯୋଗଦେଇ ସୂଚାରୁ ରୂପେ ଯେପରି ଅଧ୍ୟୟନର ସୁଯୋଗ ନେବେ ସେଥିପ୍ରତି ରାମମୋହନ ପ୍ରଗାଢ଼ ଯତ୍ନ କରିବା ସଙ୍ଗେ ସଙ୍ଗେ ସ୍କୁଲର ଯାବତୀୟ କାର୍ଯ୍ୟରେ ଡେଭିଡ୍‌ ହେୟାରଙ୍କ ସହିତ ସେ ସହଯୋଗ କରିଥିଲେ । କମିଟିରୁ ସ୍ଵେଚ୍ଛାକୃତ ଭାବେ ଅପସରି ଯାଇଥିଲେ ମଧ୍ୟ ଅନୁଷ୍ଠାନର ଉନ୍ନତି କଳ୍ପେ ସେ ଆନ୍ତରିକ ଉଦ୍ୟମ କରୁଥିଲେ । ଇଂରାଜୀ ଶିକ୍ଷାର ବିସ୍ତାର ପାଇଁ ସରକାର ସେତେବେଳେ ଯେଉଁ ଉଦ୍ୟମ କରୁଥିଲେ ତାହା ଯଥେଷ୍ଟ ନୁହେଁ ବୋଲି ଉପଲବ୍‌ଧି କରି ରାମମୋହନ ବ୍ୟକ୍ତିଗତ ଉଦ୍ୟମରେ ନିଜେ ଗୋଟିଏ ସ୍କୁଲ ପ୍ରତିଷ୍ଠା କରିଥିଲେ । ଏହି ସ୍କୁଲର ଯାବତୀୟ ବ୍ୟୟଭାର ସେ ନିଜେ ବହନ କରୁଥିଲେ । ଏହି ସ୍କୁଲରେ ପ୍ରାୟ ୧୦୦ ଜଣ ପର୍ଯ୍ୟନ୍ତ ଛାତ୍ର ଅଧ୍ୟୟନ କରିବାର ସୁବିଧା ଥିଲା । ଦୁଇଜଣ ଇଂରାଜୀ ଶିକ୍ଷକ ଏହି ଅନୁଷ୍ଠାନରେ ମାସିକ ଦେଢ଼ଶହ ଓ ସତୁରୀ ଟଙ୍କା ବେତନରେ ଚାକିରି କରୁଥିଲେ । ବିଶ୍ୱକବି ରବୀନ୍ଦ୍ର ନାଥଙ୍କ ପିତା ଦ୍ଵାରକାନାଥ ଠାକୁର ତାଙ୍କ ବାଲ୍ୟବସ୍ଥାରେ ଏହି ସ୍କୁଲରେ ଅଧ୍ୟୟନ କରିଥିଲେ । ରାମମୋହନ ତାଙ୍କୁ ନିଜ ଗାଡ଼ିରେ ବସାଇ ସ୍କୁଲକୁ ନେବା ଆଣିବାର ବ୍ୟବସ୍ଥା କରିଥିଲେ ।

 

ଭାରତରେ ପାଶ୍ଚାତ୍ୟ ଶିକ୍ଷାର ବିସ୍ତାର ଲାଗି ରାମମୋହନ ଆନ୍ତରିକତାର ସହ ଲାଗି ପଡ଼ିଥିଲାବେଳେ ରକ୍ଷଣଶୀଳ ହିନ୍ଦୁମାନଙ୍କର ଧାରଣା ହେଲା ଯେ, ଇଂରାଜୀ ସ୍କୁଲରେ ପାଠ ପଢ଼ିଲେ ପିଲାମାନେ ଖ୍ରୀଷ୍ଟଆନ ବା ଖ୍ରୀଷ୍ଟଧର୍ମାବଲମ୍ବୀ ହୋଇଯିବେ । ଏହି ଧାରଣାର ବଶବର୍ତ୍ତୀ ହୋଇ ସେମାନେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଦିଗରେ ବହୁବାଧା ସୃଷ୍ଟି କରିଥିଲେ । ସେଥିଯୋଗୁ ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । କିନ୍ତୁ ରାମମୋହନ ସେମାନଙ୍କର ଏହି ଅମୂଳକ ଧ୍ୟାରଣା ଦୂର କରିବା ପାଇଁ ସର୍ବଦା ସଚେଷ୍ଟ ଥିଲେ । ରାମମୋହନଙ୍କ ସାହାଯ୍ୟ ଓ ସମର୍ଥନରେ ବିଖ୍ୟାତ ଖ୍ରୀଷ୍ଟ ଧର୍ମ ପ୍ରଚାରକ ଡାକ୍ତର ଡଫ୍‌ କଲିକତାରେ ହିନ୍ଦୁ ବସତି ଅଞ୍ଚଳରେ ବ୍ରାହ୍ମସମାଜ ଗୃହରେ ଏକ ସ୍କୁଲ ସ୍ଥାପନ କରିଥିଲେ । ସେଠାରେ ଅଧ୍ୟୟନ ଆରମ୍ଭ ହେବା ପୂର୍ବରୁ ଖ୍ରୀଷ୍ଟିୟ ପଦ୍ଧତି ଅନୁଯାୟୀ ଛାତ୍ରମାନେ ଦୈନନ୍ଦିନ ପ୍ରାର୍ଥନା ବୋଲୁଥିଲେ । ପାଠ୍ୟ ପୁସ୍ତକ ମଧ୍ୟରେ ଖ୍ରୀଷ୍ଟଧର୍ମ ପୁସ୍ତକର ସଂଖ୍ୟାହିଁ ଅଧିକ ଥିଲା । ଛାତ୍ରମାନେ ଖ୍ରୀଷ୍ଟଧର୍ମଗ୍ରନ୍ଥ ପାଠକରିବା ପାଇଁ ଅସମ୍ମତ ହେବାରୁ ଡଫ୍‌ସାହେବ ରାମମୋହନଙ୍କୁ ଏ ସଂପର୍କରେ ଜଣାଇଥିଲେ । ରାମମୋହନ ସେ ସ୍କୁଲର ଛାତ୍ର ଓ ଅଭିଭାବକମାନଙ୍କୁ ବୁଝାଇ କହିଥିଲେ ‘‘ବାଇବେଲ ପଢ଼ିଲେ କେହି ଖ୍ରୀଷ୍ଟିଆନ ହୋଇଯିବ ନାହିଁ କିମ୍ବା କୋରାନ ପଢ଼ିଲେ କେହି ମୁସଲମାନ ହୋଇଯିବ ନାହିଁ । ଏ ସଂପର୍କରେ ଉଇଲିସନ ନାମକ ଜଣେ ବିଦ୍ୟୋତ୍ସାହୀ ଇଂରେଜବ୍ୟକ୍ତିଙ୍କ ଉଦାହରଣ ଦେଇ ସେ କହିଲେ ‘‘ଉଇଲସନ୍‌ ହିନ୍ଦୁ ଶାସ୍ତ୍ର ପାଠ କରିଥିଲେ ମଧ୍ୟ ହିନ୍ଦୁ ହୋଇ ଯାଇ ନାହାନ୍ତି ।’’

 

ରାମମୋହନଙ୍କର ଏପରି ଯୁକ୍ତି ସବୁ ଛାତ୍ର ଓ ଅଭିଭାବକମାନଙ୍କ ମନରୁ କୁସଂସ୍କାର ଦୂରକରିଥିଲା ।

 

ରାମମୋହନ ନିଜର ଉଦାହରଣ ଦେଇ କହିଥିଲେ ଯେ, ସେ ନିଜେ କୋରାନ ଓ ବାଇବେଲ ପଢ଼ିଛନ୍ତି । ମାତ୍ର ଏହାଦ୍ଵାରା ସେ ମୁସଲମାନ କିମ୍ବା ଖ୍ରୀଷ୍ଟିଆନ ହୋଇଯାଇ ନାହାନ୍ତି । ତେଣୁ ଏପରି ଧର୍ମଗ୍ରନ୍ଥ ପାଠ କରିବାରେ କୌଣସି ଦୋଷ ନାହିଁ ବୋଲି ସେ ଦୃଢ଼ଭାବେ ତତ୍‌କାଳୀନ ରକ୍ଷଣଶୀଳ ହିନ୍ଦୁମାନଙ୍କର ହୃଦବୋଧ କରାଇଥିଲେ ।

 

ରାମମୋହନଙ୍କର ଉଦ୍ଦେଶ୍ୟ ଥିଲା ମହତ୍‌ । ଗୋଷ୍ଠୀଗତ ସଂକୀର୍ଣ୍ଣ ମନୋଭାବଠାରୁ ଶିକ୍ଷାକୁ ସେ ବହୁ ଊର୍ଦ୍ଧ୍ଵରେ ସ୍ଥାନ ଦେଇଥିଲେ । ସେ ଚାହୁଁଥିଲେ ଯେ, ସମାଜରେ ପୁରୁଷ ଓ ମହିଳା ଉଭୟ ଶିକ୍ଷାଲାଭ କରିବା ଉଚିତ । ସ୍ତ୍ରୀ ଶିକ୍ଷା ପ୍ରଚଳନ ପାଇଁ ସେ ସେତେବେଳେ ବ୍ୟାପକ ଉଦ୍ୟମ ଚଳାଇଥିଲେ । ତାଙ୍କର ଏହି ଉଦ୍ୟମକୁ ଦୃଢ଼ଯୁକ୍ତି ଭିତ୍ତିକ କରାଇବା ନିମନ୍ତେ ସେ ଲୋକଙ୍କ ଆଗରେ ପୁରାତନ ଭାରତରେ ସ୍ତ୍ରୀ ଶିକ୍ଷା ପ୍ରଚଳନ ବିଷୟ ବର୍ଣ୍ଣନା କରିଥିଲେ । ସେ କହୁଥିଲେ ଯେ, ରାମାୟଣ ଓ ମହାଭାରତ ଭଳି ଗ୍ରନ୍ଥ ରଚିତ ହେଲାବେଳେ ହିନ୍ଦୁ ମହିଳାମାନଙ୍କର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ‘‘ଅନ୍ତଃପୁର’’ ପ୍ରଥା ସେତେବେଳେ ଲୋକଙ୍କୁ ଅଜଣା ଥିଲା । ନାରୀମାନେ ବଡ଼ବଡ଼ ଉତ୍ସବରେ ଓ ସଭାସମିତିରେ ଭୂଷଣ ଦେଉଥିଲେ । ଅଧ୍ୟୟନ କରିବା ପାଇଁ ସେମାନଙ୍କୁ ବାରଣ କରାଯାଉନଥିଲା । ଶିକ୍ଷା; ସଂସ୍କୃତ ଓ ଧର୍ମୀୟ ଜ୍ଞାନାର୍ଜନ କ୍ଷେତ୍ରରେ ନାରୀମାନେ ଚରମ ଉତ୍କର୍ଷ ସାଧନ କରିଥିବା ବିଷୟ ଉଲ୍ଲେଖକରି ଗାର୍ଗି, ମୈତ୍ରେୟୀ ଏବଂ ଲୀଳାବତୀଙ୍କ ଉଦାହରଣ ସେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରୁଥିଲେ । ସୁତରାଂ ପୁରାତନ କାଳରେ ନାରୀଶିକ୍ଷା ପ୍ରଚଳନ ଥିବାବେଳେ ପରବର୍ତ୍ତୀ କାଳରେ ନାରୀମାନଙ୍କୁ ଶିକ୍ଷା ଗ୍ରହଣରୁ ବଞ୍ଚିତ କରିବାର ଉଦ୍ଦେଶ୍ୟ କଣ ?

 

ଭାରତରେ ସ୍ତ୍ରୀ ଶିକ୍ଷା ପ୍ରଚଳନ ଲାଗି ସେ କାର୍ଯ୍ୟ କରୁଥିଲାବେଳେ ଡ୍ରିଙ୍କ୍‌ୱାଟର ବେଥ୍ୟୁ (Drinkwater Bethune) ନାମକ ଜଣେ ଇଂରେଜ ବ୍ୟକ୍ତି ତତ୍‌କାଳୀନ ‘ସୁପ୍ରିମ କାଉନସିଲ’ରେ ଆଇନ ସଭ୍ୟଭାବେ ଯୋଗଦେଲେ । ସେ ଜଣେ ଆଇନଜୀବୀ ଥିଲେ ମଧ୍ୟ ଶିକ୍ଷା ପ୍ରସାର ଦିଗରେ ତାଙ୍କର ପ୍ରବଳ ଆଗ୍ରହ ଥିଲା । ବିଶେଷକରି ଭାରତୀୟ ନାରୀମାନଙ୍କ ମଧ୍ୟରେ ଶିକ୍ଷା ପ୍ରସାର ଘଟାଇବା ତାଙ୍କର ଲକ୍ଷ୍ୟଥଲା । ସେ ରାମମୋହନଙ୍କ ଭଳି କେତେଜଣ ଭାରତୀୟଙ୍କଠାରୁ ପ୍ରେରଣାପାଇ ନାରୀମାନଙ୍କ ମଧ୍ୟରେ ଶିକ୍ଷା ପ୍ରସାର କରିବାରେ କୃତକାର୍ଯ୍ୟ ହୋଇଥିଲେ । ଏହି ସ୍କୁଲ ତାଙ୍କ ନିଜ ନାମରେ ନାମିତ ହୋଇଥିଲା । ରାମମୋହନଙ୍କର ମୃତ୍ୟୁର ୧୪ ବର୍ଷ ପରେ ଏହି ବେଥ୍ୟୁନ ସ୍କୁଲ ବେଥ୍ୟୁନ କଲେଜରେ ପରିଣତ ହୋଇଥିଲା । ବଙ୍ଗଳାକବି ମନମୋହନ ତର୍କାଳଙ୍କାର ପ୍ରଥମେ ତାଙ୍କର ଦୁଇ ଝିଅଙ୍କୁ ବେଥ୍ୟୁନ ସ୍କୁଲରେ ଅଧ୍ୟୟନ ନିମନ୍ତେ ପଠାଇଥିଲେ । ଏଥିପାଇଁ ତତ୍‌କାଳୀନ ରକ୍ଷଣଶୀଳ ସମାଜରେ ସେ ବହୁ ସମାଲୋଚନାର ଶରବ୍ୟ ହେବା ସଙ୍ଗେ ସଙ୍ଗେ କେତେକ ପ୍ରତିବନ୍ଧକର ମଧ୍ୟ ସମ୍ମୁଖୀନ ହୋଇଥିଲେ ।

 

ବଙ୍ଗଳା ସାହିତ୍ୟର ସ୍ରଷ୍ଟା

 

ଭାରତର ତତ୍‌କାଳୀନ ପରିସ୍ଥିତି ଦୃଷ୍ଟିରୁ ଇଂରାଜୀ ଶିକ୍ଷାର ପ୍ରବର୍ତ୍ତନ ଉପରେ ରାମମୋହନ ବିଶେଷ ଗୁରୁତ୍ଵ ଆରୋପ କରିଥିଲେ ମଧ୍ୟ ଭାରତୀୟ ଭାଷା ପ୍ରତି ସେ କେବେ ହେଲେ ଅବହେଳା ପ୍ରକାଶ କରିନଥିଲେ । ବିଶେଷ କରି ବଙ୍ଗଳା ଭାଷାର ଅଭିବୃଦ୍ଧି ଲାଗି ସେ ଉଦ୍ୟମ କରିଥିଲେ । ରାମମୋହନଙ୍କୁ ବଙ୍ଗଳା ଗଦ୍ୟ ସାହିତ୍ୟର ସ୍ରଷ୍ଟା ଭାବରେ ଅବିହିତ କରାଯାଇଛି । ରାମମୋହନଙ୍କ ପୂର୍ବରୁ ବଙ୍ଗଳା ଭାଷାରେ ଗଦ୍ୟର ସ୍ଥାନ ଆଦୌ ନଥିଲା । ସେତେବେଳେ ବଙ୍ଗଳା ସାହିତ୍ୟ କହିଲେ କେବଳ ପଦ୍ୟ ସାହିତ୍ୟକୁ ହିଁ ବୁଝାଉଥିଲା । କେବଳ ବାଣିଜ୍ୟ କାରବାରରେ ଓ ଆଇନଗତ କାଗଜ ପତ୍ର ପ୍ରସ୍ତୁତି କରିବାରେ ଅତି ସୀମିତଭାବେ ଗଦ୍ୟ ବ୍ୟବହାର କରାଯାଉଥିଲା । ପଣ୍ଡିତ ଓ ବିଜ୍ଞ ଲୋକେ ସଂସ୍କୃତ ବ୍ୟବହାର କରୁଥିଲେ । ସାହିତ୍ୟ ଓ ଦାର୍ଶନିକ ଭାବଧାରାର ପରିସ୍ଫୁଟ ଲାଗି ବଙ୍ଗଳା ଗଦ୍ୟର ବ୍ୟବହାର ସମ୍ପର୍କରେ କେବେ କେହି ଗୁରୁତର ଭାବେ ଚିନ୍ତା କରୁନଥିଲେ । ଯେଉଁ ପଣ୍ଡିତମାନେ ସଂସ୍କୃତ ଭାଷା ଅଧ୍ୟୟନ କରୁଥିଲେ, ସେମାନେ ସେମାନଙ୍କର ପଣ୍ଡିତ ମନ୍ୟତା ପ୍ରଦର୍ଶନ ଲାଗି ଲୋକଙ୍କୁ ଦୁର୍ବୋଧ ହେଲାଭଳି ଅତି କଠିନ ସଂସ୍କୃତ ଶବ୍ଦ ବ୍ୟବହାର କରୁଥିଲେ ।

 

ଖ୍ରୀଷ୍ଟିଆନ ମିଶନାରୀ ଓ ଫୋର୍ଟ ଉଇଲିଅମ କଲେଜର ପଣ୍ଡିତ ବର୍ଗ ପ୍ରଥମ ବଙ୍ଗଳା ଗଦ୍ୟ ଲେଖିବା ପାଇଁ ଉଦ୍ୟମ କଲେ । ଏହି ଉଦ୍ୟମ ପଛରେ ସେମାନଙ୍କର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିହିତ ଥିଲା । ଲୋକଙ୍କ ମଧ୍ୟରେ ବଙ୍ଗଳା ଭାଷା ମାଧ୍ୟମରେ ଖ୍ରୀଷ୍ଟ ଧର୍ମର ପ୍ରସାର ଘଟାଇବା ପାଇଁ ଏହି ମିଶନାରୀମାନେ ବଙ୍ଗଳା ଗଦ୍ୟର ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ । ରାମମୋହନ ଯେଉଁ ବଙ୍ଗଳା ଗଦ୍ୟ ଲେଖିଥିଲେ, ତାହା ତାଙ୍କର ପୂର୍ବବର୍ତ୍ତୀ ଲେଖକଙ୍କ ଗଦ୍ୟ ତୁଳନାରେ ଉତ୍କୃଷ୍ଟ ଥିଲା ଓ ଏହାର ଗୁଣାତ୍ମକ ଦିଗ ସଂପୂର୍ଣ୍ଣ ଭିନ୍ନଥିଲା । ଉପନିଷଦରେ ଯେଉଁ ଦାର୍ଶନିକ ଭାବ ରହିଛି ତାହାକୁ ବଙ୍ଗଳା ଗଦ୍ୟ ମାଧ୍ୟମରେ ପ୍ରକାଶ କରିବା ଦିଗରେ ତାହାହିଁ ଥିଲା ପ୍ରଥମ ଉଦ୍ୟମ ।

 

ରାମମୋହନଙ୍କ ପୂର୍ବରୁ କେହି କେବେ କଳ୍ପନା କରିନଥିଲେ ଯେ, ଏପରି ଦାର୍ଶନିକ ଚିନ୍ତାଧାରା ବଙ୍ଗଳା ଗଦ୍ୟ ମାଧ୍ୟମରେ ପ୍ରକାଶ କରାଯାଇ ପାରିବ । ବଙ୍ଗଳା ଗଦ୍ୟ ଲେଖିବାରେ ରାମମୋହନଙ୍କର ଶୈଳିଥିଲା ଅତି ସରଳ ଓ ବୋଧ୍ୟ । ଜଟିଳ ବାକ୍ୟ ବ୍ୟବହାର କରି ସେ କେବେ ଏହି ଗଦ୍ୟ ସାହିତ୍ୟକୁ ଦୁର୍ବୋଧ୍ୟ ହେବାପାଇଁ ଦେଉ ନଥିଲେ ।

 

ତରୁଣ ବ୍ରିଟିଶ ଅଫିସରମାନେ ବଙ୍ଗଳା ଭାଷା ମାଧ୍ୟମରେ କିପରି ଲୋକଙ୍କ ସହ ଯୋଗାଯୋଗ ରକ୍ଷା କରିବେ, ସେଥିପାଇଁ ଫୋର୍ଟ ଉଇଲିଅମ କଲେଜର ପଣ୍ଡିତମାନେ ବଙ୍ଗଳା ଗଦ୍ୟ ସୃଷ୍ଟି ପାଇଁ ଚେଷ୍ଟା କରୁଥିଲେ । ପ୍ରଥମ ବଙ୍ଗଳା ଗଦ୍ୟ ପୁସ୍ତକ ୧୮୦୧ ମସିହାରେ ରାମରାମ ବସୁ ନାମକ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଲିଖିତ ହୋଇଥିଲା ଏବଂ ବିଦେଶୀ ମାନଙ୍କ ଲାଗି ପାଠ୍ୟ ପୁସ୍ତକ ରୂପେ ତାହା ବିବେଚିତ ହୋଇଥିଲା । ୧୮୦୨ ମସିହାରେ ‘ବକ୍ରଶ ସିଂହାସନ’ ନାମକ ଏକ ବଙ୍ଗଳା ଗଦ୍ୟ ପୁସ୍ତକ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର ଲେଖିଲେ । ଏହି ଦୁଇଟି ବଙ୍ଗଳା ଗଦ୍ୟ ପୁସ୍ତକରେ ବହୁ ସ୍ଥାନରେ ସଂସ୍କୃତ ଭାଷା ବ୍ୟବହାର କରାଯାଇଥିଲା । ଠିକ୍‍ ଏହା ପରେ ପରେ ବଙ୍ଗଳା ଭାଷାରେ ରାଜା ରାମମୋହନଙ୍କ ଦ୍ଵାରା ଲିଖିତ ‘‘ବେଦାନ୍ତ ଗ୍ରନ୍ଥ’’ ପ୍ରକାଶ ପାଇଲା । ବଙ୍ଗଳା ଭାଷାରେ ପ୍ରଥମ ବ୍ୟାକରଣ, ଗୌରୀୟ ବ୍ୟାକରଣ ରାମମୋହନଙ୍କ ଦ୍ଵାରା ଲିଖିତ ହୋଇଥିଲା । ବଙ୍ଗାଳୀମାନେ ବଙ୍ଗଳା ଗଦ୍ୟ ସମ୍ପର୍କରେ ଅଧିକ ଜ୍ଞାନ ଅର୍ଜନ କରିବା ଉଦ୍ଦେଶ୍ୟ ରଖି ସେ ଏହି ବ୍ୟାକରଣ ଲେଖିଥିଲେ ।

 

ରାମମୋହନ ବିଭିନ୍ନ ବିଷୟରେ ବଙ୍ଗଳା ଭାଷାରେ ଗଦ୍ୟ ସାହିତ୍ୟ ରଚନା କରୁଥିବା ବେଳେ ପବିତ୍ର ଚିନ୍ତାଧାରା ସନ୍ନିବେଶିତ ୩୨ଟି ପଦ୍ୟ ମଧ୍ୟ ରଚନା କରିଥିଲେ । ଏହି ପଦ୍ୟଗୁଡ଼ିକ ବ୍ରାହ୍ମ ସଭାରେ ଗାନ କରାଯାଉଥିଲା । ବଙ୍ଗଳା ପଦ୍ୟ ସାହିତ୍ୟରେ ରାମମୋହନ ପ୍ରଥମେ ‘ଧ୍ରୁପଦ’ ସଙ୍ଗୀତ ପ୍ରବର୍ତ୍ତନ କରିଥିଲେ । ଏହା ପୂର୍ବରୁ ‘ଠୁମୁରୀ’ ‘କୀର୍ତ୍ତନ’, ‘ରାମ ପ୍ରସାଦି’ ପ୍ରଭୃତି ବଙ୍ଗଳା ପଦ୍ୟ ସାହିତ୍ୟକୁ ମଣ୍ଡନ କରିଥିଲେ, ବଙ୍ଗଳା ସାହିତ୍ୟରେ ବିଶେଷ କରି ପଦ୍ୟ ସାହିତ୍ୟରେ ରାମମୋହନ ଯେଉଁ ଭିତ୍ତିଭୂମି ସୃଷ୍ଟି କରି ଯାଇଥିଲେ, ତାହାରି ଉପରେ ବଙ୍କିମଚନ୍ଦ୍ର ଚାଟର୍ଜୀ ଓ ଈଶ୍ଵରଚନ୍ଦ୍ର, ବିଦ୍ୟାସାଗର ଏକ ବିରାଟ ହର୍ମ୍ୟ କଲେ । ପରବର୍ତ୍ତୀ କାଳରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୁର ଏହି ବଙ୍ଗଳା ଭାଷାକୁ ଏକ ବିଶ୍ୱଭାଷା ପର୍ଯ୍ୟାୟକୁ ଉତ୍ତୋଳନ କରିଦେଲେ ।

 

ବଙ୍ଗଳା ଗଦ୍ୟ ସାହିତ୍ୟ ସୃଷ୍ଟି ଦିଗରେ ରାମମୋହନଙ୍କ ଭୂମିକା ସଂପର୍କରେ ବର୍ଣ୍ଣନା କରି ଅଧ୍ୟାପକ ସୁକୁମାର ସେନ୍‌ ଲେଖିଛନ୍ତି ‘‘ବଙ୍ଗଳା ସାହିତ୍ୟ ଓ ଭାଷା କ୍ଷେତ୍ରରେ ରାମମୋହନଙ୍କର କାର୍ଯ୍ୟକଳାପର ବିଚାର କରାଗଲେ କୁହାଯାଇ ପାରିବ ଯେ, ରାମମୋହନଙ୍କ ବିନା ବିଦ୍ୟାସାଗର, ବଙ୍କିମଚନ୍ଦ୍ର ଓ ରବୀନ୍ଦ୍ରନାଥଙ୍କ ଭଳି ସାହିତ୍ୟାକାଶର ଜ୍ୟୋତିଷ୍କ ବୃନ୍ଦ କେବେ ଉଦ୍‌ଭବ ହୋଇ ପାରିନଥାନ୍ତେ ।

Image

 

ଅଷ୍ଟମ ପରିଚ୍ଛେଦ

ନୂତନ ଭାରତର ସ୍ଵପ୍ନ

 

ରାମମୋହନଙ୍କ ରାଜନୈତିକ ଚିନ୍ତାଧାରା ଓ କାର୍ଯ୍ୟକଳାପର ବୈଶିଷ୍ଟ୍ୟ ଥିଲା ଦୂର ଦୃଷ୍ଟି-। ବିପିନଚନ୍ଦ୍ର ପାଲଙ୍କ ଭାଷାରେ କହିବାକୁ ଗଲେ, ରାମମୋହନ ପ୍ରତ୍ୟେକ ଲୋକଙ୍କମଧ୍ୟରେ ଐଶ୍ଵରିକ ଶକ୍ତି ଅନୁଭବ କରୁଥିଲେ । ସ୍ଵାଧୀନତା ମନୁଷ୍ୟର ପ୍ରକୃତିଗତ—ଏହା ହିଁ ଥିଲା ରାମମୋହନଙ୍କର ରାଜନୈତିକ ଦର୍ଶନ । ମନୁଷ୍ୟ ମଧ୍ୟରୁ ଏହି ସ୍ଵାଧୀନତାକୁ କାଢ଼ିନେବା ଅର୍ଥ ତାହାର ପ୍ରକୃତିଗତ ଚରିତ୍ର ଉପରେ ଆଞ୍ଚ ଆଣିବା ଏବଂ ମନୁଷ୍ୟକୁ ଯିଏ ଏହି ପ୍ରବୃତ୍ତି ସମ୍ପନ୍ନ କରିଛି, ତାହାର ବିରୁଦ୍ଧାଚରଣ କରିବା, ରାମମୋହନଙ୍କ ଦର୍ଶନରେ ଏହାହିଁ ଥିଲା ମୌଳିକ ଦିଗ-

 

ଏଠାରେ ସ୍ମରଣ କରାଯାଇ ପାରେ ଯେ ରାମମୋହନ ଭାରତର ପରାଧୀନତାକୁ ଲକ୍ଷ୍ୟକରି ବରାବର ଦୁଃଖିତ ହେଉଥିଲେ ଏବଂ ପରାଧୀନ ଭାରତବର୍ଷକୁ ଛାଡ଼ି ଅନ୍ୟ ଏକ ସ୍ଵାଧୀନ ରାଷ୍ଟ୍ରକୁ ଚାଲିଯିବା ପାଇଁ ପିଲା ଦିନରୁ ମଧ୍ୟ ପରିକଳ୍ପନା କରିଥିଲେ । ତାଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଚିନ୍ତା କଲେ ଭାରତରେ ଯେ ବିଦେଶୀ ଶାସନ ପ୍ରତିଷ୍ଠିତ ହୋଇଛି, ସେଥିରେ କେତେକ ସଂସ୍କାର ଅଣାଯାଇ ଓ ଭାରତୀୟମାନଙ୍କୁ ସେଥିରେ ସଂଶ୍ଳିଷ୍ଟ କରାଯାଇ ପର୍ଯ୍ୟାୟ କ୍ରମେ ଦେଶରେ ସ୍ଵାଧୀନତା ଅଣାଯାଇ ପାରିବ । ସେ ପୃଥିବୀରେ ରାଜନୈତିକ ଘଟଣା ପ୍ରବାହ ପ୍ରତି ଦୃଷ୍ଟି ରଖି ମତ ପ୍ରକାଶ କରିଥିଲେ ଯେ, ଆଧୁନିକ ବିଶ୍ଵର ସଂସ୍କୃତି ସଂସ୍ପର୍ଶରେ ଆସିବା ଦ୍ଵାରା ଭାରତୀୟମାନେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିବା ପାଇଁ ସମର୍ଥ ହୋଇ ପାରିବେ । ଏଥିପାଇଁ ଭାରତବାସୀ ପ୍ରଥମେ ବିଲାତର ଘନିଷ୍ଠ ସମ୍ପର୍କରେ ଆସନ୍ତୁ ବୋଲି ସେ କହୁଥିଲେ । ଭାରତ ଚିରଦିନ ଲାଗି ବ୍ରିଟିଶ ଶାସନାଧୀନ ରହୁ ଏହା ସେ କେବେ କହୁ ନଥିଲେ । ଇଂଲଣ୍ଡରେ ରାମମୋହନଙ୍କର ସେକ୍ରେଟାରୀ ରୂପେ କାର୍ଯ୍ୟ କରିଥିବା ମି. ଆରଟନ୍‌ ଲେଖିଛନ୍ତି ଯେ, ‘‘ଇଂଲଣ୍ଡର ସାଂସ୍କୃତିକ ଓ ମାନବୀୟ ପରିକଳ୍ପନା କାର୍ଯ୍ୟକାରୀ ହେବାକୁ ଆଉ ୪୦ ବର୍ଷ ଲାଗିବ ବୋଲି ରାମମୋହନ ଇଂଲଣ୍ଡ ଗସ୍ତରେ ଯାଇଥିବାବେଳେ ପ୍ରକାଶ କରିଥିଲେ । ଭାରତର ରାଜନୈତିକ ସ୍ଵାଧୀନତା ସଂପର୍କୀୟ ପ୍ରଥମ ବାର୍ତ୍ତା ରାମମୋହନଙ୍କ ମୁଖରୁ ନିସୃତ ହୋଇଥିଲା ।’’ ବିପିନଚନ୍ଦ୍ରପାଲ ଏହାର ବିଶ୍ଲେଷଣକରି କହିଛନ୍ତି ଯେ, ଭାରତୀୟମାନଙ୍କ ଆତ୍ମବିଶ୍ଵାସ ଓ ଆତ୍ମ ସଚେତନା ଜାଗ୍ରତ କରାଇବା ପାଇଁ ସେ ବରାବର ସତର୍କତାର ସହିତ ଯେଉଁ କାର୍ଯ୍ୟ କରିଥିଲେ ତାହା ହେଉଛି ଭାରତର ସ୍ଵାଧୀନତାଲାଗି ତାଙ୍କର ଅନ୍ୟାନ୍ୟ ସାଧାରଣ ଅବଦାନ । ସାମାଜିକ, ରାଜନୈତିକ, ଆଧ୍ୟାତ୍ମିକ ପ୍ରଭୃତି କ୍ଷେତ୍ରରେ ସେ ସ୍ଵାଧୀନତା ଆନ୍ଦୋଳନର ସୂତ୍ରପାତ କରିଥିଲେ । ରାଜନୈତିକ ସଂସ୍କାର ସଂପର୍କରେ ରାମମୋହନ ଯାହାସବୁ ଲେଖିଥିଲେ ସେଥିରେ ପୃଥିବୀରେ ସଭ୍ୟ ରାଷ୍ଟ୍ରମାନଙ୍କ ଚିନ୍ତାଧାରା ନିହିତ ଥିଲା । ବ୍ୟକ୍ତିଗତ ସ୍ତରରେ ଆତ୍ମସମ୍ମାନ ଓ ଜାତୀୟ ସ୍ତରରେ ଆତ୍ମ ସମ୍ମାନ ସଚେତନତା ଉପରେ ରାମମୋହନ ଗୁରୁତ୍ଵ ଦେଉଥିଲେ । ଅନ୍ୟ ରାଷ୍ଟ୍ରର ଲୋକଙ୍କ ସହ ସଂପର୍କ ସ୍ଥାପନ କଲାବେଳେ ସେ ଉପରୋକ୍ତ ଦୁଇଟି ବିଷୟର ପରିସୀମା ମଧ୍ୟରେ ରହି କାର୍ଯ୍ୟ କରୁଥିଲେ । ଭାରତୀୟମାନଙ୍କ ଦକ୍ଷତା ଓ ବୁଦ୍ଧି ଉପରେ ଯଦି କେବେ କେହି ମନ୍ତବ୍ୟ କରୁଥିଲେ ତେବେ ରାମମୋହନ ସଙ୍ଗେ ସଙ୍ଗେ ତାହାକୁ ଖଣ୍ଡନ କରି ନିଜ ଜାତିର ମହତ୍ତ୍ଵ ବିଭିନ୍ନ ଯୁକ୍ତି ଛଳରେ ପ୍ରମାଣିତ କରୁଥିଲେ ।

 

ଥରେ ଜଣେ ବିଦେଶୀ ଲେଖକ ଲେଖିଥିଲେ ଯେ, ଭାରତ ଜ୍ଞାନୀ ଲୋକର ଗୋଟିଏ ସ୍ଫୁଲିଙ୍ଗ ଲାଭ କରିବା ପାଇଁ ମଧ୍ୟ ବ୍ରିଟେନ ଉପରେ ନିର୍ଭରଶୀଳ । ରାମମୋହନ ଏହାର ପ୍ରତିବାଦ କରି କହିଥିଲେ ଯେ, ଜ୍ଞାନାଲୋକର ପ୍ରଥମ ସ୍ଫୁଲିଙ୍ଗ ସୃଷ୍ଟି ହୋଇଥିଲା ଭାରତବର୍ଷରେ ଏବଂ ଭାରତବର୍ଷରୁ ଏହି ସ୍ଫୁଲିଙ୍ଗ ଆହରଣ କରିବାରେ ସମଗ୍ର ବିଶ୍ଵ ଆମ ପୂର୍ବ ପୁରୁଷଙ୍କ ଠାରେ ଋଣୀ । ଦର୍ଶନ ଓ ସାହିତ୍ୟ ପ୍ରତି ଭାରତର ଅବଦାନ ସମଗ୍ର ବିଶ୍ଵରେ ହିଁ ପ୍ରଥମ । ତେଣୁ ବିଭିନ୍ନ କ୍ଷେତ୍ରରେ ଓ ବିଭିନ୍ନ ଉପାୟରେ ନିଜ ଦେଶବାସୀଙ୍କ ମଧ୍ୟରେ ଆତ୍ମ ପ୍ରତ୍ୟୟଭାବ ଜାଗ୍ରତ କରାଇବା ପାଇଁ ରାମମୋହନ ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କରି କାର୍ଯ୍ୟ କରୁଥିଲେ । କୌଣସି ପ୍ରଶାସନିକ ପଦକ୍ଷେପ ଜାତୀୟ ସ୍ଵାର୍ଥ ବିରୋଧୀ ହେଲେ ସେ ତୁରନ୍ତ ତାହାର ପ୍ରତିରୋଧ କରୁଥିଲେ । ୧୮୨୭ ମସିହାରେ ଜୁରୀ ଆଇନ, ପ୍ରେସ ଅର୍ଡିନାନ୍‌ସ ଓ ତାହାପରେ ରାଜସ୍ୱ କର୍ମଚାରୀଙ୍କୁ ଏକଛତ୍ର କ୍ଷମତା ପ୍ରଦାନକାରୀ ଆଇନ ବିରୁଦ୍ଧରେ ସେ ଯେଉଁ ସଂଗ୍ରାମ କରିଥିଲେ ତାହାକୁ ହିଁ ରାଜନୈତିକ ଆନ୍ଦୋଳନ ବୋଲି ଅବିହିତ କରିବାକୁ ହେବ । ୧୭୨୬ ମସିହାରେ ମେୟର କୋର୍ଟ ପ୍ରତିଷ୍ଠା କରାଯାଇ ଜୁରୀଦ୍ଵାରା ବିଚାର ବ୍ୟବସ୍ଥା ପ୍ରବର୍ତ୍ତିତ ହେଲା । ୧୮୨୬ ମସିହାରେ ଭାରତୀୟ ଜୁରୀ ବିଲର କେତେକ ଅଂଶ ପ୍ରଥମ ପଦକ୍ଷେପ ସ୍ଵରୂପ ବ୍ରିଟିଶ ପାର୍ଲିଆମେଣ୍ଟରେ ଅନୁମୋଦିତ ହେଲା । ଏହି ଆଇନ ଅନୁଯାୟୀ ଭାରତୀୟମାନେ ଗ୍ରାଣ୍ଡଜୁରୀ’ରେ ବସିବା ଅଧିକାରରୁ ବଞ୍ଚିତ ହେଲେ । ଯେଉଁଠାରେ ଖ୍ରୀଷ୍ଟିଆନମାନଙ୍କର ବିଚାର ହେବ, ସେଠାରେ ହିନ୍ଦୁ କିମ୍ବା ମୁସଲମାନ ବିଚାରକଭାବେ କାର୍ଯ୍ୟ କରି ପାରିବେ ନାହିଁ ବୋଲି ଏଥିରେ ବ୍ୟବସ୍ଥା ଥିଲା । ରାମମୋହନ ଏହାର ଘୋର ବିରୋଧ କଲେ । ବ୍ରିଟିଶ ସରକାର ଦେଶର ବିଚାର ବିଭାଗୀୟ ପଦ୍ଧତିରେ ଧର୍ମକୁ ଦୃଷ୍ଟିରେ ରଖି ଏକ କ୍ଷତିକାରକ ବ୍ୟବସ୍ଥା ପ୍ରବର୍ତ୍ତନ କରୁଛନ୍ତି ଓ ଏହାଦ୍ୱାରା ଜାତୀୟ ସ୍ଵାର୍ଥରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ମତପ୍ରକାଶ କଲେ । ଦେଶର ବିଶିଷ୍ଟ ହିନ୍ଦୁ ଓ ମୁସଲମାନମାନଙ୍କର ସ୍ଵାକ୍ଷର ସମ୍ବଳିତ ଓ ରାମମୋହନଙ୍କ ଦ୍ଵାରା ଲିଖିତ ଏକ ଆବେଦନ ପତ୍ର ୧୮୨୯ ମସିହାରେ ବ୍ରିଟିଶ ପାର୍ଲିଆମେଣ୍ଟକୁ ପଠାଗଲା ରାମମୋହନ ସେଥିରେ ଲେଖିଥିଲେ ଯେ, କଲିକତାରେ ଖ୍ରୀଷ୍ଟଆନ ଲୋକଙ୍କୁ ହିନ୍ଦୁ ଓ ମୁସଲମାନମାନଙ୍କର ସମ୍ଭାବ୍ୟ ପକ୍ଷପାତିତାକୁ ରକ୍ଷା କରିବା ପାଇଁ ଯଦି ଏହି ଜୁରୀ ବିଲ୍‌ରେ ବ୍ୟବସ୍ଥା କରାଗଲା, ତେବେ ଖ୍ରୀଷ୍ଟିଆନମାନଙ୍କ ପକ୍ଷପାତିତାରୁ ହିନ୍ଦୁ ଓ ମୁସଲମାନଙ୍କୁ ରକ୍ଷା କରିବା ପାଇଁ ଏଥିରେ ସମାନ ଭାବରେ ଆବଶ୍ୟକୀୟ ବ୍ୟବସ୍ଥା କରାନଗଲା କାହିଁକି ? ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ଆବେଦନ ଉପସ୍ଥାପିତ ହୋଇ ପାରିଲା ନାହିଁ । ତତ୍‌କାଳୀନ ବୋର୍ଡ ଅଫ୍‌କଣ୍ଟ୍ରୋଲର ସଭାପତି ମି: ଗ୍ରାଣ୍ଟ ଏହାର ବିଚାର କଲେ ଓ ଏହା ଉପରେ ଏକ ବିଲ ପ୍ରସ୍ତୁତି କଲେ । ଇଷ୍ଟ୍‌ଇଣ୍ଡିଆ କଂପାନୀର ଡାଇରେକ୍ଟରମାନେ ଏହି ବିଲ୍ ବିରୁଦ୍ଧରେ ମତପ୍ରକାଶ କରିଥିଲେ । କିନ୍ତୁ ରାମମୋହନ ରାୟ ସେତେବେଳେ ଇଂଲଣ୍ଡରେ ଅବସ୍ଥାନ କରୁଥିବାରୁ କମ୍ପାନୀ ଡାଇରେକ୍ଟରମାନଙ୍କ ଯୁକ୍ତିକୁ ନିଜ ଯୁକ୍ତି ବଳରେ ଖଣ୍ଡନ କରି ମି: ଗ୍ରାଣ୍ଟଙ୍କ ହାତ ମୁଠାକୁ ଟାଣ କରିଥିଲେ । ଏହା ଫଳରେ ‘ଗ୍ରାଣ୍ଟବିଲ’ ୧୮୩୨ମସିହାରେ ବ୍ରିଟିଶ ପାର୍ଲିଆମେଣ୍ଟରେ ଅନୁମୋଦିତ ହେଲା । ବିଲ ପାର୍ଲିଆମେଣ୍ଟରେ ଗୃହୀତ କରାଇବାରେ ରାମମୋହନଙ୍କର ଯେଉଁ ଭୂମିକା ଥିଲା ତାହାର ଭୂରି ଭୂରି ପ୍ରଶଂସା କରି ଶ୍ରୀରାମପୁର ମିଶନାରୀଙ୍କ ସମ୍ବାଦପତ୍ର ‘ସମାଚାର ଦର୍ପଣ’ ସେତେବେଳେ ଏକ ସମ୍ବାଦ ପ୍ରକାଶ କରିଥିଲେ । ସେହିପରି ୧୮୨୮ ମସିହାରେ ବ୍ରିଟିଶ ସରକାର ଯେଉଁ ‘ରେଗୁଲେସନ’ କରିଥିଲେ, ସେଥିରେ ରାଜସ୍ୱ କର୍ମଚାରୀମାନଙ୍କୁ କ୍ଷମତା ଦିଆ ଯାଇଥିଲା ଯେ, ଟିକସ ମୁକ୍ତ ଜମିକୁ ସେମାନେ ଏହାର ମାଲିକଙ୍କଠାରୁ ଉଚ୍ଛେଦ କରି ପାରିବେ ଏବଂ ଏହା ପୂର୍ବରୁ ବିଚାରାଳୟକୁ ଯିବାର କୌଣସି ଆବଶ୍ୟକତା ନାହିଁ । ରାମମୋହନ ଏଥିରେ କ୍ଷୁବ୍‌ଧ ହୋଇ ବ୍ରିଟିଶ ସରକାର ବ୍ୟକ୍ତିଗତ ଅଧିକାର ଉପରେ ହସ୍ତକ୍ଷେପ କରୁଛନ୍ତି ବୋଲି ଦର୍ଶାଇ ଏକ ଆବେଦନ ପଠାଇଥିଲେ ।

 

ଏହିସବୁ ଉଦାହରଣ ରାମମୋହନଙ୍କ ଆଧୁନିକ ଗଣତାନ୍ତ୍ରିକ ଓ ରାଜନୈତିକ ଦୃଷ୍ଟିଭଙ୍ଗୀର ପରିଚୟ ଦିଏ । ତାଙ୍କର ରାଜନୈତିକ ଦୂରଦୃଷ୍ଟିତା ସଂପର୍କରେ ପୂର୍ଣ୍ଣ ବିବରଣୀ ଜାଣିବାକୁ ହେଲେ ବ୍ରିଟିଶ ପାର୍ଲିଆମେଣ୍ଟ ଯାଞ୍ଚ କମିଟି ଇଷ୍ଟଇଣ୍ଡିଆ କଂପାନୀଙ୍କ ସନନ୍ଦ ନବୀକରଣ ସଂପର୍କରେ ତାଙ୍କୁ ପଚାରିଥିବା ପ୍ରଶ୍ନ ଓ ସେ ଦେଇଥିବା ଉତ୍ତରମାଳା ମଧ୍ୟରେ ପ୍ରବେଶ କରିବାର ଆବଶ୍ୟକତା ରହିଛି ।

 

‘ସମାଚାର ଦର୍ପଣ’ ସେତେବେଳର ରାମମୋହନଙ୍କ ସଂପର୍କରେ ଲେଖିଥିଲେ ‘ସେ ଦେଶପାଇଁ ଯାହାସବୁ ସୁବିଧା କରି ଯାଇଛନ୍ତି ସେଥିପାଇଁ ତାଙ୍କୁ କେବଳ ବର୍ତ୍ତମାନ ନୁହେଁ, ଭବିଷ୍ୟତ ମଧ୍ୟ ବିଚାର କରିବ ଯେ ସେ ଭାରତର ଜଣେ ମହୋପକାରୀ ବ୍ୟକ୍ତି ଥିଲେ । ‘‘Should he be instrumental in securing these advantages to the country, not only the present but every future age will justly consider him a benefactor to the country.’’

 

କମ୍ପାନୀ ସନନ୍ଦ ଉପରେ ଯାଞ୍ଚ କମିଟିର ରିପୋର୍ଟ ସଂପୂର୍ଣ୍ଣ ହେବାପରେ କମ୍ପାନୀର ଡାଇରେକ୍ଟରମାନେ ଏହାର ସୁପାରିସଗୁଡ଼ିକୁ ପର୍ଯ୍ୟାଲୋଚନା କରିଥିଲେ । ଅବଶେଷରେ ଏଗୁଡ଼ିକୁ ଗୋଟିଏ ବିଲ୍‌ରୂପେ ଚିଠା କରାଯାଇଥିଲା ଏବଂ ୧୮୩୩ ମସିହାରେ ଏହା ପାର୍ଲିଆମେଣ୍ଟର ଅନୁମୋଦନ ଲାଭ କରିଥିଲା । ଏହି ବିଲ୍‌ରେ ରାମମୋହନଙ୍କର ବିଭିନ୍ନ ଚିନ୍ତାଧାରା ନିହିତ ଥିଲା । କିନ୍ତୁ ଇଂରାଜୀ ଜୀବନୀ ଲେଖକ ମିସ୍‌କୋଲେଟ୍‌ ଲେଖିଛନ୍ତି ଯେ, ନୂତନ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ବ୍ରିଟିଶ ସରକାର ବ୍ରିଟେନ ଓ ଭାରତର କେତେକ ବିଶିଷ୍ଟ ବ୍ୟକ୍ତିଙ୍କର ମତାମତ ନେବାକୁ ରାମମୋହନ ଯେଉଁ ପରାମର୍ଶ ଦେଇଥିଲେ, ତାହା ଏହି ସନନ୍ଦରେ ଉଲ୍ଲେଖ କରାଯାଇ ନାହିଁ । ୧୮୪୨ ମସିହାରେ ‘ଦି ବେଙ୍ଗଲ ସ୍ପେକ୍ଟେଟର’’ ଖବର କାଗଜ ଲେଖିଥିଲେ ‘ସନନ୍ଦରେ ଯେଉଁ ସୁବିଧା ସୁଯୋଗ ଦିଆ ଯାଇଛି ସେଥିଯୋଗୁଁ ଆମ୍ଭେ ରାମମୋହନଙ୍କ ନିକଟରେ ଋଣୀ’ । ‘It is to him (Ram mohan) that we are in great measure indebted for the concessions in regard to the privileges contained in the late charter (1833).’’

 

ରାମମୋହନଙ୍କ ସଂପର୍କରେ ମନ୍ତବ୍ୟ ପ୍ରକାଶ କରି ଜବାହାରଲାଲ ନେହରୁ କହିଥିଲେ ‘‘ରାମମୋହନ ରାୟ ଥିଲେ ଜଣେ ପଣ୍ଡିତ, ଅନୁଧ୍ୟାନକାରୀ ସ୍ୱାଧୀନଚେତା ସଂସ୍କାରକ । ଜାତୀୟ ଜୀବନରେ ଏପରି କୌଣସି ଦିଗ ନ ଥିଲା, ଯାହାକୁ ସେ ପ୍ରଭାବିତ କରି ନ ଥିଲେ । ସେ ଭାରତବାସୀଙ୍କ ମାନସିକ ଶକ୍ତିରେ ସଂପୂର୍ଣ୍ଣ ନୂତନତ୍ଵ ଆଣିଥିଲେ ଏବଂ ଏହାଦ୍ୱାରା ଆମର ଜାତୀୟ ଜୀବନ ଏକ ନୂତନ ରୂପରେଖ ଧାରଣ କରିଥିଲା ।’’ ଊନ୍ନବିଂଶ ଶତାବ୍ଦୀର ଅନ୍ୟାନ୍ୟ ସଂସ୍କାର ସହିତ ଭାରତର ଅର୍ଥନୈତିକ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସେ କଠିନ ଉଦ୍ୟମ କରିଥିଲେ । ବ୍ରିଟିଶ ପାର୍ଲିଆମେଣ୍ଟର ଯାଞ୍ଚ କମିଟି ରାମମୋହନଙ୍କୁ ଯେଉଁ ପ୍ରଶ୍ନ ସବୁ ପଚାରିଥିଲେ ଏବଂ ରାମମୋହନ ସେଗୁଡ଼ିକର ଯେପରି ଯଥାଯଥ ଉତ୍ତର ଦେଇଥିଲେ, ତାହା ପାଠକଲେ ରାମମୋହନଙ୍କର ସେ ଯୁଗରେ ମଧ୍ୟ କିପରି ପ୍ରଗତିଶୀଳ ଚିନ୍ତାଧାରା ଥିଲା ତାହାର ସୂଚନା ମିଳେ-। ଏଠାରେ ଯାଞ୍ଚ କମିଟିର କେତେକ ପ୍ରଶ୍ନ ଓ ରାମମୋହନଙ୍କ ଉତ୍ତର ଉଲ୍ଲେଖ କରାଗଲା-

 

ପ୍ରଶ୍ନ :–ସାଧାରଣ ଟିକସହାର କ’ଣ ଭାରତୀୟ ଚାଷୀମାନଙ୍କୁ ଗୁରୁତରଭାବେ ବାଧୁଛି-?

 

ଉତ୍ତର:–କାଗଜପତ୍ରରେ ଦେଖିଲେ ଆମେ ଜାଣିଛୁ ଯେ, ଚାଷୀ ଜମିଦାରକୁ ଉତ୍ପନ୍ନ ଦ୍ରବ୍ୟର ଅର୍ଦ୍ଧେକ ଦେଉଛି । ଏହା ମଧ୍ୟରୁ ୧୧ ଭାଗରୁ ୧୦ ଭାଗ କିମ୍ବା ୧୦ ଭାଗରୁ ୯ ଭାଗ ହେଉଛି ସରକାରଙ୍କ ରାଜସ୍ଵ ପ୍ରାପ୍ୟ ଏବଂ ଅବଶିଷ୍ଟ ଜମି ମାଲିକର ପ୍ରାପ୍ୟ । ଚାଷୀ କୃଷି କ୍ଷେତ୍ରରେ ତାହାର ଶ୍ରମ ଉପଯୋଗ କରେ ଓ ବିହନ କିଣେ । ଏସବୁ ଛାଡ଼ି ଉତ୍ପନ୍ନ ଦ୍ରବ୍ୟର ଅର୍ଦ୍ଧେକ ସେ ଜମି ମାଲିକଙ୍କୁ ଦିଏ । ଏହା ଚାଷୀ ଉପରେ ଏକ ଗୁରୁତର ବୋଝ । ୧୭୯୩ ମସିହାର ସ୍ଥାୟୀ ବନ୍ଦୋବସ୍ତ ପରେ ପୁଣି ଜମିଦାରମାନେ ତାଙ୍କ ଇଚ୍ଛା ମୁତାବକ ଚାଷୀଙ୍କର ଟିକସ ବୃଦ୍ଧି କରି ଚାଲିଛନ୍ତି ।

 

ପ୍ରଶ୍ନ :–ଚାଷୀମାନେ କ’ଣ ବାରମ୍ବାର ଟିକସ ବୃଦ୍ଧିର ଶିକାର ହେଉଛନ୍ତି ?

 

ଉତ୍ତର :–୧୭୯୩ ମସିହା ସ୍ଥାୟୀ ବନ୍ଦୋବସ୍ତ ସମୟରେ ଜମି ଉପରେ ଜମିଦାରମାନଙ୍କର ଅଖଣ୍ଡ ମାଲିକତ୍ଵକୁ ସରକାର ସ୍ଵୀକାର କଲେ । କିନ୍ତୁ ଚାଷୀକୁ ଜମି ଉପରେ କୌଣସି ଅଧିକାର ଦେଲେ ନାହିଁ ।

 

ପ୍ରଶ୍ନ :–ଚାଷୀମାନଙ୍କୁ ଜମିଦାର, ମଧ୍ୟସ୍ଥ କିମ୍ୱା ସରକାରୀ ଅଫିସରଙ୍କ ଅତ୍ୟାଚାରରୁ ରକ୍ଷା କରିବା ପାଇଁ ଏବଂ ସେମାନଙ୍କୁ ନ୍ୟାୟ ଦେବାପାଇଁ ରାଜସ୍ୱ କିମ୍ବା ବିଚାର ବିଭାଗୀୟ ପଦ୍ଧତିରେ କୌଣସି ପରିବର୍ତ୍ତନ ପାଇଁ ଆପଣ ପରାମର୍ଶ ଦେଇ ପାରିବେ କି ?

 

ଉତ୍ତର :–ମୁଁ ପରାମର୍ଶ ଦେଇ ସାରିଛି ଯେ ଆଉ ଚାଷୀ ଉପରେ କୌଣସି ପ୍ରକାର କର ବୃଦ୍ଧି କରା ନ ଯାଉ । ଲୋକଙ୍କ ଦ୍ଵାରା ପ୍ରଚଳିତ ଭାଷାରେ ନୋଟିସ ଲେଖାଯାଇ ପ୍ରତି ଗ୍ରାମରେ ଏହି ନୋଟିସ ମାରି ଦିଆଯାଉ । ଅନ୍ତତଃ ୧୨ ମାସ ପର୍ଯ୍ୟନ୍ତ ଏହି ନୋଟିସ ଯେପରି ପ୍ରତ୍ୟେକ ଗ୍ରାମରେ ଅକ୍ଷୁଣ୍ଣଭାବେ ରହିପାରିବ, ପୋଲିସ କର୍ମଚାରୀମାନେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ନୋଟିସ ଅନୁଯାୟୀ ଜମିଦାରମାନେ ଯେପରି କାର୍ଯ୍ୟ କରିବେ ତାହା ଉପରେ ସରକାର ତୀକ୍ଷ୍‌ଣ ଦୃଷ୍ଟି ରଖନ୍ତୁ-। ସାମାନ୍ୟ ବକେୟା ପାଇଁ ଜମିଦାରମାନେ ଚାଷୀ ଅଧୀନରେ ଥିବା ଜମିକୁ ଯେପରି ବିକ୍ରୟ ନ କରିବେ, ସେଥିପ୍ରତି ସରକାର ଦୃଷ୍ଟି ରଖନ୍ତୁ । ଏହି ଧରଣର ମକଦ୍ଦମା ବିଚାର କରିବା ପାଇଁ ବିଚାରପତି କିମ୍ବା ମାଜିଷ୍ଟ୍ରେଟମାନେ ସପ୍ତାହରେ ଗୋଟିଏ ଦିନ ରଖନ୍ତୁ । କୌଣସି ଜମିଦାର ଯଦି ଚାଷୀଠାରୁ ପୂର୍ବବର୍ଷ ମାନଙ୍କ ତୁଳନାରେ ଅଧିକ ଟିକସ ଦାବୀ କରନ୍ତି ତେବେ ତାଙ୍କୁ ଅପରାଧୀ ରୂପେ ବିବେଚନା କରି ତାଙ୍କ ପ୍ରତି ଅର୍ଥଦଣ୍ଡର ବ୍ୟବସ୍ଥା ହେଉ । କୌଣସି ପୋଲିସ ଅଫିସର କିମ୍ବା କମିଶନର ଯଦି ଜମିଦାରଙ୍କ ସଙ୍ଗେ ହାତ ମିଳାଇ ତାଙ୍କର କର୍ତ୍ତବ୍ୟରେ ଅବହେଳା କରିବେ, ତେବେ ତାଙ୍କୁ ଅର୍ଥଦଣ୍ଡ ଦିଆଯିବା ସଙ୍ଗେ ସଙ୍ଗେ ଚାକିରିରୁ ବହିଷ୍କାର କରାଯିବା ପାଇଁ ବ୍ୟବସ୍ଥା ହେଉ । ବିଚାରପତି କିମ୍ୱା ମାଜିଷ୍ଟ୍ରେଟମାନେ ଶୀତ ଋତୁରେ ଅନ୍ତତଃ ବର୍ଷକୁ ଥରେ ପ୍ରତି ଗ୍ରାମ ଗସ୍ତ କରିବା ପାଇଁ ବ୍ୟବସ୍ଥା ହେଉ । ତା’ହେଲେ ଚାଷୀମାନଙ୍କ ପାଇଁ କରାଯାଇଥିବା ନିୟମ ଯଥାର୍ଥ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ସେମାନେ ଜାଣି ପାରିବେ । ପ୍ରତ୍ୟେକ ଚାଷୀଙ୍କର ଏକ ସାଧାରଣ ରେଜିଷ୍ଟାରରେ କଲେକ୍ଟରଙ୍କ ଦ୍ଵାରା ପ୍ରସ୍ତୁତ ହେବା ଆବଶ୍ୟକ-। ଏହି ରେଜିଷ୍ଟାରରେ ଚାଷୀଙ୍କର ନାମ, ତାଙ୍କ ଅଧୀନରେ ଥିବା ଜମି ଏବଂ ସ୍ଥାୟୀ ଭାବରେ ନିର୍ଦ୍ଧାରିତ ଟିକସ ଉଲ୍ଲେଖ ରହିବା ଉଚିତ ।

 

ପ୍ରଶ୍ନ :–ପ୍ରଚଳିତ ଆଇନରେ କି ପ୍ରକାର ପରିବର୍ତ୍ତନ ଆଣିଲେ ସରକାର ତାଙ୍କର ରାଜସ୍ୱ ପାଇବେ ? ଏବଂ ଲୋକେ ମଧ୍ୟ ଉପକୃତ ହେବେ ?

 

ଉତ୍ତର :–ବର୍ତ୍ତମାନ ଯେଉଁ ଆଇନ କାର୍ଯ୍ୟକାରୀ ହେଉଛି, ସରକାରୀ ରାଜସ୍ୱ ଆଦାୟ ପାଇଁ ତାହା ଯଥେଷ୍ଟ, କିନ୍ତୁ ରାଜସ୍ୱ କର୍ମଚାରୀମାନେ ଚାଷୀଙ୍କ ଠାରୁ ଅନ୍ୟାୟ ଭାବରେ ଯେଉଁ ଅର୍ଥ ଆଦାୟ କରୁଛନ୍ତି ତାହାକୁ ବନ୍ଦ କରିବାପାଇଁ କେତେକ ପନ୍ଥାର ଆବଶ୍ୟକ ।

 

(କ) କଲେକ୍ଟରମାନଙ୍କୁ ମାଜିଷ୍ଟ୍ରେଟ କ୍ଷମତା ଦିଆନଯାଉ ।

 

(ଖ) ରାଜସ୍ୱ କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ ହେବା ସଙ୍ଗେ ସଙ୍ଗେ ବିଚାରାଳୟଦ୍ୱାରା ତାହାର ତଦନ୍ତ ହୋଇ ତୁରନ୍ତ ବିଚାର କରାଯାଉ । ତାହାହେଲେ ଉଭୟ ପକ୍ଷ ଆଇନଗତ ସୁବିଧା ସୁଯୋଗ ସମାନ ଭାବରେ ପାଇପାରିବେ । ପ୍ରଚଳିତ ପଦ୍ଧତିରେ ଚାଷୀମାନଙ୍କୁ ନ୍ୟାୟ ମିଳିପାରିବ ନାହିଁ ବୋଲି ମୁଁ ଦୃଢ଼ ନିଶ୍ଚିତ ।

 

୧୮୧୦ ମସିହା ଜୁନ ୨୦ ତାରିଖରେ ବଙ୍ଗ ସରକାରଙ୍କ ନିକଟକୁ କୋର୍ଟ ଅଫ୍‌ ଡାଇରେକ୍ଟର ଲେଖିଥିବା ପତ୍ର ଉପରେ ଭିତ୍ତିକରି ହିସାବ କଲେ ଜଣାଯାଏ ଯେ ପ୍ରତିବର୍ଷ ଲଣ୍ଡନକୁ ଭାରତରୁ ଅନ୍ୟାୟ ଭାବେ ୨୦ ଲକ୍ଷ ପାଉଣ୍ଡ ଚାଲି ଯାଉଥିଲା । ୧୭୬୫ ଓ ୧୮୨୦ ମସିହା ମଧ୍ୟରେ ଭାରତର ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର ଅନ୍ୟାୟ ଭାବେ ୧୦୦ ନିୟୁତ ପାଉଣ୍ଡରୁ ଊର୍ଦ୍ଧ୍ଵ ଲଣ୍ଡନକୁ ପଠାଯାଇଥିବା ଜଣାଯାଏ । ରାମମୋହନ ଏ ସମସ୍ତ ବିଷୟ ଅବଗତ ହୋଇ ଏହାର ନିରାକରଣ ଲାଗି ବିଧିବଦ୍ଧ ଅଭିଯାନ ପ୍ରାରମ୍ଭ କରିଥିଲେ । ପରବର୍ତ୍ତୀ କାଳରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠିତ ହେବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଭିତ୍ତି କରି ଏହାର ନେତୃବର୍ଗ ବ୍ରିଟିଶ ଶାସନ ବିରୁଦ୍ଧରେ ଆନ୍ଦୋଳନ ଚଳାଇଲେ ।

 

ଶୋଷଣ ବିରୁଦ୍ଧରେ ଅଭିଯାନ

 

ରାମମୋହନ କହୁଥିଲେ ଯେ, ବହୁ ଲୋକଙ୍କୁ ଶୋଷଣ କରି ମୁଷ୍ଟିମେୟ ଲୋକ ଧନୀ ହେବା ଚକ୍ରାନ୍ତକୁ ଜାତି କୌଣସି ମତେ ବରଦାସ୍ତ କରିନପାରେ । ଭାରତ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନାଧୀନରେ ରହିବା ଦ୍ଵାରା ଦେଶରେ ଏପରି ଏକ ଅର୍ଥନୈତିକ ବାତାବରଣ ସୃଷ୍ଟି ହେଲା ଯେ, ସେଥିରେ କୌଣସି ପ୍ରଗତିଶୀଳ କାର୍ଯ୍ୟ କରିବା ଲୋକଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ବିଦେଶୀ ବଣିକମାନେ ବାଣିଜ୍ୟିକ ଲାଭ ଉଠାଇବା ଉଦ୍ଦେଶ୍ୟରେ ଲୋକଙ୍କୁ ଲୁଣ୍ଠନକରି ଚାଲିଲେ । ଅର୍ଥ ଦ୍ଵାରା ପ୍ରଲୁବ୍‌ଧ ହୋଇ ଶିକ୍ଷିତ ଲୋକମାନେ ମଧ୍ୟ ଏହି ଲୁଣ୍ଠନକାରୀଙ୍କ ସହ ହାତ ମିଳାଇବା ପାଇଁ ପଶ୍ଚାତପଦ ହେଲେ ନାହିଁ । ବ୍ରିଟିଶ ବାଣିଜ୍ୟ କ୍ରମେ ପ୍ରସାର ଲାଭ କରିବାରୁ ଅର୍ଥ ସଚେତନଶୀଳ ଭାରତର ବଙ୍ଗାଳୀ ଓ ଅଣବଙ୍ଗାଳୀ ନାଗରିକମାନେ ଏଥିପ୍ରତି ଆକୃଷ୍ଟ ହେଲେ । ସେ ସମୟରେ ଯୋଜନା ବିଷୟ ଲୋକଙ୍କ କଳ୍ପନା ବାହାରେ ଥିଲା । ଶାସକ ଓ ଶାସିତ ଉଭୟ ଗୋଷ୍ଠୀ ଯୋଜନାର ତାତ୍ପର୍ଯ୍ୟ ସଂପର୍କରେ ଅଜ୍ଞ ଥିଲେ । କିନ୍ତୁ ଭାରତବାସୀଙ୍କ ଉପରେ ଅସୀମ କ୍ଷମତା ଜାହିର କରିବା ବିଷୟରେ କଂପାନୀ କର୍ମଚାରୀମାନେ ସଂପୂର୍ଣ୍ଣ ସଚେତନ ଥିଲେ । ଅନ୍ୟପକ୍ଷେ ଭାରତ ପ୍ରତି ସେମାନଙ୍କର ସଦିଚ୍ଛା ରହିଛି ବୋଲି ସେମାନେ ଏକ ଫମ୍ପା ବାତାବରଣ ସୃଷ୍ଟି କରିବା ଫଳରେ ଅଜ୍ଞଲୋକେ ବୁଝୁଥିଲେ ଯେ, ବ୍ରିଟିଶ ଶାସନାଧୀନରେ ରହି ଭାରତର ଉପକାର ସାଧିତ ହେଉଛି । ମୁସଲମାନ ଶାସନ ସମୟରେ ଭାରତୀୟମାନଙ୍କର ସମସ୍ତ ଶକ୍ତି ଓ ଆଶା ଆକାଂକ୍ଷା ଧୂଳିସାତ୍‌ ହୋଇଥିବାରୁ ବିଦେଶୀ ଶାସନକୁ ବିରୋଧ କରିବାର ଶକ୍ତି ଲୋକଙ୍କର ନ ଥିଲା । ଏହି ସୁଯୋଗରେ ବ୍ରିଟିଶ ଶାସକମାନେ ଭାରତରେ ଖୁବ୍‌ ସହଜରେ ସେମାନଙ୍କ ଆସ୍ଥାନ ଜମାଇବାକୁ ଲାଗିଲେ ।

 

ସେତେବେଳେ ସହରାଞ୍ଚଳରେ ଯେଉଁ ମୁଷ୍ଟିମେୟ ବୁଦ୍ଧିଜୀବୀ ବ୍ୟକ୍ତି ବାସ କରୁଥିଲେ, ସେମାନେ ଇଂରେଜ ବଣିକଙ୍କ ସହ ହାତ ମିଳାଇ ବହୁ ଧନ ଉପାର୍ଜ୍ଜନ କରି ଅତ୍ୟନ୍ତ ନିର୍ଲଜ ଭାବରେ ନିଜର ବଡ଼େଇ ଦେଖାଇ ହେଉଥିଲେ । ପଲ୍ଲୀ ଅଞ୍ଚଳ ସଂପୂର୍ଣ୍ଣ ଅବହେଳିତ ହୋଇ ରହିଥିଲା । ଶ୍ରମିକମାନେ ଦରିଦ୍ରରୁ ଦରିଦ୍ରତର ହେଉଥିଲେ । କମ୍ପାନୀ ସରକାରଙ୍କର ଏପରି ଏକଛତ୍ରବାଦୀ ଶୋଷଣ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଏହି ସମୟରେ ରାମମୋହନ ବାହାରିଲେ । କମ୍ପାନୀ କର୍ତ୍ତୃପକ୍ଷମାନେ ସେତେବେଳେ ଜମିଦାରମାନଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ଅଧିକାଂଶ ଜମିଦାର ତାହାକୁ ମାନି ନେବା ପାଇଁ ସମ୍ମତ ହୋଇଥିଲେ । ସେମାନଙ୍କର ସ୍ଵାର୍ଥ ବ୍ରିଟିଶ ବଣିକଙ୍କ ଆକାଂକ୍ଷା ସହ ଜଡ଼ିତ ଥିବାରୁ କମ୍ପାନୀ ସରକାରଙ୍କର ଯେକୌଣସି ଆଦେଶକୁ ଶିରୋଧାର୍ଯ୍ୟ କରିବା ପାଇଁ ସେମାନେ ବାଧ୍ୟ ହେଉଥିଲେ । ଦେଶ ସମ୍ମୁଖୀନ ହେଉଥିବା ଗୁରୁତର ସମସ୍ୟା ପ୍ରତି ସେମାନେ କୌଣସି ଦୃଷ୍ଟି ଦେଉ ନ ଥିଲେ । ବସ୍ତୁତଃ ସେହିମାନେ ଭାରତର ବିକାଶ ପଥରେ ପ୍ରତିବନ୍ଧକର ସ୍ତମ୍ଭ ସ୍ଵରୂପ ବିଦ୍ୟମାନ ଥିଲେ । ଏପରି ଏକ ପରିସ୍ଥିତି ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷେ ଏକ ସୁବର୍ଣ୍ଣ ସୁଯୋଗ ଭଳି ହେଲା ।

 

ଏକତା ବିହୀନ ଅଜ୍ଞ ଲୋକଙ୍କୁ ଶୋଷଣ କରିବା ପାଇଁ ତାଙ୍କୁ ଖୁବ୍‌ ସୁବିଧା ହେଉଥିଲା । ଜାତିଭେଦ ପ୍ରଥା ଲୋକଙ୍କୁ ମଧ୍ୟରେ ଏକତା ନଷ୍ଟ କରିବାରୁ ଗୋଷ୍ଠୀ ଓ ଗୋଷ୍ଠୀ ମଧ୍ୟରେ ଦ୍ଵେଷ ଓ ଅହଙ୍କାର ପୂରି ରହିଥିଲା । ଯେଉଁମାନେ ସଂସ୍କାର ଆଣିବା ପାଇଁ ଉଦ୍ୟମ କରୁଥିଲେ ଜାତିଭେଦ ପ୍ରଥାର ଅଜ୍ଞ ସମର୍ଥକମାନେ ସେମାନଙ୍କୁ ନାନାଭାବେ ଅପମାନିତକରି କାବୁକରି ପକାଉଥିଲେ । ତେଣୁ ଧର୍ମପ୍ରଚାରକଙ୍କଠାରୁ ଆରମ୍ଭ କରି ବଣିକଙ୍କ ପର୍ଯ୍ୟନ୍ତ ଯେଉଁ ବିଦେଶୀମାନେ ଭାରତ ଭୂମିରେ ପଦାର୍ପଣ କରୁଥିଲେ, ପରିସ୍ଥିତି ସେମାନଙ୍କ ପକ୍ଷେ ଖୁବ୍‌ ଉପଯୋଗୀ ଥିବାରୁ ନିଜର ସ୍ଵାର୍ଥ ସାଧନ ପାଇଁ ଖୁବ୍‍ ଦ୍ରୁତ ବେଗରେ ସେମାନେ କାର୍ଯ୍ୟକରି ଚାଲୁଥିଲେ । ରାମମୋହନ ନିଜେ ଧନିକ ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ ମଧ୍ୟ ଅନ୍ୟାନ୍ୟ ଧନୀ ବ୍ୟକ୍ତିଙ୍କ ମତ ସହିତ ତାଙ୍କର ମତ ଖାପ ଖାଉନଥିଲା । ସେ କମ୍ପାନୀ ସରକାରଙ୍କ ଦୋଷ, ଗୁଣ ଓ ଭାରତୀୟ ଅର୍ଥନୀତିରେ ଅପଚୟକୁ ତଥ୍ୟଉପରେ ଭିତ୍ତିକରି ବିଶ୍ଲେଷଣ କରୁଥିଲେ ଏବଂ ଖୋଲାଖୋଲିଭାବେ ପ୍ରକାଶ କରୁଥିଲେ ଯେ, ବ୍ରିଟିଶ ଶାସନରେ ଗ୍ରାମାଞ୍ଚଳର ଲୋକଙ୍କୁ ଶୋଷଣ କରାଯାଉଛି । ଫଳରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ଚାଲିଛି । ୧୮୩୨ ମସିହାରେ ପାର୍ଲିଆମେଣ୍ଟରୀ କମିଟୀ ଆଗରେ ସେ ଯେଉଁ ସାକ୍ଷ୍ୟ ପ୍ରଦାନ କରିଥିଲେ ସେଥିରେ ସେ ଦର୍ଶାଇଥିଲେ ‘‘ଦରିଦ୍ର ଚାଷୀମାନେ ଅର୍ଥ ଗୃଧ୍ନୁ ଜମିଦାରଙ୍କ ପଦାନତ ହୋଇ ରହିଛନ୍ତି ।’’

 

ରାମମୋହନ ନିଜେ ଜଣେ ଜମିଦାର ଥିଲେ, କିନ୍ତୁ ଜମିଦାରଙ୍କ ବିରୁଦ୍ଧରେ ମତ ପ୍ରକାଶକରି ସେ କହିଥିଲେ ଯେ, ଜମିଦାରମାନେ ଯଦି ଚାଷୀଙ୍କ ଉପରେ କରବୃଦ୍ଧି ନ କରିବେ ତେବେ ଚାଷୀମାନେ ଅତ୍ୟାଚାରରୁ ରକ୍ଷା ପାଇବେ । ଚାଷୀଙ୍କ ମୌଳିକ ଅଧିକାର ପ୍ରତି ରାମମୋହନ ସର୍ବଦା ସଜାଗ ଥିଲେ । ଦେଢ଼ଶହ ବର୍ଷ ପୂର୍ବେ ଚାଷୀଙ୍କ ଅଧିକାର ସାବ୍ୟସ୍ତ କରିବା ଦିଗରେ ଉଦ୍ୟମ କରିବା ଧାରଣା ଚିନ୍ତା କରାଯାଇ ପାରୁନଥିଲା । ଏପରି ଏକ ଅଧିକାର ରହିଛି ବୋଲି ମଧ୍ୟ ଚାଷୀମାନଙ୍କ ମଧ୍ୟରୁ ଶତକଡା ୯୯ ଭାଗ ଜାଣି ନ ଥିଲେ । କିନ୍ତୁ ରାମମୋହନ ଏ ସଂପର୍କରେ ବ୍ରିଟିଶ ସରକାରଙ୍କ ସହିତ ଆଲୋଚନା କରି ଚାଷୀଙ୍କ ନିମନ୍ତେ ପନ୍ଥା ନିର୍ଦ୍ଧାରଣ କରିବାକୁ ବାହାରିଥିଲେ ।

 

ରାମମୋହନ ଜଣେ ସ୍ଵଚ୍ଛଳ ଜମିଦାର ଭାବରେ କମ୍ପାନୀ ସରକାରଙ୍କ ଦୁଷ୍କର୍ମକୁ ଘୋଡ଼ାଇ ପକାଇ ସ୍ଵାଛନ୍ଦରେ ଜୀବନଯାପନ କରିପାରିଥାନ୍ତେ । କିନ୍ତୁ ଏହି ସଂକୀର୍ଣ୍ଣ ସ୍ଵାର୍ଥଲାଗି ସେ କେବେ ବ୍ୟାକୁଳ ହୋଇ ନାହାଁନ୍ତି; ବରଂ ଜମିଦାରମାନଙ୍କର କାର୍ଯ୍ୟ କଳାପକୁ ତୀବ୍ର ସମାଲୋଚନାକରି ନିସ୍ଵାର୍ଥପରତାର ନିଦର୍ଶନ ରଖିଯାଇଛନ୍ତି ।

 

ରାମମୋହନ ଦେଖିଲେ ଯେ ଲୋକଙ୍କ ପ୍ରତି ଅନ୍ୟାୟ ହେଉଥିଲେ ମଧ୍ୟ ଉପଯୁକ୍ତ ନେତୃତ୍ଵ ଅଭାବରୁ ସେମାନେ ଏହାକୁ ବିନାଦ୍ଵିଧାରେ ସହି ନେବାପାଇଁ ବାଧ୍ୟ ହେଉଛନ୍ତି । ତେଣୁ ସେମାନଙ୍କୁ ଏକ ଦୃଢ଼ ନେତୃତ୍ଵ ଦେବାପାଇଁ ସେ ବାହାରିଥିଲେ । ଏପରି ଏକ ସଙ୍କଟମୟ ସମୟରେ କେତେକ ଶିକ୍ଷିତ ଲୋକ ମଧ୍ୟ ରାମମୋହନଙ୍କୁ ସମର୍ଥନ କରିବାପାଇଁ ସମ୍ମତ୍ତି ପ୍ରକାଶ କରିଥିଲେ । ସେତେବେଳେ ଇଷ୍ଟ ଇଣ୍ଡିଆ କଂପାନୀ ଏକଚାଟିଆ ଲୁଣ ବ୍ୟବସାୟ କରିବାରେ ଯେଉଁ କୁତ୍ସିତ ପନ୍ଥା ଅବଲମ୍ବନ କରୁଥିଲେ, କୌଣସି ସଭ୍ୟ ରାଷ୍ଟ୍ରରେ ଏପରି ଶୋଷଣ ଏପର୍ଯ୍ୟନ୍ତ ହୋଇନାହିଁ । ଏହି ଏକଚାଟିଆ ଲୁଣ କାରବାର ସଂପର୍କରେ ବ୍ରିଟିଶ ସରକାର ଯେଉଁ ଆଦେଶ ଦେଇଥିଲେ ରାମମୋହନ ତାହା ମାନିଲେ ନାହିଁ । ୱାରେନ ହେଷ୍ଟିଙ୍ଗସ ଓ କ୍ଳାଇବ ଏହି ଲୁଣ କାରବାରକୁ ଏକ ଚାଟିଆ ଘରୋଇ ବ୍ୟବସାୟରେ ପରିଣତ କରିଦେଇ ଯାଇଥିଲେ । ଏପରି ବ୍ୟବସାୟ ଫଳରେ ବଙ୍ଗ ଦେଶରେ ପ୍ରାୟ ୧ ଲକ୍ଷ ୨୫ ହଜାର ଶ୍ରମିକ ଦାସ ଭଳି କାର୍ଯ୍ୟ କରୁଥିଲେ । ଲୁଣ ଉତ୍ପାଦନ ଲାଗି କଂପାନୀ ଘରୋଇ ଏଜେଣ୍ଟ ନିଯୁକ୍ତକରି କଲିକତା ବଜାରରେ ବିକ୍ରି କରୁଥିଲେ । ଭାରତର କେତେକ ଧନୀଲୋକ ମଧ୍ୟ ଅର୍ଥ ଆଶାରେ ଏହି କୁତ୍ସିତ କାରବାରରେ ଅଂଶ ଗ୍ରହଣ କରୁଥିଲେ । ‘ୱାୟେର ହାଉସ’ ମାନଙ୍କରେ ବହୁ ପରିମାଣର ଲୁଣ ମାସମାସଧରି ମହଜୁଦ କରାଯାଇ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରାଯାଇଥିଲା ଏବଂ ବହୁ ଦରରେ ଚୋରାରେ ବିକ୍ରୟ ଚାଲିଥିଲା । ଅନେକ ସମୟରେ ଲୁଣରେ ବାଲି ମିଶାଯାଇ ବିକ୍ରି କରାଯାଉଥିଲା-। ଏପରି ଅସତ୍‌ଉପାୟକୁ ଅନେକ ସମୟରେ ବ୍ରିଟିଶ ନାଗରିକମାନେ ଘୃଣା କରୁଥିଲେ-। ଭାରତୀୟମାନଙ୍କ ପ୍ରତି ଗୁରୁତର ଅନ୍ୟାୟ କରାଯାଉଛି ବୋଲି ସେମାନେ ଉପଲବ୍‌ଧି କରୁଥିଲେ ମଧ୍ୟ ଏହାର ନିରାକରଣ ଲାଗି ହଠାତ୍‌ କିଛି ଉପାୟ ସ୍ଥିର କରିପାରୁନଥିଲେ । କିନ୍ତୁ ଏହି ଅସନ୍ତୋଷ ଇଂଲଣ୍ଡରେ କ୍ରମେ ବ୍ୟାପିବାକୁ ଲାଗିଲା । ଉଦାର ମତବାଦୀ ଜେ.କେ. ଡ୍ରଫୋର୍ଡ, ରବର୍ଟ ରିଚାର୍ଡ ପ୍ରଭୃତି ଇଂରେଜ ବ୍ୟକ୍ତିମାନେ ଇଂଲଣ୍ଡରେ ଏକ ଆନ୍ଦୋଳନ ଆରମ୍ଭ କଲେ । ଇଷ୍ଟ ଇଣ୍ଡିଆ କଂପାନୀଙ୍କର ଭାରତରେ ଏହି ଏକଚାଟିଆ ଲୁଣ କାରବାର ବିରୁଦ୍ଧରେ ବ୍ରିଟେନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେମାନେ ପାମ୍ପଲେଟ ଓ ପ୍ରବନ୍ଧମାନ ପ୍ରକାଶ କଲେ । ବ୍ରିଟିଶ ସମ୍ବାଦ ପତ୍ରମାନଙ୍କରେ ଭାରତରେ ବ୍ରିଟିଶନୀତିର ସମାଲୋଚନା କରାଯାଇ ବହୁତ ଲେଖା ପ୍ରକାଶ ପାଇଲା । ଇଂଲଣ୍ଡରେ ଏହି ଆନ୍ଦୋଳନ ଚାଲିଥିବାବେଳେ ଏହାର ସୁଯୋଗ ନେଇ ଭାରତରେ ରାମମୋହନ ତାଙ୍କର କଲମ ଚାଳନା କଲେ । ରାମହରି ଦାସ ନାମରେ ସେ ସମ୍ବାଦ ପତ୍ରରେ ସମାଲୋଚନା ମୂଳକ ଲେଖା ପ୍ରକାଶ କଲେ ।

 

ରାମମୋହନଙ୍କର ବାରମ୍ବାର ପ୍ରତିରୋଧାତ୍ମକ ଲେଖା ଫଳରେ କମ୍ପାନୀର ଡାଇରେକ୍ଟର ବୋର୍ଡ ଘଟଣାଟିକୁ ଗୁରୁତ୍ଵର ସହିତ ବିଚାର କରି ଭାରତରେ ବ୍ରିଟିଶ ସରକାରଙ୍କ ଲୁଣ ନୀତି ଅତ୍ୟନ୍ତ ଦୁଃଖ ଦାୟକ ବୋଲି ସ୍ଵୀକାର କଲେ । କିନ୍ତୁ ସେମାନେ ଦର୍ଶାଇଲେ ଯେ, ରାମମୋହନ ଯେଉଁ ତୀବ୍ର ସମାଲୋଚନା କରିଛନ୍ତି ତାହା ସତ୍ୟ ନୁହେଁ । କାରଣ ତାହା ଭାବପ୍ରବଣତା ଉପରେ ପର୍ଯ୍ୟବସିତ । ରାମମୋହନ ଯେଉଁ ମତ ଦେଇଥିଲେ ତାହା ଅବାସ୍ତବ ବୋଲି ସେମାନେ କହିଲେ, କିନ୍ତୁ ରାମମୋହନ ତାଙ୍କ ମତର ଯଥାର୍ଥତା ପ୍ରତିପାଦନକରି ବ୍ରିଟିଶ ସରକାରଙ୍କୁ ଏକପତ୍ର ଲେଖିଲେ । ୧୮୩୨ ମସିହା ଏପ୍ରିଲ ୨ ତାରିଖରେ ଡାଇରେକ୍‌ର ବୋର୍ଡ ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀର ଏକଚାଟିଆ ଲୁଣ କାରବାର ବନ୍ଦକରିବା ପାଇଁ ନିର୍ଦ୍ଦେଶ ଦେଲେ-। କିନ୍ତୁ ଲର୍ଡ ବେଣ୍ଟିକ ଏଥିରେ ସ୍ଵାକ୍ଷର କଲେ ନାହିଁ । ରାମମୋହନ ପୁଣି ଅନ୍ଦୋଳନ କଲେ-। ଏହା ଫଳରେ ୧୮୩୨ ମସିହାରେ ଚାର୍ଟର ନବୀକରଣ କରାଯାଇ ବଜାରରେ ଲୁଣ ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଗଲା । ରାମମୋହନଙ୍କ ବାରମ୍ବାର ଦାବୀଫଳରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଏକଚାଟିଆ ଲୁଣ କାରବାରରୁ ଭାରତ ମୁକ୍ତି ପାଇଲା ।

 

ଭାରତରୁ ଅଜସ୍ର ଅର୍ଥ ଇଂଲଣ୍ଡକୁ ଅନ୍ୟାୟ ଉପାୟରେ ଚାଲିଯିବ, ରାମମୋହନ ଏହା ବରଦାସ୍ତ କରି ପାରିଲେ ନାହିଁ । ସେ ଥିଲେ ପ୍ରଥମ ଭାରତୀୟ ଯେ କି, ଇଷ୍ଟଇଣ୍ଡିଆ କଂପାନୀ ସରକାରଙ୍କ ଏହି ଶୋଷଣ ସଂପର୍କରେ ଭାରତର ବୁଦ୍ଧିଜୀବୀ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ-। ଅର୍ଥ ଓ ଦ୍ରବ୍ୟ ଆକାରରେ ଭାରତର ବିପୁଳ ସମ୍ପତ୍ତି ୟୁରୋପୀୟମାନେ ନେଇଯାଉଛନ୍ତି ବୋଲି ରାମମୋହନ ସେତେବେଳେ ବ୍ରିଟିଶ ରାଜସ୍ଵ ପଦ୍ଧତିର ସମାଲୋଚନାକରି ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ । ଏହି ସବୁ କାର୍ଯ୍ୟରେ ରାମମୋହନଙ୍କୁ ଦ୍ଵାରକାନାଥ ଟାଗୋର ସାହାଯ୍ୟ କରିଥିଲେ । ବିଶେଷକରି ଏକଚାଟିଆ କାରବାରୀଙ୍କ ବିରୁଦ୍ଧରେ ଖୋଲା ବ୍ୟବସାୟୀଙ୍କୁ ସମର୍ଥନ କରିବା ପାଇଁ ରାମମୋହନ ଯେତେ ଉଦ୍ୟମ କରିଥିଲେ ସେ ସବୁଥିରେ ଦ୍ଵାରକାନାଥ ମଧ୍ୟ ଜଡ଼ିତ ଥିଲେ । ରାମମୋହନ ଓ ଦ୍ଵାରକାନାଥ ଉତ୍ତମରୂପେ ହୃଦୟଙ୍ଗମ କରିଥିଲେ ଯେ, ବିଶ୍ୱମାନଚିତ୍ରରେ ଭାରତର ପ୍ରତିନିଧିତ୍ଵ ହେଉଛି ଗୁରୁତ୍ଵପୂର୍ଣ୍ଣ । ସବୁ ବିଷୟରେ, ଏପରିକି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟଭାରତ ବିଶ୍ୱସ୍ରୋତର ବହୁ ପଛରେ ପଡ଼ି ଯାଉଥିବା ପରିତାପର ବିଷୟ । ଶିଳ୍ପ ବିପ୍ଳବ ଦ୍ଵାରା ଇଂଲଣ୍ଡର ରୂପରେଖ ବଦଳିଗଲା, କିନ୍ତୁ ବ୍ରିଟିଶ ଶାସନ ଦ୍ଵାରା ଭାରତରେ ଯେଉଁ ବିପ୍ଳବ ଆରମ୍ଭ ହେବ ତାହା ଭାରତୀୟମାନଙ୍କ ସ୍ଵାର୍ଥର ଅନୁକୂଳ ହେବବୋଲି ସେମାନେ ଚିନ୍ତା କରିଥିଲେ-

 

ରାଜନୀତିକ ଓ ଆଇନଗତ ଦୂରଦୃଷ୍ଟି

 

ରାଜନୀତି କିମ୍ବା ଆଇନ ବ୍ୟବସାୟ ରାମମୋହନଙ୍କର ବୃତ୍ତି ନ ଥିଲେ ମଧ୍ୟ ଏହି ଉଭୟ ବିଷୟରେ ତାଙ୍କର ଅସାଧାରଣ ପ୍ରବେଶ ଥିଲା । ଭାରତର ଶାସନ ସମ୍ପର୍କରେ ସେ ବହୁବାର ତାଙ୍କ ବିଜ୍ଞମତ ପ୍ରକାଶ କରୁଥିଲେ । ଉଦାହରଣସ୍ଵରୂପ, ଇଷ୍ଟଇଣ୍ଡିଆ କମ୍ପାନୀ ସନନ୍ଦ ନବୀକରଣ ପ୍ରଶ୍ନ ଉପରେ ଭାରତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷ୍ୟ ପ୍ରଦାନ କରିବାକୁ ହୋଇଥିଲା । ସେତେବେଳେ ଇଂରେଜ ସରକାର ଚାହିଁଥିଲେ ଯେ ଏ ସମ୍ପର୍କରେ ‘ହାଉସ ଅଫ କମନସ’ର ଯାଞ୍ଚ କମିଟି ଆଗରେ ରାମମୋହନଙ୍କ ଭଳି ଭାରତର ବିଶିଷ୍ଟ ଓ ସମ୍ମାନାହିଁ ବ୍ୟକ୍ତି ସାକ୍ଷ୍ୟ ପ୍ରଦାନ କରିବା ଆବଶ୍ୟକ । ରାମମୋହନ ଯେଉଁ ସାକ୍ଷ୍ୟ ପ୍ରଦାନ କରିଥିଲେ, ତହିଁରୁ ଜଣାପଡ଼େ ଯେ ସେ ଜଣେ ଉଚ୍ଚକୋଟୀର ରାଷ୍ଟ୍ରନୀତିଜ୍ଞ ଥିଲେ । ତାଙ୍କର ସାକ୍ଷ୍ୟବିବରଣୀ ଗୋଟିଏ ପ୍ରଚାରପତ୍ର ଆକାରରେ ଛପା ଯାଇଥିଲା । ଏଥିରେ ଭାରତ ଶାସନ ସମ୍ପର୍କୀଙ୍କ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ସନ୍ନିବେଶିତ ହୋଇଥିଲା । ବିଚାରାଳୟ ସଂସ୍କାର, ୟୁରୋପୀୟମାନଙ୍କ ଉପରେ ଦେଶୀୟ ନ୍ୟାୟାଳୟର ଅଧିକାର, ଜୁରି ପଦ୍ଧତି, ପ୍ରଶାସନିକ ଓ ବିଚାର ବିଭାଗୀୟ କାର୍ଯ୍ୟାଳୟ ମଧ୍ୟରେ ପୃଥକୀକରଣ, ଆଇନ ଲିପିବଦ୍ଧ କରିବା, ଆଇନପ୍ରଣୟରେ ଲୋକମାନଙ୍କ ସହ ପରାମର୍ଶ କରବା, ଦେଶୀୟ ସାମରିକ ବାହିନୀ ପ୍ରତିଷ୍ଠା କରିବା, ଭାରତୀୟମାନଙ୍କୁ ବହୁ ସଂଖ୍ୟାରେ କର୍ମ ସଂସ୍ଥାନ ଯୋଗାଇବା, ସରକାରୀ କର୍ମଚାରୀମାନଙ୍କ ବୟସ ଓ ଶିକ୍ଷାଗତ ଯୋଗ୍ୟତା ସ୍ଥିର କରିବା, ଚାଷୀମାନଙ୍କର ଅବସ୍ଥାରେ ଉନ୍ନତି ଆଣିବା ଏବଂ ସେମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଆଇନ ପ୍ରଣୟନ କରିବା, ଚିରସ୍ଥାୟୀ ବନ୍ଦୋବସ୍ତ କରିବା ପ୍ରଭୃତି ବିଷୟ ରାମମୋହନ ସେଥିରେ ଉଲ୍ଲେଖ କରିଥିଲେ । ଲୋକମାନଙ୍କ ପାଇଁ ଉପଯୋଗୀ ହେବାଭଳି ଅପରାଧ ଆଇନ ପ୍ରଣୟନ କରାଯିବା ଉଚିତ ବୋଲି ସେ ସ୍ପଷ୍ଟ ମତପ୍ରକାଶ କରିଥିଲେ । ଏ ସମ୍ପର୍କରେ ସେ କହିଥିଲେ ‘‘ଭାରତରେ ବସବାସ କରୁଥୁବା ବିଭିନ୍ନ ଜାତି ଓ ଉପଜାତିଙ୍କ ପ୍ରତି ସମାନ ଭାବେ ଲାଗୁ ହେବାଭଳି ଅପରାଧ ଆଇନ ପ୍ରଣୟନ ହେବା ଉଚିତ । ଏହାର ନୀତି ସରଳ ହେବା ସଙ୍ଗେ ସଙ୍ଗେ ବ୍ୟବସ୍ଥାମାନ ସ୍ପଷ୍ଟ ହେବା ଉଚିତ । ସଂଜ୍ଞାମଧ୍ୟ ସଂକ୍ଷିପ୍ତ ହେବା ଆବଶ୍ୟକ । ତାହାହେଲେ ନ୍ୟାୟ ପ୍ରତିଷ୍ଠା କରାଯାଇପାରିବ ଏବଂ ଏ ସମ୍ପର୍କରେ ମୁସଲମାନ ବା ଖ୍ରୀଷ୍ଟିଆନମାନଙ୍କର ଅନ୍ୟାନ୍ୟ ପୁସ୍ତକ ଅଧ୍ୟୟନ କରିବାର ଆବଶ୍ୟକତା ରହିବ ନାହିଁ । ଏ ସମ୍ପର୍କରେ ସେ କହିଥିବା ଅବିକଳ ବାକ୍ୟ ନିମ୍ନରେ ଉଦ୍ଧୃତ ହେଲା । ‘‘A code of Criminal Law for India should be founded as far as possible on those principles which are common to and acknowledged by the different sects and tribes inhabiting the country. It ought to be simple in its principles, clear in its arrangement and precise in its definitions, so that it may be established as a standard of explanation by a reference to any other books of authority either Mahomedan or Christian.’’

 

ଭାରତର ରାଜସ୍ଵ ପଦ୍ଧତି ଉପରେ ୧୮୩୧ ମସିହା ଅଗଷ୍ଟ ୧୯ ତାରିଖରେ ରାମମୋହନ ଏକ ଚମତ୍କାର ନିବନ୍ଧ ଲେଖିଥିଲେ । ସେଥିରେ ସେ ସ୍ପଷ୍ଟଭାବେ ଦର୍ଶାଇ ଥିଲେ ଯେ, ୧୭୯୩ ମସିହା ଆଇନକାନୁନ ଅନୁଯାୟୀ ବଙ୍ଗ ଦେଶରେ ଲର୍ଡ କର୍ଣ୍ଣୱାଲିସଙ୍କ ଶାସନ ସମୟରେ ଯେଉଁ ବନ୍ଦୋବସ୍ତ ହେଲା ତାହା ସମାନଭାବେ ଉଭୟ ପକ୍ଷଙ୍କ ପାଇଁ ଉପଯୋଗୀ ହେବ ନାହିଁ । ଦେଖାଗଲା ଯେ ଏହାର କିଛିକାଳ ପରେ କାର୍ଯ୍ୟତଃ ତାହାହିଁ ହେଲା ।

 

ଓକିଲାତି ଜ୍ଞାନ

 

ରାମମୋହନଙ୍କର ବହୁ ଓକିଲଙ୍କ ଅପେକ୍ଷା ହିନ୍ଦୁ ଆଇନ୍‌ ସମ୍ପର୍କରେ ଅଧିକ ଜ୍ଞାନ ଥିଲା-। ସ୍ମୃତି ଓ ତାହା ଉପରେ ବିଜ୍ଞ ବ୍ୟକ୍ତିମାନଙ୍କର ମନ୍ତବ୍ୟ ସବୁ ସେ ଅତ୍ୟନ୍ତ ସତର୍କତାର ସହିତ ପାଠ କରିଥିଲେ । ଏତଦ୍‌ଦ୍ଵାରା ସେ ଯେଉଁ ଜ୍ଞାନ ଅର୍ଜନ କରିଥିଲେ, ତାହା ତାଙ୍କୁ ପରବର୍ତ୍ତୀ କାଳରେ ବହୁ ସାହାଯ୍ୟ କରିଥିଲା । ପୁରାତନ ଓ ଆଧୁନିକ ଆଇନ କାନୁନ ସମ୍ପର୍କରେ ତାଙ୍କର ଯେ ଯଥେଷ୍ଟ ଜ୍ଞାନ ଥିଲା କେବଳ ସେତିକି ନୁହେଁ ଉଭୟଙ୍କ ମଧ୍ୟରେ ତୁଳନାତ୍ମକ ବିଶ୍ଳେଷଣ କରିବାକୁ ସେ ସମର୍ଥ ହେଉଥିଲେ । ଏହି ତୁଳନାତ୍ମକ ବିଚାର କଲାବେଳେ ସେ ଦେଖିବାକୁ ପାଇଥିଲେ ଯେ, ସତ୍ତ୍ଵାଧିକାର ସୂତ୍ରରେ ସମ୍ପତ୍ତି ଲାଭ କରିବା ଦିଗରେ ଆଧୁନିକ ଆଇନ ନାରୀମାନଙ୍କ ପ୍ରତି ଅନ୍ୟାୟ କରିଛି । ଏହା ଦେଖି ତାଙ୍କ ଭଳି ଜଣେ ପୁଣ୍ୟାତ୍ମାଙ୍କ ହୃଦୟ ବିଚଳିତ ହୋଇ ପଡ଼ିଥିଲା-। ୧୮୨୨ ମସିହାରେ ଏହା ଉପରେ ସେ ଏକ ପ୍ରବନ୍ଧ ଲେଖିଥିଲେ । ଏଥିରେ ସେ ଶାସ୍ତ୍ରମାନଙ୍କରୁ ବିଭିନ୍ନ ପଂକ୍ତି ଉଦ୍ଧାର କରି ଦେଖାଇଥିଲେ ଯେ, ପ୍ରାଚୀନ ଆଇନ ଅନୁଯାୟୀ ବାପ ସମ୍ପତ୍ତି ଉପରେ ପୁଅର ଯେତିକି ଅଧିକାର ରହିଛି, ସ୍ଵାମୀ ସଂପତ୍ତି ଉପରେ ସ୍ତ୍ରୀର ସେତିକି ଅଧିକାର ରହିଛି-। ବାପ ସଂପତ୍ତିରୁ ଝିଅ ଏକ ଚତୁର୍ଥାଂଶ ଲାଭ କରିବା ମଧ୍ୟ ପ୍ରାଚୀନ ଆଇନ ସମ୍ମତ । ମାତ୍ର ଆଧୁନିକ ଆଇନ ଏସବୁ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରିଛି । ସେତେବେଳେ ଯେଉଁ ଲୋକର ପୁଅ ନ ଥିଲା, ତାର ମୃତ୍ୟୁ ପରେ ବିଧବା ସ୍ତ୍ରୀ ସେ ସଂପତ୍ତିକୁ କେବଳ ଉପଭୋଗ କରି ପାରୁଥିଲା-। ସଂପତ୍ତିର କୌଣସି ଅଂଶ କିମ୍ୱା ପୂରା ସଂପତ୍ତିକୁ ବିକ୍ରୟ କରିବା ପାଇଁ ତାର ଅଧିକାର ନ ଥିଲା-। ତେଣୁ ଏପରି ଏକ ବିଚିତ୍ର ପରିସ୍ଥିତିରେ ସ୍ଵାମୀ ସମ୍ପତ୍ତି ଉପରେ ଭାରତରେ ଯେଉଁ ବିପ୍ଳବ ଆରମ୍ଭ ହେବ ତାହା ଭାରତୀୟମାନଙ୍କ ସ୍ଵାର୍ଥର ଅନୁକୂଳ ହେବବୋଲି ସେମାନେ ଚିନ୍ତା କରିଥିଲେ । ବିଧବା ସ୍ତ୍ରୀର ଅଧିକାର ସମ୍ପୂର୍ଣ୍ଣ ଅଧିକାର ନୁହେଁ ବୋଲି ବିବେଚନା କରାଯାଉଥିଲା । ଆଇନରେ ବିଧବା ସ୍ତ୍ରୀ ଓ ଝିଅଙ୍କୁ ସଂପତ୍ତି ଅଧିକାର ଦେବାଲାଗି କୌଣସି ବ୍ୟବସ୍ଥା ନ ଥିବାରୁ ରାମମୋହନ ରାୟ ଏ ସଂପର୍କରେ ଯେତେ ଉଦ୍ୟମ କଲେ ମଧ୍ୟ ତାହା ଫଳପ୍ରଦ ହେଲା ନାହିଁ । ସେତେବେଳେ ସେ ପୈତୃକ ସଂପତ୍ତିରେ ହିନ୍ଦୁର ଅଧିକାର ଉପରେ ଗୋଟିଏ ସୁଦୀର୍ଘ ପ୍ରବନ୍ଧ ଲେଖିଥିଲେ । ସେ ଯେଉଁ ବର୍ଷ ଇଂଲଣ୍ଡ ଗଲେ, ଠିକ୍‌ ସେହି ବର୍ଷ ସେ ଏହା ଲେଖିଥିଲେ ବୋଲି ଜଣାଯାଏ । ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ସମ୍ପତ୍ତି ଉପରେ ପିତାର ଅଧିକାର ନିରଙ୍କୁଶ ବୋଲି ନ୍ୟାୟାଳୟରେ ସାବ୍ୟସ୍ତ ହୋଇଥିଲା । କିନ୍ତୁ ୧୮୧୬ ମସିହାରେ ଭବାନୀଚରଣ ବନାମ ରମାକାନ୍ତଙ୍କ ଉତ୍ତରାଧିକାରୀ ମକଦ୍ଦମାରେ ନ୍ୟାୟାଳୟର ଉପରୋକ୍ତ ସିଦ୍ଧାନ୍ତ କାଏମ ରହି ପାରିଲା ନାହିଁ-। ୧୮୧୬ ମସିହାରେ ନ୍ୟାୟାଳୟ ପକ୍ଷରୁ ଘୋଷଣା କରାଗଲା ଯେ, ସଂପତ୍ତି ଉପରେ ପିତାର ଅଧିକାର ସୀମିତ । ଏହି ସମୟରେ ରାମମୋହନ ଏହା ଉପରେ ଏକ ପ୍ରବନ୍ଧ ଲେଖିବାର ଆବଶ୍ୟକତା ଅନୁଭବ କରିଥିଲେ । ଏହାପରେ ୧୮୨୯ ଓ ୧୮୩୦ ମସିହାରେ ସୁପ୍ରିମ କୋର୍ଟର ତତ୍‌କାଳୀନ ପ୍ରଧାନ ବିଚାରପତି ସାର ଚାଲର୍ସ ଏଡୱାର୍ଡ ଗ୍ରେ ବାରମ୍ବାର ସଂପତ୍ତି ଉପରେ ପିତାର ନିରଙ୍କୁଶ ଅଧିକାର ବିପକ୍ଷରେ ମତ ପ୍ରକାଶ କରିଥିଲେ । ବିଶେଷ କରି ବରଦା ପ୍ରସାଦ ବନାମ ତାରା ପ୍ରସାଦ ବାନାର୍ଜି ମକଦ୍ଦମାରେ ସେ ଏହି ମର୍ମରେ ରାୟ ଦେଇଥିଲେ ।

 

ମାତ୍ର ୧୮୩୧ ମସିହାରେ ଜଗମୋହନ ରାୟ ବନାମ ଶ୍ରୀମତୀ ବିମୋଦାସୀ ମକଦ୍ଦମାକୁ ପ୍ରଧାନ ବିଚାରପତି ଏଡୱାର୍ଡ ଗ୍ରେ ସଦର ଦେୱାନୀ ଅଦାଲତକୁ ପଠାଇଥିଲେ ଏବଂ ସେଠାରେ ବିଚାରପତିମାନେ ସମ୍ପତ୍ତି ଅଧିକାର ସଂପର୍କରେ ପୁଙ୍ଖାନୁପୁଙ୍ଖ ବିଚାର ଆଲୋଚନା କରି ଘୋଷଣା କରିଥିଲେ ଯେ, ଜଣେ ହିନ୍ଦୁ ପିତାଙ୍କର ପୈତୃକ ସମ୍ପତ୍ତି ଉପରେ ନିରଙ୍କୁଶ କ୍ଷମତା ରହିଛି-। ଏହା ପରେ ପ୍ରିଭି କାଉନସିଲ ନାଗଭୂଷଣ ଅମଲ ବନାମ ଗୋପନାଦ ରାୟା ଚେଟି ମକଦ୍ଦମା ସଂପର୍କରେ ନିମ୍ନଲିଖିତ ମତେ କହିଥିଲେ ।

 

‘‘Through out Bengal a man who is the absolute owner of property may now dispose of it by will as he pleases whether it be ancestral or not.

Image

 

Unknown

ନବମ ପରିଚ୍ଛେଦ

ୟୁରୋପ ଭ୍ରମଣ ଓ ଜୀବନାବସାନ

 

ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ୟୁରୋପରେ ଯେଉଁ ପରିବର୍ତ୍ତନର ସ୍ରୋତ ପ୍ରବାହିତ ହେଉଥିଲା ସେ ସଂପର୍କରେ କେବଳ ସମ୍ବାଦ ପତ୍ରରୁ ଜାଣି ରାମମୋହନ ସନ୍ତୁଷ୍ଟ ହେଉନଥିଲେ । ସ୍ଵଚକ୍ଷୁରେ ତାହା ଦେଖିବା ପାଇଁ ତାଙ୍କର ଆକାଂକ୍ଷା ଥିଲା । ରାମମୋହନ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି; ‘‘I now felt a strong desire to visit Europe, and obtain, by personal observation, a more thorough insight into it’s manners, customs, religion and political institutions’’ ଅର୍ଥାତ୍‌ ୟୁରୋପର ପରମ୍ପରା, ଜୀବନ ଯାପନ ପ୍ରଣାଳୀ, ଧର୍ମ ଏବଂ ରାଜନୈତିକ ଅନୁଷ୍ଠାନଗୁଡ଼ିକ ସ୍ଵଚକ୍ଷୁରେ ପର୍ଯ୍ୟବେକ୍ଷଣ କରି ସେ ସଂପର୍କରେ ଅଭିଜ୍ଞତା ଅର୍ଜନ କରିବାକୁ ୟୁରୋପ ଗସ୍ତରେ ଯିବାପାଇଁ ମୁଁ ଆଗ୍ରହାନ୍ୱିତ ହୋଇଥିଲି ।’’

 

ଭାରତରେ ବ୍ରାହ୍ମସମାଜ ପ୍ରତିଷ୍ଠା କରିସାରିବା ପରେ ଇଂଲଣ୍ଡ ପରିଦର୍ଶନରେ ଯିବାଲାଗି ରାମମୋହନ ବରାବର ସୁଯୋଗ ଖୋଜୁଥିଲେ । ଏଥିପାଇଁ ତାଙ୍କୁ ପ୍ରାୟ ୧୦ ବର୍ଷ କାଳ ଅପେକ୍ଷା କରିବାକୁ ପଡ଼ିଥିଲା । ଏହା ମଧ୍ୟରେ ଜନ୍‌ଡିଗବି ଏବଂ ଡେଭିଡ ହେୟାରଙ୍କ ଠାରୁ ଇଂଲଣ୍ଡ ପରିଦର୍ଶନରେ ଯିବାଲାଗି ରାମମୋହନ ନିମନ୍ତ୍ରଣ ପାଇଥିଲେ ମଧ୍ୟ ଭାରତରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତଥିବାରୁ ଇଂଲଣ୍ଡ ଯିବାପାଇଁ ସମୟ ପାଇ ପାରିନଥିଲେ । ସେତେବେଳେ ସମୁଦ୍ର ପାର ହେବା ଏକ ଦୁଃସାହସିକ କାର୍ଯ୍ୟରୂପେ ବିବେଚିତ ହେଉଥିଲା । ରକ୍ଷଣଶୀଳ ହିନ୍ଦୁମାନଙ୍କର ମତରେ ସମୁଦ୍ର (କଳାପାଣି) ପାରହେବା ଅପରାଧର ବିଷୟ । ମାତ୍ର ରାମମୋହନଙ୍କ ଭଳି ଜଣେ ସାହସୀ ଓ ସଂସ୍କାରକ ଏ ସବୁ ମତର ବହୁ ଊର୍ଦ୍ଧ୍ଵରେ ଥିଲେ । ଜୀବନରେ ଦୁଃସାହସିକ କାର୍ଯ୍ୟରେ ହାତଦେଇ ସଫଳତା ଲାଭ କରିବା ପର୍ଯ୍ୟନ୍ତ ସେଥିରେ ଆନ୍ତରିକତାର ସହ ଲାଗି ପଡ଼ିବା ରାମମୋହନଙ୍କର ଚରିତ୍ରର ବୈଶିଷ୍ଟ୍ୟ ଥିଲା ।

 

୧୮୩୦ ମସିହାରେ ଇଂଲଣ୍ଡ ପରିଦର୍ଶନରେ ଯିବାଲାଗି ରାମମୋହନ ଏକ ଅପୂର୍ବ ସୁଯୋଗ ଲାଭକଲେ । ସେତେବେଳେ ଗାଦିଚ୍ୟୁତ ମୋଗଲ ସମ୍ରାଟ ଦ୍ଵିତୀୟ ଆକବର ଇଂରେଜ ସରକାରଙ୍କଠାରୁ ପାଉଥିବା କେତେକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଇଂଲଣ୍ଡର ପାର୍ଲିଆମେଣ୍ଟରେ ଏ ସଂପର୍କରେ ଆପତ୍ତି ଜଣାଇବାକୁ ସ୍ଥିର କଲେ । ତାଙ୍କର ଦାବୀ ଥିଲା ଯେ, ତାଙ୍କ ପାହ୍ୟା ଓ ପେନ୍‌ସନ୍‌ ବୃଦ୍ଧି କରାଯାଉ । ଦ୍ଵିତୀୟ ଆକବର ଏ ସମସ୍ତ ବିଷୟରେ ତାଙ୍କର ପକ୍ଷ ସମର୍ଥନକରି ପାର୍ଲିଆମେଣ୍ଟରେ ଆପତ୍ତି ଜଣାଇବା ପାଇଁ ରାମମୋହନଙ୍କୁ ମନୋନୀତ କଲେ । ସମ୍ରାଟ୍‌ ରାମମୋହନଙ୍କୁ ରାଜା ଉପାଧିରେ ଭୂଷିତ କରି ସ୍ଵତନ୍ତ୍ର ଦୂତରୂପେ ଇଂଲଣ୍ଡ ପଠାଇଥିଲେ ।

 

ଇଂଲଣ୍ଡ ସରକାର ଏହି ଉପାଧିକୁ ସ୍ୱୀକାର କରିଥିବା ପ୍ରମାଣ ମିଳେ । ରାମ ମୋହନଙ୍କ ଇଂଲଣ୍ଡ ଯାତ୍ରା ପଛରେ ଆହୁରି ଦୁଇଟି ଉଦ୍ଦେଶ୍ୟ ମଧ୍ୟ ନିହିତ ଥିଲା । (କ) ଇଷ୍ଟ ଇଷ୍ଟିଆ କମ୍ପାନୀର ସନନ୍ଦ ନବୀକରଣ ପାଇଁ ଇଂଲଣ୍ଡର ହାଉସ ଅଫ୍‌ କମନସ୍‌ ଆଲୋଚନାରେ ଅଂଶ ଗ୍ରହଣ କରିବା । (ଖ) ସତୀଦାହ ନିବାରଣ ସପକ୍ଷରେ ଇଂଲଣ୍ଡ ପାର୍ଲିଆମେଣ୍ଟରେ ଏକ ସ୍ମାରକ ପତ୍ର ଦେବା ।

 

ଉପରୋକ୍ତ ତିନୋଟି ଉଦ୍ଦେଶ୍ୟ ରଖି ରାମମୋହନ ୧୮୩୦ ମସିହା ନଭେମ୍ବର ମାସ ୧୫ ତାରିଖ ଦିନ ଇଂଲଣ୍ଡ ଅଭିମୁଖେ ଯାତ୍ରାକଲେ । ଆଲିବିଅନ୍‌ ନାମକ ଏକ ଜାହାଜରେ କଲିକତା ଠାରୁ ସେ ବାହାରିଲେ । ତାଙ୍କ ସାଙ୍ଗରେ ଥିଲେ ତାଙ୍କର ପୋଷ୍ୟପୁତ୍ର ରାଜାରାମ ଏବଂ ତାଙ୍କର ଦୁଇଜଣ କର୍ମଚାରୀ, ରାମହରି ଦାସ ଓ ରାମରତନ ମୁଖୋପାଧ୍ୟାୟ । ରାମମୋହନ ଇଂଲଣ୍ଡ ଯାତ୍ରା କରିବା ପୂର୍ବରୁ ତାଙ୍କର ଉଦାର ମତବାଦ, ଇଂରାଜୀ ଶିକ୍ଷା ପ୍ରତି ପ୍ରଗାଢ଼ ଅନୁରିକ୍ତ, ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରସାର ଦିଗରେ ତାଙ୍କର ଅନନ୍ୟ ସାଧାରଣ ଉତ୍ସାହ ଓ ଉନ୍ନତିଶୀଳ ଉଦ୍ୟମ, ସତୀଦାହ ପ୍ରଥା ନିଷିଦ୍ଧ କରିବା ପାଇଁ ତାଙ୍କ ଆନ୍ତରିକ ପ୍ରଚେଷ୍ଠା ଓ ସଫଳତା ସମ୍ପର୍କରେ ଇଂଲଣ୍ଡରେ ପ୍ରାୟ ସର୍ବତ୍ର ସେ ପରିଚିତ ହୋଇ ଉଠିଥିଲେ ।

 

ରାମମୋହନ ଭାରତରେ ଯେତେବେଳେ ନାନାବିଧ କାର୍ଯ୍ୟରେ ବ୍ୟାପୃତ ଥିଲେ, ସେତେବେଳେ ଇଂରେଜ ସରକାରଙ୍କ ଅନେକ କର୍ମଚାରୀ ରାଜଧାନୀ କଲିକତାରୁ ଇଂଲଣ୍ଡର ବହୁ ବିଶିଷ୍ଟ ଲୋକଙ୍କ ନିକଟକୁ ରାମମୋହନଙ୍କ ସଂସ୍କାରବାଦୀ କାର୍ଯ୍ୟକ୍ରମ ଓ ପ୍ରଗତିଶୀଳ ମନୋଭାବ ସଂପର୍କରେ ବରାବର ଚିଠିପତ୍ର ଲେଖି ଜଣାଉଥିଲେ । ଏହି ଅବସରରେ ରାମମୋହନ ଇଂଲଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବାର ସମ୍ବାଦପାଇ ଇଂଲଣ୍ଡର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଦର୍ଶନ ଲାଗି ଆଗ୍ରହ ପ୍ରକାଶ କରିଥିଲେ ।

 

ଜଣେ ଇଂରେଜ ବ୍ୟକ୍ତି ରାମମୋହନଙ୍କ ଇଂଲଣ୍ଡ ପରିଦର୍ଶନ ସଂପର୍କରେ ବିଖ୍ୟାତ ଦାର୍ଶନକ ଜେରେମି ବେନ୍ଥାମ୍‌ଙ୍କ ନିକଟକୁ ଏକ ପତ୍ର ଲେଖି ରାମମୋହନଙ୍କ ପ୍ରତି ତତ୍‌କାଳୀନ ଗଭର୍ଣ୍ଣର ଜେନେରାଲଙ୍କ ପ୍ରଗାଢ଼ ସମ୍ମାନ ବିଷୟରେ ଉଲ୍ଲେଖ କରିଥିଲେ* ।

 

*His grand object besides the natural one of satisfying his own laudable spirit of enquiring has been to set a laudable example to his benighted country men.....The good which this excellent and extraordinary man has already effected by his writing and example cannot be told.......It is no small compliment to such a man that even a Governor General like the present who, though, a man of the most honest intension, suspects every one, and trusts no body, and who knows that Ram Mohan greatly disapproves of many of the acts of the Government should have shown him so much respects as to furnish him with introduction to friends of rank and political influence in England

 

ରାମମୋହନ ଜାହାଜରେ ଯାତ୍ରା କରୁଥିବା ବେଳେ ପ୍ରତ୍ୟହ ସେ ସଂସ୍କୃତ ଓ ହିବ୍ର୍ୟୁ ଭାଷାରେ ରଚିତ କେତେକ ଗ୍ରନ୍ଥ ପାଠ କରୁଥିଲେ ଏବଂ ତାଙ୍କର ବହୁ ସମୟ ଏଇଥିରେହିଁ ଅତିବାହିତ ହେଉଥୁଲା । ତାଙ୍କର ଇଂଲଣ୍ଡ ଯାତ୍ରା ସଂପର୍କୀୟ ବିବରଣୀରୁ ଜଣାଯାଏ ଯେ, ଉକ୍ତ ଆଲିବିଅନ ଜାହାଜ ଇଂଲଣ୍ଡର ଲିଭରପୋଲ ଅଭିମୁଖେ ଆଗେଇ ଚାଲିଥାଏ । ସନ୍ଧ୍ୟା ସମୟରେ ଜାହାଜର ସମସ୍ତ ଯାତ୍ରୀ ଡେକ୍‌ ଉପରେ ଉପସ୍ଥିତ ହୋଇ ବିଭିନ୍ନ ବିଷୟରେ ଆଳପ ଆଲୋଚନା କରନ୍ତି । ରାମମୋହନଙ୍କ ଭଳି ଜଣେ କ୍ଷଣଜନ୍ମା ବ୍ୟକ୍ତିଙ୍କ ସଂପର୍କରେ ଜାହାଜର ପ୍ରାୟ ପ୍ରତ୍ୟେକ ଯାତ୍ରୀ ଅବିହିତ ହୋଇଥାନ୍ତି । ତାଙ୍କୁ ପ୍ରତିଦିନ ବହୁ ପ୍ରକାର ପ୍ରଶ୍ନ ପଚରାଯାଏ ଏବଂ ପ୍ରଶ୍ନ କର୍ତ୍ତାମାନେ ସନ୍ତୋଷଜନକ ଉତ୍ତର ପାଇ ଆନିନ୍ଦିତ ହୁଅନ୍ତି । ଦିନେ ସାଗରରେ ଭୀଷଣ ଝଡ଼ତୋଫାନ ଆରମ୍ଭ ହେଲ । ସମୁଦ୍ର ଉତ୍ତାଳ ତରଙ୍ଗରେ ସମଗ୍ର ଜାହାଜଟି କମ୍ପିତ ହେଲା । ଜାହାଜଟି ଖୁବ୍‍ ଅଳ୍ପ କାଳ ମଧ୍ୟରେ ବିପନ୍ନ ହେବାର ଆଶଙ୍କାକରି ଭୀତତ୍ରସ୍ତ ହୋଇ ପଡ଼ିଲେ । କିନ୍ତୁ ରାଜରାମମୋହନ ଥିଲେ ସେଥିରେ ଏକମାତ୍ର ଯାତ୍ରୀ, ଯେ କି ଏହି ସାମୁଦ୍ରିକ ଝଡ଼ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଥିଲେ ଅବିଚଳିତ । ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ୁଥିବା ବେଳେ ଈଶ୍ଵରଙ୍କ ଉପରେ ଅଟଳ ବିଶ୍ଵାସ ଆରୋପକରି ସମସ୍ତ ଆଶଙ୍କା ପରିତ୍ୟାଗ କରିବା ପାଇଁ ସେ ଯାତ୍ରୀମାନଙ୍କୁ ଉପଦେଶ ଦେଉଥିଲେ । ଲକ୍ଷ୍ୟ କରାଯାଉଥିଲା ଯେ, ରାମମୋହନ ଯେତେବେଳେ ପ୍ରଶାନ୍ତ ଚିତ୍ତରେ ଦୈନନ୍ଦିନ ସମସ୍ତ କାର୍ଯ୍ୟ କରିଯାଉଥିଲେ ।

 

ଆଲିବିଅନ୍‌, ଜାହାଜଟି ଏହାର କିଛି ମାସ ପରେ ଦକ୍ଷିଣ ଆଫ୍ରିକାର ନେଟାଲ ବନ୍ଦରରେ ନିରାପଦରେ ପହଞ୍ଚିଲା । ଏକ ବିବରଣୀରୁ ଜଣାଯାଏ ଯେ, ନେଟାଲ ବନ୍ଦରରେ ଜାହାଜ ପହଞ୍ଚିବା ସଂଗେ ସଂଗେ ସେଠାରେ ଦୁଇଟି ଫରାସୀ ଜାହାଜ ସ୍ଵାଧୀନତାର ପତକା ଉଡ଼ାଇ ଯାଉଥିବାର ଦୃଷ୍ଟିଗୋଚର ହୋଇଥଲା । ଏହି ପତାକା ଦର୍ଶନକରି ରାମମୋହନ ଏପରି ବିହ୍ଵଳିତ ହୋଇ ପଡ଼ିଥିଲେ ଯେ, ସେ ତତ୍‌କ୍ଷଣାତ୍‌ ଜାହାଜର ଡେକ୍‌ ଉପରକୁ ଯିବାପାଇଁ ବାହାରିଲେ । ସେ ସମୟରେ ସିଡ଼ିରେ ଆରୋହଣ କଲାବେଲେ ତାଙ୍କର ଗୋଡ଼ ଖସିଯାଇ ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ପାଦରେ ଗୁରୁତର ଆଘାତ ଲାଗିଥିଲା । ଏହା ସତ୍ତ୍ୱେ ସେ ସ୍ଵାଧୀନତାର ପତାକା ଜାହାଜର ଡେକ୍‌ ଉପରୁ ଦର୍ଶନ କରିବାର ଆଶା ତ୍ୟାଗ କଲେ ନାହିଁ । ତାଙ୍କର ଅନୁରୋଧ କ୍ରମେ ଜାହାଜର କେତେଜଣ ଯାତ୍ରୀ ତାଙ୍କୁ ଟେକି ନେଇ ଡେକ୍‌ ଉପରେ ବସାଇଲେ । ରାମମୋହନ ପାଦରେ ଗୁରୁତର ଯନ୍ତ୍ରଣା ଅନୁଭବ କରୁଥିବାବେଳେ ମଧ୍ୟ ଫ୍ରାନ୍‌ସ ଜାତୀୟ ଗୌରବର ପ୍ରତୀକ ଏହି ସ୍ଵାଧୀନତାର ପତାକାକୁ ବାରମ୍ବାର ଅଭିବାଦନ ଜଣାଇଥିଲା ।

 

ଏହାର ଚାରିମାସ ତେଇସ ଦିନ ପରେ ଜାହାଜଟି ‘ଲିଭରପୋଲ’ ବନ୍ଦରରେ ଉପସ୍ଥିତ ହେଲା । ଲିଭରପୋଲ ଠାରେ ରାମମୋହନ ଅଳ୍ପକିଛି ଦିନ ଅବସ୍ଥାନ କରିଥିଲେ । ଏହି ସମୟ ମଧ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ସେଠାରୁ ସେ ଯାଇ ଲଣ୍ଡନରେ ପହଞ୍ଚି ଲଣ୍ଡନର ଗୋଟିଏ ହୋଟେଲରେ ଅବସ୍ଥାନ କଲେ । ଭାରତ ଛାଡ଼ିବା, ବିଲାତରେ ପଦାର୍ପଣ କରିବା ମଧ୍ୟରେ ପ୍ରାୟ ଦେଢ଼ବର୍ଷ ସମୟ ଅତିବାହିତ ହୋଇଯାଇଥିଲା । ରାମମୋହନ ଲଣ୍ଡନରେ ଯେଉଁ ହୋଟେଲରେ ରହିଥିଲେ, ସେଠାରେ ରାମମୋହନ ଦର୍ଶନ ଲାଗି ଏତେ ସଂଖ୍ୟକ ଲୋକ ଆସି ଜମା ହେଉଥିଲେ ଯେ, ଶେଷରେ ସେମାନଙ୍କୁ ବାରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଡାକ୍ତରମାନଙ୍କୁ ହସ୍ତକ୍ଷେପ କରିବାକୁ ହୋଇଥିଲା ।

 

ଇଂଲଣ୍ଡରେ ରାମମୋହନ ବହୁ ବିଶିଷ୍ଟ ରାଜନୈତିକ ନେତା, ଦାର୍ଶନିକ ଐତିହାସିକ ଧର୍ମ ପ୍ରଚାରକ, ପାର୍ଲି ଆମେଣ୍ଟ ସଦସ୍ୟଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ବହୁବାର ଆଳାପ ଆଲୋଚନା କରିଥିଲେ । ରାମମୋହନ ଲିଭରପୋଲଠାରୁ ଲଣ୍ଡନ ଆସିବା ବାଟରେ ବିଖ୍ୟାତ ବସ୍ତ୍ରଶିଳ୍ପ କେନ୍ଦ୍ର ମାନଚେଷ୍ଟର ସହର ଓ ସେଠାରେ କର୍ମତତ୍ପରତା ଦେଖି ମୁଗ୍‌ଧ ହୋଇଯାଇଥିଲେ-। ଶ୍ରମଜୀବୀମାନଙ୍କର ସ୍ଵାର୍ଥ ସଂରକ୍ଷଣ କରିବା ତାଙ୍କର ଲକ୍ଷ୍ୟ ଥିବାରୁ ଏବଂ ଶ୍ରମିକମାନଙ୍କର ସେ ଜଣେ ପରମ ବନ୍ଧୁ ଭଳି କାର୍ଯ୍ୟ କରୁଥିବାରୁ ମାନଚେଷ୍ଟର ଠାରେ ରାମମୋହନଙ୍କ ଦର୍ଶନଲାଗି ଶହଶହ ଶ୍ରମଜୀବୀଙ୍କ ଉପସ୍ଥିତ ହେଲେ । ଏହି ଶ୍ରମିଜୀବୀମାନଙ୍କର ଏକ ସଭାରେ ରାମମୋହନ ଉଦ୍‌ବୋଧନ ଦେଇ ଭାରତର କେତେକ ସମସ୍ୟା ସଂପର୍କରେ ଉଲ୍ଲେଖ କରିଥିଲେ-। ଲଣ୍ଡନରେ ରାମମୋହନଙ୍କୁ ଦର୍ଶନକରି ତାଙ୍କ ସହିତ ଆଲେଚନା କରିବାପାଇଁ ଯେଉଁମାନେ ଆସୁଥିଲେ, ରାମମୋହନ ବହୁ ତଥ୍ୟ ଓ ଯୁକ୍ତି ସମ୍ବଳିତ ମତବ୍ୟକ୍ତ କରି ଅତି ସ୍ପଷ୍ଟ ଭାବରେ ଭାରତର ବିଭିନ୍ନ ସମସ୍ୟା ଉପସ୍ଥାପନ କରୁଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ରାମମୋହନଙ୍କ ଯୁକ୍ତି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବା ସଙ୍ଗେ ସଙ୍ଗେ ଭାରତକୁ ପ୍ରଗତି ପଥରେ ଆଗେଇ ନେବାପାଇଁ ରାମମୋହନଙ୍କୁ ସମର୍ଥନ କରୁଥିଲେ । ଆଲୋଚନାବେଳେ ରାମମୋହନଙ୍କର ଅଗାଧ ପାଣ୍ଡିତ୍ୟ, ବିନମ୍ରତା ଓ ଅସାଧାରଣ ତର୍କ ଶକ୍ତି ଦେଖି ଇଂଲଣ୍ଡର ବହୁ ବିଶିଷ୍ଠନେତା ଚମତ୍କୃତ ନ ହୋଇ ରହି ପାରୁନଥିଲେ । ଅତି ଜଟିଳ ପ୍ରଶ୍ନ ତାଙ୍କୁ ପଚରାଗଲେ ମଧ୍ୟ ସେ ତାହାର ସମାଧାନକରି ଉତ୍ତର ଏପରି ସରଳ ଭାବରେ ଦେଉଥିଲେ ଯେ, ପ୍ରଶ୍ନକର୍ତ୍ତା ଏଥିରେ ମୁଗ୍‌ଧ ହୋଇ ଯାଉଥିଲେ-। ଏହା ଫଳରେ କ୍ରମଶଃ ଅଧିକରୁ ଅଧିକବ୍ୟକ୍ତି ରାମମୋହନଙ୍କ ପ୍ରତି ଆକୃଷ୍ଟ ହେବାକୁ ଲାଗିଲେ-। ରାମମୋହନ ଇଂଲଣ୍ଡ ଅବସ୍ଥାନ କରୁଥିବା ସମୟରେ ଇଂଲଣ୍ଡର ରାଜା ଚତୁର୍ଥ ଉଇଲିଅମ୍‌ଙ୍କ ସହ ସାକ୍ଷାତ କରିବା ପାଇଁ ସୁଯୋଗ ପାଇଲେ । ରାଜା ଉଇଲିଅମ୍‍ ରାମମୋହନଙ୍କ ରାଜା ଉପାଧିକୁ ସ୍ଵୀକାର କରିଥିଲେ ।

 

ଇଂଲଣ୍ଡ ରାଜାଙ୍କ ଅଭିଷେକ ସମୟରେ ରାମମୋହନ ସ୍ଵତନ୍ତ୍ରଭାବେ ନିମନ୍ତ୍ରିତ ହୋଇଥିବାରୁ ଏବଂ ଉକ୍ତ ଉତ୍ସବରେ ସେ ସମ୍ମାନାସ୍ପଦ ଆସନ ଅଳଙ୍କୃତ କରିଥିଲେ । ସେତେବେଳେ ଭାରତର ଅବସ୍ଥା ସମ୍ପର୍କରେ ଜାଣିବା ଲାଗି ବ୍ରିଟିଶ ପାର୍ଲିଆମେଣ୍ଟର ଭାରତ ସମ୍ପର୍କୀୟ କମିଟି ତାଙ୍କୁ ନିମନ୍ତ୍ରଣ କରିଥିଲେ । ଉକ୍ତ କମିଟିରରେ ବଙ୍ଗ ଓ ମାନ୍ଦ୍ରାଜର କୃଷକମାନଙ୍କର ପରିସ୍ଥିତି ସଂପର୍କରେ ତାଙ୍କୁ ବହୁ ପ୍ରଶ୍ନ ପଚରା ଯାଇଥଲା । ରାମମୋହନ ଦୃଢ଼ଭାବେ ମତବ୍ୟକ୍ତ କରିଥିଲେ ଯେ, ଭାରତରେ ଥିବା କୃଷକମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଛି । ସେମାନଙ୍କୁ ଜମିଦାରଙ୍କ ଅନୁଗ୍ରହ ଉପରେ ସର୍ବଦା ନିର୍ଭର କରି ରହିବାକୁ ପଡ଼ୁଛି । ସରକାର ଯଦି ସେମାନଙ୍କର ଏହି ପରିସ୍ଥିତି ପ୍ରତି ଉପଯୁକ୍ତ ଧ୍ୟାନଦେଇ ସେମାନଙ୍କର ଉପରେ ଟିକସ୍‌ ବୃଦ୍ଧି ନ କରିବେ, ତେବେ ସେମାଙ୍କର ଆର୍ଥିକ ଓ ସାମାଜିକ ଅବସ୍ଥାର ଉନ୍ନତି ସାଧିତ ହୋଇପାରିବ । ଭାରତର ସିଭିଲ ସର୍ଭିସ ସମ୍ପର୍କରେ ରାମମୋହନ ମଧ୍ୟ ଉକ୍ତ କମିଟି ନିକଟରେ ନିର୍ଭୀକ ଭାବେ ତାଙ୍କର ମତାମତ ପ୍ରକାଶ କରିଥିଲେ । ସେତେବେଳେ ଭାରତର ଶାସନ କ୍ଷେତ୍ରରେ ଉଚ୍ଚପଦ ପଦବୀରେ କେବଳ ଇଂରେଜମାନେ ଅଧିଷ୍ଠିତ ହେଉଥିଲେ । କଚେରୀ ମ୍ୟାନେଜର ବା ହେଡ଼୍‍କିରାଣୀ ଚାକିରି ଭାରତୀୟମାନଙ୍କ ଲାଗି ଉଚ୍ଚତମ ଆସନ ଥିଲା । ଇଂଲଣ୍ଡରୁ ପ୍ରେରିତ ଯୁବକମାନେ ଉଚ୍ଚପାହ୍ୟା ଚାକିରିରେ ରହି ଯଥେଚ୍ଛାଚାର ଶାସନ ଚଳାଉଥିଲେ । ରାମମୋହନ ଏ ସଂପର୍କରେ ଉଲ୍ଲେଖ କରି କହିଥିଲେ ଯେ, ଇଂଲଣ୍ଡର ତରୁଣ ଓ ଅଭିଜ୍ଞତା ବିହୀନ ଯୁବକମାନଙ୍କୁ ଭାରତର ଶାସନ କ୍ଷେତ୍ରରେ ଉଚ୍ଚ ପାହ୍ୟରେ ରଖି ଗୁରୁ ଦାୟିତ୍ଵ ତୁଲାଇବା ପାଇଁ ଅନୁମତି ଦେବା ଦ୍ଵାରା ଭାରତୀୟମାନଙ୍କ ପ୍ରତି ଅନ୍ୟାୟ କରାଯାଉଛି । ରୁକ୍ଷ ଇଂରେଜ ଯୁବକ ସ୍ଵଦେଶ ଏବଂ ନିଜର ଜ୍ଞାତିବର୍ଗଙ୍କ ଠାରୁ ବହୁ ଦୂରରେ ରହି ଭାରତର ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ଚଲାଉଥିବା ଏକ ସ୍ଵାଭାବିକ ଘଟଣା ହୋଇଛି । କୌଣସି ନିର୍ଦ୍ଦିଷ୍ଟ ନୀତି ବା ପନ୍ଥାର ଅନୁସରଣ କରି କାର୍ଯ୍ୟ କରିବା ଲାଗି ଏ ଅନଭିଜ୍ଞ ଇଂରେଜ ଯୁବକମାନେ ଆଦୌ ସମର୍ଥ ନୁହନ୍ତି । ତେଣୁ, ସେମାନଙ୍କ ସ୍ଥାନରେ ଅଭିଜ୍ଞ ଭାରତୀୟମାନଙ୍କୁ ନିଯୁକ୍ତ କରାଯିବା ପାଇଁ ସେ ଦାବୀ କରିବା ସଂଗେ ସଂଗେ ତାଙ୍କର ଦାବୀର ସପକ୍ଷରେ ଯୁକ୍ତି ଦେଇ କହିଥିଲେ ଯେ, ଭାରତୀୟମାନଙ୍କ ସେମାନଙ୍କ ଦେଶର ଶାସନ ସହିତ ବିଶେଷ ଭାବରେ ସମ୍ପୃକ୍ତ ନ କଲେ ଭାରତର ଉନ୍ନତି ଆଦୌ ସମ୍ଭବ ହୋଇ ପାରିବ ନାହିଁ ।

 

ସେ କାଳର ପ୍ରବଳ ପ୍ରତାପୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ବା ଇଂରେଜମାନଙ୍କ ବିରୁଦ୍ଧରେ ଇଂଲଣ୍ଡ ପାର୍ଲିଆମେଣ୍ଟରେ ଦୃଢ଼ତାର ସହିତ କୌଣସି ବାକ୍ୟ ଉଚ୍ଚାରଣ କରିବା ଅତ୍ୟନ୍ତ ଦୁରୂହ ବ୍ୟାପାର ଥିଲା । ଜଣେ ଭାରତୀୟ ଭାବରେ ଇଂରେଜ ଶାସନର ତ୍ରୁଟି ବିଚ୍ୟୁତି ଦର୍ଶାଇ ବ୍ରିଟିଶ ପାର୍ଲିଆମେଣ୍ଟ କମିଟିରେ ଭାରତୀୟମାନଙ୍କ ସପକ୍ଷରେ ଯୁକ୍ତି କରିବା ଏକ ଅସମ୍ଭବ ବ୍ୟାପାର ରୂପେ ବିବେଚିତ ହେଉଥିଲା । କିନ୍ତୁ ରାମମୋହନ ଭଳି ଜଣେ ନିର୍ଭୀକ, ଅଭିଜ୍ଞ, ଉଦାରଚେତା, ସ୍ଵାଧୀନଚେତା, ଓ ସଂସ୍କାରକଙ୍କ ପକ୍ଷେ ଇଂରେଜ ଶାସକମାନଙ୍କ ପ୍ରତାପ ନଗଣ୍ୟ ମନେ ହେଉଥିଲା । ସେ ଯାହା ଠିକ୍‌ ବୋଲି ଥରେ ଭାବୁଥିଲେ, ତାହାର ତତ୍‌କ୍ଷଣାତ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟରେ ପରିଣତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଥିଲେ ।

 

ପ୍ରାଚ୍ୟ ଭୂଖଣ୍ଡ ମହାନ୍‌ ବ୍ୟକ୍ତି ରାଜା ରାମମୋହନ ଜାହାଜରୁ ଓହ୍ଲାଇ ଯେତେବେଳେ ଇଂଲଣ୍ଡ ମାଟିରେ ପଦାର୍ପଣ କଲେ, ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସେ ଲିଭର୍‌ପୋଲ ଯେଉଁ ହୋଟେଲରେ ରହିଥିଲେ ପ୍ରଥମେ ସେଠାରେ ତାଙ୍କର ଦର୍ଶନ ଲାଭ କରିବା ପାଇଁ ଇଂଲଣ୍ଡର ବିଖ୍ୟାତ ଐତିହାସିକ ରସ୍କୋ ତାଙ୍କର ତିନି ପୁତ୍ରଙ୍କୁ ତାଙ୍କ ନିକଟକୁ ପଠାଇଥିଲେ । ଏହି ମହାନ୍‍ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇବା ଥିଲା ରସ୍କୋଙ୍କ ଉଦ୍ଦେଶ୍ୟ । ରସ୍କୋ ନିଜେ ପୀଡ଼ିତ ଥିବାରୁ ରାମମୋହନଙ୍କ ସହ ସାକ୍ଷାତ କରିବାକୁ ଆସି ପାରିନଥିଲେ । କିନ୍ତୁ ରାମମୋହନ ଏହା ଶୁଣିବା ପରେ ଇଂଲଣ୍ଡର ବୃଦ୍ଧ ଐତିହାସିକ ରସ୍କୋଙ୍କ ନିକଟକୁ ଯାଇ ତାଙ୍କର ମହାନୁଭବତା ପ୍ରତିପାଦନ କରିଥିଲେ । ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବାର ଅଳ୍ପ କେତେଦିନ ପରେ ଐତିହାସିକ ରସ୍କୋଙ୍କର ବିୟୋଗ ହୋଇଥିଲା । ରାମମୋହନ ଇଂଲଣ୍ଡରେ ଥିବା ସମୟରେ ଏହି ଦୁଃଖପୂର୍ଣ୍ଣ ବାର୍ତ୍ତା ଶୁଣିବାକୁ ପାଇଥିଲେ ।

 

ଲିଭରପୋଲଠାରେ ଥିବା ଗୋଟିଏ ୟୁନିଟେରିଆନ ଚର୍ଚ୍ଚ ପରିଦର୍ଶନ କରିବା ଲାଗି ରାମମୋହନ ଯାଇଥିଲେ । ସେଠାରେ ଯେଉଁ ମନ୍ତ୍ରପାଠ କରାଗଲା, ରାମମୋହନ ତାହା ସମସ୍ତ ଶୁଣିବା ପରେ ସେଥିରେ ସନ୍ତୁଷ୍ଟ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ । ଶେଷରେ ଦେଖାଗଲାଯେ ସେଠାରେ ଉପସ୍ଥିତ ଥିବା ଲୋକେ ଉପାସନା ପରେ ପ୍ରତ୍ୟାବର୍ତ୍ତନ କରିବା ପରିବର୍ତ୍ତେ ସମସ୍ତେ ରାମମୋହନଙ୍କ ଆଡ଼କୁ ଚାଲିଲେ । ପାଖରୁ ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହେଲା ଏବଂ ରାମମୋହନ ସେଠାରେ ଭାଷଣ ଦିଅନ୍ତୁ ବୋଲି ଦାବୀ ହେଲା । ଏପରି ପରିସ୍ଥିତିରେ ରାମମୋହନ ସେଠାରେ ଇଂରାଜୀ ଭାଷାରେ ଗୋଟିଏ ନୀତିଦୀର୍ଘ ପ୍ରଦାନ କରି ସମସ୍ତଙ୍କୁ ମୁଗ୍‌ଧ କରି ଦେଇଥିଲେ ।

 

ପୂର୍ବରୁ କୁହାଯାଇଛି ଯେ, ରାମମୋହନ ଲିଭରପୋଲ ଠାରୁ ମଞ୍ଚେଷ୍ଟର ବାଟଦେଇ ଲଣ୍ଡନ ଆସିଥିଲେ । ସେ ଯେଉଁଦିନ, ରାତିରେ ଆସି ଲଣ୍ଡନରେ ପହଞ୍ଚିଲେ, ବିଖ୍ୟାତ ଦାର୍ଶନିକ ମି: ବେନ୍ଥାମ ତାଙ୍କର, ନିଭୃତ ଆଶ୍ରମଟିକୁ ବନ୍ଦକରି ସ୍କୁଲ ଚାଲି ଚାଲି ଆସି ରାମମୋହନ ଙ୍କୁ ଦର୍ଶନ କରିଥିଲେ । ଏହାର ବହୁଦିନ ପୂର୍ବରୁ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ମାନବର ସେବାରେ ବିନିଯୋଗ କରିବେ ବୋଲି ବଦ୍ଧପରିକର ହୋଇ ବେନ୍ଥାମ ଲଣ୍ଡନ ଅନତି ଦୂରରେ ଗୋଟିଏ ଆଶ୍ରମ କକ୍ଷରେ ଏକାକୀ କାର୍ଯ୍ୟରତ ରହୁଥିଲେ । ବେନ୍ଥାମ ଓ ରାମମୋହନ ମଧ୍ୟରେ ସାକ୍ଷାତ ଆଲୋଚନା ହେବା ପରେ ଦୁଇଜଣ ମହାନ୍‌ବ୍ୟକ୍ତିଙ୍କ ମଧ୍ୟରେ ବନ୍ଧୁତାର ସୂତ୍ର ଦୃଢ଼ତର ହେବାକୁ ଲାଗିଲା ଏବଂ ଏହି ସୂତ୍ରକୁ କେବଳ ମୃତ୍ୟୁହିଁ ବିଚ୍ଛିନ୍ନ କରି ପାରିଥିଲା । ମହାନ ଭାରତୀୟ ରାମମୋହନଙ୍କ ସହିତ ସାକ୍ଷାତ କରି ମହାନ ଇଂରେଜ ବେନ୍ଥାମ ଗର୍ବ ଅନୁଭବ କଲେ ଏବଂ ରାମମୋହନ ସମଗ୍ର ମାନବ ସମାଜର ଜଣେ ଅତ୍ୟନ୍ତ, ପ୍ରିୟ ସେବକ ବୋଲି ବେନ୍ଥାମ ସମ୍ବୋଧନ କରିଥିଲେ । କେବଳ ସେତିକି ନୁହେଁ, ଇଂଲଣ୍ଡର ଯେଉଁ ନବାବମାନେ ଭାରତକୁ ଆସିଲେ, ସେମାଙ୍କ ସହିତ ଭାରତୀୟମାନେ ସାକ୍ଷାତ କରିବା ତ ଦୂରର କଥା, ସେମାନଙ୍କ କଚେରୀ-ବାରଣ୍ଡାରେ ମଧ୍ୟ ଅପେକ୍ଷା କରିବା ପାଇଁ ଅନୁମତି ମିଳେ ନାହିଁ, ସେହି ନବାବମାନେ ଇଂଲଣ୍ଡରେ ରାମମୋହନଙ୍କ ଦର୍ଶନ ଲାଭ କରିବା ପାଇଁ ତାଙ୍କ ଉପରେ ବିପୁଳ ସମ୍ମାନ ଅଜାଡ଼ି ଦେବା ପାଇଁ ଆଗ୍ରାହର ସହ ଆସିଥିଲେ । ଇଂଲଣ୍ଡ ଯେଉଁ ଲର୍ଡମାନେ ନିଜର ପଦାଧିକାରୀ ଓ ମର୍ଯ୍ୟାଦା ଯୋଗୁଁ ଅତ୍ୟନ୍ତ ଗର୍ବିତ ସେମାନେ ରାମମୋହନ ଦର୍ଶନ କରି ତାଙ୍କ କାର୍ଯ୍ୟକଳାପର ଉଚ୍ଛ୍ଵସିତ ପ୍ରଶଂସା କରିବାକୁ ଲାଗିଲେ । ସେମାନଙ୍କ ମଧ୍ୟରୁ କେତେକ ରାମମୋହନଙ୍କଠାରୁ ଭାରତ ସଂପର୍କରେ ତଥ୍ୟରେ ସଂଗ୍ରହ କରିଥିଲେ । ଲର୍ଡ ବ୍ରୋହାମ, ସାର ଉଇଲିଅମ୍‍ ହର୍ଟନ, ସାର୍‍ ହେନେରୀ ଷ୍ଟ୍ରାଚେ, ସାର ଚାର୍ଲସ ଫୋରମସ୍‌ ପ୍ରଭୃତି କେତେକଙ୍କ ନାମ ଏ ସଂପର୍କରେ ଉଲ୍ଲେଖଯୋଗ୍ୟ ।

 

ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ଲଣ୍ଡନ ପୋଲର ଉଦ୍‌ଘାଟନ ଉପଲକ୍ଷେ ଅନୁଷ୍ଠିତ ଭୋଜି ସଭାରେ ଯୋଗ ଦେବାପାଇଁ ଲଣ୍ଡନର ତତ୍‌କାଳୀନ ରାଜା ତାଙ୍କୁ ନିମନ୍ତ୍ରଣ କରିଥିଲେ । ରାମମୋହନ ଇଂଲଣ୍ଡରେ ଅବସ୍ଥାନ କରୁଥିବା ସମୟରେ କେତେକ ଇଂରେଜ ପରିବାର ତାଙ୍କର ବିଶେଷ ଯତ୍ନ ନେଉଥିଲେ । ରାମମୋହନଙ୍କ ଅନ୍ତରଙ୍ଗ ବନ୍ଧୁ ଡେଭିଡ୍ ହେୟାରଙ୍କ ପରିବାର ସେଥିରୁ ଏକତମ । ଡେଭିଡ ହେୟାର ଭାରତୀୟମାନଙ୍କର ମାନସିକ ଓ ନୈତିକ ବିକାଶ ଦିଗରେ ବହୁ କାର୍ଯ୍ୟ କରି ଯାଇଥି ଲେ । ଡକ୍ଟର କାରପେଣ୍ଟରଙ୍କ ପରିବାର ରାମମୋହନଙ୍କର ଅନ୍ତର୍ନିହିତ ଶକ୍ତିରେ ଏପରି ବିମୁଗ୍‌ଧ ହୋଇଥିଲେ ଯେ, ତାଙ୍କଭଳି ଜଣେ ଅସାଧାରଣ ବ୍ୟକ୍ତିଙ୍କୁ ଯେଉଁ ଭୂମି ଜନ୍ମ ଦେଇଛି, ତାହାକୁ ଦେଖିବା ପାଇଁ ସେମାନେ ପ୍ରବଳ ଇଚ୍ଛା ପ୍ରକାଶ କରିଥିଲେ ।

 

ରାମମୋହନ ଲଣ୍ଡନରେ ବିଖ୍ୟାତ ସମାଜବାଦୀ ବ୍ରିଟିଶ ଦାର୍ଶନିକ ରବର୍ଟ ଓଏନଙ୍କ ସହ ଆଲୋଚନା କରିଥିଲେ । ତାଙ୍କର ପ୍ରବର୍ତ୍ତିତ ସମାଜବାଦୀ ଦର୍ଶନକୁ ରାମମୋହନ ଗ୍ରହଣ କରନ୍ତୁ ବୋଲି ଓଏନ ତାଙ୍କ ଉପରେ ପ୍ରବଳ ଚାପ ପକାଇଥିଲେ । ସମାଜବାଦ ଉପରେ ଉଭୟଙ୍କ ମଧ୍ୟରେ ବହୁ ଯୁକ୍ତିତର୍କ ହେଲା । ଶେଷରେ ଓଏନ ଅତ୍ୟନ୍ତ କ୍ରୋଧ ପ୍ରକାଶ କରି ରାମମୋହନଙ୍କ ସହିତ ଆଲୋଚନା କରିବାରୁ ରାମମୋହନ ସେହିଠାରେ ଆଲୋଚନା ବନ୍ଦକରି ସେ ସଂପର୍କରେ ଗଭୀର ଚିନ୍ତା କରିଥିଲେ । ଏହାର ଦୁଇବର୍ଷ ପରେ ଓଏନଙ୍କ ପୁତ୍ର ରବର୍ଟ ଡାଲି ଓଏନଙ୍କ ନିକଟକୁ ଏକ ପତ୍ର ଲେଖି ଓଏନଙ୍କ ସମାଜବାଦୀ କାର୍ଯ୍ୟକ୍ରମକୁ ସେ ଅନ୍ତରର ସହିତ ଅନୁମୋଦନ କରୁଛନ୍ତି ବୋଲି ରାମମୋହନ ସେଥିରେ ଉଲ୍ଲେଖ କରିଥିଲେ । ଏହା ସଙ୍ଗେ ସଙ୍ଗେ ସମାଜବାଦର ଯେଉଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଉଭୟଙ୍କ ମଧ୍ୟରେ ମତାନୈକ୍ୟ ଥିଲା ତାହା ମଧ୍ୟ ସେଥିରେ ସେ ଉଲ୍ଲେଖ କରିଥିଲେ ।

 

୧୯୩୪ ମସିହା ଫେବୃୟାରୀ ୧୮ ତାରିଖରେ ଇଣ୍ଡିଆ ଗେଜେଟରେ ପ୍ରକାଶ ପାଇଥିଲା, ‘‘Ram Mohan Roy surpassed the generality of his countrymen in his personal appearance almost as much as in his mental powers . In the prime of his manhood his figure was beyond common height, was stout and muscular in proportion. His countenance wore the expression of blended dignity and benevolence that charmed at first sight and put his visitor at their ease, while it checked any irreverent familiarity. In the latter part of his life which closed in his sixtieth year his manly figure began to door, perhaps not so much from age as the weight of thought and the toil of study . But his fine dark eye, though it lost something of it’s fire, retained it’s intelligence and amenity to the last’’.

 

ରାଜାରାମମୋହନ କିଛିକାଳ ଲଣ୍ଡନରେ ଅବସ୍ଥାନ କରିବା ପରେ ସେଠାରୁ ଫ୍ରାନ୍‌ସ ଯାଇଥିଲେ । ସେଠାରେ ବହୁବିଶିଷ୍ଟ ବ୍ୟକ୍ତିଙ୍କ ସହିତ ତାଙ୍କର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଫ୍ରାନ୍‌ସରେ ଥିବା ସମୟରେ ସେ ଅଷ୍ଟ୍ରିଆ, ଇଟାଲୀ ଓ ଅନ୍ୟାନ୍ୟ କେତେକ ସ୍ଥାନକୁ ଯିବା ପାଇଁ ସ୍ଥିର କରିଥିଲେ ମଧ୍ୟ ଭାରତ ସଂପର୍କରେ ବ୍ରିଟିଶ ପାର୍ଲିଆମେଣ୍ଟରେ ସେତେବେଳେ ଆଲେଚନା ହେବାର କାର୍ଯ୍ୟକ୍ରମ ଥିବାରୁ ଇଂଲଣ୍ଡକୁ ଫେରି ଆସିଥିଲେ । କେତେକ ମତରେ ରାମମୋହନ ଭାରତରୁ ସତୀଦାହ ପ୍ରଥା ଲୋପ ଲାଗି ଓ ମୋଗଲ ସମ୍ରାଟ୍‌ଙ୍କ ପେନସନ୍‍ ବୃଦ୍ଧି ଲାଗି ବ୍ରିଟିଶ ସରକାରଙ୍କ ଆଗରେ ଯେଉଁ ଦାବୀ ଉପସ୍ଥାପନ କରିଥିଲେ, ତାହା ପୂରଣ ହୋଇଥିବା ଶୁଣି ପାରି ସେ ଇଂଲଣ୍ଡ ଫେରିଆସିଥିଲେ । ଆଉ ଏକ ସୂତ୍ରରୁ ଜଣାଯାଏ ଯେ, ଭାରତ ସଂପର୍କରେ ବ୍ରିଟିଶ ପାର୍ଲିଆମେଣ୍ଟରେ ଆଲୋଚନା ହେବାଲାଗି ଯେଉଁ କାର୍ଯ୍ୟକ୍ରମ ଥିଲା ତାହାର ସୁଯୋଗ ନେଇ ଭାରତର ଉନ୍ନତି ପାଇଁ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ରାମମୋହନ ଇଂଲଣ୍ଡ ଫେରିଥିଲେ । ତେବେ ଯାହାହେଲେ ମଧ୍ୟ, ରାମମୋହନଙ୍କର ସ୍ଵଦେଶାନୁରାଗ ହିଁ ତାଙ୍କୁ ଫ୍ରାନସ୍‌ରୁ ଲଣ୍ଡନକୁ ଫେରାଇ ଆଣିଥିଲା । ସେ ଲଣ୍ଡନରେ ପହଞ୍ଚିବା ନିୟମିତ ଭାବେ ବ୍ରିଟିଶ ପାର୍ଲିଆମେଣ୍ଟ ଭବନକୁ ଯାଉଥିଲେ ଓ ଦର୍ଶନ ଭାବରେ ଭାରତ ସଂପର୍କୀୟ ସମସ୍ତ ଆଲୋଚନା ଶୁଣୁଥିଲେ । ଏହି ସମୟରେ ସେ ବିଭିନ୍ନ ସଭ୍ୟମାନଙ୍କୁ ଭେଟି ଭାରତର ଅବସ୍ଥା ସଂପର୍କରେ ସେମାନଙ୍କୁ ଅବଗତ କରାଉଥିଲେ । ଇଷ୍ଟଇଣ୍ଡିଆ କମ୍ପାନୀର ସଭ୍ୟମାନେ ଦେଶପ୍ରାଣ ରାମମୋହନଙ୍କୁ ପ୍ରଗାଢ଼ ଶ୍ରଦ୍ଧାକରି ଲଣ୍ଡନର ଗୋଟିଏ ସାଧାରଣ ସଭାରେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

 

ଲଣ୍ଡନରେ ବହୁଦିନ ରହିବା ପରେ ରାମମୋହନ ଲଣ୍ଡନ ନଗରୀର କୋଳାହଳମୟ ଜୀବନଠାରୁ ଦୂରେଇଯାଇ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ଉଦ୍ଦେଶ୍ୟରେ ବ୍ରିଷ୍ଟଲକୁ ଯାଇଥିଲେ । ସେଠାରେ ପହଞ୍ଚି ଦେଶସେବକ ଡକ୍ଟର କାରପେଣ୍ଟରଙ୍କ ପରାମର୍ଶରେ ଷ୍ଟେପଲଟନ ଗ୍ରୋଭଠାରେ କୁମାରୀ କାସେଲଙ୍କ ବାସଭବନରେ ଅବସ୍ଥାନ କାଲେ । କୁମାରୀ କାସେଲ (Miss castle) ଥିଲେ ଜଣେ ଧନୀ ବ୍ୟକ୍ତିଙ୍କ କନ୍ୟା । ଡକ୍ଟର କାରପେଣ୍ଟର କୁମାରୀ କାସେଲଙ୍କ ଅଭିଭାବକ ରୂପେ କାର୍ଯ୍ୟ କରୁଥିଲେ । ରାମମୋହନଙ୍କ ଜୀବନ ସେଠାରେ ଆପାତତଃ ଶାନ୍ତିମୟ ଥିଲା । ରାମମୋହନ ସେଠାରେ ଅବସ୍ଥାନ କରୁଥିବା ଜାଣିପାରି ଇଂଲଣ୍ଡ ବହୁବିଶିଷ୍ଟ ବ୍ୟକ୍ତି ତାଙ୍କ ସହିତ ଆଳାପ ଆଲୋଚନା ଲାଗି ଆସୁଥିଲେ । ଇଂଲଣ୍ଡର ବିଶିଷ୍ଟ ପ୍ରବନ୍ଧ ଲେଖକ ଜନଫଷ୍ଟର(John Foster) ମଧ୍ୟ ରାମମୋହନଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିଲେ । ଫଷ୍ଟର ଓ ରାମମୋହନଙ୍କ ମଧ୍ୟରେ ଘନିଷ୍ଠତା ସ୍ଥାପିତ ହୋଇ ପାରିଥିଲେ । ରାମମୋହନଙ୍କର ପ୍ରଜ୍ଞା, ଚରିତ୍ରବତ୍ତାର ପରିଚୟ ଯାଇ ହଷ୍ଟର୍ଣ୍ଣ ବହୁବାର ତାଙ୍କର ଭୂରି ଭୂରି ପ୍ରଶଂସା କରିଛନ୍ତି । ବ୍ରିଷ୍ଟଲରେ ଥିବା ସମୟରେ ଡକ୍‌ଟର କାରପେଣ୍ଟରଙ୍କ (Dr Carpenter)ଙ୍କ ୟୁନିଟେରିଆନ ଉପାସନା ମନ୍ଦିରକୁଯାଇ ରାମମୋହନ ଉପାସାନାରେ ଯୋଗ ଦେଉଥିଲେ । ଖ୍ରୀଷ୍ଟଧର୍ମ ସଂପର୍କରେ ତାଙ୍କର ବହୁ ବିଶିଷ୍ଟ ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କଠାରୁ ଅଧିକ ଜ୍ଞାନଥିବାରୁ ସେ ଧର୍ମାଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ । ସମୟ ସମୟରେ ସେ ପାର୍ଥନା ସଙ୍ଗୀତ ଆବୃତ୍ତି କରୁଥିଲେ । ଦେଶସେବା ଲାଗି କୁମାରୀ କାରପେଣ୍ଟର ରାମମୋହନଙ୍କଠାରୁ ପ୍ରେରଣା ଲାଭକରି ସେ ଦିଗରେ ଯଥେଷ୍ଟ ଅଗ୍ରଗତି କରିଥିବାର ଜଣାଯାଏ । ବ୍ରିଷ୍ଟଲରେ ଅଳ୍ପ ସମୟ ରହିଲେ ମଧ୍ୟ ରାମମୋହନଙ୍କ ଯଶର ଆଲୋକ ବ୍ରିଷ୍ଟଲର ପଥପ୍ରାନ୍ତରରେ ବିଛୁରିତ ହେବାକୁ ଲାଗିଲା । କ୍ରମଶଃ ସେ ଯଥେଷ୍ଟ ଲୋକପ୍ରିୟତା ଅର୍ଜନ କରିବା ପରେ ବ୍ରିଷ୍ଟଲର ଲୋକେ ଅତ୍ୟନ୍ତ ଆଗ୍ରହ ସହକାରେ ଏକ ପ୍ରକାଶ୍ୟ ସଭାରେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସଭାରେ ସେ ପ୍ରାୟ ୩ ଘଣ୍ଟା ବ୍ୟାପୀ ଦଣ୍ଡାୟମାନ ହୋଇ ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇଥିଲେ । ଏହି ଘଟଣାର ଠିକ୍‍ ପରଦିନ ସେ ଜ୍ଵର ରୋଗରେ ଆକ୍ରାନ୍ତ ହେଲେ । ଜ୍ଵର କ୍ରମେ ବୃଦ୍ଧି ପାଇଲା । ବିଶିଷ୍ଟ ଡାକ୍ତରମାନେ ଆସି ତାଙ୍କର ଚିକିତ୍ସା କଲେ, ମାତ୍ର କିଛି ଫଳ ହେଲା ନାହିଁ । ଡକ୍ଟର ପ୍ରିଟଚାର୍ଡ (Dr. Pritchard) ଓ ଡକ୍ଟର ଗାରିକ (Gr. Garrick) ନାମକ ଦୁଇଜଣ ବିଶିଷ୍ଟ ଇଂରେଜ ଡାକ୍ତର ତାହନୁ ଖୁବ୍‍ ସତର୍କତାର ସହିତ ଚିକିତ୍ସା କରୁଥିଲେ । ଏହା ଦ୍ଵାରା ରାମମୋହନଙ୍କ ରୋଗ ଅସ୍ଥାୟୀ ଭାବେ କିଛିଦିନ ଉପଶମ ହୋଇଥିଲା । ୧୮୩୩ ମସିହା ସେପ୍ଟେମ୍ବର ୨୯ ତାରିଖ ରାତି ୨ଟା ୨୫ ମିନିଟରେ (ମତାନ୍ତରରେ ୨୭ ତାରିଖ ରାତି ୨ଟା ବେଳେ) ରାମମୋହନଙ୍କର ଜୀବନାବସାନ ହେଲା । ମୃତ୍ୟୁ ସମୟରେ ରାମମୋହନଙ୍କ ପୋଷ୍ୟପୁତ୍ର ରାଜାରାମ ଓ ତାଙ୍କର ଦୁଇଜଣ ହିନ୍ଦୁ ଚାକର ତାଙ୍କ ନିକଟରେ ଉପସ୍ଥିତ ଥିଲେ । ରାମମୋହନ ହିନ୍ଦୁଥିବାରୁ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ତାଙ୍କର ଶବକୁ ଷ୍ଟେପଲଟନ୍‌ ଗ୍ରୋଭ ନିକଟସ୍ଥ ଏକ ବଗିଚାରେ କବର ଦିଆଗଲା । ପରେ ତାଙ୍କର ସମାଧିକୁ ବ୍ରଷ୍ଟଲ ନିକଟସ୍ଥ ଆରନାସଭେଲ ନାମକ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଗଲା । ଏହାର କିଛିକାଳ ପରେ ତାଙ୍କରବନ୍ଧୁ ଦ୍ଵାରକାନାଥ ଟାଗୋର ସେଠାରେ ଗୋଟିଏ ସମାଧି ମନ୍ଦିର ନିର୍ମାଣ କଲେ । ରାମମୋହନଙ୍କ ସମାଧି ମନ୍ଦିର ଉପରେ ଲେଖାଯାଇଛି: ଏକେଶ୍ଵରବାଦର ପରମପୃଷ୍ଠପୋଷାକ, ସଂସ୍କାରକ ଓ ଭାରତର ମହୋପକାରୀ ରାଜାରାମମୋହନ ଏହି ପ୍ରସ୍ତରର ଅଭ୍ୟନ୍ତରେ ଚିର ବିଶ୍ରାମ ଲାଭ କରିଛନ୍ତି ।

 

‘‘Beneath this stone rest the remains of Raja Ram Mohan Roy. A conscience and steadfast believer of the unity of the Godhead, he consecrated his life with entire devotion to the worship of the Divine Spirit alone. To great natural talents he united a thorough mastery of many language and early distinguished himself as one of the greatest scholar of the day. His unwearied labours to promote the social moral and physical condition of the people of India, his earnest endeavours to suppress idolatry and Sati rite, and his constant zealous advocacy of whatever tended to advance the glory of God and the welfare of man live in the graetful remembrance of his country men, This table records the sorrow and pride with which memory is cherished by his descendants.’’

 

ରାମମୋହନ ପ୍ରାୟ ଅର୍ଦ୍ଧଶତାବ୍ଦୀ ବ୍ୟାପୀ ମାତୃଭୂମିର ସେବାକାରୀ ଗଲେ । ଇଂଲଣ୍ଡରେ ତାଙ୍କରି ଉପସ୍ଥିତି ଇଂରେଜମାନଙ୍କୁ ଜଣାଇ ଦେଲା ଭାରତୀୟ ସଂସ୍କୃତି ଓ ମର୍ଯ୍ୟାଦା କ’ଣ । ଇଂଲଣ୍ଡ ରାଜାଙ୍କ କୋର୍ଟରେ, ବ୍ୟବସ୍ଥାପକ ସଭା କକ୍ଷରେ, ଦାର୍ଶନିକମାନଙ୍କ ଗ୍ରହଣରେ, ଚର୍ଚ୍ଚରେ, ଧର୍ମ ସଭାରେ, ଲଙ୍କାସେୟାରର ଶ୍ରମିକମାନଙ୍କୁ ଗ୍ରହଣରେ, ରାମମୋହନ ପ୍ରାଚ୍ୟ ଭୂଖଣ୍ଡର ଜଣେ ଉପଯୁକ୍ତ ପ୍ରତିନିଧିଭାବେ ନିସ୍ଵାର୍ଥପର କାର୍ଯ୍ୟ କରିଗଲେ । ଯେଉଁଠାକୁ ସେ ଗଲେ ସେଠାରେ କଳାଲୋକଙ୍କ ମହତ୍ତ୍ଵ ପ୍ରତିପାଦିତ ହେଲା । ଗୋରା ଲୋକଙ୍କ ଆଗରେ ସେ ପ୍ରମାଣିତ କରି ଦେଇଗଲେ ଯେ କଳାଲୋକ ବିଦ୍ୟା, ସଂସ୍କୃତି ଓ ମର୍ଯ୍ୟାଦା ଦୃଷ୍ଟିରୁ ଗୋରାମାନଙ୍କ ତୁଳନାରେ କୌଣସି ମତେ ଊଣା ନୁହେଁ । ଇଂରେଜମାନଙ୍କୁ ସେ କହୁଥିଲେ ଯେ ଯୀଶୁଖ୍ରୀଷ୍ଟ ପ୍ରାଚ୍ୟ ଭୂଖଣ୍ଡର ମହାତ୍ମା । ସେ ୟୁରୋପୀୟ ନୁହନ୍ତି । ରାଜାରାମମୋହନ ତାଙ୍କର ଜୀବନ ଧାରା ସତ୍ୟର ସନ୍ଧାନରେହିଁ କଟାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଭିନ୍ନ ଧର୍ମଶାସ୍ତ୍ରରେ ତାଙ୍କର ପାଣ୍ଡିତ୍ୟ ଥିଲା ଅତୁଳନୀୟ । ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ସଂପର୍କରେ ଆସି ମୂଳଧର୍ମ ସହିତ ସେମାଙ୍କ ଆଚରଣରେ ଓ ଉପାସନାରେ ଯେଉଁ ପାର୍ଥକ୍ୟ ପରିଲକ୍ଷିତ ହେଉଥିଲା, ତାହା ସେ ଅତି ରୋକଠୋକ ଭାବେ ପ୍ରକାଶ କରିଥିଲେ ଏବଂ ଏହି ତ୍ରୁଟି ସୁଧାରିବା ପାଇଁ ସେ ପରାମର୍ଶ ଦେଉଥିଲେ । ଜୀବନର ସନ୍ଧ୍ୟାରେ ରାମମୋହନ ଓ ତାଙ୍କର ବନ୍ଧୁମାନଙ୍କ ମଧ୍ୟରେ ଯେଉଁ ଚିଠିପତ୍ରର ଆଦାନ ପ୍ରଦାନ ହୋଇଥିଲା, ସେଥିରୁ ଜଣାପଡ଼େ ଯେ, ସେ ତାଙ୍କ କର୍ମମୟ ଶେଷ ପର୍ଯ୍ୟାୟରେ ନାନା ପ୍ରତିବନ୍ଧକର ସମ୍ମୁଖୀନ ହୋଇ ହୋଇଥିଲେ ।

 

ଇଂଲଣ୍ଡରେ ଅବସ୍ଥାନ କରୁଥିବା ସମୟରେ ରାମ ମୋହନ ଅର୍ଥାଭାବର ସମ୍ମୁଖୀନ ହୋଇଥିଲେ ଏବଂ ପରିସ୍ଥିତିର ପରିପ୍ରେକ୍ଷୀରେ ସେଠାରେ କେତେକ ବନ୍ଧୁଙ୍କ ନିକଟକୁ ପ୍ରବଳ ଅନିଚ୍ଛା ସତ୍ତ୍ୱେ ଋଣ କରିବାକୁ ବାଧ୍ୟ ହୋଇଥିଲେ । ଷ୍ଟାନଫୋର୍ଡ ଆରନଟ୍‌ ନାମକ ଜଣେ ବ୍ୟକ୍ତି ସେ ତାଙ୍କ ସେକ୍ରେଟାରୀ ରୂପେ ନିଯୁକ୍ତ କରିଥିଲେ । ଜୀବନର ଶେଷ ପର୍ଯ୍ୟାୟରେ ଆରନଟ୍‌ଙ୍କୁ ତାଙ୍କର ପ୍ରାପ୍ୟ ଆଦାୟ କରିବାଲାଗି ରାମମୋହନଙ୍କୁ ବିଶେଷ ଭାବରେ ବିବ୍ରତ କରିଥିଲେ । ଏପରିକି, ଏକଦା ସେ ରାମମୋହନଙ୍କୁ ଧମକ ଦେଇ କହିଥିଲେ ଯେ, ସେ ଯଦି ତାଙ୍କର ବକେୟା ପାଉଣା ପରିଶୋଧ ନ କରନ୍ତି, ତେବେ ରାମମୋହନଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ପ୍ରକାଶିତ ଲେଖା ଉପରେ ସେ ଦାବୀ କରିବେ । ଭାରତରେ ରାମମୋହନ କେବେ ଏପରି ଆର୍ଥୀକ ଅସୁବିଧାର ସମ୍ମୁଖୀନ ହୋଇନଥିଲେ । ଶେଷବେଳକୁ ତାଙ୍କ ପୁଅମାନେ ତାଙ୍କ ନିକଟକୁ ଟଙ୍କା ପଠାଇବା ପାଇଁ ନାସ୍ତିକରି ଦେଇଥିଲେ । ତାଙ୍କର ସମସ୍ତ ଧନ ସଂପତ୍ତି ଭାରତରେ ଥିବାରୁ ଇଂଲଣ୍ଡରେ ଅବସ୍ଥାନ କରି ତାହାର ଉପଯୋଗ କରିବା ପାଇଁ ତାଙ୍କୁ ସୁଯୋଗ ମିଳି ନ ଥିଲା । ୟୁରୋପୀୟମାନଙ୍କ ସହ ଏକତ୍ର ବସି ସେ କେବେ ଭୋଜନ କରିନଥିଲେ ମଧ୍ୟ ଜୀବନର ଶେଷ ପର୍ଯ୍ୟାୟରେ ଆବଶ୍ୟକତା ଦୃଷ୍ଟିରୁ କାରପେଣ୍ଟର ପରିବାରଙ୍କ ସହ ଏକତ୍ର ଭୋଜନ କରିବା ପାଇଁ ବାଧ୍ୟ ହୋଇଥିଲେ ।

 

ରାମମୋହନଙ୍କ ଚାକରମାନେ ତାଙ୍କ ପ୍ରତି ଆଦୌ ବିଶ୍ୱସ୍ତ ନ ଥିଲେ । ବ୍ରିଷ୍ଟଲକୁ ଆସିବା ପରେ ଷ୍ଟେପଲ୍‍ ଗ୍ରୋଭାସ୍ଥିତ ମିସ କାସଲଙ୍କ ସୁବିସ୍ତୃତ ବାସ ଭବନରେ ଅତ୍ୟନ୍ତ ବିଶ୍ଵସ୍ତ ବନ୍ଧୁମାନଙ୍କ ଗ୍ରହଣରେ ଅଳ୍ପକାଳ ଲାଗି ଶାନ୍ତିମୟ ଜୀବନଯାପନ କରିଥିଲେ । ରାମମୋହନଙ୍କ ପ୍ରାଣବାୟୁ ଉଡ଼ିଯିବାର ବେଳେ ସେ ଓଁ ବୋଲି ଉଚ୍ଚାରଣ କରିଥିବା ଜଣାଯାଏ । ମହାନବ୍ୟକ୍ତି ରାମମୋହନଙ୍କ ମୃତ୍ୟୁରେ ବାଦ୍ୟ ବାଜି ନ ଥିଲା କିମ୍ବା ମୃତ୍ୟକାଳନୀ ସଙ୍ଗୀତ ବୋଲାଯାଇ ନଥିଲା । ତାଙ୍କର ମର ଶରୀରକୁ ତାଙ୍କର କେତେକ ଇଂରେଜ ବନ୍ଧୁଙ୍କ ଆଗରେ କବର ଦିଆଗଲା । ଏହି ଇଂରେଜ ବନ୍ଧୁମାନେ ସେତେବେଳେ କେତେ ମିନିଟ୍‍ ନିରବ ପ୍ରାର୍ଥନା କରିଥିଲେ ମାତ୍ର । ମହାତ୍ମା ରାମମୋହନଙ୍କ ମୃତ୍ୟୁ ପରେ ପରେ ଭାରତର ବିଶିଷ୍ଟ ଲୋକମାନଙ୍କର ଶ୍ରଦ୍ଧାଞ୍ଜଳି ଇଂଲଣ୍ଡର ଖବର କାଗଜମାନଙ୍କରେ ପ୍ରକାଶିତ ହେଲା । ବିଭିନ୍ନ ଧର୍ମାନୁଷ୍ଠାନମାନଙ୍କରେ ତାଙ୍କର ସ୍ମୃତି ତର୍ପଣ କରାଗଲା । ସତ୍ୟ ଏବଂ ନ୍ୟାୟ ଲାଗି ତାଙ୍କର ଆଜୀବନ ସଂଗ୍ରାମକୁ ସମଗ୍ର ବିଶ୍ଵରେ ସ୍ଵୀକାର କରାଗଲା । ଇଂଲଣ୍ଡ ଜଣେ ଧର୍ମଯାଜକ ଲେଖିଥିଲେ ‘ରାମମୋହନ ଥିଲେ ଦୟା, ବିଜ୍ଞତା ଓ ବିନମ୍ରତାର ଅବତାର ।*

 

*‘To me he stood alone in the single majesty of, I had almost said, perfect humanity. No one in past History or in his present time even came before my Judgement, clothed in such wisdom, grace and humility……… He was the humblest of human being, and ardent as he was in the faith of his selection he was sensibly disturbed if religion was rightly spoken of ........ I can only say that at every visit my admiration of him grew with my intimacy with his mind and actions......’’ ।

 

ଫ୍ରାନ୍‌ସ ବୈଦେଶିକ ମନ୍ତ୍ରୀଙ୍କୁ ରାମମୋହନଙ୍କପତ୍ର

 

ଫ୍ରାନ୍‌ସରେ ପ୍ରବେଶ କରିବାଲାଗି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ହେଉଥିବା ପାସପୋର୍ଟ ନିୟମ ବିରୁଦ୍ଧରେ ମତବ୍ୟକ୍ତ କରି ଫ୍ରାନ୍‌ସର ବୈଦେଶିକ ମନ୍ତ୍ରୀ ଟାଲିରାଣ୍ଡ (Talleyrand)ଙ୍କ ନିକଟରୁ ରାମମୋହନ ଯେଉଁ ପତ୍ର ଲେଖିଥିଲେ, ତହିଁରୁ ତାଙ୍କର ରାଜନୈତିକ ଦର୍ଶନ ଓ ପ୍ରଗତିଶୀଳ ଚିନ୍ତାଧାରର ଆଭାସ ମିଳେ । ଉକ୍ତ ପତ୍ରର ଓଡ଼ିଆ ଅନୁବାଦ ନିମ୍ନରେ ପ୍ରଦତ୍ତ ହେଲା :–

 

ଫ୍ରାନ୍‌ସର ବୈଦେଶିକ ବ୍ୟାପାର ବିଭାଗ ମନ୍ତ୍ରୀ, ପ୍ୟାରିସ ।

 

ମହାଶୟ,

 

ଫ୍ରାନ୍‌ସଠାରୁ ବହୁ ହଜାର ମାଇଲ ଦୂରରେ ଅବସ୍ଥିତ ଗୋଟିଏ ଦେଶର ଲୋକଠାରୁ ଏ ପତ୍ରଟି ପାଇ ଆପଣ ବିସ୍ମିତ ହୋଇ ପାରନ୍ତି । ସ୍ୱାଧୀନ ଓ ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଦେଶପ୍ରତି ମୋର ସମ୍ମାନ ଥିବାରୁ ମୁଁ ଏହିପତ୍ର ଆପଣଙ୍କ ନିକଟକୁ ଲେଖିବା ପାଇଁ ସ୍ଥିର କଲି । ଏହା ନ ହୋଇଥିଲେ, ମୁଁ ଆପଣଙ୍କ ଧ୍ୟାନ ଅଯଥା ଆକର୍ଷଣ କରି ନଥାନ୍ତି । ୧୨ ବର୍ଷ ପୂର୍ବେ ମୁଁ ଗୋଟିଏ ଦେଶ ପରିଭ୍ରମଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲ, ଯେଉଁ ଦେଶକୁ ପ୍ରକୃତି ଅନୁକୂଳ ହୋଇଛି ଏବଂ ଯେଉଁ ଦେଶରେ କଳା ଓ ବିଜ୍ଞାନ ଚରମ ଉତ୍କର୍ଷ ଲାଭ କରିଛି ଓ ଯେଉଁ ଦେଶ ସର୍ବୋପରି ଏକ ସ୍ଵାଧିନ ସମ୍ବିଧାନର ଅଧିକାରୀ ହୋଇଛି । ଧର୍ମୀୟ, ଜାତୀୟ ଓ ଅନ୍ୟାନ୍ୟ ପରିସ୍ଥିତିଦ୍ଵାରା ସୃଷ୍ଟି ହୋଇଥିବା ବହୁ ବାଧାବିଘ୍ନ ଅତିକ୍ରମ କରି ଅବଶେଷରେ ମୁଁ ଆପଣଙ୍କ ଉପକୂଳ ଠିକଥ ଆରପାରିରେ ପହଞ୍ଚିଛି, ଯେଉଁଠାରୁ କି ମୁଁ ଜାଣିବାକୁ ପାରିଲି ଯେ, ପୂର୍ବରୁ ଆମ୍ବାସଡ଼ର କିମ୍ବା ଇଂଲଣ୍ଡସ୍ଥିତି ଫରାସୀ ମନ୍ତ୍ରୀଙ୍କ ବିନାନୁମତିରେ ମୁଁ ଆପଣଙ୍କ ମାଟିରେ ଗୋଡ଼ ପକାଇ ପାରିବି ନାହିଁ । ଧର୍ମୀୟ ଓ ରାଜନୀତିକ ଦୃଷ୍ଟିକୋଣରୁ ଶତ୍ରୁତା ଥିଲେ ମଧ୍ୟ ଏସିଆର ରାଷ୍ଟ୍ରମାନଙ୍କ ମଧ୍ୟରେ ଏପରି ନିୟମ ପ୍ରଚଳିତ ନାହିଁ । ଅବଶ୍ୟ, ଚୀନ ଏହାର ଏକ ବ୍ୟତିକ୍ରମ । ସେଠାରେ ନୂତନପ୍ରଥା ଓ ଚିନ୍ତାଧାରାର ପ୍ରବର୍ତ୍ତନ ଆଶଙ୍କାରେ ଏବଂ ବିଦେଶୀମାନଙ୍କ ପ୍ରତି ଅତିରିକ୍ତ ଈର୍ଷା ଯୋଗୁଁ ଚୀନରେ ପ୍ରବେଶ ଉପରେ କଟକଣା ରହିଛି । କିନ୍ତୁ ଫ୍ରାନ୍‌ସଭଳି ଏକ ଦେଶ, ଯାହାର ସବୁକ୍ଷେତ୍ରରେ ସୌଜନ୍ୟ ଓ ଉଦାରତା ଯୋଗୁଁ ନାମ ରହିଛି, ସେଠାରେ ଏହି କଟକଣା ରହିବା ସଂପର୍କରେ ମୁଁ କଳ୍ପନା କରିପାରୁ ନାହିଁ ।

 

କେବଳ ଧର୍ମନୁହେଁ, ନିରପେକ୍ଷ ସାଧାରଣଜ୍ଞାନ ଏବଂ ବୈଜ୍ଞାନିକ ଗବେଷଣାର ନିର୍ଭୁଲ୍‍ ସିଦ୍ଧାନ୍ତଦ୍ଵାରା ନିଷ୍ପତ୍ତି ନେବାକୁ ହେଉଛି ଯେ; ସମଗ୍ର ମାନବ ସମାଜ ଗୋଟିଏ ପରିବାର । ବିଭିନ୍ନ ଜାତି ଓ ଗୋଷ୍ଠୀ ଏହାର ଭିନ୍ନ ଭିନ୍ନ ଶାଖା । ତେଣୁ ମନୁଷ୍ୟ ଓ ମନୁଷ୍ୟ ମଧ୍ୟରେ ଯୋଗାଯୋଗ ଲାଗି ସମସ୍ତ ପ୍ରକାର ପ୍ରତିବନ୍ଧକ ଦୂରକର ସମସ୍ତ ମାନବ ସମାଜରେ ପାରସ୍ପରିକ ସୁବିଧା ସୁଯୋଗର ବିକାଶ ଉଦ୍ଦେଶ୍ୟରେ ସବୁ ଦେଶର ବିଜ୍ଞ ଲୋକେ ପଥ ପରିଷ୍କାର କରିବା ଦିଗରେ ଆଗ୍ରହ ହୋଇଥାନ୍ତି ।

 

ଯୁଦ୍ଧ ସମୟରେ ଯେ କୌଣସି ଦୁଇଟି ରାଷ୍ଟ୍ର ମଧ୍ୟରେ ଶତ୍ରୁତା ଥିଲାବେଳେ ଏହି ପ୍ରତିଷେଧକ ବ୍ୟବସ୍ଥା ସେମାନେ ଅବଲମ୍ବନ କରିଥାନନ୍ତି । କେବଳ ଯୁଦ୍ଧ ପରିସ୍ଥିତିରେ ହିଁ ଏହା ପ୍ରଯୁଜ୍ୟ । ଫ୍ରାନ୍‌ସ ଯଦି ତାର ଚତୁଃପାର୍ଶ୍ଵସ୍ଥିତ ରାଷ୍ଟ୍ରଙ୍କ ସହ ଯୁଦ୍ଧରେ ବ୍ୟାପୃତ ଥାଆନ୍ତା, କିମ୍ବା ସେହି ରାଷ୍ଟ୍ରର ଲୋକମାନେ ଭୟାବହ ବା ବିପଦ ସୃଷ୍ଟିକାରୀ ବୋଲି ବିବେଚନା କରୁଥାନ୍ତା, ତେବେ ଏପରି ଏକ ଅସାଧାରଣ ପ୍ରତିଷେଧକ ବ୍ୟବସ୍ଥାର ଉଦ୍ଦେଶ୍ୟ ସଂପର୍କରେ କଳ୍ପନା କରାଯାଇପାରନ୍ତା-

 

ଅବଶ୍ୟ ଶାନ୍ତି ସମୟରେ ମଧ୍ୟ ଏହି କଟକଣା ସପକ୍ଷରେ ନିମ୍ନଲିଖିତ ଯୁକ୍ତିମାନ ଦିଆଯାଇପାରେ, ଯାହାକି ମୋ ମତରେ ଉପଯୁକ୍ତ ବିବେଚିତ ହେବ ନାହିଁ ।

 

(କ) କୁହାଯାଇ ପାରିବ ଯେ, ମନ୍ଦ ଚରିତ୍ର ବିଶିଷ୍ଟ ଲୋକଙ୍କୁ ଫ୍ରାନ୍‌ସରେ ପ୍ରବେଶ ଲାଗି ଅନୁମତି ଦିଆଯିବା ଉଚିତ୍‍ ନୁହେଁ । ତଥାପି ମଧ୍ୟ ମୁଁ ଭାବୁଛି, ଏହାର ଉତ୍ତରରେ କୁହାଯିବ ଯେ ଲଣ୍ଡନସ୍ଥିତ ଫରାସୀ ରାଷ୍ଟ୍ରଦୂତ ଯେଉଁ ପାସ୍‌ପୋର୍ଟ ମଞ୍ଜୁର କରନ୍ତି, ତାହା କରିବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କ ଚରିତ୍ର ବିଷୟରେ ତଦନ୍ତ କରାଯାଏ ନାହିଁ କିମ୍ୱା ସେ କଞ୍ଜୁରି ଚରିତ୍ର ସାର୍ଟିଫିକେଟ ଉପରେ ଭିତ୍ତିକରି ଦିଆଯାଏ ନାହିଁ । ତେଣୁ ଭାବି ଅମଙ୍ଗଳ ଲାଗି ଏହା ପ୍ରତିକାର ନୁହେଁ ।

 

(ଖ) ଅପରାଧୀମାନଙ୍କୁ ବାରଣ କରିବା ପାଇଁ ଯଦି ଏହା ହୋଇଥାଏ, ତେବେ ସମସ୍ତ ଅପରାଧୀଙ୍କୁ ସମର୍ପଣପାଇଁ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଯେଉଁ ଚୁକ୍ତି ହୋଇଛି, ତଦନୁଯାୟୀ କାର୍ଯ୍ୟ କରାଯାଇପାରିବ ।

 

(ଗ) ଯଦି କୁହାଯିବ ଯେ, ଋଣଦାତାଠାରୁ ଖସି ପଳାଇଥିବା ଋଣ ଗ୍ରହିତାକୁ, ଏହି କଟକଣା ବଳରେ ପ୍ରବେଶ ଅନୁମତି ଦିଆଯିବ ନାହିଁ, ତେବେ ଏହାର କିଛି ଅର୍ଥନାହିଁ । କାରଣ ଦେବାଳିଆ ଆଇନ ଅନୁଯାୟୀ ଋଣ ପରିଶୋଧ କରିପାରୁ ନ ଥିବା ବ୍ୟକ୍ତି କିଛିଦିନ ବନ୍ଦୀହୋଇ ରହିବା ପରେ ମୁକ୍ତ ହୋଇଥା’ନ୍ତି । ସ୍ଵେଚ୍ଛାକ୍ରମେ ଏପରି ବ୍ୟକ୍ତି ନିଜ ଦେଶରୁ ଅନ୍ୟଦେଶକୁ ଚାଲିଯିବା ଅଧିକ ଶାସ୍ତି ବୋଲି ମୁଁ ଭାବୁଛି ।

 

(ଘ) ଯଦି ରାଜନୈତିକ ବ୍ୟାପାର ସଂପର୍କରେ ଏହି କଟକଣା ରଖାଯାଇଛି, ତେବେ ମୋ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ନୁହେଁ । କିନ୍ତୁ ସାଧାରଣ ବିଚାରରୁ ମୁଁ ଦେଖୁଛି ଯେ, ଦୁଇଟି ରାଷ୍ଟ୍ରର ରାଜନୈତିକ ବିଭେଦ ସମାଧାନ ଲାଗି ଏହି ଦୁଇଟି ରାଷ୍ଟ୍ରର ସମାନସଂଖ୍ୟକ ପାର୍ଲିଆମେଣ୍ଟ ସଭ୍ୟଙ୍କୁ ନେଇ ଗଠିତ ଗୋଟିଏ କଂଗ୍ରେସ ଆଗରେ ଏହାର ଉପସ୍ଥାପନ ହେବା ଆବଶ୍ୟକ । କଂଗ୍ରେସର ସଂଖ୍ୟାଧିକ ସଭ୍ୟଙ୍କ ନିଷ୍ପତ୍ତିକୁ ଉଭୟ ରାଷ୍ଟ୍ର ମାନିନେବା ଉଚିତ; ପ୍ରତିବର୍ଷ ଏହି କଂଗ୍ରେସର ଜଣେ ଚେୟାରମେନ୍ ବଛାଯିବା ଉଚିତ ଏବଂ ପ୍ରତି ରାଷ୍ଟ୍ରର ଏକ ସ୍ଥାନରେ ବର୍ଷକୁ ଥରେ ଏହାର ଗୋଟିଏ ଲେଖାଏଁ ବୈଠକ ବସିବା ଉଚିତ : ଯଥା :–ଇଂଲଣ୍ଡ ଓ ଫ୍ରାନ୍‌ସ ପାଇଁ ଯଥାକ୍ରମେ ଡୋଭର ଓ କାଲାଇସ୍‌ । ଏପରି ଏକ କଂଗ୍ରେସଦ୍ଵାରା ରାଜନୈତିକ, ବାଣିଜ୍ୟିକ ପ୍ରଭୃତି ଯେ କୌଣସି ବିଭେଦ ଆପୋଷଭାବେ ଏବଂ ସନ୍ତୋଷଜନକ ସମାଧାନ ହୋଇ ପାରିବ ଏବଂ ବଂଶାନୁକ୍ରମେ ଉଭୟରାଷ୍ଟ୍ର ମଧ୍ୟରେ ଶାନ୍ତି ଓ ବନ୍ଧୁତା ପ୍ରତିଷ୍ଠିତ ହୋଇପାରିବ । ବ୍ୟବସାୟିକ ଜରୁରୀ ବ୍ୟାପାର କିମ୍ବା ଘରୋଇ ବିଷୟରେ ଏହି ପାସପୋର୍ଟ ପ୍ରଥା ଯେଉଁ ଅସୁବିଧା ସୃଷ୍ଟି କରେ, ସେ ସଂପର୍କରେ ମୁଁ କିଛି କହୁନାହିଁ । କିନ୍ତୁ ମୁଁ କହିବା ପାଇଁ ଅନୁମତି ମାଗୁଛି ଯେ, ପାସପୋର୍ଟ ପାଇଁ ସାଧାରଣଭାବେ ଆବେଦନ କରୁଥିବା ବ୍ୟକ୍ତି ଯେଉଁ ଚରିତ୍ର ସାର୍ଟିଫିକେଟ ଆବଶ୍ୟକ ହେଉଛି, ତାହା ଏକ ଅସଙ୍ଗତ ଘଟଣା । କାରଣ କୌଣସି କାରଣରୁ ଯଦି ଆବେଦନ ଆଗ୍ରାହ୍ୟ ହୁଏ, ତେବେ ଜଣେ ଶାନ୍ତିପୂର୍ଣ୍ଣ ନାଗରିକର ଚରିତ୍ର ଉପରେ ତାହା ଆଞ୍ଚ ଆଣେ ।

 

ଯାହା ହେଉନା କାହିଁକି, ସେ ରାଷ୍ଟ୍ର (ଫ୍ରାନ୍‌ସ) ପରିଦର୍ଶନ କରିବା ପାଇଁ ମୋର ଆଗ୍ରହ ଏତେ ବେଶି ଯେ, ମୋ ଉପରେ ଯେଉଁ ସର୍ତ୍ତାବଳୀ ଆରୋପ କରାଯାଇଛି ତାହାକୁ ମୁଁ ପୂରଣ କରିନେବି; କିନ୍ତୁ ଫ୍ରାନ୍‌ସ ସରକାର ଏ ସମସ୍ତ ବିଷୟ ବିଚାରକୁ ନେଇ କଟକଣା ଗୁଡ଼ିକୁ ଚାଲୁ ରଖିବା ପାଇଁ ଯଦି ଉପଯୁକ୍ତ ବିବେଚନା କରନ୍ତି, ତେବେ ଫ୍ରାନ୍‌ସର ବିଜ୍ଞ ସରକାରଙ୍କ ବିରୁଦ୍ଧରେ ଦୁଃଖର ସହିତ ମୁଁ ମତ ପ୍ରକାଶ କରିବେ ।

 

ଆପଣଙ୍କର

ଆଜ୍ଞାଧୀନ ଭୃତ୍ୟ

ଶ୍ରୀ ରାମମୋହନ ରାୟ ।

Image

 

ଦଶମ ପରିଚ୍ଛେଦ

ମହାନ୍ ଭାରତୀୟଙ୍କ ଜୀବନର କେତେକ କାହାଣୀ

 

ରାମମୋହନ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ମହାପୁରୁଷମାନଙ୍କର ସମସ୍ତ ଲକ୍ଷଣ ତାଙ୍କଠାରେ ବିଦ୍ୟମାନଥିଲା । ଶିଷ୍ଟାଚାରରେ ବ୍ୟତିକ୍ରମ ହେଲେ ସେ ଅତ୍ୟନ୍ତ ମର୍ମାହତ ହେଉଥିଲେ ଏବଂ ଶିଷ୍ଟାଚାର ଲଙ୍ଘନକାରୀ ବ୍ୟକ୍ତି ଯେତେ ପ୍ରଭାବଶୀଳ ହେଲେ ମଧ୍ୟ ସେ ତାଙ୍କର ମୁହେଁ ମୁହେଁ ନିଃସଙ୍କୋଚରେ ତାହା ବ୍ୟକ୍ତ କରୁଥିଲେ ।

 

ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଉଇଲିଅମ୍‌ ବେଣ୍ଟିକଙ୍କ ସହ ରାମମୋହନଙ୍କ ସାକ୍ଷାତ୍‌କାର ସଂପର୍କରେ ଏକ କୌତୂହଳୋଦ୍ଦୀପକ ବର୍ଣ୍ଣନା ଦେଖିବାକୁ ମିଳେ । ଆଇନବଳରେ ସତୀଦାହ ପ୍ରଥା ବନ୍ଦ କରିବା ପୂର୍ବରୁ ବଡ୍‍ଲାଟ୍‍ ବେଣ୍ଟିଙ୍କ ରାମମୋହନଙ୍କ ସହ ଆଲୋଚନା କରିବା ପାଇଁ ରାମମୋହନଙ୍କ ବାସଭବନକୁ ଜଣେ ଦୂତ ପ୍ରେରଣ କଲେ । ରାମମୋହନଙ୍କୁ ବଡ୍‍ଲାଟ୍‍ ବାସଭବନକୁ ଯାଇ ତାଙ୍କ ସହିତ ସାକ୍ଷାତ କରନ୍ତୁ ବୋଲି ଦୂତ ଜଣାଇଲାପରେ ରାମମୋହନ ରାଜକାର୍ଯରେ ଠିକ୍ ସେହି ସମୟରେ ବାହାରକୁ ଯିବାପାଇଁ ତାଙ୍କର ଅସମ୍ମତି ଜଣାଇ ଦେଇଥିଲେ । ଦୂତ ଫେରିଆସି ବଡ୍‍ଲାଟ୍‍ ବେଣ୍ଟିକଙ୍କ ନିକଟରେ ରାମମୋହନଙ୍କ ଅନିଚ୍ଛା ବିଷୟ ପ୍ରକାଶ କରିବାପରେ ବେଣ୍ଟିକ ଧୀର ସ୍ଥିର ଭାବରେ ସେ ସମ୍ପର୍କରେ ବିଚାର କାଲେ ଓ ଦୂତ ସୌଜନ୍ୟମୂଳକ ଭାଷା ପ୍ରୟୋଗ କରି ନାହାନ୍ତି ବୋଲି ସନ୍ଦେହ କରି ଦୂତକୁ ଡାକି ପଚାରିବାରେ ତାଙ୍କର ସନ୍ଦେହ ସତ୍ୟବୋଲି ଜାଣି ପାରିଲେ ।

 

ଏହାପରେ ପୁନର୍ବାର ରାମମୋହନଙ୍କ ପାଖକୁ ଦୂତ ପ୍ରେରଣ କରି ‘ରାମମୋହନଙ୍କ ସାକ୍ଷାତରେ ବଡ୍‍ଲାଟ୍‍ ଖୁସି ହେବେ’ ବୋଲି କହିବାପାଇଁ ଦୂତଙ୍କୁ ଆଦେଶ ଦେଲେ । ରାମମୋହନ ଏ କଥା ଦୂତଙ୍କ ଠାରୁ ଶୁଣି ବେଣ୍ଟିକଙ୍କ ବାସଭବନକୁ ଆସି ଠିକ୍‍ ସମୟରେ ତାଙ୍କ ସହ ସତୀଦାହ ପ୍ରଥା ଲୋପ ସପକ୍ଷରେ କିପରି ଅନୁକୂଳ ବାୟୁମଣ୍ଡଳ ସୃଷ୍ଟି ହୋଇଛି, ତାହା ଦର୍ଶାଇଥିଲେ । ରାମମୋହନ ଥିଲେ ଜଣେ ଅତ୍ୟନ୍ତ ବିନୟୀ । ମହାପୁରୁଷମାନେ ବିପଦ ସମୟରେ ଯେପରି ବିଚଳିତ ନ ହୋଇ ସ୍ଥିର ରହନ୍ତି, ରାମମୋହନ ଠିକ୍‌ ସେପରି ହିଁ ଥିଲେ । ତାଙ୍କର ମନର ବଳ ଥିଲା ଅସୀମ । ତାହା ପରୀକ୍ଷା କରିବା ପାଇଁ ଏକଦା ତାଙ୍କର ଦୁଇଜଣ ବନ୍ଧୁ ଉଦ୍ୟମ କରିଥିଲେ । ରାମମୋହନଙ୍କ ପୁତ୍ର ରାଧାପ୍ରସାଦଙ୍କର ବିୟୋଗ ହୋଇ ଯାଇଛି ବୋଲି ଉଲ୍ଲେଖ କରି ସେମାନେ ରାମମୋହନଙ୍କ ନିକଟକୁ ଏକ ପତ୍ର ପ୍ରେରଣ କରିଥିଲେ । ରାମମୋହନ ଏପରି ଦାରୁଣ ଦୁଃସମ୍ବାଦ ପାଇବାପରେ ତାଙ୍କର ମୁଖମଣ୍ଡଳ କିଛି ସମୟ ପାଇଁ ମଳିନ ହୋଇଥିଲା । ଅଳ୍ପ କେତେ ସମୟ ପରେ ପୁଣି ସେ ପୂର୍ବ ଭଳି ତାଙ୍କର ଦୈନନ୍ଦନ କାର୍ଯ୍ୟରେ ମନୋନିବେଶ କରିଥିଲେ ।

 

ଏଥିରୁ ରାମୋହନଙ୍କର ମନୋବଳର ଅସୀମତା ଜାଣିପାରି ବନ୍ଧୁ ଦୁଇଜଣ ତାଙ୍କ ନିକଟରେ କ୍ଷମାଭିକ୍ଷା କରିଥିବା ଜଣାଯାଏ । ରାମମୋହନ ଭାବୁଥିଲେ ଯେ, ପ୍ରତ୍ୟେକମନୁଷ୍ୟର ଜନ୍ମଦାତା ହେଉଛନ୍ତି ଭଗବାନ । ତେଣୁ ବଡ଼ ସାନ ଓ ଉଚ୍ଚ ନୀଚ ନିର୍ବି-ଶେଷରେ ସମସ୍ତଙ୍କୁ ସମାନ ଚକ୍ଷୁରେ ଦେଖିବାହିଁ ମହାନୁଭବତାର ପରିଚାୟକ । ତତ୍କାଳୀନ ସମାଜରେ କାହିଁକି ସବୁଯୁଗରେ ଦେଖାଯାଏ ଯେ, ଉଚ୍ଚସ୍ତରରେ ଥିବା ଲୋକେ ନୀଚସ୍ତରର ଲୋକଙ୍କୁ ଘୃଣା ଦୃଷ୍ଟିରେ ଦେଖନ୍ତି । କିନ୍ତୁ ରାମମୋହନଙ୍କ ହୃଦୟରେ ଏପରି ଭାବ ଆଦୌ ସ୍ଥାନ ପାଇ ନଥିଲା । ଏପରିକି ନିଜର ଘରୋଇ ଚାକର ଶ୍ରେଣୀର ଲୋକଙ୍କ ସହ ସେ ଉତ୍ତମ ବ୍ୟବହାର କରୁଥିଲେ ଏବଂ ଜଣେ ଉଚ୍ଚସ୍ତରର ଲୋକକୁ ସେ ଯେପରି ସମ୍ମାନ ଦିଅନ୍ତେ ସେମାନଙ୍କୁ ଠିକ୍‌ ତାହାହିଁ ଦେଉଥିଲା । ତାଙ୍କର ଦ୍ଵାରା ଧନୀ ଓ ଦରିଦ୍ର, ବାବୁ ଓ ମଜୁରିଆ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଥିଲା । ଯେ କୌଣସି ଶ୍ରେଣୀର ଲୋକ ତାଙ୍କ ନିକଟକୁ ଆସିଲେ ସେ ତାଙ୍କୁ ସତ୍‌ମାର୍ଗରେ ପରିଚାଳିତ ହେବା ପାଇଁ ପରାମର୍ଶ ଦେଉଥିଲେ-

 

ଗୋଟିଏ ସୂତ୍ରରୁ ଜଣାଯାଏ ଯେ, ବର୍ଦ୍ଧମାନର ମହାରାଜା ଥରେ ତାଙ୍କର ଦର୍ଶନ ପାଇଁ ଆସିଲେ । ଠିକ୍‌ ସେହିସମୟରେ ତାଙ୍କର ଜଣେ ଗରିବ ବନ୍ଧୁ ମଧ୍ୟ ଆସିଥିଲେ । ରାମମୋହନ ଉଭଯଙ୍କୁ ସମାନଭାବରେ ଅଭ୍ୟର୍ଥନା କରି ସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କର ପ୍ରକୃତି ଅତ୍ୟନ୍ତ ସରଳ ଥିବାରୁ ବାଳକମାନଙ୍କ ସହିତ ଖେଳିବାରେ ଅନେକ ସମୟରେ ସେ ଆନନ୍ଦ ଉପଭୋଗ କରୁଥିଲେ । ରାମମୋହନ ଥରେ କଲିକତାରେ ଚାଲି ଚାଲି ଯାଉଥିବା ବେଳେ ଜଣେ ବ୍ୟକ୍ତି ମୁଣ୍ଡ ଉପରକୁ ତାହାର ବୋଝ ଉଠାଇ ନ ପାରି ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଥିଲା । ରାମମୋହନ ଏହା ଦେଖି ସଙ୍ଗେ ସଙ୍ଗେ ସେହି ବୋଝକୁ ଟେକି ତାହାର ମୁଣ୍ଡ ଉପରେ ଥୋଇ ଦେଇଥିଲେ । କ୍ଵଚିତ୍‌ ବ୍ୟକ୍ତିଙ୍କ ଠାରେ ଏପରି ମହାନୁଭବତା ଦେଖାଯାଇଥାଏ । ଦରିଦ୍ର ଶ୍ରମଜୀବୀମାନଙ୍କର କିପରି କଲ୍ୟାଣ ହେବ, ସେଥିପାଇଁ ସେ ବହୁବାର ସରକାରଙ୍କ ନିକଟରେ ଦାବୀ କରିଥିଲେ । ସେ କହୁଥିଲେ ଯେ, ଦେଶରେ ଥିବା ପତିତ ଜମିଗୁଡ଼ିକୁ ଭୂମିହୀନ ଶ୍ରମଜୀବୀମାନଙ୍କ ମଧ୍ୟରେ ବଣ୍ଟନ କରାଗଲେ କୃଷିର ଉନ୍ନତି ହେବା ସଙ୍ଗେ ସଙ୍ଗେ ବହୁ ଦରିଦ୍ର ଶ୍ରମଜୀବୀଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିପାରିବ ।

 

ଗରିବ ଲୋକମାନଙ୍କ ପ୍ରତି ସର୍ବଦା ତାଙ୍କର ସହାନୁଭୂତି ଥିଲା । ଗୋଟିଏ ହାଟରୁ ତାଙ୍କର ପୁତ୍ର ଗରିବ ବ୍ୟବସାୟୀଙ୍କ ଠାରୁ ତୋଳା ଆଦାୟ କରୁଥିବା ଜାଣିପାରି ସେ ଦୁଃଖିତ ହୋଇଥିଲେ । ନିଜର ଭରଣପୋଷଣ ପାଇଁ ସ୍ଵଳ୍ପ ଧନରେ ବ୍ୟବସାୟ କରୁଥିବା ଏହି ବ୍ୟବସାୟୀମାନଙ୍କ ଠାରୁ ତୋଳା ଆଦାୟ କରାଗଲେ, ତାହା ଅତ୍ୟାଚାର ଭଳି ହେବ ବୋଲି ସେ ତାଙ୍କ ପୁତ୍ରକୁ ବୁଝାଇ ଦେଇଥିଲେ ।

 

ସ୍ଵାଧୀନତା ପ୍ରେମ ତାଙ୍କର ଅତି ପ୍ରବଳ ଥିଲା । ଜାତି, ଧର୍ମ ନିର୍ବିଶେଷରେ ସମସ୍ତ ଲୋକଙ୍କର ମଙ୍ଗଳପାଇଁ ସେ ଉଦ୍ୟମ କରୁଥିଲେ । ସମସ୍ତଙ୍କ ଉନ୍ନତି ପଥରେ ସେ ଆନନ୍ଦଲାଭ କରୁଥିଲେ । ସର୍ବେ ଭବନ୍ତୁ ସୁଖିନଃ, ସର୍ବେସନ୍ତୁ ନିରାମୟାଃ......ବେଦର ଏହି ଆପ୍ତବାକ୍ୟ ତାଙ୍କର ହୃଦୟ କନ୍ଦରରେ ପ୍ରତିଧ୍ୱନିତ ହେଉଥିଲା ।

 

ରାମମୋହନ ଯେଉଁ ମନୋବୃତ୍ତି ନେଇ ତାଙ୍କର ମହାନ୍ କାର୍ଯ୍ୟ ସମ୍ପାଦନ କରୁଥିଲେ, ତାହା ତାଙ୍କୁ ତାଙ୍କର ସମସାମୟିକ ବ୍ୟକ୍ତିଙ୍କ ଠାରୁ ସଂପୂର୍ଣ୍ଣ ପୃଥକ୍ କରି ଗଢ଼ିଥିଲା । ତାଙ୍କର ଏକେଶ୍ୱର ମତବାଦକୁ ଅନେକ ସମୟରେ ଭୁଲ୍‍‍ଭବେ ବ୍ୟାଖ୍ୟା କରା ଯାଉଥିଲା । ଖୁବ୍ ଅଳ୍ପ ସଂଖ୍ୟକ ଲୋକ ସେତେବେଳେ ତାଙ୍କର ଧର୍ମ ମତକୁ ଠିକ୍‌ ଭାବେ ବୁଝୁଥିଲେ । ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ ବିସଫ୍‌ ମିଡ଼ିଲଟନ୍‌ ଓ ରାମମୋହନଙ୍କ ମଧ୍ୟରେ ବହୁ ସମୟରେ ଧର୍ମାଲୋଚନା ହେଉଥିଲା । ଦିନେ ରାମମୋହନଙ୍କୁ ଉକ୍ତ ବିସଫ୍‌ ପରାମର୍ଶ ଦେଇ କହିଲେ,‘‘ଆପଣ ଯଦି ଖ୍ରୀଷ୍ଟଧର୍ମ ଗ୍ରହଣ କରିବେ ତେବେ ସମାଜରେ ଆପଣଙ୍କର ସମ୍ମାନ ଓ କ୍ଷମତା ବହୁ ଗୁଣରେ ବୃଦ୍ଧି ପାଇବ ।’’ ରାମମୋହନ ଏଥିରେ ଗଭୀରଭାବେ ମର୍ମାହତ ହୋଇ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ବିସଫ୍‌ଙ୍କ ଘରୁ ବାହାରି ଆସିଲେ ଏବଂ ସେହିଦିନ ଠାରୁ ଆଉ କେବେ ସେ ତାଙ୍କ ଘରକୁ ଗଲେ ନାହିଁ । ରାମମୋହନ ତାଙ୍କର ଅନ୍ୟ ଖ୍ରୀଷ୍ଟିଆନ ବନ୍ଧୁଙ୍କ ଆଗରେ ପ୍ରକାଶ କାଲେ ଯେ, ବିସଫ୍‌ଙ୍କ ଉକ୍ତି ଦ୍ଵାରା ସେ ଅପମାନିତ ହୋଇଛନ୍ତି । ବିସଫ୍‌ ଏପରି ଆଚରଣର ତୀବ୍ର ନିନ୍ଦା କରିବା ସଙ୍ଗେ ସଙ୍ଗେ ସେ କହିଲେ, ‘ତାଙ୍କ ଭଳି ଜଣେ ବ୍ୟକ୍ତି ଏପରି ବାକ୍ୟ ଉଚ୍ଚାରଣ କରିବେ ବୋଲି ସେ କେବେ ଭାବିନଥିଲେ ।’

 

ରାମମୋହନ ତିନିଥର ବିବାହ କରିଥିଲେ । ତାଙ୍କର ଦୁଇଟି ପତ୍ନୀ ଜୀବିତ ଥିଲେ । ବାଧ୍ୟବାଧକତାର ବଶବର୍ତ୍ତୀ ହୋଇ ସେ ଏହି ବହୁ ବିବାହ କରିଥିବାରୁ ଓ ବାଲ୍ୟ ବିବାହ କରିଥିବାରୁ ରାମମୋହନ ବହୁ ବିବାହ ଓ ବାଲ୍ୟ ବିବାହ ଘୋର ବିରୋଧୀ ଥିଲେ । ଏକଦା ତାଙ୍କର ଜଣେ ବନ୍ଧୁ ଶ୍ରୀ ନନ୍ଦକିଶୋର ବସୁଙ୍କୁ ଜଣେ ବ୍ୟକ୍ତି ଗୋଟିଏ ସୁନ୍ଦରୀ ଝିଅ ଦେଖାଇ ବିବାହ ପାଇଁ ପ୍ରବର୍ତ୍ତାଇଥିଲେ । ନନ୍ଦକିଶୋର ବିବାହ ପାଇଁ ରାଜି ହେଲେ । କିନ୍ତୁ ବିବାହବେଳେ ଗୋଟିଏ ଅସୁନ୍ଦରୀ ଓ କଦାକାର ଝିଅ ସହିତ ତାଙ୍କର ବିବାହ କରାଇ ଦିଆଗଲା । ନନ୍ଦକିଶୋର ଏଥିରେ କ୍ରୁଦ୍ଧ ହୋଇ ଶ୍ଵଶୁରଙ୍କ ପ୍ରତି ପ୍ରତିଶୋଧ ନେବାପାଇଁ ବାହାରିଲେ ଓ ଆଉଥରେ ବିବାହ କରିବା ଲାଗି ସ୍ଥିରକଲେ ।

 

ରାମମୋହନ ଏହାଶୁଣି ବିବ୍ରତ ହେଲେ । ସେ ସଙ୍ଗେ ସଙ୍ଗେ ତାଙ୍କ ବନ୍ଧୁ ନନ୍ଦକିଶୋରଙ୍କ ଘରକୁ ଯାଇ ଆଉଥରେ ବିବାହ ନ କରିବାପାଇଁ ପରାମର୍ଶ ଦେଲେ । ରାମମୋହନ କହିଲେ ‘ତୁମ ପତ୍ନୀ ଅସୁନ୍ଦରୀ ହେଲେ କ୍ଷତି କଣ ? ଯଦି ସେ ଗୋଟିଏ ଉତ୍ତମ ଓ ଗୁଣବାନ ପୁତ୍ରକୁ ଜନ୍ମ ଦିଅନ୍ତି, ତେବେ ତୁମେ କ’ଣ ତାଙ୍କୁ ସୁନ୍ଦରୀ ବୋଲି ବିବେଚନା କରିବ ନାହିଁ-?’ ନନ୍ଦକିଶୋର ରାମମୋହନଙ୍କ ପରାମର୍ଶର ତାତ୍ପର୍ଯ୍ୟ ଉପଲବ୍‌ଧି କରି ଆଉଥରେ ବିବାହ କରିବାରୁ ନିବୃତ୍ତ ହେଲେ । ପରବର୍ତ୍ତୀ ସମୟରେ ନନ୍ଦକିଶୋରଙ୍କ ପୁତ୍ର ଜଣେ ବିଖ୍ୟାତ ବ୍ୟକ୍ତିଥିଲେ-। ବିଜ୍ଞସଂସ୍କାରକ ମାନଙ୍କର ସେ ନେତା ଥିଲେ ।

 

ଦିନେ ଜଣେ ବ୍ରାହ୍ମଣ ଅଭିଯୋଗ କଲେ ଯେ, ଦୈନିକ ଉପାସନା ପାଇଁ ସେ ପ୍ରଚୁର ଫୁଲ ପାଇପାରୁନାହାନ୍ତି । ଦ୍ଵାରକାନାଥ ଠାକୁର ତାଙ୍କୁ ରାମମୋହନଙ୍କ ବଗିଚାରୁ ଫୁଲଆଣିବାପାଇଁ ପରାମର୍ଶ ଦେଲେ । ବ୍ରାହ୍ମଣ ଏଥିରେ ଉତ୍ୟକ୍ତ ହୋଇ କହିଲେ, “ରାମମୋହନ ଜଣେ ବିଧର୍ମୀ ଓ ବିଜାତୀୟ । ଦେବତା ଉପାସନା ଲାଗି ତାଙ୍କ ବଗିଚାରୁ ମୁଁ କିପରି ଫୁଲ ଆଣିବି ? ଦ୍ଵାରକାନାଥ ଏହି ବ୍ରାହ୍ମଣଙ୍କ କଟୁମନ୍ତବ୍ୟ ପ୍ରତି ଆଦୌ କର୍ଣ୍ଣପାତ ନ କରି ରାମମୋହନ ସୁନ୍ଦର ବଗିଚା ଦର୍ଶନ କରନ୍ତୁ ବୋଲି ତାଙ୍କୁ ପୁନର୍ବାର କହିଲେ । ବ୍ରାହ୍ମଣ ଏଥିରେ ରାଜି ହୋଇ ରାମମୋହନଙ୍କ ବଗିଚାକୁ ଗଲେ । ବଗିଚାରେ ଫୁଲଗୁଡ଼ିକୁ ଛୁଇଁବା ମନାଥିବାରୁ ବଗିଚାର ମାଳୀ ଆସି ଫୁଲ ତୋଳିବାରୁ ବ୍ରାହ୍ମଣଙ୍କୁ ବାରଣ କଲା । କିନ୍ତୁ ବ୍ରାହ୍ମଣ ସଙ୍ଗେ ସଙ୍ଗେ ମାଳିକୁ ଗୋଟିଏ ଚାପୁଡ଼ା ଦେଇ କହିଲେ, ରାମମୋହନ ଜଣେ ବିଧର୍ମୀ ଓ ପାପୀ । ମୋଭଳି ଜଣେ ପୁଣ୍ୟବାନ ଲୋକ ତାଙ୍କ ବଗିଚାରେ ପଦାର୍ପଣ କରିବା କିଛି ସାଧାରଣ କଥା ନୁହେଁ । ଏପରି ସୁଯୋଗ ପାପୀମାନଙ୍କୁ କ୍ଵଚିତ ମିଳିଥାଏ । ତେଣୁ ରାମମୋହନ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ୍‍ । ତୁମେ କିପରି ମୋତେ ବାରଣ କରୁଛ ? ରାମମୋହନ ସେତେବେଳେ ଅଦୂରରେ ଠିଆ ହୋଇ ବ୍ରାହ୍ମଣଙ୍କର କ୍ରୋଧମିଶ୍ରିତ ବାକ୍ୟସବୁ ଶ୍ରବଣ କରୁଥିଲେ । ହଠାତ୍‌ ସେ ଆସି ଘଟଣା ସ୍ଥଳରେ ପହଞ୍ଚି ବ୍ରାହ୍ମଣ ମାନଙ୍କୁ ପଚାରିଲେ ‘‘ଆପଣ କାହିଁ ଭାବୁଛନ୍ତି ଯେ, ମୁ ବିଧର୍ମୀ ଓ ପାପୀ ?’’ ଏଥିରେ ବ୍ରାହ୍ମଣ ଉତ୍ୟକ୍ତ ହୋଇ ତାଙ୍କ ସହିତ ପ୍ରବଳ ଯୁକ୍ତି ଆରମ୍ଭ କାଲେ । ଉଭୟଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଯୁକ୍ତି ଚାଲିଲା । ଉଭୟ ଦିନସାରା ଉପବାସ । ଅବଶେଷରେ ରାମମୋହନ ବିଜ୍ଞତା ଓ ଅକାଟ୍ୟ ଯୁକ୍ତି ଆଗରେ ବ୍ରାହ୍ମଣଙ୍କୁ ମୁଣ୍ଡ ନୂଆଁଇବାକୁ ହେଲା । ସେ ଉପଲବ୍‌ଧି କଲେ ଯେ ରାମମୋହନଙ୍କୁ ଜ୍ଞାନତୁଳନାରେ ତାଙ୍କର ଜ୍ଞାନ ଖୁବ୍‌ ଅଳ୍ପ । ବ୍ରାହ୍ମଣ ରାମମୋହନଙ୍କ ପାଦତଳେ ପଡ଼ିଗଲେ । କିନ୍ତୁ ରାମମୋହନ ତତ୍‌କ୍ଷଣାତ୍‌ ତାଙ୍କୁ ଉଠାଇ ନେଇ ନିଜ ଘର ଭିତରକୁ ନେଇଗଲେ । ଉଭୟ ଏକତ୍ର ବସି ପେଟପୂରା ଭୋଜନ କାଲେ । ରାମମୋହନଙ୍କ ବିନମ୍ରତା ଓ ବିଜ୍ଞାତା ଯୋଗୁଁ ଉକ୍ତ ବ୍ରାହ୍ମଣଙ୍କ ଗର୍ବ ଦୂର ହୋଇଥିଲା ।

 

ସତୀଦାହ ବିରୁଦ୍ଧରେ ରାମମୋହନ ଅଭିଯାନ ଚଳାଇଥିଲାବେଳେ ଦିନେ ତାଙ୍କର କେତେକ ବନ୍ଧୁ ତାଙ୍କୁ ସତର୍କ କରାଇ କହିଲେ ଯେ,ସେ ସତୀଦାହ ବିରୁଦ୍ଧରେ କାର୍ଯ୍ୟ କରିଥିବାରୁ ଏହି ପ୍ରଥାର ସମର୍ଥକମାନେ ତାଙ୍କୁ ପ୍ରହାର କରିବାର ସମ୍ଭାବନା ରହିଛି । ରାମମୋହନ ତତ୍‌କ୍ଷଣାତ୍ ତାଙ୍କ ବନ୍ଧୁମାନଙ୍କୁ ପ୍ରଶ୍ନ କଲେ ‘‘ମୋତେ ପ୍ରହାର କରିବା ବ୍ୟକ୍ତି କିଏ ? ଉତ୍ତର ମିଳିଲା, କଲିକତାବାସୀ । ରାମମୋହନ ହସି ହସି କହିଲେ, ସେମାନେ କ’ଣ ଖାଆନ୍ତି ? ମୋତେ କିପରି ପ୍ରହାର କରିପାରିବେ ?

 

କାଳିନାଥ ମୁନ୍‌ସୀଙ୍କ ସହିତ ରାମମୋହନଙ୍କର ଘନିଷ୍ଠ ବନ୍ଧୁତା ଥିଲା । ଶ୍ରୀ ମୁନ୍‌ସୀ ଥିଲେ ଟାକିର ଜମିଦାର । ଦିନେ ଜଣେ ବ୍ୟକ୍ତି ଶ୍ରୀମୁନ୍‌ସୀକୁ ପାଞ୍ଚଶହ ଟଙ୍କା ମୂଲ୍ୟରେ ଗୋଟିଏ ଦକ୍ଷିଣାବର୍ତ୍ତ ଶଙ୍ଖ ବିକ୍ରୟ କରିବା ପାଇଁ କଥାବାର୍ତ୍ତା କଲେ । ଏହି ଶଙ୍ଖର ଉପକାରିତା ବିଷୟରେ ବିକ୍ରୟକାରୀ କହିଲା, ‘‘ଏହି ଶଙ୍ଖର ବହୁ ଅଦ୍ଭୁତ ଶକ୍ତି ରହିଛି ଯେଉଁ ବ୍ୟକ୍ତି ତାଙ୍କ ଘରେ ଏହି ଶଙ୍ଖଟିକୁ ରଖିବେ, ତାଙ୍କର ଅଚଳାଚଳ ସମ୍ପତ୍ତି ହେବ ।” ଶ୍ରୀ ମୁନ୍‍ସୀ ବିକ୍ରୟକାରୀ କଥା ଉପରେ ବିଶ୍ୱାସ କରି ଶଙ୍ଖଟିକୁ କିଣିବା ପାଇଁ ସ୍ଥିରକଲେ । କିନ୍ତୁ ସେତେବେଳକୁ ରାମମୋହନ ଓ ତାଙ୍କ ମଧ୍ୟରେ ଏପରି ଘନିଷ୍ଠତା ଥିଲା ଯେ, ସେ କୌଣସି କାର୍ଯ୍ୟ କରିବା ପୂର୍ବରୁ ରାମମୋହନଙ୍କର ପରାମର୍ଶ ନେଉଥିଲେ । ଶଙ୍ଖ ବିକ୍ରୟକାରୀକୁ ୫ଶହ ଟଙ୍କା ଦେଇ ଶଙ୍ଖଟି ରଖିବା ପୂର୍ବରୁ ସେ ରାମମୋହନଙ୍କୁ ଏ ସମ୍ପର୍କରେ ପଚାରି ତାଙ୍କ ମତାମତ ନେବାକୁ ଚାହିଁଲେ । ରାମମୋହନ ଏ ସମ୍ପର୍କରେ ତାଙ୍କ ମତାମତ ଦେଇ କହିଲେ ଯେ, ‘‘ଏହି ଶଙ୍ଖଦ୍ଵାରା ଯଦି ଅଚଳାଚଳ ସମ୍ପତ୍ତି ହୋଇପାରେ, ତେବେ ବିକ୍ରୟକାରୀ ଏହାକୁ ବିକ୍ରୟ କରିବା ପଛେରେ କି ଉଦ୍ଦେଶ୍ୟ ରହିଛି ? ବିକ୍ରୟକାରୀ ଯାହା କହେ ତାହା ଯଦି ସତ୍ୟ, ତେବେ ଏହାର ମୂଲ୍ୟ ୫ଶହ ଟଙ୍କା କିପରି ? ପୁଣି ବିକ୍ରୟକାରୀ ଏହି ଶଙ୍ଖକୁ ନିଜେ ନିଜ ଗୃହରେ ରଖିଲେ ସେ ବହୁ ସମ୍ପତ୍ତିର ମାଲିକ ହୋଇପାରନ୍ତା-। କିନ୍ତୁ ତାହା ନକରି ସେ ଆପଣଙ୍କୁ ୫ଶହ ଟଙ୍କା ମୂଲ୍ୟରେ ଶଙ୍ଖଟିକୁ ଦେବାପାଇଁ ଆସିବାର କି ତାତ୍ପର୍ଯ୍ୟ ରହିଛି ? ରାମମୋହନଙ୍କ ମୁଖରେ ଏହିକଥା ଶୁଣିବାମାତ୍ରେ ଜମିଦାର ଶ୍ରୀ କାଳିନାଥ ମୁନ୍‌ସୀ ଶଙ୍ଖଟିକୁ ଫେରାଇ ଦେଲେ ।

 

କାଶୀରୁ ଫେରି ରାମମୋହନ ଯେତେବେଳେ ନିଜ ଗୃହରେ ଅବସ୍ଥାନ କରୁଥିଲେ ସେତେବେଳେ ସେ ଅଧିକାଂଶ ସମୟ ଜ୍ଞାନାଲୋଚନାରେ କଟାଉଥିଲେ । ଶାସ୍ତ୍ର, ଅଧ୍ୟୟନ ଓ ସେ ସମ୍ପର୍କୀୟ ଆଲୋଚନାରେ ସେ ଯେପରି ମୁଖ ଅନୁଭବ କରୁଥିଲେ, ଅନ୍ୟ କେଉଁଥିରୁ ସେ ତାହା ପାଉନଥିଲେ । ଧର୍ମଗ୍ରନ୍ଥ ପାଠ ତାଙ୍କର ଅଭ୍ୟାସରେ ପରିଣତ ହୋଇଥିଲା । ଏହାକୁ ପାଠ କରିବାବେଳେ ତାଙ୍କର ଏକାଗ୍ରତା ଏତେ ବେଶି ଥିଲା ଯେ, କୌଣସି ବିଷୟ ତାଙ୍କୁ ସେଥିରୁ ବିଚ୍ୟୁତି କରିପାରୁ ନ ଥିଲା । ଜଣାଯାଏ ଯେ, ଦିନେ ସେ ପ୍ରାତଃସ୍ନାନ ସମାପନ ପୂର୍ବରୁ ଗୋଟିଏ ପ୍ରକୋଷ୍ଟରେ ବସି ସଂସ୍କୃତରେ ଲିଖିତ ବାଲ୍ମୀକି ରାମାୟଣ ଅଧ୍ୟୟନ କରିବାକୁ ଲାଗିଲେ । ଏହା ପୂର୍ବରୁ ସେ ଏହି ଗ୍ରନ୍ଥଟିକୁ ଉତ୍ତମଭାବେ ପାଠ କରିବାର ସୁଯୋଗ ପାଇନଥିଲେ । ସେଥିଯୋଗୁଁ ଖୁବ୍‌ ମନଯୋଗ ସହିତ ସେଦିନ ସେ ଏହି ଗ୍ରନ୍ଥର ଆମୂଳଚୂଳ ପାଠ କରିବାପାଇଁ ଦୃଢ଼ ସଂକଳ୍ପ ହୋଇ ବସିଲେ । ପୂର୍ବାହ୍ନର ପ୍ରାରମ୍ଭରୁ ଅପରାହ୍ନ ଶେଷ ହୋଇଗଲା । ତେବେ ମଧ୍ୟ ତାଙ୍କର ଏ ପାଠ ସମାପ୍ତ ହେଲାନାହିଁ,ସେତେବେଳେ ପର୍ଯ୍ୟନ୍ତ ସେ ଗୋଟିଏ ଆସନରେ ଗଭୀର ମନୋନିବେଶ ପୂର୍ବକ ଏହି ରାମାୟଣ ପାଠ କରି ଚାଲିଥାନ୍ତି । ରାମାୟଣ ଅଧ୍ୟୟନ ଆରମ୍ଭ କରିବା ପୂର୍ବରୁ ସେ ପରିବାରର ସମସ୍ତଙ୍କୁ କହିଥିଲେ ଯେ, ପାଠ ଶେଷ ନ ହେବା ପର୍ଯ୍ୟନ୍ତ କେହି ତାଙ୍କୁ ଡାକିବେ ନାହିଁ ।

 

ଅପରାହ୍ନର ଶେଷ ପର୍ଯ୍ୟାୟରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ରାମମୋହନ ବସିଥିବା ପ୍ରକୋଷ୍ଠର ଦ୍ୱାର ଖୋଲି ଦେଲେ, ବନ୍ଧୁଙ୍କର ଉଦ୍ଦେଶ୍ୟ ବୁଝିପାରି ଆଉ କେତେ ସମୟ ଅପେକ୍ଷା କରିବା ପାଇଁ ରାମମୋହନ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଠିକ୍ ସମୟରେ ତାଙ୍କର ରାମାୟଣ ପାଠ ଶେଷ ହେଲା । ରାମାୟଣ ଅଧ୍ୟୟନ ପ୍ରାତଃକାଳରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲେ ମଧ୍ୟ ରାମମୋହନ ବିଶେଷ କିଛି ମାନସିକ କିମ୍ବା ଶାରୀରିକ କ୍ଳାନ୍ତି ଅନୁଭବ କରିନଥିଲେ । ଗୋଟିଏ ଦିବସରେ ସେ ସାତକାଣ୍ଡ ବାଲ୍ମୀକି ରାମାୟଣ ପାଠ ଶେଷକଲେ । ସଂସ୍କୃତଭାଷା ଓ ସାହିତ୍ୟରେ ତାଙ୍କର ଅସାଧାରଣ ବ୍ୟୁତ୍ପତ୍ତିଥିବାରୁ ରାମାୟଣ ପାଠବେଳେ କୌଣସିଠାରେ ଅର୍ଥବୋଧଜନିତ ଅସୁବିଧାର ସମ୍ମୁଖୀନ ନହୋଇ ଅନାୟାସରେ ପାଠଶେଷ କରିଥିଲେ ।

 

ରାମମୋହନ ଜଣେ ମହାପୁରୁଷ ଥିବାରୁ କାହାର କୁତ୍ସା ବା ନିନ୍ଦା ଶୁଣି ସେ କେବେ ବିଚଳିତ ହେଉନଥିଲା । ଯେ ତାଙ୍କର ନିନ୍ଦା କରୁଥିଲେ ବା ତାଙ୍କର କାର୍ଯ୍ୟକୁ ବିରୋଧକରି ତାଙ୍କୁ ଅପମାନିତ କରିବାକୁ ଉଦ୍ୟମ କରୁଥିଲେ, ସେ ତାହାପ୍ରତି କଟୁଭାଷା ବ୍ୟବହାର କରୁନଥିଲେ । ଅନେକ ସମୟରେ ସେଥିପ୍ରତି ସେ ଆଦୌ ଭ୍ରୂକ୍ଷେପ କରୁନଥିଲେ । ଯଦି କେତେବେଳେ ଏଥିପ୍ରତି କର୍ଣ୍ଣପାତ କରୁନଥିଲେ, ତେବେ ସେ ନିନ୍ଦା କରୁଥିବା ବ୍ୟକ୍ତି ଉପରେ ରାଗରଖି ପ୍ରତିଶୋଧ ନେବା କଥା ତାଙ୍କ ଅନ୍ତରରେ ଆଦୌ ସ୍ଥାନ ପାଉନଥିଲା । ଥରେ ରାମମୋହନଙ୍କର ଜଣେ ବିରୋଧୀ ବ୍ୟକ୍ତି ରାମମୋହନଙ୍କ କାର୍ଯ୍ୟକଳାପର ତୀବ୍ର ସମାଲୋଚନା କରି ରାମମୋହନଙ୍କ ଉଦ୍ଦେଶ୍ୟରେ ଅତି ଅଶ୍ଳୀଳ ଭାଷାରେ ଗୋଟିଏ ବ୍ୟଙ୍ଗକବିତା ରଚନା କଲେ । କବିତାଟି ପାଠ କରି ରାମମୋହନ କୌଣସି ପ୍ରକାରେ ବିବ୍ରତ ହୋଇନଥିଲେ କିମ୍ବା ଲେଖକଙ୍କ ଉପରେ କ୍ରୋଧ ପ୍ରକାଶ କରିନଥିଲେ । କିନ୍ତୁ ରାମମୋହନଙ୍କର ଜଣେ ଭଣଜା କବିତାଟି ଦେଖିବାମାତ୍ରେ ହଠାତ୍‌ କ୍ରୋଧାନ୍ୱିତ ହୋଇ ଲେଖକଙ୍କ ବିରୁଦ୍ଧରେ ନ୍ୟାୟାଳୟରେ ମକଦ୍ଦମା ଦାଏର କରିବାପାଇଁ ସ୍ଥିରକଲେ । ରାମମୋହନ ଏହା ଶୁଣିବା ମାତ୍ରେ ଭଣଜାଙ୍କୁ ଡାକି ଏଥିରୁ କ୍ଷାନ୍ତ ହେବାଲାଗି ଉପଦେଶ ଦେଲେ । ଉପଦେଶଛଳରେ ସେ କହିଲେ ଯେ, ‘‘ନିନ୍ଦୁକମାନେ ହେଉଛନ୍ତି କ୍ଷମାର ପାତ୍ର । କାରଣ କୌଣସି ବ୍ୟକ୍ତି ଉଚିତ୍‍ ମାର୍ଗରେ ଗତି କଲାବେଳେ ନିନ୍ଦୁକମାନେ ତାହା ସହିନପାରି ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ ଚାହାନ୍ତି । ଉତ୍ତମ ଲୋକେ ଏଥିପ୍ରତି ଭ୍ରୂକ୍ଷେପ ନ କରି ନିଜ କାର୍ଯ୍ୟରେ ଅଟଳ ରହିବା ସଙ୍ଗେ ସଙ୍ଗେ ସେମାନଙ୍କୁ କ୍ଷମା ଦେବା ଉଚିତ ।’’ ରାମମୋହନଙ୍କ ଠାରୁ ଏହି ଉପଦେଶ ଶୁଣିବା ପରେ ତାଙ୍କ ଭଣଜା ମକଦ୍ଦମା ଦାଏର କରିବା ଦିଗରେ ଆଉ ଅଗ୍ରସର ହେଲେ ନାହିଁ । ରାମମୋହନଙ୍କ ଉଦାରତା, କ୍ଷମାଶୀଳତା ଓ ମହାନୁଭବତାର ପ୍ରମାଣ ଏଥିରୁ ମିଳେ ।

 

ରାମମୋହନ ସର୍ବଦା କହୁଥିଲେ ଯେ, ମାନବଶରୀର ଭଗବାନଙ୍କର ଅମୂଲ୍ୟଦାନ । ତେଣୁ ନିଜ ଶରୀର ରକ୍ଷା ନିମନ୍ତେ ସେ ପ୍ରଗାଢ଼ ଯତ୍ନ କରିବା ସଙ୍ଗେ ସଙ୍ଗେ ଅନ୍ୟମାନେ ସେମାନଙ୍କର ଶରୀର ରକ୍ଷା ଲାଗି ଉଦ୍ୟମ କରିବା ଉଚିତ୍‍ ବୋଲି ପରାମର୍ଶ ଦେଉଥିଲେ । ଯେଉଁମାନେ ତାଙ୍କର ଏହି ଉପଦେଶକୁ ଆଗ୍ରହର ସହିତ କାର୍ଯ୍ୟରେ ପରିଣତ କରୁଥିଲେ, ସେମାନଙ୍କୁ ସେ ଖୁବ୍‌ ଆଦର କରୁଥିଲେ । ରାମମୋହନଙ୍କର ଯେଉଁ ପାଣ୍ଡିତ୍ୟ ଓ ତୀକ୍ଷ୍‌ଣ ଧୀଶକ୍ତି ଥିଲା, ତାହା ଦେଖି ଦେଶ ଓ ବିଦେଶର ବହୁବ୍ୟକ୍ତି ବିସ୍ମିତ ହେଉଥିଲେ । ତାଙ୍କର ଜଣେ ଜୀବନୀ ଲେଖକଙ୍କ ବିବରଣୀରୁ ଜଣାଯାଏ ଯେ, ବିଦେଶର କେତେଜଣ ବୈଜ୍ଞାନିକ ରାମମୋହନଙ୍କର ମସ୍ତିଷ୍କର ଗୋଟିଏ ଛାଞ୍ଚ ପ୍ରସ୍ତୁତ କରି ପରୀକ୍ଷା କରିଥିଲେ । ପରୀକ୍ଷାରୁ ଜଣାଗଲା, ବହୁ ଧୀଶକ୍ତି ସଂପନ୍ନ ବ୍ୟକ୍ତିଙ୍କ ମସ୍ତିଷ୍କ ତୁଳନାରେ ତାଙ୍କ ମସ୍ତିଷ୍କ ଟିକିଏ ବଡ଼ ।

 

ରାମମୋହନଙ୍କର ପ୍ରକୃତିଥିଲା ଖୁବ୍‌ ସରଳ । ଶିଶୁମାନଙ୍କ ପ୍ରତି ତାଙ୍କର ଗଭୀର ସ୍ନେହ ଥିଲା । ଅନେକ ସମୟରେ ଛୋଟ ଛୋଟ ପିଲାଙ୍କ ସହ ଖେଳିବାରେ ସେ ଆନନ୍ଦ ଉପଭୋଗ କରୁଥିଲେ । କାର୍ଯ୍ୟ ଯେତେ ଛୋଟ ହେଉ କିମ୍ବା ଯେତେ ବଡ଼ ହେଉ, ଯଦି ପରିଣତି କ୍ଷତିକାରକ ନୁହେଁ, ତେବେ ସେ କୌଣସି କୁଣ୍ଠାବୋଧ ନ କରି ସେ କାର୍ଯ୍ୟରେ ହାତ ଦେଉଥିଲେ ଏବଂ ସଫଳତାଲାଭ କରିବା ପର୍ଯ୍ୟନ୍ତ ସେ ସେଥିରେ ଲାଗି ପଡ଼ୁଥିଲେ । ରାମମୋହନ ବିଶ୍ଵରେ ଜଣେ ବିଜ୍ଞ ଓ ସମ୍ମାନିତ ବ୍ୟକ୍ତି ଥିଲେ ମଧ୍ୟ ଅବସର ବିନୋଦନ ସମୟରେ ସେ ଛୋଟ ପିଲାଙ୍କ ସହ ଦୋଳି ଖେଳିବାରେ ଖୁବ୍‌ ଆନନ୍ଦଲାଭ କରୁଥିଲେ । ସେ ଇଂଲଣ୍ଡ ଯିବାର ଅଳ୍ପ କିଛିଦିନ ପୂର୍ବରୁ ଦିନେ ଛୋଟ ପିଲାମାନଙ୍କ ସହ ଦୋଳି ଖେଳୁଥିବା ବେଳେ ତାଙ୍କର ଜଣେ ବନ୍ଧୁ ସେଠାରେ ଆସି ପହଞ୍ଚିଲେ । ରାମମୋହନ ସଙ୍ଗେ ସଙ୍ଗେ ତାଙ୍କୁ ହସି ହସି କହିଲେ ‘‘ମୁଁ ବିଲାତ ଯିବାକୁ ଇଚ୍ଛା କରିଛି । ଜାହାଜରେ ବସି ସମୁଦ୍ର ଦେଇ ବିଲାତକୁ ଯିବି । ଜାହାଜ ସମୁଦ୍ରରେ ଢଳୁଥିଲା ବେଳେ ଦୋହଲି ଯାଏ । ସେହି ଅନୁଭୂତି ମୁଁ ପୂର୍ବରୁ ଏଠାରେ ଶିକ୍ଷା କରୁଛି । ସମୁଦ୍ର ମଧ୍ୟରେ ଜାହାଜରେ ଯିବାପାଇଁ ଆଜିଠାରୁ ମୁଁ ପ୍ରସ୍ତୁତ ହେଉଛି ।’’

Image

 

ଏକାଦଶ ପରିଚ୍ଛେଦ

ନୂତନ ଯୁଗ ସ୍ରଷା ରାମମୋହନଙ୍କ କାର୍ଯ୍ୟାବଳୀର ସମୀକ୍ଷା

 

କେହି କେହି ପ୍ରଶ୍ନ କରନ୍ତି ଭାରତକୁ ପରାଧୀନତା ଶୃଙ୍ଖଳ ପିନ୍ଧାଇ ଭାରତବାସୀଙ୍କ ଉପରେ ଯଥେଚ୍ଚାଚାର ଶାସନ ଜାହିର କରୁଥିବା ଇଂରେଜମାନଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ରାମମୋହନ ଘନିଷ୍ଠତା ସ୍ଥାପନ କରିବା ପଛରେ କି ଉଦ୍ଦେଶ୍ୟ ନିହିତ ଥିଲା ? ଏହା ସତ୍ୟ ଯେ, ୟୁରୋପୀୟମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ନିମନ୍ତେ ରାମମୋହନ ସର୍ବଦା ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କର ଏହି ଉଦ୍ୟମର ପଶ୍ଚାତ୍‌ଭାଗରେ ଏକ ମହତ୍‍ ଉଦ୍ଦେଶ୍ୟ ଲୁକ୍କାୟିତ ହୋଇ ରହିଥିଲା । ରାମମୋହନ ବିଶ୍ଵାସ କରୁଥିଲେ ଯେ, ୟୁରୋପୀୟମାନଙ୍କର ଯେଉଁ କେତେକ ମହତ ଗୁଣ ରହିଛି ତାହାର ଅନୁକରଣ ଦ୍ଵାରା ଭରତର ବିକାଶ ସାଧିତ ହୋଇ ପାରିବ । ସେ କେତେକ ସ୍ଥାନରେ କହିଛନ୍ତି, ୟୁରୋପୀୟମାନଙ୍କ ସହିତ ଭାରତବାସୀ ଯେତେ ଘନିଷ୍ଠ ସଂପର୍କ ରଖିବେ, ସେତେ ସେମାନେ ଉନ୍ନତି ପଥରେ ଆଗେଇ ଯାଇ ପାରିବେ । ୟୁରୋପୀୟମାନଙ୍କର କେତେକ ନିର୍ଦ୍ଦିଷ୍ଟ ଗୁଣକୁ ଅନୁକରଣ କରିବା ପାଇଁ ସେ ପ୍ରବର୍ତ୍ତନା ଦେଉଥିଲେ । ଏହିଗୁଣଗୁଡ଼ିକ ହେଲା ଜ୍ଞାନପିପାସା, ପରିଶ୍ରମଶୀଳତା, ଉତ୍ତମ ବ୍ୟବହାର ପ୍ରଭୃତି । ୟୁରୋପୀୟମାନଙ୍କ ଯେଉଁ ଦୋଷଥିଲା ତାହା ଠାରୁ ବହୁଦୂରରେ ରହିବା ପାଇଁ ସେ ପରାମର୍ଶ ଦେଉଥିଲା । ଦୋଷ ଓ ଗୁଣ ଉଭୟର ସମ୍ମିଶ୍ରଣରେ ମନୁଷ୍ୟର ସୃଷ୍ଟି ହୋଇଥିବାରୁ ମହତ ଲୋକ ହେବାପାଇଁ ମନୁଷ୍ୟର ଦୋଷଗୁଡ଼ିକ ପ୍ରତି ଆଖି ବୁଜିଦେଇ ଗୁଣଗୁଡ଼ିକ ଆହରଣ କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ରାମମୋହନଙ୍କର ମତ ଥିଲା । ସେ ଥିଲେ ବାସ୍ତବରେ ଜଣେ ବିରାଟ ବ୍ୟକ୍ତି, ଯେ କି କେବଳ ମହତ କାର୍ଯ୍ୟରେ ହିଁ ହାତ ଦେଉଥିଲେ ଏବଂ ସେଥିରେ ସଫଳତା ଅର୍ଜନ କରୁଥିଲେ । ସମଗ୍ରମାନବ ସମାଜର ମହୋପକାରୀ ରୂପେ ତାଙ୍କର ନାମ ଚିରଦିନ ଲାଗି ଇତିହାସ ପୃଷ୍ଠାରେ ଦେଦୀପ୍ୟମାନ ତାରକା ଭଳି ରହିଥିବ । ତାଙ୍କଠାରେ ସେପରି କୌଣସି ଉଲ୍ଲେଖଯୋଗ୍ୟ ମହତଗୁଣ ନ ଥିଲା ବୋଲି ଯେଉଁମାନେ ଇର୍ଷା ପରାୟଣତାର ବଶବର୍ତ୍ତା ହୋଇ ପ୍ରକାଶ କରନ୍ତି, ଏହାକୁ ସାବ୍ୟସ୍ତ କରିବା ପାଇଁ ସେମାନଙ୍କର କୌଣସି ଯୁକ୍ତି ନାହିଁ ।

 

ବିଶେଷକରି ତିନୋଟି ବିଷୟକୁ ଭିତ୍ତିକରି ରାମମୋହନଙ୍କ ମହନତା ପ୍ରତିପାଦିତ ହୋଇଛି । ପ୍ରଥମଟି ହେଲା ନିସ୍ଵାର୍ଥପରତା, ଦ୍ଵିତୀୟଟି ସଚ୍ଚୋଟତା ଏବଂ ତୃତୀୟ ନିର୍ଭୀକତା । ରାମମୋହନ ରାୟ ତାଙ୍କ ଜୀବନକାଳ ମଧ୍ୟରେ ଯେତେ କାର୍ଯ୍ୟ କରିଯାଇଛନ୍ତି, ପ୍ରତ୍ୟେକଟିରେ ତାଙ୍କର ସାହସିକତା ପ୍ରମାଣିତ ହୋଇଛି । ସେ ସରଳ ଓ ଖୋଲା ଲୋକଥିଲେ । କିନ୍ତୁ ଅଦମ୍ୟ ସାହସିକତା ଥିଲା ତାଙ୍କର ପ୍ରଧାନ ସମ୍ବଳ । ତାଙ୍କର କେତେକଙ୍କ ବନ୍ଧୁ ଦାବୀ କରିଥିଲେ ଯେ, ସେ ହେଉଛନ୍ତି ମୁସଲମାନ ଧର୍ମର ଜଣେ ପ୍ରଧାନ ପୃଷ୍ଠପୋଷକ । ଆଉ କେତେକ ପ୍ରଚାର କରିଥିଲେ ଯେ, ସେ ହେଉଛନ୍ତି ଜଣେ ସଚ୍ଚା ଖ୍ରୀଷ୍ଟିଆନ । ରାମମୋହନ ତାଙ୍କର ୟୁରୋପ ଯାତ୍ରାର ଅବ୍ୟବହିତ ପୂର୍ବରୁ ଏ ବିଷୟରେ ସମ୍ୟକ୍ ସୂଚନାଦେଇ କହିଲେ ଯେ, ତାଙ୍କର ମୃତ୍ୟୁପରେ ଖ୍ରୀଷ୍ଟିଆନ, ହିନ୍ଦୁ ମୁସଲମାନମାନେ ପୃଥକ ଭାବେ ଦାବି କରିବେ ଯେ, ସେ ସେମାନଙ୍କ ଗୋଷ୍ଠୀର ଲୋକ ଥିଲେ । କିନ୍ତୁ ସେ କୌଣସି ନିର୍ଦ୍ଦିଷ୍ଟ ଧର୍ମରେ ବିଶ୍ଵାସ କରୁନଥିଲେ । ସେ କେଉଁ ଧର୍ମରେ ବିଶ୍ଵାସ କରୁଥିଲେ, ତାହା ସେ ଗୋଟିଏ ପାମ୍ପଲେଟରେ ଉଲ୍ଲେଖକରି ବଣ୍ଟନ କରିଥିଲେ । ସେଥିରେ ସେ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ ଯେ, ସେ କୌଣସି ନିର୍ଦ୍ଦିଷ୍ଟ ଦେବାଦେବୀ ନୁହେଁ, ସମସ୍ତ ଦେବାଦେବୀଙ୍କର ପୁଞ୍ଜିଭୂତ ସମଷ୍ଟି ଏକ ଈଶ୍ଵରରେହିଁ ବିଶ୍ଵାସ କରନ୍ତି । ଧର୍ମ ପ୍ରତି ଏପରି ଆଭିମୁଖ୍ୟ ପୋଷଣ କରି ରାମମୋହନ ହୁଏତ ସୁଖକର, ଶାନ୍ତିମୟ ସମ୍ମାନସ୍ପଦ ଜୀବନ ନିଭୃତରେ ବସି ଉପଭୋଗ କରିପାରି ଥାଆନ୍ତେ । ଏକେଶ୍ଵର ବାଦରେ ବିଶ୍ଵାସ କରିଥିବା ବହୁବ୍ୟକ୍ତି କାହାରି ସହିତ କୌଣସି ସମ୍ପର୍କ ସ୍ଥାପନ ନକରି ନିଜ ନିଜର କାର୍ଯ୍ୟ ସମାପନାନ୍ତେ ଇହଧାମରୁ ବିଦାୟ ନେଇ ଚାଲି ଯାଇଛନ୍ତି । ଲୋକଲୋଚନ ଅନ୍ତରାଳରେ ରହି ସେମାନେ ସୁଖମୟ ଜୀବନଯାପନ କଲାବେଳେ ମାନବ ସମାଜର କୌଣସି ଉପକାର କରିପାରିଲେ ନାହିଁ ବୋଲି ବିବେକ ସେମାନଙ୍କୁ କେବେ ଦଂଶନ କରିନାହିଁ, କିମ୍ବା ଦଂଶନ କରିଥିଲେ ମଧ୍ୟ ସେମାନେ ଏଥିପ୍ରତି ଭ୍ରୂକ୍ଷେପ କରିନାହାନ୍ତି । କିନ୍ତୁ ରାମମୋହନ ଲୋକଲୋଚନ ଅନ୍ତରାଳରେ ରହି ବିଳାସମୟ ଜୀବନଯାପନ କରିବା ପାଇଁ କେବେ ଇଚ୍ଛା ପ୍ରକାଶ କରି ନାହାନ୍ତି । ନିଜର ବ୍ୟକ୍ତିତ୍ଵ ନିଃସ୍ଵାର୍ଥପରତାର ପରାକାଷ୍ଠା ପ୍ରଦର୍ଶନ କରି ମାନବ ସମାଜର କଲ୍ୟାଣସାଧନ ନିମନ୍ତେ ସେ ସର୍ବଦା ଆଗେଇ ଆସିଛନ୍ତି, ଏଥିପାଇଁ ଜୀବନରେ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥଲେ ମଧ୍ୟ ଏପରିକି ସମୟ ସମୟରେ ଜୀବନ ତାଙ୍କ ପକ୍ଷରେ ଅତ୍ୟନ୍ତ ଦୁର୍ବିସହ ହୋଇ ପଡ଼ିଥିଲେ ମଧ୍ୟ କର୍ତ୍ତବ୍ୟ ନିଷ୍ଠାରେ ସେ ସର୍ବଦା ଅଟଳ ରହିଛନ୍ତି । ପରିସ୍ଥିତିର ଚାପରେ ନିଜର ମାତାଙ୍କ ଠାରୁ ସେ ଅଲଗା ହୋଇ ଯାଇଛନ୍ତି । ପାଦରେ ଚାଲି ଚାଲି ଶହ ମାଇଲ ବିପଦ ସଂକୁଳ ପ୍ରସ୍ତରମୟ ଅରଣ୍ୟ ଅତିକ୍ରମ କରିଛନ୍ତି । କିନ୍ତୁ ଦୁର୍ଦ୍ଦଶା ଆଗରେ କେବେ ମୁଣ୍ଡ ନୁଆଁଇ ନାହାନ୍ତି । ରକ୍ଷଣଶୀଳ ହିନ୍ଦୁମାନଙ୍କ ଦ୍ଵାରା ସେ ନିର୍ଯ୍ୟାତିତ ହୋଇଛନ୍ତି । ତାଙ୍କର ଜୀବନ ପ୍ରତି ବିପଦ ଆସିଛି । କିନ୍ତୁ ସେଥିରୁ ସେ ତିଳେ ମାତ୍ର ବିଚଳିତ ନ ହୋଇ ନିଜର ବିଶ୍ଵାସରେ ପର୍ବତ ଭଳି ଅଟଳ ରହିଇପାରିଛନ୍ତି । ପିତୁଳା ପୂଜାକୁ ସେ ନିନ୍ଦା କରିଛନ୍ତି, ସାମାଜିକ କୁସଂସ୍କାର ଜନିତ ପର୍ବପର୍ବାଣୀ ବିରୁଦ୍ଧରେ ଦୃଢ଼ସ୍ୱର ଉତ୍ତୋଳନ କରିଛନ୍ତି, ସତୀଦାହ ପ୍ରଥାର ବିଲୋପ ଲାଗି ସଂଗ୍ରାମ ଚଳାଇଛନ୍ତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ । କେଉଁଠାରେ ହେଲେ ପରିସ୍ଥିତିର ଚାପରେ ପଡ଼ି ସେ କେବେ ନିଜର ମତ ପରିବର୍ତ୍ତନ କରି ନାହାନ୍ତି । ଏସବୁ କାର୍ଯ୍ୟ କରିବା ପଛରେ ତାଙ୍କର ଯେ ବ୍ୟକ୍ତିଗତ ସ୍ଵାର୍ଥ ନ ଥିଲା, ତାହା ଯେ କେହି ସ୍ଵୀକାର କରିବା । ତେଣୁ ତାଙ୍କର ସମାଲୋଚକମାନେ ଯେତେ ଯାହା କହିଲେ ମଧ୍ୟ ରାମମୋହନ ଯେ ବାସ୍ତବରେ ଥିଲେ ଜଣେ ମହାନ ଭାରତୀୟ, ଏହା ଅନସ୍ଵୀକାର୍ଯ୍ୟ । ମହତ କାର୍ଯ୍ୟକରି ଲୋକ ଅମର ରହେ ବୋଲି ଯାହା କୁହାଯାଏ, ତାହା ରାମମୋହନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରିଛି ।

 

ତାଙ୍କର ଜୀବନୀ ଲେଖିଥିବା ଜଣେ ଇଂରେଜ ବ୍ୟକ୍ତି କହିଛନ୍ତି, ‘‘ଇତିହାସ ପୃଷ୍ଠାରେ ରାମମୋହନ ରାୟ ଏକ ଜୀବନ୍ତ ସେତୁ ସଦୃଶ ଯାହାଉପରେକି ଭାରତ ତାହାର ଅତୀତରୁ ଭବିଷ୍ୟତ ଧାବମାନ । ସେ ଅତୀତର ପ୍ରାଚ୍ୟ ସଭ୍ୟତା ମଧ୍ୟରୁ ଗତି କରି ପାଶ୍ଚାତ୍ୟ ସଂସ୍କୃତି ମଧ୍ୟଦେଇ ଏପରି ଗୋଟିଏ ସଭ୍ୟତାରେ ଉପନୀତ ହୋଇଥିଲେ, ଯାହାକି ପ୍ରାଚ୍ୟ ନୁହେଁ କି ପାଶ୍ଚାତ୍ୟ ନୁହେଁ । ଏହାଥିଲା ଉଭୟଙ୍କ ଠାରୁ ବହୁ ମାତ୍ରାରେ ମହାନ୍‌ । ତାଙ୍କର ଏକେଶ୍ଵରବାଦ ବା ଏକ ଇଶ୍ଵର ବିଶ୍ଵାସ ତାଙ୍କୁ ପ୍ରଗତିଶୀଳ ଆନ୍ଦୋଳନରେ ଅଗ୍ରଗତି ଲାଗି ଶକ୍ତି ଯୋଗାଇଥିଲା । ରାମମୋହନ ଥିଲେ ଭାରତର ପ୍ରଥମ ବ୍ୟକ୍ତି ଯେ’କି ନୂତନ ଭାରତର ସୃଷ୍ଟି ଲାଗି ଗଠନମୂଳକ କାର୍ଯ୍ୟ କରି ଯାଇଛନ୍ତି । ଭାରତର ଭାଗ୍ୟରେ ନିଶ୍ଚିତ ଭାବେ ଯାହାକିଛି ଗଚ୍ଛିତ ଅଛି ତାହା ରାମମୋହନଙ୍କ କାର୍ଯ୍ୟକଳାପ ଉପରେ ନିଶ୍ଚିତଭାବେ ବହୁଳାଂଶରେ ନିର୍ଭର କରିବ ।’’

 

ମୋନିଏର ଉଇଲିଅମ୍‌ସ (Monier Williams) ନାମକ ଜଣେ ବିଶିଷ୍ଟ ଐତିହାସିକ ରାମମୋହନ ସମ୍ପର୍କରେ କହିଛନ୍ତି ଯେ, ରାମମୋହନ ଥିଲେ ଗୋଟିଏ ନୂତନ ଯୁଗର ସ୍ରଷ୍ଟା । ବିଭିନ୍ନ ଧର୍ମ ମଧ୍ୟରେ ତୁଳନାତ୍ମକ ବିଶ୍ଳେଷଣ କରି ସିଦ୍ଧାନ୍ତରେ ଉପନୀତ ହେବା ଦିଗରେ ସେ ଥିଲେ ପ୍ରଥମ ବ୍ୟକ୍ତି । ବିଶ୍ଵ ମାନବବାଦର ସେ ଥିଲେ ପଥପ୍ରଦର୍ଶକ । ଭାରତର ଅଭ୍ୟୁଦୟର ଜନକରୂପେ ତାଙ୍କୁ ଅବିହିତ କରାଯାଇଛି । ଭାରତର ଜାତୀୟତାବାଦ ସପକ୍ଷରେ ପ୍ରଥମ ମତ ପ୍ରକାଶ କରି ସେ ଦିଗରେ ଅନ୍ୟମାନଙ୍କୁ ସେ ବାଟ ଦେଖାଇ ଦେଇ ଯାଇଛନ୍ତି । ଭାରତୀୟ ମାନଙ୍କର ରାଜନୈତିକ କ୍ଷେତ୍ରରେ କିପରି ଉତ୍‌ଥାନ ହୋଇ ପାରିବ ସେଥିପାଇଁ ସେ ଅବିଶ୍ରାନ୍ତ ଉଦ୍ୟମ ଚଳାଇ ଜୀବନର ଶେଷ ପର୍ଯ୍ୟାୟରେ କୃତକାର୍ଯ୍ୟ ହୋଇଛନ୍ତି । ରାମମୋହନ ଥରେ କହିଥିଲେ ହିନ୍ଦୁମାନଙ୍କ ଦ୍ଵାରା ଅନୁସୃତ ପରେ ସେମାନଙ୍କ ରାଜନୈତିକ ସ୍ଵାର୍ଥସାଧନ ଲାଗି ଅନୁକୂଳ ନୁହେଁ ।* ଜଣେ ସଂସ୍କାରକ ଭାବରେ ରାମମୋହନ ରାୟ ଯେଉଁ ପଦକ୍ଷେପ ଗ୍ରହଣ କରୁଥିଲେ ସେ ସଂପର୍କରେ ସେତେବେଳର ସାଧାରଣ ଲୋକେ ଜାଣିବାର ବିଶେଷ ଅବକାଶ ନ ଥିଲା । କାରଣ ରାମମୋହନ ଶିକ୍ଷିତ ଲୋକଙ୍କ ଉପରେ ପ୍ରଭାବ ପକାଇ ସେହିମାନଙ୍କ ନେତୃତ୍ଵରେ ସାମାଜିକ ପରିବର୍ତ୍ତନ ଆଣିବା ଲାଗି ଉଦ୍ୟମ କରିଥିଲେ । ତତ୍‍କାଳୀନ ଅନ୍ଧକାରମୟ ପରିବେଶ ମଧ୍ୟରେ ତାଙ୍କର ଅବିଶ୍ରାନ୍ତ ପ୍ରଚେଷ୍ଟା ଏବଂ ଭାରତକୁ ଏକ ନୂତନ ରୂପରେଖ ଦେବା ପାଇଁ ବୁଦ୍ଧିଜୀବୀ ଗୋଷ୍ଠୀକୁ ତାଙ୍କର ଦୃପ୍ତ ଆହ୍ଵାନ ଅବଶେଷରେ ଫଳପ୍ରସୂ ହେଲା । ରାମମୋହନଙ୍କ କାର୍ଯ୍ୟକାଳ ମଧ୍ୟରେ ବିପର୍ଯ୍ୟସ୍ତ ଭାରତବର୍ଷରେ ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ମଧ୍ୟରେ ଭାବଗତ ଏକତା ନ ଥିଲା । ପ୍ରତ୍ୟେକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ତୀବ୍ର ସମାଲେଚନା କରିବାରେ ବ୍ୟସ୍ତଥିଲେ-। ଧୀରସ୍ଥିର ଚିତ୍ତରେ ରାମମୋହନ ଏ ସମସ୍ୟାର ଅନୁଧ୍ୟାନ କଲାପରେ ସ୍ଥିର କଲେ ଯେ, ପ୍ରଥମେ ଏହ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସହାବସ୍ଥାନ ପ୍ରତିଷ୍ଠା ନ କଲେ ତାଙ୍କର ସମସ୍ତ ଚେଷ୍ଟା ପଣ୍ଡ ହୋଇଯିବ । କାରଣ ସହାବସ୍ଥାନ ହେଉଛି ସଭ୍ୟତାର ଏକ ଏପରିହାର୍ଯ୍ୟ ଅଙ୍ଗ-। ପଞ୍ଚଦଶ ଶତାବ୍ଦୀରେ ବଂଗଦେଶ ଏହିପରି ଏକ ବିଶୃଙ୍ଖଳ ପରିସ୍ଥିତି ମଧ୍ୟରେ ଗତି କରୁଥିଲାବେଳେ ଚୈତନ୍ୟଙ୍କର ଆବିର୍ଭାବ ହେଲା । ଚୈତନ୍ୟ ଅତ୍ୟନ୍ତ ନିସ୍ଵାର୍ଥର ଭାବେ ହିନ୍ଦୁ ଓ ମୁସଲମାନ, ବ୍ରାହ୍ମଣ ଓ ବ୍ରାହ୍ମଣେତର ଗୋଷ୍ଠୀ ମଧ୍ୟରେ ଏକତା ଆଣିଥିଲେ । ଚୈତନ୍ୟଙ୍କର ମୃତ୍ୟୁପରେ ଏହି ଏକତା କ୍ରମଶଃ ଲୋପପାଇବାକୁ ଆରମ୍ଭ କଲା । ଏହାପରେ ଇଷ୍ଟଇଣ୍ଡିଆ କମ୍ପାନୀର ଆବିର୍ଭାବ ହେଲା ବଂଗ ଦେଶରେ । ଏହିଠାରୁ ପୁଣି ବଂଗଦେଶର ବିପର୍ଯ୍ୟୟ ଆରମ୍ଭ ହେଲା ।

 

*I regret to say the system adhered to by the Hindus is not well calculated to promote their political interest. The Distinction of castes, introducing divisions and sub-divisions among them has entirely deprived them of political feeling, multitude of religious rites and ceremonies and the laws of purification have totally disqualified them necessary that some change should take place in their religion at least for the sake of their political advantage and social comfort.’’

 

ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକମାନେ ବଙ୍ଗଦେଶରୁ ଆସି ଅନ୍ଧଭାବରେ ଭାରତୀୟମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରିବା ପାଇଁ ନାନା ଅତ୍ୟାଚାର କରି ଚାଲିଲେ ତାହା ସାଙ୍ଗକୁ କଂପାନୀଶାସନ ଆହୁରି ଅସହ୍ୟ ବୋଧ ହେଲା । ଲୋକେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଚେଷ୍ଟାକଲେ ମଧ୍ୟ ନେତୃତ୍ଵର ଅଭାବ ଯୋଗୁ ତାହା ସମ୍ଭବ ହୋଇ ପାରଲା ନାହିଁ । ଇଂରେଜମାନେ ଯେଉଁ କଲେଜମାନ ସ୍ଥାପନ କଲେ, ସେଥିରେ ଇଂରେଜ ବ୍ୟକ୍ତିମାନଙ୍କୁ ନିଯୁକ୍ତ କଲେ । ଭାରତୀୟମାନଙ୍କୁ ଶିକ୍ଷିତ କଲେ କିମ୍ବା ଉଚ୍ଚପାହ୍ୟା ଚାକିରିରେ ନିଯୁକ୍ତ କଲେ, କାଳେ ଶାସନକଳର ଗୁମର ପଦାରେ ପଡ଼ିଯିବ, ସେଥିପାଇଁ ସେମାନେ ନାନାଚକ୍ରାନ୍ତକରି ଭାରତବାସୀଙ୍କୁ ଏକ ବିଶୃଙ୍ଖଳା ପରିସ୍ଥିତି ଓ ଅଜ୍ଞତାର ଅନ୍ଧକାର ମଧ୍ୟରେ ଜାଣିଶୁଣି ବୁଡ଼ାଇ ରଖିଥିଲେ ।

 

ଏହିପରି ପରିସ୍ଥିତିରେ ରାମମୋହନଙ୍କର ଆବିର୍ଭାବ ଘଟିଲା । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ରାମମୋହନ ଏ ସମସ୍ତ ବିଷୟ ଅତି ଚତୁରତାର ସହ ପର୍ଯ୍ୟବେକ୍ଷଣ କଲେ ଏବଂ ତାଙ୍କ ଦେଶବାସୀକିପରି ସମ୍ମାନଜନକ ଭାବେ ଜୀବନଯାପନ କରିବେ, ସେଥିପାଇଁ ବିଶେଷ ବିବ୍ରତ ହୋଇ ପଡ଼ିଲେ । ରାମମୋହନ ତାଙ୍କର ସଂସ୍କାରକ ଚକ୍ଷୁରେ ସାମାଜିକ ପରିସ୍ଥିତିକୁ ପର୍ଯ୍ୟବେକ୍ଷଣ କରି ଇଂରେଜ କିମ୍ବା ପଣ୍ଡିତ କାହାରିକୁ ଅନ୍ଧଭାବେ ସମର୍ଥନ କଲେ ନାହିଁ । ଯୁକ୍ତିଯୁକ୍ତ ମାନବୀୟ ସଂପର୍କ ଉପରେ ସେ ଗୁରୁତ୍ଵ ଆରୋପ କଲେ । ତେଣୁ ସେ ଯେତେବେଳ ତାଙ୍କର ଏହି ଚିନ୍ତାଧାରାକୁ ସମାଜରେ ପ୍ରସାର କରିବାକୁ ବସିଲେ ସେତେବେଳେ ସମାଜରେ ପ୍ରତିକ୍ରିୟା ସୃଷ୍ଟିହେଲା । ଯୁକ୍ତି ଉପରେ ପର୍ଯ୍ୟବସିତ ସତ୍ୟତା ଏବଂ ଅନ୍ଧ ବିଶ୍ଵାସ ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଧାରଣ କରିବା ପାଇଁ ସେତେବେଳର ଲୋକେ ଅସମର୍ଥ ଥିଲେ । ରାମମୋହନ ଯେଉଁ ମତ ପ୍ରକାଶକଲେ, ତାହାକୁ ଏକପକ୍ଷେ ବ୍ରିଟିଶ୍‍ ବଣିକ ଓ ଅନ୍ୟପକ୍ଷେ ଭୀରୁ ଜନତା ସମାଲୋଚନା କାଲେ । ଏ ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ରାମମୋହନଙ୍କ ଅଭିଯାନ ଚାଲିଲା ଏବଂ ପରବର୍ତ୍ତୀ କାଳରେ ଦେଶର ଚିତ୍ର ବଦଳିଗଲା । ଏପରି ଦୁରୂହ କାଯ୍ୟଲାଗି ରାମମୋହନଙ୍କର ଯେଉଁ ପ୍ରବଳ ଅନ୍ତର୍ନିହିତ ଶକ୍ତି ଥିଲା, ତାହା ଅଚିନ୍ତନୀୟ ।

 

ପାଶ୍ଚାତ୍ୟ ରାଷ୍ଟ୍ର ତୁଳନାରେ ଭାରତ ବୈଜ୍ଞାନିକ କ୍ଷେତ୍ରରେ ସେତେବେଳେ ଖୁବ୍‍ ପଛରେ ପଡ଼ିଥିଲା । ସେ ସମୟ ପର୍ଯ୍ୟନ୍ତ ଭାରତ କେବଳ କେତେକ ନିର୍ଦ୍ଦିଷ୍ଟ ସାଂସ୍କୃତିକ ଓ ଧର୍ମୀୟ ବ୍ୟାପାରରେ ବ୍ୟାପୃତ ରହିଥିଲା । ଚୈତନ୍ୟଙ୍କ ସମୟରେ ବଙ୍ଗଦେଶରେ ଯେଉଁ ଧର୍ମ ନିରପେକ୍ଷ ଆନ୍ଦୋଳନ ଚାଲିଥିଲା ତାହା ଧର୍ମୀୟଭାବ ପ୍ରବଣତାରେ ଆଚ୍ଛନ୍ନ ହୋଇ କ୍ରମଶଃ ମଉଳି ଆସୁଥିଲା-। ଯେଉଁ ସମସ୍ୟାଗୁଡ଼ିକ ଚୈତନ୍ୟ ସମାଧାନ କରିଗଲେ ସେଗୁଡ଼ିକ ଚୈତନ୍ୟ ପରେ ଉତ୍କଟ ଆକାରରେ ଦେଖା ଦେଇଥିଲା ।

 

ପଲାସୀଯୁଦ୍ଧ ଓ ମୁସଲମାନ ଶାସନର ପ୍ରଭାବ ଭାରତ ବିଶେଷକରି ବଙ୍ଗଦେଶ ଉପରେ ପ୍ରଚଣ୍ଡ ଆଘାତ ଦେଇଥିଲା । ଇଷ୍ଟଇଣ୍ଡିଆ କଂପାନୀର ଲୋକେ ଭାରତ ମଧ୍ୟରେ ପ୍ରବେଶ କରି ଯେପରି ଶୋଷଣକରି ଚାଲିଲେ, ବିଶ୍ୱରେ ଅନ୍ୟ କୌଣସି ରାଷ୍ଟ୍ର ଏପରି ଶୋଷିତ ହୋଇଥିବାର ପ୍ରମାଣ ମିଳେ ନାହିଁ । ୧୭୯୩ ମସିହାରେ ବଙ୍ଗଦେଶରେ ଯେଉଁ ଚିରସ୍ଥାୟୀ ବନ୍ଦୋବସ୍ତ ହେଲା ତଦ୍ୱାରା ହିନ୍ଦୁ ଓ ମୁସଲମାନ ଚାଷୀ ମାନେ ଦାରିଦ୍ର୍ୟକୁ ସାଥି କରିନେଲେ । ଜମିଦାର ଓ ଚାଷୀଙ୍କ ମଧ୍ୟରେ ବହୁବର୍ଷ ବ୍ୟାପୀ ଏକ ଅସୁଖକର ସଂପର୍କ ରହିଲା । ଭୂମିହୀନ ଶ୍ରମିକମାନେ ଏହାର ଶିକାର ହୋଇ ବିପନ୍ନ ହେଲେ । ଜମିଦାରଙ୍କ ଅତ୍ୟାଚାର ହିନ୍ଦୁ ଓ ମୁସଲମାନ ଉଭୟ ସଂପ୍ରଦାୟର ଚାଷୀଙ୍କ ପ୍ରତି ବଢ଼ି ଚାଲିଲା । ଧନୀ ଜମିଦାରମାନେ ବିଦ୍ୟା ଅଧ୍ୟୟନକରି ବିଳାସ ବ୍ୟସନରେ ଜୀବନଯାପନ କରିବାର ସୁଯୋଗ ପାଇବା ସଂଗେ ସଂଗେ ଚାଷୀ ବା ପ୍ରଜାମାନଙ୍କ ଉପରେ ସେମାନଙ୍କର ଅଖଣ୍ଡ କ୍ଷମତା ରହିଲା । ଅଜ୍ଞ ଓ ଅଶିକ୍ଷିତ ଲୋକେ ଦାରୁଣ ଦୁର୍ଦ୍ଦଶା ମଧ୍ୟରେ ଜୀବନଯାପନ କଲେ । ଏହି ସମୟରେ ସମାଜରେ ଏକ ବ୍ୟାପକ ପରିବର୍ତ୍ତନର ଆବଶ୍ୟକ ହେଉଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନଥିଲା । ତତ୍‌କାଳୀନ ସାମାଜିକ ପରସ୍ଥିତି ଏପରି ଢାଞ୍ଚାରେ ଗଢ଼ିହୋଇ ଆସୁଥିଲା ଯେ, ଦରିଦ୍ର ଲୋକେ ସେଥିରେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ । ଧନଶାଳୀ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏବଂ ଜମିଦାରମାନେ ସହରଜୀବନଯାପନ କରିବା ପାଇଁ କଲିକତା ଆସି କେତେକ ବ୍ୟବସାୟ କଲେ ଓ ଆଉ କେତେକ କୌଣସି କାର୍ଯ୍ୟ ନକରି ବିଳାସ ବ୍ୟସନରେ ବୁଡ଼ି ରହି ଆଳସ୍ୟମୟ ଜୀବନଯାପନ କଲେ । ଏଣେ ଜମିଦାରଙ୍କ ଅତ୍ୟାଚାର ସହି ନ ପାରି ବହୁ ଚାଷୀ ଓ ଶ୍ରମିକ ଗ୍ରାମଛାଡ଼ି କଲିକତା ପଳାଇ ଆସି ମଜୁରିଆ ଭାବେ କାର୍ଯ୍ୟ କଲେ ।

 

କଲିକତା ସହରରେ ଏହିପରି ବହୁ ଶ୍ରେଣୀର ଲୋକେ ବସବାସ କଲେ ମଧ୍ୟ ସାଧାରଣ ଲୋକେ ସର୍ବଦା ଅସ୍ଥିରତା ଦେଇ ଗତି କରୁଥିଲେ ।

 

ଫୋର୍ଟ ଉଇଲିଅମ କଲେଜରେ ଖୁବ୍‍ ଅଳ୍ପ ସଂଖ୍ୟକ ଭାରତୀୟ ପଢ଼ିବାର ସୁଯୋଗ ପାଉଥିଲେ । ଯେଉଁ ଭାରତୀୟମାନେ ଏହି କଲେଜରୁ ଉତ୍ତୀର୍ଣ୍ଣ ହେଉଥିଲେ, ସେମାନେ ଇଂରେଜମାନଙ୍କର ଏକଛତ୍ରବାଦୀ ନିର୍ଦ୍ଦେଶକୁ ମାନି କାର୍ଯ୍ୟକରୁଥିଲେ । କେବଳ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଥିଲେ ଏକମାତ୍ର ବ୍ୟତିକ୍ରମ । ସେ ଶୋଷଣ ପ୍ରିୟ ଇଂରେଜ ଜାତିର ନିର୍ଦ୍ଦେଶକୁ ମାନି ଚଳିବାପାଇଁ ଆଦୌ ପସନ୍ଦ କରିନଥିଲା । କଲିକତାରେ ସେତେବେଳେ ଯେଉଁ ଲାଇବ୍ରେରୀମାନ ସ୍ଥାପିତ ହୋଇଥିଲା କେବଳ ବିଦେଶୀମାନେ ସେଥିରେ ବହି ନେଇ ପଢ଼ି ପାରୁଥିଲେ । ଭାରତୀୟମାନଙ୍କ ପାଇଁ ବହିନେବା ମନାଥିଲା । ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ପ୍ରବେଶ କରିବାର ୨୦୦ବର୍ଷ ପୂର୍ବରୁ ଇଂଲଣ୍ଡରେ ବୈଜ୍ଞାନିକ ବିକାଶ ଏବଂ ସୁସ୍ଥ ଚିନ୍ତାଧାରାର ଫଳ ଇଂରେଜ ଜାତି ଭୋଗ କରିଥିଲେ ମଧ୍ୟ ଭାରତରେ ସେମାନେ ଏକ ସଂପୂର୍ଣ୍ଣ ଭିନ୍ନ ମନୋଭାବ ପ୍ରଦର୍ଶନ କଲେ । ପାଶ୍ଚାତ୍ୟ ଚଳଣି ପ୍ରତି ଭାରତର ରକ୍ଷଣଶୀଳ ବ୍ୟକ୍ତିମାନେ ଅସହିଷ୍ଣୁ ହୋଇ ପଡ଼ିବା ଏହାର ଏକ କାରଣ ହୋଇପାରେ ବୋଲି କେତେକ ମତ ପ୍ରକାଶ କରନ୍ତି । ସେଥିଯୋଗୁ ଭାରତର ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ଲାଗି ମୁଷ୍ଟିମେୟ ଲୋକଙ୍କ ଦାବୀରୁ ଇଂରେଜମାନେ ଆଦୌ ଧ୍ୟାନ ଦିଅନ୍ତି ନାହିଁ । ଭାରତରେ ତତ୍‌କାଳୀନ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏକପକ୍ଷେ ଇଂରେଜମାନଙ୍କୁ ବିଦେଶୀ ବୋଲି ଭାବି ସନ୍ଦେହ ଚକ୍ଷୁରେ ଦେଖୁଥିବା ବେଳେ ଅନ୍ୟପକ୍ଷେ ଭାରତର ସାଧାରଣ ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖୁଥିଲେ । କେବଳ କେତେକ ସୁବିଧାବାଦୀ ବ୍ୟକ୍ତି ମଧ୍ୟବର୍ତ୍ତୀ ପନ୍ଥା ଗ୍ରହଣ କରି ଇଂରେଜମାନଙ୍କୁ ତୋଷାମଦ କରି ସେମାନଙ୍କଠାରୁ ଫାଇଦା ଉଠାଇ ସାରିବା ପରେ ଘରକୁ ଫେରିଲାବେଳେ ଗଙ୍ଗାରେ ସ୍ନାନକରି ପରିଚ୍ଛଦ ପରିବର୍ତ୍ତନ ପୂର୍ବକ ଫେରୁଥିଲେ । ଜଣେ ଯେତେ ଦୁଷ୍କର୍ମ କଲେ ମଧ୍ୟ ବ୍ରାହ୍ମଣ ପୁରୋହିତଙ୍କୁ କିଛି ଅର୍ଥ ପ୍ରଦାନକଲେ ସେଥିରୁ ସେ ମୁକ୍ତ ହୋଇ ଯାଉଥିଲେ । ସହରରେ ଯେଉଁ ଲୋକମାନେ ବସବାସ କରୁଥିଲେ ସେମାନେ ଥିଲେ ଆତ୍ମସ୍ଵାର୍ଥ କୈନ୍ଦ୍ରିକ ।

 

ଦରିଦ୍ର ଓ ବ୍ରାହ୍ମଣର ଗୋଷ୍ଠୀଙ୍କୁ ନ୍ୟାୟ ଓ ଶିକ୍ଷା ସେତେବେଳେ ମନାଥିଲା ଓ ବଙ୍ଗ ବେଶରେ ଅଭ୍ୟୁଦୟ ଯୁଗର ଆବିର୍ଭାବ ପର୍ଯ୍ୟନ୍ତ ସେମାନେ ଏହାକୁ ସହ୍ୟ କରୁଥିଲେ । ରାମମୋହନ ଯେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ ସେ ପରିବାର ମୁସଲମାନ ଶାସକଙ୍କ ଦୋଷ ଦୁର୍ବଳତା ସଂପର୍କରେ ସଂପୂର୍ଣ୍ଣ ଅବଗତ ଥିବାରୁ ବ୍ୟାପକ ଶିକ୍ଷା ପାଇବା ଲାଗି ରାମମୋହନଙ୍କୁ ସୁଯୋଗ ଦେଇଥିଲେ । ୧୮୦୩ ମସିହାରେ ରାମମୋହନଙ୍କ ପିତାଙ୍କ ବିୟୋଗ ହେବା ପରେ ସେ ପୁତ୍ର ଲାଗି କିଛି ସଂପତ୍ତି ଛାଡ଼ିଦେଇ ଯାଇଥିଲେ । ଏହି ସଂପତ୍ତି ସାହାଯ୍ୟରେ ରାମମୋହନ କଲିକତାରେ ଏକ ବ୍ୟବସାୟ ଚଳାଇ ପାରିଥାନ୍ତେ । କିନ୍ତୁ ତାହାକୁ ସେ ଜାତୀୟ ଆଗରେ ଜଳାଞ୍ଜଳି ଦେଇଯାଇଛନ୍ତି । ରାମମୋହନଙ୍କ ସହିତ ଯେଉଁ ବ୍ୟକ୍ତି ଏକତ୍ର କାର୍ଯ୍ୟ କରିଥିଲେ ସେମାନଙ୍କ ବିବରଣୀରୁ ଜଣାଯାଏ ଯେ କଲିକତାରେ ରାମମୋହନଙ୍କର ବିପୁଳ ଧନ ସଂପତ୍ତି ଥିଲା । କେତେକ ଇଂରେଜ ବ୍ୟକ୍ତି ମଧ୍ୟ ତାଙ୍କଠାରୁ ଋଣ ନେଉଥିଲେ । ଇଂରେଜମାନେ ରାମମୋହନଙ୍କୁ ଜଣେ ଧନିବ୍ୟକ୍ତି ଭାବି ଯେ ତାଙ୍କ ପ୍ରତି ଆକୃଷ୍ଟ ହେଉଥିଲେ ତାହା ନୁହେଁ, ରାମମୋହନଙ୍କ ଅସାଧାରଣ ବ୍ୟକ୍ତିତ୍ଵହିଁ ସେମାନଙ୍କୁ ଟାଣି ଆଣୁଥିଲା । ରାମମୋହନଙ୍କଠାରେ ବହୁ ବୁଦ୍ଧିଜୀବୀ ଇଂରେଜ ବ୍ୟକ୍ତି ଏକ ଗଭୀର ଆତ୍ମ ବିଶ୍ଵାସ ଲକ୍ଷ୍ୟକରି ପାରୁଥିଲେ । କଲିକତାର ମାଣିକ-ତୋଲାଠାରେ ରାମମୋହନଙ୍କର ଏକ ସୁନ୍ଦର ଅଟ୍ଟାଳିକା ଥିଲା, ଯେଉଁଠାରେ କି ବହୁ ସମୟରେ ଧର୍ମତତ୍ତ୍ଵ ଆଲୋଚନା ହେଉଥିଲା । ବହୁ ଭାରତୀୟ ଓ ଇଂରେଜବ୍ୟକ୍ତି ତାଙ୍କଠାରୁ ବରାବର ପରାମର୍ଶ ଗ୍ରହଣ କରୁଥିଲା । ରାମମୋହନ ଇଂରେଜ ଜୀବନଯାପନ ପ୍ରଣାଳୀ ସହିତ ନିଜକୁ ଖାପଖୁଆଇ ଚଳିପାରୁଥିଲାବେଳେ ରାମମୋହନଙ୍କର ସମସାମୟିକ ଧନିକଗୋଷ୍ଠୀ ଇଂରେଜମାନଙ୍କ ସହିତ ବିଶେଷ ସଂପର୍କ ସ୍ଥାପନ କରିପାରୁନଥିଲେ । କେବଳ ବାହାରେ ସେମାନଙ୍କୁ ସମ୍ମାନ ଦେଖାଇ ଅନ୍ତରରେ ଘୃଣା କରୁଥିଲେ । ଏପରିକି, ଅଭିଜାତ୍ୟ ପୂର୍ଣ୍ଣ ପରିବାରର ଶିକ୍ଷିତ ବ୍ୟକ୍ତିମାନେ ସେମାନଙ୍କର କୋଠାକୁ ପାଶ୍ଚାତ୍ୟ ଶୈଳୀରେ ସଜାଉଥିଲେ ମଧ୍ୟ ଅନ୍ତରରେ ଇଂରେଜମାନଙ୍କୁ ସେମାନେ ଘୃଣା କରୁଥିଲେ । ବିଦେଶୀ ସାହିତ୍ୟ ଅଧ୍ୟୟନ କରିବା କିମ୍ବା ବିଦେଶୀ ରାଷ୍ଟ୍ର ସଂପର୍କରେ ଜାଣିବା ଲାଗି ମନୋବୃତ୍ତି ପ୍ରକାଶ କରିବା ସେତେବେଳେ ସାଧାରଣ ଲୋକଙ୍କ ନିକଟରେ ସ୍ଵପ୍ନ ଥିଲା । ଏହିପରି ସମୟରେ ରାମମୋହନ ଇଂରେଜମାନଙ୍କ ସହିତ ମିଳାମିଶାକରି ଇଂରେଜ ସାହିତ୍ୟ ପ୍ରଭୃତି ଅଧ୍ୟୟନ କରିବା ଦ୍ଵାରା ରକ୍ଷଣଶୀଳ ବ୍ୟକ୍ତିମାନେ ବିସ୍ମିତ ହୋଇ ରାମମୋହନଙ୍କର ବିରୋଧ କରିବାକୁ ଆଗେଇ ଆସୁଥିଲେ ।

 

ସେମାନେ ଭାବୁଥିଲେ ଯେ, ସେମାନଙ୍କର ପ୍ରଥା ଯେତେ ପୁରାତନ ଓ କ୍ଷତିକାରକ ହେଲେ ମଧ୍ୟ ବିଦେଶୀଶାସକମାନେ ସେଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଯେଉଁଠାରେ ଧର୍ମାନୁଷ୍ଠାନ ଓ ପାରମ୍ପରିକ ଉତ୍ସବ ସଂପର୍କୀୟ ଆଲୋଚନା ହେଉଥିଲା ସେମାନେ ବରାବର ରାମମୋହନଙ୍କ ମତର ବିରୋଧ କରୁଥିଲେ । ଯେତେବେଳେ ପରମ୍ପରା ବାହାରର କଥା କେହି ଉଚ୍ଚାରଣ କଲେ ତାକୁ ଲୋକେ ସମାଜ ବିରୋଧୀ ବୋଲି କହୁଥିଲେ, ଠିକ୍‍ ସେତିକିବେଳେ ରାମମୋହନ ଅସଂଖ୍ୟ ବିରୋଧୀ ବ୍ୟକ୍ତିଙ୍କ ମଧ୍ୟରେ ପର୍ବତ ଭଳି ଅଟଳ ରହି ତାଙ୍କର ମତକୁ କାର୍ଯ୍ୟକାରୀ କରିବାରେ ଲାଗିପଡ଼ିଥିଲେ ।

 

ରାମମୋହନ ଅନୁଭବ କରିଥିଲେ ଯେ ବଙ୍ଗଦେଶର ଭଦ୍ରାମଣ୍ଡଳୀ ଏକ ଅବାସ୍ତବ ଓ ବିଳାସବ୍ୟସନମୟ ଜୀବନଯାପନକରି ଚାଲିଛନ୍ତି ଓ ଏହାଦ୍ଵାରା ଦେଶର କୌଣସି ଉପକାର ସାଧିତ ହେଉନାହିଁ । ସେତିକିବେଳେ ସୌଭାଗ୍ୟକ୍ରମେ ଶ୍ରୀ ଦ୍ଵାରକାନାଥ ଠାକୁରଙ୍କ ଭଳି ଜଣେ ବ୍ୟକ୍ତି ଅତି ଅନ୍ତରଙ୍ଗ ବନ୍ଧୁଭାବରେ ରାମମୋହନଙ୍କୁ ସମସ୍ତପ୍ରକାର ସମର୍ଥନ କରୁଥାନ୍ତି । ଦ୍ଵାରକାନାଥଙ୍କର ବିପୁଳ ଧନ ସଂପତ୍ତି ଥିଲା ମଧ୍ୟ ସେ ତାଙ୍କର ଜୀବନର ମୂଲ୍ୟବୋଧ ପ୍ରତି ସର୍ବଦା ସଚେତନ ଥିଲେ । ଦ୍ଵାରକାନାଥ ଓ ବ୍ରାହ୍ମ ସମାଜର ସଂସ୍କୃତି ଦିଗ୍‍ଦର୍ଶନରେ ଠାକୁର ପରିବାର ମାନବୀୟ ସାଂସ୍କୃତି ଓ ଶିକ୍ଷାକ୍ଷେତ୍ରରେ ଅତି ଉଚ୍ଚସ୍ଥାନ ମଣ୍ଡନ କରିଥିଲେ । ସମାଜ ସଂସ୍କାରକଭାବେ ରାମମୋହନଙ୍କ ପଦାଙ୍କ ଅନୁସରଣ କରିଥିଲେ, ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ।

 

ରାମମୋହନ ପ୍ରତ୍ୟେକ ମତବାଦରେ ବା ଚିନ୍ତାଧାରାକୁ ଆଧୁନିକ ହେଉ କିମ୍ବା ପୁରାତନ ହେଉ ଗଭୀରଭାବେ ଅନୁଧ୍ୟାନକରି ତାଙ୍କର ନିଷ୍ପତ୍ତି ନେଉଥିଲେ । ଭାରତକୁ ଆଧୁନିକ ରୂପରେଖ ଦେବାରେ ଶିକ୍ଷା ଓ ଧର୍ମୀୟ କ୍ଷେତ୍ରରେ ସେ ଯେଉଁ ସଂସ୍କାର ଆଣିଥିଲେ, ତାହାର ସପକ୍ଷରେ ଓ ବିଷୟରେ ଥିବା ଯୁକ୍ତିଗୁଡ଼ିକୁ ସେ ପ୍ରଥମେ ତନ୍ନତନ୍ନକରି ତର୍ଜମା କରିଥିଲେ । ଭାରତର ସାମାଜିକ କ୍ଷେତ୍ରରେ ଯେଉଁ ପ୍ରଥାଗୁଡ଼ିକ ପ୍ରଚଳିତ ଥିଲା ସେ ସବୁଗୁଡ଼ିକ ଯେ, ରାମମୋହନ ପ୍ରତ୍ୟାଖ୍ୟାନ କରିଥିଲେ ତାହା ନୁହେଁ ତହିଁରୁ ଯେଉଁ ସବୁ ପ୍ରଥା ଲୋକଙ୍କ ମଙ୍ଗଳ ଲାଗି ଉପଯୁକ୍ତ ବିବେଚିତ ହେଉଥିଲା ତାହାକୁ ସେ ଉପଯୁକ୍ତ ସମ୍ମାନ ଦେଉଥିଲେ । ସେହିପରି ବିଦେଶୀମାନଙ୍କର ଦୋଷ ଓ ଗୁଣ ଉଭୟକୁ ବିଚାରକରି ସେ ବିଦେଶୀ ପଦ୍ଧତିକୁ ଗ୍ରହଣ କରୁଥିଲେ-। ବିଦେଶୀମାନଙ୍କୁ ସଇତାନ ବୋଲି ଆଖ୍ୟାଦେଇ ସେ ଏକାବେଳେକେ ସେମାନଙ୍କଠାରୁ ଦୂରେଇ ଯାଉନଥିଲେ କିମ୍ବା ଦେବତା ଭଳି ସେମାନଙ୍କୁ ପୂଜା କରୁନଥିଲେ । ତେଣୁ ସେ ଚାହୁଁଥିଲେ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ପଦ୍ଧତିର ସମ୍ମିଶ୍ରଣରେ ଏକ ସାର୍ବଜନୀନ ଓ ମାନବୀୟ ସଂସ୍କୃତି । ଏହା ଉପରେ ଭତ୍ତିକରି ଏକ ବିଶ୍ଵବାଦ ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟଥିଲା । ପାଶ୍ଚାତ୍ୟ ଜଗତ ପ୍ରତି ସେ ଆକୃଷ୍ଟ ହୋଇଥିଲେ ମଧ୍ୟ ନିଜର ଦେଶର ଐତିହ୍ୟଲାଗି ସେ ଗର୍ବ ଅନୁଭବ କରୁଥିଲେ । ଭାରତର ରକ୍ଷଣଶୀଳ ବ୍ୟକ୍ତିମାନେ ଇଂରେଜମାନଙ୍କୁ ଘୃଣା କରୁଥିଲା ବେଳେ ରାମମୋହନ ଆଧୁନିକ ଉଦାରବାଦୀ ଲେଖକ ପାଶ୍ଚାତ୍ୟ ରାଜନୈତିକ ଦର୍ଶନ ଅଧ୍ୟୟନ କରୁଥିଲେ-। ଜନଡିଗ୍‌ବି (John Digby) ଅଧୀନରେ ଆସିଷ୍ଟାଣ୍ଟ ରେଭେନ୍ୟୁ ଅଫିସରଭାବେ କାର୍ଯ୍ୟ କରୁଥିବାବେଳେ ସେ ଇଂରାଜୀ ଭାଷା ଶିକ୍ଷାକରି ପାଶ୍ଚାତ୍ୟ ରାଜନୈତିକ ଦର୍ଶନକୁ ଉତ୍ତମଭାବେ ଅନୁଶୀଳନ କରିବାର ସୁଯୋଗ ଲାଭ କରିଥିଲେ । ବିଦେଶୀମାନେ ଜାତିବିରୋଧୀ ବୋଲି ଧାରଣାକରି ରାମମୋହନ ଯଦି ସେମାନଙ୍କ ସହିତ ସମସ୍ତ ସଂପର୍କ ଚ୍ଛିନ୍ନ କରିଥାନ୍ତେ, ତେବେ ବିଶ୍ଵସ୍ରୋତରେ ଭାରତକୁ ମିଶାଇବା ପାଇଁ ସେ କେବେ ସମର୍ଥ ହୋଇ ପାରିନଥାନ୍ତେ ।

 

ସେତେବଳେ ଇଉରୋପୀୟ ରାଷ୍ଟ୍ରମାନଙ୍କରେ ସଂଘଠିତ ଘଟଣା ପ୍ରବାହ ଫରାସୀ ବିପ୍ଳବ, ଆମେରିକାର ସ୍ଵାଧୀନତା ଆନ୍ଦୋଳନ, ଆୟରଲାଣ୍ଡ ଆନ୍ଦୋଳନ ପ୍ରଭୃତି ପ୍ରତି ସେ ତୀକ୍ଷ୍‌ଣ ଦ୍ରୁଷ୍ଟି ରଖିଥିଲେ । ସେଥିଯୋଗୁଁ ପରବର୍ତ୍ତୀ କାଳରେ ରାମମୋହନ ଉଦାରାବାଦୀଙ୍କ ପ୍ରତି ସହାନୁଭୂତିଶୀଳ ହେବା ସଙ୍ଗେ ସଙ୍ଗେ ଉଦାର ମତବାଦ ପ୍ରକାଶ କରିଥିଲେ । ସ୍ପେନରେ ଆଭ୍ୟନ୍ତରୀଣ ସଂଘର୍ଷ ଚାଲିଥିବା ବେଳେ ସେ ଉଦାରବାଦୀଙ୍କ ସପକ୍ଷରେ ମତାପ୍ରକାଶ କରିଥିଲେ-। ୧୮୧୨ ମସିହାରେ ପ୍ରଣୟନ କରାଯାଇଥିବା ସ୍ପେନ ସମ୍ବିଧାନରେ ରାମମୋହନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି । ସ୍ପେନର ସ୍ଵାଧୀନତା ସମ୍ପର୍କୀୟ ସମ୍ବାଦ ଭାରତରେ ପହଞ୍ଚିବା ପରେ ରାମମୋହନ ତାଙ୍କର ବନ୍ଧୁମାନଙ୍କୁ ଭୋଜି ଦେଇଥିଲେ । କେତେକ ଯୁରୋପୀୟ ତାଙ୍କର ରାଜନୀତିକ ଦର୍ଶନ ସମ୍ପର୍କରେ ପ୍ରଶ୍ନ କରିଥିବାରୁ ରାମମୋହନ ଉତ୍ତର ଦେଇଥିଲେ, ସ୍ପେନ ବାସୀ ଯେଉଁ ଧର୍ମାବଲମ୍ବି ହୁଅନ୍ତୁ, ଯେଉଁ ଭାଷା ଭାଷୀ ହୁଅନ୍ତୁ ଏବଂ ଯେଉଁଠାରେ ରହନ୍ତୁ ପଛକେ, ସେମାନେ ମନୁଷ୍ୟ ହୋଇଥିବାରୁ ସେମାନଙ୍କର ଦୁଃଖଦୁର୍ଦ୍ଦଶା ପ୍ରତି ଆଖି ବୁଜି ଦେବା ମୋର କ’ଣ ଉଚିତ ?

 

୧୮୨୩ ମସିହାରେ ଏଡ଼ିନବରୋ ମେଗାଜିନରେ ଜଣେ ବିଶିଷ୍ଟ ଇଂରେଜ ବ୍ୟକ୍ତି ରାମମୋହନଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ଲେଖିଥିଲେ ଯେ, ଦକ୍ଷିଣ ଆମେରିକାର ସ୍ଵାଧୀନତା ଲାଗି ରାମମୋହନ ଯେଉଁ ବ୍ୟଗ୍ରତା ପ୍ରକାଶ କରିଥିଲେ, ତାଙ୍କୁ ସେଥିରୁ ତାଙ୍କ ହୃଦୟର ଅନୁକମ୍ପା ଓ ସହାନୁଭବତା ପ୍ରତିପାଦିତ ହୁଏ ।

 

ପର୍ତ୍ତୁଗାଲରେ ସାମ୍ବିଧାନିକ ସରକାର ପ୍ରତିଷ୍ଠିତ ହେବା ପରେ ରାମମୋହନ ଆନନ୍ଦିତ ହୋଇଥିଲେ । ଗ୍ରୀକ୍‌ମାନଙ୍କ ସ୍ଵାଧୀନତା ଆନ୍ଦୋଳନକୁ ସେ ସମର୍ଥନ କରିଥିଲେ । ନେପୁଲସ୍‌ରେ ୧୮୧୫ ମସିହାରେ କାରବୋନାରୀ ନାମକ ଗୋଟିଏ ସୋସାଇଟି ପ୍ରତିଷ୍ଠିତ ହୋଇଥିଲ । ୧୮୨୦ ଓ ୨୧ ମଧ୍ୟରେ ନେପୋଲିଟାନ କାରବୋନାରୀ (Neopolitan Carbonari) ସବୁ ଶ୍ରେଣୀର ଲୋକଙ୍କ ମଧ୍ୟରେ ସମତା ଓ ବିଶେଷ କରି ଗୋଟିଏ ସଂବିଧାନ ଦାବୀକରି ନେପାଲ୍‌ସର (Naples) ବୁରବନ୍ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ଏହି ବିଦ୍ରୋହକୁ ଅତ୍ୟନ୍ତ ଦୃଢ଼ ହସ୍ତରେ ଦମନ କରାଗଲା । ମୁରେଲୀ ଏବଂ ସିଲଭାନି ନାମକ ଦୁଇଜଣ ନେତାଙ୍କୁ ଯେତେବେଳେ ନେପୋଲସ୍ ଠାରେ ଫାସି ଦିଆଗଲା, ରାମମୋହନ ଏହି ସମ୍ବାଦରେ ଅତ୍ୟନ୍ତ ମର୍ମାହତ ହୋଇଥିଲେ । ସେହିଦିନ ବକିଙ୍ଗହାମଙ୍କ ଦ୍ଵାରା ଆୟୋଜିତ ଏକ ଭୋଜି ସଭାକୁ ସେ ଯାଇନଥିଲେ ଏବଂ ଲେଖିଥିଲେ.......‘ସ୍ଵାଧୀନତାର ଶତ୍ରୁମାନେ ଅବଶେଷରେ କେବେ କୃତକାର୍ଯ୍ୟ ହୋଇ ପାରିବେ ନାହଁ । *

 

* My mind is depressed by the late news from Europe under these circumstances. I consider the cause of the Neopolitans as my own and their enemies as ours. Enemies to liberty and friends of despotism have never been and never will be ultimately successful.

 

୧୮୨୨ମସିହାରେ ଆୟରଲଣ୍ଡର କାଥୋଲିକମାନଙ୍କ ପ୍ରତି ବ୍ରିଟିଶ ସରକାର ଯେଉଁ ଦମନମୂଳକ ନୀତି ଅବଲମ୍ବନ କରିଥିଲେ ରାମମୋହନ ତାହାର ତୀବ୍ର ସମାଲୋଚନା କରିଥିଲେ । ଆୟରଲାଣ୍ଡ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କ ନିକଟକୁ ରାମମୋହନ ଭାରାତରୁ ଅର୍ଥ ପଠାଇଥିଲେ । ଜାତି ଓ ଜାତି ମଧ୍ୟରେ ପାରସ୍ପରିକ ବିଶ୍ଵାସଭଙ୍ଗ ଦେଖିଲେ ରାମମୋହନ ତତ୍‌କ୍ଷଣାତ ତାହାର ବିରୋଧ କରୁଥିଲେ । ବ୍ୟକ୍ତି ସ୍ଵାଧୀନତାର ସେ କିପରି ଦୃଢ଼ ସମର୍ଥକ ଥିଲେ, ତାହାର ୧୮୩୧ ମସିହା ଡିସେମ୍ବର ମାସ ୨୬ ତାରିଖରେ ଫ୍ରାନ୍‌ସରେ ପ୍ରିନସର ଟେଲିରାଣ୍ଡଙ୍କ ନିକଟକୁ ଲେଖିଥିଲେ ଏକ ପତ୍ରରୁ ସ୍ପଷ୍ଟଭାବେ ଜଣାଯାଏ । ସେଥିରେ ଯେ ଉଲ୍ଲେଖ କରିଥିଲେ ଯେଉଁ ପାସ୍‌ପୋର୍ଟ ନିୟମ ଅନୁସୃତ ହେଉଛି, ତାହା ଏସିଆର ରାଷ୍ଟ୍ରମାନଙ୍କରେ ମଧ୍ୟ ପ୍ରଚଳନ ନାହିଁ । କିନ୍ତୁ ଫ୍ରାନ୍‌ସ ଭଳି ଦେଶ ଯାହାର କି ଉଦାରବାଦ ଓ ସୌଜନ୍ୟ ପାଇଁ ସୁନାମ ରହିଛି, ସେଠାରେ ଯେ ଏହି ନିୟମ ଅନୁସୃତ ହେବ ତାହା ମୁଁ କଳ୍ପନା କରିପାରୁନାହିଁ । *

 

* ‘Such a regulation is quite unknown even among the Nations of Asia….I am therefore quite at a long loss to conceive how it should exist among a people so framed as the French are for courtesy and liberality in all other matters. It is now generally admitted that not religion only but unbiased common-sense as well as the accurate deductions of scientific research lead to the conclusion that all mankind are one great family of which numerous nations and tribes existing are only various branches. Hence enlightened men in all countries feel a wish to encourage and facilitate human intercourse.’’

 

ରାମମୋହନଙ୍କ ମୃତ୍ୟୁପରେ ଇତି ମଧ୍ୟରେ ପ୍ରାୟ ଦେଢ଼ଶହ ବର୍ଷ ଅତିବାହିତ ହୋଇଗଲାଣି । ଆମେ ଆଜି ଜାତିସଂଘର ଜେନେରାଲ ଆସେମ୍ବ୍ଲି ସଂପର୍କରେ ଆଲେଚନା କରୁହୁଁ-। ଆନ୍ତର୍ଜାତିକ କ୍ଷେତ୍ରରେ ସହଯୋଗ ପ୍ରତିଷ୍ଠାର ଅପରିହାର୍ଯ୍ୟ ସଂପର୍କରେ ଚିନ୍ତା କରୁଛୁ-। କିନ୍ତୁ ଦେଢ଼ଶହ ବର୍ଷ ପୂର୍ବେ ରାମମୋହନ ଏ ସଂପର୍କରେ ଚିନ୍ତା କରିଥିଲେ-। ଟାଲିରାଣ୍ଡ (Talleyrand)ଙ୍କ ନିକଟକୁ ଲେଖିଥିବା ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ, ଦେଶ ଓ ଦେଶ ମଧ୍ୟରେ ଯେଉଁ ରାଜନୈତିକ ପାର୍ଥକ୍ୟ ରହୁଛି, ତାହାର ସମାଧାନ ଲାଗି ପ୍ରତ୍ୟେକ ରାଷ୍ଟ୍ର ସମସଂଖ୍ୟକ ପାର୍ଲିଆମେଣ୍ଟ ସଭ୍ୟଙ୍କୁ ନେଇ ଏକ କଂଗ୍ରେସ ଗଠିତ ହେବା ଆବଶ୍ୟକ ଏବଂ ଏହାର ଜଣେ ଚେୟାରମ୍ୟାନ ମଧ୍ୟ ରହିବା ଉଚିତ ଏବଂ ଏହି ଚେୟାରମାନ ପ୍ରତିବର୍ଷ ପ୍ରତ୍ୟେକ ରାଷ୍ଟ୍ରରୁ ନିର୍ବାଚିତ ହେବା ଉଚିତ । ଏହି କଂଗ୍ରେସ ମାଧ୍ୟମରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ରାଜନୈତିକ, ବାଣିଜ୍ୟିକ ଓ ଅନ୍ୟାନ୍ୟ ବିଷୟରେ ସୃଷ୍ଟି ହେଉଥିବା ବିଭେଦ ସମାଧାନ ହୋଇ ପାରିବ । ସେତେବେଳେ ରାମମୋହନ ଏ ସଂପର୍କରେ ଗଭୀର ଭାବେ ଚିନ୍ତାକରି ଯେଉଁ ପରାମର୍ଶମାନ ଦେଉଥିଲା ତାହା ଆଜି ଆମେ ଦେଖିଲେ, ତାଙ୍କ ଦୂରଦୃଷ୍ଟିତାର ଭୂରିଭୂରି ପ୍ରଶଂସା ନ କରି ରହି ପାରିବା ନାହିଁ-

 

ନାରୀମାନଙ୍କର ବିକାଶଲାଗି ରାମମୋହନ ଯେଉଁ ଉଦ୍ୟମ କରିଥିଲେ ଏଥିଲାଗି ତାଙ୍କୁ ବହୁନିନ୍ଦା ସହ୍ୟ କରିବାକୁ ହେଉଥିଲା । ବଙ୍ଗଳା ଅଭ୍ୟୁଦୟ କେବେ ଗୋଟିଏ ରାତି ଘଟଣା ନୁହେଁ । ଯେଉଁ ସବୁ କାରଣ ଯୋଗୁଁ ତତ୍‌କାଳୀନ ଭାରତରେ ଏକ ଅଭ୍ୟୁଦୟ ଯୁଗର ଆବିର୍ଭାବ ହୋଇଥିଲା, ତାହା କ୍ରମେ ଭାରତରେ ଜାତୀୟ ଆନ୍ଦୋଳନ ଲାଗି ପରବର୍ତ୍ତୀ କାଳରେ ପଥ ପରିଷ୍କାର କଲା । ରାମମୋହନଙ୍କ ବହୁ ପୂର୍ବରୁ ପୋଲବ୍ରୁକ ନାମକ ଜଣେ ବ୍ୟକ୍ତି ହୁଏତ ଭାବିପାରିଥା’ନ୍ତି ଯେ, ଭାରତରେ ପ୍ରବର୍ତ୍ତିତ ସତୀଦାହ ପ୍ରଥା ଧର୍ମ ଶାସ୍ତ୍ରାନୁମୋଦିତ ନୁହେଁ । ମାତ୍ର ମାନବିକ ଦୃଷ୍ଟିକୋଣରୁ ବିଚାର କରି ଏହାର ନିର୍ଦ୍ଦୟତା ଦିଗପ୍ରତି, ସାଧାରଣ ଲୋକ ଦୃଷ୍ଟି ଆକର୍ଷଣ କରିବା ଓ ଏହି ମର୍ମନ୍ତୁଦ ଘଟଣା ସମ୍ପର୍କରେ ସେମାନଙ୍କୁ ବୁଝାଇବା ତାଙ୍କ ପକ୍ଷେ ସମ୍ଭବ ହୋଇ ପାରିନଥିଲେ । ଭାରତର ବିଶିଷ୍ଟ ପଣ୍ଡିତବର୍ଗ କିମ୍ବା ବିଜ୍ଞ ଇଂରେଜ ବ୍ୟକ୍ତି କିମ୍ବା ପାଶ୍ଚାତ୍ୟ ଭାବଧାରେ ଅନୁପ୍ରାଣିତ ହୋଇଥିବା ଭାରତର ବିଖ୍ୟାତ ବ୍ୟକ୍ତି ଏହି ପ୍ରଥା ବିରୁଦ୍ଧରେ ଜନମତ ସୃଷ୍ଟି କରିବା ଦାୟିତ୍ଵ ନିଜ ଉପରକୁ ନେଇ ନ ଥିଲେ । କିନ୍ତୁ ସମସ୍ତ ଭର୍ତ୍ସନା ଓ ତିରସ୍କାରକୁ ସହ୍ୟକରି ନାନାବିଧ ପ୍ରତିବନ୍ଧକକୁ ଏଡ଼େଇ ରାମମୋହନ ଏହା ବିରୁଦ୍ଧରେ ସଂଗ୍ରାମ ଚଳାଇଥିଲେ-। ସେ କାହିଁକି ଏହା କରିଥିଲେ, ତାହାର ତାତ୍ପର୍ଯ୍ୟ କେବଳ ତତ୍‌କାଳୀନ ପ୍ରଗତିଶୀଳ ଉଦାରବାଦୀମାନେହିଁ ବୁଝିଥିଲେ । ଏପରିକି, ଏ ଦାୟିତ୍ଵ ବହନ କରିବା ପାଇଁ ସେତେବେଳେ ବ୍ରିଟିଶ ଗଭର୍ଣ୍ଣର ଜେନେରାଲମାନେ ମଧ୍ୟ ନାସ୍ତି କରି ଦେଉଥିଲେ ।

 

ବେଣ୍ଟିକ ଯେତେବଳେ ଭାରତର ଗଭର୍ଣ୍ଣର ଜେନେରାଲ ହୋଇ ଆସିଲେ ସେ ଦେଖିଲେ ଯେ ଫୋର୍ଟ ଉଇଲିଅମ କଲେଜ ତାହାର ପୂର୍ବର ଗୌରବ ହାରାଇ ବସିଛି, ଶ୍ରୀରାମପୁର କଲେଜରେ ହିନ୍ଦୁମାନଙ୍କୁ ପରୋକ୍ଷଭାବେ ଖ୍ରୀଷ୍ଟିଆନ କରାଯାଉଛି, ସଂସ୍କୃତ କଲେଜ ହିନ୍ଦୁ ଉଦାରବାଦୀଙ୍କ ଦ୍ଵାରା ବ୍ୟାପକ ଭାବେ ପ୍ରଭାବିତ ହୋଇ ରହିଛି, ସେ ଭାରତର ତତ୍‌କାଳୀନ ପରିସ୍ଥିତି ପର୍ଯ୍ୟାଲୋଚନା କଲେ ଏବଂ ଯେତେବେଳେ ଦେଖିଲେ ଯେ, ରାମମୋହନ, ଦ୍ଵାରକାନାଥ ଏବଂ ବ୍ରାହ୍ମ ସମାଜର ସଭ୍ୟମାନେ ଭାରତର ସଂସ୍କାର ଆଣିବା ପାଇଁ ଦୃଢ଼ତାର ସହିତ କାର୍ଯ୍ୟକରି ଚାଲିଛନ୍ତି, ସେ କ୍ରମଶଃ ସେମାନଙ୍କ ପ୍ରତି ଆକୃଷ୍ଟ ହେଲେ ।

 

ସେତେବେଳେ ବଙ୍ଗ ଦେଶରେ କେତେକ ବ୍ୟକ୍ତି ବାହାରିଥିଲେ ଯେଉଁମାନଙ୍କର ମତ ଥିଲା ଯେ, ଭାରତରେ ବ୍ୟାପକ ଭିତ୍ତିରେ ଶିକ୍ଷାର ଆବଶ୍ୟକତା ନାହିଁ କିନ୍ତୁ ରାମମୋହନ ଉପଲବ୍‌ଧି କରିଥିଲେ ଯେ,ପ୍ରାଚ୍ୟ ଓ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଦ୍ଵାରାହିଁ ଭାରତ ଏ ଅନ୍ଧକାର ଗର୍ଭରୁ ଉପରକୁ ଉଠିପାରିବ । ସେ ବେଦାନ୍ତ କଲେଜ ପ୍ରତିଷ୍ଠା କଲେ । ତାଙ୍କ ଲକ୍ଷ୍ୟଥିଲା ଯେ ସଂସ୍କୃତ ଶିକ୍ଷାର ଉପଯୁକ୍ତ ପ୍ରସାର ହେଉ । ତାହା ସଙ୍ଗେ ସଙ୍ଗେ ପାଶ୍ଚାତ୍ୟ ଶିକ୍ଷାର ମଧ୍ୟ ପ୍ରସାର ହେଉ । ରାମମୋହନଙ୍କ ଆଙ୍ଗ୍ଳୋ ହିନ୍ଦୁ ସ୍କୁଲରେ ବଙ୍ଗଳା ଭାଷାରେ ବିଜ୍ଞାନ ଶିକ୍ଷା ଦିଆଗଲା । ଉଦାରବାଦୀ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ ବ୍ୟାପାର ଭିତ୍ତିକ ଶିକ୍ଷା ପାଇବା ପାଇଁ ଯେଉଁ ଛାତ୍ରମାନଙ୍କୁ ସେମାନଙ୍କର ପିତାମାତା ଅନୁମତି ନ ଦେଲେ ସେମାନେ ତତ୍‌କାଳୀନ ସମାଜ ବିରୁଦ୍ଧରେ ସ୍ଵର ଉଠାଇଲେ । କାରଣ ବିଶ୍ଵରେ ଯେଉଁ ଘଟଣା ଘଟିଯାଇଛି, ତାହା ଜାଣିବା ପାଇଁ ଯୁବକମାନେ ସାଧାରଣତଃ କୌତୂହଳ ପୂର୍ଣ୍ଣ ଆଗ୍ରହ ପ୍ରକାଶ କରିଥାନ୍ତି । ଏଥିରୁ ସେମାନଙ୍କୁ ବାରଣ କାଲେ ସେମାନେ ବିଦ୍ରୋହୀ ହୋଇ ଉଠିବା ସ୍ଵାଭାବିକ । ଈଶ୍ଵରଚନ୍ଦ୍ର ସାଗର, ବିଦ୍ୟାସାଗରଙ୍କ ପିତା ହିନ୍ଦୁ କଲେଜରେ ପଢ଼ିବା ପାଇଁ ପୁତ୍ରକୁ ଅନୁମତି ଦେଲେ ନାହିଁ । ବିଦ୍ୟାସାଗର ସଂସ୍କୃତ କଲେଜରେ ଅଧ୍ୟୟନ କଲେ । ମାତ୍ର ଦେଖାଗଲା ଯେ, ସେ ସଂସ୍କୃତ କଲେଜରେ ପଢ଼ୁଥିଲେ ମଧ୍ୟ ହିନ୍ଦୁ କଲେଜରେ ପଢ଼ୁଥିବା ଛାତ୍ରମାନଙ୍କର ମତାମତ ଜାଣିବା ପାଇଁ ପ୍ରତ୍ୟହ ଅତ୍ୟନ୍ତ ବ୍ୟଗ୍ରତା ପ୍ରକାଶ କରୁଥିଲେ । ହିନ୍ଦୁ କଲେଜରେ ଯେଉଁ ଆଲୋଚନା ସବୁ ହେଉଥିଲା ତଦ୍ଦ୍ୱାରା ବିଦ୍ୟାସାଗର ପ୍ରଭାବିତ ହେଉଥିଲା । ପରିଣାମରେ ଦେଖାଗଲା ଯେ, ତାର ସମସ୍ତ ରକ୍ଷଣଶୀଳ ପୃଷ୍ଠଭୂମି, ରକ୍ଷଣଶୀଳ ସମାଜରେ ଅନୁସୃତ ନିର୍ଦ୍ଦୟତା ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ଇନ୍ଧନ ଯୋଗାଇ ଦେଲା । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ରାମମୋହନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଜଣେ ସଂସ୍କାରକ ରୂପେ କାର୍ଯ୍ୟ କରିବାରେ ଲାଗି ପଡ଼ିଲେ ।

 

ଟାଗୋର ପରିବାରଙ୍କୁ ପାଶ୍ଚାତ୍ୟ ଅଭିମୁଖୀ ବୋଲି କହି ସେତେବେଳେ କେତେକ ସମାଲୋଚାନା କରୁଥିଲେ । ବିଶେଷକରି ଦ୍ଵାରକାନାଥ ଠାକୁର କଲିକତାର ଉପକଣ୍ଠରେ ଶିଳ୍ପ ପ୍ରତିଷ୍ଠା କରିବା ପରେ ଠାକୁର ପରିବାର ବିରୁଦ୍ଧରେ ଏହି ଅଭିଯୋଗ ହେଲା; କିନ୍ତୁ ଜାହାଜ ଚଳାଚଳ ଓ ବ୍ୟାଙ୍କ ବ୍ୟବସାୟ କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ କେତେକ ଶିଳ୍ପ ପ୍ରତିଷ୍ଠା କରିବାରେ ଦ୍ଵାରକାନାଥ ଠାକୁର ଥିଲେ ଭାରତର ପ୍ରଥମ ବ୍ୟକ୍ତି । ତାର ଏହି କାର୍ଯ୍ୟ ଫଳରେ ଭାରତରେ ସହରି ସଭ୍ୟତା ବୃଦ୍ଧି ପାଇଲା । ସେ ତାର ହିନ୍ଦୁ ମୂଳଦୁଆ ଉପରେ ସଂପୂର୍ଣ୍ଣ ଆସ୍ଥାବାନ ଥିଲେ ଏବଂ ଏପରି ପ୍ରଗତିଶୀଳ କାର୍ଯ୍ୟମାନ କରିବା ଦ୍ଵାରା ଯେ, ତାର ମୂଳ ସଂସ୍କୃତି ଲୋପ ପାଇବା ତାହା କେବେ ସେ ଆଶା କରୁନଥିଲା । ସାର୍ବଜନୀନ ମାନବବାଦ ଉପରେ ଗଢ଼ି ଉଠିଥିବା ବ୍ରାହ୍ମ ସମାଜ ପ୍ରତି ଦେବେନ୍ଦ୍ରନାଥ, କେଶବଚନ୍ଦ୍ର ସେନ୍‌, ଶିବନାଥ ଶାସ୍ତ୍ରୀ, ଆନନ୍ଦମୋହନ ବସୁ ଏବଂ ଆଉ ଅନେକ ଉଦାରବାଦୀ ବ୍ୟକ୍ତି ଆକୃଷ୍ଟ ହୋଇଥିଲେ । ସେମାନଙ୍କ ନେତୃତ୍ଵ ସଚେତନ ଯୁବ ସମାଜକୁ ଠିକ୍‍ ସମୟରେ ଦିଗ୍‌ଦର୍ଶନ ଦେଇ ଜାଗ୍ରତ କରାଇ ପାରିଥିଲା । କାଳକ୍ରମେ ବ୍ରାହ୍ମ ସମାଜ ସଂସ୍ଥା ସାଧାରଣ ବ୍ରାହ୍ମ ସମାଜରେ ପରିଣତ ହେଲା ଏବଂ ଏହାଥିଲା ଉଦାର ମତବାଦୀ ବ୍ୟକ୍ତିର ସାଧନାର ପୀଠ ସ୍ଥଳ । ଦାକ୍ଷିଣାତ୍ୟରେ ପୀଠାପୁରର ରାଜା ଉତ୍ତର ଭାରତରେ ଶ୍ରୀ ଦୟାଲ ପ୍ରାର୍ଥନା ସମାଜର ପୃଷ୍ଠପୋଷକ ଥିଲେ । ମହାରାଷ୍ଟ୍ରରେ ପ୍ରତିଷ୍ଠିତ ପ୍ରାର୍ଥନା ସମାଜ ଜନସାଧାରଣର ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲା । ଦେବେନ୍ଦ୍ର ନାଥ ଶାନ୍ତିନିକେତନ ପ୍ରତିଷ୍ଠା କଲେ । ସି. ଏଫ୍‍.ଏଣ୍ଡ୍ର୍ୟୁଜୁ, ଏମ୍‍. ହର୍ଷ ପ୍ରଭୃତି ବହୁ ବିଦେଶୀ ବ୍ୟକ୍ତି ଶାନ୍ତି ନିକେତନର ପରିଦର୍ଶନରେ ଆସିଲେ ଓ ଶାନ୍ତିନିକେତନ କ୍ରମେ ଏକ ଆନ୍ତର୍ଜାତିକ କେନ୍ଦ୍ରରେ ପରିଣତ ହୋଇଥିଲା ।

 

ଦ୍ଵାରକାନାଥ ଓ ରାମମୋହନଙ୍କ ଦ୍ଵାରା ପ୍ରଭାବିତ ହୋଇ ଦେବେନ୍ଦ୍ର ନାଥ ସାର୍ବଜନୀନ ମାନବବାଦର ବିଶ୍ୱାସ କରୁଥିଲେ । ଦେବେନ୍ଦ୍ର ନାଥ ସଂସ୍କୃତ ଭାଷାରେ ଜଣେ ବିରାଟ ପଣ୍ଡିତ ଥିଲେ-। ସେ ଯେଉଁ ସବୁ କବିତା ରଚନା କରିଥିଲେ ତାହା ସାର୍ବଜନୀନ ଈଶ୍ଵର ଓ ମାନବବାଦ ଭାବ୍ୟର ଦ୍ଵୈତକ ।

 

ରାମମୋହନଙ୍କ ରଙ୍ଗପୁର ସ୍ଥିତ ବାସଭବନରେ ଆତ୍ମୀୟ ସଭାର କାର୍ଯ୍ୟ ଚାଲିବାବେଳେ ବ୍ୟାକନ୍, ଲକ୍, ନିଉଟନ, ହ୍ୟୁମ, ଗୀଦନସ୍‌, ଭଲଟାୟାର, ଭୋଲନେପେନ ପ୍ରଭୃତି ପୃଥିବୀ ବିଖ୍ୟାତ ଦାର୍ଶନିକ, ବୈଜ୍ଞାନିକ ଓ ଅର୍ଥନୀତିଜ୍ଞଙ୍କ ସହିତ ରାମମୋହନଙ୍କର ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ଥିଲା । ରାମମୋହନ ଥିଲେ ଜଣେ ପ୍ରବଳ ବିଦ୍ୟୋତ୍ସାହୀ ବ୍ୟକ୍ତି । ଏହିମାନଙ୍କ ସମ୍ପର୍କରେ ଆସି ବିଦ୍ୟା ଅଧ୍ୟୟନ କ୍ଷେତ୍ରରେ ତାଙ୍କର ଉତ୍ସାହ ଦ୍ଵିଗୁଣିତ ହୋଇଥିଲା । ବିଖ୍ୟାତ ଦାର୍ଶନିକ ଜେରେମି ବେନ୍ଥାମ ଓ ଜନ୍ ଷ୍ଟୁଆର୍ଟ ମିଲ୍‌ଙ୍କ ଦ୍ଵାରା ସେ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ । ପାଶ୍ଚାତ୍ୟ ଲେଖକ ଓ ଦାର୍ଶନିକମାନେ ଯୁକ୍ତି ଉପରେ ପ୍ରତିଷ୍ଠିତ ଉଦାରବାଦୀ ଦର୍ଶନ ସମ୍ପର୍କରେ ତାଙ୍କ ଉପରେ ଯେଉଁ ପ୍ରଭାବ ପକାଇଥିଲେ, ପରବର୍ତ୍ତୀ କାଳରେ ରାମମୋହନ ତାହା ଜନସାଧାରଣଙ୍କ ମଧ୍ୟରେ ପ୍ରସାର କରିଗଲେ ।

 

ରାମମୋହନ ହିନ୍ଦୁ ଧର୍ମଗ୍ରନ୍ଥ ବାରମ୍ବାର ଅଧ୍ୟୟନ ଓ ଅନୁଶୀଳନ କରିଥିଲେ । ସ୍ତୁତି, ଦର୍ଶନ, ମୀମାଂସା, ବ୍ରାହ୍ମଣ, ଉପନିଷଦ, ପୁରାଣ ଓ ତନ୍ତ୍ର ମଧ୍ୟରେ ତାଙ୍କର ଗଭୀର ପ୍ରବେଶ ଥିଲା । କୋରାନ୍ ଓ ବାଇବେଲର ସାରବତ୍ତା ସେ ହୃଦୟଙ୍ଗମ କରିଥିଲେ । ଜୈନ ଓ ବୌଦ୍ଧ ଧର୍ମ ଗ୍ରନ୍ଥ ମଧ୍ୟ ସେ ଅଧ୍ୟୟନ କରି ବିଭିନ୍ନ ସ୍ଥାନରେ ତାହାର ପର୍ଯ୍ୟାଲୋଚନା କରିଥିଲେ । ଆରବୀୟ ଭାଷାରେ ଲିଖିତ ଏରିଷ୍ଟୋଟଲ ଓ ୟୁକ୍ଳିଡଙ୍କ ଉପଦେଶାବଳୀ ସେ ଅଧ୍ୟୟନ କରିଥିଲେ । ଏ ସମସ୍ତ ଶାସ୍ତ୍ରରେ ନୈପୁଣ୍ୟ ଲାଭ କରିବା ପରେ ମାନବ ସମାଜର ବିକାଶ ଲାଗି ଯାହା ଆବଶ୍ୟକ, ତାହାକୁ ସେ ଭଲ ଭାବରେ ଜାଣି ପାରିଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ, ବେଦାନ୍ତ ଉପରେ ଶଙ୍କରାଚାର୍ଯ୍ୟ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ସେ ଖୁବ୍‍ ଆଗ୍ରହର ସହିତ ଅଧ୍ୟୟନ କରିଥିଲେ ଓ ତାଦ୍ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥିଲେ ।

 

ବିଦେଶୀ ପଣ୍ଡିତମାନଙ୍କ ମଧ୍ୟରେ ମାକ୍‌ସମୁଲର ରାମମୋହନଙ୍କୁ ବହୁ ପ୍ରଶଂସା କରିଛନ୍ତି । ତାହାଛଡ଼ା ଡେଭିଡ ହେୟାର, ବେଣ୍ଟିକ, ବେନ୍ଥାମ, ଉଇଲିଅମ ଆଡାମସ, ରସ୍କୋ, ରବର୍ଟ ଓଏନ୍‌ଙ୍କର ରାମମୋହନଙ୍କ ମୌଳିକ ଚିନ୍ତାଧାର ପ୍ରତି ବିଶେଷ ସମ୍ମାନଥିଲା । ଡଃ କାରପେଣ୍ଟର, ମିସ କାରପେଣ୍ଟର ଏବଂ ମିସ କୋଲେଟ ରାମମୋହନ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ତାଙ୍କ ପାଖେ ପାଖେ ରହି କାର୍ଯ୍ୟ କରିଥିଲେ । ଊନବିଂଶ ଶତାବ୍ଦୀ ଭାରତ ବହୁ ନେତୃବୃନ୍ଦଙ୍କ ଦିଗ୍‍ଦର୍ଶନ ପାଇ ଆଗେଇ ଚାଲିଥିଲା ଏବଂ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ସାର ବ୍ରଜେନ୍ଦ୍ର ନାଥ ସିଂହ, ଶିବନାଥ ଶାସ୍ତ୍ରୀ, ମହର୍ଷି ଦେବେନ୍ଦ୍ର ନାଥ ଏବଂ ଗୁରୁଦେବ ପ୍ରଭୃତି ଯେଉଁମାନେ ନେତୃତ୍ଵ ପ୍ରଦାନ କରିଥିଲେ, ସେମାନେ ସମସ୍ତେ ରାମମୋହନଙ୍କ ଉଦାରବାଦୀ ଚିନ୍ତାଧାରା ଦ୍ଵାରା ଅନୁପ୍ରାଣିତ ହୋଇଥିଲେ ।

 

ରାମମୋହନ ଖୁବ୍‍ ଅଳ୍ପକାଳ ମଧ୍ୟରେ ଭାରତବାସୀ ଲାଗି ଯେଉଁ କାର୍ଯ୍ୟ କରିଯାଇଛନ୍ତି, ତାହା କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ମଧ୍ୟ ଉଦ୍ଦିଷ୍ଟ ଥିଲା । ସମସ୍ତ ପ୍ରଗତିଶୀଳ ଜଗତ ତାର ସଂସ୍କାରବାଦୀ କାର୍ଯ୍ୟକୁ ଗ୍ରହଣ କରିଛି । ସେଗୁଡ଼ିକ ମଧ୍ୟରୁ କେତେକେ ଆଜି ସମ୍ବିଧାନର ଅଙ୍ଗ ହୋଇରହିଛି ।

 

ଭୂକଂପନ ଭଳି ଇତିହାସର ମଧ୍ୟ ଏକ ସ୍ପନ୍ଦନ ରହିଛି । ରାଜନୀତିକ ବିବର୍ତ୍ତନ ଏବଂ ମାନବିୟ ଉଦାରବାଦ ଭାରତରେ ରାଜନୈତିକ ଉତ୍‌ଥାପନ ଲାଗି ଯେଉଁ ପଥ ପରିଷ୍କାର କରିଛି, ସେଥିପାଇଁ ରାଜାରାମମୋହନ ରାୟହିଁ ଦାୟୀ । ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ରାମମୋହନଙ୍କ ଭଳି ଜଣେ ବ୍ୟକ୍ତିଙ୍କର ଆବିର୍ଭାବ ହୋଇନଥିଲେ ଭାରତର ସ୍ଵାଧୀନତାର ଇତିହାସ ଭିନ୍ନ ରୂପରେଖ ଧାରଣ କରିଥାନ୍ତା ।

 

ରାମମୋହନଙ୍କୁ ସମାଲୋଚନା

 

ରାଜାରାମମୋହନ ରାୟ ତାଙ୍କର ଆତ୍ମଜୀବନୀ ଚରିତରେ ଲେଖିଛନ୍ତି ‘ମୁଁ ଯେତେବେଳେ ୧୬ ବର୍ଷ ବୟସ୍କ ହୋଇଥିଲି, ହିନ୍ଦୁମାନଙ୍କର ପିତୁଳାପୂଜା ପଦ୍ଧତିକୁ ନିନ୍ଦାକର ଗୋଟିଏ ଲେଖା ଲେଖିଥିଲେ ।*

 

*“When about the age of sixteen I composed a manuscript calling in question the validity of the idolatrous system of Hindus. This together with my own sentiments on the subject, having produced a coolness between me and my immediate kindred, I proceeded on my travels and passed through different countries, chiefly within, but some beyond the bounds of Hindustan’’.

 

ରାମମୋହନର ଆତ୍ମଜୀବନୀ ଚରିତରେ ଥିବା ଏହି ଅଂଶର ସତ୍ୟତା ଉପରେ ଅନେକ ବ୍ୟକ୍ତି ସନ୍ଦେହ ଆରୋପ କରନ୍ତି । କିନ୍ତୁ ଆଉ କେତେକ ବ୍ୟକ୍ତି ଏହାକୁ ସମସ୍ତ ଦୃଢ଼ତାର ସହିତ ସ୍ଵୀକାର କରନ୍ତି । ଯାହାହେଲେ ମଧ୍ୟ ରାମମୋହନଙ୍କର ଏହି ଲେଖାଟି ଛପା ହୋଇନଥିଲା କିମ୍ବା କୌଣସିଠାରେ ଏହା ମିଳେ ନାହିଁ । ଯାହାକିଛି ମିଳେ ତାହା ତାଙ୍କ ପୈତୃକ ସମ୍ପତ୍ତି ସଂପର୍କରେ ବିଚାରାଳୟର କାଗଜପତ୍ର (Court Record) ଆକାରରେ ମିଳେ । କିନ୍ତୁ ରାମମୋହନଙ୍କ ଦ୍ଵାରା ଲିଖିତ ‘ତୁଫାନ ଉଲ ମୁୱାହିଦ୍ଦିନ (Tuhfat UI Muwahhidin) ରାମମୋହନଙ୍କୁ ଧର୍ମକ୍ଷେତ୍ରରେ ଜଣେ ଦାର୍ଶନିକ ଭାବରେ ଆମ ନିକଟରେ ପରିଚିତ କରାଇଥାଏ ।

 

ତୁଫାତଉଲ ମୁୱାହିଦ୍ଦିନ ନାମକ ଏହି ମୂଲ୍ୟବାନ ପୁସ୍ତକ ପାର୍ସି ଭାଷାରେ ଲିଖିତ ହୋଇଥିବାରୁ ଏହି ଭାଷାରେ ରାମମୋହନଙ୍କର ପାଣ୍ଡିତ୍ୟର ପରିଚୟ ଦିଏ । ଏହି ପୁସ୍ତକ ବ୍ୟତୀତ ପାର୍ସି ଭାଷାରେ ରାମମୋହନଙ୍କ ଦ୍ଵାରା ଲିଖିତ କୌଣସି ପୁସ୍ତକ ବା କାଗଜପତ୍ର ମିଳେ ନାହିଁ । ତେବେ ଏ ସଂପର୍କରେ ଅଧିକ ତଥ୍ୟ ପାଇବା ଗବେଷଣା ସାପେକ୍ଷ ହୋଇଥିବାରୁ ଜାତୀୟ ବିକାଶର ଇତିହାସରେ ରାମମୋହନଙ୍କ ଭଳି ଏକ ସମଜ୍ଜ୍ୟଳ ବ୍ୟକ୍ତିତ୍ଵ ଉପରେ ନିର୍ଦ୍ଦିଷ୍ଟ ଭାବେ କୌଣସି ମତାମତ ଦେବା ସମ୍ଭବ ନୁହେଁ ।

 

ତୁଫାତଉଲ ମୁୱାହିଦ୍ଦିନ ପୁସ୍ତକରେ ରାମମୋହନ ଉଲ୍ଲେଖ କରିଛନ୍ତି ‘‘ମୁଁ ବିଶ୍ଵର ଅଭ୍ୟନ୍ତରରେ ବହୁସ୍ଥାନ ଭ୍ରମଣ କଲି । ସମତଳ ପାର୍ବତ୍ୟ ଅଞ୍ଚଳ ବୁଲିଲି, ଦେଖିଲି ଏହାର ଅଧିବାସୀମାନେ ସାଧାରଣତଃ ଗୋଟିଏ ଶକ୍ତିକୁ ସ୍ଵୀକାର କରନ୍ତି । କିନ୍ତୁ ତାହାକୁ ଚିହ୍ନିତ କରିବାରେ ସେମାନଙ୍କ ମଧ୍ୟରେ ମତାନୈକ୍ୟ ରହିଛି । ସେମାନେ ବିଭିନ୍ନ ଧର୍ମ, ସୂତ୍ର ଓ ସଂପ୍ରଦାୟର ଅନୁସରଣ କରୁଛନ୍ତି । ଏଥିରୁ ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚିଲି ଯେ ସେହି ଏକ ଚିରନ୍ତନ ଶକ୍ତି ଆଡ଼କୁ ଲୋକଙ୍କ ମନ ପ୍ରଭାବିତ ହେବା ମନୁଷ୍ୟର ପ୍ରାକୃତିକ ମନୋବୃତ୍ତି ଭଳି ।*

 

*‘‘I travelled in the remotest parts of the world, in plains as well as in hilly lands and found the inhabitants there of agreeing generally in the personality of one Being, who is the source of all that exists and its governor, and disagreeing in giving peculiar attributes to that Being and in holding different creeds consisting of the doctrines of religion and precepts of haram (forbidden) and halal (lowful). From this induction it has been known to me that turning generally towards an Eternal Being is like a natural tendency in human beings and is common to all individuals of mankind equally.”

 

ରାମମୋହନ ଦୁଇଟି ମୌଳିକ ଆଦର୍ଶ ଉପରେ ବରାବର ଗୁରୁତ୍ଵ ଆରୋପକରି କାର୍ଯ୍ୟ କରୁଥିଲେ । ଗୋଟିଏ ହେଉଛି ମାନବୀୟ ଐକ୍ୟ ଓ ଅନ୍ୟଟି ହେଉଛି ସାମାଜିକ ବିକାଶ । କିନ୍ତୁ ତାଙ୍କର କେତେକ ସମାଲୋଚକ କହନ୍ତି ଯେ, ରାମମୋହନଙ୍କ ଭଳି ଜଣେ ଆଦର୍ଶବାଦୀ ଦାର୍ଶନିକ ଗର୍ବରୁ ମୁକ୍ତ ନ ଥିଲେ । ରାମମୋହନଙ୍କ ଆତ୍ମଜୀବନୀ ଚରିତର କେତେକ ଅଂଶ ଉଦ୍ଧାରକରି ସମାଲୋଚକମାନେ ସେମାନଙ୍କର ଏହି ଉକ୍ତିର ଯାଥାର୍ଥ୍ୟ ପ୍ରତିପାଦନ କରିବାକୁ ଉଦ୍ୟମ କରନ୍ତି । ତାଙ୍କ ଆତ୍ମଜୀବନୀ ଚରିତରେ ଅଛି ‘ବ୍ରାହ୍ମଣମାନେ ଈଶ୍ଵର ଠାରୁ ପରମ୍ପରାପ୍ରାପ୍ତ ହୋଇଛନ୍ତି ଏବଂ ଏହାଦ୍ଵାରା ସେମାନେ ସେମାନଙ୍କର ଉତ୍ସବ ପାଳନଲାଗି ଈଶ୍ଵରଙ୍କଠାରୁ, ଆଦେଶ ପାଇଛନ୍ତି । ଏ ସଂପର୍କରେ ସଂସ୍କୃତ ଭାଷାରେ ଈଶ୍ଵରଙ୍କର କେତେକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ରହିଛି ଏବଂ ମୁଁ ଈଶ୍ୱରଙ୍କର ଏକ ନିରୀହ ସନ୍ତାନ, ବ୍ରାହ୍ମଣ କୁଳରେ ଜନ୍ମ ହୋଇ ଏହି ଭାଷା ଶିକ୍ଷା କରିଛି ଏବଂ ଏହି ନିର୍ଦ୍ଦେଶ ମୁଖସ୍ଥ କରିଛି ।’’*

 

*‘‘The Brahmins have a tradition from God that they have strict orders from God to observe their ceremonies and hold their faith for ever. These are many injunctions about this from the Divine authority in the Sanskrit language and I the humblest creature of God, having being born amongst them, have learnt the language and got those injunctions by heart, and this nation (the Brahmans) having confidence in such divine injunctions cannot give them up, although they have been subjected to many troubles and persecutions and were threatened to be put to death by the followers of Islam’’.

 

ତାଙ୍କର ଜୀବନୀ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କ ଗର୍ବକୁ ଖର୍ବ କରିବା ଉଦ୍ଦେଶ୍ୟରେ ସେ ବୋଧହୁଏ ଏପରି ଉକ୍ତି ପ୍ରକାଶ କରିଥିଲେ ।

 

ରାମମୋହନ ଇସଲାମ ସମେତ ପ୍ରତ୍ୟେକ ଧର୍ମର ସାରତତ୍ତ୍ଵକୁ ସମର୍ଥନ କରୁଥିଲେ । ମୁର୍ଶିଦାବାଦଠାରେ ତୁଫାତଉଲ ମୁୱାହିଦ୍ଦିନ ପ୍ରକାଶିତ ହେବାର ୧୨ ବର୍ଷ ପରେ ରାମମୋହନ କଲିକତାରେ ଅବସ୍ଥାନ କଲେ ଏବଂ ସେତେବେଳେ ସଂସ୍କୃତ, ବଙ୍ଗଳା ଓ ଇଂରାଜୀ ଭାଷାରେ କେତେକ ପୁସ୍ତକ ପ୍ରକାଶ କଲେ । କିନ୍ତୁ କଲିକତାରେ ଅବସ୍ଥାନ କରିବା ପୂର୍ବରୁ ରାମମୋହନ ବିଭିନ୍ନ ଧର୍ମ ସଂପ୍ରଦାୟ ସଂପର୍କରେ ଆସିଥିଲେ ବୋଲି ପ୍ରମାଣ ମିଳେ । ଏପରିକି ରଙ୍ଗପୁରଠାରେ ୧୮୦୯ରୁ ୧୮୧୪ ମଧ୍ୟରେ ରାମମୋହନ ତନ୍ତ୍ର ଅଧ୍ୟୟନରେ ବ୍ୟାପୃତ ଥିଲେ । ହରିହରାନନ୍ଦ ତୀର୍ଥସ୍ଵାମୀ ନାମକ ଜଣେ ସନ୍ୟାସୀଙ୍କ ସାହାଯ୍ୟରେ ସେ ଏହି କାର୍ଯ୍ୟ କରୁଥିଲେ । ମହାନିର୍ବାଣ ତନ୍ତ୍ରକୁ ରାମମୋହନ ଯେପରି ଭୂରି ଭୂରି ପ୍ରଶଂସା କରିଛନ୍ତି, ସେଥିରୁ ଜଣାଯାଏ ଯେ, ଏକ ସମୟରେ ତନ୍ତ୍ରପ୍ରତି ସେ ବିଶେଷ ଭାବେ ଆକୃଷ୍ଟ ହୋଇଥିଲେ ।

 

କେତେକଙ୍କ ମତରେ ଅଷ୍ଟାଦଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ରାମମୋହନଙ୍କର ଇଂରାଜୀ ଶାସ୍ତ୍ରରେ ସେପରି ଉଲ୍ଲେଖ ଯୋଗ୍ୟ ପ୍ରବେଶ ନ ଥିଲା । ସେତେବେଳକୁ ତାଙ୍କୁ ପ୍ରାୟ ୨୮ ବର୍ଷ ହୋଇଥିଲା । କିନ୍ତୁ କିପରି ଏତେଶୀଘ୍ର, ସେ ଇଂରାଜୀ ଭାଷାରେ ପାରଦର୍ଶିତା ଲାଭକରି ବିଭିନ୍ନ ଧର୍ମଶାସ୍ତ୍ର ଅନୁବାଦ କରିବା ସଙ୍ଗେ ସଙ୍ଗେ ଉଚ୍ଚକୋଟିର ଇଂରାଜୀ ଲେଖାମାନ ପ୍ରକାଶ କଲେ । ରାମମୋହଙ୍କର ଅସାଧାରଣ ମେଧାଶକ୍ତି ଥିବାରୁ ଖୁବ୍‍ କମ୍‌ ସମୟରେ ଯେକୌଣସି ଭାଷା ଅଧ୍ୟୟନ କରିବା ତାଙ୍କ ପକ୍ଷରେ ଅସମ୍ଭବ ବୋଧ ହେଉନଥିଲା ବୋଲି ଜଣାଯାଇଛି । ତେଣୁ ସେ ୨୮ ବର୍ଷ ପର୍ଯ୍ୟନ୍ତ ଉତ୍ତମରୂପେ ଇଂରାଜୀ ଭାଷାଶିକ୍ଷା କରିନଥିଲେ ବୋଲି କେତେକଙ୍କ ଦ୍ଵାରା ଯାହା କୁହାଯାଏ ତାହା ଯଦି ସତ୍ୟ ହୋଇଥାଏ, ତେବେ କୁହାଯିବ ଯେ ଇଂରାଜୀ ଭାଷାରେ ରାମମୋହନ ଯେଉଁ ବେଦାନ୍ତ ବ୍ୟାଖ୍ୟା ପ୍ରଭୃତି ବଡ଼ ବଡ଼ କାର୍ଯ୍ୟ କରିଛନ୍ତି ତାହା ୧୮୧୫ ପରେ ହୋଇଥିବାରୁ ରାମମୋହନ ୨୮ ବର୍ଷ ବୟସ ପରେ ତାଙ୍କର ଅସାଧାରଣ ଶକ୍ତି ଦ୍ଵାରା ଇଂରାଜୀଭାଷାକୁ ଉତ୍ତମରୂପେ ଶିକ୍ଷା କରି ଏହି ଭାଷାରେ ପୁସ୍ତକ ରଚନା କରିବା ଅସମ୍ଭବ ନୁହେଁ ।

 

ରାମମୋହନ ପାଶ୍ଚାତ୍ୟ ବିଜ୍ଞାନକୁ ସମର୍ଥନ କରୁଥିବାରୁ ସେ ବହୁ ଭୁଲ ବୁଝାମଣାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ସେ କେବେ ତାଙ୍କର ମତରୁ ଓହରିଯାଇ ନାହାନ୍ତି । ଅବଶେଷରେ ଇଂରାଜୀଭାଷା ମାଧ୍ୟମରେ ଭାରତୀୟମାନଙ୍କୁ ବିଜ୍ଞାନ ସଂପର୍କରେ ଅବହିତକରି ଦେଶକୁ ପ୍ରଗତିର ପଥରେ ବାଟ କଢ଼ାଇ ନେଇଛନ୍ତି ।

 

ରାମମୋହନ ତାଙ୍କ ଜୀବନ କାଳ ମଧ୍ୟରେ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ବହୁ ଲୋକଙ୍କ ଜୀବନକୁ ଉନ୍ନତ କରିପାରିଛି । ସେ ଥିଲେ ଆଧୁନିକ ଭାରତର ଜଣେ ନିର୍ମାତା ଓ ଉତ୍ତର ପଥ ପ୍ରଦର୍ଶକ । ଲୋକଙ୍କର କାର୍ଯ୍ୟ ରାମମୋହନଙ୍କ ଜୀବନର ମୌଳିକ ଆଦର୍ଶ ଥିଲା । ଏଣୁ ରାମମୋହନ ଭାରତର ଇତିହାସରେ ଏକ ସ୍ମରଣୟୀ ବ୍ୟକ୍ତିତ୍ଵ, ଏଥିରେ ସନ୍ଦେହ ନାହିଁ ।

 

Image